ପୃଥିବୀ ନିଶ୍ଚିହ୍ନ ହେବ କି

ଡ. ନିଖିଳାନନ୍ଦ ପାଣିଗ୍ରାହୀ
କେହି ରହି ନାହିଁ ରହିବେ ନାହିଁଟି ଭବ ରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବଳେ।“ (ରାଧାନାଥ ରାୟ) ଏହି ସୁବିଦିତ ପଦ୍ୟାଂଶରେ ପୃଥିବୀକୁ ଏକ ରଙ୍ଗମଞ୍ଚ ହିସାବରେ କଳ୍ପନା କରାଯାଇଛି। ଏଠାରେ ଆମେ ପ୍ରତ୍ୟେକେ ଜଣେ ଜଣେ ଅଭିନେତା, ନିଜ ନିଜ ଅଭିନୟ ସରିଯିବା ପରେ ଆମେ ଇହଲୀଳା ସମ୍ବରଣ କରି ଏଠାରୁ ବିଦାୟ ନେବା।
ମଣିଷ-ସମାଜ ପାଇଁ ଉଦ୍ଦିଷ୍ଟ ଏହି ଉପମାକୁ କେହି କେହି ସମଗ୍ର ଜୀବଜଗତ ସକାଶେ ପରିବର୍ଦ୍ଧିତ କରିପାରନ୍ତି। ଫଳରେ ସୀମିତ ପରିସରରେ ଆବଦ୍ଧ ନ ରହି ବିଷୟଟିର ଗଭୀର ଓ ବିସ୍ତୃତ ବିଶ୍ଳେଷଣ କରାଯାଇପାରିବ। ସଚରାଚର ଧରାଧାମରେ ଉଭୟ ସ୍ଥାବର ଓ ଜଙ୍ଗମ ସତ୍ତା ବିଦ୍ୟମାନ। ସ୍ଥାବର ଶ୍ରେଣୀରେ ଗତିହୀନ ବୃକ୍ଷ, ପର୍ବତ ଇତ୍ୟାଦି ପରିଦୃଷ୍ଟ ହୁଅନ୍ତି। ଏମାନଙ୍କ ମଧ୍ୟରେ ପୁଣି ବୃକ୍ଷ ପରି ସଜୀବ ଓ ପାହାଡ ପରି ନିର୍ଜୀବ ଅନ୍ତର୍ଭୁକ୍ତ। ସଜୀବ ବିଷୟ ବିଚାର କରିବା ବେଳେ ଆମେ ଗଛମାନଙ୍କୁ ଦୃଷ୍ଟାନ୍ତ ଭାବେ ନେଇପାରୁ। ଏହାର ଜୀବନ-ଚକ୍ରର ତିନୋଟି ଭାଗ ହେଉଛି ଉତ୍ପତ୍ତି, ବିକାଶ ଓ ବିନାଶ। କ୍ଷୁଦ୍ର ହେଉ ବା ବୃହତ୍‌, ପ୍ରତ୍ୟେକଟି କ୍ଷେତ୍ରରେ ଏହା ରୀତିମତ ଦେଖାଯାଏ। ପ୍ରଶ୍ନ ଉଠୁଛି ଯଦି ଗଛଟିଏ ମରିଯାଏ ଏବଂ କାଳକ୍ରମେ ବିଲୁପ୍ତ ହୋଇଯାଏ, ସେତେବେଳେ ମୋଟାମୋଟି ଭାବେ ପୃଥିବୀର ବସ୍ତୁତ୍ୱ ହ୍ରାସ ପାଏ କି?
ବସ୍ତୁତ୍ୱ ହେଉଛି କୌଣସି ପଦାର୍ଥରେ ଥିବା ବସ୍ତୁର ପରିମାଣ। ବିଜ୍ଞାନର ସଂଜ୍ଞା ଅନୁସାରେ, ବସ୍ତୁତ୍ୱ ଅପରିବର୍ତ୍ତନୀୟ, କିନ୍ତୁ ଓଜନ ସ୍ଥାନ ଉପରେ ନିର୍ଭରଶୀଳ। ତେଣୁ ଆମେ ବସ୍ତୁତ୍ୱକୁ ହିସାବକୁ ନେବା। ଗଛର ଉପାଦାନ ହେଉଛି ମୁଖ୍ୟତଃ କାର୍ବନ ଓ ଅକ୍ସିଜେନ। ଏହା ସେ ବାୟୁଠାରୁ ଆହରଣ କରିଥାଏ। ଭୂପୃଷ୍ଠର ନିକଟସ୍ଥ ଅଙ୍ଗାରକାମ୍ଳ ଗ୍ୟାସ କାର୍ବନ ଯୋଗାଏ। ଗଛ ଆଲୋକ-ସଂଶ୍ଳେଷଣ ଦ୍ୱାରା ଶକ୍ତି ପାଇଥାଏ। ପୁଣି ବିନା ଜଳରେ ଗଛ ତିଷ୍ଠିପାରିବ ନାହିଁ। ଏଥିପାଇଁ ଭୂତଳ ଜଳ ଓ ବର୍ଷା ପାଣି ସହାୟକ ହୁଅନ୍ତି। ମୋଟାମୋଟି ଭାବେ ଗଛର ଉପାଦାନମାନ ଆରମ୍ଭରୁ ଆମ ପୃଥିବୀରେ ଥାଆନ୍ତି। ଗଛ ମରିଯିବା ପରେ ଏଇ ସମସ୍ତ ଅଣୁ ପୃଥିବୀ ବାହାରକୁ ନ ଯାଇ ଆମ ପୃଥିବୀରେ ହିଁ ରହନ୍ତି। ତେଣୁ ଗଛ ମରୁ ବା ବଞ୍ଚୁ ପୃଥିବୀର ବସ୍ତୁତ୍ୱ ଯଥାପୂର୍ବଂ ତଥା ପରମ୍‌। ଅବଶ୍ୟ ମୃତ୍ୟୁ ପରେ ବୃକ୍ଷର ଅଣୁମାନ ଗଛର ଶରୀରରୁ ସ୍ଥାନାନ୍ତରିତ ହୋଇଥାନ୍ତି। ତେଣୁ ପୃଥିବୀର ବସ୍ତୁତ୍ୱ ଉପରେ ଏହାର ନକାରାତ୍ମକ ପ୍ରଭାବ ନାହିଁ। ପୃଥିବୀର ବସ୍ତୁତ୍ୱ ହିସାବ କରିବାବେଳେ ବାୟୁମଣ୍ଡଳ ଓ ସେଥିରେ ବିଦ୍ୟମାନ ଧୂଳିକଣା, ତଥା ମହାକାଶରୁ ପ୍ରବେଶ କରିଥିବା ମହାଜାଗତିକ ଅଣୁ ଇତ୍ୟାଦିକୁ ଯୋଗ କରାଯାଏ। ଏହି ମହାଜାଗତିକ ଅଣୁରେ ଧୂମକେତୁର ଲାଞ୍ଜ, ଗ୍ରହାଣୁ, ସୂର୍ଯ୍ୟ ଦ୍ୱାରା ସୃଷ୍ଟ ଆୟନ ଇତ୍ୟାଦି ରହିଥାଏ। ଏହି ପ୍ରକାରେ ବହିରାଗତ ଅଣୁ ପ୍ରତି ମୁହୂର୍ତ୍ତରେ ଭୂପୃଷ୍ଠ ବା ବାୟୁମଣ୍ଡଳରେ ଜମା ହେଉଥିବାରୁ ପୃଥିବୀର ବସ୍ତୁତ୍ୱ ବଢିଯାଏ। ପ୍ରତିଦିନ ଏହି ବୃଦ୍ଧିର ପରିମାଣ ତେୟାଳିଶ ଟନ। କିନ୍ତୁ ପୃଥିବୀର ବସ୍ତୁତ୍ୱ ତୁଳନାରେ ଏହା ଅତି ନଗଣ୍ୟ।
ଅବଶ୍ୟ ଆମ ବାୟୁମଣ୍ଡଳର ଅଣୁମାନ ବିଭିନ୍ନ କାରଣରୁ ଖସି ମହାକାଶକୁ ଚାଲିଯିବା କଥା। କିନ୍ତୁ ପୃଥିବୀର ବସ୍ତୁତ୍ୱ ଅଧିକ ହୋଇଥିବାରୁ ପୃଥିବୀର ମାଧ୍ୟାକର୍ଷଣ ଏହାକୁ ଟାଣି ବାନ୍ଧି ରଖିଥାଏ। ତତ୍‌ ସହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆୟନମାନଙ୍କୁ ନିୟନ୍ତ୍ରଣ କରିଥାଏ। ତଥାପି କିଛି କିଛି ହାଇଡ୍ରୋଜେନ, ହିଲିୟମ ପରି ହାଲୁକା ଗ୍ୟାସ ଆମ ବାୟୁମଣ୍ଡଳରୁ ଖସିଯାଏ। ଆମର ମେରୁ ଅଞ୍ଚଳରେ ଏହି ପ୍ରକ୍ରିୟା ଅଧିକ ମାତ୍ରାରେ ସଂଘଟିତ ହୋଇଥାଏ। ସୂର୍ଯ୍ୟ ଦ୍ୱାରା ଜାତ ଆୟନମାନ ସାଧାରଣତଃ ଇଲେକ୍ଟ୍ରୋନ ଓ ପ୍ରୋଟନ ହୋଇଥାନ୍ତି। ସୌର ପବନ ସେକେଣ୍ଡ ପିଛା ୯୦୦ କିଲୋମିଟର ଯାଏ ଗତିଶୀଳ। ଏହି ଆୟନଗୁଡିକର ତାପମାତ୍ରା ଏକ ନିୟୁତ ଡିଗ୍ରୀ ସେଲସିୟସ୍‌। ଏମାନେ ଅତି ଶକ୍ତିଶାଳୀ। ପୃଥିବୀର ମେରୁ ଅଞ୍ଚଳରେ ଜମି ରହୁଥିବା ହାଲୁକା ଗ୍ୟାସ୍‌ ସହ ସୂର୍ଯ୍ୟରୁ ନିର୍ଗତ ଶକ୍ତିଶାଳୀ ଆୟନର ପ୍ରତିକ୍ରିୟା ସ୍ବରୂପ ମେରୁ-ପବନ ସୃଷ୍ଟି ହୁଏ। ସୌର-ପବନ ଓ ମେରୁ-ପବନ ମଧ୍ୟରେ ପ୍ରତିକ୍ରିୟା ଦ୍ୱାରା ବାୟୁମଣ୍ଡଳରୁ କିଛି ହାଲୁକା ଗ୍ୟାସ ଖସି ଚାଲିଯାନ୍ତି। ତେଣୁ ପ୍ରତିଦିନ ଶହ ଶହ ଟନ ଗ୍ୟାସ ପୃଥିବୀ ହରାଏ। ଏଥିରୁ ପୃଥିବୀର ବସ୍ତୁତ୍ୱ କ୍ରମଶଃ କମିବାରେ ଲାଗିଛି। ଏହି ମହାଜାଗତିକ କାରଣରୁ ପୃଥିବୀର ବସ୍ତୁତ୍ୱ ପ୍ରତି ବିପଦ ଦେଖାଦେଇଛି। ହୁଏତ ଏହି ପ୍ରକ୍ରିୟାରେ ପୃଥିବୀର ବାୟୁମଣ୍ଡଳ ସୁଦୂର ଭବିଷ୍ୟତରେ ନିଶ୍ଚିହ୍ନ ହୋଇପାରେ ବୋଲି କେହି କେହି ମତ ଦେଇପାରନ୍ତି। କିନ୍ତୁ କିଛି ବୈଜ୍ଞାନିକ ମତପୋଷଣ କରିଛନ୍ତି ଯେ, ଏହି ଅଘଟଣରୁ ଆମ ଗ୍ରହ ବାୟୁଶୂନ୍ୟ ହେବା ପୂର୍ବରୁ ଅନ୍ୟ କାରଣ ପାଇଁ ଖୋଦ୍‌ ସୂର୍ଯ୍ୟ ମୃତ ହୋଇଯିବ। ସୂର୍ଯ୍ୟ ପୃଥିବୀ ପାଇଁ ସମସ୍ତ ଶକ୍ତିର ଆଧାର। ତେଣୁ ସୂର୍ଯ୍ୟ ଯଦି ଆଗୁଆ ମୃତ୍ୟୁବରଣ କରିବ ତେବେ ପୃଥିବୀର ମରଣ ଉପରେ ଗୁରୁତ୍ୱ ଦେବା ଅନାବଶ୍ୟକ। କାରଣ ସେତେବେଳକୁ ପୃଥିବୀ ଓ ସୂର୍ଯ୍ୟ ଏକାସାଙ୍ଗରେ ମୃତ ହୋଇଯାଇଥିବେ।
ବ୍ରହ୍ମପୁର, ମୋ-୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri