ଦୁଇଚକିଆ ଯାନରେ ପିଲାଙ୍କ ସୁରକ୍ଷା

ଈପ୍ସିତା ମହାନ୍ତି

୨୦୨୨ ଡିସେମ୍ବର ୨୪ର କଥା। ପରିବାର ସହ ମିଗ୍‌ନଗରୀ ସୁନାବେଡା ଅଭିମୁଖେ ଯାତ୍ରା କରୁଥିବାବେଳେ ଆମ ଆଖି ସାମ୍ନାରେ ଘଟିଗଲା ଏକ ହୃଦୟବିଦାରକ ଘଟଣା। ୨୬ନଂ. ଜାତୀୟ ରାଜପଥ ଉପରେ ଆମ ଆଗେ ଆଗେ ନିଜ ସ୍ତ୍ରୀ ଓ ୩-୪ବର୍ଷର ପୁଅ ତୁଳାରାମକୁ ବସାଇ ଏକ ଦୁଇଚକିଆ ଯାନରେ ଜଣେ ଯୁବକ ଦ୍ରୁତଗତିରେ ଚାଲିଯାଉଥିଲେ। ଅକସ୍ମାତ ଗାଡିରୁ ଗଳିପଡି ନିରୀହ ବାଳକ ତୁଳାରାମ ଗୁରୁତର ହୋଇଥିଲା। ସଙ୍ଗେ ସଙ୍ଗେ ଜଣେ ବ୍ୟକ୍ତିଙ୍କ ସହଯୋଗରେ ସେ ପହଞ୍ଚି ଯାଇଥିଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ। ତୁରନ୍ତ ଡାକ୍ତରୀସେବା ପାଇବାରୁ ତୁଳାରାମ ସେଦିନ ନିଶ୍ଚିତ ମରଣମୁହଁରୁ ଫେରି ଆସିଥିଲା ସତ କିନ୍ତୁ ବାସ୍ତବରେ ଆମ ଚାରିପାଖରେ ଏଭଳି ଘଟଣା ପ୍ରତ୍ୟହ ଘଟିଚାଲିଛି। ତଥାପି ଆମେ ଚେତୁନାହୁଁ।
ସଡ଼କ ଦୁର୍ଘଟଣାର ପରିସଂଖ୍ୟାନରେ ଭାରତର ସ୍ଥିତି ଆଜି ଚିନ୍ତାଜନକ। ବିଶ୍ୱରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଥିବା ୧୦ଟି ଦେଶ ମଧ୍ୟରେ ଭାରତ ଶୀର୍ଷରେ ଥିବା ମିଳିତ ଜାତିସଂଘର ରିପୋର୍ଟ କହୁଛି। ଆମ ଦେଶରେ ଦୁଇଚକିଆ ଯାନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ଘଟିଛି। ଦେଶର କୋଣଅନୁକୋଣର ରାସ୍ତାଘାଟରେ ଆଜି ବିଭିନ୍ନ ନାମୀଦାମୀ କମ୍ପାନୀର ଦୁଇଚକିଆ ଯାନ ଆତଯାତ ହେଉଥିବା ଦୃଶ୍ୟମାନ ହେଉଛି। ଅଧିକାଂଶ ଚାଳକ ଦ୍ରୁତଗତି ସହ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅବମାନନା କରି ଚାଲିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ବଡମାନଙ୍କର ଦାୟିତ୍ୱହୀନତା ପାଇଁ ଅନେକ ନିରୀହ ପିଲା ପ୍ରାଣ ହରାଉଛନ୍ତି। ଆକଳନ ଅନୁସାରେ ଭାରତରେ ଦୈନିକ ୩୧ ଜଣ ଶିଶୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହା ସଡ଼କ ଦୁର୍ଘଟଣାଜନିତ ସମୁଦାୟ ମୃତ୍ୟୁ ସଂଖ୍ୟାର ପାଖାପାଖି ୮ ପ୍ରତିଶତ। ନିଜ ପିଲାଙ୍କ ନିରାପତ୍ତା ପ୍ରତି ଆମେ କେତେ ସଚେତନ ତାହା ଉପରେ ବିରାଟ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୨୦୧୯ରେ ସଡ଼କ ଦୁର୍ଘଟଣାରେ ୧୧,୧୬୮ ପିଲାଙ୍କ ଜୀବନ ଯାଇଛି। ପୂର୍ବ ବର୍ଷ ତୁଳନାରେ ଏହା ୧୧.୯୪ ପ୍ରତିଶତ ଅଧିକ। ସେହିଭଳି ୨୦୨୦ରେ ୧୪ ବର୍ଷରୁ କମ୍‌ ବୟସର ୨୭ଶହ ଏବଂ ୧୮ ବର୍ଷରୁ କମ୍‌ ବୟସର ୧୪ହଜାର ପିଲା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ପିଲା ନିଜ ଗୁରୁଜନଙ୍କ ସହ ଦୁଇଚକିଆ ଯାନରେ ବସି ଯାତ୍ରା କରୁଥିଲେ। ଆମ ଦେଶରେ ପ୍ରତ୍ୟହ ବହୁ ସଂଖ୍ୟକ ପିଲା ନିଜ ଅଭିଭାବକଙ୍କ ସହ ଦୁଇଚକିଆ ଯାନରେ ଯାତ୍ରା କରୁଛନ୍ତି, କିନ୍ତୁ ସେମାନଙ୍କ ସୁରକ୍ଷା ପାଇଁ ସେପରି କୌଣସି ବ୍ୟବସ୍ଥା ନାହିଁ। ତେଣୁ ଦୁର୍ଘଟଣା ଘଟିଲେ ପିଲାମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଅଧିକାଂଶ ଦୁର୍ଘଟଣା ଦ୍ରୁତଗତି ଏବଂ ଖାଲଖମା ରାସ୍ତା ଯୋଗୁ ଘଟୁଛି, କିନ୍ତୁ ଅନେକ ସମୟରେ ସେଫ୍ଟି ହର୍ନସ ବେଲ୍ଟ ବିନା ପଛରେ ବସିଥିବା ପିଲାଙ୍କ ସୁରକ୍ଷା ବିଷୟରେ ଚିନ୍ତା କରୁଥିବାରୁ ଚାଳକଙ୍କ ଏକାଗ୍ରତା ଭଙ୍ଗ ହୋଇଥାଏ। ଏହା ମଧ୍ୟ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ।
ଏଭଳି ଦୁର୍ଘଟଣାକୁ ଟାଳିବା ପାଇଁ ୨୦୨୨ ଫେବୃୟାରୀ ୧୫ରେ ନୂତନ ଟ୍ରାଫିକ୍‌ ନିୟମ ଜାରି କରାଗଲା। ତଦନୁଯାୟୀ ୨୦୨୩ ଫେବୃୟାରୀ ୧୫ଠାରୁ ୯ ମାସରୁ ୪ବର୍ଷ ବୟସର ପିଲାଙ୍କ ପାଇଁ ସେଫ୍ଟି ହର୍ନସ ବେଲ୍ଟ (ସୁରକ୍ଷା ସୂଚକ ପଟି) ପିନ୍ଧିବା ଅନିବାର୍ଯ୍ୟ। ଏଥିପାଇଁ କେନ୍ଦ୍ର ସରକାର ମୋଟର ଯାନ ଅଧିନିୟମ ୧୯୮୮ (୧୯୮୮ଏ ୫୯) ଧାରା ୧୩୭, ଖଣ୍ଡ (ଏଏ)ର କ୍ଷମତାକୁ ପ୍ରୟୋଗ କରିବା ସହ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯କୁ ସଂଶୋଧନ କରି କେନ୍ଦ୍ରୀୟ ମୋଟର ଯାନ (ଦ୍ୱିତୀୟ ସଂଶୋଧନ) ନିୟମ- ୨୦୨୨ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଏଯାଏ ଠିକ୍‌ ଢଙ୍ଗରେ ଏହାର ଅନୁପାଳନ ହେଉନାହିଁ। କେବଳ ଛୋଟ ପିଲାଙ୍କ ପାଇଁ ସେଫ୍ଟି ହର୍ନସ ବେଲ୍ଟ ଏବଂ ହେଲ୍‌ମେଟ ପିନ୍ଧିବା ଅନିବାର୍ଯ୍ୟ ହୋଇନାହିଁ, ନିୟମ ଅନୁସାରେ କୌଣସି ପରିସ୍ଥିତିରେ ଜଣେ ଚାଳକ ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଦୁଇଚକିଆ ଯାନ ଚଳାଇପାରିବେ ନାହିଁ। ନିୟମ ଅବମାନନାକାରୀଙ୍କ ପାଇଁ କଠୋର ଦଣ୍ଡ ଧାର୍ଯ୍ୟ ହୋଇଛି। କିନ୍ତୁ ଠିକ୍‌ ଯାଞ୍ଚ ବିନା ଏହାର ସଫଳତା ଆଶା କରାଯାଇ ନ ପାରେ।
ବାସ୍ତବରେ ପିଲାଙ୍କ ପାଇଁ ପ୍ରସ୍ତୁତ ସେଫ୍ଟି ହର୍ନସ ବେଲ୍ଟ ହେଉଛି ଏକ ନିୟନ୍ତ୍ରିତ ବେଲ୍ଟ, ଯାହାକୁ ଅଷ୍ଟ୍ରେଲିଆ, ଫ୍ରାନ୍ସ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ଜାପାନ ସମେତ ଦୁନିଆର ପ୍ରାୟ ୫୬ଟି ଦେଶର ପିଲା ବହୁ ପୂର୍ବରୁ ବ୍ୟବହାର କରିଆସୁଛନ୍ତି। କାଗଜ କଲମରେ ଆଇନ ତିଆରି ହୋଇଥିଲେ ମଧ୍ୟ ଭାରତରେ ଏ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ପାଇଁ ଏଭଳି ସେଫ୍ଟି ହର୍ନ ବେଲ୍ଟ କିମ୍ବା ହେଲ୍‌ମେଟ ବାଧ୍ୟତାମୂଳକ ହୋଇନାହିଁ। ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ୯ ମାସରୁ ୪ବର୍ଷ ବୟସର ପିଲାଙ୍କ ପାଇଁ ସରକାର ୨୦୨୩ ଫେବୃୟାରୀ ୧୫ରୁ ସେଫ୍ଟି ହର୍ନସ ବେଲ୍ଟ ସହ ହେଲ୍‌ମେଟ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ନିୟମର ଉଲ୍ଲଂଘନ ପାଇଁ ପ୍ରଥମ ଥର ୧ହଜାର ଟଙ୍କା ଜରିମାନା ସହ ତିନିମାସ ପାଇଁ ଚାଳକଙ୍କ ଲାଇସେନ୍ସ ନିଲମ୍ବିତ କରାଯିବ। ଏଯାଏ କିନ୍ତୁ ଏହା ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହୋଇନି।
ପ୍ରଶ୍ନ ହେଉଛି, ଏହି ସେଫ୍ଟି ହର୍ନସ ବେଲ୍ଟ କ’ଣ?
ଏବଂ ଏହା କିପରି ଛୋଟପିଲାଙ୍କୁ ସୁରକ୍ଷା ଦେବ? ସେଫ୍ଟି ହର୍ନସ ବେଲ୍ଟ ହେଉଛି ଦୁଇଚକିଆ ଯାନରେ ଯାତ୍ରା କରୁଥିବାବେଳେ ପିଲାମାନେ ପିନ୍ଧୁଥିବା ଏକ ନିୟନ୍ତ୍ରିତ ବେଲ୍ଟ। ଯଦିଓ ଏହି ବେଲ୍ଟଟିକୁ ପିଲାଟି ପିନ୍ଧି ଥାଏ, କିନ୍ତୁ ଏହାର ଏକ ଅଂଶ ଦୁଇଚକିଆ ଯାନର ଚାଳକଙ୍କ ସହିତ ସଂଲଗ୍ନ ହୋଇଥାଏ। ଏହି ବେଲ୍ଟକୁ ପିଲାଟି ସ୍କୁଲ ବେଲ୍ଟ ପରି ପିନ୍ଧିଥାଏ, ଯାହାର ଏକ ଅଂଶ ଦୁଇଚକିଆ ଯାନର ଚାଳକଙ୍କ ଅଣ୍ଟା କିମ୍ବା ପେଟ ସହ ନ ଖସିବା ଭଳି ବନ୍ଧା ଯାଇଥାଏ (ଲକ କରାଯାଇଥାଏ)। ଦୁଇଚକିଆ ଯାନର ଚାଳକଙ୍କ ସହିତ ପିଲାଟିକୁ ଏହା ଦୃଢ଼ ଭାବରେ ଧରି ରଖେ। ଯେଉଁଥିପାଇଁ ପିଲାଟି ଅସୁରକ୍ଷିତ ରହେ ନାହିଁ। ଭାରସାମ୍ୟ ହରାଇବା ସତ୍ତ୍ୱେ ପିଲାଟି ଗାଡିରୁ ଖସି ପଡିବାର ଭୟ ନ ଥାଏ।
ତଥ୍ୟ କହୁଛି ସେଫ୍ଟି ହର୍ନସ ବେଲ୍ଟ ବାନ୍ଧୁ ନ ଥିବା କାରଣରୁ ୪ପ୍ରତିଶତ ପିଲା ଗାଡିରୁ ଖସି ତଳେ ପଡନ୍ତି ଏବଂ ଅଧିକାଂଶ ସମୟରେ ସେମାନେ ଦୁର୍ଘଟଣାର ଶିକାର ହୁଅନ୍ତି। ଭାରତୀୟ ମାନକ ବ୍ୟୁରୋ ଅଧିନିୟମ ୨୦୧୬ରେ ଏଭଳି ବେଲ୍ଟ ତିଆରି ପାଇଁ ମାନଦଣ୍ଡ ପ୍ରସ୍ତୁତ ହୋଇଥିଲା। ତଦନୁସାରେ ଏହା ନାଇଲନ, ନରମ ଫୋମ ଭଳି ବହୁମୁଖୀ ପଦାର୍ଥରେ ତିଆରି ହେବା ଉଚିତ। ଏହି ବେଲ୍ଟ ୩୦ କିଲୋଗ୍ରାମ ପର୍ଯ୍ୟନ୍ତ ଭାର ଉଠାଇବାର କ୍ଷମତା ରଖେ। ପିଲାଙ୍କ ପାଇଁ ବ୍ୟବହୃତ ହେଉଥିବା ହେଲ୍‌ମେଟଟି ଆଇଏସ୍‌ଆଇ ଚିହ୍ନ ଯୁକ୍ତ ହେବା ଆବଶ୍ୟକ। ସେଫ୍ଟି ହର୍ନ ବେଲ୍ଟ ଏବଂ ହେଲ୍‌ମେଟ ପିନ୍ଧାଇବା ସହ ଦୁଇଚକିଆ ଯାନର ଗତିକୁ ସୀମିତ ରଖିବା ଦ୍ୱାରା ଗାଡିରେ ବସିଥିବା ପିଲାଟି ଅନେକାଂଶରେ ସୁରକ୍ଷିତ ହୋଇଯାଏ। ଏହି ନିୟମକୁ କଡାକଡି ଲାଗୁ କଲେ ପିଲାଙ୍କ ଜୀବନ ସୁରକ୍ଷିତ ରହିବ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri