ବିଜ୍ଞାପନର ବିପଦ

ପରଂବ୍ରହ୍ମ ତ୍ରିପାଠୀ
‘ଆପଣଙ୍କ ଟୁଥ୍‌ପେଷ୍ଟରେ ରସୁଣ ଅଛି କି?’ -ଏମିତି ଗୋଟେ ବିଜ୍ଞାପନ ଦେଖିଥିଲେ କି? କ’ଣ? ସେଥିରେ, ମାନେ ସେ ବିଜ୍ଞାପନରେ କେବଳ ଲେମ୍ବୁ ଆଉ ଲୁଣ କଥା ଥିଲା? ଯଦି ଲେମ୍ବୁ, ଲୁଣ ଯାଏ ଆସି ପାରିଲେ ତା’ହେଲେ କଞ୍ଚା ଲଙ୍କା, ଉଲିପିଆଜ, ଛ’କୋଲା ରସୁଣ ଯାଏ ଆସିବାକୁ ଆଉ କେତେଦିନ? ହୁଏତ, ଆଉ କିଛିଦିନ ପରେ ଏଇଟା କୁହାଯାଇ ପାରେ, ଆପଣଙ୍କ ଜେଜେମା’ଙ୍କ ଶାଶୁକୁ ଶ୍ୱାସରୋଗ ଥିଲା କି? ଯଦି ଥିଲା, ତା’ହେଲେ ଆପଣ ରସୁଣର ଗୁଣ ଥିବା ଟୁଥ୍‌ପେଷ୍ଟ ବ୍ୟବହାର କରୁଛନ୍ତି କି?
ଏବେ ପଏଣ୍ଟକୁ ଆସିବା। ସକାଳୁ ଉଠିଲେ ଜଣେ ପ୍ରତିଦିନ ଦାନ୍ତ ଘଷେ, ହେଲେ ରସୁଣ ଥିବା ଟୁଥ୍‌ପେଷ୍ଟ ତା’ର ଦରକାର କି? ଉତ୍ତର ବୋଧହୁଏ ନା। ମୋ ଅଣଜେଜେମା’ଙ୍କ ଶ୍ୱାସ, ହେଲେ ତା’ର ମୋ ଦାନ୍ତ ସହ କିଛି ସମ୍ପର୍କ ଅଛି କି ନାହିଁ ମୁଁ ଜାଣିନି। ବାସ୍‌, ଏଇଟା ହିଁ କଥା, ଆପଣ ଜାଣି ନାହାନ୍ତି ତ ଜାଣନ୍ତୁ, ଆଉ ଆମ ଟୁଥ୍‌ପେଷ୍ଟ କିଣନ୍ତୁ। ଏଇଠି ଆପଣ ପଚାରି ପାରନ୍ତି, ସତରେ କ’ଣ ମୋର ଏ ଜିନିଷଟି ଦରକାର? ମୁଁ ତିନିବର୍ଷ ଏ ଟୁଥ୍‌ପେଷ୍ଟ ବ୍ୟବହାର କଲା ପରେ ଆପଣ ଗ୍ୟାରେଣ୍ଟି ଦେଇ ପାରିବେ କି ମୋର ଓରାଲ ହେଲ୍‌ଥରେ କିଛି ଆଖିଦୃଶିଆ ପରିବର୍ତ୍ତନ ଆସିବ? ଯଦି ଏ ଦୁଇଟି ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି, ତା’ହେଲେ ପ୍ରଥମ ପ୍ରଶ୍ନର ଉତ୍ତର ଯାହା ବିଜ୍ଞାପନ କର୍ତ୍ତୃପକ୍ଷ ଦେବେ ସେଇଟା ହେଲା, ଚାହିଦା ବା ଡିମାଣ୍ଡ ତିଆରି କରିବା ଆମ କାମ। ଦ୍ୱିତୀୟ ପ୍ରଶ୍ନକୁ ଯଦି ଆପଣ ବେକ ଚିପିଲା ଭଳି ପରିସ୍ଥିତି ସୃଷ୍ଟି କରି ପୁନଃ ପୁନଃ ପଚାରିବେ, ତେବେ ଗୋଟେ ଦାର୍ଶନିକ ଉତ୍ତର ଆସିପାରେ ଯେ କାଲି କିଏ ଦେଖିଛି।
ପ୍ରଥମ ପ୍ରଶ୍ନ ଓ ତା’ର ଉତ୍ତରଟି ବର୍ତ୍ତମାନ ପରିସ୍ଥିତିରେ ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରାସଙ୍ଗିକ ମନେହୁଏ। ସତରେ କ’ଣ ମୋର ସେଇ ଡିଓ ଦରକାର, ଯାହାକୁ ଲଗେଇଲେ ମୋ ପଡ଼ୋଶିନୀ ତାଙ୍କ ସ୍ବାମୀ ନ ଥିଲା ବେଳେ ମୋ ଶଯ୍ୟାଶାୟିନୀ ହେବାକୁ ଚାଲି ଆସିବେ? ସତରେ କ’ଣ କେବଳ ହର୍‌ଲିକ୍ସ କି ସେଇ ଭଳି ଜିନିଷ ପିଇଲେ ହିଁ ମୋ ପୁଅ କି ଝିଅ ଶ୍ରେଣୀରେ ପ୍ରଥମ ହେବ କି ଏସିଆଡ/ଅଲିମ୍ପିକ ପଦକ ଜିତିବ? ଯଦି ସେଇଟା ସତ, ତା’ହେଲେ ଦୂତୀ ଚାନ୍ଦ, ହିମା ଦାସ ଭଳି ଲୋକ ସଫଳ ହେଲେ କେମିତି? ସତରେ କ’ଣ ମୋ ଧଳା କାମିଜକୁ ଘଡି ପାଉଡରରେ ଧୋଇଲେ ହିଁ ଯାଇ ଅଫିସରେ ମୋ ଉପରିସ୍ଥ ଅଫିସର ମୋ ଉପରେ ପ୍ରସନ୍ନ ହେବେ? ଆଉ ଯଦି ମୁଁ ଗଲ୍ଫ କୋର୍ସ ଯିବା ପାଇଁ ସକ୍ଷମ, ସତରେ କ’ଣ ସେଠି ଥିବା ଲୋକମାନେ ମୁଁ ରୋଲେକ୍ସ ଘଡି କି ଜକି ଅନ୍ତଃବସ୍ତ୍ର ପିନ୍ଧିଛି କି ନାହିଁ ସେ ବିଷୟରେ ପଚାରିବେ?
ବିଜ୍ଞାପନର କାମ ହେଲା କୌଣସି ଜିନିଷ ପାଇଁ ଚାହିଦା ତିଆରି କରିବା। ଆଉ ଚାହିଦା ତିଆରି କଲା ବେଳେ, ବହୁତ କମ୍‌ ସମୟରେ ଏ ମୌଳିକ ପ୍ରଶ୍ନ ତା’ର ପ୍ରାସଙ୍ଗିକତା ରଖେ ଯେ, ସାମ୍ନା ଲୋକର ଏଇଟା ଦରକାର କି ନାହିଁ। ଆପଣ କ’ଣ ଦରକାର କରୁଛନ୍ତି ସେଇଟା ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ ଆମ ଜିନିଷ କ’ଣ ପାଇଁ ଦରକାର କରୁ ନାହାନ୍ତି। ବୋତଲ ପାଣି ନିଶ୍ଚିତ ଭାବେ ଭଲ, ହେଲେ ବୋତଲ ପାଣି ପାଇଁ ବଜାର ତିଆରି କରିବାକୁ ଯେବେ ଆମେ ବିଜ୍ଞାପନ ମାଧ୍ୟମରେ ଉପଲବ୍ଧ ଅନ୍ୟ ସବୁ ଜଳ ଉତ୍ସକୁ ପ୍ରଦୂଷିତ ଦେଖେଇବାର ପ୍ରୟାସ କରୁ, ସେଇଟା ସଚେତନତା ନୁହେଁ କୃତ୍ରିମ ଚାହିଦା ତିଆରିର ଜଟିଳ ପ୍ରକ୍ରିୟା।
ଦ୍ୱିତୀୟ ପ୍ରଶ୍ନ ହେଲା, ବିଜ୍ଞାପିତ ହେଉଥିବା ଜିନିଷର ସ୍ବଳ୍ପ ସମୟ ଓ ଭବିଷ୍ୟତର ପ୍ରଭାବ ସମ୍ପର୍କରେ ବିଜ୍ଞାପନର ଉତ୍ତରଦାୟିତ୍ୱ। ଖବର ଭଳି ବିଜ୍ଞାପନ ବି ଗଣମାଧ୍ୟମରେ ସୁଲଭ ଭାବେ ଉପଲବ୍ଧ, ବୋଧହୁଏ ଖବରଠାରୁ ଅଧିକ ଉପଲବ୍ଧ ଓ ତ୍ୱରିତ ମଧ୍ୟ। ଆଉ ସେଇ ପରିପ୍ରେକ୍ଷୀରେ ଏ ପ୍ରଶ୍ନ କୋଟିଏ ଟଙ୍କା ନୁହେଁ କୋଟିଏ ଡଲାରର ପ୍ରଶ୍ନ। ପ୍ରଶ୍ନଟି ହେଲା ବିଜ୍ଞାପନ କ’ଣ କେବଳ ମନୋରଞ୍ଜନ? ଯଦି ମନୋରଞ୍ଜନ, ତା’ହେଲେ ଚଳଚ୍ଚିତ୍ର ଆରମ୍ଭ ପୂର୍ବରୁ ଯେମିତି ଲେଖାଯାଇଥାଏ ଯେ ସମସ୍ତ ଘଟଣା, ଚରିତ୍ର, ବିଷୟବସ୍ତୁ କାଳ୍ପନିକ, ବିଜ୍ଞାପନ ପୂର୍ବରୁ ସେମିତି ଲେଖାଯିବ ନାହିଁ କ’ଣ ପାଇଁ? ଗୁଣବତ୍ତା ସମ୍ପର୍କିତ ଉତ୍ତରଦାୟିତ୍ୱ କେବଳ ଜିନିଷ/ସେବା ତିଆରି କରୁଥିବା ସଂସ୍ଥାର କାହିଁକି ହେବ, ବିଜ୍ଞାପନ କରୁଥିବା ସଂସ୍ଥା ଯିଏ ଲକ୍ଷାଧିକ ଟଙ୍କା ଉତ୍ପାଦକଠାରୁ ନେଉଛି ବିଜ୍ଞାପନ ତିଆରି ପାଇଁ ଓ ଗଣମାଧ୍ୟମ ଯିଏ କୋଟି କୋଟି ଟଙ୍କା ନେଉଛି ତା’ର ପ୍ରଚାର ପ୍ରସାର ପାଇଁ, ସେଥିରେ ସାମିଲ ହେବେ ନାହିଁ କାହିଁକି?
ଏଯାଏ ତ ଠିକ୍‌ ଅଛି। ସବୁଠୁ ବଡ଼ ବିପଦ ତ ସେତେବେଳେ ଆସେ ଯେତେବେଳେ, ଜନମତ ନୁହେଁ ବିଜ୍ଞାପନ ହିଁ ସ୍ଥିର କରେ ଗୋଟେ ରାଜ୍ୟର କି ଗୋଟେ ରାଷ୍ଟ୍ରର ଭାଗ୍ୟବିଧାତା, ଅଧିନାୟକ କିଏ ହେବ। ତା’ଠାରୁ ଅଧିକ ବିପଜ୍ଜନକ ହେଉଛି, ଯେତେବେଳେ ବିଜ୍ଞାପନର ବିଶାଳ ନେଟୱର୍କ ମାଧ୍ୟମରେ ଏ ଜିନିଷ ଦେଖେଇବାକୁ ଓ ଏ ଜନବିଶ୍ୱାସ ତିଆରି କରିବାକୁ ପ୍ରଚେଷ୍ଟା କରାଯାଏ ଯେ ଢମକର ବିକଳ୍ପ କିଏ?
ସେଇଠି ଟିକେ ସାବଧାନ ହେବାକୁ ପଡ଼ିବ। କାରଣ କର୍କଟ ରୋଗର ବିକଳ୍ପ ଏଡ୍‌ସ ନୁହେଁ ଏବଂ ବୋଧହୁଏ ଲୋକଙ୍କୁ କର୍କଟ ରୋଗର ବିକଳ୍ପ ନୁହେଁ, ସମାଧାନ ଦରକାର।
ନାଉଗାଁହାଟ, ଜଗତ୍‌ସିଂହପୁର, ମୋ-୯୭୧୭୩୦୨୨୦୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?