ଗରିବଙ୍କୁ ବିପଦ ଆଧାର

ସମୀତ ପଣ୍ଡା ଓ ବିପୁଲ କୁମାର
ଧନକର ବେମାଲ, ବୟସ ଅଶୀ। କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବଡ଼ଚେରଗଁା ଗ୍ରାମପଞ୍ଚାୟତର କର୍ଲା ଗ୍ରାମରେ ବସବାସ କରେ। ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ମାସ ଚାଉଳ ସରକାରୀ ରାଶନ ଦୋକାନରୁ ଉଠାଇବା ପାଇଁ ତାଙ୍କୁ ମନା କରାଗଲା। କାରଣ ତାଙ୍କର ଆଧାର କାର୍ଡ ରାଶନ କାର୍ଡ ସହ ସଂଯୋଗ ହୋଇନାହିଁ। ଧନକର ବେମାଲ ଜଣେ ଭୂମିହୀନ ଲୋକ। ତାଙ୍କର ଖାଦ୍ୟ ସୁରକ୍ଷା ପାଇଁ ପିଡିଏସ୍‌ ଚାଉଳ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଧନକର ଚାରିଥର ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯାଇଛନ୍ତି, ମାତ୍ର ତାଙ୍କର ଅଙ୍ଗୁଳି ଛାପକୁ ମେଶିନ ପଢ଼ିପାରି ନାହିଁ। ତେଣୁ ତାଙ୍କର ଆଧାର ପଞ୍ଜୀକରଣ ହୋଇପାରିନାହିଁ।
ଧନକର କେବଳ ଜଣେ ମାତ୍ର ବ୍ୟକ୍ତି ନୁହନ୍ତି, ଯିଏକି ତାଙ୍କ ଖାଦ୍ୟ ସୁରକ୍ଷାର ମୁଖ୍ୟ ଉତ୍ସ ହରେଇଛନ୍ତି। ତାଙ୍କ ପରି ଆହୁରି ଓଡ଼ିଶାରେ ୧୯ଲକ୍ଷ ହିତାଧିକାରୀ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହା କେବଳ ରାଶନ କାର୍ଡ ସହ ଆଧାରର ସଂଯୋଗୀକରଣ ହୋଇପାରି ନ ଥିବାରୁ ଘଟିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀ ସେମାନଙ୍କର ରାଶନ କାର୍ଡ ସହ ସେମାନଙ୍କର ଆଧାର କାର୍ଡକୁ ସଂଯୋଗ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା ଏବଂ ରାଜ୍ୟ ସରକାର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ୨୦୧୯ ସେପ୍ଟେମ୍ବର ୧୫ ତାରିଖକୁ ସମୟସୀମା ଧାର୍ଯ୍ୟ କରିଥିଲେ।
୨୦୧୯ ସେପ୍ଟେମ୍ବର ୧୬ ତାରିଖରେ ରାଜ୍ୟ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁସାରେ, ସମୁଦାୟ ୩.୨୬କୋଟି ହିତାଧିକାରୀଙ୍କ ମଧ୍ୟରୁ ୩.୦୭କୋଟି ସେମାନଙ୍କର ଆଧାର ସଂଯୋଗୀକରଣ କରିସାରିଛନ୍ତି। ଅବଶିଷ୍ଟ ୧୮.୬୬ଲକ୍ଷ ହିତାଧିକାରୀଙ୍କର ଆଧାର ସଂଯୋଗ ହୋଇନାହିଁ। ଯେହେତୁ ଖାଦ୍ୟଶସ୍ୟ ଦୁଇ ମାସ ପାଇଁ ଦିଆଯାଉଛି, ତେଣୁ ଆଧାର ସଂଯୋଗ ହୋଇ ନ ଥିବା ହିତାଧିକାରୀମାନଙ୍କୁ ସେପ୍ଟେମ୍ବର-ଅକ୍ଟୋବର ମାସର ଖାଦ୍ୟଶସ୍ୟ ଦେବାକୁ ମନା କରାଯାଇଛି।
ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ (ଖାଦ୍ୟ ଅଧିକାର ଉପରେ କାମ କରୁଥିବା ସଂଗଠନ ଓ ବ୍ୟକ୍ତିବିଶେଷଙ୍କର ଏକ ଅଣ-ଆନୁଷ୍ଠାନିକ ଫୋରମ୍‌) ତରଫରୁ ଏକ ତ୍ୱରିତ ସର୍ବେକ୍ଷଣ କରାଯାଇଥିଲା। ଏଥିରେ ସାମିଲ୍‌ ହୋଇଥିଲା ନବରଙ୍ଗପୁର ଜିଲାର ୨୫ଗୋଟି ଗ୍ରାମପଞ୍ଚାୟତ। ଏହି ସର୍ବେକ୍ଷଣ ସେପ୍ଟେମ୍ବର ୨୭ତାରିଖରୁ ଅକ୍ଟୋବର ୪ତାରିଖ ମଧ୍ୟରେ କରାଯାଇଥିଲା। ଏହି ସର୍ବେକ୍ଷଣରେ ଆଦିବାସୀ ପରିବାର (୬୫%), ଦଳିତ ପରିବାର (୧୩%), ପଛୁଆ ଜାତିର ପରିବାର (୨୧%) ଏବଂ ସାଧାରଣ ବର୍ଗର ପରିବାର (୧%) ସାମିଲ ଥିଲେ।
ସର୍ବେକ୍ଷଣର ଅଂଶବିଶେଷ ଭାବେ ୬୩ ଗୋଟି ଗ୍ରାମର ୨୭୨ ପରିବାରରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ସେହି ପରିବାରଗୁଡ଼ିକରୁ ତଥ୍ୟ ସଂଗ୍ରହ କରାଯାଇଥିଲା, ଯେଉଁମାନଙ୍କୁ ପରିବାରର କିଛି ସଦସ୍ୟ କିମ୍ବା ସମ୍ପୂର୍ଣ୍ଣ ପରିବାରକୁ ୨୦୧୯ ମସିହା ସେପ୍ଟେମ୍ବର ଓ ଅକ୍ଟୋବର ମାସର ଚାଉଳ ଉଠାଇବାକୁ ମନା କରାଯାଇଥିଲା, କାରଣ ସେମାନଙ୍କର ରାଶନ କାର୍ଡ ସହ ଆଧାର ସଂଯୋଗୀକରଣ ହୋଇ ନ ଥିଲା। ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ମୋଟ ୨୭୨ ପରିବାରର ୧୨୭୧ ସଦସ୍ୟଙ୍କ ମଧ୍ୟରୁ ୪୩୫ ଜଣଙ୍କର ଆଧାର ସଂଯୋଗୀକରଣ ହୋଇ ନ ଥିଲା, ଯାହାକି ସର୍ବେକ୍ଷଣର ସମୁଦାୟ ହିତାଧିକାରୀର ପ୍ରାୟ ଏକ ତୃତୀୟାଂଶ।
ଯେଉଁ ୪୩୫ ଜଣଙ୍କର ଆଧାର ସଂଯୋଗ ହୋଇନାହିଁ ସେଥିମଧ୍ୟରୁ ପ୍ରାୟ ୩୫ପ୍ରତିଶତ ହିତାଧିକାରୀ ହେଉଛନ୍ତି ୧୦ବର୍ଷ ବୟସରୁ କମ୍‌ ବୟସର ଶିଶୁ। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଲକ୍ଷୀନାଥ, ବୟସ ୧୧ ଏବଂ ଦିବାକର, ବୟସ ୮। ଉଭୟ କୋଷାଗୁମୁଡ଼ା ବ୍ଲକ୍‌ର ଆତିଗଁା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆତିଗଁା ଗ୍ରାମର କୌଶଲ୍ୟା ବାତ୍ରାଙ୍କ ସନ୍ତାନ। କୌଶଲ୍ୟା ତାଙ୍କର ଉଭୟ ପିଲାଙ୍କର ଆଧାର କାର୍ଡ ଗ୍ରାମପଞ୍ଚାୟତରେ ଦାଖଲ କରିଛନ୍ତି, ମାତ୍ର ତାହା ରାଶନ କାର୍ଡ ସହ ସଂଯୋଗ ହୋଇନାହିଁ। ତେଣୁ ଦୁଇ ସନ୍ତାନଙ୍କର ହକ୍‌ ମାସିକ ୧୦କିଗ୍ରା ରାଶନ ହିସାବରେ ଦୁଇ ମାସର ୨୦ କିଗ୍ରା ରାଶନ ଦିଆଯାଇନାହିଁ। ଏହା କେବଳ ଖାଦ୍ୟ ଶସ୍ୟର ପ୍ରସଙ୍ଗ ନୁହେଁ ବରଂ ଶିଶୁ ଖାଦ୍ୟ ସୁରକ୍ଷାର ଉଲ୍ଲଂଘନ।
ଯେଉଁ ୪୩୫ ଜଣଙ୍କର ଆଧାର ସଂଯୋଗ ହୋଇନାହିଁ, ସେମାନଙ୍କ ମଧ୍ୟରୁ ୧୮୫ (୪୩%) ଜଣଙ୍କର ଆଧାର ନମ୍ବର ନାହିଁ। ତେଣୁ ସେମାନେ ରାଶନ କାର୍ଡ ସହ ସଂଯୋଗ କରିବାକୁ ଅକ୍ଷମ। ସର୍ବେକ୍ଷଣ ସମୟରେ ୨୨୮ଜଣ (୫୩%) କହିଥିଲେ ଯେ ସେମାନଙ୍କର ଆଧାର ନମ୍ବର ଅଛି, ମାତ୍ର ସଂଯୋଗ ହୋଇ ନ ଥିବାରୁ ସେମାନଙ୍କୁ ଖାଦ୍ୟଶସ୍ୟ ଉଠାଇବାକୁ ମନା କରାଯାଇଛି। ଅତି ଦୁଃସ୍ଥ ଅବସ୍ଥାରେ ଥିବା ବ୍ୟକ୍ତିବିଶେଷ ଏଥିରେ ଅଛନ୍ତି। ଯେପରି କି ଉଅଁାସୀ ମାଝି- ଜଣେ ବୟୋବୃଦ୍ଧା ଓ ଚାଲିବା ପାଇଁ ଅକ୍ଷମ, ଡମଣୀ ଶବର- ତାଙ୍କର ଡାହାଣ ହାତର ଏକ ଅଙ୍ଗୁଳି ନାହିଁ।
ଅବସୋସର ବିଷୟ ଯେ, ପ୍ରଶାସନିକ ସ୍ଥାଣୁତା ପାଇଁ ଗରିବ ଲୋକ ଦଣ୍ଡ ଭୋଗୁଛନ୍ତି। ଉଦାହରଣ ସ୍ବରୂପ, ୭୨ ଜଣ (୧୭%) ବ୍ୟକ୍ତି ସେମାନଙ୍କର ଆଧାର କାର୍ଡ ଗ୍ରାମପଞ୍ଚାୟତରେ ଦାଖଲ କରିଛନ୍ତି, ୧୭ ଜଣ (୪%) ବ୍ୟକ୍ତି କହିଛନ୍ତି ଯେ ସେମାନଙ୍କର ଆଧାର ନମ୍ବର ରାଶନ କାର୍ଡରେ ଉଲ୍ଲେଖ ରହିଛି, ତଥାପି ସେମାନଙ୍କୁ ଆଧାର ସଂଯୋଗ ହୋଇନାହିଁ ବୋଲି କହି ଖାଦ୍ୟଶସ୍ୟ ଉଠାଇବାକୁ ମନା କରାଯାଇଛି। ଅନ୍ୟ ୨୩ ଜଣ (୫.୩%) ବ୍ୟକ୍ତି କହିଛନ୍ତି ଯେ ଆଧାର କାର୍ଡ ତଥ୍ୟ ସହ ରାଶନ କାର୍ଡ ତଥ୍ୟ ଯଥା ନାମ, ଗ୍ରାମ ମେଳ ଖାଉ ନ ଥିବାରୁ ଆଧାର ସଂଯୋଗ ହୋଇପାରୁ ନାହିଁ। ଠିକ୍‌ ସେହିଭଳି ଚଇତି ଭତ୍ରାର ୧୩ବର୍ଷର ଝିଅ ମଟାଇ ଭତ୍ରାଙ୍କୁ ଖାଦ୍ୟଶସ୍ୟ ଉଠାଇବାକୁ ମନା କରାଯାଇଛି। କାରଣ ତାଙ୍କର ମା’ଙ୍କ ନାମ ଆଧାର କାର୍ଡ ଓ ରାଶନ କାର୍ଡରେ ମେଳ ଖାଉନାହିଁ। କେବଳ ୧୭ ଜଣ ବ୍ୟକ୍ତି (୩.୫%)ଙ୍କର ରାଶନ କାର୍ଡରୁ ନାମ କଟିବା ଯଥାର୍ଥ ଦେଖାଯାଇଛି। ଏହି ୧୭ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୦ଜଣ ମରିଯାଇଛନ୍ତି ଏବଂ ଅବଶିଷ୍ଟ ୭ଜଣ ଯୁବତୀ ବିବାହ କରି ଅନ୍ୟତ୍ର ଚାଲିଯାଇଛନ୍ତି। ତେଣୁ ସରକାର ଆଧାର ସଂଯୋଗ ଉପରେ ଜୋର୍‌ ଦେବା ପରିବର୍ତ୍ତେ ପିଡିଏସ୍‌ ଡାଟାବେସ୍‌କୁ କିପରି ଗତିଶୀଳ କରାଯାଇପାରିବ ସେହି ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
ରାଶନ କାର୍ଡ ସହ ଆଧାରର ବାଧ୍ୟତାମୂଳକ ସଂଯୋଗୀକରଣ କିପରି ଏକ ତୃତୀୟାଂଶ ହିତାଧିକାରୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛି, ତାହା ନବରଙ୍ଗପୁର ସର୍ବେକ୍ଷଣରୁ ପ୍ରତିପାଦିତ ହେଉଛି। ଏତେ ବ୍ୟାପକ ପରିମାଣରେ ହିତାଧିକାରୀ ବଞ୍ଚିତ ହେବାର କାରଣ ସମ୍ଭବତଃ ଜିଲାର ଦୁର୍ଗମତା ହୋଇଥାଇପାରେ। ତେବେ ସେ ଯାହାହେଉ, ରାଜ୍ୟ ସରକାର ଏହାର ଟିକିନିଖି ବିବରଣୀ ପ୍ରକାଶ କରିବାର ଆବଶ୍ୟକତା ରହିଛି। ଯେଉଁମାନଙ୍କର ନାମ ରାଶନ କାର୍ଡରୁ କଟିଯାଇଛି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା କଥା। ସେମାନଙ୍କୁ ପଚରାଯିବା କଥା ଯେ କାହିଁକି ସେମାନଙ୍କର ନାମ ରାଶନ କାର୍ଡରୁ କଟାଯିବ ନାହିଁ ବୋଲି? ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଦାୟିତ୍ୱ ହେଉଛି ଆଧାର ସଂଯୋଗ ହୋଇ ନ ଥିବାରୁ ଯେଉଁମାନଙ୍କୁ ଖାଦ୍ୟଶସ୍ୟ ଉଠାଇବା ପାଇଁ ମନା କରାଯାଇଛି, ସେମାନଙ୍କର ନାମ ତାଲିକା ୱେବ୍‌ସାଇଟ୍‌ରେ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଗ୍ରାମପଞ୍ଚାୟତ ଓ ସୁଲଭ ମୂଲ୍ୟ ରାଶନ ଦୋକାନରେ ପ୍ରଦର୍ଶିତ କରିବା।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ଖାଦ୍ୟଶସ୍ୟ ପାଇବା ଏକ ମୌଳିକ ଅଧିକାର। ପ୍ରଯୁକ୍ତି କାରଣ ଯେପରି କି ଆଧାର ସଂଯୋଗୀକରଣ ହୋଇ ନ ପାରିବା ଭଳି ଘଟଣାରେ ସେମାନଙ୍କୁ ଖାଦ୍ୟଶସ୍ୟ ଉଠାଇବାକୁ ମନା କରିବା ଆଇନରେ ଥିବା ମୌଳିକ ବିଷୟର ପରିପନ୍ଥୀ। ତେଣୁ ଯେଉଁମାନଙ୍କୁ ଗତ ଦୁଇମାସର ଖାଦ୍ୟଶସ୍ୟ ଦିଆଯାଇନାହିଁ, ସେମାନଙ୍କୁ ତୁରନ୍ତ ତାହା ପ୍ରଦାନ କରାଯିବା ଉଚିତ।
ଉଚ୍ଚତମ ନ୍ୟାୟାଳୟ ନିଜର ଏକ ରାୟରେ କହିଛନ୍ତି ଯେ ଆଧାର ଅଭାବ ହେତୁ କୌଣସି ହିତାଧିକାରୀଙ୍କୁ ସେମାନଙ୍କ ହକ୍‌ରୁ ବଞ୍ଚିତ କରାଯାଇ ପାରିବ ନାହିଁ। ଯେଉଁ ହିତାଧିକାରୀମାନଙ୍କ ଆଧାର ସଂଯୋଗ ହୋଇପାରି ନାହିଁ, ସେମାନଙ୍କୁ ଖାଦ୍ୟଶସ୍ୟ ଉଠାଇବାକୁ ମନାକରିବା ପ୍ରସଙ୍ଗରୁ ରାଜ୍ୟ ସରକାର ନିବୃତ୍ତ ରହିବା କଥା। ରାଜ୍ୟ ସରକାର ମନେରଖିବା ଉଚିତ ଯେ, ପଡ଼ୋଶୀ ରାଜ୍ୟ ଝାଡଖଣ୍ଡରେ ବାଧ୍ୟତାମୂଳକ ଆଧାର ସଂଯୋଗୀକରଣ ପରିପ୍ରେକ୍ଷୀରେ କିପରି ସନ୍ତୋଷୀ କୁମାରୀଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି।
ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ, sameet1983@gmail.com, rebelvipul@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?