ବିପର୍ଯ୍ୟୟମୁଖୀ ଭାରତୀୟ ଅର୍ଥନୀତି

ଡ. ସନ୍ତୋଷ କୁମାର ମହାପାତ୍ର

ରୋମ ଜଳୁଥିବାବେଳେ ସେଠାର ସର୍ବମୟକର୍ତ୍ତା, ଶାସକ ନିରୋ ବଂଶୀ ବଦନରେ ବ୍ୟସ୍ତଥିଲେ। ବର୍ତ୍ତମାନ କରୋନା ସଂକ୍ରମଣର କୁପ୍ରଭାବରେ କେତେ ପରିବାର ଉଜୁଡିଗଲାଣି, କେତେ ଲୋକ ପ୍ରାଣ ହରାଇଲେଣି, କେତେ ଲୋକ ଜୀବିକା ହରାଇ ବେକାରି ହେଲେଣି କେହି ଠିକ ଭାବେ କହିପାରିବେ ନାହିଁ। କରୋନା ସଂକ୍ରମଣର କୁପ୍ରଭାବ ଜୀବନ ଓ ଜୀବିକା ଉପରେ ଏତେ ଅଧିକ ମାତ୍ରାରେ ପଡିଛି ଯେ ତାହା ଜୀବିକା ହରାଇଥିବା ବା ଯେଉଁ ପରିବାରରେ କାହାର ଜୀବନ ଯାଇଛି, ସେମାନଙ୍କୁ ନ ପଚାରିଲେ ଜଣେ ଜାଣିପାରିବ ନାହିଁ। ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ସରକାର ଭୁଲିଯାଉଛନ୍ତି। ବର୍ତ୍ତମାନ ଯେତେବେଳେ ଲୋକମାନେ ଜୀବନ ଓ ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି, ସେତେବେଳେ ସରକାର ଏହାର ସମାଧାନ କରିବା ପରିବର୍ତ୍ତେ କେବଳ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି। ଅନେକ ରଙ୍ଗେଲି ସ୍ବପ୍ନ ଅଯଥାରେ ଦେଖୁଛନ୍ତି ଏବଂ ବର୍ତ୍ତମାନ ପାଇଁ ଅନାବଶ୍ୟକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ପ୍ରତ୍ୟେକ ଦିନ ନୂଆ ନୂଆ ସ୍ଲୋଗାନ ଦିଆଯାଉଛି। ତାହା ଆଲୋଚନା ନ କରି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ଆତ୍ମନିର୍ଭର ଭାରତ, ଆର୍ଥିକ ସୁଧାର, କମ୍‌ ମୃତ୍ୟୁହାର, ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି କଥା କହୁଛନ୍ତି। ରାମମନ୍ଦିର ନିର୍ମାଣରେ ବ୍ୟସ୍ତରହିବା, ୧୦୦୦କୋଟି ଟଙ୍କାରେ ସଂସଦ ଭବନ ନିର୍ମାଣ ଆଉ ଏକ ଉଦାହରଣ। ସରକାର କରୋନା ସମୟରେ ଲୋକଙ୍କ ପ୍ରତିବାଦ କରିବାର କ୍ଷମତା କ୍ଷୀଣହେବା ଯୋଗୁ ତାହାର ଫାଇଦା ନେଇ ଜନବିରୋଧୀ ବିଲ୍‌ ସବୁ ସଂସଦରେ ଗୃହୀତ କରାଉଛନ୍ତି। ସରକାର କ’ଣ କରିଛନ୍ତି ନ କହି, ଖାଲି ଭବିଷ୍ୟତରେ କ’ଣ କରିବେ ବୋଲି କହୁଛନ୍ତି। ଭବିଷ୍ୟତରେ ସମସ୍ତେ ମୃତ ଏବଂ ଆସନ୍ତାକାଲି କେହି ଦେଖିନାହିଁ। ବିଫଳତା ପାଇଁ ଭଗବାନଙ୍କୁ ଦାୟୀ କରାଯାଉଛି ଏବଂ ବିଫଳତାକୁ ସଫଳତାର ରୂପେ ଗଣମାଧ୍ୟମରେ ଅହରହ ପ୍ରଚାର କରାଯାଉଛି। ପ୍ରବଳକ୍ଷୁଧା, ଉତ୍କଟ ଦାରିଦ୍ର୍ୟ, ଭୟଙ୍କର ଅନାହାର, ବାସହୀନତା, ଭୟଙ୍କର ବେକାରି ଓ ବୈଷମ୍ୟ ପ୍ରତି ସରକାରଙ୍କ ଟିକେ ନିଘା ନାହିଁ। ପ୍ରତ୍ୟେକ କଥାରେ ଏହା ଦେଲୁ ତାହା ଦେଲୁ କହୁଛନ୍ତି। ପ୍ରତିବର୍ଷ ଯିଏ ଶାସନ କରୁନା କାହିଁକି ୩୦ଲକ୍ଷ କୋଟି ତାଙ୍କ ପାଖାପାଖି ରାଜସ୍ବ ଆଦାୟ ହେବ। ଯିଏ ଶାସନ କରୁନା କାହିଁକି ଖର୍ଚ୍ଚ ନ କରିବା ଏବଂ ରାଜ୍ୟମାନଙ୍କୁ ତା’ର ଅଂଶ ଦେବ। ଏଣୁ ପ୍ରଚାର କରିବା ଆବଶ୍ୟକତା ରହିଲା କେଉଁଠି?
ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ, ନିୟନ୍ତ୍ରଣ ବିହୀନ। ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା, କ୍ରୂର ବିମୁଦ୍ରୀକରଣ ଏବଂ ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି କାରଣରୁ ଜାନୁୟାରୀ-ମାର୍ଚ୍ଚ ୨୦୧୮ ଭାରତୀୟ ଅର୍ଥନୀତିରେ ଯେଉଁ ଆର୍ଥିକ ଅଭିବୃଦ୍ଧି ମନ୍ଥର ହୋଇଥିଲା ତାହା କରୋନା ମହାମାରୀ ପ୍ରଭାବରେ ଜୁଲାଇ-ସେପ୍ଟେମ୍ବର ୨୦୨୦ରେ ଟେକ୍‌ନିକାଲ ରିସେସନ ରୂପ ନେଇଛି। ଅନ୍ଧାଦୁନିଆ, ଯୋଜନା ବିହୀନ ତାଲାବନ୍ଦ ଭାରତୀୟ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଏପ୍ରିଲ – ଜୁନ ୨୦୨୦ ତ୍ରୈମାସିକରେ ଜିଡିପି ୨୩.୯% ସଂକୋଚନ ( -୨୩.୯%) ପରେ ଦ୍ୱିତୀୟ ତ୍ରୈମାସିକ ଜୁଲାଇ-ସେପ୍ଟେମ୍ବର ୨୦୨୦ରେ ଏହି ହ୍ରାସ ହାର କମି -୭.୫% ହୋଇଛି। ଏକ ଅର୍ଥନୀତିରେ ଟେକ୍‌ନିକାଲ ରିସେସନ ଦେଖାଦେଇଛି ବୋଲି କୁହାଯିବ; ଯେତେବେଳେ ଲଗାତର ଦୁଇଟି ତ୍ରୈମାସିକରେ ଅଭିବୃଦ୍ଧି ନେଗେଟିଭ ବା ବିଯୁକ୍ତାତ୍ମକ ହୋଇଥାଏ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏହି ସମସ୍ୟା ଦେଖାଦେଇଛି।
ଏକ ଦେଶର ଅର୍ଥନୀତିରେ ଡିପ୍ରେସନ ଦେଖାଦେଇଛି ବୋଲି କୁହାଯିବ, ଯଦି ଅଭିବୃଦ୍ଧି ଲଗାତର ଭାବେ ୩ବର୍ଷ ଧରି ବିଯୁକ୍ତାତ୍ମକ ହୁଏ ବା ଜିଡିପି ଏକ ବର୍ଷରେ ୧୦%ରୁ ଊଦ୍ଧର୍‌ବ ହ୍ରାସ ପାଏ ବା ବେକାରି ହାର ୨୫% ବା ତାହାଠାରୁ ଅଧିକ ହୋଇଥାଏ। ଗତ ୬୯ ବର୍ଷ ମଧ୍ୟରେ ଭାରତ ୧୯୫୮, ୧୯୬୬ ଏବଂ ୧୯୮୦ ଆର୍ଥିକ ବର୍ଷରେ ବିଯୁକ୍ତାତ୍ମକ ଅଭିବୃଦ୍ଧି ଦେଖିଛି, କିନ୍ତୁ କ୍ରମାଗତ ଦୁଇଟି ତ୍ରୈମାସିକରେ ବିଯୁକ୍ତାତ୍ମକ ଅଭିବୃଦ୍ଧି ଦେଖାଦେଇ ନ ଥିଲା। ବର୍ତ୍ତମାନ ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଭାରତୀୟ ଅର୍ଥନୀତିରେ କେବଳ ଜିଡିପି ହ୍ରାସ ହୋଇନାହିଁ ବରଂ ଅର୍ଥନୀତି ଭୟଙ୍କର ବିପର୍ଯ୍ୟୟ ଆଡକୁ ଗତିକରୁଛି। ଭୟାନକ ଷ୍ଟାଗଫ୍ଲେସନ,ରିସେସନ ଏପରି କି ଡିପ୍ରେସନ ସମ୍ମୁଖୀନ ହୋଇଛି। ଏକ ଅର୍ଥନୀତିରେ ଷ୍ଟାଗଫ୍ଲେସନ ବା ସ୍ଥାଣୁତ୍ୱ ଯୁକ୍ତମୁଦ୍ରାସ୍ଫୀତି ଦେଖାଦେଇଛି ବୋଲି ଜାଣିବ, ଯେତେବେଳେ ମୁଦ୍ରାସ୍ଫୀତି ସାଙ୍ଗକୁ ଅଭିବୃଦ୍ଧି ହ୍ରାସପାଏ/ମନ୍ଥର ହୁଏ ଏବଂ ଚାକିରି/ନିଯୁକ୍ତି ହ୍ରାସଘଟେ। ଏକ ମହାମାରୀ ସମୟରେ ଯଦି ସବୁଦେଶ ପ୍ରଭାବିତ ହେଉଥାଏ, ତେବେ ଏକ ଦେଶର ସରକାର ବା ଶାସନ କର୍ତ୍ତାଙ୍କୁ ଦକ୍ଷ କୁହାଯିବ ଯଦି ଅନ୍ୟ ଦେଶ ତୁଳନାରେ ତାଙ୍କ ଦେଶ କମ୍‌ ପ୍ରଭାବିତ ହୁଏ। ୧୦ଟି ଶ୍ରେଷ୍ଠ ଅର୍ଥନୀତି ମଧ୍ୟରେ ଭାରତ ଉଭୟ ତ୍ରୈମାସରେ ସର୍ବାଧିକ ଖରାପ ପ୍ରଦର୍ଶନ କରିଛି। ପୂର୍ବତନ ରିଜର୍ଭବ୍ୟାଙ୍କ ଗଭର୍ନର ଡୁଭୁରୀ ସୁବାରାଓ କହିଛନ୍ତି ଯେ, ଜିଡିପି ଆକଳନ ବେଳେ ଅଣଆନୁଷ୍ଠାନିକ କ୍ଷେତ୍ରରେ କରୋନା ମହାମାରୀର କୁପ୍ରଭାବ ବିଚାରକୁ ନିଆଯାଇନାହିଁ। ପୂର୍ବତନ ମୁଖ୍ୟ ପରିସଂଖ୍ୟାନ ବିଶେଷଜ୍ଞ ପ୍ରୋନବସେନଙ୍କ ଅନୁଯାୟୀ ଭାରତରେ ବର୍ତ୍ତମାନର ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ଅନିଶ୍ଚିତ। ବିଭିନ୍ନ ପ୍ରକାର ଆକଳନରୁ ଜଣାପଡିଛି ୨୦୨୦-୨୧ରେ ଜିଡିପି ୭.୫%ରୁ ୧୦% ହ୍ରାସପାଇବ। ଜିଡିପି ହ୍ରାସର ମାତ୍ର ୧% ଅର୍ଥ ହେଉଛି ଜାତୀୟ ଆୟର ପ୍ରାୟ ୨ଲକ୍ଷ କୋଟି ଟଙ୍କା ହ୍ରାସ ଘଟିବା । ଦଶ ପ୍ରତିଶତ ହ୍ରାସ ଅର୍ଥ ୨୦୨୦-୨୧ ପାଇଁ ଜାତୀୟ ଆୟ ୨୦ଲକ୍ଷ କୋଟି ଟଙ୍କା ହ୍ରାସପାଇବ। ସରକାର ପ୍ରଚାର କରୁଛନ୍ତି ଯେ, କରୋନା ପାଇଁ ଯେଉଁ ଆର୍ଥିକ ପ୍ୟାକେଜ ଦେଇଛନ୍ତି ତାହାର ମୂଲ୍ୟ ଜିଡିପିର ୧୫%।
ସେଣ୍ଟର ଫର ମନିଟରିଂ ଅଫ୍‌ ଇଣ୍ଡିଆନ୍‌ ଇକୋନୋମି (ସିଏମଆଇଇ)ର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୪ ତାଲାବନ୍ଦ ପୁର୍ବରୁ ମାର୍ଚ୍ଚ ୨୨ରେ ବେକାରି ହାର ୮.୪% ଥିଲା। କୋଭିଡ୍‌ -୧୯ର ପ୍ରସାରକୁ ରୋକିବା ପାଇଁ ତାଲାବନ୍ଦ ଯୋଗୁ ମେ ୩, ୨୦୨୦ ଶେଷ ହୋଇଥିବା ସପ୍ତାହରେ ଭାରତର ବେକାରି ହାର ୨୭.୧ % ବୃଦ୍ଧିପାଇଥିଲା।
ଅର୍ଥନୀତିରେ ତାଲାବନ୍ଦ କୋହଳ ହେବା ଯୋଗୁ ଗତ କିଛି ମାସ ବେକାରି ହାର ୬%ରୁ ୮% ମଧ୍ୟରେ ଥିଲା। ସରକାର ଅର୍ଥନୀତିରେ ସୁଧାର ଆସିଛି ବୋଲି ବାରମ୍ବାର କହିଲେ ମଧ୍ୟ ତାହା ବାସ୍ତବରେ ବିପରୀତ। ଭାରତର ସାମଗ୍ରିକ ବେକାରି ହାର ବା ବେରୋଜଗାର ହାର ବୃଦ୍ଧି ପାଇ ୧୩ ଡିସେମ୍ବରରେ ଶେଷ ହୋଇଥିବା ସପ୍ତାହରେ ୧୧.୬୩%ରେ ପହଞ୍ଚିଛି, ଯାହା ଗତ ୨୩ ସପ୍ତାହର ସର୍ବାଧିକ। ଏପ୍ରିଲରେ ପ୍ରାୟ ୧୨.୧୫ କୋଟି ଭାରତୀୟ ନିଯୁକ୍ତି ହରାଇଛନ୍ତି। ଅବଶ୍ୟ ଏହି ହାର ବାସ୍ତବରେ ବହୁ ଅଧିକ। ଏତିକିରେ ରହିବାର କାରଣ ହେଲା, କରୋନା ଯୋଗୁ ଲୋକ ନିଯୁକ୍ତି ଚାହଁୁ ନାହାନ୍ତି।
ଭାରତରେ ହୋଲସେଲ ବା ପାଇକାରୀ ମୂଲ୍ୟ ସୂଚକାଙ୍କଭିତ୍ତିକ ମୁଦ୍ରାସ୍ଫୀତି ନଭେମ୍ବରରେ ୧.୫୫% ବୃଦ୍ଧିପାଇଛି; ଯାହା ଗତ ନଅମାସରେ ସର୍ବାଧିକ। କ୍ରମାଗତ ୧୦ମାସ ପାଇଁ ଗ୍ରାହକ ବା ଖୁଚୁରା ମୁଦ୍ରାସ୍ଫୀତି ୬%ରୁ ଅଧିକ। ଅକ୍ଟୋବରରେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ୭.୬୧% ଛୁଇଁଛି, ନଭେମ୍ବରରେ ଏହା ୬.୯୩%କୁ ହ୍ରାସପାଇଥିଲେ ମଧ୍ୟ, ତଥାପି ରିଜର୍ଭବ୍ୟାଙ୍କର ଲକ୍ଷ୍ୟଠାରୁ ବହୁଅଧିକ। ଖାଦ୍ୟ ମୁଦ୍ରାସ୍ଫୀତି ଯାହା ଗରିବ ଏବଂ ନିମ୍ନମାନର ଲୋକଙ୍କୁ ପ୍ରଭାବିତ କରିଥାଏ ତାହା ନିୟନ୍ତ୍ରଣ ବାହାରେ । ଉଚ୍ଚ ମୁଦ୍ରାସ୍ଫୀତି, ସ୍ବଳ୍ପ ସୁଧହାର ଯୋଗୁ ସଞ୍ଚୟକାରୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି କାରଣ ସେମାନେ ସେମାନଙ୍କ ଜମାରୁ ଏକ ବିଯୁକ୍ତାତ୍ମକ ବାସ୍ତବ ସୁଧହାର (ନାମମାତ୍ର ସୁଧହାର-ମୁଦ୍ରାସ୍ଫୀତି) ପାଉଛନ୍ତି । ଅପରପକ୍ଷେ, ସରକାର ଏବଂ କର୍ପୋରେଟ ଲାଭବାନ ହେଉଛନ୍ତି କାରଣ ସେମାନେ ସର୍ବାଧିକ ଋଣ କରିଥାନ୍ତି ଏବଂ ବର୍ତ୍ତମାନ ବାସ୍ତବରେ କମ୍‌ ନାମାଙ୍କନ ସୁଧ ବା ବିଯୁକ୍ତାତ୍ମକ ସୁଧ ଦେଉଛନ୍ତି। ବର୍ତ୍ତମାନ ବ୍ୟାଙ୍କର ଅଚଳ ସମ୍ପତ୍ତି ବା ଖରାପ ଋଣ, ବ୍ୟାଙ୍କ ଜାଲିଆତି, ଠକାମି ଅହେତୁକ ବୃଦ୍ଧି ପାଇବାରୁ ବ୍ୟାଙ୍କ ଶିଳ୍ପ ଧ୍ୱସ୍ତବିଧ୍ୱସ୍ତ ହୋଇଛି ।
ଏକ ଦେଶର ଅର୍ଥନୀତି ବ୍ୟାଙ୍କ ଉପରେ ନିର୍ଭର କରେ। ଚଳିତ ଆର୍ଥିକବର୍ଷରେ ଯେତିକି ଟିକସ ଆଦାୟ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା ତାହାଠାରୁ ପ୍ରାୟ ୪ଲକ୍ଷ କୋଟି ଟଙ୍କା କମ୍‌ ଆଦାୟ ହେବ । ଋଣ-ଜିଡିପି ଅନୁପାତ ୮୦% ଅତିକ୍ରମ କରିବ। ବିତ୍ତୀୟ ନିଅଣ୍ଟ ବହୁଆଗରୁ ନିୟନ୍ତ୍ରଣ ବାହାରକୁ ଗଲାଣି। ରାଜ୍ୟଗୁଡ଼ିକର ଆର୍ଥିକ ଅବସ୍ଥା ଆହୁରି ଭୟାନକ, କାରଣ ସେମାନଙ୍କର କେବଳ ରାଜସ୍ବ ହ୍ରାସପାଉନି, କେନ୍ଦ୍ର ସହାୟତା ହ୍ରାସପାଉଛି। ଶିକ୍ଷା ସ୍ବାସ୍ଥ୍ୟ ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କରୋନା ମାହାମାରୀ ପରେ ଅନେକ ସେବାର ମୂଲ୍ୟ ଦ୍ବିଗୁଣିତ ବୃଦ୍ଧିପାଇଛି। ଛାତ୍ରୀଛାତ୍ର, ଯେଉଁମାନେ ଦେଶର ଭବିଷ୍ୟତ, ସେମାନେ ଆଜି ବିଦ୍ୟାଳୟ, ମହାବିଦ୍ୟାଳୟକୁ ଯାଇ ପାରୁନାହାନ୍ତି। ବର୍ତ୍ତମାନ ବେଶି ଲୋକ କ୍ଷୁଧାର ଗହ୍ବରକୁ ଠେଲି ହୋଇଯାଇଛନ୍ତି। ଭବିଷ୍ୟତର ଅନିଶ୍ଚିତତା ଯୋଗୁଁ ଅନେକ ମାନସିକ ରୋଗର ଶିକାର ହେଉଛନ୍ତି। କିନ୍ତୁ ଏହି ସମୟରେ ଧନିକ ଶ୍ରେଣୀ କର୍ପୋରେଟଙ୍କ ସମ୍ପଦ ଅହେତୁକ ବୃଦ୍ଧିପାଉଛି; ଯାହା ଭୟଙ୍କର ‘କେ’ ଆକୃତିର ସୁଧାର ଦର୍ଶାଉଛି। କିନ୍ତୁ ଯଦି ସରକାରୀ ବ୍ୟୟ କଥା ବିଚାର କରାଯାଏ, ବିଶ୍ୱରେ ଏହା ହାରାହାରି ଜିଡିପିର ୧୦ରୁ ୧୫% ହୋଇଥିଲା ବେଳେ ଭାରତରେ ମାତ୍ର ୨.୫%।
ମୋ-୯୪୩୭୨୦୮୭୬୨
skmohapatra୬୭@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri