ବିଡ଼ମ୍ବିତ ଶୈଶବ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ଗତ ବାଲ୍ୟକାଳର ସ୍ମୃତି ରୋମନ୍ଥନ କରି କେହି ଜଣେ ଦରଦୀ କବି ପରମ ଆବେଗରେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ-”ମୋ ସକଳ ଧନସମ୍ପତ୍ତି, ପ୍ରତିଷ୍ଠା, ପ୍ରତିପତ୍ତି, ଯାହା କିଛି ମୋ ପାଖରେ ଅଛି, ସବୁ ନେଇଯାଅ। ବଦଳରେ ମୋତେ ମୋ ବାଲ୍ୟକାଳ ଫେରାଇଦିଅ ପ୍ରଭୁ!“ ସଚରାଚର ଏମିତି ଏକ ପ୍ରାର୍ଥନା କେବେ ବି ପୂରଣ ହୁଏନା। ବାଲ୍ୟକାଳ କେବେ ବି ବାହୁଡ଼ି ଆସେନା। କେବଳ ଯାହା ଫେରିଆସେ ପିଲାଦିନର କମନୀୟ ସ୍ମୃତି, ଯାହା ଦେହରେ ଧକ୍କା ଖାଇ ମଣିଷ ନିଜ ବର୍ତ୍ତମାନ ବୟସକୁ ବେଖାତିର କରି ପିଲାଟିଏ ପାଲଟିଯିବା ପାଇଁ ବିକଳ ହୋଇଉଠେ। ସବୁରି ଅଲକ୍ଷ୍ୟରେ ଗୁମୁରି ଗୁମୁରି କାନ୍ଦେ ସେଇଦିନସବୁର ସ୍ମୃତି ଚାରଣ କରି।
ପିଲାଦିନକୁ ଫେରିପାଇ ହୁଏନା ସିନା, ଫେରିଯାଇ ହୁଏ ନିଶ୍ଚୟ। ମନେପଡ଼େ ପଛରେ ଛାଡ଼ି ଆସିଥିବା ସୁକୁମାର ଶୈଶବର ମଧୁର ସ୍ମୃତି। ଆଖି ଆଗରେ ଭାସିଉଠେ ସଂସାରର ସଂକୀର୍ଣ୍ଣ ସ୍ବାର୍ଥପରତାକୁ ବୁଝି ପାରୁ ନ ଥିବା ଟିକି ଟିକି ଆଖି ଯୋଡ଼ିକର ନିରୀହ ଚାହାଣି ଓ ଅନାଗତ ଜୀବନର ଯାବତୀୟ ଜଞ୍ଜାଳକୁ ଗୋଟିଏ ଫୁତ୍‌କାରରେ ଉଡ଼ାଇ ଦେଉଥିବା ନାଲି ନାଲି ଓଠର ମନୋଲୋଭା ହସ। ଆଃ, କି ସୁନ୍ଦର ସେ ପିଲାଦିନ! ଅତୀତ ପାଇଁ ଚିନ୍ତା ନାହିଁ କି ଭବିଷ୍ୟତ ଲାଗି ନିଘା ନାହିଁ। ପେଟର ଭୋକ ପାଇଁ ସଂପୃକ୍ତି ନାହିଁ କି ପ୍ରତିଯୋଗିତା ଦୌଡ଼ରେ ସାମିଲ ହେବାକୁ ପ୍ରସ୍ତୁତି ନାହିଁ। ବାସ୍‌, କେବଳ ଶୈଶବର ଫୁଲ ଶଯ୍ୟାରେ ଶୋଇ ଶୋଇ ଦୁଃଖଶୋକହୀନ ଜଗତର ସ୍ବର୍ଗୀୟ ସୌରଭରେ ସୁରଭିତ ହେଉଥିବା ବର୍ତ୍ତମାନ ହିଁ ଏକମାତ୍ର ଜୀବନ!
ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟ- ଜୀବନର ଏହି ତିନୋଟି ଅବସ୍ଥାକୁ ନିଦ୍ରାର ପରିମାପକରେ ତଉଲି ଜଣେ ଦାର୍ଶନିକ ଚମତ୍କାର ବିଶ୍ଳେଷଣ କରିଥିଲେ। ଶୈଶବରେ ଶୋଇବା ପାଇଁ ପ୍ରଚୁର ସମୟ ଥାଏ। ଅଥଚ ଶିଶୁଟିର ଶୋଇବାକୁ ସାମାନ୍ୟ ସ୍ପୃହା ନ ଥାଏ। ପିଠି ଥାପୁଡ଼ାଇ ମା’ ଯେତେ ନାନାବାୟା ଗୀତ ଗାଇଲେ ବି ଆଖିକୁ ନିଦ ଆସୁ ନ ଥାଏ। ଯୌବନରେ ଯାବତୀୟ କର୍ମକ୍ଳାନ୍ତି ଯୋଗୁ ଶୋଇବାକୁ ମନରେ ଇଚ୍ଛା ଜାଗେ। ମାତ୍ର ବ୍ୟସ୍ତତା ଏତେ ବେଶି ଥାଏ ଯେ ଆଖି ମୁଦି ଟିକିଏ ଗଡିଯିବାକୁ ହାତରେ ସମୟ ନ ଥାଏ। ବାର୍ଦ୍ଧକ୍ୟର ଅଭିଶପ୍ତ ଅବସ୍ଥାରେ ଶୋଇବା ପାଇଁ ମନରେ ଇଚ୍ଛା ଥାଏ, ହାତରେ ସମୟ ବି ଥାଏ ପ୍ରଚୁର, ଅଥଚ ଆଖିରେ ନିଦ ନ ଥାଏ। ସୁତରାଂ ଆଉ ଥରେ ଶିଶୁଟିଏ ହୋଇଯିବାକୁ କେବଳ ସେଇ କବି କାହିଁକି, ଜୀବନର ଯାବତୀୟ ଜଞ୍ଜାଳକୁ ନେଇ ବ୍ୟସ୍ତବିବ୍ରତ ରହୁଥିବା ଯେ କେହି ଯୁବକ ବା ସଂସାରରୁ ବିଦାୟ ନେବାକୁ ଅପେକ୍ଷା କରୁଥିବା ଯେ କୌଣସି ବୃଦ୍ଧ ଈଶ୍ୱରଙ୍କୁ ପ୍ରାର୍ଥନା କରିବାରେ କିଛି ଅସ୍ବାଭାବିକତା ନାହିଁ।
ମାତ୍ର ସାମ୍ପ୍ରତିକ ସମୟରେ ଅତି ପ୍ରତ୍ୟୁଷରୁ କାନ୍ଧରେ ସ୍କୁଲ ବ୍ୟାଗ ଓ ପାଣି ବୋତଲ ଗଳାଇ ସ୍କୁଲକୁ ଧାଉଁଥିବା ଟିକି ଟିକି ଶିଶୁମାନଙ୍କ ବିକଳ ଅବସ୍ଥା ଯେଉଁମାନେ ପ୍ରତ୍ୟକ୍ଷ କରିଛନ୍ତି, ସେମାନେ କେବେ ବି ଆଉଥରେ ଶିଶୁଟିଏ ହୋଇଯିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବେ ନାହିଁ। କେବେ ବି ଚାହିଁବେ ନାହିଁ ଫେରିଯିବାକୁ ସେମିତି ଏକ ଅବସ୍ଥାକୁ, ଯେଉଁଠି ଶିଶୁଟିଏ ଥିବ, ଅଥଚ ଶୈଶବ ନ ଥିବ। କୋମଳତାହୀନ ଫୁଲପରି ଶୈଶବବିହୀନ ଶିଶୁଟିଏ ହେବାକୁ ବିମୁଖ ହେବେ ବଡ଼ମାନେ।
କେଉଁ ଅପଦେବତାର ଅଶୁଭ ଦୃଷ୍ଟିରେ ପଡ଼ି ଏବକାର ଶୈଶବ ଶାପଗ୍ରସ୍ତ ହୋଇଯାଇଛି। ଫୁଲ ପରି କୋମଳ ହେବା ପରିବର୍ତ୍ତେ ଶୈଶବ ପାଲଟିଯାଇଛି ପଥରଠୁ ଆହୁରି କଠିନ। ନବ୍ୟ ଆଧୁନିକତାର ଭବ୍ୟ ଆହ୍ବାନ ମଧ୍ୟରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଜୈବିକ ବିବର୍ତ୍ତନର ସକଳ ସୋପାନକୁ ପ୍ରତିହତ କରି ବଡ଼ ହେବାର ଯଥେଷ୍ଟ ପୂର୍ବରୁ ଶିଶୁମାନଙ୍କୁ ବଡ଼ କରିଦେଉଛି। ସବୁରି ଅଲକ୍ଷ୍ୟରେ ସେମାନଙ୍କଠାରୁ ଅପହୃତ ହୋଇଯାଉଛି ସେମାନଙ୍କ କମନୀୟ ଶୈଶବ। ସବୁଠୁ ବିଡ଼ମ୍ବନାର ବିଷୟ ଏହା ଯେ, ଶିଶୁମାନଙ୍କଠୁ ସେମାନଙ୍କ ଶୈଶବ ଅପହରଣ କରି ନେଉଥିବା ଲୋକ ଆଉ କେହି ନୁହନ୍ତି, ସେମାନଙ୍କର ମାତାପିତା। ନିଜ ପିଲାମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ଆକାଙ୍‌କ୍ଷା ଯୋଗୁ ସେମାନେ ପାଲଟିଯାଉଛନ୍ତି ଦିବ୍ୟ ଶୈଶବର ନିଷ୍ଠୁର ଅପହର୍ତ୍ତା। ପ୍ରତିଯୋଗିତାର ପାଗଳପଣ ସେମାନଙ୍କୁ ଏମିତି ଆବୋରି ବସୁଛି ଯେ ସନ୍ତାନର ଟିକି ମୁଣ୍ଡ ଉପରେ ପାଠପଢ଼ାର ଓଜନଦାର ବୋଝ ଥୋଇଦେଇ ସେମାନେ ଆତ୍ମତୃପ୍ତି ଲାଭ କରୁଛନ୍ତି। ପିଲାମାନଙ୍କୁ ନିଜ ବେଗରେ ଚାଲିବାକୁ ନ ଦେଇ ହାତ ଧରି ଦୌଡ଼ାଇ ନେଉଛନ୍ତି ଏକ ଅନିଶ୍ଚିତ ଲକ୍ଷ୍ୟ ଆଡକୁ। ସେମିତି ଏକ ଲକ୍ଷ୍ୟ, ଯାହା ସମ୍ପୂର୍ଣ୍ଣ ଭାବେ ସେମାନଙ୍କର, ସେମାନଙ୍କ ମହତ୍ତ୍ୱାକାଙ୍‌କ୍ଷାର। ପିଲାମାନଙ୍କର ସାମାନ୍ୟ ଅଧିକାର ନ ଥାଏ ତହିଁରେ।
ଶୈଶବର ଧୂଳିଖେଳ, ବର୍ଷାପାଣିରେ କାଗଜ ଡଙ୍ଗା ଭସାଇବାର ମୁଗ୍ଧ ଅନୁଭବ, ଭାଇଭଉଣୀଙ୍କ ସଙ୍ଗେ ମିଛଯୁଦ୍ଧ ଜିତିବାର ଗୌରବବୋଧ ଓ ସର୍ବୋପରି ପାହାନ୍ତା ପହରରେ ମା’ର ଉଷୁମ କୋଳରେ ଶୋଇରହି ନିଜକୁ ସୁରକ୍ଷିତ ସମ୍ରାଟ ମଣିବାର ନିଆରା ମୁହୂର୍ତ୍ତ-ଏ ସବୁ ସେକାଳ ପଖାଳ ହୋଇଗଲାଣି ଏବେ। କାଉ ରାବିବା ବା ସିନ୍ଦୂରା ଫାଟିବାର ଯଥେଷ୍ଟ ପୂର୍ବରୁ ଆଲାର୍ମର ବିକଟ ଗର୍ଜନରେ ଶିଶୁଟିଏ ବିଛଣା ଛାଡୁଛି ନିଜ ଇଚ୍ଛା ବିରୋଧରେ, ବାଧ୍ୟବାଧକତାରେ। ନିଦ ମଳ ମଳ ଆଖିରେ ଟଳମଳ ପାଦରେ ନିତ୍ୟକର୍ମ ସାରି କାନ୍ଧରେ ନିଜ ଓଜନ ପାଖାପାଖି ଓଜନର ସ୍କୁଲ ବ୍ୟାଗ ପକାଇ ଘରୁ ଗୋଡ଼ କାଢୁଛି ସେ। ବୟସ ଛଅ କି ସାତ ବର୍ଷ, ଅଥଚ ଷୋଳ ବର୍ଷ ବୟସର ଦାୟିତ୍ୱ ମୁଣ୍ଡାଇବାକୁ ପଡୁଛି ତାକୁ। ସ୍କୁଲର ଟାସ୍କ ଶେଷ କରିବାକୁ ପଡିବ। ଟ୍ୟୁଶନ ସାର୍‌ଙ୍କ ପାଠ ସାରିବାକୁ ପଡ଼ିବ। ପୁଣି ପ୍ରସ୍ତୁତ ହେବାକୁ ପଡିବ କେଉଁଠି ଡ୍ରଇଂ କ୍ଲାସ, କେଉଁଠି ସଙ୍ଗୀତ ବା ନୃତ୍ୟ କ୍ଲାସ ତ ଅନ୍ୟ କେଉଁଠି କରାଟେ କ୍ଲାସ ପାଇଁ!
ଅଭିଶପ୍ତ ଶୈଶବର ଏ ଅକୁହା ବେଦନା କିଏ ହେଲେ ବୁଝନ୍ତେ ତ! କିଏ ବା ବୁଝିବେ? ଅନ୍ୟମାନଙ୍କ ପରି ତାଙ୍କର ମଧ୍ୟ ଏକ ସଂଗଠନ ଥାଆନ୍ତା ହେଲେ, ଯାହା ତଳେ ସାମ୍ପ୍ରତିକ ଉପଭୋକ୍ତାବାଦୀ ବିଶ୍ୱର ସମସ୍ତ ଶିଶୁ ଏକଜୁଟ ହୁଅନ୍ତେ ଓ ସେମାନଙ୍କ ଉପରେ ହେଉଥିବା ଅବିଚାର ବିରୋଧରେ ପ୍ରତିବାଦ କରନ୍ତେ। କହନ୍ତେ, ”ଆମ ଶୈଶବକୁ ଏମିତି ନିର୍ମମ ଭାବେ ହତ୍ୟା କରା ନ ଯାଉ। ଆମକୁ ଶିଶୁ ଭାବେ ବଞ୍ଚିବାକୁ ଦିଆଯାଉ। ଭବିଷ୍ୟତ ଗଢ଼ିବାକୁ, ଡାକ୍ତର, ଇଞ୍ଜିନିୟର ବା ପ୍ରଶାସକ ହୋଇ ବଡ଼ ବୋଲାଇବାକୁ ଆଗକୁ ତ ଲମ୍ବା ରାସ୍ତା ପଡିଛି। ସେ ରାସ୍ତାରେ ଆମ ହାତ ଝିଙ୍କି ଦୌଡ଼ାଇ ନିଆ ନ ଯାଉ। ଆମକୁ ଆମ ବେଗରେ ଚାଲିବାକୁ ଦିଆଯାଉ।“
କେଇଦିନ ତଳେ ପିଲାଙ୍କ ସ୍କୁଲ ବ୍ୟାଗର ଓଜନ ତଦାରଖ କରିବାକୁ ରାଜ୍ୟ ସରକାର ସ୍କ୍ବାଡ୍‌ ଗଠନ କରି ଏ ଦିଗରେ ନିଜର ସଜାଗତାର ପ୍ରମାଣ ଦେବାକୁ ଚେଷ୍ଟା କରିଛନ୍ତି। ମାତ୍ର ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବସ୍ତାନି ମିଳିଲେ ସେଥିପାଇଁ କାହାକୁ କି ପ୍ରକାର ଦଣ୍ଡ ଦିଆଯିବ ସେ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ, ତାହା ବି ଏ ଯାଏ ସ୍ପଷ୍ଟ ହୋଇନାହିଁ। ଟିକି ପିଲାଟିର ଓଜନଦାର ସ୍କୁଲ ବ୍ୟାଗ ପାଇଁ ପ୍ରକୃତରେ କିଏ ଦାୟୀ? ପାଠ ପଢ଼ାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀ, ପଢିବାକୁ ବାଧ୍ୟ କରୁଥିବା ମା’ବାପାମାନେ ନା ଶିକ୍ଷାନୀତି ପ୍ରଣୟନ କରିବାରେ ବହୁବିଧ ପରୀକ୍ଷା ନିରୀକ୍ଷା ଚଳାଉଥିବା ଆମ ଲୋକପ୍ରିୟ ସରକାର? ଏମାନଙ୍କ ମଧ୍ୟରୁ ଯିଏ ବା ହୁଅନ୍ତୁ, ସମସ୍ତେ ମନରେଖିବା ଉଚିତ ସମୟର ପ୍ରଖର ପ୍ରବାହ ମଧ୍ୟରେ ବାଲ୍ୟକାଳ ରୁକୁଣାରଥ ପରି ଅଣଲେଉଟା। ଥରେ ଅତିକ୍ରାନ୍ତ ହୋଇଗଲେ ଆଉ କେବେ ବି ଫେରି ଆସେନା। ସୁତରାଂ ଅନ୍ଧ ଆଧୁନିକତାର ଆହ୍ବାନରେ ଆମ ସଂସ୍କାର ଓ ସଂସ୍କୃତି ଚରମ ସଙ୍କଟର ସମ୍ମୁଖୀନ ହେଉଥିଲା ବେଳେ ପିଲାଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତଟିଏ ଗଢ଼ିବାର ନାମ ନେଇ କୋମଳ ଶୈଶବକୁ ଆଜି ନିର୍ମମ ଭାବେ ହତ୍ୟା କରା ନ ଯାଉ। ଶିଶୁଟିକୁ ଶିଶୁ ହେବାକୁ ନ ଦେଇ ଶିକ୍ଷିତ କରିବାକୁ ତରବର ହେଲେ, ଭବିଷ୍ୟତରେ ସଂଭ୍ରାନ୍ତ ଶିକ୍ଷିତର ସନନ୍ଦପତ୍ର ସେ ଲାଭ କରିବ ସିନା, ବହୁତ କିଛି ହରାଇ ବସିବ; ଯାହା ଯେତେ ଖୋଜିଲେ ବି ଜୀବନକାଳ ମଧ୍ୟରେ ଆଉ କେବେ ବି ଉପଲବ୍ଧ ହେବନାହିଁ!
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri