ପ୍ରତିବାଦ କାହିଁକି

ଆକାର ପଟେଲ
ସାରା ଭାରତରେ ତୀବ୍ର ପ୍ରତିବାଦର ସ୍ବର ଉଠିବା ଓ ବିଶ୍ୱର ଗଣମାଧ୍ୟମରେ ପ୍ରଦର୍ଶିତ ହେବାର କାରଣ ବିଷୟରେ ଆମେ ଅନୁଧ୍ୟାନ କରିବା ଆବଶ୍ୟକ। ସରକାର କହୁଛନ୍ତି ଯେ, ପ୍ରତିବାଦକାରୀମାନେ ନାଗରିକତା ଆଇନ ବିଷୟରେ ଠିକ୍‌ଭାବେ ଜାଣିନାହାନ୍ତି ଏବଂ ଦ୍ୱନ୍ଦ୍ୱରେ ରହିଛନ୍ତି। କିନ୍ତୁ ସତକଥା ହେଲା ୨୦୧୪ରୁ ଏ ପର୍ଯ୍ୟନ୍ତ ସରକାରଙ୍କ ବିରୋଧରେ ଏତେ ବଡ଼ ପ୍ରତିବାଦ କେବେ ଦେଖାଯାଇ ନ ଥିଲା। ମୋ ମତରେ ପ୍ରତିବାଦକାରୀମାନେ କାହିଁକି ପ୍ରତିବାଦ କରୁଛନ୍ତି ଜାଣିନାହାନ୍ତି ବୋଲି ସରକାର ଯାହା କହୁଛନ୍ତି ତାହା ଠିକ୍‌ ନୁହେଁ। ଏହାର ପୃଷ୍ଠଭୂମି ବିଷୟରେ ଟିକିଏ ଆଲୋଚନା କଲେ ଠିକ୍‌ ହେବ।
୨୦୧୭ରେ ଆସାମ ସରକାର ଗୌହାଟୀ ଉଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କଲେ। ରାଜ୍ୟରେ ଥିବା ଫରେନର୍ସ ଟ୍ରିବ୍ୟୁନାଲରେ ଯେଉଁ ଓକିଲମାନେ କାମ କରୁଛନ୍ତି ସେମାନଙ୍କର ଦୁଇବର୍ଷିଆ ଚୁକ୍ତି ସମ୍ପ୍ରସାରଣକୁ ନେଇ ଏହି ସତ୍ୟପାଠ ଉଦ୍ଦିଷ୍ଟ ଥିଲା। ସରକାର ଯେଉଁ ଦଲିଲ ପ୍ରଦାନ କରିଥିଲେ ସେଥିରେ ଦର୍ଶାଇଥିଲେ ଯେ, ଖୁବ୍‌ ବେଶି ଲୋକଙ୍କୁ ବିଦେଶୀ ଭାବେ ଘୋଷଣା କରୁ ନ ଥିବା ଓକିଲମାନଙ୍କ ଚୁକ୍ତି ସମ୍ପ୍ରସାରଣକୁ ସରକାର ବିରୋଧ କରନ୍ତି। ୩୮୦ ଜଣ ଲୋକଙ୍କ ଦଲିଲ ପରୀକ୍ଷା କରି ସେମାନଙ୍କ ମଧ୍ୟରୁ ୧.୩୨ ପ୍ରତିଶତ ଲୋକଙ୍କୁ ବିଦେଶୀ ବୋଲି ଘୋଷଣା କରିଥିବା କାର୍ତ୍ତିକ ଚନ୍ଦ୍ର ରାୟଙ୍କ ଚୁକ୍ତିକୁ ବାତିଲ କରାଯିବା ଉଚିତ ବୋଲି ଆସାମ ସରକାର ମତ ଦେଇଥିଲେ। ସରକାରଙ୍କ ଦୃଷ୍ଟିରେ ରାୟଙ୍କ ପ୍ରଦର୍ଶନ ସନ୍ତୋଷଜନକ ନ ଥିଲା। ସେହିପରି ଦିଲୀପ କୁମାର ବର୍ମନ, ଭାବା ହଜାରିକା, ଦ୍ୱିଜେନ୍‌ ଦତ୍ତ, କମ୍‌ଲୁଦ୍ଦିନ ଅହମଦ ଚୌଧ୍‌ରୀ, ନିଲୟକାନ୍ତି ଘୋଷ, ନବନୀତ ମିତ୍ର ଏବଂ କୁଲେନ୍ଦ୍ର ତାଲୁକଦାରଙ୍କ ପ୍ରଦର୍ଶନ ସନ୍ତୋଷଜନକ ନ ଥିବାରୁ ସେମାନଙ୍କ ଚୁକ୍ତିକୁ ବାତିଲ କରିବାକୁ ସରକାର ସୁପାରିସ କରିଥିଲେ। ଅପରପକ୍ଷେ ୪୬୦ ଜଣଙ୍କ ଭିତରୁ ୩୪.୫୭ ପ୍ରତିଶତଙ୍କୁ ବିଦେଶୀ ଘୋଷଣା କରିଥିବା ନାରାୟଣ କୁମାର ନାଥଙ୍କ ସପକ୍ଷରେ ସରକାର ମତ ଦେଇଥିଲେ। ସେହିପରି ୧୫ରୁ ୬୦% ପର୍ଯ୍ୟନ୍ତ ଲୋକଙ୍କୁ ବିଦେଶୀ ଘୋଷଣା କରିଥିବା ଅଭିଜିତ୍‌ ଦାସ, ହେମନ୍ତ ମହାନ୍ତ, ନବ କୁମାର ବରୁଆ, ଧୀରଜ କୁମାର ସାଇକିଆ, ଜୁନମୋନି ବୋରା, କଳ୍ପନା ବରୁଆ, ରମାକାନ୍ତ ଖାକଲାରୀ, ଅଜୟ ପୁହାଣ ପ୍ରମୁଖଙ୍କୁ ସରକାର ଉତ୍ତମ, ସନ୍ତୋଷଜନକ ବା ଚଳନୀୟ ଇତ୍ୟାଦି କହି ସେମାନଙ୍କ ଚୁକ୍ତି ସମ୍ପ୍ରସାରଣକୁ ଅନୁମୋଦନ କରିଥିଲେ। ସୁତରାଂ ଅଧିକ ଲୋକଙ୍କୁ ବିଦେଶୀ ଘୋଷଣା କରୁଥିବା ଠିକା ଓକିଲମାନଙ୍କୁ ଉତ୍ସାହିତ ଓ ପୁରସ୍କୃତ କରାଯାଇଥିଲା। ଯେଉଁମାନେ ସରକାରଙ୍କ ଇଚ୍ଛା ଅନୁସାରେ କାମ କରୁ ନ ଥିଲେ ସେମାନଙ୍କ ଚୁକ୍ତିକୁ ରଦ୍ଦ କରିଦିଆଯାଇଥିଲା। ତା’ପରେ ବିଦେଶୀ ଘୋଷିତ ଲୋକମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା।
ଯେତେବେଳେ ଜାତୀୟ ମାନବାଧିକାର କମିଶନ ଲୋକଙ୍କ ଅବସ୍ଥା ବୁଝିବା ପାଇଁ ଏକ ଟିମ୍‌ ପଠାଇଲେ, ସେମାନେ ଦେଖିଲେ ଯେ ବିଦେଶୀ ଘୋଷିତ ପରିବାରଗୁଡ଼ିକୁ ପୂରା ଅଲଗା କରିଦିଆଯାଇଛି। ମହିଳା ଓ ପିଲାମାନଙ୍କୁ ଗୋଟିଏ ଜେଲରେ ରଖାଯାଇଥିବା ବେଳେ ପୁରୁଷମାନଙ୍କୁ ଅଲଗା ଜେଲରେ ରଖାଯାଇଛି। ଅନେକ ଲୋକ ପାଗଳ ହୋଇଯାଇଛନ୍ତି ଏବଂ ସେମାନଙ୍କୁ ବି ଦୋଷୀ ଭାବେ ସେହି ଜେଲରେ ରଖାଯାଇଛି। ଭାରତ ନିଜ ଲୋକଙ୍କ ବିରୋଧରେ ଏମିତି କାମ କରୁଛି।
ସଭ୍ୟ ଜଗତରେ କୌଣସି ଲୋକ କିଛି ଅପରାଧ କରିଥିବା ନେଇ ସରକାର ପ୍ରମାଣ କରିବା ଦରକାର। କିନ୍ତୁ ଭାରତରେ କୌଣସି ଲୋକକୁ କାହିଁକି ଜେଲରେ ରଖାଯିବ ନାହିଁ, ସେଥିପାଇଁ ସମ୍ପୃକ୍ତ ଲୋକକୁ ନିଜ ସପକ୍ଷରେ ପ୍ରମାଣ ଦେବାକୁ ପଡ଼ୁଛି। ଏହା ହେଉଛି ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଯାହାକୁ ସାରା ଭାରତରେ କାର୍ଯ୍ୟକାରୀ କରାଯିବ ବୋଲି ଅମିତ ଶାହା କହିଛନ୍ତି ଏବଂ ଏହା ହେଉଛି ତାକୁ କାର୍ଯ୍ୟକାରୀ କରିବାର ତରିକା। ଏବେ ଦେଖିବା ନାଗରିକତା ସଂଶୋଧନ ଆଇନ (ସିଏଏ) କ’ଣ। ଏହି ଆଇନ ଅନୁସାରେ ଭାଜପା ସରକାରର ସନ୍ତୋଷ ଉତ୍ପାଦନ କଲାଭଳି ନିଜ ନାଗରିକତାର ପ୍ରମାଣ ଦେଇପାରୁ ନ ଥିବା ମୁସଲମାନମାନଙ୍କୁ ଜେଲରେ ରଖାଯିବ। ଅନ୍ୟ ଧର୍ମାବଲମ୍ବୀଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି କାରଣ ଆଇନ ଅନୁସାରେ ୨୦୧୪ ଡିସେମ୍ବର ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ଅଣମୁସଲିମ୍‌ମାନଙ୍କୁ ନାଗରିକତା ପ୍ରଦାନ କରାଯିବ। କେବଳ ମୁସଲମାନମାନଙ୍କୁ ନାଗରିକତାର ପ୍ରମାଣ ଦେବାକୁ ହେବ।
ସେହିପରି ଏନ୍‌ଆର୍‌ସିର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ସନ୍ତୋଷ ଉତ୍ପାଦନ କଲାଭଳି କାଗଜପତ୍ର ପ୍ରଦର୍ଶନ କରିପାରୁ ନ ଥିବା ଭାରତୀୟ ମୁସଲମାନମାନଙ୍କୁ ସବୁଦିନ ପାଇଁ ଜେଲରେ ରଖିବା ଏବଂ ଯେଉଁ କର୍ମଚାରୀ ସର୍ବାଧିକ ସଂଖ୍ୟକ ମୁସଲମାନଙ୍କୁ ବିଦେଶୀ ବୋଲି ପ୍ରମାଣ କରି ନ ପାରିବ ତାଙ୍କୁ ଦଣ୍ଡିତ କରିବା। ଏହି କାରଣରୁ ଅନେକ ଭାରତୀୟ ମୁସଲମାନ ଉକ୍ତ ଆଇନ ବିରୋଧରେ ପ୍ରତିବାଦ କରିବା ଦେଖାଯାଉଛି। ଅନେକ ଅଣମୁସଲମାନ ମଧ୍ୟ ଭାରତରେ ଘଟୁଥିବା ଏହିସବୁ ଅବାଞ୍ଛିତ ଘଟଣା ପ୍ରତି ଆଖି ବୁଜିଦେଇ ପାରୁନାହାନ୍ତି। ଶେଷରେ ଏହି କାରଣରୁ ଭାରତର ବୈଦେଶିକ ମନ୍ତ୍ରୀ ଚଳିତ ସପ୍ତାହରେ ଲଜ୍ଜାଜନକ ଭାବରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରତିନିଧି ସଭାକୁ ବାତିଲ କରିଦେଇଛନ୍ତି। କାରଣ ଅନ୍ୟ ପ୍ରତିନିଧିମାନେ ସେଠି ତାଙ୍କୁ ଭାରତରେ କ’ଣ ସବୁ ଚାଲିଛି ବୋଲି ପ୍ରଶ୍ନ ପଚାରିଲେ ସେ କି ଉତ୍ତର ଦେବେ? ସେ ଭଲଭାବେ ଜାଣିଛନ୍ତି ଯେ, ସେ ଭାରତ ସରକାରଙ୍କ କାର୍ଯ୍ୟ ସପକ୍ଷରେ ଆତ୍ମରକ୍ଷାମୂଳକ ସଫେଇ ଦେଇପାରିବେ ନାହିଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri