ନିରର୍ଥକ ହେଉଛି ଜନଶୁଣାଣି

ଦେବ ରଞ୍ଜନ
ଆଜି ଓଡିଶାବାସୀ ଯେଉଁ ସବୁ ଦୁର୍ବିପାକର ସାମ୍ନା କରୁଛନ୍ତି ତାହା କଦାପି ପ୍ରକୃତିଜନିତ ନୁହେଁ ବରଂ କ୍ଷମତାରେ ଥିବା ମଣିଷକୃତ। ପ୍ରକୃତି ଓ ମଣିଷର ଲାଭମନୋବୃତ୍ତି ମଧ୍ୟରେ ଯେଉଁ ସଙ୍ଘାତ ରହିଛି ତାହାର ତୀବ୍ରତାକୁ କିଛି କମାଇଦେବା ଲାଗି ପରିବେଶ ଆଇନ ତିଆରି ହୋଇଥିଲା। କିନ୍ତୁ ତାହା ମଧ୍ୟ କାର୍ଯ୍ୟକାରୀ ନ ହେବା ହେତୁ ଅନିଶ୍ଚିତ ଜଳବାୟୁ ସମଗ୍ର ମାନବ ସମାଜକୁ ଅନ୍ଧାରକୁ ଟାଣିନେଲାଣି।
କୌଣସି ସ୍ଥାନରେ କିଛି ବି ବୃହତ୍‌ ପ୍ରକଳ୍ପ କରିବା ଆଗରୁ, ଯେମିତି କି ନଦୀବନ୍ଧ ଯୋଜନା, ବୃହତ୍‌ କାରଖାନା, ବନ୍ଦର ଓ ଖଣି ଇତ୍ୟାଦି, ସରକାରଙ୍କଠାରୁ ପରିବେଶ ଅନୁମତି ନେବା ଆବଶ୍ୟକ ହୋଇଥାଏ। ଯଦି ଏହି ବ୍ୟବସ୍ଥା ରହିଛି ତେବେ ଓଡିଶାର ନଦୀ ପାଣିକୁ ଏତେ ବେଶି କ୍ଷତିକାରକ ଧାତବ ପଦାର୍ଥ ଆସିଲା କେମିତି। କେମିତି ବାୟୁମଣ୍ଡଳରେ ଏତେ ପରିମାଣର କାର୍ବନ ଡାଇଅକ୍ସାଇଡ ରହିଲା ଓ ମାଟିର ଉର୍ବରତା କମିଲା? ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପରିବେଶ ଅନୁମତି ଦେବା ପୂର୍ବରୁ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ସ୍ଥାନୀୟ ଲୋକଙ୍କ ମତାମତ ନେବାର ଏକ ପ୍ରସ୍ତାବ ରଖିଥିଲେ। ଏହା ପୂର୍ବରୁ ନ ଥିଲା। କିନ୍ତୁ ବହୁ ସଂଗଠନ ଦାବି କରିବା ପରେ ୧୯୯୭ ମସିହାରେ ଜନ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେଲା ଓ ୨୦୦୬ ମସିହାଠାରୁ ଏହା ବାଧ୍ୟତାମୂଳକ କରାଗଲା। ଜନଶୁଣାଣି ହୋଇ ନ ଥିଲେ ପରିବେଶ ମଞ୍ଜୁରୀ ଦିଆଯିବ ନାହିଁ, ଏଭଳି ନିୟମ ରହିଲା। ଏଥିଲାଗି ବୃହତ୍‌ ପ୍ରକଳ୍ପ ସଂକ୍ରାନ୍ତ ସମସ୍ତ ତଥ୍ୟ ଓ ପରିବେଶ ଉପରେ ପ୍ରଭାବ ବିଷୟରେ ଲୋକେ ବୁଝିଲା ଭଳି ଭାଷାରେ ଲେଖି ପ୍ରସ୍ତାବିତ ଅଞ୍ଚଳରେ ବାଣ୍ଟିବା ଲାଗି ଆଇନ ରହିଲା। ଉଦ୍ଦେଶ୍ୟ ଥିଲା ଯେ ଲୋକେ ସତକଥା ଜାଣିବେ ଓ ଜନଶୁଣାଣିରେ ଆସି ନିଜ ମନ୍ତବ୍ୟ ଦେବା ପରେ କମ୍ପାନୀ ଆବଶ୍ୟକ ପରିବର୍ତ୍ତନ କରିବ ଓ ସେହି ଅନୁସାରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଆଇନ ଅନୁସାରେ ଜନଶୁଣାଣିରେ ଲୋକେ ଦେଇଥିବା ମତ ଅନୁସାରେ କାମ ହେଉଛି କି ନାହିଁ ତାହାକୁ ପ୍ରତି ଛଅମାସରେ ଅନୁଧ୍ୟାନ କରି ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଦେଲାପରେ ଯାଇ ପୁଣି ଛଅମାସ ଲାଗି କମ୍ପାନୀକୁ ଅନୁମତି ମିଳିବ। ସତରେ କେତେ ସୁନ୍ଦର ବ୍ୟବସ୍ଥା? କିନ୍ତୁ ହେଲା କ’ଣ?
ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ରିପୋର୍ଟ ଅନୁସାରେ ଓଡ଼ିଶାର ୧୯ଟି ନଦୀ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ୨୦୧୩ ମସିହାର ତଥ୍ୟ ଅନୁସାରେ କୋଇଲାଭିତ୍ତିକ ପାୱାର ପ୍ଲାଣ୍ଟରୁ ଦ୍ୱିତୀୟ ସର୍ବାଧିକ କାର୍ବନ ଡାଇଅକ୍ସାଇଡ ନିର୍ଗତ ହେଉଛି, ଯାହା ଓଜୋନ ସ୍ତର କମାଇବା ହେତୁ ଦିନର ତାପମାତ୍ରାରେ ଅଧିକ ବୃଦ୍ଧି ଘଟୁଛି। ଓଡ଼ିଶାରେ ୧୦ଟି ବୃହତ୍‌ ଥର୍ମାଲ ପାୱାର ପ୍ଲାଣ୍ଟ ରହିଛି ଓ କାର୍ବନ ଡାଇଅକ୍ସାଇଡ କ୍ରମାଗତ ଭାବରେ ବଢିବା ହେତୁ ୨୧୦୦ ମସିହା ବେଳକୁ ପ୍ରତି ବର୍ଷ ୪୨,୦୦୦ ଲୋକ ମୃତ୍ୟୁବରଣ କରୁଥିବେ। ୨୦୧୦ରୁ ୨୦୧୮ ମଧ୍ୟରେ ଓଡିଶା ସମେତ ପାଞ୍ଚଟି ରାଜ୍ୟରେ ୬୦୦୦ ପାଖାପାଖି ଲୋକ ତାପମାତ୍ରା ବୃଦ୍ଧି ହେତୁ ମୃତ୍ୟୁବରଣ କରିଛନ୍ତି।
କୌଣସି ବୃହତ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଜନଶୁଣାଣି ଏକମାତ୍ର ପ୍ରକ୍ରିୟା, ଯେଉଁଠି ସ୍ଥାନୀୟ ଲୋକଙ୍କର ପ୍ରକଳ୍ପ ସମ୍ପର୍କରେ କିଛି ମତଦେବାର ସୁଯୋଗ ରହିଛି। ହେଲେ ଜଣାଶୁଣାଣି ପ୍ରକ୍ରିୟାଟିକୁ କ୍ରମଶଃ କେବଳ ମତାମତ ବା କନ୍ସଲଟେଶନ ମଧ୍ୟରେ ସୀମିତ କରିଦିଆଗଲା। ଏହା ଅନୁମତି ବା କନ୍‌ସେଣ୍ଟ ତାଲିକାରେ ରହିଲା ନାହିଁ। ଫଳରେ ଲୋକେ ଯାହା ବି ମତ ଦିଅନ୍ତୁ ନା କାହିଁକି ପ୍ରଦୂଷଣ ବୋର୍ଡ ଓ ଜିଲା ପ୍ରଶାସନ ଏହାକୁ କେବଳ ଏକ ପରମ୍ପରା ଭାବେ ଧରିନେଇ ‘ଜନଶୁଣାଣି ସଫଳ ହେଲା ଓ ଏହାପରେ ପରିବେଶ ଅନୁମତି ମିଳିବାରେ ଅସୁବିଧା ନାହିଁ’ ବୋଲି ପ୍ରାୟ ପ୍ରକଳ୍ପ କ୍ଷେତ୍ରରେ ରିପୋର୍ଟ ଦେଲେ। ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜର କର୍ମଚାରୀ ଅଭାବ ଦେଖାଇ କମ୍ପାନୀଙ୍କ ଦ୍ୱାରା ପ୍ରସ୍ତୁତ ଛଅମାସିଆ ରିପୋର୍ଟକୁ କେବଳ ତାରିଖ ବଦଳାଇ ପରିବେଶ ମନ୍ତ୍ରଣାଳୟକୁ ପଠାଇଲେ ଓ ଅତ୍ୟଧିକ ପ୍ରଦୂଷଣ କରୁଥିବା କମ୍ପାନୀକୁ ମଧ୍ୟ ଅନୁମତିପତ୍ର ଦେଲେ। ଆଜି ସେହି ସବୁ ଅଞ୍ଚଳରେ ଯେଉଁ ପରିବେଶଜନିତ କ୍ଷତି ହେଉଛି ଓ ଲୋକେ ମୃତ୍ୟୁବରଣ କରୁଛନ୍ତି ସେଥି ପାଇଁ ସେମାନେ ଉତ୍ତରଦାୟୀ ରହିଲେ କି? ଏହି ବିଶ୍ବାସଘାତକତା ହେତୁ କ୍ରମଶଃ ସ୍ଥାନୀୟ ଲୋକେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉପରୁ ଆସ୍ଥା ହରାଉଛନ୍ତି। ଭାରତରେ ଆଜି ପ୍ରାୟ ଜନ ଆନ୍ଦୋଳନରେ ଏହା ଏକ ରଣନୀତି ହୋଇଛି ଯେ ମୂଳରୁ ଜନଶୁଣାଣିକୁ ଆଦୌ କରେଇ ନ ଦିଆଯାଉ, ଯାହାଦ୍ୱାରା ପ୍ରକଳ୍ପ ବନ୍ଦ ହୋଇଯିବ ଓ ଅଞ୍ଚଳର ପରିବେଶ ଅନ୍ତତଃ କ୍ଷତିରୁ ବଞ୍ଚିଯିବ। ନିକଟରେ ଉତ୍ତରାଖଣ୍ଡରେ ଯମୁନା ନଦୀର ଏକ ଧାରାରେ ପ୍ରସ୍ତାବିତ ହାଇଡ୍ରୋ ପ୍ରୋଜେକ୍ଟର ଜନଶୁଣାଣିକୁ ଲୋକେ ବିରୋଧ କରି ପ୍ରକଳ୍ପକୁ ବନ୍ଦ କରିଦେଲେ।
ଆଜି ଓଡ଼ିଶାରେ କ୍ରମାଗତ ଭାବରେ ବାତ୍ୟା ହେବା ଆଗକୁ ଏକ ବିରାଟ ବିପଦର ସୂଚନା ଦେଉଛି। ଓଡିଶା ଉପକୂଳରେ ଥିବା ବିସ୍ତୃତ ସମୁଦ୍ର ଜଳର ଉତ୍ତାପ କ୍ରମାଗତ ଭାବରେ ବଢୁଥିବା ହେତୁ ବାତ୍ୟା ହେଉଥିବା ବୈଜ୍ଞାନିକମାନେ କହିଲେଣି। ଏହାର ଅନ୍ୟତମ କାରଣ ହେଲା ନଦୀରେ ଭାରି ଖଣିଜ ଓ ପ୍ରଦୂଷିତ ଦ୍ରବ୍ୟ ସମୁଦ୍ରଗର୍ଭକୁ ଯାଉଛି। ଯେଉଁ ସବୁ ଅଞ୍ଚଳରେ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି ଜରୁରୀ ସେହି ସବୁ ଅଞ୍ଚଳରେ ଜଙ୍ଗଲ ନ ହେବା ହେତୁ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଗ୍ରୀଷ୍ମ ଋତୁରେ ଦିନର ଉତ୍ତାପ ଅତ୍ୟଧିକ ବୃଦ୍ଧି ହେତୁ ଛୁଆ ଓ ବୟସ୍କମାନେ ମୃତ୍ୟୁବରଣ କରୁଛନ୍ତି। ଏହାର ନିରାକରଣ ଲାଗି ଜନଶୁଣାଣିରେ ଲୋକଙ୍କ ସହିତ ‘ପରାମର୍ଶ’ ଅପେକ୍ଷା ପ୍ରଭାବିତ ଲୋକଙ୍କ ‘ଅନୁମତି’ ନିଆଯିବାର ବ୍ୟବସ୍ଥା ରହିବା ଜରୁରୀ। ଏହାଦ୍ୱାରା ଅନ୍ତତଃ ଏହି ସଭ୍ୟତା ହୁଏତ ଆଉ କିଛି ବର୍ଷ ଧ୍ୱଂସରୁ ବର୍ତ୍ତିଯିବ।
ମୋ- ୯୪୩୭୭୬୨୨୭୨, ଇମେଲ: debasar11@yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri