ପିଠି କୁଣ୍ଡେଇ ହେଉଛି କି

ନିରଞ୍ଜନ ସାହୁ

ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କ ଗୋଟିଏ ଅଭୁଲା ପଂକ୍ତି ମନେପଡ଼ିଯାଉଛି। ‘ମଣିଷ ଏଡ଼େ ଅସହାୟ ଯେ ନିଜ ପିଠିକୁ ମଧ୍ୟ ନିଜେ ଆଉଁସିପାରେନି ଅଥଚ ସେଇ ମଣିଷ ଏତେ ଆବେଗପ୍ରବଣ ଯେ ଭାବେ ଏକା ଏକା ଲୁହ ଢାଳି ସାରା ପୃଥିବୀକୁ ପ୍ଲାବନ କରିଦେବ’। ବାସ୍ତବ ଜୀବନରେ ଅସହାୟ ଦିଶୁଥିବା ମଣିଷଟି ଭାବନା ରାଜ୍ୟରେ କେତେ ଶକ୍ତିଶାଳୀ ହୋଇପାରେ ତାହା ସାବଲୀଳ ଭାବରେ ପ୍ରକାଶ କରିଛନ୍ତି ବେହେରା ।
କିଛିଦିନ ତଳେ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲାବେଳେ ଗୋଟିଏ ସୁନ୍ଦର ଛୋଟିଆ ଅସ୍ବାଭାବିକ ଉପକରଣ ମୋ ନଜରକୁ ଆସିଲା। ପ୍ଲାଷ୍ଟିକ୍‌ ତିଆରି ଚିଜଟି ଏପରି ଯେ ସେଥିରେ ଗୋଟିଏ ହ୍ୟାଣ୍ଡେଲ ଅଛି ପ୍ରାୟ ଦେଢ଼ଫୁଟ ଲମ୍ବହେବ ଏବଂ ତା’ର ଅଗ୍ରଭାଗଟି ମଣିଷର ପାପୁଲି ପରି ହୋଇ ପାଞ୍ଚଆଙ୍ଗୁଠି ପରି ବାହାରିଛି ପାଞ୍ଚଗୋଟି ବକ୍ର ଆଙ୍ଗୁଠି। ସେଇଟି ପଡ଼ିଥିଲା ମୋର ବନ୍ଧୁଙ୍କ ଡାଇନିଂ ଟେବୁଲ ଉପରେ ଆଉ ମୋ ସହିତ କଥାବାର୍ତ୍ତା କରୁକରୁ ସେ ଯେତେବେଳେ ତାହା ଉଠେଇ ନେଲେ ମୁଁ ଅପେକ୍ଷାକରି ରହିଲି ତା’ର ଉପଯୋଗ ଦେଖିବାକୁ। ସେ ତାକୁ ତାଙ୍କର ଶାର୍ଟର କଲର ପଛପଟକୁ ନେଇ ପିଠି ଆଡ଼କୁ ପୂରାଇଦେଲେ ଓ ମୋ ସହିତ କଥା ହେଉଥିଲା ବେଳେ ଅନାୟାସରେ ତାଙ୍କର ପିଠିକୁ କୁଣ୍ଡାଇ ଚାଲିଲେ। ସେତେବେଳେ ମୁଁ ଜାଣିଲି ଏଇ ଉଦ୍ଭାବନଟିର ବିଶେଷ ଦାୟିତ୍ୱ ସମ୍ପର୍କରେ।
ମଣିଷ ନିଜର ଜୀବନକୁ ସହଜ କରିବା ପାଇଁ ବହୁ ଯନ୍ତ୍ରପାତି ଉଦ୍ଭାବନ କରିଛି। ଆଉ ଏଇ ଛୋଟିଆ ଯନ୍ତ୍ରଟି ସାହାଯ୍ୟରେ ଅନାୟାସରେ ପିଠିକୁ କୁଣ୍ଡାଇ ହେବ ଏବଂ ରାମଚନ୍ଦ୍ର ସାର୍‌ଙ୍କୁ ମନେ ମନେ କହିହେବ, ସାର୍‌ ଆପଣଙ୍କ ବିଶେଷ ପଂକ୍ତିଟି ବୋଧହୁଏ ସୃଜନ ହୋଇଥିଲା ଏଇ ବିଶେଷ ଶବ୍ଦର ଉଦ୍ଭାବନ ପୂର୍ବରୁ। ଏବେ ଆଉ ନିଜ ହାତରେ ନିଜ ପିଠିକୁ କୁଣ୍ଡେଇବା ଏକ ଦୁଃସାଧ୍ୟ ପରିସ୍ଥିତି ହୋଇନାହିଁ!
ଆଗ ଯୁଗରେ ଯେତେବେଳେ ଆଧୁନିକ ବସ୍ତୁଟି ପରି ଯନ୍ତ୍ରଟିଏ ଉଦ୍ଭାବନ ହୋଇ ନ ଥିଲା ସେତେବେଳେ ପିଠି କୁଣ୍ଡା ଆରମ୍ଭ ହେଲା ମାନେ ନିକଟରେ ଥିବା ଆଉ କାହାକୁ ଡକାପଡ଼ୁଥିଲା। ସେ ଆସିବାରେ ବିଳମ୍ବ ହେଲେ କୁଣ୍ଡେଇବା ଭୋଗୁଥିବା ଲୋକର ରାଗ ସାଙ୍ଗେ ସାଙ୍ଗେ ପଞ୍ଚମକୁ ଉଠିଯାଏ। ଭୂମିକମ୍ପର ଏପିସୋଡ୍‌ ସିନା କେଉଁଠି ବୋଲି ଆଧୁନିକ କାଳରେ ଜାଣି ହେଉଛି ମାତ୍ର ତାହା କୁଣ୍ଡେଇ ହେବା କ୍ଷେତ୍ରରେ ବାହାର କରିବା ଏତେ ସହଜ ଓ ସୁଗମ ନ ଥିଲା ଏବଂ କୁଣ୍ଡେଇ ହେବା ଆରମ୍ଭ ହେବା ମାତ୍ରେ ସମଗ୍ର ପିଠିରେ ଏଇ ପ୍ରଭାବ ଅନୁଭୂତ ହୁଏ। ବିଶେଷକରି ଖରାଦିନେ ଏଇ ଉପସର୍ଗ ଅଧିକ ହୁଏ ଯେତେବେଳେ ଝାଳ ବାହାରି ଘିମିରି ଉଠେ। ଏଇ ଘିମିରି ବାହାରିଲେ କୁଣ୍ଡେଇ ହେବା ରୋଗ ଆପେ ଆପେ ବାହାରେ। ପିଠି କୁଣ୍ଡେଇହେବା ଏପରି ଏକ ଉପସର୍ଗ ଯାହାକୁ କେହି ନୂ୍ୟନ ଭାବରେ ଦେଖୁ ନ ଥିଲେ; କିନ୍ତୁ ପିଠି କୁଣ୍ଡେଇହେବାକୁ ଅନେକ ସମୟରେ ଥଟ୍ଟାରେ କୌଣସି ଦଣ୍ଡବିଧାନ ପୂର୍ବର ଅବସ୍ଥା ଭାବରେ କହୁଥିଲେ, ଯେମିତି କେହି ପାଠ ପ୍ରସ୍ତୁତି ନ କରିଥିଲେ ତାଙ୍କୁ କୁହାଯାଉଥିଲା, ତୋ ପିଠି କୁଣ୍ଡେଇ ହେଉଛି କି? ଅର୍ଥାତ୍‌ ତୋତେ ଆଜି ଅପେକ୍ଷା କରିଛି ଅବଧାନଙ୍କ ବେତ। ଯଦି କେହି ଗୁରୁଜନ କୌଣସି ଦାୟିତ୍ୱ ସାନମାନଙ୍କୁ ଦେଇଥାନ୍ତିି ଓ ତାହା ଅନୁପାଳନ ହୋଇ ନ ଥିବାର ତାଙ୍କ ଦୃଷ୍ଟିକୁ ଆସେ ତା’ହେଲେ କାଳ ବିଳମ୍ବ ନ କରି କହୁଥିଲେ, ତୋ ପିଠି କୁଣ୍ଡେଇ ହେଲାଣି କିରେ। ଅର୍ଥାତ୍‌ ତୁ କ’ଣ ଭୁଲିଯାଇଛୁ ତୋତେ ଅପେକ୍ଷା କରିଥିବା ଅବଶ୍ୟମ୍ଭାବୀ ଶାରୀରିକ ଦଣ୍ଡକୁ? ଓଡ଼ିଆ ଭାଷାର ଏଇ ମହକ ଏଇ ମଧୁରତା କ୍ରମେ କମି କମି ଆସୁଛି। କାରଣ ଏହିପରି ଅନେକ କଥା ଅଛି ଯାହା ଆଉ ବ୍ୟବହାର ହେଉନାହିଁ।
ଗୋଟିଏ ଭାଷା ଓ ସାହିତ୍ୟ ଋଦ୍ଧିମନ୍ତ ହୁଏ ଯଦି ତାହା ଲେଖାହେବା, କହିବା, ପଢ଼ିବା ଆଦି ସବୁଥିରେ କ୍ରମାଗତ ଭାବରେ ବ୍ୟବହାର ହୁଏ। ଓଡ଼ିଶାର ଭାଷା ଓଡ଼ିଆ। ଏହା ପୁଣି ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି; ମାତ୍ର ଓଡ଼ିଆ କହୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ କମିଯାଉଛି। କଥିତ ଓଡ଼ିଆ ଭାଷାର ବ୍ୟବହାର କ୍ରମଶଃ କମି କମି ଯିବା ଏଇ ଭାଷା ପାଇଁ ସୁଖବର ନୁହେଁ ନିଶ୍ଚିତ। କେତେକ ଜାଗାରେ ବିଦେଶୀ ଭାଷାକୁ ପ୍ରାଧାନ୍ୟ ଦିଆଯାଉଛି ଏଇଥିପାଇଁ ଯେ ତାହା କୁଆଡ଼େ ନିୟୋଜନର ଭାଷା ପାଲଟିଛି। ନିଜ ମାତୃଭାଷା ଏପରି ଗୋଟିଏ ଭାଷା ଯେଉଁଥିରେ ଜଣେ କେବଳ ସହଜରେ ନିଜକୁ ପ୍ରକାଶ କରିପାରେ ନାହିଁ; ମାତ୍ର ନିଜର ଭାବନା ବେଳେ ଏଇ ଭାଷାଟି ଆପେ ଆପେ ତା’ ମନକୁ ଚାଲିଆସେ। ଲୋକକଥାରେ ଥିବା ଭାଷା ଭିତରେ ଯେଉଁ ମହକ ଅଛି ଲିଖିତ ଭାଷାରେ ସେଇ ମହକ କ୍ୱଚିତ ଦେଖିବାକୁ ମିଳେ।
ପିଠି ମାନବ ଶରୀରର ଗୋଟାଏ ଉପାନ୍ତ ଇଲାକା। ସେଇଠି ବିଶେଷ ନଜର ପଡ଼େନି ଆଖିର। ତା’ ଉପରେ ସବୁଦିନ ତେଲ ସାବୁନ ବାଜେନି; ମାତ୍ର ଆପାତତଃ ସମତଳ ହୋଇଥିବାରୁ ଚିତ୍‌ ହୋଇ ଶୋଇଲେ ତାହା ଭୂମିର ଭୂମିକା ତୁଲାଏ ଆଉ କେହି ଆକ୍ରମଣକାରୀ ପଛରୁ ଆକ୍ରମଣ କଲେ ସବୁ ଜୁଲମ ତାରି ଉପରେ ଛିଡ଼େ। ଅନେକ ଦିନ ତଳେ ପଢ଼ିଥିଲି ଜଣେ କବିଙ୍କର କବିତାଟିଏ। କବିତାଟି ମନେ ନାହିଁ; ମାତ୍ର ପଂକ୍ତିଟି ମନେ ରହିଯାଇଛି। ଯେଉଁଠି ସେ ସହରର ପିଚୁ ରାସ୍ତାକୁ ଆଦିବାସୀ ଯୁବତୀର ପିଠି ପରି କଳା ବୋଲି କହିଥିଲେ। କେତେ ଆଦିବାସୀଙ୍କର ପିଠି ଓ କାନ୍ଧରେ ଢେରାମାରି କେତେ ରାସ୍ତା ଖଣି ଖାଦାନ ତିଆରି ହେଉଥିଲେ ଆଗ। ଏବେ ଅବଶ୍ୟ ଯନ୍ତ୍ରପାତି ବୁହାବୁହିରେ ମଣିଷର କାନ୍ଧ ଆଉ ପିଠିର ଦାୟିତ୍ୱ ନେଲେଣି।
କେହି ଜଣେ କବି ପୁଣି କେବେ କହିଥିଲେ, ଯାହାର ପିଠି ଫୁଙ୍ଗୁଳା ସେ କୁଆଡ଼େ ସବୁଠୁ ଖୁସିରେ ଥିବା ଲୋକ। ତା’ହେଲେ ଯେଉଁମାନେ ସବୁବେଳେ କୋର୍ଟ ବା ତତ୍‌ ଜାତୀୟ ଦୁର୍ମୂଲ୍ୟ ପୋଷାକରେ ନିଜର ପିଠିକୁ ଘୋଡ଼ାଇ ରଖୁଛନ୍ତି ସେମାନେ କ’ଣ ଦୁଃଖରେ ଶଢ଼ୁଥିବା ସଜ୍ଜନ। ଏହି ପ୍ରଶ୍ନର କ’ଣ ବା ଉତ୍ତର ଅଛି?
ମୁଁ ଗଁାରୁ ଫେରିଲାବେଳେ ମୋ ମା କହନ୍ତି, ତୁ ଯେଉଁମାନଙ୍କ ସହିତ କାମ କରୁଛୁ ତାଙ୍କର ପେଟ ପିଠିକୁ ଦେଖୁଥିବୁ। ଅବଶ୍ୟ ଏଇ ଦେଖିବା ଖାଲି ଆଖିରେ ଦେଖିବା କଥା ନୁହେଁ। ସେମାନେ ଉତ୍ତମ ଖାଉଛନ୍ତି କି ନା ଉତ୍ତମ ପରିଧାନ କରୁଛନ୍ତି କି ନା, ସେସବୁ ଉପରେ ଦୃଷ୍ଟି ଦେବାକୁ କହୁଥିଲେ। ଏଇ ଦୁଇଟି ଉପରେ ଯିଏ ସଯତ୍ନ ଦୃଷ୍ଟିରଖେ ତାଙ୍କ ପାଖରେ କାମ କରୁଥିବା ଲୋକେ ଅଧିକାଂଶ ସମୟରେ କୃତଜ୍ଞ ରହନ୍ତି।
ପିଠି ଆମର ବାରିପଟ। ସଦର ମଫସଲ ପରି ସେ ଆମ ପରିଚୟର ଅନ୍ତଃପୁର। ତାକୁ ଛାଡ଼ି ହୁଏନା, ତା’ ପ୍ରତି ଅଯତ୍ନ ନୁହେଁ ବରଂ ଦରକାର ଏକ ସସ୍ନେହ ଦୃଷ୍ଟିଭଙ୍ଗୀ। କାରଣ ବିପଦ ବେଳେ ସେ ହିଁ କଷଣ ସହେ, ଲାତ ଖାଏ। ଅନେକ ସମୟରେ ଉପାନ୍ତ ଅଞ୍ଚଳରେ ବିଦ୍ରୋହ ଜନ୍ମ ନିଏ। ତେଣୁ ଦୂରବର୍ତ୍ତୀ ଅଞ୍ଚଳ ପ୍ରତି ଅଧିକ ଯତ୍ନର ଆବଶ୍ୟକତା ରହିଛି। ତା’ ପାଇଁ ଅନାଗ୍ରହ ଡାକି ଆଣିପାରେ ବିପଦର ଶକୁନିକୁ।
ମୋ : ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri