ପୂର୍ବ ଯୋଜନାର ଫଳ ଏମିତି

ସହରାଞ୍ଚଳ ବିକାଶ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରତିବର୍ଷ ମାଳମାଳ ଯୋଜନା ଓ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ବିଶେଷକରି ସ୍ବାୟତ୍ତଶାସନ ଦିବସରେ ସର୍ବାଧିକ ପ୍ରକଳ୍ପ ଘୋଷଣା ସହ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦ୍‌ଘାଟନ ତଥା ଶିଳାନ୍ୟାସ କରାଯାଉଛି। ହେଲେ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ବହୁ ପ୍ରକଳ୍ପ ଏବେବି ଫଳକରେ ସୀମିତ ରହିଛି। ଶନିବାର ସ୍ବାୟତ୍ତଶାସନ ଦିବସ। ପ୍ରତିବର୍ଷ ଭଳି ବିଏମ୍‌ସି ଏବର୍ଷ ମଧ୍ୟ ସହରବାସୀଙ୍କୁ ଶତାଧିକ ପ୍ରକଳ୍ପ ଭେଟି ଦେଇ ସୁନେଲି ସ୍ବପ୍ନ ଦେଖାଇବ। ହେଲେ ପୂର୍ବର ଫଳ ଆଗାମୀ ଯୋଜନାର ସଫଳତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସ୍ବେରେଜ ବଢ଼ାଇଛି ଚିନ୍ତା
ରାଜଧାନୀର ତରଳ ବର୍ଜ୍ୟକୁ ବିଶୋଧନ କରିବା ପାଇଁ ‘ଇଣ୍ଟିଗ୍ରଟେଡ୍‌ ସ୍ବରେଜ ସିଷ୍ଟମ’ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୨୦୧୦ରୁ ରାଜଧାନୀରେ ରାସ୍ତା ଖୋଳାଯାଇ ପାଇପ୍‌ ବିଛାଯିବା ସହ ମ୍ୟାନ୍‌ହୋଲ କରାଯାଉଛି। ୨୦୧୩ରୁ ୪ ସ୍ଥାନରେ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ସେଗୁଡିକ କାର୍ଯ୍ୟକ୍ଷମ ହୋଇପାରିନି। ଅନ୍ୟପକ୍ଷରେ ସହରରେ ମନଇଚ୍ଛା ସ୍ବେରେଜ ଲାଇନ୍‌ ପାଇଁ ୧୦ଫୁଟ ଗଭୀର ଗାତ ଖୋଳି ଛାଡ଼ି ଦିଆଯାଉଥିବାରୁ ମାସ ମାସ ଧରି ଲୋକେ ହଟହଟା ହେବା ସହ ନାନା ଆଶଙ୍କାରେ ରହୁଛନ୍ତି।

ଜଳବନ୍ଦୀ ଯନ୍ତ୍ରଣା
ସାମାନ୍ୟ ବର୍ଷା ହେଲେ ଭୁବନେଶ୍ୱରରେ ପ୍ରତିବର୍ଷ ଜଳବନ୍ଦୀ ସମସ୍ୟା ଉପୁଜୁଛି। ଜାତୀୟ ରାଜପଥଠାରୁ ଆରମ୍ଭ କରି କଲୋନୀ ରାସ୍ତାରେ ବି କାର୍‌ ଭାସିଯାଉଛି। ସହରବାସୀ ଜଳବନ୍ଦୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସହରରେ ୬୭ ଓ୍ବାର୍ଡରେ ୬୫୦ କି.ମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କି.ମିର ମୁଖ୍ୟ ଡ୍ରେନ୍‌ ରହିଛି। ଠିକ୍‌ ଭାବେ ସଫେଇ ଓ ଆବଶ୍ୟକ ସମ୍ପ୍ରସାରଣ ନ ହେବା ଯୋଗୁ ଜଳ ନିଷ୍କାସିତ ହୋଇ ନ ପାରି ସହରକୁ ବୁଡାଉଛି। ଅନ୍ୟପକ୍ଷରେ ମୁକୁଳା ଡ୍ରେନ୍‌ ପ୍ରତିବର୍ଷ ଜୀବନ ନେଉଛି। ଗତ ଜୁଲାଇ ମାସରେ ନୟାପଲ୍ଲୀ ଅଞ୍ଚଳର ବୃଦ୍ଧା ଟି ଆକାମ୍ମା ଭିଲ୍ଲା ଛକରେ ବର୍ଷା ପାଣିରେ ଭାସିଯାଇ ଡ୍ରେନ୍‌ରେ ପଶିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି।

ସ୍ମାର୍ଟସିଟିରେ ନଂ.୧, ସ୍ବଚ୍ଛ ସର୍ବେକ୍ଷଣରେ ପଛରେ
ଦେଶରେ ନଂ.୧ ସ୍ମାର୍ଟ ସିଟି ଭାବେ ଭୁବନେଶ୍ୱର ରହିଛି ସତ, କିନ୍ତୁ ସ୍ବଚ୍ଛତା ସର୍ବେକ୍ଷଣରେ ବହୁ ପଛରେ ରହିଛି। କ୍ରମାଗତ ଭାବେ ବିଏମ୍‌ସି ଖରାପ ପ୍ରଦର୍ଶନ କରି ଚାଲିଛି। ଏହି ତାଲିକାରେ ୨୦୧୭ରେ ଭୁବନେଶ୍ୱର ୯୪ତମ ସ୍ଥାନରେ ରହିଥିବାବେଳେ ୨୦୧୮ରେ ୨୧୮ତମ ଓ ୨୦୧୯ରେ ୨୮୮ ତମ ସ୍ଥାନକୁ ଖସି ଆସିଛି। ଲୋକଙ୍କ ମତାମତ, କେନ୍ଦ୍ରୀୟ ଟିମ୍‌ଙ୍କ କ୍ଷେତ୍ର ପରିଦର୍ଶନ, ସାର୍ଟିଫିକେଶନ ଓ ସେବା ସ୍ତରରେ ପ୍ରଗତିକୁ ମାନଦଣ୍ଡ କରି ଏହି ସର୍ବେକ୍ଷଣ କରାଯାଇଥିଲା। ଆଗକୁ ପୁଣି ଏହି ସର୍ବେକ୍ଷଣ ହେବାକୁ ଥିବାରୁ ବିଏମ୍‌ସିକୁ ଏକ୍ଷେତ୍ରରେ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ନାମକୁ ମାତ୍ର ପ୍ଲାଷ୍ଟିକ୍‌ ବ୍ୟାନ୍‌
ଗତବର୍ଷ ଗାନ୍ଧୀ ଜୟନ୍ତୀରୁ ସହରରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ କରାଯାଇଥିଲା। କିଛିଦିନ ଧରି ବ୍ୟାପକ ଚଢ଼ାଉ ଓ ପଦକ୍ଷେପ ନିଆଗଲା। ତା’ରେ ସବୁକିଛି ପୂର୍ବଭଳି ଚାଲିଲା। ମନେ ପଡ଼ିଯିବା ପରେ ଗତ ଜୁନ ଓ ଜୁଲାଇ ମାସରେ ପୁଣି ଚଢାଉ କରାଯାଇଥିଲେ ମଧ୍ୟ ଏହାର କିଛି ବି ଫରକ ପଡ଼ିଲାନି। ଏବେ ବି ବେଧଡ଼କ ନିଷେଧ ପଲିଥିନ ବ୍ୟବହାର ହେଉଛି। ଏଥିଯୋଗୁ ସହରରେ ଆବର୍ଜନା ସମସ୍ୟା ବଢ଼ିବା ସହ ପରିବେଶ ପ୍ରଦୂଷିତ ହେଉଛି।

ସୁଧୁରିଲାନି ବର୍ଜ୍ୟ ପରିଚାଳନା, ଭଙ୍ଗା ଡଷ୍ଟବିନ୍‌ରେ ଚଳୁଛି କାମ
ସହରରେ ଦୈନିକ ୬୦୦ଟନ ଅଳିଆ ଆବର୍ଜନା ବାହାରୁଛି। ପରିଚାଳନା ଭାର ଠିକା ସଂସ୍ଥା ନେଇଛି। ବିଏମ୍‌ସି ଏବାବଦକୁ ବହୁ କୋଟି ଟଙ୍କା ଦେଉଥିଲେ ମଧ୍ୟ ଠିକ୍‌ ତଦାରଖ କରୁ ନ ଥିବାରୁ ଠିକା ସଂସ୍ଥା ମନମୁଖି କାର୍ଯ୍ୟ କରୁଛି। ବିନା ଘୋଡ଼ଣୀରେ ଅଳିଆ ଉଠାଇବା, ଭଙ୍ଗା ଡଷ୍ଟବିନ ବ୍ୟବହାର ଓ ଦୀର୍ଘଦିନ ଅଳିଆ ପଡ଼ି ରହୁଥିବା ଦେଖିବାକୁ ମିଳୁଛି। ଓ୍ବାର୍ଡଗୁଡିକରେ ରଖାଯାଇଥିବା ଡଷ୍ଟବିନଗୁଡ଼ିକର ଦୟନୀୟ ସ୍ଥିତି ଦେଖିଲେ ସହରର ପରିମଳ ବ୍ୟବସ୍ଥାର ଅସଲ ଚେହେରା ବାରିହୋଇପଡୁଛି।
କାର୍ଯ୍ୟରେ ଆସୁନି ଅତ୍ୟାଧୁନିକ ମାଛ, ମାଂସ ମାର୍କେଟ
ଭୁବନେଶ୍ୱରର ବିଭିନ୍ନ ବଜାର ଓ ରାସ୍ତାପାର୍ଶ୍ୱରେ ମାଛ, ମାଂସ କଟାଯାଉଥିବାରୁ ଦୁର୍ଗନ୍ଧ ହେଉଚି। ସହରର ପରିବେଶ ସହ ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁ ୯କୋଟି ଟଙ୍କା ବ୍ୟୟରେ ଗାଡ଼କଣରେ ଅତ୍ୟାଧୁନିକ ମାଛ, ମାଂସ ମାର୍କେଟ ନିର୍ମାଣ କରାଗଲା। ଇତିମଧ୍ୟରେ ଉଦ୍‌ଘାଟନ ସରିଥିଲେ ମଧ୍ୟ ବ୍ୟବସାୟୀଙ୍କୁ ବଣ୍ଟନ କରାଯାଉ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରିନି।
ଫ୍ରୁଟ ମାର୍କେଟ ଭିତ୍ତିପ୍ରସ୍ତରକୁ ୪ ବର୍ଷ ବିତିଲା
ଫଳ ବ୍ୟବସାୟୀମାନେ ସହରର ରାସ୍ତାକୁ କବ୍‌ଜା କରି ବେପାର କରୁଛନ୍ତି। ଏଠିସେଠି ଫଳ ଆବର୍ଜନା ପକାଇବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ସୁବ୍ୟବସ୍ଥିତ ଫ୍ରୁଟ୍‌ ମାର୍କେଟ ସ୍ଥାପନ ଉଦ୍ଦେଶ୍ୟରେ ୨୦୧୫ରେ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂକୁ ଲାଗି ୩ ମହଲାବିଶିଷ୍ଟ କୋଠା ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିଲା। ୬ମାସ ମଧ୍ୟରେ ସାରିବାକୁ କୁହାଯାଇଥିଲେ ମଧ୍ୟ ଏଯାଏ କାର୍ଯ୍ୟକ୍ଷମ ହୋଇପାରିନି।
ବେଆଇନ ପାର୍କିଂରେ ଲାଗିପାରିଲାନି ଅଙ୍କୁଶ
ଏପର୍ଯ୍ୟନ୍ତ ସୁବ୍ୟବସ୍ଥିତ ହୋଇପାରିଲାନି ପାର୍କିଂ ବ୍ୟବସ୍ଥା। ରାସ୍ତା ଉପରେ ରହୁଛି ଗାଡ଼ି। ପୁଣି ବିଏମ୍‌ସି ଲୋଗୋ ବ୍ୟବହାର କରି ବେଆଇନ ପାର୍କିଂ ଫି’ ଆଦାୟ କରାଯାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ୪ ନମ୍ବର ମାର୍କେଟ, ଅଶୋକ ନଗର, ୟୁନିଟ୍‌-୩, ଜନପଥ, ବାପୁଜୀ ନଗର, ୟୁନିଟ-୫, ରେଳଷ୍ଟେଶନ ସମେତ ବିଭିନ୍ନ ମାର୍କେଟ ନିକଟରେ ବେଆଇନ ପାର୍କିଂସ୍ଥଳ କରାଯାଇ ଲୋକଙ୍କୁ ଶୋଷଣ କରାଯାଉଛି।
ଜବରଦଖଲମୁକ୍ତ ସହର ଉଦ୍ୟମ ଫେଲ୍‌
ସହରର ବହୁ ସରକାରୀ ଜମି ଏବେ ମାଫିଆଙ୍କ କବ୍‌ଜାରେ। ରାତି ପାହିଲେ ବେଆଇନ ନିର୍ମାଣ ଦେଖିବାକୁ ମିଳୁଛି। ବସ୍ତିଠାରୁ ଆରମ୍ଭ କରି ସରକାରୀ କ୍ୱାଟର୍ସ ସବୁଠି ଏବେ ଜବରଦଖଲର ଚିତ୍ର। ଉଚ୍ଛେଦ ପରେ ବି ପୁଣି ଦଖଲ ହେଉଛି। ପରବର୍ତ୍ତୀ ପଦକ୍ଷେପ ନିଆଯାଉ ନ ଥିବାରୁ ଜବରଦଖଲ ବଢ଼ି ଚାଲିଛି। ଅନ୍ୟପକ୍ଷରେ ଉଚ୍ଛେଦ ହେଉଥିବା ବ୍ୟବସାୟୀ ଓ ବସ୍ତବାସିନ୍ଦାଙ୍କୁ ଥଇଥାନ ସମସ୍ୟା ଯୋଗୁ ବିଏମ୍‌ସିର ଜବରଦଖଲମୁକ୍ତ ସହର ଉଦ୍ୟମ ଫେଲ୍‌ ମାରିଛି।

୧ ନଂ. ହାଟ ନବୀକରଣ ପ୍ରହସନ
ରାଜଧାନୀର ସବୁଠାରୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ ହେଉଛି ୧ ନଂ. ହାଟ। ସ୍ବାୟତ୍ତ ଶାସନ ଦିବସ ପାଖେଇ ଆସିଲେ ହାଟ କଥା ମନେପଡ଼େ। ନୂଆରୂପ ଦେବାକୁ ବହୁ ଯୋଜନା ହୁଏ। ୨୦୧୫ରୁ ୨୦୧୭ ତିନିବର୍ଷ ସ୍ବାୟତ୍ତ ଶାସନ ଦିବସରେ ଏହି ହାଟର ନବୀକରଣ ସହ ମଲ୍ଟି ଫ୍ୟାସିଲିଟି ଉପଲବ୍ଧ ଲାଗି ଯୋଜନା

କୁଆଡ଼େ ଗଲା ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖ ଫୁଟ୍‌ ଓଭରବ୍ରିଜ୍‌
ପ୍ରତିଦିନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରୀ, ଅଭିଭାବକ, ଅଧ୍ୟାପକ ଓ ସାଧାରଣ ଲୋକେ ରାସ୍ତା ଅତିକ୍ରମ କରିଥାନ୍ତି। ତେଣୁ ଏଠାରେ ଫୁଟ୍‌ ଓଭରବ୍ରିଜ୍‌ କରିବା ଲାଗି ୨୦୧୧ ସ୍ବାୟତ୍ତ ଶାସନ ଦିବସରେ ତତ୍‌କାଳୀନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ସଞ୍ଜୀବ ସାହୁ, ଏମ୍‌ପି ପ୍ରସନ୍ନ ପାଟଶାଣୀଙ୍କ ଦ୍ୱାରା ଭିିତ୍ତିପ୍ରସ୍ତର ପଡ଼ିଥିଲା। ୮ବର୍ଷ ବିତିଯାଇଥିଲେ ମଧ୍ୟ କେବଳ ଫଳକରେ ସୀମିତ ରହିଛି ଫୁଟ୍‌ ଓଭରବ୍ରିଜ ଓ ଏବେବି ଛାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ରାସ୍ତା ଅତିକ୍ରମ କରୁଛନ୍ତି। ବିଏମ୍‌ସି ନୀରବଦ୍ରଷ୍ଟା ସାଜିଛି।

ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ କମୁଛି
ଭୁବନେଶ୍ୱରରେ ହୋଲ୍‌ଡିଂ ଟ୍ୟାକ୍ସରେ ବ୍ୟାପକ ଘୋଟାଲା ଦେଖିବାକୁ ମିଳୁଛି। ଟ୍ୟାକ୍ସ ଫାଙ୍କିବା ଅବା ବ୍ୟବସାୟିକ ପ୍ରତିଷ୍ଠାନକୁ ଘରୋଇ ଦର୍ଶାଇ କମ୍‌ ଟ୍ୟାକ୍ସ ଦିଆଯାଉଛି। ଟ୍ୟାକ୍ସ କଲେକ୍ଟରମାନେ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବିଏମ୍‌ସି କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି।

ରିପୋର୍ଟ: ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୨୧୯ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୩୨ ଶିଶୁ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୮,୨୨୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଖାଦ୍ୟ, ପାଣି ଆଶାରେ ଗାଁ ମୁହାଁ ବନ୍ୟଜନ୍ତୁ: ଉଦ୍ଧାର ହରିଣକୁ ଜଙ୍ଗଲରେ ଛାଡ଼ିଲା ଅସ୍ତରଙ୍ଗ ବନବିଭାଗ

କାକଟପୁର,୧୯।୬(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ବଡ଼ ସିରେଇ ଗ୍ରାମରୁ ଅସ୍ତରଙ୍ଗ ବନବିଭାଗ ବୁଧବାର ମଧ୍ୟାହ୍ନରେ ଏକ ହରିଣକୁ ଉଦ୍ଧାର କରି ମୁହାଁଣ ମୁହଁ ଜଙ୍ଗଲରେ...

ଯୁକ୍ତ୨ ପରୀକ୍ଷା: ନୂଆ ପଦ୍ଧତିରେ ସ୍ବଚ୍ଛତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ଯୁକ୍ତ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ନୂଆ ପଦ୍ଧତି ଆପଣାଇଛି। ସିଏଚ୍‌ଏସ୍‌ଇର ଏହି ପରୀକ୍ଷା ସଂସ୍କାର ନୀତିରେ ସରକାରଙ୍କ...

ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି

ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍‌.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ...

୫୬ ବୃଦ୍ଧାଶ୍ରମକୁ ଦିଆଯିବ ମେଡିକାଲ କିଟ୍‌

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟର ୫୬ଟି ବୃଦ୍ଧାଶ୍ରମକୁ ମେଡିକାଲ କିଟ୍‌ ଯୋଗାଇ ଦିଆଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୋମବାର ଏହି...

ସାଇକେଲ ଚଢି ଅଫିସ୍‌ ଆସିଲେ ବିଏମ୍‌ସି, ବିଡିଏ କର୍ମଚାରୀ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ...

ବୁଲେଟ୍‌ ଧକ୍କାରେ କାଉଡ଼ିଆ ଗୁରୁତର

ଫୁଲନଖରା,୨୮।୭(ଡି.ଏନ୍‌.ଏ.)- କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ବମ୍ପକୁଦଠାରେ ଶନିବାର ରାତିରେ ଏକ ବୁଲେଟ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଖବରପାଇ ଟ୍ରାଫିକ ଥାନା ପୋଲିସ...

ନିର୍ନ୍ଦ୍ୱନ୍ଦ୍ୱରେ ବିଜେଡି ସଭାପତି ନିର୍ବାଚିତ ହେଲେ ନବୀନ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁଣି ଥରେ ବିଜୁ ଜନତା ଦଳ(ବିଜେଡି)ର ସଭାପତି ଭାବେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏଥିସହ ୮ମ ଥର ଲାଗି...

Advertisement
Archives

Model This Week