ପ୍ରଣମ୍ୟ ନେତାଜୀ

ଡ. ମନୋରଞ୍ଜନ ପ୍ରଧାନ

ଆଜକୁ ପ୍ରାୟ ୧୨୫ ବର୍ଷ ପୂର୍ବେ ଅର୍ଥାତ୍‌ ଜାନୁୟାରୀ ମାସ ୨୩ ତାରିଖ ୧୮୯୭ରେ ଉତ୍କଳ ପ୍ରାନ୍ତର ଏକତା ଓ ସଦ୍‌ଭାବନାର ନଗରୀ କଟକରେ ଜନ୍ମ ନେଇଥିଲା ଜଣେ ଯୋଗଜନ୍ମା ଶିଶୁ ପୁତ୍ର। ଆନନ୍ଦରେ ବିଭୋର ପିତା ଜାନକୀନାଥ ସେଥିପାଇଁ ନିଜ ଡାଇରିରେ ଲେଖିଥିଲେ ଆଜି ଅପରାହ୍ନରେ ଏକ ଶିଶୁ ପୁତ୍ର ଜନ୍ମ ଗ୍ରହଣ କରିଛି। ଆଉ ସେହି ଶିଶୁ ପୁତ୍ର ଥିଲେ ଭାରତ ବର୍ଷର ସାଲିସବିହୀନ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରପୁଙ୍ଗବ ଆମ ପୂଜ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ସମସ୍ତ ମାତାପିତାଙ୍କ ଭଳି ପିତା ଜାନକୀନାଥ ମଧ୍ୟ ସ୍ବପ୍ନ ଦେଖିଥିଲେ କି ତାଙ୍କ ପୁତ୍ର ଆଇସିଏସ୍‌ ଅଫିସର ହେଉ। ଆଉ ତାଙ୍କ ଇଚ୍ଛା ବି ପୂରଣ ହୋଇଥିଲା। ୧୯୨୦ ମସିହାରେ ପ୍ରିୟ ପୁତ୍ର ସୁଭାଷ ଆଇସିଏସ୍‌ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। କିନ୍ତୁ ଭାରତମାତା ଓ ଭାରତବାସୀଙ୍କ ପରାଧୀନତାର ଦୁଃଖ ଏବଂ ଯନ୍ତ୍ରଣା ତାଙ୍କୁ ଏତେ ବ୍ୟତିବ୍ୟସ୍ତ କରିଥିଲା ଯେ, ଅତ୍ୟାଚାରୀ ବ୍ରିଟିଶ ଶାସକଙ୍କ ଅଧୀନରେ ଅଫିସର ହେବାକୁ ଚାହିଁ ନ ଥିଲେ। ଶେଷରେ ଆଇସିଏସ୍‌ ଭଳି ହାକିମ ଚାକିରିକୁ ପ୍ରତ୍ୟାଖ୍ୟାନ କରି ନିଜ ଜୀବନକୁ ଦେଶମାତୃକାର ସେବାରେ ଉତ୍ସର୍ଗ କରିବାକୁ ସଂକଳ୍ପ ନେଇଥିଲେ। ନିଜ ମା’ଙ୍କଠାରୁ ଦେଶପ୍ରେମର ଭାବ ଓ ଭକ୍ତି ଶିକ୍ଷା ପାଇଥିବା ଯୁବକ ସୁଭାଷ ମାତ୍ର ୧୫-୧୬ ବର୍ଷ ବୟସରେ ତାଙ୍କୁ ଏକ ହୃଦୟସ୍ପର୍ଶୀ ଚିଠି ଲେଖି ପ୍ରଶ୍ନ କରିଥିଲେ, ମାଲୋ ଆମ ଦେଶ କ’ଣ ଦିନକୁ ଦିନ ରସାତଳକୁ ଯାଉଥିବ? ଦୁଃଖିନୀ ଭାରତମାତାର ଏମିତି କ’ଣ ଜଣେ ସନ୍ତାନ ନାହାନ୍ତି ଯେ କି ଦେଶମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିପାରିବ? ମାଆ ମୋତେ କୁହ ଆମର ଏହି ନିଦ୍ରା କେବେ ଭାଙ୍ଗିବ?
ଯେଉଁ ଶିଶୁ ସୁଭାଷ ଭବିଷ୍ୟତରେ ଦେଶ ପାଇଁ ଜେଲ ଯିବାକୁ ପଡ଼ିଲେ ବହୁ କଷ୍ଟ ସହିବାକୁ ପଡ଼ିବ ଭାବି ଛାତ୍ର ଜୀବନରୁ ପୋଡା ରୁଟି ଖାଇବା ଅଭ୍ୟାସ କରୁଥିଲେ, ସେ କେମିତି ନିଜ ସୁଖ ପାଇଁ ହାକିମ ହେବାକୁ ରାଜି ହୋଇଥାଆନ୍ତେ। ସେଥିପାଇଁ ୧୯୨୧ ମସିହାରେ ନିଜ ବଡଭାଇ ଶରତ ଚନ୍ଦ୍ର ବୋଷଙ୍କୁ ଚିଠି ଲେଖି କହିଥିଲେ- ଭାଇ, କେବଳ ଯନ୍ତ୍ରଣା ଓ ତ୍ୟାଗର ଭୂମି ଉପରେ ଆମେ ଆମର ଜାତୀୟ ପ୍ରାସାଦ ନିର୍ମାଣ କରିପାରିବା। ସେହି ସୁଭାଷ ବୋଷ ମାତୃଭୂମିକୁ ସ୍ବାଧୀନ କରିବା ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ; ଯାହାଙ୍କ ନାମ ଶୁଣିବା କ୍ଷଣି ବ୍ରିଟିଶ ଗୋରା ଶାସକଙ୍କ ମନରେ ଭୟ ଓ ଆତଙ୍କ ଖେଳି ଯାଉଥିଲା। ସେ ହେଉଛନ୍ତି ସେହି ସୁଭାଷ ଯେ କି ଭାରତର ସ୍ବାଧୀନତା ପୂର୍ବରୁ ଅର୍ଥାତ୍‌ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ଦେଶରେ ପ୍ରୋଭିଜନାଲ ସରକାର ଗଠନ ଘୋଷଣା କରିଥିଲେ। ଏହି ସରକାରର ସେ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ। ସେତେବେଳେ ନେତାଜୀଙ୍କ ସରକାରକୁ ଜାପାନ, ଜର୍ମାନୀ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଞ୍ଚୁରିଆ, କ୍ରୋଏସିଆ ଭଳି ନଅଟି ଦେଶ ସ୍ବୀକୃତି ପ୍ରଦାନ କରିଥିଲେ। ସେ ହେଉଛନ୍ତି ସେହି ସୁଭାଷ, ଯାହାଙ୍କ ଗୋଟିଏ ସ୍ଲୋଗାନ-ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି ଆହ୍ବାନରେ ହଜାର ହଜାର ଭାରତୀୟ ଜାତି, ଧର୍ମ, ଭାଷା, ଅଞ୍ଚଳ ନିର୍ବିଶେଷରେ ସ୍ବାଧୀନ ସଂଗ୍ରାମ ରୂପକ ମହାଯଜ୍ଞରେ ନିଜକୁ ଆହୁତି ଦେବାକୁ ଆଗେଇ ଆସିଥିଲେ। ଆଉ ସେ ହିଁ ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପିତା ଭାବରେ ସମ୍ବୋଧିତ କରିଥିଲେ। ସେ ଥିଲେ ନିର୍ଭୀକ, ନିଃସ୍ବାର୍ଥପର, ପ୍ରଚଣ୍ଡ ଧୀଶକ୍ତିସମ୍ପନ୍ନ ସମର୍ପିତ ରାଷ୍ଟ୍ରଭକ୍ତ। ସେ ଥିଲେ ସର୍ବକାଳୀନ ରାଷ୍ଟ୍ରନାୟକ। ତାଙ୍କ ପାଖରେ ଥିଲା ନେତୃତ୍ୱ ନେବାର ଅଦମ୍ୟ ସାହସ, ପରାକ୍ରମ ଓ ଦକ୍ଷତା। ସେଥିପାଇଁ ଆଡ୍‌ଲଫ ହିଟଲର ତାଙ୍କୁ ନେତାଜୀ ଭାବେ ସମ୍ବୋଧିତ କରିଥିଲେ।
ନେତାଜୀ ଥିଲେ ପରମ ରାଷ୍ଟ୍ରପ୍ରିୟ। ସ୍ବାମୀ ବିବେକାନନ୍ଦ ଓ ମହର୍ଷି ରାମକୃଷ୍ଣ ପରମହଂସଙ୍କ ଲିଖିତ ବାଣୀରେ ପ୍ରଭାବିତ ହୋଇ ସେ ଦେଶ ପାଇଁ ଜୀବନ ଦେବାକୁ ସଂକଳ୍ପ କରିଥିଲେ। ସେ ଦେଶର ସ୍ବାର୍ଥକୁ କେବେ ମଧ୍ୟ ନଷ୍ଟ ହେବାକୁ ଦେଇ ନ ଥିଲେ। ଏକଦା ଜାପାନୀ ସେନାଧ୍ୟକ୍ଷ ନେତାଜୀଙ୍କ ପାଖକୁ ଆସି ପ୍ରକାଶ କଲେ, କଲିକତା ମହାନଗରୀ ଉପରେ ଆମେ ଆକାଶ ମାର୍ଗରୁ ବୋମା ବର୍ଷଣ ନିମନ୍ତେ ଠିକ୍‌ କରିଛୁ, ଆପଣଙ୍କ ମତ? ନେତାଜୀ ନିଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଲେ, ଏକ ସୌନ୍ଦର୍ଯ୍ୟମୟୀ ମହାନଗରୀ ବୋମା ମାଡ଼ରେ ବିଧ୍ୱଂସ ହେଉ ମୁଁ ଚାହେଁନା- ମୋର ଦେଶବାସୀଙ୍କୁ ମୁଁ ଦେବାକୁ ଚାହୁଁଛି ଆଶା ଓ ଭରସା, ଧ୍ୱଂସ ବା ଯନ୍ତ୍ରଣା ନୁହେଁ। ଇଂଲଣ୍ଡର ପତନ ପରେ ଆମେ ଅନେକ ବିମାନ କଲିକତାର ମହାନଗରୀରେ ଉଡେଇବୁ। ସେହି ବିମାନଗୁଡ଼ିକରୁ ବୋମା ନିକ୍ଷେପ ହେବ ନାହିଁ, ନିକ୍ଷେପ ହେବ ହଜାର ହଜାର ତ୍ରିରଙ୍ଗା ପତାକା। ବୋମା ଅପେକ୍ଷା ଏହି ତ୍ରିରଙ୍ଗା ପତାକାଗୁଡ଼ିକ ବ୍ରିଟିଶ ସାମ୍ରାଜ୍ୟବାଦର ଧ୍ୱଂସ ନିମନ୍ତେ ବୋମାଠାରୁ ବହୁ ଗୁଣରେ କାର୍ଯ୍ୟ କରିବ। ନେତାଜୀଙ୍କ ଏହି ମନ୍ତବ୍ୟ ଯେ କେବଳ ଜାପାନୀ ସେନାଧ୍ୟକ୍ଷଙ୍କୁ ତାଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମରୁ ବିରତ ରହିବାକୁ ବାଧ୍ୟ କରି ନ ଥିଲା, ନେତାଜୀଙ୍କ ରାଷ୍ଟ୍ରଭକ୍ତି ଓ ମାତୃଭୂମି ପ୍ରତି ଥିବା ପ୍ରତିବଦ୍ଧତାର ଝଲକ ସମ୍ବନ୍ଧରେ ସ୍ପଷ୍ଟ ହୃଦ୍‌ବୋଧ ହୋଇଥିଲା। ନେତାଜୀ ଥିଲେ ଭାରତ ଜନନୀର ବୀରପୁତ୍ର। ଦେଶର ସ୍ବାଧୀନତା, ବିକାଶ ଓ ଦେଶବାସୀଙ୍କ ଉନ୍ନତି ହିଁ ଥିଲା ତାଙ୍କ ଜୀବନ ଲକ୍ଷ୍ୟ। ସେ କେବେ ମଧ୍ୟ ନିଜ ସୁଖ ସମୃଦ୍ଧି, ପଦପଦବୀ ସମ୍ବନ୍ଧରେ କିଞ୍ଚିତ ଚିନ୍ତା ବି କରୁ ନ ଥିଲେ। ଅର୍ଥାତ୍‌ ବ୍ୟକ୍ତିଗତ ସ୍ବାର୍ଥ ବା ଉଚ୍ଚ ହେବାର ଲାଳସା ଅପେକ୍ଷା ରାଷ୍ଟ୍ରସ୍ବାର୍ଥ ହିଁ ଥିଲା ତାଙ୍କ ପାଇଁ ସର୍ବୋପରି।
ଥରେ ଜାପାନ ପ୍ରଧାନମନ୍ତ୍ରୀ ଜେନେରାଲ ତୋଜୋ ଭାଷଣ ପ୍ରସଙ୍ଗରେ କହିଲେ, ନେତାଜୀ ହେବେ ସ୍ବାଧୀନ ଭାରତର ସର୍ବେସର୍ବା। ଏହା ଶୁଣିବା କ୍ଷଣି ନେତାଜୀ ଦୃଢ଼ ପ୍ରତିବାଦ କରି କହିଲେ- ଏପରି ମନ୍ତବ୍ୟ ଦେବାରେ ଜେନେରାଲ ତୋଜୋଙ୍କ କୌଣସି ଅଧିକାର ନାହିଁ। ସ୍ବାଧୀନ ଭାରତରେ କିଏ କ’ଣ ହେବେ ତାହାର ସିଦ୍ଧାନ୍ତ ଗ୍ରହଣ କରିବେ ଭାରତବାସୀ। ମୁଁ ହେଉଛି ଭାରତମାତାର ଜଣେ ଦୀନହୀନ ସେବକ ମାତ୍ର। ଭାରତର ସର୍ବେସର୍ବା ହେବାର ଯୋଗ୍ୟତା ରହିଛି ମହାତ୍ମା ଗାନ୍ଧୀ, ମୌଲାନା ଆବୁଲ କାଲାମ ଆଜାଦ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କର। ନେତାଜୀଙ୍କ ଏଭଳି କଡ଼ା ସନ୍ଦେଶ ଜେନେରାଲ ତୋଜୋଙ୍କୁ ବିସ୍ମିତ କରିଥିଲା। ନିଜ ଜୀବନ, ଯୌବନ, ବ୍ୟକ୍ତିଗତ ଓ ପାରିବାରିକ ସୁଖ ସମୃଦ୍ଧି, ଆଇସିଏସ୍‌ ଚାକିରି ଏଭଳି ଅନେକ ପଦପଦବୀ ଓ ବଡ଼ଲୋକି ହେବାର ସମ୍ଭାବନାକୁ ପରିହାର କରି ଜଣେ ମାତୃଭକ୍ତ ଭାବେ ମାତୃଭୂମିର ଉନ୍ନତିରେ ନିଜ ଜୀବନକୁ ତିଳତିଳ କରି ସଳିତା ଭଳି ଜାଳି ଦେଇ ନିଜକୁ ଜଣେ ବାସ୍ତବ ରାଷ୍ଟ୍ରଭକ୍ତର ଯେଉଁ ଉଦାହରଣ ସୃଷ୍ଟି କରି ଯାଇଛନ୍ତି, ତାହା ଯୁଗ ଯୁଗ ଧରି ଦେଶବାସୀଙ୍କୁ ପ୍ରେରଣା ଦେଉଥିବ।
ଆଜି ପରାକ୍ରମ ଦିବସ। ଅର୍ଥାତ୍‌ ସେହି ମହାନ୍‌ ଆତ୍ମା ନେତାଜୀଙ୍କ ପବିତ୍ର ଜନ୍ମଦିନ। ସାରା ଦେଶ ଆଜି ସ୍ମରଣ କରୁଛି ମହାନ୍‌ ତ୍ୟାଗୀ, ଭାରତମାତାଙ୍କ ପ୍ରକୃତ ଉପାସକ ତଥା ଜଣେ ପ୍ରଚଣ୍ଡ ଦେଶଭକ୍ତଙ୍କ ସଂଘର୍ଷ ଓ ସଂଘାତର ବିଜୟଗାଥା। ଜଣେ ବୀର ଯବାନଭଳି ନେତାଜୀ ନିଜ ଜୀବନକୁ ରାଷ୍ଟ୍ରମାତାର ହିତରେ ସମର୍ପି ଦେଇ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ଅନୁକରଣ ଓ ଅନୁସରଣ କରିବାର ପ୍ରକୃତ ସମୟ ଉପନୀତ। ଯୁବସମାଜ ଦେଶ ମାତୃକାର ସେବା ପାଇଁ ନିଜକୁ ସମର୍ପିତ କରିବା ଉଚିତ। ଅଭାବ ଅସୁବିଧାରେ ଥିବା ଦେଶବାସୀଙ୍କ ମୁହଁରେ ହସ ଫୁଟେଇବା ପାଇଁ ସେମାନେ ଅଗ୍ରଦୂତ ସାଜିପାରିଲେ, ନେତାଜୀଙ୍କ ପ୍ରତି ହେବ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ଓ ସମର୍ପଣ। ତେବେ ଆସନ୍ତୁ ଆମେ ସମସ୍ତେ ନେତାଜୀଙ୍କ ପୁଣ୍ୟ ଅବତରଣ ଦିବସରେ ପ୍ରତିଜ୍ଞା ଓ ପ୍ରତିଶ୍ରୁତିବଦ୍ଧ ହେବା ସହ ରାଷ୍ଟ୍ରମାତାର ବିକାଶରେ ସାମିଲ ହୋଇ ଏକ ସମୃଦ୍ଧ ଭାରତ ନିର୍ମାଣର ବିଶ୍ୱକର୍ମା ହେବା। ପ୍ରଣମ୍ୟ ପ୍ରିୟ ନେତାଜୀ। ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ
ଜୟପୁର, କୋରାପୁଟ, ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଅର୍ଥନୀତି/ ଆହୁରି ସଂସ୍କାର ଲୋଡ଼ା

ସମ୍ପ୍ରତି ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ କିପରି ମୁକାବିଲା କରାଯିବ, ସେ ନେଇ ସରକାର କିଛି ବାଟ ପାଉ ନ ଥିବା ମନେହେଉଛି। ଏହା ବିଭିନ୍ନ ବର୍ଗର...

ବିଶ୍ୱର ଫାର୍ମାସୀ ଭାରତ

ଡ. ନରେନ୍ଦ୍ର ସେଠୀ ଟିକା ନେବା ରୋଗ ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା। ଏହା ଆମ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରେ।...

ମୁଣ୍ଡର ମୂଲ୍ୟ

ହରେକୃଷ୍ଣ ଦାସ ସେଦିନ ପ୍ରାତଃ ଭ୍ରମଣରୁ ଫେରିବା ବେଳେ ରଥ ମଉସାଙ୍କୁ ତାଙ୍କ ଘର ଗେଟ୍‌ ପାଖରେ ଦେଖି ଅଟକିଯିିବା ମାତ୍ରେ ସେ ମୋ ସହ...

ପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସମାନତା

ମାନେକା ଗାନ୍ଧୀ ପାଶ୍ଚାତ୍ୟ ଦର୍ଶନ କେବଳ ମଣିଷ ଓ ପ୍ରାଣୀ (ମୁଖ୍ୟତଃ ମଣିଷ ଓ ପଶୁ)ଙ୍କ ମଧ୍ୟରେ ଏକ ବିଭାଜନ ରେଖା ଟାଣିଦେଇଛି। ପୃଥିବୀରେ ସ୍ବାଭାବିକ...

ଏଇ ଭାରତରେ

ଜୀବନରେ ସାଂଘାତିକ ରୋଗର ଝଟ୍‌କା ପାଇବା ପରେ ସେଥିରୁ ବଞ୍ଚିଯାଇଥିବା ବହୁ ବ୍ୟକ୍ତିଙ୍କ ସେବାରେ ଜଡ଼ିତ ରହିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରେ...

ଆମୂଳ ପରିବର୍ତ୍ତନ ସମ୍ଭାବନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ତିରିଶ ବର୍ଷ ଭିତରେ ପ୍ରଥମ ଥର ପାଇଁ ସରକାର ସମସ୍ତ ସେବାର ଅଧିକାରୀମାନଙ୍କ ପୂର୍ଣ୍ଣାଙ୍ଗ ବିବରଣୀ (ପ୍ରୋଫାଇଲ) ସଂଗ୍ରହ କରିବାକୁ...

ନାରୀ ନିର୍ଯାତନା କାହିଁକି

ଡ. ରମେଶଚନ୍ଦ୍ର ପରିଡ଼ା ଆମ ସଂସ୍କୃତିରେ ନାରୀକୁ ସମ୍ମାନାସ୍ପଦ ସ୍ଥାନ ପ୍ରଦାନ କରାଯାଇ ଆସିଛି। ସେଇଥିପାଇଁ କୁହାଯାଏ ଯେ, ନାରୀ ଯେଉଁଠି ପୂଜାପାଏ ସେଠାରେ ଦେବତା...

ସ୍ଥଳସେନାର ସର୍ବେସର୍ବା

ଜିତେନ୍ଦ୍ର କୁମାର ନାୟକ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଯୁଦ୍ଧ ଆହୁରି କେତେ ଦିନ ଚାଲିବ ଓ ସମାଧାନର...

Advertisement
Archives

Model This Week