ନାରୀ ନିର୍ଯାତନା ଓ ତା’ର ନିଦାନ

ଡ. ପ୍ରଫୁଲ୍ଲ କୁମାର ସାହୁ
ବାଣୀରେ ହେଉ କି ଠାଣିରେ ମହିଳାଙ୍କ ପ୍ରତି ଅସଦାଚରଣ ସଭ୍ୟ ସମାଜ ପାଇଁ ସର୍ବଦା ନିନ୍ଦନୀୟ। ମାତ୍ର ଆମ ଦେଶରେ ବାରମ୍ବାର ଘଟିଚାଲିଛି ଗଣବଳାତ୍କାର ଓ ହତ୍ୟା ଆଦି କଳଙ୍କିତ, ବୀଭତ୍ସ ଓ ଲୋମହର୍ଷଣକାରୀ ଘଟଣା। ଥମ୍‌ସନ୍‌ ରିଓଟର୍ସ ଫାଉଣ୍ଡେଶନ ପକ୍ଷରୁ ବିଶ୍ୱବ୍ୟାପୀ ମହିଳାଙ୍କ ସୁରକ୍ଷାକୁ ନେଇ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାୟୀ ମହିଳାଙ୍କ ପ୍ରତି ଯୌନ ହିଂସା କ୍ଷେତ୍ରରେ ବିପଜ୍ଜନକ ରାଷ୍ଟ୍ରଭାବେ ଭାରତ ଏବେ ସବା ଆଗରେ। ନିଜକୁ ସଭ୍ୟ ସଂସ୍କୃତିସମ୍ପନ୍ନ ଓ ପାଶ୍ଚାତ୍ୟ ଲୋକଙ୍କଠାରୁ ଚରିତ୍ରବାନ୍‌ ବୋଲି ଭ୍ରମରେ ଥିବା ଭାରତୀୟଙ୍କ ପାଇଁ ଏହା ନିଶ୍ଚୟ ଏକ ସମୂହ ଲଜ୍ଜା। ଦିଲ୍ଲୀ ନିର୍ଭୟା ବଳାକତ୍ାର ପରବର୍ତ୍ତୀ ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ଆମ ଦେଶରେ ତିଆରି ହୋଇଥିଲା କାର୍ଯ୍ୟକାରୀ ହୋଇଥିଲା ପୋକ୍‌ସୋ ଆଇନ। ମାତ୍ର ଏତେ କଠୋର ଆଇନ କାର୍ଯ୍ୟକାରୀ ହେବା ସତ୍ତ୍ୱେ ଥମିବାର ନାଁ ଧରିଲାନି ନାରୀ ନିର୍ଯାତନା। ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ତଥ୍ୟ ଅନୁଯାୟୀ ଦେଶରେ ପ୍ରତି ୧୫ ମିନିଟ୍‌ରେ ଶାରୀରିକ ନିର୍ଯାତନାରେ ଶିକାର ହେଉଛନ୍ତି ଜଣେ ଲେଖାଏ ଶିଶୁକନ୍ୟା ଓ ମହିଳା। ସମାଜ ଯଦି ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେଇ ନ ପାରିଲା, ତେବେ କ’ଣ ମୂଲ୍ୟ ଅଛି ସେ କଠୋର ଆଇନ ତିଆରି କରିବାର? ସାଧାରଣତଃ ଯେଉଁଠି ଗଣବଳାତ୍କାର ଭଳି ଅମାନବୀୟ ଘଟଣା ବିରୋଧରେ ଯଥାର୍ଥ ପ୍ରତିକ୍ରିୟା ସୃଷ୍ଟି ହୁଏନି ସେଠାରେ ଆଙ୍ଗୁଳି ଉଠେ ଗଣ ବିବେକର ଅବକ୍ଷୟ ଆଡ଼କୁ। ମାତ୍ର ଗଣବଳାତ୍କାର ଭଳି ଜଘନ୍ୟ ଅପରାଧକୁ କେବେ ବରଦାସ୍ତ କରିନି ଭାରତୀୟ ଗଣବିବେକ। ୨୦୧୨ରେ ଦେଶର ଗଣବିବେକକୁ ଦୋହଲାଇ ଦେଇଥିଲା ଦିଲ୍ଲୀର ନିର୍ଭୟା ଗଣବଳାକତ୍ାର ଘଟଣା। ତା’ର ସଦ୍ୟତମ ଦୃଷ୍ଟାନ୍ତ ହେଉଛି ଗତ ନଭେମ୍ବର ୨୭ ତାରିଖ ହାଇଦ୍ରାବାଦରେ ଘଟିଯାଇଥିବା ମହିଳା ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ଼ି ଗଣବଳାତ୍କାର ଓ ହତ୍ୟା ପରବର୍ତ୍ତୀ ପ୍ରତିକ୍ରିୟା। ଲୋକେ ଏତେ ଉତ୍ତ୍ୟକ୍ତ ହୋଇଯାଇଥିଲେ ଯେ ଘଟଣାରେ ସମୃକ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଗୁଳି (ଏନ୍‌କାଉଣ୍ଟର) କରି ମାରିଦେବା ପରେ ସାରା ଦେଶରେ ଖେଳିଗଲା ଏକ ଉତ୍ସବମୟ ବାତାବରଣ। ଯେଉଁ ପରିସ୍ଥିତିରେ ଏନ୍‌କାଉଣ୍ଟର ହେଉନା କାହିଁକି ଅଭିଯୁକ୍ତମାନଙ୍କୁ ତ୍ୱରିତ ଦଣ୍ଡ ଦେଇଥିବାରୁ ତେଲେଙ୍ଗାନା ପୋଲିସ ଉପରେ ଅଜାଡ଼ି ହୋଇପଡ଼ିଲା ଉଚ୍ଛ୍ବସିତ ପ୍ରଶଂସା।
କୁହାଯାଏ ନେତୃତ୍ୱ ଯେଉଁଠି ଅନୈତିକ ସେଠାରେ ଅପରାଧୀଙ୍କ ଦୌରାମତ୍‌ୟରେ ଅସ୍ବଚ୍ଛ ହୋଇଯାଏ ରାଷ୍ଟ୍ରର ଛବି। ବାସ୍ତବରେ ଆମ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦରେ ବଢି ବଢି ଚାଲିଛି ଅପରାଧ ପୃଷ୍ଠଭୂମି ଥିବା ଜନପ୍ରତିନିଧିଙ୍କ ସଂଖ୍ୟା। ସେହି ଅପରାଧୀମାନେ ମାନ୍ୟବର ସାଜି ସଂସଦରେ ଆଇନ ତିଆରି କରୁଛନ୍ତି ଏବଂ ସେମାନଙ୍କ ରାଜନୈତିକ ଛଳନା ଓ ଶଠତା ଯୋଗୁ ଆଇନ କାର୍ଯ୍ୟକାରୀ ହୋଇପାରୁନି ଠିକଣା ଢଙ୍ଗରେ। ଗଣବଳାତ୍କାର ଓ ହତ୍ୟାକାଣ୍ଡ ଆଦି ଲୋମହର୍ଷଣକାରୀ ଘଟଣା ଗଣବିବେକକୁ ଦୋହଲାଇ ଦିଏ ସତ, କିନ୍ତୁ ଏଥିରେ ଆମ ମାନ୍ୟବରମାନଙ୍କୁ ମିଳିଯାଏ କୁମ୍ଭୀରକାନ୍ଦଣା କାନ୍ଦିବାର ମଉକା। ରାଜ୍ୟ ବିଧାନସଭାଠାରୁ କେନ୍ଦ୍ର ସଂସଦ ପର୍ଯ୍ୟନ୍ତ ସବୁଠି ଆରମ୍ଭ ହୋଇଯାଏ ତୁମ୍ବିତୋଫାନ, କଥା କଟାକଟି ଏବଂ ଆରୋପ ପ୍ରତ୍ୟାରୋପ। ଏପରି କି ମହିଳା ପ୍ରତିନିଧିମାନେ ମଧ୍ୟ ଏଭଳି ସ୍ପର୍ଶକାତର ପ୍ରସଙ୍ଗକୁ ଦେଖିନ୍ତି ଦଳୀୟ ଦୃଷ୍ଟିଭଙ୍ଗୀରେ। ଅପରାଧ ରୋକିବା ଦିଗରେ ଗଠନମୂଳକ ଆଲୋଚନା ପରିବର୍ତ୍ତେ ବିତର୍କକୁ ଭଣ୍ଡୁର କରିବା ପାଇଁ ନାରାବାଜି କରନ୍ତି ପରସ୍ପର ବିରୋଧରେ। ଉତ୍ତରପ୍ରଦେଶ ଉନ୍ନାଓରେ ନାବାଳିକା ବଳାତ୍କାର ଅପରାଧରେ ଏବେ ଅଦାଲତରେ ଦୋଷୀସାବ୍ୟସ୍ତ ହୋଇଛନ୍ତି ଜଣେ ମାନ୍ୟବାର ବିଧାୟକ। କଶ୍ମୀରର କଠୁଆରେ ବଳାତ୍କାର ଅଭିଯୁକ୍ତଙ୍କ ସପକ୍ଷରେ ଦୁଇଜଣ ମନ୍ତ୍ରୀଙ୍କ ବୟାନବାଜି ଓ ଶୋଭାଯାତ୍ରାରୁ ବାରିହୋଇ ପଡ଼େ ସେମାନଙ୍କ ଆପରାଧିକ ପୃଷ୍ଠଭୂମି।
ବିହାରର ମୁଜାଫର ନଗର ସ୍ଥିତ ବାଳାଶ୍ରମ ହେଉ କି ଉତ୍ତରପ୍ରଦେଶର ଦେଓରିଆ ଆଶ୍ରମ ଗୃହ ହେଉ, ଏଠି ସେବା ନାଁରେ ଛଦ୍ମ ସମାଜସେବୀଙ୍କ ଦ୍ୱାରା ଚାଲିଥିବା ଯୌନ ଶୋଷଣ ସମ୍ପର୍କରେ କ’ଣ ଜାଣି ନ ଥିଲେ ସ୍ଥାନୀୟ ମାନ୍ୟବରମାନେ? ଏହିମାନଙ୍କ ବାହୁଛାୟା ତଳେ ଥିବା ଭୟଙ୍କର କୀଟମାନଙ୍କ କ୍ଷୁଧିତ ଦଂଶନରେ ଝରିପଡୁଛନ୍ତି କୁନ୍ଦୁଲିରୁ କଠୁଆ ଯାଏ ସୁନ୍ଦର ଉଦ୍ୟାନର ଅନେକ ନିଷ୍ପାପ କଳିକା। ଗଣବଳାତ୍କାର ଭଳି ଜଘନ୍ୟ ଅପରାଧରେ ସଂଶ୍ଳିଷ୍ଟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ବିଧାନ ପାଇଁ ଏଠାରେ ରହିଛି ସ୍ବତନ୍ତ୍ର ଅଦାଲତ ଗଠନର ପ୍ରାବଧାନ। ମାତ୍ର ମାନ୍ୟବରମାନଙ୍କ ଅଯଥା ହସ୍ତକ୍ଷେପ ପୋଲିସର ତ୍ରୁଟିଯୁକ୍ତ ତଦନ୍ତ ଓ ବେପରୁଆ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତି ଓ ସରକାରୀ ଓକିଲ ନିଯୁକ୍ତି ରାଜନୈତିକ ପକ୍ଷପାତିତା ଆଦି କାରଣରୁ ବିଚାର ପ୍ରକ୍ରିୟା ବିଳମ୍ବିତ ହେବା ସହିତ ଅନେକ କ୍ଷେତ୍ରରେ ଆଇନ ଜାଲରୁ ଖସିଯିବା ପାଇଁ ସକ୍ଷମ ହେଉଛି ଅପରାଧୀ। ନିର୍ଭୟା ଗଣବଳାକତ୍ାରର ୭ବର୍ଷ ପରେ ବି ଏଯାବତ୍‌ ଅପରାଧୀମାନଙ୍କୁ ମିଳିନି ଶାସ୍ତି। ଏଥିପାଇଁ ବ୍ୟବସ୍ଥା ଉପରେ ରହୁନି ଲୋକଙ୍କ ଭରସା। ସେମାନେ ଚାହୁଁଛନ୍ତି ଦୋଷୀ ପ୍ରତି ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉ ଏବଂ ସେହି ଭାବାବେଗର ଏକ ପ୍ରତିଫଳନ ଦେଖିବାକୁ ମିଳିଲା ହାଇଦ୍ରାବାଦ ଏନ୍‌କାଉଣ୍ଟର ପରେ।
ସାଧାରଣତଃ ପୋଲିସର ଚରିତ୍ର ଓ କାର୍ଯ୍ୟାବଳୀ ସର୍ବଦା ସନ୍ଦେହାଚ୍ଛନ୍ନ ଏବଂ ସାରା ଦେଶରେ ପ୍ରାୟତଃ ସମାନ। ଚାପର ବଶବର୍ତ୍ତୀ ହୋଇ କିମ୍ବା ପ୍ରତିଶୋଧ ନେବା ନିମନ୍ତେ ଏନ୍‌କାଉଣ୍ଟର ନାଟକ ରଚନା କରିବାରେ ସେ ସିଦ୍ଧହସ୍ତ। ତେବେ ତା’ର ରେକର୍ଡ ଯାହାହେଉନା କାହିଁକି ହାଇଦ୍ରାବାଦ ଘଟଣାର ମାତ୍ର ୨୪ ଘଣ୍ଟା ଭିତରେ ୪ ଜଣ ଅଭିଯୁକ୍ତଙ୍କୁ ଧରିଆଣି କୋର୍ଟଚାଲାଣ କରିବା ଏବଂ ତଦନ୍ତ କରିବା ନିମନ୍ତେ ଅଭିଯୁକ୍ତମାନଙ୍କୁ ଘଟଣା ସ୍ଥଳକୁ ନେଇ ଏନ୍‌କାଉଣ୍ଟର କରିବା ଫଳରେ ଅପରାଧୀଙ୍କୁ ମିଳିଲା ତ୍ୱରିତ ଦଣ୍ଡ। ମାତ୍ର ବିଡ଼ମ୍ବନାର ବିଷୟ ଅପରାଧୀଙ୍କୁ ତ୍ୱରିତ ଦଣ୍ଡ ମିଳିବା ସତ୍ତ୍ୱେ ଏଭଳି ଜଘନ୍ୟ ଘଟଣା ଘଟିବାରେ ଲାଗିଲାନି ରୋକ୍‌। ଏବେ ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି ଦେଶରେ କେଉଁଠି ନା କେଉଁଠି ଘଟୁଥିବା ଗଣବଳାତ୍କାର ଖବର। ଅର୍ଥାତ୍‌ ବଳାକତ୍ାରୀଙ୍କୁ ଧରିଆଣି ତତ୍କାଳ ଫାଶୀ ଖୁଣ୍ଟରେ ଝୁଲେଇଦେଲେ ବି ସରିବନି ଯୁଦ୍ଧ। କାରଣ ଦଣ୍ଡର ଭୟ ଦେଖାଇ ଅପରାଧୀଙ୍କୁ ଦବାଇ ଦିଆଯାଇ ପାରେ, ମାତ୍ର ଏହାଦ୍ୱାରା ମରିବନି ଅପରାଧପ୍ରବଣତା, ଅଥଚ ଏହା ଅପରାଧଠାରୁ ଆହୁରି ଭୟଙ୍କର। ଏହି ପ୍ରବଣତା ମନର ଏକ ନିଭୃତ ସ୍ଥାନରେ ଲୁଚିରହିଥାଏ ସୁଯୋଗ ଅପେକ୍ଷାରେ। ସୁଯୋଗ ପାଇବା ମାତ୍ରେ ବିବେକର ତଣ୍ଟି ମୋଡ଼ିଦେଇ ବଳାତ୍କାରରେ ପ୍ରବୃତ୍ତ ହୋଇଯାଏ ଏକ ଯନ୍ତ୍ରଚାଳିତ ରୋବୋ ପରି। ତେଣୁ କଠୋର ଦଣ୍ଡର ଭୟ ଦେଖାଇ ଅପରାଧପ୍ରବଣତାକୁ ଦୂର କରାଯାଇ ପାରିବନି, ବରଂ ଏଥିପାଇଁ ଲୋଡ଼ା ଏକ ସୁସ୍ଥ ସୁନ୍ଦର ସାମାଜିକ ପରିବେଶ। ସେହି ସୁସ୍ଥ ସୁନ୍ଦର ସାମାଜିକ ପରିବେଶ ଓ ଶୁଦ୍ଧପୂତ ଜୀବନଶୈଳୀ ପାଇଁ ଗାନ୍ଧିଜୀ ଚାହୁଁଥିଲେ ଏକ ନିଶାମୁକ୍ତ ସମାଜ। ମାତ୍ର ଦେଶରେ ଏବେ ସମସ୍ତଙ୍କୁ ମଦ ଖୁଆଇ ଉନ୍ମୁକ୍ତ କରି ଦିଆଗଲା ନାରୀ ନିର୍ଯାତନାର ପଥ। ନାରୀର ରୂପଶୋଭାକୁ ଲୋଭିଲା ଆଖିରେ ଚାହିଁବା ପୁରୁଷର ଏକ ଆଦିମ ପ୍ରକୃତି। ତା’ର ଏହି ଆଦିମ ଇଚ୍ଛାକୁ ଏବେ ବହୁ ମାତ୍ରାରେ ପ୍ରୋତ୍ସାହିତ କରୁଛି ଅଶ୍ଳୀଳତା। ରାମାୟଣରେ ଅଛି ଲକ୍ଷ୍ମଣରେଖା ଅତିକ୍ରମ କରିବା କାରଣରୁ ସୀତାଙ୍କୁ ଅପହରଣ କରିନେଲା ରାବଣ। ଏହାକୁ ଏକ କାରଣ ବୋଲି କିଏ ମାନୁ ବା ନ ମାନୁ, କବିବର ରାଧାନାଥ ରାୟ ଲେଖିଛନ୍ତି ”ଯେ ଯେତେ ଦାମ୍ଭିକ ମୋତେ ଅଛଇ ଜଣା, ଫୁଲଶର ଆଗେ ପଡ଼ିଲେ ବୁଦ୍ଧି ହୁଅଇ ବଣା।“ ଏକ ଶୃଙ୍ଖଳିତ ସମାଜ ଗଠନ ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର ଲାଭ ଓ ଲୋଭର ବଶବର୍ତ୍ତୀ ହୋଇ ଏବେ ଅଶ୍ଳୀଳତାକୁ ବିଜ୍ଞାପିତ କରୁଛି ଗଣମାଧ୍ୟମ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଯଦି ସମାଜ ପ୍ରତି ତା’ର ପ୍ରାଥମିକ ଦାୟିତ୍ୱ ଭୁଲିଯିବ ତେବେ ବଢ଼ିଚାଲିବ ବ୍ୟଭିଚାର।
ଅପରାଧପ୍ରବଣତା ନିରାକରଣର ମହୌଷଧି ହେଉଛି ନୈତିକ ଶିକ୍ଷା। ନୈତିକ ଶିକ୍ଷା ବଳରେ ‘ମାତୃବତ୍‌ ପରଦାରେଷୁ’ ଭାବନା ପୋଷଣ କରିଥିବା ମଣିଷ ମନକୁ କେବେ ଆନ୍ଦୋଳିତ କରିପାରେନି ବିକୃତ ବଳାତ୍କାର ଭାବନା। ସ୍ବାମୀ ବିବେକାନନ୍ଦ କହିଥିଲେ, ଶିଶିର ଯେପରି ଅଦୃଶ୍ୟ ଓ ଅଶ୍ରୁତ ଭାବରେ ରାଶି ରାଶି ପଦ୍ମକୁ ପ୍ରସ୍ଫୁଟିତ କରାଏ ସେମିତି ସମସ୍ତଙ୍କ ଅଜାଣତରେ ଚରିତ୍ର ନିର୍ମାଣ କରେ ନୈତିକ ଶିକ୍ଷା। ଏଣୁ ପ୍ରାଥମିକ ସ୍ତରରୁ ପିଲାଙ୍କୁ ଆମ ଉଚ୍ଚ ପରମ୍ପରା ଓ ମାନବିକ ମୂଲ୍ୟବୋଧ ତଥା ଭଗବତ୍‌ ଚେତନା ସମ୍ପର୍କରେ ଶିକ୍ଷା ପ୍ରଦାନ କଲେ ମାନବିକତାର ସୁଗନ୍ଧରେ ମହକି ଉଠିବ ସମାଜ। ଅନ୍ୟଥା ଗଛମୂଳେ ସାର ନ ଦେଇ ତା’ ପତ୍ରରେ ଦେବା ନ୍ୟାୟରେ ନୈତିକ ଶିକ୍ଷାକୁ ଅବହେଳା କରି ଯେତେ କଠୋର ଆଇନ ତିଆରି କଲେ ବି ସମାଜରୁ ହଟିବନି ନାରୀ ନିର୍ଯାତନା।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?