ବାଉଁଶ ତିଆରି ନନ୍ଦରେ ବସୁଛି କୂଅ

ମୁନିଗୁଡ଼ା,୧୭ା୬ : ପାନୀୟ ଜଳ ସମସ୍ୟା ନେଇ ଚିନ୍ତାରେ ରହୁଥିଲେ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ସିନ୍ଧିପଙ୍ଗା ଗ୍ରାମବାସୀ। ଗାଁ ନିକଟରେ କୌଣସି ନଦୀ, ନାଳ କିମ୍ବା ପୋଖରୀ ନ ଥିବାରୁ ପାଣି ପାଇଁ ସେମାନେ ପଥର କିମ୍ବା ସିମେଣ୍ଟ ନନ୍ଦ କୂଅ ଉପରେ ନିର୍ଭର କରୁଥିଲେ। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସମସ୍ତଙ୍କ ପକ୍ଷେ ନିର୍ମାଣ କରିବା କଷ୍ଟକର ହୋଇ ପଡୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ‘ହର୍ଷ’ ନାମକ ଏକ ଟ୍ରଷ୍ଟ ଅଭିନବ ଉପାୟ ବାହାର କରିଛି। ବାଉଁଶରୁ କୂଅ ପାଇଁ ନନ୍ଦ ପ୍ରସ୍ତୁତ କରିବା ପରେ ତାହାକୁ ପାନୀୟ ଜଳ ଉତ୍ସକୁ ସଂରକ୍ଷିତ ରଖିବା ଲାଗି ସହଜ ସୁଲଭ ଭାବେ ବ୍ୟବହାର କରାଯାଇ ପାରୁଛି। ୟୁ ଟ୍ୟୁବ୍‌ରେ ଥିବା ଏକ ଭିଡିଓରୁ ଏହାର ନିର୍ମାଣ କୌଶଳ ମିଳିଥିଲା। ଓଡ଼ିଶାର ପ୍ରଥମ ଅଞ୍ଚଳଭାବେ ସିନ୍ଧିପଙ୍ଗାରେ ଯେଉଁଠାରେ ବାଉଁଶ ତିଆରି ନନ୍ଦ ନିର୍ମାଣ ଓ ବ୍ୟବହାର କରାଯାଉଛି।
ସିନ୍ଧିପଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୩୦୦ ଲୋକ ରୁହନ୍ତି। ସମସ୍ତେ ପ୍ରାୟ ଚାଷ ଉପରେ ନିର୍ଭର କରନ୍ତି। ଗାଁ ପାଖରେ କୌଣସି ନଦୀ, ନାଳ ପୋଖରୀ ନାହିଁ। ତେଣୁ ଗାଁ ରେ ଥିବା ଦୁଇ ତିନୋଟି ପଥର ଓ ସିମେଣ୍ଟ ନନ୍ଦ କୂଅ ଉପରେ ଲୋକେ ନିତ୍ୟଚର୍ଯ୍ୟା ସହ ଚାଷ କାମ ପାଇଁ ନିର୍ଭର କରନ୍ତି। କିନ୍ତୁ ଗୋଟିଏ ପଥର କିମ୍ବା ସିମେଣ୍ଟ ନନ୍ଦ କୂଅ କରିବାକୁ ସେମାନଙ୍କୁ ପ୍ରାୟ ୭୦ରୁ ୮୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ଏହା ସମସ୍ତଙ୍କ ପକ୍ଷେ ନିର୍ମାଣ କରିବା ସମ୍ଭବପର ନ ଥିଲା। ସ୍ଥାନୀୟ ଅଞ୍ଚଳର ହର୍ଷ ଟ୍ରଷ୍ଟ ଲୋକଙ୍କ ସମସ୍ୟା ସମାଧାନ ସହ କିଭଳି କମ୍‌ ଖର୍ଚ୍ଚରେ ଲୋକଙ୍କୁ ସମାନ ସୁବିଧା ଦିଆଯାଇପାରିବ, ସେ ନେଇ ଚେଷ୍ଟା ଚଳାଇଥିଲା। ଶେଷରେ ବାଉଁଶକୁ ବ୍ୟବହାର କରି ତିଆରି କରାଯାଇଥିଲା ବାଉଁଶ ନନ୍ଦ। ଏହି ନନ୍ଦ ସାହାଯ୍ୟରେ କୂଅ ତିଆରି କରାଯାଇ ପାରୁଛି ବୋଲି ଗାଁର ଭୁବନ ଦଣ୍ଡସେନା, ଅର୍ଜୁନ ଦଣ୍ଡସେନା, ପର୍ଶୁରାମ ଦଣ୍ଡସେନା ଓ ଲକ୍ଷ୍ମୀ ରାଜୁ ପ୍ରକାଶ କରିଛନ୍ତି। ଏହି ବାଉଁଶ ନନ୍ଦ ତିଆରି ପାଇଁ କିଛି ଶୁଖିଲା ବାଉଁଶ, ୮ଏମ୍‌.ଏମ୍‌ ଛଡ଼, ଜିଆଇ ପାଇପ୍‌, ଅଳ୍ପ କିଛି ସିମେଣ୍ଟର ଆବଶ୍ୟକତା ରହିଛି ବୋଲି କାରିଗର ଭୁବନେଶ୍ୱର ପ୍ରଧାନ କହିଛନ୍ତି। ଗୋଟିଏ ନନ୍ଦର ଓସାର ୮ଫୁଟ ଓ ଲମ୍ବ ପ୍ରାୟ ଦେଢ଼ରୁ ଦୁଇ ଫୁଟ ରହିଥାଏ। କୂଅର ଗଭୀରତା ଅନୁଯାୟୀ ଆବଶ୍ୟକ ନନ୍ଦ ତିଆରି କରାଯାଇ କୂଅ ଭିତରକୁ ଛଡ଼ାଯାଇଥାଏ। ବାଉଁଶ ନଷ୍ଟ ନ ହେବା ପାଇଁ ନିମ ତେଲ ପ୍ରଲେପ ଦିଆଯିବା ସହ ନିମ ପିଡିଆର ସାହାଯ୍ୟ ନିଆଯାଏ ବୋଲି ସେ କହିଛନ୍ତି। ଏହି ବାଉଁଶ କୂଅ ପାଇଁ ୩୦ରୁ ୩୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଜଣେ ଚାଷୀ ଏହି ଖର୍ଚ୍ଚ ବହନ କରି ସହଜରେ ଏହାକୁ ନିର୍ମାଣ କରିପାରିବ। ‘ୟୁ ଟ୍ୟୁବ୍‌’ରୁ ଏହି କୌଶଳ ଅଣାଯାଇ ସିନ୍ଧିପଙ୍ଗା ଗାଁରେ ପ୍ରୟୋଗ କରାଯାଇଛି ବୋଲି ହର୍ଷ ଟ୍ରଷ୍ଟ ଜିଲା ସଂଯୋଜକ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ନନ୍ଦକିଶୋର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri