ପକ୍କାଘର: ପୂରଣ ହୋଇପାରୁନି ଧାର୍ଯ୍ୟଲକ୍ଷ୍ୟ

ଭୁବନେଶ୍ୱର,୩୦-୮(ବ୍ୟୁରୋ):ରାଜ୍ୟରେ କଚ୍ଚାଘର ରହିବ ନାହିଁ। ସମସ୍ତଙ୍କୁ ଯୋଗାଇ ଦିଆଯିବ ପକ୍କାଘର। ୨୦୧୯ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର ଏବଂ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତିବର୍ଷ ୫ ଲକ୍ଷ ପକ୍କାଘର ନିର୍ମାଣ କରିବାକୁ ବିଜେଡି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା। ତେବେ ଏହି ଲକ୍ଷ୍ୟ ପୂରଣ କରିବା ନେଇ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଶେଷ ହେଉ ନ ଥିବା ବେଳେ ଠିକ୍‌ ସମୟରେ କେନ୍ଦ୍ରରୁ ଟଙ୍କା ମିଳୁନାହିଁ। ବିଜୁ ପକ୍କାଘର ଯୋଜନା, ଖଣି ଅଞ୍ଚଳ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ, ମତ୍ସ୍ୟଜୀବୀଙ୍କ ପାଇଁ ପକ୍କାଘର ଭଳି ଏମିତି କେତେ କ’ଣ ଯୋଜନା ରହିଛି। ତଥାପି ରାଜ୍ୟରେ ଆଉ କେତେ ହିତାଧିକାରୀ ଘର ପାଇବାକୁ ଯୋଗ୍ୟ ଅଛନ୍ତି  ତାହାର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇପାରୁ ନାହିଁ। ଶୁକ୍ରବାର କେନ୍ଦ୍ର ସରକାରଙ୍କ ମାନବସମ୍ବଳ ମନ୍ତ୍ରଣାଳୟର ଏକ ଟିମ୍‌ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ସରକାର ଚୂଡାନ୍ତ ହିତାଧିକାରୀଙ୍କ ତାଲିକା ଏହି ଟିମ୍‌କୁ ପ୍ରଦାନ କରିବେ। ପଞ୍ଚାୟତିରାଜ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆହୁରି ୨୦ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏଓ୍ବାଇ)- ଗ୍ରାମୀଣରେ ପକ୍କାଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଲିକା ସହ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ କରାଯିବ। ହିତାଧିକାରୀଙ୍କ ତାଲିକା ଦିଆଯିବା ସହ ଫଟୋ ମଧ୍ୟ ମନ୍ତ୍ରଣାଳୟକୁ ପଠାଯିବ। ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ। ତାଲିକା ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ତଥ୍ୟ ସଂଗ୍ରହ କରାଯାଉଛି। ଯେପରି ହିତାଧିକାରୀ ତାଲିକାରେ ଅନିୟମିତତା ନ ହେବ ସେଥିପାଇଁ ଆଧାର ଲିଙ୍କ୍‌କୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି।
ଗୋଟିଏ ପଟେ ରାଜ୍ୟ ସରକାର ନୂତନ ହିତାଧିକାରୀ ସାଉଁଟିବାରେ ବ୍ୟସ୍ତ ରହିଥିବା ବେଳେ ଅନ୍ୟପଟେ ୨୦୧୧ରୁ ୨୦୧୫ ମଧ୍ୟରେ ଇନ୍ଦିରା ଆବାସ ଯୋଜନା (ଆଇଏଓ୍ବାଇ)ରେ ଘର ପାଇଥିବା ୪୮ ହଜାର ହିତାଧିକାରୀଙ୍କୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି। ସେହି ହିତାଧିକାରୀ ୨/୩ଟି କିସ୍ତିରେ ଟଙ୍କା ନେଇ ଘର କରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩୦ଟି ଜିଲାରେ ୪୦,୬୬୯ ହିତାଧିକାରୀ ଇନ୍ଦିରା ଆବାସ ଯୋଜନାରେ ପାଇଥିବା ଘର ନିର୍ମାଣ ଶେଷ କରି ନାହାନ୍ତି। ୨୦୧୩-୧୪ରେ ୮୩୨୨ ଜଣ ହିତାଧିକାରୀ ଦୁଇ ତିନୋଟି କିସ୍ତି ନେଇ ଘର ନିର୍ମାଣ କରି ନ ଥିବାବେଳେ ୨୦୧୪-୧୫ରେ ୧୫,୧୬୩ ଏବଂ ୨୦୧୫-୧୬ରେ ୧୭,୧୮୪ ହିତାଧିକାରୀ ଆଇଏଓ୍ବାଇରେ ଟଙ୍କା ନେଇଥିଲେ ମଧ୍ୟ ଘର ନିର୍ମାଣ ସମ୍ପୂର୍ଣ୍ଣ କରି ନାହାନ୍ତି। ସେହି ହିତାଧିକାରୀଙ୍କ କଚ୍ଚାଘର ଥିଲେ ମଧ୍ୟ ସେମାନଙ୍କୁ ପିଏମ୍‌ଏଓ୍ବାଇରେ ସାମିଲ୍‌ କରାଯାଇ ପାରୁନାହିଁ। ଆଇଏଓ୍ବାଇ କିସ୍ତି ଟଙ୍କା ନ ଫେରାଇଲେ ପିଏମ୍‌ଏଓ୍ବାଇରେ ସେମାନଙ୍କୁ ସାମିଲ କରାଯାଇ ପାରିବ ନାହିଁ। ଯେଉଁ ହିତାଧିକାରୀ କିସ୍ତି ଅର୍ଥ ଫେରାଉ ନାହାନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଏହାସତ୍ତ୍ୱେ ସେମାନେ ନେଇଥିବା ଟଙ୍କା ଫେରସ୍ତ କରୁନାହାନ୍ତି। ଯେଉଁ କେତେଜଣ ହିତାଧିକାରୀ ଟଙ୍କା ଫେରାଇବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ନାମ ସାମିଲ କରିବା ସହ ମାସକ ମଧ୍ୟରେ ଘର ଯୋଗାଇ ଦେବାକୁ ଦାବି କରୁଛନ୍ତି। ଅନ୍ୟପକ୍ଷରେ ଯେଉଁମାନଙ୍କର କ୍ରମିକ ନମ୍ବର ଅନୁଯାୟୀ ଘର ପାଇବାକୁ ପାଳି ପଡ଼ୁଛି ସେମାନେ ଏହାର ବିରୋଧ କରୁଛନ୍ତି। କିସ୍ତି ଫେରାଇଲେ ମଧ୍ୟ ଆଇଏଓ୍ବାଇ ହିତାଧିକାରୀଙ୍କୁ କ୍ରମିକ ନମ୍ବର ଆସିବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ତେବେ ସେହି ହିତାଧିକାରୀମାନେ ସରକାରଙ୍କ ଏହି ପ୍ରସ୍ତାବରେ ରାଜି ହେଉ ନାହାନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୪ରୁ ଏପର୍ଯ୍ୟନ୍ତ ୨୨ ଲକ୍ଷ ପକ୍କାଘର ନିର୍ମାଣ ହୋଇଛି। ଚଳିତ ବର୍ଷ ୮ ଲକ୍ଷ ୧୯ ହଜାର ପକ୍କାଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିରୁ ରାଜ୍ୟ ସରକାର ନିଜସ୍ବ ଯୋଜନାରେ ୫ ଲକ୍ଷ ୫୯ ହଜାର ଗୃହ ନିର୍ମାଣ କରିବା ଯୋଜନା କରାଯାଇଛି।
୨୦୧୪ ପରେ ପକ୍କାଘର ନିର୍ମାଣ ଯୋଜନା ନାମ ବଦଳିବା ସହ ଗୃହ ନିର୍ମାଣ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଆଇଏଓ୍ବାଇରେ ୟୁନିଟ ମୂଲ୍ୟ ଆଇଏପି ଅଞ୍ଚଳ ପାଇଁ ୭୫ ହଜାର ଟଙ୍କା ଥିବା ବେଳେ ନନ୍‌ ଆଇଏପି ଅଞ୍ଚଳ ପାଇଁ ୭୦ ହଜାର ଟଙ୍କା ଥିଲା। ପିଏମ୍‌ଏଓ୍ବାଇ-ଗ୍ରାମୀଣ କାର୍ଯ୍ୟକାରୀ ହେବା ପରେ ୟୁନିଟ ମୂଲ୍ୟ ଆଇଏପି ଅଞ୍ଚଳରେ ୧ ଲକ୍ଷ ୩୦ ହଜାର ଟଙ୍କା ଓ ନନ୍‌ ଆଇଏପିରେ ୟୁନିଟ ପିଛା ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଛି। ଏହାଛଡା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ୍‌)ରେ ଯଥାକ୍ରମେ ୯୫ ଓ ୯୦ ଦିନର ମଜୁରି ବାବଦରେ ୧୫ ହଜାରରୁ ୧୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏତଦ୍‌ବ୍ୟତୀତ ସ୍ବଚ୍ଛ ଭାରତ ମିଶନରେ ପାଇଖାନା ତିଆରି କରିବାକୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଛି। ଯେଉଁ ହିତାଧିକାରୀ ୪ ମାସରେ ଘର ଶେଷ କରିବେ ତାଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୨୦ ହଜାର ଓ ୬ ମାସରେ ଶେଷ କଲେ ୧୦ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଏହାକୁ ନେଇ ପଞ୍ଚାୟତିରାଜ ବିଭାଗ ଏବଂ ଇନ୍ଦିରାଆବାସ ହିତାଧିକାରୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ଆସନ୍ତା ଡିସେମ୍ବର ସୁଦ୍ଧା ଲକ୍ଷ୍ୟ ପୂରଣ ନେଇ ଅଡୁଆରେ ପଡ଼ିଛନ୍ତି ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri