ଜନବିରୋଧୀ ଆଇନ

ଆକାର ପଟେଲ
ଭାରତ ତା’ର ଆତଙ୍କବାଦ-ନିରୋଧୀ ଆଇନ, ଦ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍ସନ ଆକ୍ଟ (ୟୁଏପିଏ)ରେ ଏକ ପରିବର୍ତ୍ତନ କରିଛି। ଏହି ଆଇନ ଅନୁସାରେ କୌଣସି ଅପରାଧ ଘଟାଇବା ପୂର୍ବରୁ ବିନା ଅଭିଯୋଗରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଅଟକ ବା ଜେଲରେ ରଖିବାର ଅଧିକାର ରାଷ୍ଟ୍ରର ରହିଛି। ଏପରିଭାବେ ଜେଲରେ ରଖାଯାଇଥିବା ବ୍ୟକ୍ତିକୁ ସହଜରେ ଜାମିନ ନ ମିଳିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ଏହା ଭିତରେ ପୋଲିସ ପାଇଁ ଦୁର୍ନୀତି କରିବା ଓ ନିର୍ଯାତନା ଦେବାର ସୁଯୋଗ ଅଛି। ଏଭଳି ଆଇନ କ’ଣ କିଛି କାମରେ ବା ଦେଶହିତରେ ଲାଗୁଛି? କେବେ ନୁହେଁ। ପଞ୍ଜାବରେ ହିଂସାକାଣ୍ଡ ଘଟିବା ପରେ କଂଗ୍ରେସ ସରକାର ଟେରୋରିଜ୍‌ମ ଆଣ୍ଡ୍‌ ଆଣ୍ଟି-ଡିସ୍‌ରପ୍ଟିଭ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍ସନ ଆକ୍ଟ (ଟାଡା) ଆଣିଲା। ଏହି ଆଇନ ପ୍ରାୟ ଏକ ଦଶନ୍ଧି ବଳବତ୍ତର ରହିଲା ଏବଂ ଏହି ଆଇନ ବଳରେ ହଜାର ହଜାର ଲୋକ (ଅଧିକାଂଶ ମୁସଲମାନ ଓ ଶିଖ୍‌) ଗିରଫ ହୋଇ ଜେଲ ଗଲେ। ମାତ୍ର ସେମାନଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ଲୋକ ଦୋଷୀ ସାବ୍ୟସ୍ତ ହେଲେ। ଅର୍ଥାତ୍‌ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୦୦ରେ ୯୯ ଜଣ ଥିଲେ ନିର୍ଦ୍ଦୋଷ।
ଏହା ଅତି କଡ଼ା ଓ ଅନୁଚିତ ଆଇନ ଥିଲା, ତେଣୁ ତାହା ଆଉ ଅଧିକ ଦିନ ତିଷ୍ଠିପାରିଲା ନାହିଁ। ଏହି ଆଇନ ବଦଳରେ ୨୦୦୨ ମସିହାରେ ପ୍ରିଭେନ୍ସନ ଅଫ୍‌ ଟେରୋରିଜ୍‌ମ ଆକ୍ଟ (ପୋଟା) ଆସିଲା। ଆତଙ୍କବାଦକୁ ଦମନ କରିବାରେ ଏହା ସାହାଯ୍ୟ କରିବ ବୋଲି କୁହାଯାଉଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିଓ୍ବାରୀ କହିଥିଲେ ଯେ, ପୋଟା ଅଧୀନରେ ୪୩୪୯ଟି ମାମଲା ପଞ୍ଜୀକୃତ କରାଯାଇଥିବା ବେଳେ ମୋଟ ୧୦୩୧ ଜଣ ବ୍ୟକ୍ତିଙ୍କ ବିରୋଧରେ ଆତଙ୍କବାଦ ଅଭିଯୋଗ ରହିଛି। ଏମାନଙ୍କ ମଧ୍ୟରୁ ସରକାର ମାତ୍ର ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିଥିଲେ। ସୁତରାଂ ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରିବାରେ ଟାଡା ଅପେକ୍ଷା ଏହି ପୋଟା ଆହୁରି ଖରାପ। ସେତେବେଳର ସ୍ବରାଷ୍ଟ୍ରମନ୍ତ୍ରୀ ଏଲ୍‌.କେ. ଆଡ୍‌ଭାନୀ ଅନୁଭବ କଲେ ଯେ, ଏହି ଆଇନର ଦୁରୁପଯୋଗ କରାଯାଉଛି। ତେଣୁ ଏହି ଆଇନକୁ ପ୍ରତ୍ୟାହାର କରିବାର ପ୍ରକ୍ରିୟା ଆରମ୍ଭ ହେଲା।
ଏବେ ୟୁଏପିଏରେ ଯେଉଁ ସଂଶୋଧନ କରାଯାଇଛି, ସେଥିରେ କୌଣସି ବ୍ୟକ୍ତିକୁ ଆତଙ୍କବାଦୀ ବୋଲି ଅଭିହିତ କରିବାର ଅଧିକାର ରାଷ୍ଟ୍ରର ରହିଛି। ମୋର ସହକର୍ମୀ ମୃଣାଲ ଶର୍ମା ଲେଖିଛନ୍ତି ଯେ, ଏହା ସେହି ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ, ଯାହାକୁ ସରକାର ଅନୁସରଣ କରୁଛନ୍ତି ବୋଲି କହୁଛନ୍ତି। ୨୦୦୬ରେ ଜାତିସଂଘର ସ୍ବତନ୍ତ୍ର ରାପୋର୍ଟର (ରେକର୍ଡ କିପର) କହିଥିଲେ ଯେ, କୌଣସି ଅପରାଧକୁ ‘ଆତଙ୍କବାଦୀ କାର୍ଯ୍ୟକଳାପ’ କହିବାକୁ ହେଲେ ତିନୋଟି ଜିନିଷ ଥିବା ଦରକାର: ଅପରାଧୀ ଯେଉଁ ଅସ୍ତ୍ର ବ୍ୟବହାର କରିଥିଲା ତାହା ମାରାତ୍ମକ ହୋଇଥିବ, ଜନସାଧାରଣଙ୍କ ଭିତରେ ଆତଙ୍କ ସୃଷ୍ଟି କରି ସରକାର ବା ଆନ୍ତର୍ଜାତିକ ସଂଗଠନଠାରୁ କିଛି ଦାବି ହାସଲ କରିବାର ଉଦ୍ଦେଶ୍ୟ ଥିବ ଏବଂ ସେହି ଲକ୍ଷ୍ୟ ଭିତରେ କୌଣସି ଆଦର୍ଶ ପ୍ରତିଷ୍ଠା ଉଦ୍ଦେଶ୍ୟ ନିହିତ ଥିବ।
ଅନ୍ୟପକ୍ଷରେ ୟୁଏପିଏରେ ଆତଙ୍କବାଦୀ କାର୍ଯ୍ୟକଳାପର ଏକ ଅନିର୍ଦ୍ଦିଷ୍ଟ ଓ ଅସ୍ପଷ୍ଟ ସଂଜ୍ଞା ରହିଛି। ଏଥିରେ ଅଛି, ସେହି କାର୍ଯ୍ୟକଳାପକୁ ଆତଙ୍କବାଦ କୁହାଯିବ, ଯେଉଁଥିରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥିବା ବା ସେ ଆହତ ହୋଇଥିବ, ଧନସମ୍ପତ୍ତି ହାନି ହୋଇଥିବ, ଆପରାଧିକ ଶକ୍ତି ଦ୍ୱାରା କୌଣସି ସରକାରୀ କାର୍ଯ୍ୟନିର୍ବାହକଙ୍କ କାର୍ଯ୍ୟ ନିର୍ବହନରେ ବାଧା ବା ଭୟ ସୃଷ୍ଟି କରାଯାଇଥିବ ବା କୌଣସି ବ୍ୟକ୍ତି ବା ସରକାର କୌଣସି କାର୍ଯ୍ୟ କରିବା ବା ନ କରିବା ପାଇଁ ବାଧ୍ୟ କରାଯିବାର ଉଦ୍ଦେଶ୍ୟ ଥିବ। ଧମକ ଦେବା ବା ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରିବାର ସମ୍ଭାବନା ଥିବା କାର୍ଯ୍ୟକଳାପକୁ ବି ଆତଙ୍କବାଦ ପରିସରଭୁକ୍ତ କରାଯାଇଛି। ଏହାଦ୍ୱାରା କୌଣସି ସାଧାରଣ ନାଗରିକ ବା କର୍ମୀଙ୍କ ଉପରେ ସେ କିଛି କରି ନ ଥିଲେ ମଧ୍ୟ ଆତଙ୍କବାଦୀର ମୋହର ମାରିବାର ପୂର୍ଣ୍ଣ ଅଧିକାର ସରକାରଙ୍କର ରହିଛି। ଏହି ଆଇନ ସାଧାରଣ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସ୍ବାଧୀନତା ଉପରେ ହସ୍ତକ୍ଷେପ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ମତରେ ୨୦୧୪ରୁ ୨୦୧୬ ମଧ୍ୟରେ ୟୁଏପିଏ ଅଧୀନରେ ପଞ୍ଜୀକୃତ ୭୫ ପ୍ରତିଶତ ମାମଲା ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି। ଏତେ ବର୍ଷ ଭିତରେ ୟୁଏପିଏ କେବଳ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଗିରଫ କରିବା, ତାଙ୍କୁ ଆଇନର ଜାଲରେ ଛନ୍ଦିବା ଏବଂ ରାଷ୍ଟ୍ର ଯେତେ ଦିନ ଚାହିଁବ ସେତେ ଦିନ ତାଙ୍କୁ ଜେଲରେ ରଖିବାର ଅସ୍ତ୍ରରେ ପରିଣତ ହୋଇଛି। ଉକ୍ତ ସଂଶୋଧନ ଆଇନକୁ ଆହୁରି ଶକ୍ତିଶାଳୀ କରିଦେଇଛି, ଯାହାଦ୍ୱାରା ସକ୍ରିୟ ସାମାଜିକ କର୍ମୀମାନଙ୍କୁ ଆତଙ୍କବାଦୀ ଭାବେ ଚିତ୍ରଣ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଜଣେ ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଏହି ସଂଶୋଧନକୁ ବିରୋଧ କରିଥିଲେ। ଲଶ୍କର-ଇ-ତୋଇବା ମୁଖ୍ୟ ହାଫିଜ୍‌ ସଇଦ ଏବଂ ୟୁଏପିଏ ଅଧୀନରେ ଗିରଫ ହୋଇଥିବା ଗୌତମ ନଓ୍ବଲଖାଙ୍କ ଭିତରେ ପ୍ରଭେଦ ଅଛି। ରିପୋର୍ଟ ଅନୁସାରେ କଂଗ୍ରେସ ଏହି ସଂଶୋଧନ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ଚିଦାମ୍ବରମ୍‌ କହିଛନ୍ତି ଯେ, ଦଳ ଏହାକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିବ। ସାମ୍ବିଧାନିକ ଗଣତନ୍ତ୍ରରେ ଏପରି ଆଇନ ରହିବା ଉଚିତ ନୁହେଁ, ଯାହା ନାଗରିକଙ୍କୁ ହଇରାଣ କରିବା ଲାଗି ରାଷ୍ଟ୍ରକୁ ଅଧିକାର ଦେବ। ସଭ୍ୟ ଦେଶଗୁଡ଼ିକରେ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଅଭିଯୁକ୍ତର ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଛି। ବିନା ପ୍ରମାଣରେ ଲୋକଙ୍କୁ ଆତଙ୍କବାଦୀ କହିବାର ନିଷ୍ପତ୍ତି ହେଉଛି ଆଇନ ଓ ନ୍ୟାୟ ନୀତିର ବିରୋଧୀ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri