ଗଣ ପରିବହନ

ଡ. ସୁବାସ ଚନ୍ଦ୍ର ପାତ୍ର
ବିଗତ ୧୫/୨୦ ବର୍ଷ ଭିତରେ ଭାରତ ବିଶେଷକରି ଓଡ଼ିଶାର ଲୋକମାନଙ୍କ ପରିବହନ ଶୈଳୀ ନିରୀକ୍ଷଣ କଲେ ତା’ ଭିତରେ ହାଲୁକା ପୁଞ୍ଜିବାଦର ଛାପ ଦେଖିବାକୁ ମିଳେ। ଉଦାରୀକରଣ ପରେ ମଧ୍ୟବିତ୍ତଙ୍କ ଆର୍ଥିକ ସ୍ବଚ୍ଛଳତା ବଢ଼ିଛି। ତେଣୁ ଯେଉଁମାନେ ସାଇକେଲ ଚଢୁଥିଲେ, ସେମାନେ ବାଇକ ଚଢ଼ିଲେ। ଯେଉଁମାନେ ବାଇକ ଚଢୁଥିଲେ ସେମାନଙ୍କ ମଧ୍ୟରୁ କିଛି କାର୍‌ ଚଢ଼ିଲେ। ବ୍ୟକ୍ତିଗତ ଗାଡ଼ିରେ ଯିବା ସ୍ବାଭିମାନ ଓ ସାମାଜିକ ପରିଚୟର ପ୍ରଶ୍ନ ହେଲା। ବ୍ୟକ୍ତିର ମାନସିକ, ଆର୍ଥିକ ସ୍ତରରେ ଏହି ପ୍ରକାର ପରିବର୍ତ୍ତନ ଘଟୁଥିଲା ବେଳେ ସରକାର ତାଙ୍କ ଦାୟିତ୍ୱରୁ ଓହରିଗଲେ ଅର୍ଥାତ୍‌ ସରକାର ଗଣପରିବହନ କ୍ଷେତ୍ର ବିଶେଷତଃ ବସ୍‌ରେ ଯାତ୍ରୀ ପରିବହନ ବ୍ୟବସ୍ଥାରୁ ଅଦୃଶ୍ୟ ହୋଇଗଲେ।
ଏବେ ସମସ୍ତେ ପରିବେଶ ସଂରକ୍ଷଣ ପାଇଁ ଚିନ୍ତିତ। ବାୟୁମଣ୍ଡଳରେ ଧୂଆଁ, ଧୂଳିର ମାତ୍ରା ବଢ଼ିବା ନେଇ ରାତିଦିନ ବ୍ୟଗ୍ରତା ପ୍ରକାଶ କରାଯାଉଛି। ପେଟ୍ରୋଲିୟମ୍‌ ଆମଦାନୀ ବିଲ୍‌ ଦିନକୁ ଦିନ ବଢୁଛି। ଦିଲ୍ଲୀରେ ଯୁଗ୍ମ, ଅଯୁଗ୍ମ ଗାଡ଼ି ନମ୍ବର ନେଇ ବେଶ୍‌ ଖେଳକସରତ ଚାଲିଛି କିନ୍ତୁ ନା କେନ୍ଦ୍ରୀୟସ୍ତରରେ ନା ପ୍ରାଦେଶିକସ୍ତରରେ ଗଣପରିବହନ ବା ପରିବେଶମୂଳକ ପରିବହନ ପାଇଁ କୌଣସି ନିଷ୍ଠାପର ଉଦ୍ୟମ କରାଯାଉଛି।
ସିଙ୍ଗାପୁରରେ ବାହାର ଖାଦ୍ୟର ମାନ, ଗୁଣାତ୍ମକତା ଓ ବିବିଧତା ଯୋଗୁ ଲୋକେ ଘର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟ ଅଧିକ ପସନ୍ଦ କରୁଥିଲା ଭଳି ଏପିରି କି ଅନେକ ଘର ନକ୍ସାରୁ ରୋଷେଇ ବଖରାଟିଏ ଅନ୍ତର୍ହିତ ହୋଇଯାଇଥିଲା ଭଳି ଆମକୁ ଗଣପରିବହନ ବ୍ୟବସ୍ଥାକୁ ଏପରି ଆକର୍ଷଣୀୟ କରିବାକୁ ହେବ ଯେ ଅଧିକରୁ ଅଧିକ ଲୋକ ନିଜର ବ୍ୟକ୍ତିଗତ ପରିବହନ ବ୍ୟବସ୍ଥା ଛାଡ଼ି ବସ୍‌, ଟ୍ରେନ ବା ଯନ୍ତ୍ରଚାଳିତ ବୋଟରେ ଯିବାକୁ ଅଧିକ ପସନ୍ଦ କରିବେ। ପ୍ରଥମ ପଦକ୍ଷେପ ସ୍ବରୂପ ରାସ୍ତାଗୁଡ଼ିକ ଯଥାସମ୍ଭବ ସିଧାସଳଖ କରିବାକୁ ପଡ଼ିବ, ଯାହା ବିକଶିତ ଦେଶରେ ଦେଖାଯାଏ। ଖାଲଖମାପୂର୍ଣ୍ଣ ଅଙ୍କାବଙ୍କା ରାସ୍ତାରେ ଯାତ୍ରା ଖାଲି ବିପଦପୂର୍ଣ୍ଣ ନୁହେଁ, ଏହା ଅଧିକ ସମୟସାପେକ୍ଷ। ତା’ ଛଡ଼ା ପରିବେଶ ଦୃଷ୍ଟିରୁ ଅହିତକର, କାରଣ ବାରମ୍ବାର ଗାଡ଼ିର ଗତି ପରିବର୍ତ୍ତନ ସହ ଅଧିକ ଧୂଆଁ ନିର୍ଗମନ ହୋଇଥାଏ। ବିଦେଶରେ ଜଣେ ଗାଡ଼ିଚାଳକ ସିଧାସଳଖ ତଥା ଉଚ୍ଚମାନର ରାସ୍ତା ଯୋଗୁ ଦିନକୁ ଯେତିକି ସମୟ ଗାଡ଼ି ଚଳାଇ ଯେତିକି ଦୂର ଅତିକ୍ରମ କରେ ଭାରତବର୍ଷରେ ଗାଡ଼ିଚାଳକମାନେ ସେତିକି ସମୟ ଗାଡ଼ି ଚଳାଇ ପାରନ୍ତି ନାହିଁ କି ସେତିକି ଦୂର ଅତିକ୍ରମ କରିପାରନ୍ତି ନାହିଁ। ଏଥିଯୋଗୁ ଖାଲି ପରିବେଶ ଅଧିକ ପ୍ରଦୂଷିତ ହୁଏ ତା’ ନୁହେଁ, ଅଧିକ ‘ମାନବ ସମୟ’ (ମ୍ୟାନ୍‌ ଆୱାର) ଏବଂ ଅଧିକ ମାନବ ସମ୍ବଳ କ୍ଷୟହୁଏ।
ଗଣପରିବହନକୁ ଉତ୍ସାହିତ କରିବାକୁ ହେଲେ ରାସ୍ତାର ଉନ୍ନତି ସହିତ କମ୍‌ ସମୟ ଭିତରେ, କମ୍‌ ଖର୍ଚ୍ଚରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ହେବ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି କରିବାକୁ ପଡ଼ିବ। ଯଦି ସମୟ, ଅର୍ଥ ସହିତ ପରିବହନକାରୀ ଯାନର ଗୁଣବତ୍ତା ଉତ୍ତମ ରହେ ଲୋକେ ଆପଣାଛାଏଁ ସାଧାରଣ ପରିବହନ ପ୍ରତି ଆକୃଷ୍ଟ ହେବେ। ଯେହେତୁ ଆମ ସମାଜରେ ଯେତେ ଯାହା କଲେ ବି ବିଭିନ୍ନ ଦୃଷ୍ଟିରୁ ବର୍ଗୀକରଣ ରହୁଛି, ପରିବହନ ପାଇଁ ଉଦ୍ଦିଷ୍ଟ ଯାନର ବର୍ଗୀକରଣ କରାଯାଇ ଉଚ୍ଚ ମଧ୍ୟବିତ୍ତ ଲୋକଙ୍କୁ ଏ ବ୍ୟବସ୍ଥା ପ୍ରତି ଆକର୍ଷିତ କରାଯାଇପାରେ।
ସହରୀ ପରିବହନକୁ ଅଧିକ ସମୟାନୁବର୍ତ୍ତୀ, ଅଧିକ ବାଧାମୁକ୍ତ କରିବା ପାଇଁ ବେଶି ଫ୍ଲାଇଓଭର ନିର୍ମାଣ କରିବାକୁ ପଡ଼ିବ ଏବଂ ‘ମୋ ବସ୍‌’ରେ ଯେପରି ସରକାରଙ୍କ ତରଫରୁ ଖବରକାଗଜ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି, ତା’ ନ ହେଲେ ବି ମୋବାଇଲ ଚାର୍ଜ ପଏଣ୍ଟ, ୱାଇଫାଇ, ସଙ୍ଗୀତ ଓ ଦୂରଗାମୀ ବସରେ ଶୌଚାଳୟର ବ୍ୟବସ୍ଥା କରାଯାଇପାରେ। ଫଳରେ ଜନସାଧାରଣରେ ପ୍ରତୀୟମାନ ହେବ ଯେ ବ୍ୟକ୍ତିଗତ ବା ଘରୋଇ ପରିବହନ ଅପେକ୍ଷା ଗଣପରିବହନ ଅଧିକ ଉତ୍ତମ ବିକଳ୍ପ। ରେଳ ଷ୍ଟେଶନରେ ଏକ ନିର୍ଦ୍ଦିଷ୍ଟ ସମୟରେ ଗାଡ଼ି ପହଞ୍ଚିବା ଓ ଛାଡ଼ିବା ପରି ଷ୍ଟପେଜଗୁଡ଼ିକରେ ଯଦି ସେପରି ଏକ ସୁସଂହତ ବ୍ୟବସ୍ଥା କରାଯାଇପାରନ୍ତା ଲୋକେ ସମୟାନୁବର୍ତ୍ତିତାକୁ ଏକ ଅଧିକାର ହିସାବରେ ସାବ୍ୟସ୍ତ କରନ୍ତେ ଏବଂ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନେଇ ଲୋକେ ଆଶଙ୍କାରେ ରହନ୍ତେ ନାହିଁ।
ଯେହେତୁ ଗଣପରିବହନ ଏକ ପରିବେଶ ଉପଯୋଗୀ କାର୍ଯ୍ୟ, ଏଥିରେ ସରକାରଙ୍କୁ ଆବଶ୍ୟକତାଠୁ ଅଧିକ ସକ୍ରିୟ ହେବାକୁ ପଡ଼ିବ। କାରଣ ଘରୋଇ କମ୍ପାନୀ ବିନା ଲାଭରେ କିଛି କରିବେ ନାହିଁ। ଏଥିରେ ଗୋଟିଏ ପ୍ରଦେଶ ବା ଦେଶର ଦୀର୍ଘମିଆଦୀ ମାନବୀୟ ସ୍ବାର୍ଥ ନିହିତ ଥିବାରୁ ଜନସାଧାରଣ ତଥା ରାଷ୍ଟ୍ର ବା ରାଜ୍ୟକୁ ବଞ୍ଚେଇ ରଖିବା ନ୍ୟାୟରେ ସରକାରଙ୍କୁ ପ୍ରଥମ ଅବସ୍ଥାରେ ଏହାକୁ ସାମାଜିକ କଲ୍ୟାଣ ଯୋଜନା ହିସାବରେ ପ୍ରଚଳନ କରିବାକୁ ପଡ଼ିବ।
ଖାଲି ଟ୍ରେନ କି ବସ୍‌ ନୁହେଁ ଜଳ ପରିବହନ ଏକ ପରିବେଶ ଅନୁକୂଳ, ଟ୍ରାଫିକମୁକ୍ତ, ଅଳ୍ପ ବ୍ୟୟସାପେକ୍ଷ, ମନୋରମ ପରିବହନ ବ୍ୟବସ୍ଥା। ଜଳ ପରିବହନ ପ୍ରାକୃତିକ ପରିବେଶରେ ଭ୍ରମଣର ଆନନ୍ଦ ହେଉଥିବାରୁ ଏହାକୁ ସୁସଂହତ କରିପାରିଲେ ଏହା ସମ୍ପୃକ୍ତ ଅଞ୍ଚଳ ପାଇଁ ଜୀବନରେଖା ପାଲଟି ପାରିବ। କେରଳ ଏ ଦିଗରେ ମାର୍ଗଦର୍ଶକ। ଉଭୟ ପର୍ଯ୍ୟଟନ ଓ ଯାତ୍ରୀପରିବହନ କ୍ଷେତ୍ରରେ କେରଳରେ ଭୂପୃଷ୍ଠ ପରିବହନ ଅପେକ୍ଷା ଜଳପରିବହନ ଅଧିକ ଆକର୍ଷଣୀୟ ଓ ଗ୍ରହଣୀୟ ହୋଇପାରିଛି। ଓଡ଼ିଶାର ନଦନଦୀ, କେନାଲ, ଡ୍ୟାମ୍‌କୁ ଏ ଦିଗରେ ବ୍ୟବହାର କରାଯାଇପାରେ। କେନାଲ ଦୃଷ୍ଟିରୁ ଦେଖିଲେ ସବୁଠୁ ବଡ଼ ସୁଯୋଗ ରହିଛି ଅବିଭକ୍ତ ବାଲେଶ୍ୱର ଜିଲାର ଭୋଗରାଇଠୁ ବାସୁଦେବପୁର ନିକଟବର୍ତ୍ତୀ ମନ୍ତେଇ ନଦୀ ପର୍ଯ୍ୟନ୍ତ ପାଖାପାଖି ୯୦ କିମି ଜଳପଥ। ବ୍ରିଟିଶ ଅମଳରେ ତିଆରି ଖଣ୍ଡାପରି ସିଧା ଏହି ଜଳପଥକୁ ବିକଶିତ କରିପାରିଲେ ଏହା ପରିବହନ, ପର୍ଯ୍ୟଟନ, ଜଳସେଚନ, ମତ୍ସ୍ୟଚାଷ କ୍ଷେତ୍ରରେ ବିରାଟ ଭୂମିକା ନିଭେଇ ପାରିବ। ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ସହିତ ଜନସାଧାରଣ ମଧ୍ୟ ଆଗେଇ ଆସିବା ଆବଶ୍ୟକ।
ପୂର୍ବତନ କଲେଜ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?