ଚାଇନା-ଭାରତ ବାଣିଜ୍ୟ ସମ୍ପର୍କ

ଇଂ. ମାୟାଧର ସ୍ବାଇଁ
ଭାରତ ଓ ଚାଇନା ପୃଥିବୀର ଦୁଇଟି ପ୍ରାଚୀନ ସଭ୍ୟତା। ଏହି ଦୁଇ ଦେଶରେ ଅନେକ ଜ୍ଞାନବିଜ୍ଞାନ ବିକଶିତ ହୋଇ ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଛି। ଚାଇନା ଗତ ଶତାବ୍ଦୀର ପଚାଶ ଦଶକରେ ତିବ୍ବତ ଅଧିକାର କରିନେବା ପରେ ଆମେ ବର୍ତ୍ତମାନ ପଡୋଶୀ ହୋଇ ରହିଛେ। ଜନସଂଖ୍ୟା ହିସାବରେ ଚାଇନା ଓ ଭାରତ ହେଉଛି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଜନବହୁଳ ରାଷ୍ଟ୍ର। ବର୍ତ୍ତମାନ ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଦୁଇ ଦେଶ ପୃଥିବୀରେ ଆଗୁଆ ଅଛନ୍ତି। ଏସବୁ ସତ୍ତ୍ୱେ ଦୁଇ ଦେଶର ସଂସ୍କୃତି, ଆଚାର ବ୍ୟବହାର ହେଉଛି ପୃଥକ୍‌। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏପରି ଯେ ଗୋଟିଏ ଦେଶ ଅନ୍ୟକୁ ବନ୍ଧୁ ଭାବୁନାହିଁ। ବିଶେଷକରି ଚାଇନାର କୁଟିଳ ନୀତି ଏଥିରେ ବାଧକ ହୋଇଛି। ଚାଇନା ସମ୍ମୁଖରେ ଯାହା କୁହେ କାର୍ଯ୍ୟରେ ତା’ର ବିପରୀତ କରିଥାଏ। ଇତିହାସ ହେଉଛି ଏହାର ସାକ୍ଷୀ। ଏହାର ପ୍ରଥମ ଶିକାର ହୋଇଥିଲେ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। ଉପରେ ବନ୍ଧୁତା ସ୍ଥାପନ କରି ଏହା ଅତର୍କିତ ଭାବେ ୧୯୬୨ ମସିହାରେ ଆକ୍ରମଣ କରି ଭାରତକୁ ପରାସ୍ତ ଓ ଅପଦସ୍ଥ କରିଥିଲା। ଚାଇନାର ବିଶ୍ୱାସଘାତକତାରେ ନେହେରୁ ଅତ୍ୟନ୍ତ ମର୍ମାହତ ହୋଇଥିଲେ ଏବଂ ଏହା ହିଁ ତାଙ୍କ ମୃତ୍ୟୁର କାରଣ ହୋଇଥିଲା। ଏବେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଓ ଚାଇନାର ପ୍ରଧାନମନ୍ତ୍ରୀ ବିଭିନ୍ନ ସମ୍ମିଳନୀରେ ମିଳିତ ହେଉଛନ୍ତି ଏବଂ ପୂର୍ବପରି ଚାଇନା ବନ୍ଧୁଭାବ ପ୍ରଦର୍ଶନ କରୁଛି। କିନ୍ତୁ ଅନ୍ତର୍ଜାତୀୟ କ୍ଷେତ୍ରରେ ଆଣବିକ ସାମଗ୍ରୀ ଯୋଗାଣକାରୀ ଗୋଷ୍ଠୀର ସଦସ୍ୟ ହେଉ କିମ୍ବା ଅନ୍ୟ ଘଟଣାରେ ଏହା ଭାରତକୁ ବିରୋଧ କରୁଛି। ଭାରତରେ ଆତଙ୍କବାଦ ସୃଷ୍ଟି କରୁଥିବା ମାସୁଦ ଆଝାରଙ୍କୁ ଜାତିସଂଘ ତରଫରୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା ପାଇଁ ଅନେକ ଦେଶ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଚାଇନା ଏଥିରେ ରାଜି ହୋଇ ନ ଥିଲା। ଶେଷରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇ ରାଜି ହୋଇଛି।
ଚାଇନାର ଭାରତବିରୋଧୀ ମନୋଭାବ ଦେଖି ଆମ ଦେଶରେ ସାମାଜିକ ଗଣମାଧ୍ୟମରେ ଚାଇନା ପଦାର୍ଥକୁ ବର୍ଜନ କରିବା ପାଇଁ ୨୦୧୬ ମସିହାଠାରୁ ଅନେକ ବ୍ୟକ୍ତି ଆହ୍ବାନ ଦେଉଛନ୍ତି। ଛୋଟ ଛୁଞ୍ଚିଠାରୁ ଆରମ୍ଭକରି ବଡ଼ ବଡ଼ କଳକବ୍‌ଜା ଆଦି ଚାଇନାରୁ ଭାରତକୁ ଆସୁଛି। ବିଶ୍ୱ ବାଣିଜ୍ୟ ସଙ୍ଗଠନର ଚୁକ୍ତି ଅନୁଯାୟୀ ଭାରତ ଚାଇନା ଜିନିଷ ଆମଦାନିକୁ ବନ୍ଦ କରିପାରିବ ନାହିଁ। ଚାଇନା ଜିନିଷ ବର୍ଜନ କଲେ ଆମର କ’ଣ ଲାଭ ହେବ ଓ କ’ଣ ଅସୁବିଧା ହେବ?
ଚାଇନା ଜିନିଷ ବହୁ ଶସ୍ତା। ଏଥିପାଇଁ ଭାରତରେ ଏହାର ବିକ୍ରି ଅଧିକ। ଚାଇନାରେ ଶସ୍ତା ଶ୍ରମ ଏବଂ ସରକାରୀ ସ୍ତରରେ ରପ୍ତାନିକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଏହାର ଜିନିଷର ମୂଲ୍ୟ କମ୍‌ ରହୁଛି। ଆମଦାନି ମଧ୍ୟରେ ଛୋଟ ଛୋଟ ଜିନିଷ ସମେତ ଟେଲିଫୋନ, ପାଓ୍ବାର ଓ ବିଦ୍ୟୁତ୍‌ ସରଞ୍ଜାମ ଅଛି। ଏଥିରେ ଶସ୍ତା ଛୋଟ ଛୋଟ ଜିନିଷର ଅଂଶ ୫ ପ୍ରତିଶତରୁ କମ୍‌, ଯାହାକୁ ଦେଖି ଚାଇନା ଜିନିଷ ବର୍ଜନ ପାଇଁ ଦାବି କରାଯାଉଛି। ବାସ୍ତବରେ ଚାଇନାରୁ ବିଦ୍ୟୁତ୍‌ ସାମଗ୍ରୀ, ଟେଲିକମ୍‌ ଯନ୍ତ୍ରପାତି ଆଦି ନ ଆସିଲେ ଭାରତରେ ଅନେକ ଅସୁବିଧା ହେବ। ଏଥିପାଇଁ ଗତ ତିନିବର୍ଷ ମଧ୍ୟରେ ଚାଇନାରୁ ଭାରତର ଆମଦାନି ବଢ଼ିଥିବା ବେଳେ ଭାରତରୁ ଚାଇନାର ଆମଦାନି ହ୍ରାସ ପାଇଛି। ୨୦୧୭-୧୮ରେ ଭାରତରୁ ଚାଇନାକୁ ୯୧,୭୭୦ କୋଟି ଟଙ୍କାର ଜିନିଷ ରପ୍ତାନି ହୋଇଥିବା ବେଳେ ସେଠାରୁ ୫.୩ ଲକ୍ଷ କୋଟି ଟଙ୍କାର ଜିନିଷ ଆମଦାନି ହୋଇଛି। ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଚାଇନାରୁ ଆସୁଛି। ଆମ ଦେଶରେ ଏହାର ଉତ୍ପାଦନ ହେଉ ନ ଥିବାରୁ ଚାଇନା ତାହାର ସୁବିଧା ନେଉଛି। ଔଷଧ ଉତ୍ପାଦନରେ ବ୍ୟବହୃତ ୭୫ ପ୍ରତିଶତ ଉପାଦାନ ଆମେ ଚାଇନାରୁ ଆମଦାନି କରୁଛେ। ୨୦୧୭-୧୮ରେ ଏହି ଉପାଦାନର ମୂଲ୍ୟ ୧୭,୨୫୦ କୋଟି ଟଙ୍କା ଥିଲା। ଚାଇନାରୁ ଏହା ନ ଆଣିଲେ ଭାରତରେ ଔଷଧର ମୂଲ୍ୟ ବହୁତ ବଢ଼ିଯିବ।
ଚାଇନା ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ପ୍ରକଳ୍ପ ଆରମ୍ଭ କରିଛି। ଫଳରେ ଏହା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକାଶରେ ଅଗ୍ରଣୀ ଦେଶ ହୋଇପାରିଛି। ଗୋଟିଏ ଉଦାହରଣ ଦେଖିବା। ବାୟୁ ପ୍ରଦୂଷଣ ବୃଦ୍ଧି ଏବଂ ପେଟ୍ରୋଲିୟମ୍‌ ପଦାର୍ଥର ଗଚ୍ଛିତ ପରିମାଣ କ୍ରମଶଃ ହ୍ରାସ ଯୋଗୁ ଅନେକ ଦେଶ ବିଦ୍ୟୁତ୍‌ଚାଳିତ ଗାଡ଼ିର ବିକାଶ କରୁଛନ୍ତି। ବର୍ତ୍ତମାନ ଏହା ସୀମିତ ସଂଖ୍ୟାରେ ପ୍ରଚଳନ ହେଉଥିଲେ ସୁଦ୍ଧା ଆସନ୍ତା ଦଶବର୍ଷ ମଧ୍ୟରେ ଏହା ପ୍ରାୟ ସମସ୍ତ ରାସ୍ତାରେ ଦେଖିବାକୁ ମିଳିବ। ଏହାର ମୁଖ୍ୟ ଅଂଶ ହେଉଛି ଲିଥିୟମ-ଆୟନ ବ୍ୟାଟେରି। ଏହି ବ୍ୟାଟେରିର ଅଧିକ ମୂଲ୍ୟ ଯୋଗୁ ବିଦ୍ୟୁତ୍‌ ଗାଡ଼ି ମହଙ୍ଗା ହେଉଛି। ଏହି ବ୍ୟାଟେରିରେ ବ୍ୟବହୃତ ଦୁଇ ମୁଖ୍ୟ ଧାତୁ ଲିଥିୟମ୍‌ ଓ କୋବାଲ୍‌ଟ। ଏହି ଦୁଇ ଧାତୁ ପୃଥିବୀର ବହୁ କମ୍‌ ଦେଶରେ ଉପଲବ୍ଧ। ଚାଇନାରେ ଲିଥିୟମ୍‌ ଖଣି ଅଛି, କିନ୍ତୁ କୋବାଲ୍‌ଟ ଖଣି ନାହିଁ। କିନ୍ତୁ ଏହା ଯୋଜନା ମୁତାବକ କଙ୍ଗୋ, ଚିଲି ଓ ବଲିଭିଆରେ ଏହି ଖଣିକୁ ବହୁ ପୂର୍ବରୁ କିଣି ନେଇଛି। ଏଣୁ ବର୍ତ୍ତମାନ ଲିଥିୟମ୍‌-ଆୟନ ବ୍ୟାଟେରି ଉତ୍ପାଦନରେ ଏହା ପୃଥିବୀରେ ପ୍ରଥମ ଏବଂ ଆମକୁ ବିଦ୍ୟୁତ୍‌ ଗାଡ଼ିର ବିକାଶ ପାଇଁ ଏହା ଉପରେ ନିର୍ଭର କରିବାକୁ ପଡ଼ିବ। ସେହିପରି ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ନିର୍ଗତ ହେଉଥିବାରୁ ଜାଗତିକ ଉଷ୍ଣତା ବୃଦ୍ଧି ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ ହେଉଛି। ପ୍ରତିକାର ସ୍ବରୂପ ସୌରଶକ୍ତିର ବିକାଶ କରାଯାଇଛି। ସୌର ବ୍ୟାଟେରି ସିଲିକନରୁ ନିର୍ମିତ ଯାହା ଚାଇନାରେ ପ୍ରଚୁର ପରିମାଣରେ ଅଛି ଏବଂ ଆମେ ତା’ଠାରୁ ଏହା ଆଣିବା ପାଇଁ ବାଧ୍ୟ।
ଏହିସବୁ କାରଣରୁ ଚାଇନା ଜିନିଷ ବର୍ଜନ କଲେ ଭାରତର ଅଧିକ କ୍ଷତି ହେବ। ସୂଚନାଯୋଗ୍ୟ ଯେ ଚାଇନାର ମୋଟ ରପ୍ତାନି ଦ୍ରବ୍ୟର ମାତ୍ର ତିନି ପ୍ରତିଶତ ଭାରତକୁ ୨୦୧୭ ମସିହାରେ ଆସିଥିଲା। ମୋବାଇଲ ଫୋନ୍‌ ସମେତ ଯୋଗାଯୋଗ ଉପକରଣ ପାଇଁ ଭାରତ ହେଉଛି ଚାଇନାର ଷଷ୍ଠ ବୃହତ୍ତମ ବଜାର ଏବଂ ୨୦୧୭ରେ ଏହା ଥିଲା ଚାଇନାର ମାତ୍ର ଚାରି ପ୍ରତିଶତ। ଅବଶ୍ୟ ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ପରେ ଏହା ବଢ଼ିପାରେ। ଏଣୁ ଚାଇନା ଜିନିଷ ବର୍ଜନ ନ କରି କୂଟନୀତି ଦ୍ୱାରା ସୁସମ୍ପର୍କ ରଖାଯାଇପାରେ।
୭୦, ଲକ୍ଷ୍ମୀବିହାର, ଫେଜ-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ବଡ଼ିଆଙ୍କ ଉତ୍ପାତ

ଡ. କୁଳାଙ୍ଗାର ଶୀର୍ଷକଟିକୁ ପଢ଼ି ଅନେକେ ଆମ ଉପରେ ବିରକ୍ତି ପ୍ରକାଶ କରି ସାରିବେଣି! କାରଣ ଆମେ ଅଧିକାଂଶ ନିଜକୁ ବଡ଼ଲୋକ ଭାବୁ। କିଏ ଭାବେ...

ବର୍ଣ୍ଣବୋଧ: ଓଡ଼ିଆ ଭାଷାର ସଞ୍ଜୀବନୀ

ମନ-ମାନଚିତ୍ର/ ଡ. ନରହରି ବେହେରା ଶତାଧିକ ବର୍ଷକାଳ ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିକୁ ଯେଉଁ ଦୁଇଟି କ୍ଷୁଦ୍ର ପୁସ୍ତକ ବହୁଳ ଭାବରେ ପ୍ରଭାବିତ...

ଭାରତର ରାଜନୈତିକ ସମୀକରଣ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ କଂଗ୍ରେସ ଦଳ (ଭାରତୀୟ ଜାତୀୟ କଂଗ୍ରେସ) ଦେଶର ଶାସନ ଭାର...

ସମ୍ପାଦକୀୟ/ବୁଦ୍ଧି ଲୋଡ଼ା

ଚଳିତବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଥିବା ଭାରତୀୟ-ଆମେରିକୀୟ ଅଭିଜିତ୍‌ ବାନାର୍ଜୀ ୨୨ ଅକ୍ଟୋବରରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍‌ ଆଲୋଚନା କରିଛନ୍ତି।...

ଏଇ ଭାରତରେ

ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଆଯୋଜିତ ଏକ ନିଆରା ବାହାଘର ନଜରକୁ ଆସିଛି ଉତ୍ତରପ୍ରଦେଶରେ। ବିନା ଯୌତୁକରେ ଓକିଲ ବର ସହ ପୋଲିସ କନ୍ୟାଙ୍କ...

ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ...

ମୁଁ କ’ଣ ସତରେ ବୋକା

ସୁଧାକର ଦାସ ମତେ ପିଲାଦିନେ ସମସ୍ତେ କହୁଥିଲେ ବୋକା। ଅରୁଆ ଧାନ ଗୋଟେ ବିଲରେ ଆଉ ଉଷୁନା ଧାନ ଆଉ ଗୋଟେ ବିଲରେ ଫଳେ ବୋଲି...

ଏୟାର ଇଣ୍ଡିଆ ନୂଆ ସିଏମ୍‌ଡି ପାଇବ

ନିକଟରେ ଆପଏଣ୍ଟମେଣ୍ଟସ୍‌ କମିଟି ଅଫ୍‌ କ୍ୟାବିନେଟ (ଏସିସି) କେନ୍ଦ୍ରରେ ସଚିବ ସ୍ତରୀୟ ପଦ ପାଇବା ପାଇଁ ୨୮ ଜଣ ଆଇଏଏସ୍‌ ଅଧିକାରୀଙ୍କ ନାମ ସମ୍ବଳିତ ତାଲିକାକୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *