ନୈରାଶ୍ୟରେ ସରେନାହିଁ ବାର୍ଦ୍ଧକ୍ୟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ଏକ ସହରର ଘଟଣା। ସେଠାରେ ଜଗଦୀଶ ନାମକ ଜଣେ ପଚାଶ ବର୍ଷ ବୟସ୍କ ବ୍ୟକ୍ତି ରହୁଥାନ୍ତି। ସେ ଉଚ୍ଚଶିକ୍ଷିତ। ରସାୟନ ଶାସ୍ତ୍ରରେ ଏମ୍‌ଏସ୍‌ସି ଡିଗ୍ରୀପ୍ରାପ୍ତ। କୌଣସି ଏକ କଲେଜର ପରୀକ୍ଷାଗାରରେ ଦୀର୍ଘ ପଚିଶବର୍ଷ ଧରି ଡେମୋନଷ୍ଟ୍ରେଟର ଚାକିରି କରୁଥିଲେ। ଜଗଦୀଶ ଅବିବାହିତ। ଘରେ ବୃଦ୍ଧା ମା’ ସହିତ ସେ ରହୁଥିଲେ। ମା’ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ତେବେ ଜଗଦୀଶ ମାତୃସେବାରେ ଅବହେଳା କରୁ ନ ଥିଲେ। ଜନନୀର ଦୁଃଖକଷ୍ଟ ତାଙ୍କୁ ମର୍ମନ୍ତୁଦ ପୀଡ଼ା ଦେଉଥିଲା। ତାଙ୍କ ମନରେ ଏଥିପାଇଁ ଲେଶମାତ୍ର ଶାନ୍ତି ନ ଥିଲା।
କିଛିମାସ ପରେ ମା’ଙ୍କର ମୃତ୍ୟୁ ଘଟିଲା। ଅନେକେ ଭାବୁଥିବେ ଯେ, ତାଙ୍କ ଦେହାନ୍ତ ପରେ ଜଗଦୀଶ ଜଞ୍ଜାଳମୁକ୍ତ ହୋଇ ସୁଖରେ କାଳାତିପାତ କରିବେ। କିନ୍ତୁ ତାଙ୍କ ମାନସିକ ସ୍ଥିତିରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଲାନାହିଁ। ଦିନ ପରେ ଦିନ, ମାସ ପରେ ମାସ, ସେଇ ଏକାପ୍ରକାର ଅବସାଦରେ ସେ ସମୟ କାଟିଲେ। ଅତି ଉଦାସ, ସର୍ବଦା ଅନ୍ୟମନସ୍କ। ବର୍ଷକ ପରେ ଯାହା ଘଟିଲା, ତାହା ଥିଲା ଅତ୍ୟନ୍ତ ମମନ୍ତୁଦ। ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଦିନେ ପାହାନ୍ତିଆ ପହରରେ ତାଙ୍କର କେତେକ ସାଥୀ ଓ ସମ୍ପର୍କୀୟମାନେ ଏକ ଚାଞ୍ଚଲ୍ୟକର ଖବର ଦେଖିବାକୁ ପାଇଲେ। ସେଥିରେ ଜଗଦୀଶ ସୂଚାଇଥିଲେ ଯେ, ତାଙ୍କ ମା’ଙ୍କ ଜୀବନର ଅନ୍ତିମ କେତେ ବର୍ଷ ତାଙ୍କ ମାନସିକସ୍ତରକୁ ଦାରୁଣ ଭାବେ ଦୋହଲାଇଥିଲା। ଜୀବନ ଯେ ଏତେ ପୀଡ଼ାଦାୟକ, ତାହା ସେ ସ୍ବଚକ୍ଷୁରେ ପ୍ରତ୍ୟକ୍ଷ କରିଛନ୍ତି। କିଛିବର୍ଷ ପରେ ସେ ମଧ୍ୟ ଏମିତି ବାର୍ଦ୍ଧକ୍ୟ ଭୋଗ କରିବେ। ତାଙ୍କୁ ମଧ୍ୟ ସେମିତି ଅସରନ୍ତି ରୋଗ ମାଡ଼ିବସିବ। ଜୀବନର ଚରିତ୍ର ଓ ସ୍ବଭାବ ଯଦି ଏଇ ପ୍ରକାର, ତେବେ ଏହା କଦାପି ସ୍ବାଗତଯୋଗ୍ୟ ନୁହେଁ। ତେଣୁ ଏମିତି ଭୟଙ୍କର ଦୁର୍ଦ୍ଦଶା ମାଡ଼ିଆସିବା ଆଗରୁ ସଂସାରରୁ ବିଦାୟ ନେଇଯିବା ଭଲ।
ଏଇ ମର୍ମରେ ସେ ଗୋଟିଏ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଲେଖିଲେ। ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ସକାଳୁ ଘର ଭିତରୁ କବାଟ କିଳିଦେଇ ସେ ପୋଲିସକୁ ଖବର ଦେଲେ। ଗେଟ୍‌ ପାଖରେ ଗୋଟିଏ ନୋଟିସ ଝୁଲାଇଥିଲେ, ‘ଘର ଭିତରକୁ ଆସନ୍ତୁ ନାହିଁ। ପୋଲିସକୁ ଅପେକ୍ଷା କରନ୍ତୁ’। ସୁଇସାଇଡ୍‌ ନୋଟ୍‌ରେ ଅତିରିକ୍ତ ଭାବେ ସେ ଉଲ୍ଲେଖ କରିଥିଲେ, ଆସନ୍ତାକାଲିଠାରୁ ମୋତେ କେହି ଦେଖିପାରିବେ ନାହିଁ। ପୁନଃ ଜନ୍ମଚକ୍ର ପ୍ରକ୍ରିୟାରୁ ମୋର ମୁକ୍ତି ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ପୋଲିସ ଯଥାଶୀଘ୍ର ସେଇ ଘରେ ପହଞ୍ଚି ଜଗଦୀଶଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା।
ଅବସାଦଗ୍ରସ୍ତ ଜଗଦୀଶ ଯେଉଁ ଚରମ ପନ୍ଥା ଗ୍ରହଣ କଲେ, ଏହା ଏକ ବ୍ୟକ୍ତିଗତ ମାମଲା ବୋଲି ଅଭିହିତ କରି ପ୍ରସଙ୍ଗଟି ଏଡ଼ାଇଯିବା ଠିକ୍‌ ନୁହେଁ। ବରିଷ୍ଠମାନଙ୍କ ସମସ୍ୟା ଯେ ଦିନକୁ ଦିନ ଉତ୍କଟ ଓ ଉଗ୍ରରୂପ ନେବ, ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି। ଯୁକ୍ତରାଷ୍ଟ୍ରସ୍ଥିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ କର୍ମରତ ପ୍ରଫେସର ଶ୍ରୀପଦ ତୁଲଜାପୁରକରଙ୍କ ନେତୃତ୍ୱରେ ଗବେଷକ ଦଳ ୧୯୬୦ରୁ ୨୦୧୦ ମସିହା ପର୍ଯ୍ୟନ୍ତ ୬୫ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କର ଜନ୍ମ-ମୃତ୍ୟୁ ତଥ୍ୟ ସଂଗ୍ରହ କରିଥିଲେ। ଏହାର ବିଶ୍ଳେଷଣରୁ ନିଷ୍କର୍ଷ ବାହାରିଲା ଯେ, ପ୍ରତି ପିଢ଼ି (୨୫ ବର୍ଷ ବ୍ୟବଧାନରେ) ମଣିଷର ଆୟୁ-କାଳ ତିନିବର୍ଷ ହିସାବରେ ବୃଦ୍ଧି ପାଉଛି। ଏହା ପଛରେ ମୁଖ୍ୟ କାରଣ ହେଉଛି ଉତ୍ତମ ଓ ଫଳପ୍ରଦ ସ୍ବାସ୍ଥ୍ୟସେବା। ପରିଣାମସ୍ବରୂପ ଆମେ ଜେଜେବାପା ଓ ଜେଜେମା’ଙ୍କ ଅପେକ୍ଷା ଅଧିକ ଛଅ ବର୍ଷ ବଞ୍ଚିବା ସମ୍ଭବପର (ରିପୋର୍ଟ ୧୫ ନଭେମ୍ବର ୨୦୧୮)ା ତେଣୁ ସମାଜରେ ବୟସ୍କଙ୍କ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାକୁ ସ୍ବୀକାର କରିବାକୁ ପଡ଼ିବ। ଏହିପରି ଜୀବନ ପ୍ରତି ବୀତସ୍ପୃହ ହୋଇ ଜଗଦୀଶମାନେ ଶେଷନିଃଶ୍ୱାସ ତ୍ୟାଗ କରିବା ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ପାଇଁ ଏକ ଆହ୍ବାନ। ବୟସ୍କମାନେ ସମାଜଠାରୁ ଆଶା କରନ୍ତି ସମ୍ବେଦନଶୀଳତା ଓ ସହାୟତା। ଅବଶ୍ୟ ଏଥିପ୍ରତି କେତେଜଣ ବ୍ୟକ୍ତି ସଚେତନ। ଏପରିକି ଅନେକ ମାନ୍ୟଗଣ୍ୟ କ୍ଷମତାସମ୍ପନ୍ନ ମହାମାନବଙ୍କ ଦୃଷ୍ଟାନ୍ତ ଜଗତ ଭୁଲି ପାରିନାହିଁ।
ମୌର୍ଯ୍ୟ ସମ୍ରାଟ ଅଶୋକ (ଜନ୍ମ ୩୦୪ ଖ୍ରୀଷ୍ଟପୂର୍ବ, ପାଟଳିପୁତ୍ର) ଖ୍ରୀ.ପୂ. ୨୬୮ରୁ ୨୩୨ ଯାଏ ଆମ ଦେଶର ଏକ ବିଶାଳ ଭୂଖଣ୍ଡରେ ଶାସନ କରୁଥିଲେ। ଏକଦା ତାଙ୍କ ସାମ୍ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଲା। ପ୍ରଜାବତ୍ସଳ ଅଶୋକ ବିଭିନ୍ନ ସ୍ଥାନରେ ଅନ୍ନଚ୍ଛତ୍ରମାନ ଖୋଲିଲେ। ଦିନକର ଘଟଣା। ଜଣେ ଭୋକିଲା ବୃଦ୍ଧ ଅନ୍ନଚ୍ଛତ୍ର ଧାଡ଼ିରେ ଆଗରେ ପହଞ୍ଚିବା ବେଳକୁ ସମୟ ଗଡ଼ି ଯାଇଥିଲା। କର୍ମଚାରୀ ଜଣକ ତାଙ୍କୁ ଅନ୍ନଚ୍ଛତ୍ର ବନ୍ଦ ହୋଇଯାଇଥିବା କହି ନିରାଶ କଲେ। ବୃଦ୍ଧଙ୍କ ମୁଣ୍ଡରେ ଗୋଟିଏ ଭାରି ଗଣ୍ଠିଲି ଥିଲା। ଏହି ବରିଷ୍ଠ ଜଣକ ବହୁ ପୂର୍ବରୁ ସେଠାକୁ ଘରୁ ବାହାରିଥିଲେ ସୁଦ୍ଧା ଶାରୀରିକ ଦୁର୍ବଳତାରୁ ଧାଡ଼ିରେ ଯଥାସମୟରେ ଛିଡ଼ାହୋଇ ଅନ୍ନ ଗ୍ରହଣ କରିବାରେ ଅକ୍ଷମ ହୋଇଥିଲେ। ହଠାତ୍‌ ସେଠାରେ ଜଣେ ବ୍ୟକ୍ତି ଦେବଦୂତ ପରି ପହଞ୍ଚିଲେ। ସେ ଉକ୍ତ ବୃଦ୍ଧଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ।
ସେ କର୍ମଚାରୀକୁ ଆଦେଶ ଦେଲେ- ତୁରନ୍ତ ଅକ୍ଷମ ବୃଦ୍ଧଙ୍କୁ ଖାଦ୍ୟ ବିତରଣ କରିବା ପାଇଁ। କେବଳ ସେତିକି ନୁହେଁ। ବୃଦ୍ଧଙ୍କ ଗଣ୍ଠିଲିପତ୍ର ନିଜେ ଧରି ବଳହୀନ ବୃଦ୍ଧଙ୍କୁ ତାଙ୍କ ରହୁଥିବା ସ୍ଥାନରେ ପହଞ୍ଚାଇଲେ। ବୃଦ୍ଧ ଜଣକ ଏହି ଘଟଣାରେ କୃତଜ୍ଞ ଓ ବିସ୍ମିତ ହୋଇ ଉକ୍ତ ବଦାନ୍ୟ ବ୍ୟକ୍ତିଙ୍କ ପରିଚୟ ଜାଣିବାକୁ ଆଗ୍ରହୀ ହେଲେ। କିନ୍ତୁ ଦାତାଜଣକ ନିଜ ପରିଚୟ ଲୁଚାଇଥିଲେ।
ପରେ ଦୈବାତ୍‌ ଯେତେବେଳେ ଦଳେ ସୈନିକ ଉକ୍ତ ଦାତାଙ୍କୁ ଆକସ୍ମିକ ଭାବେ ଦେଖି ଅଭିବାଦନ ଜଣାଇଲେ, ବୃଦ୍ଧ ଜଣକ ଠିକ୍‌ ଅନୁମାନ କଲେ ଯେ, ସେ ହେଉଛନ୍ତି ସମ୍ରାଟ ଅଶୋକ। ତାଙ୍କ ପାଦତଳେ ପଡ଼ି ସେ କ୍ଷମା ଭିକ୍ଷା କରିବା ବେଳେ ସମ୍ରାଟ ଅଭୟବାଣୀ ଦେଲେ, ”ତୁମେ ଏଭଳି କିଛି କରିନାହଁ ଯେ କ୍ଷମାଯୋଗ୍ୟ ହେବ। ମୁଁ ମୋର କର୍ତ୍ତବ୍ୟ ମାତ୍ର କରିଛି।“
ପ୍ରକାଶ ଥାଉ କି ଏତାଦୃଶ ଉଚ୍ଚମାନର ମାନବିକତା ଆମେ ଏମିତି ଜଣକଠାରେ ଦେଖିବାକୁ ପାଇଲେ, ଯିଏ କି ଦିନେ ଚଣ୍ଡାଶୋକ ଭାବେ କୁଖ୍ୟାତ ଥିଲେ ଏବଂ ପରେ କଳିଙ୍ଗ ଯୁଦ୍ଧରେ ହୃଦୟ ପରିବର୍ତ୍ତନ ଘଟି ଧର୍ମାଶୋକରେ ଜଗତ୍‌ବନ୍ଦ୍ୟ ହେଲେ। ଉଚ୍ଚାସନରେ ଅଧିଷ୍ଠିତ ବ୍ୟକ୍ତିଙ୍କ ଆଦର୍ଶ, ଆଚରଣ ଆମ ଅଧଃପତିତ ସମାଜ ସକାଶେ ଆଲୋକବର୍ତ୍ତିକା ସଦୃଶ ହେବ। ସେମାନଙ୍କ କାର୍ଯ୍ୟବିଧି ସାଧାରଣ ବ୍ୟକ୍ତିମାନଙ୍କୁ ପ୍ରଭାବିତ କରିଥାଏ। ସାଧାରଣ ଭାବେ ମାଛ ମୁଣ୍ଡ ଆଡୁ ପଚିଥିବା ପରି ସମାଜର ଅଧୋଗତି ତୁଙ୍ଗସ୍ଥାନୀୟ ବ୍ୟକ୍ତିଙ୍କଠାରୁ ଆରମ୍ଭହୋଇ ତଳସ୍ତର ପର୍ଯ୍ୟନ୍ତ ସଂକ୍ରମିତ ହୋଇଥାଏ। ତେଣୁ ସର୍ବୋଚ୍ଚ ଶାସନ ଆଦର୍ଶର ଅବତାର ହୁଅନ୍ତୁ।
ଅନ୍ୟ ଏକ ଘଟଣା ଏଠାରେ ଅବତାରଣା କରାଯାଇପାରେ। ଫ୍ରାଙ୍କ୍‌ଲିନ ରୁଜ୍‌ଭେଲ୍‌ଟ (୧୮୮୨ରେ ନ୍ୟୁୟର୍କରେ ଜନ୍ମ) ଦୀର୍ଘକାଳ (୧୯୨୯-୧୯୩୨) ଆମେରିକାର ରାଷ୍ଟ୍ରପତି ମୃତ୍ୟୁ ପର୍ଯ୍ୟନ୍ତ ଥିଲେ। ଏକଦା ସେ ସସ୍ତ୍ରୀକ ଗୋଟିଏ ଘରୋଇ ସମାରୋହରେ ଯୋଗଦେବା ପାଇଁ ଯାଇଥିଲେ। ସେତେବେଳେ ଜଣେ ବୃଦ୍ଧ ଶ୍ରୀମତୀ ରୁଜ୍‌ଭେଲ୍‌ଟଙ୍କୁ ଜଣାଇଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କୁ ସାକ୍ଷାତ କରିବାକୁ ଆତୁର ଏବଂ ପଚାରିଲେ, ଆପଣ କ’ଣ ଏଥିପାଇଁ ଅନୁମତି ଦେବେନି?
ଶ୍ରୀମତୀ ରୁଜ୍‌ଭେଲ୍‌ଟ ଅନୁମାନ କରିପାରିଲେ ଯେ, ଆଗ୍ରହୀ ମହିଳା ଜଣକ ନିଶ୍ଚୟ ବୟସ୍କା ହୋଇଥିବେ। ସେ ଉକ୍ତ ବୃଦ୍ଧଙ୍କୁ ପଚାରିଲେ, ଆପଣଙ୍କ ସ୍ତ୍ରୀଙ୍କ ବୟସ କେତେ? ଉତ୍ତର ଜାଣିବା ପରେ ସେ ମନ୍ତବ୍ୟ ଦେଲେ ଯେ, ସେ ମୋଠାରୁ ବୟସରେ ବଡ଼। ତେଣୁ ସମ୍ମାନନୀୟା। ସେ ତୁରନ୍ତ ଅତି ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସଂରକ୍ଷିତ ମଞ୍ଚର ଚୌକିରୁ ଓହ୍ଲାଇ ଆଗନ୍ତୁକ ବୃଦ୍ଧାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପେଣ୍ଡାଲ ଉପରକୁ ପାଛୋଟି ଆଣିଥିଲେ। ଏହି ଘଟଣାରେ ରାଷ୍ଟ୍ରପତି ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ। ବଡ଼ ଲୋକଙ୍କ ଏମିତି ବ୍ୟବହାର ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିଥାଏ। ସମାଜରେ ଏହାର ପ୍ରଭାବ ସୁଦୂରପ୍ରସାରୀ।
ଆମେ ଏଠାରେ କିଛି ସ୍ମରଣୀୟ ଓ ଅନୁକରଣୀୟ ଉଦାହରଣ ଉପସ୍ଥାପନ କଲୁ। ଉଦ୍ଦେଶ୍ୟ ହେଉଛି, ନୈରାଶ୍ୟଭରା ଜଗଦୀଶମାନେ ହୃଦୟଙ୍ଗମ କରନ୍ତୁ ଯେ, ଏଇ ସଂସାରରେ ସେମାନେ ଏକା ଓ ନିରାଶ୍ରୟ ନୁହନ୍ତି। ସେମାନଙ୍କୁ ସହାୟତାର ହାତ ବଢ଼ାଇବାକୁ କ୍ଷମତାଶାଳୀ ବ୍ୟକ୍ତିମାନେ ମଧ୍ୟ କେବେକେବେ ପ୍ରସ୍ତୁତ।
ମୋ-୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?