ନିତି ନୀତି ପରିବର୍ତ୍ତନ

ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଅବଧି ୪ ମେ’ରୁ ୧୭ ମେ’ ଯାଏ ରଖାଯାଇଛି। ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ତାଲାବନ୍ଦ ଯୋଗୁ ଭାରତସାରା ଦେଖାଦେଇଥିବା ଶ୍ରମିକ ଅଶାନ୍ତି ଥମୁ ନାହିଁ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀମାନେ ସେମାନଙ୍କ ନିଜ ଅଞ୍ଚଳକୁ ଫେରିବାକୁ ବ୍ୟାକୁଳ। କିନ୍ତୁ ଏମାନେ ନିଜ ଗାଁ ଛାଡ଼ିଲା ବେଳକୁ କୌଣସି ସରକାରୀ ସଂସ୍ଥା ପାଖରେ ପଞ୍ଜୀକୃତ ହେବାର ଏ ଦେଶରେ ବ୍ୟବସ୍ଥା ନାହିଁ। ଅର୍ଥାତ୍‌ ସେମାନେ ସ୍ବଇଚ୍ଛାରେ ଗାଁ ଛାଡ଼ି ଅନ୍ୟତ୍ର ଯାଇଛନ୍ତି। ଏଥିରେ ନିଶ୍ଚିତ ଭାବେ ଅର୍ଥନୈତିକ ଦିଗ ରହିଛି, ତଥାପି ବାସ୍ତବତା ହେଉଛି ସେମାନେ ନିଜ ଇଚ୍ଛାରେ ବାହାରକୁ ଯାଇଛନ୍ତି। ଏବେ ଏହି ଜନସମୁଦ୍ର ଓଡ଼ିଶା ଭଳି ରାଜ୍ୟକୁ ମାଡ଼ି ଆସୁଥିବା ବେଳେ ସମସ୍ତଙ୍କ ପାଇଁ ତତ୍‌କ୍ଷଣାତ୍‌ ବ୍ୟବସ୍ଥା କରାଯାଇପାରୁ ନାହିଁ। ଯେଉଁ ଅଞ୍ଚଳରେ ଶ୍ରମିକମାନେ ଅତିଷ୍ଠ ଓ ହିଂସ୍ର ହୋଇପଡ଼ୁଛନ୍ତି, ସେଠାରୁ ଲୋକଙ୍କୁ ବିଦା କରିବା ପାଇଁ ବସ୍‌ ଓ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଉଦାହରଣ ଭାବେ ଗୁଜରାଟକୁ ଦେଖିଲେ ସେଠାରେ ଏବେ ୨୦ ଲକ୍ଷ ପ୍ରବାସୀ ଶ୍ରମିକ ସେମାନଙ୍କ ନିଜ ଘରକୁ ଫେରିଯିବା ପାଇଁ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୫ ଲକ୍ଷ ୫୦ ହଜାର କେବଳ ଉତ୍ତରପ୍ରଦେଶର ଥିବା ଜଣାପଡ଼ିଛି। ସେହିପରି ବିହାର, ଓଡ଼ିଶା ଓ ମଧ୍ୟପ୍ରଦେଶର ୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ ରହିଛନ୍ତି। ଏକ ତଥ୍ୟରୁ ଜଣାପଡ଼ିଛି ଯେ, ନିଜ ଘର ଛାଡ଼ି ୧୨ କୋଟି ଲୋକ ଦେଶର ବିଭିନ୍ନ ସ୍ଥାନରେ ଅନେକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। କରୋନା ଭୂତାଣୁ ବୃଦ୍ଧି ଆଶଙ୍କା କରି କେନ୍ଦ୍ର ସରକାର ତତ୍‌କ୍ଷଣାତ୍‌ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଦେବାରୁ ଏହି ବର୍ଗ ସର୍ବାଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
କୋଭିଡ୍‌-୧୯ ମହାମାରୀ ଆଖ୍ୟା ପାଇବା ପରଠାରୁ ସବୁ ପ୍ରକାର ବେପାର ବଣିଜ ବନ୍ଦ ହୋଇଯିବା ଯୋଗୁ ଶ୍ରମିକମାନେ ବେକାର ହୋଇଯାଇଛନ୍ତି। ଏହି ସ୍ଥାନାନ୍ତରିତ ଶ୍ରମିକମାନେ କଣ୍ଟ୍ରାକ୍ଟ ଲେବର ହୋଇଥିବାରୁ କମ୍ପାନୀ ସେମାନଙ୍କ ପ୍ରତି କୌଣସି ଦାୟିତ୍ୱ ପ୍ରଦର୍ଶନ କରିବାର ପ୍ରୟୋଜନ ଉଠୁନାହିଁ। ଲକ୍‌ଡାଉନ୍‌ ଘୋଷଣା କରିବା ପୂର୍ବରୁ କେନ୍ଦ୍ର ସରକାର ଯଦି ଘରକୁ ଯିବା ପାଇଁ ସେମାନଙ୍କୁ କେବଳ ମାତ୍ର ସମୟ ଦେଇଥାଆନ୍ତେ, ତା’ ହେଲେ ଆଜି ଯେଉଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଉପୁଜି ନ ଥାଆନ୍ତା। ଲକ୍‌ଡାଉନ୍‌ ଅବଧି ବଢ଼ାଇ ଦିଆଯାଇଥିବାରୁ ଗଣ୍ଡଗୋଳ ଆଶଙ୍କା କରି ସୁରଟ, ବମ୍ବେ, ପୁଣେ, ତିରୁପୁରୁ, ଗୁରୁଗ୍ରାମ, ବେଙ୍ଗାଲୁରୁ, ହାଇଦ୍ରାବାଦ ଆଦି ସ୍ଥାନରୁ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଫେରିଯିବା ପାଇଁ ସରକାର ବସ୍‌ ଓ ଟ୍ରେନ୍‌ର ବ୍ୟବସ୍ଥା କରୁଛନ୍ତି। ଇତିମଧ୍ୟରେ ଅନେକ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରୁଛନ୍ତି। ସୁରଟରୁ ଟ୍ରେନ୍‌ ଯୋଗେ ଓଡ଼ିଶାକୁ ୩ ମେ’ରେ ୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆସିଛନ୍ତି। ପୂର୍ବରୁ କେତେକେ ବସ୍‌ ଯୋଗେ ଆସିଥିବା ବେଳେ ଚେନ୍ନାଇରୁ ଡଙ୍ଗା କିଣି ସମୁଦ୍ରପଥରେ ଶ୍ରମିକ ଆସିଥିବା ଦେଖିବାକୁ ମିଳିଛି। ଦେଶର ଚିତ୍ର ଦେଖିଲେ ବହୁ ଶ୍ରମିକ ହଜାର ହଜାର କିଲୋମିଟର ଚାଲିଚାଲି ଗାଁକୁ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ବାଟରେ ପଡ଼ି ମଧ୍ୟ ମରିଯାଇଛନ୍ତି।
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏବେ ଯେଉଁ ଶ୍ରମିକମାନଙ୍କୁ ନିଜ ଅଞ୍ଚଳକୁ ଯିବା ଲାଗି ସମ୍ପୃକ୍ତ ସରକାରଗୁଡ଼ିକ ଅନୁମତି ଦେବା ସହ ପରିବହନ ବ୍ୟବସ୍ଥା କରାଇପାରିଲେ, ତାହା ଲକ୍‌ଡାଉନ୍‌ ଆରମ୍ଭ ବେଳେ କାହିଁକି କରାଯାଇପାରି ନ ଥିଲା। ଏହାର ପ୍ରମୁଖ କାରଣ ହେଲା ବିଭିନ୍ନ ଶିଳ୍ପସଂସ୍ଥାର ମାଲିକମାନେ ଚାହୁଁ ନ ଥିଲେ ପ୍ରବାସୀମାନେ ସେମାନଙ୍କ ଘରକୁ ଯାଆନ୍ତୁ। ଥରେ ସେମାନେ ଗାଁକୁ ଚାଲିଗଲେ ମାଲିକମାନଙ୍କ ବେପାର ବନ୍ଦ ହୋଇଯିବ। ତେବେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବା ଓ ଶ୍ରମିକମାନଙ୍କୁ ଦୀର୍ଘଦିନ ଖାଇବାପିଇବା ଦେବା ସମ୍ଭବ ନ ହେବାରୁ ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ଏତଦ୍‌ବ୍ୟତୀତ ମନେରଖିବାକୁ ହେବ ଯେ, କୋଭିଡ୍‌-୧୯ ଭାରତକୁ ପ୍ରବେଶ କରିବା ପୂର୍ବରୁ ଚାଇନାର କେନ୍ଦ୍ରବିନ୍ଦୁ ପାଲଟିଥିବା ଉହାନ୍‌ ସହରଠାରୁ ଆରମ୍ଭ କରି ଇଟାଲି, ଇରାନ୍‌ ଓ ମାଲେସିଆ ଭଳି ଅନେକ ଦେଶରୁ ଧନୀ ଭାରତୀୟଙ୍କୁ ମାଗଣାରେ ବିମାନ ଯୋଗେ ଘରକୁ ଫେରାଇ ଆଣିବା କଥା ଭାବି ତାହାକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରାଇପାରିଲେ। ଅନ୍ୟପଟେ ଦେଶର ବିଭିନ୍ନ ପ୍ରାନ୍ତରେ ଖେଳେଇ ହୋଇ ରହିଥିବା ଶ୍ରମିକଙ୍କୁ ନିଜ ଘରକୁ ଫେରିବାକୁ ସମୟ ଦିଆଗଲା ନାହିଁ। ଏବେ ସେମାନଙ୍କୁ ଆରମ୍ଭ କରାଯାଇଥିବା ସ୍ବତନ୍ତ୍ର ଟ୍ରେନ୍‌ରେ ଟିକଟ କରି ଯିବାକୁ କୁହାଯାଉଛି।
କେନ୍ଦ୍ର ସରକାରଙ୍କ ତତ୍‌କ୍ଷଣାତ୍‌ ଲକ୍‌ଡାଉନ୍‌ ନିଷ୍ପତ୍ତିରେ ଏବେ ଆଉ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁନାହିଁ। ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ କରାଯିବାଠାରୁ ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ଯେତେସବୁ ନୀତି ଓ ନିଷ୍ପତ୍ତି ନିଆଯାଇଛି, ତାହା ଅଚାନକ ରାତି ୮ଟାରେ ହୋଇଛି। ଯେଉଁଠି ଯେତେବେଳେ ବିରୋଧ ସୃଷ୍ଟି ହୋଇଛି, ସେତେବେଳେ ନିୟମକୁ କୋହଳ କରାଯାଇଥିବା ଦେଖାଯାଇଛି। ନିତି ନୀତି ପରିବର୍ତ୍ତନ କରୁଥିବା ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ରହୁ ନ ଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ିଯାଉଛି। ମେଞ୍ଚେ ଶ୍ରମିକଙ୍କୁ ଟ୍ରେନ୍‌ ଯୋଗେ ଏକାଥରକେ ଛାଡ଼ି ଦିଆଗଲେ କରୋନା ଭୂତାଣୁ ବ୍ୟାପିଯିବ ବୋଲି ଲକ୍‌ଡାଉନ୍‌ ସମୟରେ ସରକାର ଯୁକ୍ତି ବାଢ଼ିଥିଲେ। ଆଜି ଯଦି ସେହି ପ୍ରବାସୀ ଶ୍ରମିକଙ୍କ ଯାତ୍ରାର ଭିଡ଼ଦୃଶ୍ୟକୁ ଦେଖାଯାଏ, ତା’ହେଲେ ବୁଝାପଡ଼ିବ ଯେ ସେଠାରେ କୌଣସି ସାମାଜିକ ଦୂରତା ରକ୍ଷା କରାଯାଇ ନାହିଁ। କହିବାକୁ ଗଲେ ନିତି ନୀତି ବଦଳାଉଥିବା ସରକାରଙ୍କଠାରୁ ଅଧିକ କିଛି ଆଶା କରାଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri