ତାଙ୍କ ପ୍ରତିଶ୍ରୁତି, ଆମ ଅଧିକାର

ଘାସିରାମ ପଣ୍ଡା

ଫଳାଫଳ ଘୋଷଣା ପରେ ପୁଣି ଥରେ ଲୋକେ ରାଜନୀତିର ଆଲୋଚନାକୁ ଫେରିଛନ୍ତି। ଜିତିବା ଓ ହାରିବାର କାରଣ ଖୋଜିଲା ବେଳେ କିଏ କ’ଣ ପ୍ରତିଶ୍ରୁତି ଦେଇଥିଲେ ସେ ନେଇ ମଧ୍ୟ ବାଟରେ ଘାଟରେ ଚର୍ଚ୍ଚା ଜୋର ଧରୁଛି। ଭୋଟଦାତାଙ୍କୁ ନିଜ ସପକ୍ଷକୁ ନେବା ପାଇଁ ଦଳ ଓ ପ୍ରାର୍ଥୀ ସମସ୍ତେ ଲାଗିପଡିଥିଲେ। ଯିଏ ନିଜ ପଟକୁ ଅଧିକଙ୍କୁ ଆଣି ପାରିଲା ସିଏ କ୍ଷମତାସୀନ ହେଲା। ଏଥିପାଇଁ ସବୁ ଦଳ, ପ୍ରାର୍ଥୀ ମନୋଲୋଭା କଥା ଓ ପ୍ରତିଶ୍ରୁତି ଦେଇଥିଲେ। ଦଳମାନେ ଆନୁଷ୍ଠାନିକ ଭାବେ ନିର୍ବାଚନୀ ଇସ୍ତାହାର ଜାରି କରିଥିଲେ। ଖବରକାଗଜରେ ପ୍ରତ୍ୟେକ ଦିନ ପୃଷ୍ଠା ପୃଷ୍ଠା ବିଜ୍ଞାପନ ଦେଉଥିଲେ। ସଭାସମିତିର ଭାଷଣରେ ପ୍ରତିଶ୍ରୁତିକୁ ପ୍ରତିଦିନ ଦୋହରାଉଥିଲେ। ଫେସ୍‌ବୁକ ଭଳି ସାମାଜିକ ଗଣମାଧ୍ୟମକୁ ମଧ୍ୟ ଏଥିପାଇଁ ପ୍ରାର୍ଥୀମାନେ ବ୍ୟବହାର କରିଛନ୍ତି। ଭୋଟକୁ ନିଜ ସପକ୍ଷରେ ନେବା ପାଇଁ ଅଞ୍ଚଳଭିତ୍ତିରେ ଓ ଆଞ୍ଚଳିକ ସମସ୍ୟା ଆଧାରରେ ନୂଆ ପ୍ରତିଶ୍ରୁତି ମଧ୍ୟ ଯୋଡିଛନ୍ତି। ଅନେକ ସଂଗଠନ ଜନ ଇସ୍ତାହାର ପ୍ରସ୍ତୁତ କରି ଦଳ ଓ ପ୍ରାର୍ଥୀମାନଙ୍କୁ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ସୂଚିତ କରିଥିଲେ। ନିର୍ବାଚନୀ ମାହୋଲରେ ଦାବି କରିବା, ଦାବିକୁ ସ୍ବୀକାର କରିବା, ନିଜ ତରଫରୁ ଆକର୍ଷଣୀୟ ପ୍ରତିଶ୍ରୁତି ଦେବାରେ କିଛି ଅସ୍ବାଭାବିକତା ନାହିଁ। ଏହା ସବୁ ନିର୍ବାଚନ ସମୟରେ ହୁଏ। ନିର୍ବାଚନରେ ହାରିଯାଇଥିବା ଦଳ ଓ ପ୍ରାର୍ଥୀ ପାଇଁ ଦେଇଥିବା ପ୍ରତିଶ୍ରୁତିର ଆଉ କିଛି ମୂଲ୍ୟ ରହେନି। ହେଲେ ବିଜୟୀ ଦଳ ବି ପ୍ରତିଶ୍ରୁତିକୁ ପାଳନ କରିବା ଭୁଲିଯାନ୍ତି। ମନେପକେଇ ଦେଲେ ବି ବାହାନାବାଜି କରି ଆଡେଇଯାନ୍ତି। ନିର୍ବାଚନ ସମୟର ପ୍ରତିଶ୍ରୁତି ପୂରଣ କରିବାର ଉତ୍ତରଦାୟିତ୍ୱ ଆଇନଗତ ଭାବେ ସେପରି କିଛି ନାହିଁ। ଏହା କେବଳ ଲୋକଙ୍କ ଚାପ ଉପରେ ନିର୍ଭର କରେ। ତେବେ ଭୋଟ ବେଳେ ସିନା ରାଜନେତା ଲୋକଙ୍କ ପାଖକୁ ଯାନ୍ତି ବୋଲି ଲୋକେ ତାଙ୍କର ଦାବି ଜଣେଇପାରନ୍ତି। ଭୋଟ ପରେ ଭୋଟରଙ୍କୁ ନେତାଙ୍କ ପାଖକୁ ଆସିବାକୁ ପଡ଼େ। ତଥାପି ସେମାନଙ୍କ ଦର୍ଶନ ମୁସ୍କିଲ ହୋଇଯାଏ। ଏଣୁ ଦାବି ପୂରଣର ଚାପ ସହଜରେ ତିଆରି ହୋଇ ପାରେନାହିଁ। ପରବର୍ତ୍ତୀ ପାଞ୍ଚବର୍ଷରେ ଆଉ ଏକ ନିର୍ବାଚନ ଆସିଲା ବେଳକୁ ଜନମାନସରୁ ପୂର୍ବ ପ୍ରତିଶ୍ରୁତି ସବୁ ପାସୋରି ହୋଇଯାଇଥାଏ। ପୁଣି ନୂଆ କଥା ଓ ନୂତନ ଢଙ୍ଗରେ ପୁରୁଣା କଥାକୁ ନେଇ ରାଜନେତା ପହଞ୍ଚତ୍ୟାନ୍ତି। ପ୍ରତିଶ୍ରୁତିର ଏଇ ଦୋଳିଖେଳରେ ଅଭ୍ୟସ୍ତ ନେତା ତେଣୁ ମିଛ ପ୍ରତିଶ୍ରୁତି ଦେବାରେ ତିଳେ କୁଣ୍ଠିତ ହୁଅନ୍ତି ନାହିଁ। ସରକାରୀ କର୍ମଚାରୀଙ୍କୁ ଉତ୍ତରଦାୟୀ କରିବା ପାଇଁ ଅନେକ ନିୟମ ପ୍ରଣୀତ ହେଲାଣି। ସୂଚନା ଅଧିକାର ବଳରେ ସାଧାରଣ ଜନତା ପ୍ରଶାସନକୁ ପ୍ରଶ୍ନ ପଚାରି ପାରୁଛନ୍ତି। ନିର୍ବାଚିତ ଲୋକପ୍ରତିନିଧିମାନେ ଶାସନର ଅସଲ ମଙ୍ଗ ଧରୁଛନ୍ତି। ସେମାନଙ୍କୁ ପ୍ରଶ୍ନ ପଚରାଯାଇ ପାରିବ ନାହିଁ କାହିଁକି? ଏଥରର ନିର୍ବାଚନୀ ସଭାଗୁଡ଼ିକରେ କାଁଭାଁ କିଛି ଜାଗାରେ ଲୋକେ ପ୍ରାର୍ଥୀଙ୍କୁ ପ୍ରଶ୍ନ ପଚାରୁଥିବାର ଭିଡିଓ ଚର୍ଚ୍ଚିତ ହୋଇଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ସାଧାରଣ ଲୋକେ ପ୍ରଶ୍ନ ପଚାରିଲେ କ୍ଷମତାସୀନ ଲୋକେ ଅପମାନିତ ଅନୁଭବ କରୁଛନ୍ତି। ଏଣୁ କ୍ଷମତାକେନ୍ଦ୍ରମାନେ ନିଜ ଆଡକୁ ଆସୁଥିବା ପ୍ରଶ୍ନକୁ ଚାପି ଦେବାପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ରାଜନୈତିକ ଦଳମାନେ ଶାସନକୁ ଆସିଲା ପରେ ଇସ୍ତାହାରରେ ଘୋଷିତ ପ୍ରତିଶ୍ରୁତି ସମ୍ପର୍କିତ ପ୍ରଶ୍ନର ଉତ୍ତର ନାଗରିକମାନଙ୍କୁ ଦେବାର ବାଧ୍ୟବାଧକତା ରହିଲେ ମିଛ ପ୍ରତିଶ୍ରୁତି ଅନେକାଂଶରେ ଲୋପ ପାଇବ। ଦଶଟଙ୍କା ବିନିମୟରେ ଗ୍ରହଣ କରିଥିବା କୌଣସି ସେବାରେ ତ୍ରୁଟି ହେଲେ ଖାଉଟି ଅଧିକାର ସୁରକ୍ଷା ଆଇନ ବଳରେ ସେବା ପ୍ରଦାନକାରୀ ଦଣ୍ଡିତ ହେଉଛି। ନେତାମାନେ ବି ତ ଆମକୁ ସେବା କରିବାର ସୁଯୋଗ ଦିଅ କହି ଭୋଟ ମାଗନ୍ତି। ଆମର ବହୁମୂଲ୍ୟ ଭୋଟ ବିନିମୟରେ ନିର୍ବାଚିତ ନେତା ଯଦି ସେହି ସେବା ନ ଦିଅନ୍ତି ତାଙ୍କ ପାଇଁ କ’ଣ କିଛି ଦଣ୍ଡ ବିଧାନ ଅଛି? ଦଳୀୟ ଇସ୍ତାହାର ଓ ପ୍ରାର୍ଥୀମାନଙ୍କ ବ୍ୟକ୍ତଗତ ପ୍ରତିଶ୍ରୁତିକୁ ତଦାରଖ କରିବାରେ ନିର୍ବାଚନ କମିଶନଙ୍କ ବିଶେଷ ଭୂମିକା ରହିବା ଦରକାର। ଇସ୍ତାହାର ଘୋଷିତ ହେବା ପୂର୍ବରୁ ଓ ସରକାର ଗଠନ ହେବା ପରେ ନିୟମିତ ଅନ୍ତରାଳରେ କମିଶନ ଏହାକୁ ତର୍ଜମା କରିବା ଆବଶ୍ୟକ। ଏଥିରେ ଲିଖିତ ପ୍ରତିଶ୍ରୁତି କେମିତି ହୋଇ ପାରିବ, ପ୍ରତିଶ୍ରୁତି ପୂରଣ ପାଇଁ କେତେ ବ୍ୟୟ ହେବ, ଏହି ବ୍ୟୟ ଭାର କିପରି ବହନ କରାଯିବ ସେ ନେଇ କୌଣସି ସ୍ପଷ୍ଟତା ନ ଥାଇ ଦଳଗୁଡ଼ିକ କେବଳ ମାଳ ମାଳ ପ୍ରଲୋଭନକୁ ସ୍ଥାନିତ କରୁଛନ୍ତି। ଏଣୁ ଅବାସ୍ତବ ମନେହେଉଥିବା ଅନେକ ପ୍ରତିଶ୍ରୁତି ପରବର୍ତ୍ତୀ ସମୟରେ ପୂରଣ ହେଉନାହିଁ ବା ଅଧାପନ୍ତରିଆ ହେଉଛି। ସରକାର ଗଠନ କରିଥିବା ଦଳ କେତେ ମାତ୍ରାରେ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିପାରିଛି ସେନେଇ ଅତିକମ୍‌ରେ ବର୍ଷରେ ଥରେ କମିଶନକୁ ରିପୋର୍ଟ ଦେଲେ କେତେକାଂଶରେ ଉତ୍ତରଦାୟିତ୍ୱ ଅନୁଭବ କରିବେ। ପ୍ରାର୍ଥୀମାନେ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିପାରିଲେ ଏନେଇ ସାଧାରଣ ଜନତା ଅଭିଯୋଗ କରିପାରିବାର ଏକ ବ୍ୟବସ୍ଥାର ମଧ୍ୟ ଆବଶ୍ୟକତା ରହିଛି। ନିର୍ବାଚନ ପୂର୍ବରୁ ଦଳମାନେ ଇସ୍ତାହାର କମିଟି ଗଠନ କରନ୍ତି। ଇସ୍ତାହାର ପ୍ରକାଶିତ ହେଲା ପରେ ଏହାର ଆଉ କିଛି ଦାୟିତ୍ୱ ନ ଥାଏ। ଏଥର ଯେଉଁ ଦଳ ସରକାର ଗଠନ କରିବେ ଇସ୍ତାହାର ତଦାରଖ କମିଟି ଗଠନ କରି ଦଳର ପ୍ରତିଶ୍ରୁତି ପୂରଣରେ ଭୂମିକା ନିର୍ବାହ କଲେ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ। ଯେଉଁ ସଂଗଠନଗୁଡ଼ିକ ପ୍ରାକ୍‌ ନିର୍ବାଚନୀ ସମୟରେ ଇସ୍ତାହାରକୁ ପ୍ରଭାବିତ କରିବାର ପ୍ରୟାସ କରିଛନ୍ତି, ସରକାର ଗଠନ ପରେ ଅତିକମ୍‌ରେ ବର୍ଷରେ ଥରେ ଇସ୍ତାହାରର ସାମାଜିକ ସମୀକ୍ଷା ପାଇଁ ପଦକ୍ଷେପ ନେଲେ ସରକାର ପ୍ରତିଶ୍ରୁତି ପୂରଣ ପାଇଁ ଅଧିକ ଚାପଗ୍ରସ୍ତ ହେବେ। ନିର୍ବାଚନୀ ପ୍ରତିଶ୍ରୁତିକୁ ଲୋକଙ୍କ ଆଇନଗତ ଅଧିକାରର ମାନ୍ୟତା ମିଳିଲେ ନିର୍ବାଚନରେ ଅନେକ ସୁଧାର ଆସିବ ଓ ଗଣତନ୍ତ୍ର ସୁଦୃଢ଼ ହେବ।
ସୁବର୍ଣ୍ଣପୁର, ମୋ- ୯୪୩୮୩୪୧୭୯୪, ghasirampanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?