ପ୍ରୀତିଭୋଜନର ବୋଝ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ବନ୍ଧୁ ଜଣକ ବଡ ବିମର୍ଶ ଦିଶୁଥିଲେ, ସତେ ଯେମିତି ସୌଦାଗରଙ୍କ ସାତଖଣ୍ଡ ବୋଇତ ଏକାଦିନେ ସମୁଦ୍ରରେ ବୁଡିଯାଇ ତାଙ୍କୁ ସର୍ବସ୍ବାନ୍ତ କରିଦେଇଛି। କଥା ବୁଝିବାରୁ ଜଣାପଡିଲା, ଏଇ ଦୁଇ ସପ୍ତାହ ମଧ୍ୟରେ ତାଙ୍କ ପାଇଁ ପାଞ୍ଚଟି ବିବାହର ନିମନ୍ତ୍ରଣ। ସମ୍ଭାବିତ ଖର୍ଚ୍ଚ ଯୋଗୁ ଆତଙ୍କରେ ତାଙ୍କ ମୁହଁରୁ ହସ ଲିଭିଯାଇଥିଲା। ବିବାହ କେଉଁଠି କାହାପାଇଁ ସାହାନାଇର ମଧୁର ମୂର୍ଚ୍ଛନା ତ ଅନ୍ୟ କାହା ପାଇଁ ବିଷାଦ ବଂଶୀର କରୁଣ ସ୍ବନ ହୋଇପାରେ। ଏ କଥାର ସ୍ବତଃସିଦ୍ଧ ପ୍ରମାଣ ଥିଲା ବନ୍ଧୁଙ୍କ ବିଷଣ୍ଣତା। ତେବେ ବିବାହ ଦୁଇଟି ହୃଦୟର ପବିତ୍ର ବନ୍ଧନ ଓ ଦୁଇ ପକ୍ଷଙ୍କ ପାଇଁ ଆନନ୍ଦମୟ ଅବସର ହୋଇଥିଲା ବେଳେ ତହିଁରେ ଯୋଗଦେବାକୁ ନିମନ୍ତ୍ରଣ ପାଇଥିବା ଅତିଥିଙ୍କ ପାଇଁ ଏହା ବୋଝ ମନେହୁଏ କାହିଁକି?
ବିବାହର କେଇଦିନ ପୂର୍ବରୁ ନିମନ୍ତ୍ରଣକାରୀ ସୁଦୃଶ୍ୟ ନିମନ୍ତ୍ରଣପତ୍ରଟିଏ ଧରାଇଦେଇ ଆସିଥିବେ ଆପଣଙ୍କ ହାତରେ। ମୁହଁରେ କୃତ୍ରିମ ହସ ଫୁଟାଇ କହି ଆସିଥିବେ, ”ଆପଣ ନିଶ୍ଚୟ ତ ଆସିବେ। ଶ୍ରୀମତୀଙ୍କୁ ମଧ୍ୟ ସାଙ୍ଗରେ ଆଣିବାକୁ ଭୁଲିବେନି।“ କେଉଁଠି ପୁଣି ସମ୍ପର୍କର ଘନିଷ୍ଠତାକୁ ପୁଞ୍ଜିକରି ନିମନ୍ତ୍ରଣକାରୀ ଫୋନରେ ନିମନ୍ତ୍ରଣ କରି ହ୍ବାଟ୍‌ସଆପ୍‌ରେ କାର୍ଡର ଫଟୋଟି ପଠାଇ ଦେଇଥିବେ। ନିମନ୍ତ୍ରଣ ପାଇଥିବା ପରିବାରର ଶ୍ରୀମତୀମାନେ ଆଗ୍ରହରେ ଅପେକ୍ଷା କରି ରହିଥିବେ ସେଇ ବିଶେଷ ଦିନଟିକୁ। ଶେଷରେ ଯେବେ ସେ ଦିନଟି ଆସିବ, ସେଦିନ ସାଟି ସମ୍ପୂର୍ଣ୍ଣ ବିତିଯିବ ବହୁବିଧ ଶାଢି ଅଳଙ୍କାର ମଧ୍ୟରୁ ଉପଯୁକ୍ତ ବସନଭୂଷଣ ନିର୍ବାଚନ କରିବାରେ। ସବୁଠାରୁ ସୁନ୍ଦର ବେଶରେ ନିଜକୁ ସଜାଇ ସେମାନେ ନିଜ ନିଜର ଶ୍ରୀମାନଙ୍କ ସହ ବିଜେ ହେବେ ବିବାହସ୍ଥଳରେ। ହାତରେ ଥିବ ବିବାହ ଭେଟିର ସୁଦୃଶ୍ୟ ପ୍ୟାକେଟଟିଏ ଅବା ସର୍ବନିମ୍ନ ପାଞ୍ଚଶହ ଏକ ଟଙ୍କାର ଖାମ୍‌ଟିଏ।
ପ୍ରବେଶ ପଥରେ ମୃଦୁ ହସି ସେମାନଙ୍କୁ ଗୃହକର୍ତ୍ତା ସମ୍ଭାଷଣ କରିବେ ଓ ବାଟ ଦେଖାଇଦେବେ ତଳେ ପଡିଥିବା ନାଲି କାର୍ପେଟ ଉପରେ ଆଗକୁ ବଢିବା ପାଇଁ। ମୁକ୍ତ ଆକାଶ ତଳେ ଏକ ବିଶାଳ ପ୍ରାନ୍ତରରେ ଅବା କେଉଁ ହୋଟେଲ କି କଲ୍ୟାଣ ମଣ୍ଡପର ବିଶାଳ ହଲରେ ସୁସଜ୍ଜିତ ମଞ୍ଚ ଉପରେ ରାଜାରାଣୀ ପରି ବସିଥିବେ ନବଦମ୍ପତି। ପରମ ଆଗ୍ରହରେ ନିମନ୍ତ୍ରିତ ଅତିଥିଙ୍କ ହାତରୁ ଭେଟି ଗ୍ରହଣ କରି କନ୍ୟା ବା ନବବଧୂ ବଢାଇ ଦେଉଥିବେ ପାଖରେ ବସିଥିବା ସେମିତି କେହି ସମ୍ପର୍କୀୟ ଅବା ପରିଜନଙ୍କୁ, ଯିଏ ସେଇ ବିଶେଷ ଆସର ପାଇଁ କୋଷାଧ୍ୟକ୍ଷ ଭୂମିକାରେ ଅବତୀର୍ଣ୍ଣ ହୋଇଥିବେ। ରହି ରହି ବରକନ୍ୟାଙ୍କ ସହ ଫଟୋ ଉଠାରେ ବ୍ୟସ୍ତ ଥିବେ ଫଟୋଗ୍ରାଫର ବା ଭିଡିଓ କ୍ୟାମେରାମ୍ୟାନ।
ତା’ ପରେ ଆସିବ ପ୍ରୀତିଭୋଜନର ପର୍ବ। ଆଖି ଆଗରେ ଛିଡା ଛିଡା ଭୋଜନରେ ବ୍ୟସ୍ତ ଥିବେ ସମସ୍ତେ। ଆଉ କେଇଜଣ ହାତରେ ପ୍ଲେଟ ଚାମଚ ଧରି ଧାଡିରେ ଛିଡା ହୋଇଥିବେ ସେମାନଙ୍କ ପାଳିକୁ ଅପେକ୍ଷା କରି; ଠିକ୍‌ ସରକାରୀ କଣ୍ଟ୍ରୋଲ ଦୋକାନର ରାଶନ ପାଇବାର ପାଳିକୁ ଅପେକ୍ଷା କଲାପରି। ଚାରିଆଡେ ଲୋକଙ୍କ ଆସର, ବନ୍ଧୁମିଳନର ମୃଦୁ କୋଳାହଳ। କେଉଁଠି ବଡ ବଡ ଶବ୍ଦବାକ୍ସ ମଧ୍ୟରୁ ଭାସି ଆସୁଥିବା ରୋମାଞ୍ଚକର ରେକର୍ଡ ସଙ୍ଗୀତ ତ ଅନ୍ୟ କେଉଁଠି ଅର୍କେଷ୍ଟ୍ରା ମେଲୋଡି ଗ୍ରୁପ୍‌ର ଗାୟକ ଗାୟିକାଙ୍କ କଣ୍ଠରୁ ସ୍ବରସଙ୍ଗୀତର ମଧୁର ଝଙ୍କାର। ଚାରିଆଡେ ଖାଲି ଉପଭୋଗର ମୁହୂର୍ତ୍ତ। ତା’ ମଧ୍ୟରେ ସୁସ୍ବାଦୁ ବ୍ୟଞ୍ଜନର ବାସନା ଟାଣି ନେଉଥିବ ପ୍ରଥମେ ଭୂରି ଭୋଜନର ପ୍ରାରମ୍ଭିକ ପର୍ଯ୍ୟାୟ କୁହାଯାଉଥିବା ଡେଜର୍ଟ ବା ଭୋଜନପୂର୍ବ ଉପଚାରକୁ ଓ ପରେ ପରେ ଆସ୍ତେ ଆସ୍ତେ ପୂରି ଆସୁଥିବା ପେଟକୁ ଭରିବା ପାଇଁ ପ୍ରସ୍ତୁତ ଥିବା ବହୁବିଧ ଗୁରୁପାକ ଖାଦ୍ୟ ସାମଗ୍ରୀ ଆଡକୁ। ପେଟର ଭୋକ ପୂରି ପୂରି ଆସୁଥିବ, ଭୋଜନ ସାମଗ୍ରୀ ବି ଥିବ ଭରପୂର, ଅଥଚ ପ୍ରୀତିର ସାମାନ୍ୟ ସଂକେତ ନ ଥିବ କେଉଁଠି, ଯଦିଓ ନିମନ୍ତ୍ରଣପତ୍ରର କାର୍ଯ୍ୟନିର୍ଘଣ୍ଟରେ ବଡ ବଡ ଅକ୍ଷରରେ ଲେଖା ହୋଇଥିବ, ‘ପ୍ରୀତିଭୋଜନ’!
ଏ ପ୍ରକାର ଭୋଜନ ବ୍ୟବସ୍ଥାର ନାମ ପୁଣି ଅଦ୍ଭୁତ-‘ବଫେ’। ଆମ ମୂଳ ସଂସ୍କାରକୁ ଅଳିଆଗଦାରେ ଫିଙ୍ଗିଦେଇ ପାଶ୍ଚାତ୍ୟ ସଂସ୍କୃତିକୁ ଅତି ଆଦରରେ ଆପଣେଇ ନେବାର ଆଧୁନିକ ପ୍ରବଣତା ମଧ୍ୟରୁ ଏହି ବଫେ ବ୍ୟବସ୍ଥାର ଜନ୍ମ। ବଫେର ଓଡିଆ ରୂପାନ୍ତର କ’ଣ କେଜାଣି, ତେବେ ବଫେ ବ୍ୟବସ୍ଥା ମଧ୍ୟରେ ବହୁବାର ଆପ୍ୟାୟିତ ହୋଇଥିବା ଜଣେ ପଣ୍ଡିତଙ୍କ ମତରେ ‘ବଫେ ଭୋଜନ’ର ଅର୍ଥ ‘ବିକଳ ଭୋଜନ’। ବହୁ ଲୋକଙ୍କ ଗହଣରେ ପ୍ଲେଟ ଚାମଚ ହାତରେ ଧରି ଲମ୍ବା ଧାଡିରେ ଛିଡା ହେବା, ପରେ ପରେ ପ୍ଲେଟରେ ସ୍ଥାନାଭାବ ହେତୁ ସବୁ ସାମଗ୍ରୀ ମଧ୍ୟରୁ କେତେକକୁ ବାଦ୍‌ ଦେଇ ଅବଶିଷ୍ଟକୁ ଧରି ଧାଡିରୁ ବାହାରି ଆସି ଟିକିଏ ଫାଙ୍କା ସ୍ଥାନ ଦେଖି ଶାନ୍ତିରେ ଖାଇବା ଓ ପରେ ପରେ ଫନୀ ବାତ୍ୟାଞ୍ଚଳର କୌଣସି ରିଲିଫ ବଣ୍ଟନ କେନ୍ଦ୍ରର ଭ୍ରମ ସୃଷ୍ଟି କରୁଥିବା ଆଇସ୍‌କ୍ରିମ କାଉଣ୍ଟରର ନଅଙ୍କିଆ ପରିବେଶ ସହ ପରିଚିତ ଥିବା ଯେ କେହି ବିନା ପ୍ରତିବାଦରେ ଆମ ଏ ପଣ୍ଡିତଙ୍କ ମତକୁ ଗ୍ରହଣ କରିନେବେ।
ବଡ ବିଚିତ୍ର ୟେ ବଫେ ବ୍ୟବସ୍ଥା! ବଡ ଅଦ୍ଭୁତ ପୁଣି ବ୍ୟଞ୍ଜନର ସଂଖ୍ୟା ଅନୁପାତରେ ନିଜ ମିଥ୍ୟା ପୌରୁଷ ପ୍ରଦର୍ଶନର ଅସୁସ୍ଥ ମାନସିକତା! ଏଠି କେହି କାହାକୁ ଖାଇବାକୁ ଡାକନ୍ତି ନାହିଁ କି ଏପରି ଡାକରାକୁ କେହି ଅପେକ୍ଷା କରନ୍ତି ନାହିଁ। ଡାକିବା ତ ଦୂରର କଥା, ନିମନ୍ତ୍ରଣ ପାଇଥିବା ଲୋକଙ୍କୁ ନିମନ୍ତ୍ରଣ ଦେଇଥିବା ଲୋକ ସଂଖୋଳିବାକୁ ବି ସମୟ ନ ଥାଏ। ଖାଇଲେ କି ନାହିଁ ବୁଝିବାକୁ ବି ତର ନ ଥାଏ। ସମସ୍ତଙ୍କ ପାଇଁ ଖୋଲା ଏହା ଏମିତି ଏକ ଖାଦ୍ୟଶାଳା ଯେ, ବିନା ନିମନ୍ତ୍ରଣରେ ଏଠି ଜଣେ ଭୂରି ଭୋଜନ କରି ପରିତୃପ୍ତିର ହାକୁଟି ମାରେ ତ ନିମନ୍ତ୍ରଣ ଥାଇ ବି କେହି ପୁଣି ଅଭୁକ୍ତ ରହି ଖାଲିପେଟରେ ଘରକୁ ବାହୁଡିଯାଏ। ଏହି ବ୍ୟବସ୍ଥାର ବିଭ୍ରାଟ ସମ୍ପର୍କରେ ସେଦିନ ଜଣେ କନ୍ୟାପିତା ଦୁଃଖରେ କହୁଥିଲେ, ”ଏଣିକି ନିମନ୍ତ୍ରଣପତ୍ର ସାଙ୍ଗରେ ଧରି ଆସିବାକୁ ତଳେ ଲେଖିବାକୁ ପଡିବ। କାର୍ଡ ଯାଞ୍ଚ କରିବାକୁ ଗେଟ ପାଖରେ ଜଣେ ଦୁଇଜଣକୁ ନ ଜଗାଇଲେ ମୋ ପରି ହୀନସ୍ତା ହେବାକୁ ପଡିବ।“ କନ୍ୟାପିତାଙ୍କ ଦୁଃଖର କାରଣ ଥିଲା ଯୁକ୍ତିଯୁକ୍ତ। ସେ ତାଙ୍କ ଝିଅ ବାହାଘରକୁ ବରଯାତ୍ରୀଙ୍କ ସମେତ ପାଞ୍ଚଶହ ଲୋକଙ୍କ ପାଇଁ ଖାଇବାର ଆୟୋଜନ କରିଥିଲା ବେଳେ ଆହୁରି ପଚାଶ ପ୍ରାୟ ଲୋକ ବାକି ଥାଇ ତାଙ୍କ ଖାଦ୍ୟ ସବୁ ଶେଷ ହୋଇଯାଇଥିଲା। କ୍ୟାଲେଣ୍ଡରରେ ବିବାହ ତିଥି ଦେଖି କଲ୍ୟାଣ ମଣ୍ଡପ ଆଗରେ ଟହଲ ମାରୁଥିବା ଅନିମନ୍ତ୍ରିତ ଲୋକଙ୍କ ସଂଖ୍ୟା ସେଦିନ ବଢିଯାଇଥିଲା ବୋଧହୁଏ।
ଅବଶ୍ୟ ଏ କଥା ଭିନ୍ନ ଯେ ସବୁ ପ୍ରୀତିଭୋଜନର ପରିଣାମ ଏମିତି ଅପ୍ରୀତିକର ହୋଇ ନ ଥାଏ। ରାଜଧାନୀର ଜଣେ ପ୍ରତିଷ୍ଠିତ ବରପିତା ପ୍ରାୟ ଚାଳିଶ ପ୍ରକାର ବ୍ୟଞ୍ଜନ ପରିବେଷିତ ଦେଢହଜାର ଟଙ୍କିଆ ପ୍ଲେଟରେ ଆୟୋଜିତ ଭୋଜିସଭାକୁ ହଜାରେ ଲୋକଙ୍କୁ ନିମନ୍ତ୍ରଣ କରି କେବଳ ପ୍ରୀତିଭୋଜନ ବାବଦକୁ ପନ୍ଦରଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଅଥଚ ସେଠାରୁ ଭୋଜି ଖାଇ ଫେରିଥିବା ଲୋକମାନେ ଯେଉଁ ଅପ୍ରୀତିକର ମନ୍ତବ୍ୟ ଦେଇଥିଲେ ତହିଁରୁ ଜଣାପଡିଥିଲା ଯେ, ପ୍ରାଚୁର୍ଯ୍ୟର ପ୍ରତିଷ୍ଠା କେବେ ପ୍ରୀତି ପର୍ବର କାରଣ ହୋଇ ନ ପାରେ!
କେଡେ ମନୋରମ ନ ଥିଲା ବିବାହ ଭୋଜିର ମହତ୍ତ୍ୱ ଏଇ ଅଳ୍ପ କେଇବର୍ଷ ତଳେ! କେଡେ ଆଗ୍ରହରେ ନିମନ୍ତ୍ରଣକାରୀ ସଂଖୋଳୁ ନ ଥିଲେ ଅତିଥିମାନଙ୍କୁ! ଘରର ଚଟାଣ ଉପରେ ତାଳପତ୍ର ଚଟେଇରେ ଆସନ ପାରି ଦିଆଯାଉଥିଲା। କଅଁଳ କଦଳୀପତ୍ରରେ ବାଢି ଦିଆଯାଉଥିଲା ନାନା ପ୍ରକାର ବ୍ୟଞ୍ଜନ। ଖାଇବା ମଧ୍ୟରେ ଅତିଥିଙ୍କ ପାଖରେ ନଇଁ ପଡୁଥିଲେ ଗୃହକର୍ତ୍ତା ଓ ବିନୟ ସହକାରେ ପୁଚ୍ଛା କରୁଥିଲେ ଖାଦ୍ୟର ମାନ ସମ୍ପର୍କରେ। ଖାଇ ସାରିବା ଯାଏ ଗୃହସ୍ବାମୀ ଅବା ତାଙ୍କର ଅନ୍ୟ କେହି ଲୋକ ଛିଡା ହୋଇ ରହୁଥିଲେ କାକୁସ୍ଥ ଭାବରେ। ଖାଇସାରିବା ପରେ ଗାମୁଛା ବଢାଇ ଦେଉଥିଲେ ହାତ ପୋଛିବା ପାଇଁ ଓ ପରେ ପରେ ବିଦାୟ ଜଣାଉଥିଲେ ହାତରେ ପାନପାତ୍ର ଧରି। ଭୋଜିର ସ୍ବାଦ ଅପେକ୍ଷା ଢେର ସ୍ବାଦିଷ୍ଠ ଲାଗୁଥିଲା ସେମାନଙ୍କ ସ୍ବାଦର ସମ୍ଭାଷଣ। ପେଟ ପୂରିଯାଉଥିଲା, ହୃଦୟ ଭରିଯାଉଥିଲା ମୁଗ୍ଧ ପରିତୃପ୍ତିରେ। ଅଥଚ କୁଆଡେ ଗଲା ସେ ସମୟ! ଆଜି ପ୍ରୀତିଭୋଜନର ଏ ପର୍ବ ବୋଝ ବିବେଚିତ ହେଉଛି ଉପହାର ଦେବାର ବାଧ୍ୟବାଧକତା ପାଇଁ। ପ୍ରସ୍ତୁତି ଚାଲିଛି ନିମନ୍ତ୍ରିତ ଅଭ୍ୟାଗତଙ୍କ ପରିଚୟ ଯାଞ୍ଚ ପାଇଁ। ବଫେ ନାମରେ ପ୍ରକଟିତ ହେଉଛି ଅତିଥିଙ୍କ ବିକଳପଣ!
ବିବାହ ଉତ୍ସବର ଏ ପ୍ରୀତିଭୋଜନ ରସନାକୁ ତୃପ୍ତ କରେ ସିନା, ଆନ୍ତରିକତା ଅଭାବରୁ ହୃଦୟ ଅତୃପ୍ତ ରହିଯାଏ। ଯେତେ ହୃଦ୍ୟ ହେଲେ ବି କେବଳ ଆନୁଷ୍ଠାନିକତାର ବାହ୍ୟ ଆଡମ୍ବର ବିବାହ ଆସରକୁ ଜୀବନ୍ତ କରିପାରେନା। ସବୁକିଛି ଯନ୍ତ୍ରଚାଳିତ ମନେହୁଏ। ନିମନ୍ତ୍ରଣ ବୋଝ ପାଲଟିଯାଏ। ନିଜ ପତିଆରା ପ୍ରଦର୍ଶନ କରିବାକୁ ଦିନେ କୁରୁପତି ଦୁଯେର୍‌ୟାଧନ ନିମନ୍ତ୍ରଣ କରିଥିଲେ ଶାନ୍ତିଦୂତ ଶ୍ରୀକୃଷ୍ଣଙ୍କୁ। ମାତ୍ର ତାଙ୍କ ଆନ୍ତରିକତାହୀନ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ସେ ବିଦୁରଙ୍କ ଘରେ ଶାଗଭଜା ଖାଇ ତୃପ୍ତ ହୋଇଥିଲେ। କୃଷ୍ଣଙ୍କୁ ନିଜ ମିଥ୍ୟା ବଡପଣ ଦେଖାଇବାକୁ ସେତେବେଳେ ଥିଲେ ଜଣେ ଦୁର୍ଯ୍ୟୋଧନ। ତାଙ୍କୁ ଅନ୍ତରଙ୍ଗତାରେ ବୁଡାଇ ଦେବାକୁ ବି ସେମିତି ଥିଲେ ଜଣେ ଆଡମ୍ବରଶୂନ୍ୟ ବିଦୁର। ମାତ୍ର ଏବେ ନିଜ ପଦବୀ, ପ୍ରତିଷ୍ଠା ଓ ପ୍ରାଚୁର୍ଯ୍ୟକୁ ନେଇ ପାଗଳ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିବା ଦୁର୍ଯ୍ୟୋଧନମାନଙ୍କ ସଂଖ୍ୟା ବଢି ବଢି ଚାଲିଛି ସିନା, ବିଦୁର ଜଣେ ନାହାନ୍ତି ଶାଗଭଜା ଖୁଆଇବା ପାଇଁ। ଖାଇବା ଶେଷରେ ଗାମୁଛାଟାଏ ବଢାଇ ଦେବା ପାଇଁ। ସୁତରାଂ ଏବେକାର ନିମନ୍ତ୍ରଣ ଅନୁଭବଶୂନ୍ୟ ହୋଇପଡିଛି, ପ୍ରୀତିଭୋଜନ ହୋଇପଡିଛି ମୁଣ୍ଡ ଉପରେ ଗୋଟିଏ ଓଜନଦାର ବୋଝ!
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri