ଧଳା ବଦଳରେ କଳା ହେଲେ ଜୋକ

ତୁଷାରକାନ୍ତ
ସେତେବେଳର ଲୋଭନୀୟ ଚାକିରି ଛାଡ଼ି ଜାତୀୟକବି ବୀରକିଶୋର ଦାସ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ଅସୁମାରି କବିତା ଲେଖିଥିଲେ। ସେଥିମଧ୍ୟରୁ ଯେଉଁଟି ଅନ୍ୟମାନଙ୍କୁ ଯଥେଷ୍ଟ ଅନୁପ୍ରାଣିତ କରୁଥିଲା, ସେଇଟି ଥିଲା ‘ଆମେ କେତେଜଣ ଜୀବନକୁ ପାଣି ଛଡ଼େଇ ନ ଦେଲେ ଚଳିବ କି, ଦଧୀଚିଙ୍କ ହାଡ଼ ଉଜାଡ଼ି ନ ଦେଲେ ଏ ଦେଶର ଭାଗ୍ୟ ଫେରିବ କି?’ ସେଇ କବିତାରେ ମଧ୍ୟ ସେ ଆଶଙ୍କା ପ୍ରକାଶ କରିଥିଲେ ଯେ, ‘ଧଳା (ବ୍ରିଟିଶ) ବଦଳରେ କଳା (ଭାରତୀୟ) ହେଲେ ଜୋକ (ଶାସକ), କଟିବ କି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢିବା କି, ଆମେ କେତେଜଣ ଜୀବନକୁ ପାଣି ଛଡ଼େଇ ନ ଦେଲେ ଚଳିବ କି?’
‘ଧଳା’ ବଦଳରେ ‘କଳା’ ଶାସକ, ପ୍ରଶାସକ ଓ ଧର୍ମାବତାର ହେଲେ, ଚାଷୀମୂଲିଆଙ୍କ ଦୁଃଖ ବି କିଛିମାତ୍ରାରେ କଟିଲା କିନ୍ତୁ ଗାନ୍ଧିଜୀଙ୍କଠାରୁ ବୀରକିଶୋରଙ୍କ ଯାଏ ଯେଉଁ ‘ଦୁଃଖ ହଟିବା’ ପାଇଁ ସଂଗ୍ରାମ କରିଥିଲେ, ସେ ଦୁଃଖ ସମୂଳେ ହଟିଲା ନାହିଁ। ବରଂ, ଧନୀଙ୍କ ସମ୍ପତ୍ତି ବଢିବାରେ ଲାଗିଛି ଓ ଚାଷୀମୂଲିଆଙ୍କ ସମ୍ପତ୍ତି କମି କମି ଚାଲିଛି।
ବୀରକିଶୋରଙ୍କ ପରି ଆଉ ଜଣେ ତ୍ୟାଗୀ ସ୍ବାଧୀନତା ସଂଗ୍ରାମୀ ଥିଲେ ସ୍ବର୍ଗତ ଗୌରାଙ୍ଗ ଚରଣ ଦାସ (ତା୨୬ା୦୧ା୧୮୯୯ରୁ ୧୯ା୦୨ା୧୯୭୨)। ଏଥିରେ ପ୍ରଦତ୍ତ ଫଟୋଟି କଟକର ସ୍ବରାଜ ଆଶ୍ରମରେ ଉଠାଯାଇଥିଲା, ଯେଉଁଟିରେ ଅଛନ୍ତି (ବାମରୁ) ନବକୃଷ୍ଣ ଚୌଧୁରୀ, ଗୌରାଙ୍ଗ ଚରଣ ଦାସ ଓ ଭଗବତୀ ଚରଣ ପାଣିଗ୍ରାହୀ (ତା୦୧ା୦୨ା୧୯୦୮ରୁ ତା୨୩ା୧୦ା୧୯୪୩ରିଖ)। ଏହି ଫଟୋଟି ଏବେ ବି ସ୍ବର୍ଗତ ଗୌରାଙ୍ଗ ଚରଣ ଦାସଙ୍କ ଘରେ ଶୋଭାପାଉଛି। ଏମାନେ ସମସ୍ତେ ଥିଲାବାଲା ପରିବାରର ଦାୟାଦ ଥିଲେ ଓ ବ୍ରିଟିଶ ସରକାରଙ୍କ ସମର୍ଥକ ହୋଇ ଅନେକ ସୁଖ ଓ ସୁବିଧା ପାଇବାକୁ ଯୋଗ୍ୟ ଥିଲେ। ଅଥଚ, ସେମାନେ ବ୍ରିଟିଶ ବିରୋଧରେ ଲଢି ଅନେକ କଷଣ ସହିଥିଲେ।
ଆଜି ଗୌରାଙ୍ଗ ଚରଣ ଦାସଙ୍କ ୪୮ତମ ବାର୍ଷିକ ସ୍ମୃତି ଦିବସ। ସିଏ ନିଜର ପୁଅ ଶଶିଭୂଷଣ ଦାସଙ୍କ ସହିତ ନିଜ ଗ୍ରାମ ବାଗଲପୁରର ଆଉ ୧୬ ଜଣଙ୍କୁ (ସମୁଦାୟ ୧୮ଜଣ) ସ୍ବାଧୀନତା ସଂଗ୍ରାମୀ କରେଇଥିଲେ। ସମସ୍ତଙ୍କ ‘ଚିତ୍ତଭାଇ’ (ସେମାନଙ୍କ ଭିତରୁ ଜଣେ) ଅବସରରେ ସେମାନଙ୍କ କଥା କାହିଁକି ମନେ ପକେଇଲେ କେଜାଣି ଭାରି ହତାଶାଭାବ ଘୋଟିଆସୁଛି। ଗାନ୍ଧିଜୀଙ୍କର ଶାସକ, ପ୍ରଶାସକ ତଥା ନ୍ୟାୟମୂର୍ତ୍ତିମାନଙ୍କ ଉଦ୍ଦେଶ୍ୟରେ ତାବିଜ (Talisman) (୧- ଯୋଜନାଟିଏ କଲାବେଳେ ଲକ୍ଷ୍ୟ ରଖିଥିବେ, ତାହାଦ୍ୱାରା ସମାଜର ସବୁଠାରୁ ତଳେ ଥିବା ଲୋକଟି କେତେ ମାତ୍ରାରେ ଉପକୃତ ହେଉଛନ୍ତି, ୨- ଯିଏ ତୁମମାନଙ୍କ ପାଖକୁ କୌଣସି କାମରେ ଆସୁଛନ୍ତି, ସେ ତୁମ କାମରେ ବାଧା ସୃଷ୍ଟି କରୁନାହାନ୍ତି, ତୁମର ନିଯୁକ୍ତି ସେମାନଙ୍କ ପାଇଁ ଏବଂ ୩- ପ୍ରକୃତି ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ଦେଇଛି, ଲୋଭର ପରିପୂରଣ ପାଇଁ ନୁହେଁ।)କୁ ଯଦି ସେମାନେ ଯଥାର୍ଥରେ ଆପଣେଇଥାନ୍ତେ ତେବେ ହୁଏତ ଧଳା ବଦଳରେ କଳାଙ୍କ ଶାସନ ଯଥାର୍ଥ ହୋଇଥାନ୍ତା।
ଶାସକ ଓ ପ୍ରଶାସକଗଣ ଅବାଟରେ ଗଲେ ତାହା ବିରୋଧରେ ଲୋକଙ୍କ ସୁରକ୍ଷା ପାଇଁ ନ୍ୟାୟପାଳିକାର ସୃଷ୍ଟି ହୋଇଥିଲା। ସ୍ବାଧୀନ ଭାରତରେ ଗୋଟିଏ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥାପନା ପାଇଁ ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ବ୍ରିଟିଶ ଲର୍ଡ ଚାନ୍‌ସେଲରଙ୍କୁ ଅନୁରୋଧ କରି କହିଥିଲେ ”ମୋ ସ୍ବପ୍ନର ନ୍ୟାୟାଳୟ ପ୍ରତିଷ୍ଠା ହେଲେ ତାହା ସମସ୍ତଙ୍କୁ ନ୍ୟାୟ ଦେବ ଯାହା ଦେବାରେ ହୁଏତ ମୁଁ (ଗାନ୍ଧିଜୀ) ସଫଳ ହେବି ନାହିଁ’। ଅଥଚ, ଶାସକ ଓ ପ୍ରଶାସକଙ୍କ ଅନ୍ୟାୟ ଓ ଅତ୍ୟାଚାରକୁ ଆଖି ବୁଜିଦେଇ ନ୍ୟାୟାଳୟର ଅଧୀଶ୍ୱରମାନେ ଯେତେବେଳେ ସେମାନଙ୍କ ସହିତ ମିଶିଯାଆନ୍ତି, ସେତେବେଳେ ‘ନାଗରିକ ସଂଶୋଧନ ଆଇନ୍‌’ (ସିଏଏ)ର ବିରୋଧ କରି ୨୫ଜଣ ମୃତ୍ୟୁବରଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅଣଦେଖା କରି ସେହି ଆଇନ୍‌ ବିରୋଧରେ ଦିଲ୍ଲୀର ଶାହିନ୍‌ବାଗରେ ଚାଲୁଥିବା ଆନ୍ଦୋଳନରେ ଗୋଟିଏ ଶିଶୁର ମୃତ୍ୟୁକୁ ନେଇ ନିଜ ଆଡ଼ୁ ଶୁଣାଣି କରନ୍ତି।“ କର୍ନାଟକର ବିଦାରଠାରେ ଏକ ବିଦ୍ୟାଳୟରେ ଛୋଟ ଛୋଟ ପିଲାଏ ‘ସିଏଏ’ ବିରୋଧରେ ନାଟକଟିଏ ପରିବେଷଣ କରିଥିବାରୁ ପୋଲିସ ସେମାନଙ୍କୁ ବାରମ୍ବାର ଜେରା କରେ ଓ ଅଭିଭାବକଙ୍କୁ ଜେଲରେ ପୂରାଏ ଅଥଚ ସର୍ବୋଚ୍ଚ ନ୍ୟାୟାଳୟ ଚୁପ୍‌ ରହନ୍ତି। ଆସାମରେ ‘ଜାତୀୟ ନାଗରିକ ପଞ୍ଜିକା’ ଯୋଗୁ ଅଟକ ଶିବିରରେ ରଖାଯାଇଥିବା ଲୋକଙ୍କ ବାବଦରେ ବିଚାରପତିମାନେ ଚୁପ୍‌। ବାବ୍ରୀ ମସଜିଦ ଭଙ୍ଗାଯିବା ବେଆଇନ ବୋଲି ଘୋଷଣା କରିଥିବା ବିଚାରପତିଗଣ ସେଥିପାଇଁ ଦାୟୀମାନଙ୍କୁ ଦଣ୍ଡବିଧାନ କରୁନାହାନ୍ତି। ଦିଲ୍ଲୀର ବିଚାରାଳୟ ଭିତରେ ଅଭିଯୁକ୍ତ ତଥା ପୋଲିସଙ୍କୁ ମାଡ଼ ହେବା, ସଂଖ୍ୟାଲଘୁ ବିଶ୍ୱବିଦ୍ୟାଳୟରେ ବିନା ଅନୁମତିରେ ପୋଲିସ ପଶି ବାଡ଼େଇବା, କିନ୍ତୁ ଆଉ ଗୋଟିଏ ବିଶ୍ୱବିଦ୍ୟାଳୟରେ ଗୁଣ୍ଡାମାନେ ଛାତ୍ରୀଛାତ୍ରଙ୍କୁ ବାଡ଼େଇଲେ ମଧ୍ୟ ପୋଲିସ ଚୁପ୍‌ ରହିବା, ଗୋଟିଏ ମହିଳା ମହାବିଦ୍ୟାଳୟରେ ଗୁଣ୍ଡାମାନେ ପଶି ଛାତ୍ରୀମାନଙ୍କ ପ୍ରତି ଅସଦ୍‌ ବ୍ୟବହାର କଲେ ମଧ୍ୟ ପୋଲିସ ଚୁପ୍‌ ରହିବା ଉପରେ ବିଚାରପତିମାନେ ବି ଚୁପ୍‌ ରୁହନ୍ତି।
ଆମର ପ୍ରଚଳିତ ଢଗଟିଏ ଅଛି ‘ସେବା କାର୍ପଣ୍ୟ ତପ ବଳେ, କିବା ଅସାଧ୍ୟ ମହୀତଳେ’। ଗାନ୍ଧିଜୀଙ୍କଠାରୁ ଗୌରାଙ୍ଗ ଚରଣଙ୍କ ପର୍ଯ୍ୟନ୍ତ ସମସ୍ତେ ସେବା ପାଇଁ ଲାଗିଥିଲେ ଅଥଚ ଏବେ କଳା ଶାସକ, ପ୍ରଶାସକ ଓ ନ୍ୟାୟମୂର୍ତ୍ତିମାନେ ନିଜେ ସେବା ପାଇବା ପାଇଁ ବ୍ୟସ୍ତ ଓ ନିଜର ସ୍ବାର୍ଥ ପାଇଁ କ୍ଷମତାଧାରୀମାନଙ୍କ ରଜ୍ଜୁରେ ନିଜେ ନିଜେ ବାନ୍ଧି ହୋଇ ନାଚୁଛନ୍ତି।
ଅତଏବ, ଜାତୀୟ କବିଙ୍କଠାରୁ ଆରମ୍ଭ କରି ଗୌରାଙ୍ଗ ଚରଣଙ୍କ ଯାଏ ସମସ୍ତଙ୍କ ଆଶଙ୍କା ‘ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ’ଟି ଆଜି ବାସ୍ତବତାର ରୂପ ନେଇଛି। ତଥାପି, ସେମାନେ ଆମକୁ ସ୍ବାଧୀନ ଭୂଖଣ୍ଡଟିଏ ଦେଇଥିବାରୁ ଗୌରାଙ୍ଗ ଚରଣ ଦାସଙ୍କ ପୁଣ୍ୟତିଥି ଅବସରରେ ସେ ଗୋଷ୍ଠୀଙ୍କର ସମସ୍ତଙ୍କ ପ୍ରତି ସଭକ୍ତି ସମ୍ମାନ ଜଣାଉଛି।
ମୋ : ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?