ଗାଁ ମହମହ ବାସୁଛି

ସଂଗ୍ରାମ କେଶରୀ ପୃଷ୍ଟି

ଅଧରାତିରେ ଦାଣ୍ଡ ଦରଜାରେ ଠକ୍‌ଠକ୍‌ ଶବ୍ଦ ପରିବାର ଲୋକଙ୍କ ନିଦ ଭାଙ୍ଗିଦେଲା। ନିଶାର୍ଦ୍ଧ କରୋନା ରାତିରେ ଖେଳିଗଲା ଏକ ଅଜଣା ଆତଙ୍କ। ଏତେ ରାତିରେ କିଏ ଆଉ ହୋଇପାରେ! ଚୋର ତସ୍କର ନା ଭୂତପ୍ରେତ? ଧେତ୍‌, ସେସବୁ ମିଛକଥା। ମନକୁ ଟାଣକରି ସତର୍କତାର ସହିତ କବାଟ ଖୋଲିବାକୁ ଯିଏ ଆଗଭର ହେଲେ, ସେଥିଲେ ପରିବାରର ମୁଖିଆ- ବାପା। ଧଡ୍‌କିନା କବାଟ ଖୋଲୁଖୋଲୁ ସେ ଯାହାକୁ ଦେଖି ଥମ୍‌ ହୋଇ ରହିଗଲେ ସେ ଥିଲା ପୁଅ। ସୁଦୂର ଗୁଜରାଟର ସୁରଟରେ ଯାଇ ସେ କାମ କରୁଥିଲା। ଗାଁ ଭୂଇଁର ମୋହମାୟା ତୁଟାଇ ଅଧିକ ରୋଜଗାର ଆଶାରେ ସେଠାକୁ ସେ ଧାଇଁଥିଲା। ବେଶ୍‌କିଛି ରୋଜଗାର କରୁଥିଲା ମଧ୍ୟ। ତା’ପରଠୁ ଗାଁ ପ୍ରତି ମୋହ ତୁଟାଇ ଦେଇଥିଲା। ଗାଁ ମଣିଷଙ୍କୁ ଦେଖିଲେ ନାକ ଟେକୁଥିଲା। ସହଜରେ ଗାଁକୁ ଆସୁ ନ ଥିଲା। ଏଥର କିନ୍ତୁ ଇଚ୍ଛା ଥାଉ ବା ନ ଥାଉ ଆଜି ଫେରିଆସିଛି ଗାଁକୁ। କରୋନା କାରଣରୁ ସେଠାରେ ବନ୍ଦ ହୋଇଯାଇଛି ତା’ କମ୍ପାନୀ। ଏଣୁ ପେଟବିକଳରେ ସେ ଧାଇଁଆସିଛି ଗାଁକୁ।
ଘର ବାହାରେ ଛିଡ଼ାହୋଇ ଘରର ପୁଅ ଝାପ୍‌ସା ଆଲୁଅରେ ଦେଖୁଥିଲା, ଦରଜା ସେପଟେ ଛିଡ଼ା ହୋଇଥିବା ତା’ ବାପା-ମାଆ, ଭାଇ-ଭଉଣୀ ଓ ପ୍ରାଣପ୍ରିୟା ପତ୍ନୀକୁ। ସମସ୍ତଙ୍କ ମୁହଁରେ ଉକୁଟି ଉଠୁଥିଲା ହସ। ମନରେ ସନ୍ତୋଷ। ଭାବରେ ବିଶ୍ୱାସ। ତା’ ଉପସ୍ଥିତି ଯେମିତି ଏ ଘର ପାଇଁ ପାଲଟି ଯାଇଥିଲା ବୈକୁଣ୍ଠ।
ବାହାରେ ଅନେକ ସମୟ ଛିଡ଼ାହେବା ମଧ୍ୟରେ କେମିତି ଏକ ଅସହାୟ, ପରିସ୍ଥିତିର ସାମ୍ନା କରୁଥିଲା ଯୁବକ ଜଣକ। ସମସ୍ତେ ତା’ ଉପରେ ଅଜସ୍ର ଭଲପାଇବା ଅଜାଡ଼ି ଦେଇଥିଲେ ସତ, କିନ୍ତୁ କେହି ଜଣେ ତାକୁ ଆଦରରେ ଭିତରକୁ ସଙ୍ଖୋଳି ନେଉ ନ ଥିଲେ। ଅଗତ୍ୟା ସେ ବାଧ୍ୟହୋଇ ନିଜ ବ୍ୟାଗ୍‌ ଖଣ୍ଡିକ ଧରି ଘର ଭିତରକୁ ପାଦ ବଢ଼ାଇବାକୁ ଉପକ୍ରମ କଲା।
‘ଟିକେ ରହିଯା’ରେ ପୁଅ।’ -ବାପାଙ୍କ ଏ ଗୁରୁଗମ୍ଭୀର ସ୍ବର ତା’ ପାଦଦୁଇଟିକୁ ଅଟକାଇ ଦେଲା। ସେ ବଲବଲ କରି ଚାହିଁରହିଲା ବାପାଙ୍କ ମୁହଁକୁ। ବାପା ବୁଝାଇବାକୁ ଲାଗିଲେ, ଦେଖ୍‌ ପୁଅ। ତୁ ବାହାରୁ ଆସିଛୁ। ସରକାରଙ୍କ ନିର୍ଦ୍ଦେଶ ତୁ ଅବଶ୍ୟ ଜାଣିଥିବୁ। ସୁତରାଂ ତୋତେ ଆମ ଗ୍ରାମପଞ୍ଚାୟତର କ୍ୱାରାଣ୍ଟାଇନ ଗୃହରେ ଚଉଦଦିନ ଅବଶ୍ୟ ରହିବାକୁ ହେବ। ତୋ ସ୍ବାବ୍‌ ନମୁନା ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ୍‌ ଆସିଲାପରେ ଯାଇ ତୁ ଘରେ ପଶିବୁ। ତା’ ଆଗରୁ କେବେ ବି ନୁହେଁ।
ବାପାଙ୍କ ଏ ନିର୍ମମ ଅଥଚ କଠୋର ଆଦେଶ ଶୁଣି କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲା ପୁଅ। ସେ ବଡ଼ ବିକଳଭାବରେ ଚାହିଁରହିଥିଲା ଆତ୍ମୀୟସ୍ବଜନଙ୍କ ମୁହଁକୁ। ହେଲେ ସମସ୍ତେ ମୁହଁ ତଳକୁ ପୋତି ଘରର ମୁରବିଙ୍କ କଥାକୁ ସମ୍ମତି ଜଣାଉଥିଲେ ଯେମିତି। ମାଆ ଏଥର ମୁହଁ ଖୋଲିଲେ- ”ଧନରେ, ଏବେ ସରପଞ୍ଚଙ୍କୁ ଡାକିବା। ସେ ତୋ ନାଁ ପଞ୍ଜୀକରଣ କରାଇବେ। ତା’ପରେ ତୋତେ ଗାଁ ସ୍କୁଲରେ ଖୋଲିଥିବା କ୍ୱାରାଣ୍ଟାଇନ୍‌ ଗୃହରେ ରଖିବେ। ଏଇ ଦିନ କେଇଟାର କଥା। ଏମିତି ସେମିତି କଟାଇଦେଲେ ଗଲା।“ ପୁଅର ଆଉ କହିବାର ଚାରା କିଛି ନ ଥିଲା। ଅଗତ୍ୟା ସେ ନୀରବରେ ମୁହଁ ପୋତି ଧୀରେ ଧୀରେ ସ୍କୁଲ ଆଡକୁ ପାଦ ବଢ଼ାଉଥିଲା।
ଏ ଘଟଣା ପରିପ୍ରେକ୍ଷୀରେ ଯେଉଁ କଠୋର ସତ୍ୟ ସାମ୍ନାକୁ ଆସୁଛି ତାହା ହେଲା, ଏକ ଗ୍ରାମୀଣ ପରିବେଶ ମଧ୍ୟରେ ଥିବା ଏକ ପରିବାରର କରୋନା ପରିସ୍ଥିତିରେ ଏଭଳି ଏକ ସଚେତନଧର୍ମୀ କାର୍ଯ୍ୟ। ଯା’ର ଅନ୍ତର୍ନିହିତ ଉଦ୍ଦେଶ୍ୟ ଥିଲା, ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବା। ସାଂପ୍ରତିକ ପରିସ୍ଥିତିରେ ଖାଲି ଏଇ ଗୋଟିଏ ପରିବାର ନୁହେଁ, ବରଂ ପ୍ରତ୍ୟେକଟି ଗାଁ ଜାରିରଖିଛନ୍ତି ସେମାନଙ୍କ ସଚେତନତା କାର୍ଯ୍ୟକ୍ରମ।
କରୋନାକୁ ଡରିବା ନାହିଁ, ତା’ର ମୁକାବିଲା କରିବା। ବଞ୍ଚିବା ଶିଖିବା ଓ ଶିଖେଇବା। ଏପରି ଏକ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଆଜିର ଏ ମଣିଷ ତା’ ଅବସ୍ଥିତି ପାଇଁ ଜାରିରଖିଛି ଲଢ଼େଇ। କରୋନାର ମୁବାବିଲା ପାଇଁ ସତେଯେମିତି ପ୍ରତିଶ୍ରୁତିବଦ୍ଧ ଗାଁ ମଣିଷ। ପୂର୍ବରୁ ଚଳଚଞ୍ଚଳ ଲାଗୁଥିବା ଗାଁ ଏବେ ଲକ୍‌ଡାଉନ୍‌ ପ୍ରଭାବରେ ଖାଁ ଖାଁ ଲାଗୁଛି। ଗାଁକୁ ସଂଯୋଗ କରୁଥିବା ପ୍ରତ୍ୟେକଟି ସଡ଼କପଥ ଏବେ ଗାଁ ଲୋକଙ୍କ କବ୍‌ଜାରେ। ସେଠାରେ କାଠ ବାଉଁଶ ଦ୍ୱାରା ରାସ୍ତା ଅବରୋଧ କରି ସଂକଳ୍ପ ନେଇଛନ୍ତି ଯେ, ବିନା କାରଣରେ କେହି ଗାଁ ବାହାରକୁ ଯିବେନାହିଁ କି ବାହାର ଲୋକ ଗାଁ ଭିତରକୁ ଆସିବେ ନାହିଁ। ବାହାରେ ରହୁଥିବା ଗାଁ ଲୋକ ଗାଁ ମାଟିରେ ପାଦଦେବା ମାତ୍ରକେ ତୁରନ୍ତ ସରପଞ୍ଚଙ୍କ ପାଖକୁ ଖବର ଯିବା ହିଁ ଥୟ।
କରୋନାର ଏକ ଅଦୃଶ୍ୟ ଶକ୍ତି ଗାଁ ଲୋକଙ୍କୁ ଏକତାର ବନ୍ଧନରେ ବାନ୍ଧିରଖିପାରିଛି। ଏବେ ଏଠି ନାହିଁ କଳୁଷିତ ରାଜନୀତିର ତର୍ଜମା, ରିଲିଫ୍‌କୁ ନେଇ କେନ୍ଦ୍ର-ରାଜ୍ୟର ଭେଦଭାବ। ଦାଣ୍ଡପିଣ୍ଡାରେ ଜମୁନାହିଁ ତାସ୍‌ମାଡ଼ର ଆସର କି ପୋଖରୀରେ ଗଣସ୍ନାନ। ଘରୁ ଗୋଡ଼ କାଢ଼ିଲେ ହିଁ ମୁହଁରେ ମାସ୍କ। କିଛି ଜାଣି ନ ଥିବା ଗାଁର ସତୁରି-ଅଶୀ ବୟସର ବୁଢ଼ୀବୁଢ଼ାମାନେ ମଧ୍ୟ ଲୁଗାକାନି ବା ଗାମୁଛାରେ ମୁହଁ ଘୋଡ଼ାଇବାକୁ ଶ୍ରେୟସ୍କର ମଣୁଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ଦୂରରାଇଜରୁ ଭିଟାମାଟିକୁ ଫେରିଆସିଥିବା ମଣିଷମାନେ ମାରୁଛନ୍ତି ଶାନ୍ତିର ନିଃଶ୍ୱାସ। ଏତେବେଳକୁ ସେମାନେ ବାହାରେ ଥିଲେ କି ଦଶା ଯେ ଭୋଗୁଥାନ୍ତେ- ଏକଥା ଭାବି ଶିହରି ଉଠୁଛନ୍ତି କେବେ କେବେ।
କରୋନା ତାଣ୍ଡବକୁ ଦମନ କରିବାକୁ ଯାଉ ଗାଁ ମଣିଷଙ୍କ ତତ୍ପରତା, ନିଷ୍ଠା, ପ୍ରତିଶ୍ରୁତିବଦ୍ଧତା ଆଗରେ ହାର୍‌ ମାନିଛି ଧର୍ମ, ପରମ୍ପରା ଓ ବିଶ୍ୱାସ। ସୁତରାଂ ଏ ବର୍ଷ ଗାଁ ଦାଣ୍ଡରେ ଦେଖିବାକୁ ମିଳିଲାନି ଦଣ୍ଡନାଚ। ଏଠି ଶୁଦ୍ଧିକ୍ରିୟା ହେଉଛି, ହେଲେ ଆତ୍ମୀୟସ୍ବଜନଙ୍କ ଭିଡ଼ ନାହିଁ। ଜନ୍ମଦିନ ପାଳନ ହେଉଛି ସତ ତାହା ପୁଣି ଭିନ୍ନ ଢଙ୍ଗରେ। କେକ୍‌, ସ୍ବାଦିଷ୍ଟ ଖାଦ୍ୟ ପଇସାରେ ଅସହାୟ, ଗରିବଙ୍କୁ ଖାଇବାକୁ ଦେବାକୁ କର୍ତ୍ତା ଶ୍ରେଷ୍ଠ ମଣୁଛନ୍ତି। ସବୁଠି ସଙ୍ଗରୋଧ ଓ ସାମାଜିକ ଦୂରତା ରକ୍ଷାର ବାର୍ତ୍ତା।
ନିଶାମୁକ୍ତ ଗାଁ ଏବେ ଝଗଡ଼ାମୁକ୍ତ। ଅସଭ୍ୟ ଭାଷା ଓ କଳିକଜିଆଠାରୁ ସମସ୍ତେ ଏବେ ବହୁ ଦୂରରେ। ସବୁଠୁ ଶାନ୍ତ ଓ ସୁନ୍ଦର ଏବେ ଗାଁ। ଆତ୍ମୀୟତାର ଭାବରେ ବନ୍ଧା ଏହାର ମଣିଷମାନେ। ଗାଡ଼ିମୋଟରର ଶବ୍ଦ ଓ ଧୂଆଁ ତାକୁ ଆକ୍ତାମାକ୍ତା କରିପାରୁନି। ଘର ଭିତରେ ବନ୍ଦୀ ମଣିଷମାନେ ଘରର ଯାବତୀୟ କାର୍ଯ୍ୟରେ ନିଜକୁ ନିୟୋଜିତ ରଖି ଲାଭକରୁଛନ୍ତି ପରମ ଆଶ୍ୱସ୍ତି। ଘରଚଟିଆର କିଚିରିମିଚିରି ଶବ୍ଦ, କୋଇଲିର କୁହୁ କୁହୁ ତାନ, ମହୁଲ ଫୁଲର ମହମହ ସୁଗନ୍ଧ ସାଙ୍ଗକୁ ଗାଁ ବାହୁଡ଼ା ମଣିଷଙ୍କ ଗାଁ ପ୍ରତି ଗଭୀର ଆତ୍ମୀୟତା ଭିତରେ ସତେଯେମିତି ଗାଁ ମହମହ ବାସୁଛି।

ଶିକ୍ଷକ, କିଶୋରନଗର ହାଇସ୍କୁଲ, ରାଜକିଶୋରନଗର, ଅନୁଗୋଳ
ମୋ: ୯୪୩୭୫୪୭୧୪୬
ଇମେଲ୍‌:sangramprusty2012@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri