ଜଳ ସଂରକ୍ଷଣ ମାନସିକତା

ବୈକୁଣ୍ଠନାଥ ମିଶ୍ର
ଆମ୍ଭେମାନେ ଶିଶୁ ଥିବାବେଳେ ପରିବାରରେ ଗୋଟିଏ କଥା ଆମ୍ଭମାନଙ୍କୁ କୁହାଯାଉଥିଲା ଯେ ଖାଦ୍ୟ ନଷ୍ଟ କରନାହିଁ। ଏପରିକି ଖାଦ୍ୟ ବଳକା ରହିଲେ କିମ୍ବା ଥାଳି ପାର୍ଶ୍ୱରେ ବିଞ୍ଚିଗଲେ ପରିବାରରୁ ଗାଳି ଶୁଣିବାକୁ ହେଉଥିଲା। କୁହାଯାଉଥିଲା ଅନ୍ନ ହିଁ ଲକ୍ଷ୍ମୀ। ଅନ୍ନ ନଷ୍ଟ କଲେ ଲକ୍ଷ୍ମୀଙ୍କ ରୋଷର ଶିକାର ହେବାକୁ ପଡ଼େ। ଏ ପ୍ରକାର ଅନୁଭୂତି ବୟସାଧିକ ବ୍ୟକ୍ତିମାନଙ୍କର ଅବଶ୍ୟ ରହିଛି। ଏହାର କାରଣସ୍ବରୂପ କୁହାଯାଇପାରେ ଯେ, ପ୍ରାୟ ଚାଳିଶ/ପଚାଶ ବର୍ଷ ତଳେ ଭାରତ ଥିଲା ଖାଦ୍ୟପଦାର୍ଥରେ ଏକ ନିଅଣ୍ଟିଆ ଦେଶ। ଯେତିକି ଫସଲ ଅମଳ ହେଉଥିଲା, ତାହା ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁ ନ ଥିଲା। ଗ୍ରାମାଞ୍ଚଳରେ ଭିକାରିଙ୍କ ସଂଖ୍ୟା ବହୁତ ଥିଲା। ଏପରିକି ମଜୁରିଆ ପଇସା ପରିବର୍ତ୍ତେ ଚାଉଳ ନେବାର ଚୁକ୍ତି କରୁଥିଲା। ସା ହେଲେ ଗରିବ ଲୋକଟି ହାତରେ ପଇସା ଧରି ଚାଉଳ ଗଣ୍ଡେ ପାଇଁ ବାରଦୁଆର ବୁଲୁଥିଲା। ଚାଉଳ ଗଣ୍ଡେ ମିଳିଗଲେ ମନରେ ପ୍ରସନ୍ନତା ଆସୁଥିଲା, ଯାହାହେଉ ପିଲାଙ୍କ ପାଇଁ ଦିନକର ଆହାର ଯୋଗାଡ଼ ହୋଇଗଲା।
ଆମେ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ କେୟାର ଫିଡିଙ୍ଗ ଦିଆଯାଉଥିଲା। କେଆର (କଣ୍ଟ୍ରିବ୍ୟୁଶନ ଅଫ୍‌ ଆମେରିକାନ୍‌ ରିଲିଫ୍‌ ଏଭ୍ରିହୋୟାର) ଥିଲା ବଦାନ୍ୟ ଆମେରିକାର ଦାନ, ଯାହା ଅନେକାଂଶରେ ଭାରତୀୟ ଶିଶୁଙ୍କର କ୍ଷୁଧା ନିବାରଣ ଓ ଅପପୁଷ୍ଟି ବିମୋଚନରେ ସାହାଯ୍ୟ କରୁଥିଲା। ସମୟ ବଦଳିଛି, ତା’ ସହିତ ସମତାଳରେ ବଦଳିଛି ଭାରତୀୟ କୃଷକର ଖାଦ୍ୟଶସ୍ୟ ନିଅଣ୍ଟ ସ୍ଥିତି। ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ସମେତ ସମଗ୍ର ଦେଶ ସ୍ବାବଲମ୍ବୀ ହୋଇଛି। ନିଜ ପରିବାରର ଖାଦ୍ୟ ଚାହିଦା ପୂରଣ ପରେ ବଳକା ଶସ୍ୟକୁ କୃଷକ ବିକ୍ରି କରୁଛି। ଖାଦ୍ୟ ନିଅଣ୍ଟ ସ୍ଥିତି ସିନା ଆଉ ନାହିଁ, ହେଲେ ଜଳକ୍ଳିଷ୍ଟତା ବର୍ତ୍ତମାନ ପୃଥିବୀବ୍ୟାପୀ ମଣିଷକୁ ଏକ ମହାସଙ୍କଟରେ ନିକ୍ଷେପ କରିବାକୁ ଯାଉଛି। ଖାଦ୍ୟର ଅଭାବ ସିନା ମଣିଷ ବିଜ୍ଞାନ ବଳରେ ଦୂର କରିପାରିଛି, ହେଲେ ଜଳର ଅଭାବ କିପରି ଦୂର ହେବ, ସେ ଉତ୍ତର କାହା ପାଖରେ ନାହିଁ। ପୃଥିବୀର ପାଖାପାଖି ତିନିଚତୁର୍ଥାଂଶ ଜଳପୂର୍ଣ୍ଣ। ଆମ୍ଭମାନଙ୍କର ଧାରଣା ଯେ ବସୁଧା ସତତ ଜଳପ୍ରସୂ ଓ ଜଳଯୋଗାଣ ଏକ ଅସୀମିତ ପ୍ରକ୍ରିୟା। ପଚାଶ ବର୍ଷ ତଳର ଖାଦ୍ୟ କଷଣ ସିନା ନାହିଁ, ହେଲେ ପଚାଶବର୍ଷ ତଳର ସେ ଜଳ ସୁଲଭତା ମଧ୍ୟ ଆଉ ନାହିଁ। ଅସୀମିତ ମନେ ହେଉଥିବା ଜଳସମ୍ପଦ ସମ୍ପ୍ରତି ଭୟଙ୍କର ସ୍ଥିତି ଆଡକୁ ପୃଥିବୀବାସୀଙ୍କୁ ଟାଣି ନେଉଛି। କୌଣସି ସ୍ଥାନର ଖାଦ୍ୟାଭାବକୁ ପରିବହନ ଦ୍ୱାରା ଅନ୍ୟ ସ୍ଥାନରୁ ଆଣି ପୂରଣ କରାଯାଇପାରେ, ମାତ୍ର ଗୋଟିଏ ସ୍ଥାନର ଜଳାଭାବକୁ ଅନ୍ୟ ସ୍ଥାନରୁ ପରିବହନ ଦ୍ୱାରା ପୂରଣ କରିବା ଏକାନ୍ତ ଅସମ୍ଭବ। ଦକ୍ଷିଣ ଆଫ୍ରିକାର ଜଳାଭାବକୁ ଭାରତ ଦୂର କରିପାରିବ ନାହିଁ କିମ୍ବା ଭାରତର ଜଳାଭାବକୁ ଆମେରିକା ଦୂର କରିପାରିବ ନାହିଁ। ଭୂ-ଅଭ୍ୟନ୍ତରରେ ଗଚ୍ଛିତ ଥିବା ଜଳକୁ କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବାହିତ କରାଯାଇପାରିବ?
ଦ୍ୱିତୀୟତଃ ଖାଦ୍ୟ ନଷ୍ଟ ପ୍ରତି ଆମେ ଯେତେ ସଚେତନ, ଜଳସଙ୍କଟ ପ୍ରତି ସେ ସଚେତନତା ଆମର ନାହିଁ। ଜଳଯୋଗାଣ ଓ ସଂରକ୍ଷଣ ମଣିଷର ପ୍ରକୃତି ଉପରେ ନିର୍ଭରଶୀଳ, ଏପରି ମାନସିକତା ଆମର ନାହିଁ। ଜଳ ପରିଚାଳନାରେ ମିତବ୍ୟୟିତା ଅବଲମ୍ବନ ଜରୁରୀ। ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ମହାସାଗରରେ ଅଛି, ଯାହା ବ୍ୟବହାର ଉପଯୋଗୀ ନୁହେଁ। ଅବଶିଷ୍ଟ ମାତ୍ର ତିନି ଶତାଂଶ ମଧୁର ଜଳ ବ୍ୟବହାର ଉପଯୋଗୀ, ଯାହାର ପରିମାଣ ପ୍ରାୟ ୩୦ ଟ୍ରିଲିୟନ ଏକର ଫୁଟ। ଉକ୍ତ ମଧୁର ଜଳର ୬୯.୫ ପ୍ରତିଶତ ହିମବାହ ଓ ବରଫ ଆକାରରେ ଗଚ୍ଛିତ ଅଛି। ଅବଶିଷ୍ଟ ୩୦.୫ ଶତାଂଶ ଜଳ ଭୂଗର୍ଭ, ନଦୀ, ହ୍ରଦ ଓ ଜଳାଶୟଗୁଡ଼ିକରେ ଗଚ୍ଛିତ ରହି ପ୍ରାଣୀମାନଙ୍କର ବ୍ୟବହାର ଉପଯୋଗୀ ହୋଇପାରୁଛି। ଅନ୍ୟ ଏକ ହିସାବ ଅନୁଯାୟୀ ମଣିଷ ପାଇଁ ବାର୍ଷିକ ମୁଣ୍ଡପିଛା ହାରାହାରି ୧.୪ ମିଲିୟନ ଲିଟର ମଧୁର ଜଳ ଉପଲବ୍ଧ। ଏହା ସର୍ବତ୍ର ସବୁ ସମୟରେ ସମାନ ନୁହେଁ। ନଦୀଗୁଡ଼ିକ ବର୍ଷାଋତୁରେ ଜଳପ୍ଳାବିତ ହୋଇ ବର୍ଷାଋତୁ ଶେଷବେଳକୁ ଜଳଶୁଷ୍କତାର ସମ୍ମୁଖୀନ ହେଉଛନ୍ତି। ସୀମିତ ଜଳଯୋଗାଣ ଓ ଜଳର କ୍ରମବର୍ଦ୍ଧମାନ ଆବଶ୍ୟକତା ଜଳସଙ୍କଟର ଭୟାବହତାକୁ ବହୁଗୁଣିତ କରୁଛି।
ଅନେକ ସମୟରେ ଆମେ ଫଳାଫଳକୁ ଭ୍ରୂକ୍ଷେପ ନ କରି ଅବିଚାରିତ ଭାବେ ଜଳ ନଷ୍ଟ କରିଚାଲିଛୁ। ମିଳିତ ଜାତିସଂଘର ଚେତାବନୀ ଅନୁଯାୟୀ ଜଳସଙ୍କଟ ସମସ୍ତ ମହାଦେଶକୁ ଆକ୍ରାନ୍ତ କଲାଣି। ପ୍ରତିବର୍ଷ ବିଶ୍ୱର ୧.୮ ନିୟୁତ ଶିଶୁ ଜଳବାହିତ ରୋଗରେ ଓ ୩୦ ହଜାର ଶିଶୁ ଦୂଷିତ ଜଳ ଯୋଗୁ ପ୍ରାଣ ହରାଉଛନ୍ତି। ଭାରତରେ ସମ୍ପ୍ରତି ଜଳ ସମସ୍ୟା ଉଦ୍‌ବେଗଜନକ। ‘ଓ୍ବାଟର ମ୍ୟାନେଜମେଣ୍ଟ ଇଣ୍ଡେକ୍ସ’ର ଏକ ଆକଳନ ଅନୁଯାୟୀ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇ ଭଳି ଭାରତର ୨୧ଟି ସହରରେ ଭୂତଳଜଳ ୨୦୨୦ ବେଳକୁ ନିଃଶେଷ ହୋଇଯିବ। ସେହିପରି ୨୦୧୮ ୟୁଏନ୍‌ଡିପି ରିପୋର୍ଟ ଅନୁସାରେ ୨୦୩୦ ସୁଦ୍ଧା ପୃଥିବୀର ଜଳ ସ୍ଥିତି ବିପନ୍ନ ହେବ। ପାନୀୟ ଜଳ ପାଇଁ ମହାସଂଘର୍ଷର ସୂତ୍ରପାତ ହେବ।
ବେଦ, ଉପନିଷଦ୍‌ ଆମ୍ଭମାନଙ୍କୁ ପ୍ରତିକ୍ଷଣ ସତର୍କ କରାଉଛନ୍ତି ଯେ, ଆମେ ଆମ ପୃଥିବୀର ଜଣେ ଜଣେ ତତ୍ତ୍ୱାବଧାରକ। ଏହାର ଧ୍ୱଂସକର୍ତ୍ତା ନୋହୁଁ। ପ୍ରକୃତିର ଆମ ପ୍ରତି ସମସ୍ତ ଦାନକୁ ଆମେ ଭବିଷ୍ୟତ ବଂଶଧରଙ୍କ ନିମିତ୍ତ ସୁରକ୍ଷିତ ରଖିଯିବା ଉଚିତ। କୋରାନ୍‌ କହେ- ”ଜଳ ହେଉଛି ଈଶ୍ୱରଙ୍କର ଆମ ପ୍ରତି ସର୍ବୋତ୍କୃଷ୍ଟ ଦାନ। ସ୍ରଷ୍ଟାଙ୍କର ବଦାନ୍ୟତାକୁ ଆମେ କୃତଜ୍ଞତାର ସହ ଗ୍ରହଣ କରି ତା’ର ସମୁଚିତ ବ୍ୟବହାର କରିବା ଉଚିତ। ସମସ୍ତ ଜୀବନ୍ତ ପଦାର୍ଥ ଜଳରୁ ସମ୍ଭୂତ। ତେଣୁ ଜଳ ସଂରକ୍ଷଣକୁ ଏକ ଉପାସନା ଭାବେ ଆମକୁ ଗ୍ରହଣ କରିବାକୁ ହେବ।“ (କୋରାନ ୨୧.୩୦) ଡବ୍ଲୁ.ଏଚ୍‌. ଆଡେନଙ୍କ ଭାଷାରେ ”ପ୍ରେମ ବିନା ହଜାର ହଜାର ମଣିଷ ବଞ୍ଚିଛନ୍ତି, କିନ୍ତୁ ଜଳ ବିନା ଜଣେ ହେଲେ ବଞ୍ଚିଥିବାର ଦୃଷ୍ଟାନ୍ତ ନାହିଁ। ପ୍ରତି ଜଳବିନ୍ଦୁକୁ ସଞ୍ଚୟ କର, କାରଣ ବିନ୍ଦୁ ବିନ୍ଦୁ ଜଳରେ ମହାସାଗରର ସୃଷ୍ଟି।“ ଯେପରି ନିଜ ସମ୍ପତ୍ତି ବା ପୈତୃକ ସମ୍ପତ୍ତିକୁ ଆମେ ସୁରକ୍ଷିତ ରଖୁଛୁ, ଠିକ୍‌ ସେହିପରି ଜଳ ସମେତ ପ୍ରକୃତିର ସମସ୍ତ ଦାନକୁ ଆମେ ଉତ୍ତରାଧିକାର ସୂତ୍ରରେ ପରପିଢ଼ି ପାଇଁ ସଂରକ୍ଷିତ ରଖିବା ଆବଶ୍ୟକ।
ଜଳ ହିଁ ଜୀବନ। ଏପରି ଏକ ଗୁରୁ ଚିନ୍ତନ ସର୍ବଦା ଆମ ମନ ଓ ହୃଦୟକୁ ଆନ୍ଦୋଳିତ କରୁ। ଆଜି ନଷ୍ଟ ହେଉଥିବା ଜଳବିନ୍ଦୁ କାଲି ହୁଏ ତ କାହାର ଜୀବନ ରକ୍ଷାରେ ସହାୟକ ହୋଇପାରେ। ଇଂଲିଶ କବି ଏସ୍‌.ଟି. କୋଲେରିଜଙ୍କ ମତରେ ”ଓ୍ବାଟର ଓ୍ବାଟର ଏଭ୍ରିହୋୟାର, ବଟ୍‌ ନଟ୍‌ ଏ ଡ୍ରପ୍‌ ଟୁ ଡ୍ରିଙ୍କ୍‌.“ ଜଳରୂପକ ଜୀବନ ଅବକ୍ଷୟମୁଖୀ। ଜଳାଭାବର ଉତ୍କଟ ସ୍ଥିତି ଭୟଙ୍କର ରୂପ ନେଉଛି। କେବଳ ସରକାର ନୁହେଁ, ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କର ଜଳ ସଚେତନତାର ଆବଶ୍ୟକତା ଅଛି। ଚ୍ୟାରିଟି ବିଗିନ୍‌ସ ଆଟ୍‌ ହୋମ୍‌। ଅର୍ଥାତ୍‌ ସର୍ବନିମ୍ନ ଅନୁଷ୍ଠାନ ପରିବାରରୁ ହିଁ ବଦାନ୍ୟତାର ସୃଷ୍ଟି। ଖାଦ୍ୟ ପ୍ରତି ସଚେତନତା ଯେପରି ପରିବାରରୁ ଆରମ୍ଭ ହେଉଥିଲା, ଠିକ୍‌ ସେହିପରି ଜଳ ସଚେତନତା ପ୍ରତି ପରିବାରରୁ ଆରମ୍ଭ ହେବା ଉଚିତ। ସମୟର ଆହ୍ବାନ- ଭାରତର ଜଳ ସ୍ବାବଲମ୍ବନ ଏକାନ୍ତ ଅପରିହାର୍ଯ୍ୟ। ଜଳ ଅପଚୟକୁ ନିରୋଧ କରିବା ପାଇଁ ସଂଯମ ଆଚରଣ କଲେ ଭବିଷ୍ୟତ ବଂଶଧରଙ୍କ ପାଇଁ ଆମେ କିଛି କରିପାରିଛୁ ବୋଲି ଆତ୍ମସନ୍ତୋଷ ଲାଭ ହେବ। ବସୁଧାକୁ ଜଳକଷ୍ଟରେ ଛଟପଟ ହେବାରୁ ରକ୍ଷା ମିଳିବ। ବୁଝିବାକୁ ହେବ ଜଳ ଅସରନ୍ତି ନୁହେଁ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri