ବିପର୍ଯ୍ୟୟ ମୁକାବିଲା ଲାଗି ଭିତ୍ତିଭୂମି ଲୋଡ଼ା

ପ୍ରମୋଦ କୁମାର ମିଶ୍ର
ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖରେ ସାରା ବିଶ୍ୱ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରିଥାଏ। ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ସରକାର ଓ ସଂଗଠନ ଏହି ଦିବସକୁ ପାଳନ କରିଥାନ୍ତି। ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରାକ୍‌ ପ୍ରସ୍ତୁତି କରିବା ଲାଗି ଏହି ଦିବସ ସତର୍କ କରିଦେଇଥାଏ। ବିପର୍ଯ୍ୟୟ ହ୍ରାସ ଲାଗି ୨୦୧୫ରେ ସେଣ୍ଡାଇ ଫ୍ରେମ୍‌ୱାର୍କକୁ ଗ୍ରହଣ କରାଯାଇଥିଲା। ସେବେଠାରୁ ‘ସେଣ୍ଡାଇ ସେଭେନ’ ଅଭିଯାନର ଅଂଶ ସ୍ବରୂପ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଆସୁଛି। ସେଣ୍ଡାଇ ଫ୍ରେମ୍‌ୱାର୍କର ୭ଟି ଲକ୍ଷ୍ୟ ହାସଲ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସ ପାଇଁ ସେଣ୍ଡାଇ ଲକ୍ଷ୍ୟ ସହ ଜଡ଼ିତ ଏକ ବିଷୟବସ୍ତୁ ରହିଛି- ‘ବିପର୍ଯ୍ୟୟ ପ୍ରଭାବରୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ମୌଳିକ ସେବାରେ ହେଉଥିବା କ୍ଷୟକ୍ଷତିକୁ ହ୍ରାସ କରିବା।’
ଚଳିତ ବର୍ଷ ମୋଜାମ୍ବିକ, ବାହାମାସ ଏବଂ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଛି, ଯାହା ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରୁଛି।
ଓଡ଼ିଶାରେ ସାମୁଦ୍ରିକ ଝଡ଼ କାରଣରୁ ପାଖାପାଖି ୧୨୦ କୋଟି ଆମେରିକୀୟ ଡଲାରର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଦୀର୍ଘବର୍ଷର ପ୍ରୟାସ ମାଧ୍ୟମରେ କିଭଳି ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣ କରାଯାଇପାରିବ, ସେ ଦିଗରେ ଓଡ଼ିଶାର ସଫଳତା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ। ବିଶ୍ୱ ବ୍ୟାଙ୍କର ଆର୍ଥିକ ସହାୟତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକ୍ରମ ଅନ୍ତର୍ଗତ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ଭୂତଳ ବିଦ୍ୟୁତ୍‌ ତାର ବିଛାଇବା କାମ କରାଯାଇଥିଲା। ଝଡ଼ବାତ୍ୟା ପରେ ଏସବୁ ଅଞ୍ଚଳରେ ଖୁବ୍‌ ଅଳ୍ପଦିନ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ସମ୍ଭବ ହୋଇଥିଲା। ଅପରପକ୍ଷରେ ଅନ୍ୟ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହେବାକୁ ଅଧିକ ଦିନ ଲାଗିଥିଲା। ଏହି ବ୍ୟବସ୍ଥା ଦ୍ୱାରା କେବଳ ବିଦ୍ୟୁତ୍‌ ସରବରାହ ଭିତ୍ତିଭୂମିଜନିତ କ୍ଷୟକ୍ଷତି ହ୍ରାସ କରିବା ସମ୍ଭବ ହେଲା ନାହିଁ, ବରଂ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବା କାରଣରୁ ସାଧାରଣ ଜୀବନଯାତ୍ରା ଉପରେ ପଡ଼ୁଥିବା ପ୍ରଭାବକୁ ହ୍ରାସ କରାଯାଇପାରିଲା। ଏପରି ଅଭିଜ୍ଞତାରୁ ଭାରତ ଓ ସାରା ବିଶ୍ୱ ଅନେକ କିଛି ଶିଖିପାରିବେ ଏବଂ ସେମାନଙ୍କ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଅଧିକ ବାସ୍ତବବାଦୀ ଆଭିମୁଖ୍ୟ ନେଇ କାମ କରିପାରିବେ।
ଆଗାମୀ ଦଶନ୍ଧିଗୁଡ଼ିକରେ ସାରା ବିଶ୍ୱରେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ ହେବାକୁ ଥିବାରୁ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି। ଉଭୟ ଭବିଷ୍ୟତ ଏବଂ ବର୍ତ୍ତମାନର ଭିତ୍ତିଭୂମି ବ୍ୟବସ୍ଥା ଆଗାମୀ ଦିନରେ ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଏସବୁ ବିପର୍ଯ୍ୟୟ ମଧ୍ୟରୁ କେତେକ ଅପ୍ରତ୍ୟାଶିତ ହୋଇପାରେ। ଏହି ସମୟ ମଧ୍ୟରେ ଜଳବାୟୁ ସହ ଜଡ଼ିତ ବିପର୍ଯ୍ୟୟର ସ୍ବରୂପ ବଦଳି ଯାଇପାରେ। ବିପର୍ଯ୍ୟୟ କାରଣରୁ ସରକାରୀ କ୍ଷୟକ୍ଷତିର ଦୁଇତୃତୀୟାଂଶ ଭିତ୍ତିଭୂମି ସହ ଜଡ଼ିତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ବ୍ୟବସ୍ଥାର ଢାଞ୍ଚା, ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ- ଏସବୁ ବିପତ୍ତି ଏବଂ ଅନିଶ୍ଚିତତାର ସମ୍ମୁଖୀନ ହେବା ଲାଗି ସକ୍ଷମ ହେବ ଆବଶ୍ୟକ। ଏସବୁ କ୍ଷୟକ୍ଷତି ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀକୁ ସର୍ବାଧିକ ପ୍ରଭାବିତ କରିଥାଏ। ଏହି କ୍ଷତିରୁ ମୁକୁଳିବା ଲାଗି ସେମାନଙ୍କୁ ଅନେକ ସମୟ ଲାଗିଥାଏ।
ତେଣୁ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣ କେବଳ ଏକ ବିପର୍ଯ୍ୟୟ ପରିଚାଳନା ନୁହେଁ, ବରଂ ମୌଳିକ ବିକାଶ ପ୍ରସଙ୍ଗ। ପରିବହନ, ଘରୋଇ ଓ ବୈଶ୍ୱିକ ବଜାରକୁ ସଂଯୋଗ, ବାଧାମୁକ୍ତ ବିଦ୍ୟୁତ୍‌, ଜଳ ଓ ସଞ୍ଚାର ବ୍ୟବସ୍ଥା, ଅର୍ଥନୈତିକ ବିକାଶ ଏବଂ ସମୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଏହା ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ମଧ୍ୟ ପ୍ରତିଫଳିତ ହୋଇଛି। ଏସ୍‌ଡିଜିର ନବମ ଲକ୍ଷ୍ୟ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଅନ୍ୟ ଲକ୍ଷ୍ୟଗୁଡ଼ିକ ସ୍ପଷ୍ଟ ଭାବେ ଉନ୍ନତ ମାନର ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଉପରେ ଗୁରୁତ୍ୱାରୋପ କରିଥାନ୍ତି।
ବିପର୍ଯ୍ୟୟରୋଧୀ ଭିତ୍ତିଭୂମି ନିର୍ମାଣ କରିବା ଲାଗି ଯଥେଷ୍ଟ ଆର୍ଥିକ ସହାୟତା, ମାନକ, ପ୍ରଶାସନିକ ବ୍ୟବସ୍ଥା ଓ ସାମର୍ଥ୍ୟର ଆବଶ୍ୟକତା ରହିଛି। ତେବେ ଏଥିରେ ନିବେଶ ତୁଳନାରେ ଅଧିକ ଲାଭ ମିଳିବା ସମ୍ଭାବନା ରହିଛି, ଯାହାର ଓଡ଼ିଶା ହେଉଛି ଏକ ଉଦାହରଣ।
ନିକଟରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମିରେ ଏକ ଆମେରିକୀୟ ଡଲାର ନିବେଶ କରାଯିବା ଦ୍ୱାରା ଚାରି ଡଲାର ମୂଲ୍ୟର ସାମାଜିକ-ଆର୍ଥିକ କ୍ଷତି ଏଡ଼ାଇବା ସମ୍ଭବ ହୋଇଥାଏ। ଏହାକୁ ଭିତ୍ତିଭୂମି ଜୀବନଚକ୍ରର ବହୁଗୁଣ ଲାଭ ଭାବେ ବିବେଚନା କରାଯାଇଥାଏ।
ନୂତନ କିମ୍ବା ଅବିକଶିତ କ୍ଷେତ୍ରର ବିକାଶରେ ନିବେଶ ହେଉ ଅଥବା ବର୍ତ୍ତମାନର ଭିତ୍ତିଭୂମିର ନବୀକରଣ କ୍ଷେତ୍ରରେ ହେଉ, ଭିତ୍ତିଭୂମି କ୍ଷେତ୍ରରେ ହେଉଥିବା ବ୍ୟାପକ ନିବେଶରେ ବିପର୍ଯ୍ୟୟ ପ୍ରଶମନ ସାମର୍ଥ୍ୟ ବୃଦ୍ଧି କରିବା ସହିତ ଦୀର୍ଘକାଳୀନ ଭିତ୍ତିରେ ସମ୍ଭାବ୍ୟ କ୍ଷୟକ୍ଷତିଠାରୁ ଆମ ଭବିଷ୍ୟତକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି। ବିପର୍ଯ୍ୟୟନିରୋଧୀ ଭିତ୍ତିଭୂମି ନିର୍ମାଣ କରିବାର ପ୍ରୟାସ ତିନୋଟି ସିଦ୍ଧାନ୍ତ ଆଧାରିତ ହେବା ଉଚିତ: ପ୍ରଥମତଃ, ଭିତ୍ତିଭୂମିର ପରିପାଟୀ ଏପରି ହେବା ଆବଶ୍ୟକ, ଯାହା ଗରିବ ଏବଂ ସବୁଠୁ ଦୁର୍ବଳ ଶ୍ରେଣୀ ସମେତ ଜନସଂଖ୍ୟାର ସମଗ୍ର ଆର୍ଥିକ ବର୍ଗକୁ ବିଶ୍ୱସନୀୟ ସେବା ଯୋଗାଇ ଦେଉଥିବ। ଦ୍ୱିତୀୟତଃ, ଭିତ୍ତିଭୂମି ବିକାଶ ବ୍ୟବସ୍ଥା ବିଭିନ୍ନ କ୍ଷେତ୍ରକୁ ନେଇ ଅଧିକ ସମନ୍ବିତ ହେବା ଉଚିତ। ତୃତୀୟତଃ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମିର ବିକାଶ ଏପରି ହେବା ଆବଶ୍ୟକ, ଯାହା ବିଶ୍ୱସ୍ତରୀୟ ଓ ସ୍ଥାନୀୟ ତଥା ଜାତୀୟ ପରିଦୃଶ୍ୟକୁ ସୁହାଉଥିବ।
ଏପରି ଆଭିମୁଖ୍ୟ ନେଇ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣ କରାଯିବା ଦ୍ୱାରା ଯେକୌଣସି ଦେଶର ଆର୍ଥିକ ଗତିପଥ ବଦଳିବା ସହିତ ଏହା ଦ୍ରୁତ ଆର୍ଥିକ ବିକାଶ ଦିଗରେ ସୁରକ୍ଷିତ ଭାବେ ଗତି କରିପାରିବ।
ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଲାଗି ୧୦ ସୂତ୍ରୀ ଏଜେଣ୍ଡାର ଅବତାରଣା କରିଛନ୍ତି। ସମସ୍ତ ବିକାଶମୂଳକ କ୍ଷେତ୍ର ଏହି ୩ ସିଦ୍ଧାନ୍ତକୁ ଗ୍ରହଣ କରିବା ଉପରେ ଏଥିରେ ଜୋର ଦିଆଯାଇଛି। ଏହି ଏଜେଣ୍ଡା ଆଧାରରେ ୨୩ ସେପ୍ଟେମ୍ବର, ୨୦୧୯ରେ ମିଳିତ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଶିଖର ସମ୍ମିଳନୀ ଅବକାଶରେ ପ୍ରଧାନମନ୍ତ୍ରୀ ବିଶ୍ୱ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ)ର ଘୋଷଣା କରିଛନ୍ତି।
ଭାରତର ନେତୃତ୍ୱରେ ମିଳିତ ଜାତିସଂଘ ବିପର୍ଯ୍ୟୟ ବିପତ୍ତି ପ୍ରଶମନ କାର୍ଯ୍ୟାଳୟ ସହଯୋଗରେ ବହୁ ରାଷ୍ଟ୍ର ଏହି ମେଣ୍ଟରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ବିକଶିତ ହୋଇଥିବା ଏହି ମେଣ୍ଟର ଆବଶ୍ୟକତା ଓ ପ୍ରାସଙ୍ଗିକତାକୁ ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ଥିବା ରାଷ୍ଟ୍ର, ଭିତ୍ତିଭୂମିର ବ୍ୟାପକ ଅଭାବ ଥିବା ରାଷ୍ଟ୍ର, କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ଏବଂ ଭୂଭାଗ ଘେରି ରହିଥିବା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଗ୍ରହଣ କରିଛନ୍ତି। ଏହି ମେଣ୍ଟ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟ, ମାନକ ନିର୍ଦ୍ଧାରଣ ସଂଗଠନ, ଅର୍ଥ ଓ ବୀମା ପ୍ରଦାନକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକତ୍ରିତ କରିବ।
ନବଗଠିତ ମେଣ୍ଟର ପାଣ୍ଠି ସ୍ତର ଏବଂ ବ୍ୟବସ୍ଥାଗତ ଅସୁବିଧା ପ୍ରତି ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ବିଭିନ୍ନ ଭିତ୍ତିଭୂମି କ୍ଷେତ୍ର ଯଥା ବିଦ୍ୟୁତ୍‌, ଦୂରସଞ୍ଚାର ଏବଂ ପରିବହନ ପରସ୍ପର ଉପରେ ନିର୍ଭରଶୀଳ ହୋଇଥିବାରୁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ବିପର୍ଯ୍ୟୟନିରୋଧୀ କରିବା ଉପରେ ଗୁରୁତ୍ୱ ଦେବା ଜରୁରୀ। ଏହାର ଅର୍ଥ ହେଉଛି ବିପର୍ଯ୍ୟୟ ପରିଚାଳନା କେବଳ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହେବା ଅପେକ୍ଷା ବ୍ୟାପକ ସ୍ତରରେ ଅନ୍ୟ ଅଂଶୀଦାରଙ୍କୁ ମଧ୍ୟ ସାମିଲ କରାଯିବା ଉଚିତ।
ସିଡିଆର୍‌ଆଇର ପ୍ରତିଷ୍ଠାତା ଭାବେ ଅନ୍ୟ ରାଷ୍ଟ୍ରଗୁଡ଼ିକ ନିକଟରୁ ଭାରତ ପାଖରେ ଶିଖିବାର ଏବଂ ନିଜସ୍ବ ଅନୁଭୂତି ବାଣ୍ଟିବାର ସୁଯୋଗ ରହିଛି। ବିଶ୍ୱହିତ ପାଇଁ ସମାନ ଭାବନା ରଖୁଥିବା ଭାଗୀଦାରମାନଙ୍କୁ ଏକାଠି କରିବା ଲାଗି ସିଡିଆର୍‌ଆଇ ଏକ ସାଧାରଣ ମଞ୍ଚ ଯୋଗାଇ ଦେବ। ବର୍ତ୍ତମାନ ସମୟ ଆସିଛି, ସମସ୍ତେ ଗୋଟିଏ ପାଦ ଆଗକୁ ବଢ଼ାଇ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଅନୁକୂଳ ବିକାଶର ବୈଶ୍ୱିକ ମାର୍ଗରେ ଆଗେଇ ଯିବା ଆବଶ୍ୟକ।
(ଲେଖକ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ)


Enter your email to get our daily news in your inbox.

All Right Reserved By Dharitri.Com

ବିଫଳ ଯୋଜନା

ଆକାର ପଟେଲ ସେପ୍ଟେମ୍ବର ୨୦୧୪ରେ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଓ୍ବେବ୍‌ସାଇଟ୍‌ (pmindia.gov.in)ରେ ଲେଖାଯାଇଛି ଯେ, ଭାରତକୁ ଏକ ଗ୍ଲୋବାଲ ମାନୁଫାକ୍ଚରିଂ ହବ୍‌ରେ...

ଗୋଟିଏ ପିଲା ପାଇଁ

ବିରୋଧୀ ଦଳଙ୍କ କହିବା ଅନୁଯାୟୀ ଓଡ଼ିଶାରେ ୧୪,୫୦୦ ସ୍କୁଲ (ସରକାରୀ ତଥ୍ୟ କହୁଛି ୭,୭୭୨) ବନ୍ଦ କରିଦେବା ପାଇଁ ସରକାର ନିଷ୍ପତ୍ତି ନେଉଛନ୍ତି। ଏହି ପ୍ରସଙ୍ଗକୁ...

ମୃତ୍ୟୁ ପର୍ଯ୍ୟନ୍ତ ବଞ୍ଚିବାକୁ ହେବ

ଡ. ବାଇଧର ସାହୁ ପୃଥିବୀର ଲୋକମାନଙ୍କ ଭିତରେ ଆଜି ହତୋତ୍ସାହ ଦେଖାଦେଇଛି ତାହାର କାରଣ କୋଭିଡ୍‌-୧୯। ଜୀବନ ପ୍ରତି ପ୍ରତିକୂଳ ମନୋଭାବ ଆମକୁ ଗୋଡ଼ ଧରି...

ଏଇ ଭାରତରେ

ବହୁ ସମୟରେ ବନ୍ୟପ୍ରାଣୀଙ୍କ ଜୀବନ ନିଜ ଜୀବିକାଠାରୁ ଅଧିକ ହୋଇଯାଏ, ଯାହାର ପ୍ରମାଣ ମିଳିଛି ଛତିଶଗଡ଼ ଏମ୍‌.ସୂରଜଙ୍କ କାର୍ଯ୍ୟରୁ। ଚାକିରି ଛାଡି ସୂରଜ ବାଘ ଜୀବନ...

ବାହ୍ୟଚାପ

ପାକିସ୍ତାନ ତା’ ଜାତୀୟ ସୁରକ୍ଷା ନୀତି ୨୦୨୨-୨୬ ପ୍ରକାଶ କରିଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ୍‌ ଓ ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି...

ମାନ୍ଦାବସ୍ଥାରେ ମଧ୍ୟ ଚମକୁଛି

ଦିନକୁ ଦିନ ସୁନା ଦର ବୃଦ୍ଧିପାଇ ନୂଆ ରେକର୍ଡ କରିବାରେ ଲାଗିଛି। ଗୁରୁବାର ଏହି ମୂଲ୍ୟବାନ ଧାତୁର (୨୪ କ୍ୟାରେଟ) ଦର ୨୨୫ ଟଙ୍କା ବୃଦ୍ଧି...

ଏଇ ଭାରତରେ

ମଣିପୁରର ଜଣେ ବ୍ୟକ୍ତି ହର୍ବାଲ ଚା’ ଚାଷ କରି ୨୦୦୦ ଗରିବ ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିପାରିଛନ୍ତି। ଇମ୍ଫାଲ୍‌ରେ ରହୁଥିବା...

ଏଇ ଭାରତରେ

ପାଖରେ ଟଙ୍କା ନ ଥିଲା, କିନ୍ତୁ କେରଳରୁ କଶ୍ମୀର ଯାଏ ଚା’ ବିକି ବିକି ସାଇକେଲରେ ଚାଲିଗଲେ ନିଧିନ ଏମ୍‌.କେ.। ଯିବା ସମୟରେ ଗୁଗଲ୍‌ ମ୍ୟାପ୍‌...

Advertisement
Archives

Model This Week