ଜୀବନର ନାଲିଆଖି

ଡ. ସୁବାସ ଚନ୍ଦ୍ର ପାତ୍ର
ମୃତ୍ୟୁର ନାଲିଆଖିର ବର୍ଣ୍ଣନା ସହିତ ଆମେ ଏତେ ପରିଚିତ ଯେ ଜୀବନର ଯେ ଗୋଟିଏ ଆଖି ଅଛି, ସେ ନାଲି ହେଉ ଅବା ସବୁଜ, ଆମେ ସେ କଥା ପ୍ରାୟତଃ ଭୁଲିଯାଉ। ସେ ସବୁଜ ହେଉ କିମ୍ବା ନାଲି, କମନୀୟ ଭାବରେ ମୃତ୍ୟୁର ଆଖିଠୁ ବେଶ୍‌ ଶକ୍ତିଶାଳୀ, ମୃତ୍ୟୁକୁ ଅପ୍ରାସଙ୍ଗିକ କରିବା ପାଇଁ ଯଥେଷ୍ଟ।
ଜୀବନର ଆଖିକୁ ଆମେ ବେଳେବେଳେ ଯୁଦ୍ଧକ୍ଷେତ୍ରରେ ଦେଖୁ ଏବଂ ଆମେ ଦେଖୁ ସେତେବେଳେ, ଯେତେବେଳେ ଜଣେ ଆହତ ତୃଷାର୍ତ୍ତ, ମୁମୂର୍ଷୁ ସୈନ୍ୟ ଶୋଷରେ ଛଟପଟ ହୋଇ ପିଇବାକୁ ଯାଉଥିବା ପାଣି ବୋତଲଟି ଅନ୍ୟ ଏକ ସମଦଶାପନ୍ନ ସାଥୀ ସୈନ୍ୟକୁ ବଢ଼େଇଦିଅନ୍ତି ଏହି କଥା କହି ଯେ- ”ତୁମର ଆବଶ୍ୟକତା ମୋଠୁ ତଥାପି ଅଧିକ।“ ଘଟଣାର ତାତ୍ପର୍ଯ୍ୟ ଏହା ହୋଇପାରେ ଯେ ପ୍ରଥମ ସୈନିକର ହୁଏତ ହୃଦ୍‌ବୋଧ ହୋଇଥିବ ମୃତ୍ୟୁ ତାଙ୍କର ଆସନ୍ନ ବରଂ ଅଳ୍ପ ଆହତ ସାଥୀ ସୈନିକଟି ବଞ୍ଚତ୍ରହୁ। ଦେଶ ପାଇଁ ଲଢ଼ୁ। ୧୭ ଅକ୍ଟୋବର ୧୫୮୬ରେ ଘଟିଥିବା ଏହି ଘଟଣା ପ୍ରଖ୍ୟାତ ଇଂରାଜୀ କବି ସାର୍‌ ଫିଲିପ୍‌ ସିଡ୍‌ନୀଙ୍କ ଜୀବନକୁ ନେଇ ଯାହା ସୂଚାଏ ସେ ଖାଲି ଜଣେ କବି ନ ଥିଲେ, ଜଣେ ମହାନୁଭବ ଦେଶପ୍ରେମୀ ସୈନିକ ଥିଲେ ଯିଏ ଦେଶରକ୍ଷା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜୀବନର ଡାକ ଓ ତା’ ଆଖିର ଠାର ଠିକ୍‌ ବୁଝିପାରିଥିଲେ। ଏହି ବହୁଚର୍ଚ୍ଚିତ ଘଟଣା ପଛର ତ୍ୟାଗ ଓ ବଳିଦାନ ପରବର୍ତ୍ତୀ ସମୟରେ ବହୁ ଦେଶ ଓ ସଂସ୍କୃତିରେ ଏକ ଲୋକକଥାରେ ପରିଣତ ହୋଇଛି।
ବେଳେବେଳେ ଜୀବନ ମୃତ୍ୟୁ ଉପରେ ବହୁତ ଭାରି ପଡ଼େ। ନିଶ୍ଚିତ ମୃତ୍ୟୁ ସବୁ ଜୀବନରେ ରୂପାନ୍ତରିତ ହୁଏ, ବିଶେଷତଃ ସେମାନଙ୍କ ପାଇଁ ଯେଉଁମାନେ ଜାତୀୟତା ନିର୍ବିଶେଷରେ ମାନବଜାତିର ସମ୍ପତ୍ତି। ସେହିପରି ଏକ ସ୍ବର୍ଗୀୟ ସମ୍ପତ୍ତି ହେଲେ ମହାମତ୍ା ଗାନ୍ଧୀ। ବହୁଥର ସେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ବହୁ ପ୍ରତିକୂଳ ପରିବେଶରେ ଘଟିଥିବା ଗୋଟିଏ ଘଟଣା ଅନେକଙ୍କୁ ଆଲୋଡ଼ିତ କରେ। ୧୮୯୭ ଜାନୁୟାରୀ ୧୩ ତାରିଖ। ଗାନ୍ଧିଜୀଙ୍କ ଦ୍ୱିତୀୟ ଦକ୍ଷିଣ ଆଫ୍ରିକା ଗସ୍ତ। ଡର୍‌ବାନ ବନ୍ଦରରେ ପହଞ୍ଚତ୍ବା ପୂର୍ବରୁ ଏକ ଖବର ଖେଳିଯାଇଥିଲା ଯେ ଗାନ୍ଧିଜୀ ଗୋରା ବିରୋଧୀ ଏବଂ ଭାରତ ଆଗମନ କାଳରେ ବିଭିନ୍ନ ସ୍ଥାନରେ ସେ ଗୋରାମାନଙ୍କୁ କୁତ୍ସିତ ଭାବରେ ଚିତ୍ରିତ କରିଛନ୍ତି। ଖାଲି ସେତିକି ନୁହେଁ, ଗୋରା ବାସିନ୍ଦାମାନଙ୍କ ସହ ଲଢ଼ିବା ପାଇଁ ସେ ଭାରତରୁ ବହୁ ଲୋକ ଦକ୍ଷିଣ ଆଫ୍ରିକା ପଠାଇଛନ୍ତି। ତେଣୁ ଡର୍‌ବାନ ତଥା ସାରା ଦକ୍ଷିଣ ଆଫ୍ରିକାରେ ପ୍ରବଳ ବିରୋଧ। ଜାହାଜରେ କିଛିଦିନର ସାମୟିକ ନିର୍ବାସନ ପରେ ପରିସ୍ଥିତି ଶାନ୍ତ ପଡ଼ିଯାଇଥିବ ଭାବି ସେ ସିନା ଓହ୍ଲାଇଗଲେ ଜାନୁୟାରୀ ୧୩ରେ, କିନ୍ତୁ ବାଟରେ ପ୍ରବଳ ବିରୋଧର ସମ୍ମୁଖୀନ ହେଲେ।
ରୁସ୍ତମ୍‌ଜୀଙ୍କ ଘରକୁ ଆସିବା ରାସ୍ତାରେ ଏକ ଛକରେ ହିଂସ୍ର ଜନତାଙ୍କ କବଳରେ ପଡ଼ିଗଲେ ଗାନ୍ଧୀ। ଇଟା, ପଥର, ବିଧା, ଗୋଇଠା ବର୍ଷିଗଲା ଗାନ୍ଧୀଙ୍କ ପିଠିରେ। ଅଧାମରା ଅବସ୍ଥାରେ ଗୋଟିଏ ଘରର ରେଲିଂ ଧରି ଝୁଲି ରହିଥିବା ବେଳେ ସେଇ ରାସ୍ତାରେ ଯାଉଥିବା ସହରର ପୋଲିସ ଅଧୀକ୍ଷକଙ୍କ ସ୍ତ୍ରୀ ଶ୍ରୀମତୀ ଆଲେକ୍‌ଜାଣ୍ଡରଙ୍କ ସାହାଯ୍ୟରେ ସେ ରୁସ୍ତମ୍‌ଜୀଙ୍କ ଘରେ ପହଞ୍ଚତ୍ଲେ। ହେଲେ ସେଠି ନିସ୍ତାର ନ ଥିଲା। ହଜାର ହଜାର ହିଂସ୍ର ଜନତା ରୁସ୍ତମ୍‌ଜୀଙ୍କ ଘରକୁ ଘେରିଯାଇଥିଲେ। ନାରା ଥିଲା, ”ଗାନ୍ଧୀଙ୍କୁ ଆମକୁ ଦିଅ।“ ଅବଶ୍ୟ ଜନତାଙ୍କୁ ଶୃଙ୍ଖଳିତ କରିବାକୁ ପହଞ୍ଚତ୍ୟାଇଥିଲେ ଆରକ୍ଷୀ ଅଧୀକ୍ଷକ ଆଲେକ୍‌ଜାଣ୍ଡର। ଲୋକଙ୍କ ସହ ମୁକାବିଲା ନ କରି ଗୀତ ଗାଇ, କାୈତୁକକରି ଲୋକଙ୍କୁ ଅଟକାଇ ରଖିଥିଲେ। ସବୁବେଳେ କିନ୍ତୁ କହୁଥିଲେ ଗାନ୍ଧୀ ଏ ଘରେ ନାହାନ୍ତି। ୟା’ରି ଭିତରେ ଦୁଇଜଣ ଗୋଇନ୍ଦା ପୋଲିସ ସହାୟତାରେ ଛଦ୍ମବେଶରେ ସେ ଗାନ୍ଧୀଙ୍କୁ ଥାନାକୁ ସ୍ଥାନାନ୍ତରିତ କରିସାରିଥିଲେ। ଆଲେକ୍‌ଜାଣ୍ଡର ସବୁବେଳେ ଜନତାଙ୍କ ସହ ସ୍ବର ମିଳାଇ କହୁଥିଲେ, ”ଗାନ୍ଧୀଙ୍କୁ ଫାଶୀ ଦେବା, ସେହି ତେନ୍ତୁଳିଗଛରେ ଫାଶୀ ଦେବା।“ ଗାନ୍ଧୀଙ୍କ ବହିର୍ଗମନ ସମ୍ବନ୍ଧରେ ନିଶ୍ଚିତ ହେଲାପରେ ଜନତାଙ୍କ ଭିତରୁ ଦୁଇଜଣ ପ୍ରତିନିଧିଙ୍କୁ ଭିତରକୁ ପଠାଇଲେ ତନଖି ପାଇଁ।
ଭାରତର ସ୍ବାଧୀନତା ଲାଭ ନୁହେଁ, ସମଗ୍ର ମାନବଜାତିକୁ କ୍ଷମତାସୀନ ଶାସକଙ୍କ ସହ ଲଢ଼ିବାର ନୂଆ ମାର୍ଗ ଦେଖାଇବା ପାଇଁ ଗାନ୍ଧୀଙ୍କର ବଞ୍ଚତ୍ରହିବାର ଦାୟିତ୍ୱ ସତରେ ଜୀବନ ହାତରେ ନ୍ୟସ୍ତ ଥିଲା। ଯେଉଁ ଦାୟିତ୍ୱ ନିର୍ବାହ କାଳରେ ଜୀବନ ହାତରେ ମୃତ୍ୟୁର ପରାଜୟ ଘଟିଥିଲା। ତେବେ ଜୀବନର ଆଖି ଖାଲି ଗାନ୍ଧୀମାନଙ୍କ ଉପରେ ପଡ଼େନାହିଁ। ଅତି ସାଧାରଣ ଲୋକଟିଏ ମଧ୍ୟ ଜୀବନର ଆଶୀର୍ବାଦ ଲଭେ। ସେ ଆଶୀର୍ବାଦ ସହ ମୃତ୍ୟୁର କିଛି ସମ୍ପର୍କ ନାହିଁ। ବରଂ ଭିନ୍ନ ଭାବରେ ଜୀବନକୁ କିପରି ଆଦର୍ଶମୟ କରିହେବ, ତାତ୍ପର୍ଯ୍ୟପୂର୍ଣ୍ଣ କରିହେବ, ତାହାହିଁ ସେ ଆଶୀର୍ବାଦର ମୂଳମଞ୍ଜି। ସେ ଶୁଭ ଆଶୀର୍ବାଦ ପଡ଼ିପାରେ କୋରାପୁଟ ସେମିଳିଗୁଡ଼ା ମହାବିଦ୍ୟାଳୟର ଲାବରେଟୋରି ଆସିଷ୍ଟାଣ୍ଟଙ୍କ ଉପରେ, ଯିଏ ହଷ୍ଟେଲ ଅଭାବରୁ ବସ୍‌କୁ ଅପେକ୍ଷା କରିବାକୁ ଯାଇ ଦୀର୍ଘ ସମୟ ଧରି ବାଳିକାମାନଙ୍କର କଲେଜରେ ପଡ଼ିରହିବାର ଦୃଶ୍ୟ ଦେଖି ବ୍ୟଥିତ ହୁଅନ୍ତି। ଜୀବନର ଶୁଭଦୃଷ୍ଟିର ଯଥାର୍ଥତା ପ୍ରମାଣ କରିବାକୁ ଅବସର ପରେ ନିଜର ନର୍ସ ସ୍ତ୍ରୀ ଓ ପିଲାମାନଙ୍କ ସହମତିରେ ସ୍ବକଷ୍ଟାର୍ଜିତ ଧନରେ ଗଢ଼ା ତିନିମହଲା ଘରଟିକୁ ବାଳିକା ହଷ୍ଟେଲ ପାଇଁ କଲେଜକୁ ଦାନ କରିଦିଅନ୍ତି। କଥା ସେଇଠି ସରେ ନାହିଁ। ଛାତ୍ରୀନିବାସଟିକୁ ପୂର୍ଣ୍ଣାଙ୍ଗ କରିବାକୁ ବକେୟା ଅବସରକାଳୀନ ପ୍ରାପ୍ୟରୁ ଅନ୍ତେବାସୀମାନଙ୍କ ପାଇଁ ଖଟ, ଅନ୍ୟାନ୍ୟ ଆସବାବପତ୍ର ଓ ରୋଷେଇ ସରଞ୍ଜାମ କିଣି ଦିଅନ୍ତି। ଜୀବନ ସେତେବେଳେ ଧନ୍ୟ ମନେକରେ ଯେତେବେଳେ ସେ ଲକ୍ଷ୍ୟକରେ ଅବସରପ୍ରାପ୍ତ ସେହି ସାଧାରଣ ଦମ୍ପତିଙ୍କୁ କଲେଜର ଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ନେଇ ସେମାନଙ୍କ ଭଡ଼ାଘରେ ଛାଡ଼ିଦେଇ ଆସୁଛନ୍ତି। ତେଣୁ ଜୀବନକାଳ ଭିତରେ ମୃତ୍ୟୁର ନାଲିଆଖି ଯେତିକି ସତ, ଜୀବନର ସବୁଜ, ସ୍ନିଗ୍ଧ ଆଶୀର୍ବାଦଭରା ଆଖି ସେତିକି ସତ।
ଭାରତୀୟ ଦର୍ଶନ, ସାମାଜିକ ଚିନ୍ତନରେ ଅବଶ୍ୟ ଜୀବନ ଓ ମୃତ୍ୟୁ ମଧ୍ୟରେ ଏତେ ସଂଘର୍ଷ ନାହିଁ। ପାଶ୍ଚାତ୍ୟ ଦର୍ଶନରେ ମୃତ୍ୟୁ ଏକ ପୂର୍ଣ୍ଣଚ୍ଛେଦ, ଏକ ପରିସମାପ୍ତି। ଅଥଚ ଭାରତୀୟ ଦର୍ଶନ କହେ, ମୃତ୍ୟୁ ଏକ ପର୍ଯ୍ୟାୟ, ଆମତ୍ାର କ୍ରମବିକାଶ ଓ କ୍ରମବିବର୍ତ୍ତନର ଏକ ମାଧ୍ୟମ। ସେ ଦୃଷ୍ଟିରୁ ଦେଖିଲେ ମୃତ୍ୟୁ ପ୍ରତି ମଣିଷ ମଧ୍ୟ କୃତଜ୍ଞ। ମୃତ୍ୟୁର ତଥାକଥିତ ନାଲିଆଖି ଏକ କଳ୍ପନା ମାତ୍ର। ଜୀବନ ପ୍ରତି ଅତ୍ୟଧିକ ମୋହ, ଆସକ୍ତି ମୃତ୍ୟୁକୁ ଆମ ଆଗରେ ସେମିତି ଉପସ୍ଥାପିତ କରେ। ବାସ୍ତବରେ ଜୀବନ ହେଉଛି ମୃତ୍ୟୁର ହିଁ ଅବଦାନ। ଆମ ପୂର୍ବଜନ୍ମକୁ ଅନ୍ତ କରିଥିଲା ଏକ ମୃତ୍ୟୁ। ଫଳରେ ଆମେ ଯାପନ କରୁଛୁ ଚଳିତ ଜୀବନ। ଗଭୀର ଭାବରେ ଚିନ୍ତାକଲେ ଜଣାଯିବ, ମୃତ୍ୟୁର ନାଲିଆଖି ଏକ ଅତିରଞ୍ଜନ। ମୃତ୍ୟୁକୁ ତା’ ସ୍ଥାନରେ ଛାଡ଼ି ଆମେ କେମିତି ଜୀବନମୁଖୀ ହେବା, ଜୀବନଲାଭର ଆଶୀର୍ବାଦକୁ ମାନବ କଲ୍ୟାଣରେ ନିୟୋଜିତ କରିବା, ତାହା ହିଁ ଆମର ଲକ୍ଷ୍ୟ ହେବା ଉଚିତ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର, ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri