ଟ୍ରମ୍ପଙ୍କ ଗସ୍ତ

ଆକାର ପଟେଲ

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ସୋମବାର ଓ ମଙ୍ଗଳବାର ଅହମଦାବାଦ, ଆଗ୍ରା ଓ ଦିଲ୍ଲୀ ଯିବେ। ସେ ୨୦ଟି ଦେଶ ବୁଲିଛନ୍ତି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ୟୁରୋପୀୟ ଦେଶ। ସେ ଫ୍ରାନ୍ସ ଚାରିଥର ଯାଇଛନ୍ତି। ସେ ବିକାଶଶୀଳ ଦେଶଗୁଡ଼ିକୁ ପସନ୍ଦ କରନ୍ତି ନାହିଁ, ଯାହାକୁ ସେ କୁହନ୍ତି ‘shit-hole country’ ଏବଂ ଭାରତ ସେଥିମଧ୍ୟରୁ ଅନ୍ୟତମ। ସେ ଆଫଗାନିସ୍ତାନ ଯାଇଛନ୍ତି, ମାତ୍ର କେବଳ ସେଠାରେ ଥିବା ଆମେରିକୀୟ ମିଲିଟାରୀ ବେସ୍‌ ଛଡ଼ା ଅନ୍ୟତ୍ର ଯାଇନାହାନ୍ତି। ତାଙ୍କର ଭାରତ ଗସ୍ତ ନିଶ୍ଚିତଭାବେ କୌତୂହଳଜନକ କାରଣ ତାଙ୍କର ଗୋଟିଏ ଦୋଷ ହେଉଛି ସେ ଅପ୍ରିୟ କଟୁକଥା କହିବାକୁ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ। ମୋ ହିସାବ ଅନୁସାରେ ଆନୁଷ୍ଠାନିକଭାବେ ଭାରତ ଗସ୍ତ କରିବାରେ ସେ ହେଉଛନ୍ତି ଷଷ୍ଠ ଆମେରିକୀୟ ରାଷ୍ଟ୍ରପତି। ପ୍ରଥମ ହେଉଛନ୍ତି ଡ୍ବାଇଟ ଡି. ଆଇଜେନ୍‌ହାଓ୍ବାର, ଯେ କି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନାଧ୍ୟକ୍ଷ ଥିଲେ ଏବଂ ପରେ ରାଷ୍ଟ୍ରପତି ହୋଇଥିଲେ। ସେ ଭାରତରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଜମହଲ ଦର୍ଶନ କରିଥିଲେ ଏବଂ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେଇଥିଲେ। ତା’ପରେ ଦିଲ୍ଲୀର ରାମଲୀଲା ମୈଦାନରେ ତାଙ୍କ ଭାଷଣ ଶୁଣିବା ପାଇଁ ୧୦ ଲକ୍ଷ ଲୋକ ଏକତ୍ରିତ ହୋଇଥିଲେ। ଭାରତ ଗସ୍ତ କରିଥିବା ଅନ୍ୟ ସମସ୍ତ ଆମେରିକୀୟ ରାଷ୍ଟ୍ରପତି ତାଙ୍କରି ପଦାଙ୍କ ଅନୁସରଣ କରିଆସିଛନ୍ତି। ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ଭାରତ ଗସ୍ତ ଅବସରରେ ପାର୍ଲାମେଣ୍ଟରେ ତାଙ୍କ ଭାଷଣ ଦେବା ବେଳର କଥା ମୋର ମନେଅଛି। ଭାଷଣ ସରିବା ପରେ ତାଙ୍କୁ ଦେଖାକରିବା ପାଇଁ ଜଣେ ଏମ୍‌ପି, ବୋଧହୁଏ ରାମଦାସ ଅଠାଓ୍ବାଲେ ଟେବୁଲ ଉପରେ ଚଢ଼ି ତାଙ୍କ ପାଖରେ ପହଞ୍ଚିଯାଇଥିଲେ। ଭାରତର ପରମାଣୁ ଉଚ୍ଚାଭିଳାଷ ଓ ପାକିସ୍ତାନ ସହ ଉତ୍ତେଜନାକୁ ନେଇ ସେତେବେଳେ କ୍ଲଣ୍ଟନ କିଛି କଡ଼ାଭାଷା ପ୍ରୟୋଗ କରିଥିଲେ। ତେବେ ସେତେବେଳେ ବାଜପେୟୀଙ୍କ ନେତୃତ୍ୱାଧୀନ ହିନ୍ଦୁତ୍ୱବାଦୀ ସରକାର ଚାଲିଥିବା ସତ୍ତ୍ୱେ ସବୁକିଛି ମୋଟାମୋଟି ଭଲରେ ସମାପ୍ତ ହୋଇଥିଲା। ଏହାପରେ କ୍ଲିଣ୍ଟନ ମଧ୍ୟ ପାକିସ୍ତାନକୁ ଅଳ୍ପ ସମୟ ପାଇଁ ଗସ୍ତ କରିଥିଲେ, ଯାହା ସେତେବେଳର ପରମ୍ପରା ଥିଲା, କାରଣ ତାହାଦ୍ୱାରା ସେମାନେ କିଛି ଖରାପ ଭାବିବେ ନାହିଁ। କିନ୍ତୁ ମନମୋହନ ସିଂ ସରକାର ଅମଳରେ ଜର୍ଜ ଡବ୍ଲ୍ୟୁ. ବୁଶ୍‌ଙ୍କ ଗସ୍ତ ସମୟରେ ଠିକ୍‌ ଓଲଟା ଘଟିଥିଲା। ତାହା ମଧ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଗସ୍ତ ଥିଲା କିନ୍ତୁ ବୁଶ୍‌ କ୍ଲିଣ୍ଟନଙ୍କ ପରି ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ନ ଥିବାରୁ ତାହା ଭାରତ ପାଇଁ ଆଣବିକ ଚୁକ୍ତି ଦୃଷ୍ଟିରୁ ସେତେ ଫଳପ୍ରଦ ନ ଥିଲା। ବାରାକ ଓବାମା ଦୁଇଥର ଭାରତ ଗସ୍ତରେ ଆସିଛନ୍ତି। ଥରେ ସେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ଆସିଥିଲେ। ତା’ପରେ ମୋଦିଙ୍କ ସମୟରେ ଆସିଥିଲେ ଯେତେବେଳେ ମୋଦି ତାଙ୍କ ନାଁ ଲେଖାଥିବା ଏକ ସୁଟ୍‌ ପିନ୍ଧି ଓବାମାଙ୍କୁ ଚା ପରଷିଥିଲେ। ଓବାମା ଜଣେ ମଧ୍ୟବିତ୍ତ ଶ୍ରେଣୀର ମଣିଷ ଏବଂ ସେ ଯେଉଁ ଜୋତା ପିନ୍ଧନ୍ତି, ତାକୁ ଅନେକବାର ମରାମତି କରାଯାଇଥାଏ। ମୁଁ ଆଶ୍ଚର୍ଯ୍ୟ ହେଉଛି ଏପରି ସୁଟ୍‌ ପିନ୍ଧି ତାଙ୍କୁ ସ୍ବାଗତ କରିବା ବେଳେ ସେ କ’ଣ ଭାବିଥିବେ। ଓବାମା ଜଣେ ବୁଦ୍ଧିଜୀବୀ ଏବଂ ମନମୋହନଙ୍କୁ ତାଙ୍କ ଗୁରୁ ମାନନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଟ୍ରମ୍ପ ଓ ମୋଦି ହେଉଛନ୍ତି ଅନୁରୂପ। ଉଭୟେ ରାଲିଗୁଡ଼ିକରେ ଉଦ୍‌ବୋଧନ ଦେବାକୁ ଭଲ ପାଆନ୍ତି, ଉଭୟେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଏବଂ ଉଭୟେ ହେଉଛନ୍ତି ଅହଂକାରୀ। ଉଭୟେ ହେଉଛନ୍ତି ଆପ୍ରବାସୀ-ବିରୋଧୀ। ଟ୍ରମ୍ପ କେତେକ ଦେଶର ମୁସଲମାନଙ୍କୁ ତାଙ୍କ ଦେଶରେ ପ୍ରବେଶ କରିବାକୁ ବାରଣ କରିଥିବା ବେଳେ ମୋଦି ନାଗରିକ ସଂଶୋଧନ ଆଇନରେ ଆପ୍ରବାସୀ ମୁସଲମାନଙ୍କୁ ବାଦ୍‌ ଦେଇଛନ୍ତି। ଟ୍ରମ୍ପଙ୍କ ଭାରତ ଆଗମନର ସେମିତି କିଛି ବିଶେଷ ଉଦ୍ଦେଶ୍ୟ ନାହିଁ। ଏବେ ସାଧାରଣତନ୍ତ୍ର ଦିବସ ନାହିଁ ଯେ, ସେଥିରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯିବାର ସୁଯୋଗ ଥାନ୍ତା। ସେ ଅହମଦାବାଦରେ ମୋଦିଙ୍କ ସହ ଏକ ରାଲିରେ ଉଦ୍‌ବୋଧନ ଦେବେ, ତାଜମହଲ ଦର୍ଶନ କରିବେ ଏବଂ ତା’ପରେ ଫେରିଯିବେ। କୌଣସି ବାଣିଜି୍ୟକ ଚୁକ୍ତି ବି ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ନାହିଁ। ଟ୍ରମ୍ପ ଚାହାନ୍ତି ଆମେରିକାର ଚାଷୀମାନଙ୍କ ପାଇଁ ଭାରତର ବଜାର ଖୋଲି ଦିଆଯାଉ, ଯେଉଁଥିରେ ରାଜିହେବା ମୋଦିଙ୍କ ପାଇଁ କଷ୍ଟକର। ମୋଦି ଆମେରିକୀୟ ଦ୍ରବ୍ୟଗୁଡ଼ିକ ପାଇଁ ଆମଦାନୀ ଶୁଳ୍କ ବୃଦ୍ଧି କରି ବାଣିଜ୍ୟ କାରବାରକୁ ଅଧିକ ଜଟିଳ କରିଦେଇଛନ୍ତି। ଭାରତ ଚାହେଁ ପୋଷାକ ପ୍ରଭୃତି ରପ୍ତାନି କ୍ଷେତ୍ରରେ ଆମେରିକା ଭାରତକୁ ଅଗ୍ରାଧିକାର ଦେଉ, କିନ୍ତୁ ତାହା ହେବାର ନାହିଁ। ନିକଟରେ ବାଣିଜ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ପାଉଥିବା ଦେଶ ତାଲିକାରୁ ଆମେରିକା ଭାରତକୁ ବାଦ୍‌ ଦେଇଛି। ଆମେ ଚାହୁଁଛୁ ଆମକୁ ଏକ ବିଶ୍ୱଶକ୍ତି ଭାବେ ବିଶ୍ୱ ଦେଖୁ, କିନ୍ତୁ ଆମେ ତାହା ନୁହଁ।
ବାଙ୍ଗାଲୋରରେ ଥିବା ଭାରତୀୟ କମ୍ପାନୀଗୁଡ଼ିକ ଚାହାନ୍ତି ଆମେରିକା ଭିଜା ବ୍ୟବସ୍ଥା କୋହଳ କରୁ। କିନ୍ତୁ ତାହା ବି ହେବାର ନାହିଁ କାରଣ ଟ୍ରମ୍ପ ହେଉଛନ୍ତି ଆପ୍ରବାସନ-ବିରୋଧୀ ଏବଂ ବିଶେଷତଃ କଳା ଲୋକମାନଙ୍କୁ ସେ ପସନ୍ଦ କରନ୍ତି ନାହିଁ। ତେଣୁ ଟ୍ରମ୍ପଙ୍କ ଗସ୍ତର ଅନ୍ତିମ ଫଳାଫଳ କ’ଣ ମିଳିବ? ଏହା କେତେକଙ୍କ ପାଇଁ ଆମୋଦକର ହୋଇପାରେ। ଟ୍ରମ୍ପଙ୍କର ଭାରତ ପ୍ରତି ଶ୍ରଦ୍ଧା ଓ ଆନ୍ତରିକତା ନାହିଁ ଏବଂ ଭାରତ ବିଷୟରେ ସେ ବେଶି କିଛି ଜାଣନ୍ତି ନାହିଁ। ଆସନ୍ତା ବର୍ଷକୁ ସେ ଆମେରିକାର ରାଷ୍ଟ୍ରପତି ଥିବେ କି ନାହିଁ ସନ୍ଦେହଜନକ, କାରଣ ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ସେତେବେଳେ ଜଣେ ଡେମୋକ୍ରାଟ ରାଷ୍ଟ୍ରପତି ହୋଇପାରନ୍ତି। ଏବେ ଟ୍ରମ୍ପଙ୍କ ଗସ୍ତ ପାଇଁ ଯେଉଁ ଖର୍ଚ୍ଚ କରାଯାଉଛି, ସେତେବେଳେ ତାହାର କିଛି ମୂଲ୍ୟ ରହିବ ନାହିଁ। ଜଣେ ଡେମୋକ୍ରାଟ କଶ୍ମୀର, ସିଏଏ ଓ ଏନ୍‌ଆର୍‌ସି ଉପରେ ପ୍ରଶ୍ନ କରିପାରନ୍ତି। ତେବେ ମୋଦି ଏତିକି କରିପାରନ୍ତି, ଆମେରିକାରେ ଥିବା ଭାରତୀୟମାନଙ୍କୁ ଟ୍ରମ୍ପଙ୍କୁ ଭୋଟ ଦେଇ ଜିତାଇବା ପାଇଁ ଉତ୍ସାହିତ କରିପାରନ୍ତି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri