କୃଷି ଓ ଖାଦ୍ୟ ସୁରକ୍ଷା ପାଇଁ ଏମ୍‌ଏସ୍‌ପି ଜରୁରୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ

କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପାଇଁ ଏକ ସ୍ବତନ୍ତ୍ର ଆଇନର ବ୍ୟବସ୍ଥା ପାଇଁ ଦାବି କରୁଛନ୍ତି। ବର୍ତ୍ତମାନ ଏମ୍‌ଏସ୍‌ପି ସରକାରଙ୍କ ଏକ ଇଚ୍ଛାଧୀନ ବିଷୟ ଥିବାବେଳେ ତାକୁ ଆଇନ ଜରିଆରେ ବାଧ୍ୟତାମୂଳକ କରି ସମସ୍ତ ଫସଲର ଏମ୍‌ଏସ୍‌ପିକୁ ନିଶ୍ଚିତ କରିବାକୁ ଚାଷୀମାନେ ମଧ୍ୟ ଦାବି ଉଠାଇଛନ୍ତି। ବିଶେଷକରି ମଣ୍ଡି ଓ ଏମ୍‌ଏସ୍‌ପି ବନ୍ଦ ହେବାର ସ୍ପଷ୍ଟ ଆଶଙ୍କା ରହିଥିବାରୁ ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦାବିରେ ଚାଷୀମାନେ ଅଧିକ ମୁଖର ହେବା ଦେଖାଯାଇଛି।
ସତୁରି ଦଶକରେ ଦେଶର ଖାଦ୍ୟ ସଙ୍କଟର ସମାଧାନ ଓ କୃଷିର ବିକାଶ ନାଁରେ ସରକାର ମୁଖ୍ୟତଃ ପଞ୍ଜାବ ଓ ହରିୟାଣାରେ ସବୁଜ ବିପ୍ଳବ ଆରମ୍ଭ କରିଥିଲେ। ରିହାତି ଦରରେ ଅଧିକ ଅମଳକ୍ଷମ ବିହନ, ରାସାୟନିକ ସାର, କୀଟନାଶକ ଯୋଗାଇବା ସହ ବଜାରରେ ଖାଦ୍ୟଶସ୍ୟର ଦରହ୍ରାସରୁ ଚାଷୀକୁ ସୁରକ୍ଷା ଦେବା ପାଇଁ ସରକାର ଏପିଏମ୍‌ସି ଆଇନ ତିଆରି କରି ମଣ୍ଡି ସ୍ଥାପନ କରିଥିଲେ। ବିଭିନ୍ନ ଫସଲର ଏମ୍‌ଏସ୍‌ପି ଘୋଷଣା କରି ସରକାରୀ ସଂଗ୍ରହ ପ୍ରକ୍ରିୟାଟି ଆରମ୍ଭ କରିଥିଲେ। ପ୍ରଥମେ ପଞ୍ଜାବ ଓ ହରିୟାଣାରେ ଧାନ ଏବଂ ଗହମରୁ ଆରମ୍ଭ ହୋଇଥିବା ଏହି ସରକାରୀ ସଂଗ୍ରହ ଓ ଏମ୍‌ଏସ୍‌ପି ବ୍ୟବସ୍ଥାଟି ପରେ ସାରା ଦେଶରେ ମୋଟ ୨୩ଟି ଫସଲ ପାଇଁ ଲାଗୁ ହୋଇଥିଲା।
କେନ୍ଦ୍ର ସରକାରଙ୍କ କୃଷି ବିଭାଗ ଦ୍ୱାରା ଗଠିତ କମିଶନ୍‌ ଫର୍‌ ଏଗ୍ରିକଲଚର୍‌ କଷ୍ଟ୍‌ ଏଣ୍ଡ୍‌ ପ୍ରାଇସ୍‌ (ସିଏସିପି)ର ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ପ୍ରତିବର୍ଷ ଖରିଫ୍‌ ଓ ରବି ଋତୁ ପୂର୍ବରୁ ଦୁଇଥର ଏମ୍‌ଏସ୍‌ପି ଘୋଷଣା କରୁଛନ୍ତି। ଫସଲର ଉପତ୍ାଦନ ଖର୍ଚ୍ଚକୁ ହିସାବ କରି ତା’ ସହିତ ୫୦% ଲାଭକୁ ଯୋଡ଼ି ଏମ୍‌ଏସ୍‌ପି ଧାର୍ଯ୍ୟ କରାଯାଇଥାଏ। ସାଧାରଣତଃ ଫସଲର ଉପତ୍ାଦନ ଖର୍ଚ୍ଚକୁ ଆକଳନ କରି ତାହାରି ଆଧାରରେ ଏମ୍‌ଏସ୍‌ପି ଧାର୍ଯ୍ୟ କରିବାର ତିନୋଟି ପଦ୍ଧତି ବା ଫର୍ମୁଲା ରହିଛି। ପ୍ରଥମଟି ହେଉଛି ଏ୨ ଅର୍ଥାତ୍‌ ଫସଲ ପାଇଁ ଆବଶ୍ୟକୀୟ ବିହନ, ସାର, କୀଟନାଶକ, ମୂଲିଆଙ୍କ ମଜୁରି ଓ ଜଳସେଚନ ପରି ଆନୁଷଙ୍ଗିକ ସମସ୍ତ ଖର୍ଚ୍ଚ ବା ଲଗୁତି ବାବଦରେ ହେଉଥିବା ସମସ୍ତ ବ୍ୟୟ(ଏ୨) ଉପରେ ୫୦% ଲାଭ ବା (ଏ୨ + ୫୦%)। ଦ୍ୱିତୀୟଟି ହେଉଛି (ଏ୨+ଏଫ୍‌ଏଲ୍‌) ଅର୍ଥାତ୍‌ ଫସଲର ଲଗୁତି ସହିତ କୃଷିରେ ନିୟୋଜିତ ଚାଷୀଙ୍କ ପରିବାର ସଦସ୍ୟମାନଙ୍କ ଶ୍ରମର ମୂଲ୍ୟ(ଏଫ୍‌ଏଲ୍‌)କୁ ମିଶାଇ, ଯାହାକୁ ଏ୨+ଏଫ୍‌ଏଲ୍‌ କୁହାଯାଏ, ତା’ଉପରେ ୫୦% ଲାଭ ଅର୍ଥାତ୍‌ (ଏ୨+ ଏଫ୍‌ଏଲ୍‌+୫୦%)। ତୃତୀୟଟି ହେଲା, ଏ୨ + ଏଫ୍‌ଏଲ୍‌ ସହିତ ଜମିର ଭଡ଼ା (ଖଜଣା କିମ୍ବା ଭାଗଚାଷ ବାବଦରେ ଦେୟ) ଏବଂ କୃଷି ପାଇଁ ନିଆଯାଇଥିବା ଋଣର ସୁଧକୁ ମିଶାଇ ବ୍ୟୟ; ଯାହାକୁ ସି୨ କୁହାଯାଏ, ତା’ ଉପରେ ୫୦% ଅର୍ଥାତ୍‌ ସି୨+୫୦%।
ଉପରୋକ୍ତ ତିନୋଟି ପଦ୍ଧତି ମଧ୍ୟରୁ ସି୨+ ୫୦%କୁ ହିଁ ଏମ୍‌.ଏସ୍‌.ସ୍ବାମୀନାଥନ୍‌ କମିଶନ ତାଙ୍କ ରିପୋର୍ଟରେ ସବୁଠାରୁ ଉପଯୁକ୍ତ ବୋଲି କହିବା ସହିତ ତା’ ଆଧାରରେ ହିଁ ଫସଲର ଏମ୍‌ଏସ୍‌ପି ଘୋଷଣା କରିବାକୁ କହିଛନ୍ତି। ଏପରି କି ଖୋଦ୍‌ ସିଏସିପି ଓ ନଅଟି ରାଜ୍ୟ ସରକାର ମଧ୍ୟ ଏହି ଫର୍ମୁଲାରେ ହିଁ ଏମ୍‌ଏସ୍‌ପି ଧାର୍ଯ୍ୟ କରିବାକୁ ଅତୀତରେ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। କିନ୍ତୁ ଏଯାଏ ସବୁ ସରକାର ଏ୨ + ଏଫ୍‌ଏଲ୍‌ ହିସାବରେ ହିଁ ଏମ୍‌ଏସ୍‌ପି ଘୋଷଣା କରି ଆସିଛନ୍ତି; ଯାହା କି ଦେଶର ଚାଷୀକୁଳଙ୍କ ପ୍ରତି ପ୍ରତାରଣା ବୋଲି କୁହାଯାଇପାରେ। କିଛିବର୍ଷ ତଳେ ଅନ୍ତର୍ଜାତୀୟ ସଂସ୍ଥା, ଓ.ଇ.ସି.ଡି ତା’ରିପୋର୍ଟରେ କହିଥିଲା ଯେ, ଯଦି ଭାରତ ସରକାର ଆରମ୍ଭରୁ ହିଁ ସି୨ + ୫୦% ହିସାବରେ କୃଷିଜାତ ଦ୍ରବ୍ୟର ଏମ୍‌ଏସ୍‌ପି ପ୍ରଦାନ କରିଥାନ୍ତେ, ତା’ହେଲେ ସରକାରଙ୍କୁ କୃଷକମାନଙ୍କୁ ଏଯାଏ ଅଧିକ ୪୫ ଲକ୍ଷ କୋଟି ଟଙ୍କା ଦେବାକୁ ପଡ଼ିଥାନ୍ତା।
ଭୟଙ୍କର କୃଷି ସଙ୍କଟ ଓ ଅଭାବୀ ବିକ୍ରିର ସାମ୍‌ନା କରୁଥିବା ଚାଷୀମାନେ ନିଜର ଉପତ୍ାଦର ସର୍ବନିମ୍ନ ସହାୟକ ଦର ପାଇବାର ନିଶ୍ଚିତ ବ୍ୟବସ୍ଥା କରିବାକୁ ଅତୀତରେ ବାରମ୍ବାର ଦାବି କରି ଆସିଛନ୍ତି। ଏପରି କି ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଏମ୍‌ଏସ୍‌ପି ପାଇଁ ଆଇନ କରିବାକୁ ତତ୍କାଳୀନ ଉପା ସରକାର ପାଖରେ ଦାବି କରିଥିଲେ। ଅତଏବ ଏମ୍‌ଏସ୍‌ପି ପାଇଁ ଆଇନ ତିଆରି କରିବାକୁ ଚାଷୀମାନଙ୍କ ଦାବିଟି ଆଦୌ ନୂଆ ନୁହେଁ। ବରଂ ଆଜି ଯେତେବେଳେ କୃଷି ଆଇନ ଜରିଆରେ ସରକାର ଘରୋଇ କମ୍ପାନୀଙ୍କୁ ପ୍ରୋତ୍ସାହନ ଦେଇ ସରକାରୀ ମଣ୍ଡି ଓ ଏମ୍‌ଏସ୍‌ପି ବ୍ୟବସ୍ଥାକୁ ସମାପ୍ତ କରିବାକୁ ବସିଛନ୍ତି, ସେତେବେଳେ ଏହି ଦାବିଟି ଜୋରଦାର ହୋଇଛି।
ସରକାର ଯେତେ ପ୍ରଚାର କଲେ ବି ଗୋଟି କଥା ସତ ଯେ ଖୋଲାବଜାରରେ ଚାଷୀକୁ ଉପତ୍ାଦର ଭଲ ଦର କଦାପି ମିଳେନାହିଁ। ମଣ୍ଡି ବାହାରେ ହେଉଥିବା କିଣାବିକାରେ ଚାଷୀକୁ ଲାଭଜନକ ଦର ମିଳିବା ଦୂରର କଥା, ଏମ୍‌ଏସ୍‌ପି ବି ମିଳିବା କେଉଁଠି ଦେଖାଯାଇନି। ବରଂ ବର୍ତ୍ତମାନ ଏକ ବିକଳ୍ପ ଭାବେ ସରକାରୀ ମଣ୍ଡି ବ୍ୟବସ୍ଥା ଏବଂ ଏମ୍‌ଏସ୍‌ପି ଥିବାରୁ ମଣ୍ଡି ବାହାରେ ବଜାରରେ ବି ଚାଷୀର କିଛି ମାତ୍ରାରେ ମୂଲଚାଲ କ୍ଷମତା ରହୁଛି। ଯଦି ସରକାରୀ କ୍ରୟ ବ୍ୟବସ୍ଥା ନ ଥାନ୍ତା, ତା’ହେଲେ ମଣ୍ଡି ବାହାରେ ଚାଷୀ ଆଜି ଯେତିକି ବି ଦର ପାଉଛନ୍ତି, ତାହା ପାଇପାରି ନ ଥାନ୍ତେ। ଓଡ଼ିଶାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ମିଲେ୍‌ଟ ମିଶନ୍‌ ଆରମ୍ଭ କରି ମଣ୍ଡିରେ ତାକୁ ସଂଗ୍ରହ କରିବା ପରେ ମାଣ୍ଡିଆ ଚାଷୀମାନେ ଅପେକ୍ଷାକୃତ ଭଲ ଦର ପାଉଛନ୍ତି। ପୂର୍ବରୁ ମାଣ୍ଡିଆ କିଲୋ ପିଛା ଦର ୧୦-୧୨ ଟଙ୍କା ଥିବା ବେଳେ ବର୍ତ୍ତମାନ ସରକାରୀ ମଣ୍ଡିରେ ଚାଷୀ କିଲୋ ପିଛା ୩୦ ଟଙ୍କା ପାଉଛନ୍ତି।
ଭାଜପା ୨୦୧୪ ସାଧାରଣ ନିର୍ବାଚନ ଇସ୍ତାହାରରେ ସ୍ବାମୀନାଥନ୍‌ କମିଶନଙ୍କ ସୁପାରିସ ପ୍ରକାରେ ସି୨+୫୦% ହିସାବରେ ଏମ୍‌ଏସ୍‌ପି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହା ପରିବର୍ତ୍ତେ ଏ୨+୫୦%ର ଆଧାରରେ ହିଁ ଏମ୍‌ଏସ୍‌ପି ଦେଇ ଆସିଛନ୍ତି। ଗତ ଛଅ ବର୍ଷ ମଧ୍ୟରେ ବିଭିନ୍ନ ଫସଲର ଏମ୍‌ଏସ୍‌ପିରେ ବାର୍ଷିକ ବୃଦ୍ଧିର ହାର ମାତ୍ର ୩-୫% ରହିଛି; ଯାହା କି ଫସଲର ଉପତ୍ାଦନ ଖର୍ଚ୍ଚରେ ବୃଦ୍ଧିର ହାର,ଏପରି କି ବଜାରରେ ଦରଦାମ୍‌ର ବୃଦ୍ଧିହାର ବା ମୁଦ୍ରାସ୍ଫୀତିଠାରୁ ବି କମ୍‌ ରହିଛି।
ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଏମ୍‌ଏସ୍‌ପି ବନ୍ଦ ହେବନି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଥିଲେ ବି ସରକାରଙ୍କ ନୀତି ଓ କାର୍ଯ୍ୟ ଭିନ୍ନ କଥା କହୁଛି। ପୂର୍ବରୁ ସରକାରଙ୍କ ଦ୍ୱାରା ନିୟୋଜିତ ବିଭିନ୍ନ କମିଟି ବି ଏମ୍‌ଏସ୍‌ପି ବ୍ୟବସ୍ଥାର ସମାପ୍ତି ପାଇଁ ସୁପାରିସ କରି ଆସିଛନ୍ତି। ଏପରି କି ସରକାର ଯେଉଁ ନୂଆ ଏପିଏମ୍‌ସି ଆଇନ ଆଣିଛନ୍ତି, ସେଥିରେ ଏମ୍‌ଏସ୍‌ପିର ଆଦୌ ଉଲ୍ଲେଖ ହିଁ ନାହିଁ। ଘରୋଇ କମ୍ପାନୀ ସରକାରୀ ମଣ୍ଡିରେ ଚାଷୀଙ୍କ ଉପତ୍ାଦକୁ କିଣିବା ବେଳେ ଏମ୍‌ଏସ୍‌ପି ଦେବାକୁ ବାଧ୍ୟ ହୋଇଥିବା ବେଳେ ନୂଆ ଆଇନରେ ସେମାନେ ସରକାରୀ ମଣ୍ଡି ବାହାରେ ଚାଷୀଙ୍କ ଉପତ୍ାଦକୁ ସିଧାସଳଖ କିଣିଲେ ଏମ୍‌ଏସ୍‌ପି ଦେବାକୁ ବାଧ୍ୟ ନୁହନ୍ତି।
ନୂଆ ଆଇନ ଫଳରେ ଘରୋଇ କମ୍ପାନୀ ସରକାରୀ ମଣ୍ଡି ବାହାରେ ଚାଷୀଙ୍କ କୃଷି ଉପତ୍ାଦକୁ ସିଧାସଳଖ କିଣିବାକୁ ସୁଯୋଗ ପାଇଲେ ଚାଷୀକୁ ଏମ୍‌ଏସ୍‌ପିଠାରୁ ବି ଅଧିକ ଦାମ୍‌ ମିଳିବ ବୋଲି ସରକାର ଯୁକ୍ତି କରୁଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଯଦି ଘରୋଇ କମ୍ପାନୀ ଆସିଲେ ସତରେ ଚାଷୀଙ୍କୁ ସରକାରୀ ଘୋଷିତ ଏମ୍‌ଏସ୍‌ପିଠାରୁ ବି ଅଧିକା ଦାମ୍‌ ମିଳିବ, ତା’ହେଲେ ସରକାର କୃଷି ଉପତ୍ାଦର ସଂଗ୍ରହରେ ଏମ୍‌ଏସ୍‌ପି ଦେବାକୁ ବାଧ୍ୟ ବୋଲି ଆଇନଗତ ବ୍ୟବସ୍ଥା କରୁ ନାହାନ୍ତି କାହିଁକି? ନୂଆ ଆଇନ ଲାଗୁହେବା ପରେ, ଥରେ ସରକାରୀ ଏମ୍‌ଏସ୍‌ପି ବ୍ୟବସ୍ଥା ଦୁର୍ବଳ ହୋଇ କୃଷି ବଜାର ଉପରେ କମ୍ପାନୀଙ୍କ ଏକାଧିକାର ଆସିଗଲେ, ଚାଷୀ ଏବେ ତା’ର ଉପତ୍ାଦର ଯେତିକି ବି ଦର ପାଉଛି, ତାହା ବି ପାଇବାର ସମ୍ଭାବନା ନାହିଁ। ଚାଷୀ ବିକଳ୍ପହୀନ ହୋଇ କମ୍‌ ଦରରେ ନିଜର ଉପତ୍ାଦକୁ ବିକ୍ରି କରିବାକୁ ବାଧ୍ୟ ହେବେ। ବିଶ୍ୱରେ କୃଷି ଉପତ୍ାଦର କିଣାବିକା ଉପରେ ଓ.ଇ.ସି.ଡି. ସଂସ୍ଥାର ଅଧ୍ୟୟନରୁ ବି ଜଣାପଡ଼ିଛି ଯେ, ଯେଉଁ ଦେଶରେ ସରକାରଙ୍କ ପକ୍ଷରୁ କୃଷି ଉପତ୍ାଦକୁ କିଣିବାର କୌଣସି ବ୍ୟବସ୍ଥା ନାହିଁ ସେସବୁ ଦେଶରେ ଚାଷୀଙ୍କୁ ନିଜ ଉପତ୍ାଦର ବହୁତ କମ୍‌ ଦାମ୍‌ ମିଳୁଛି।
ଖାଦ୍ୟଶସ୍ୟର ସଂଗ୍ରହ ଓ ଗଣବଣ୍ଟନ ବ୍ୟବସ୍ଥା ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏବଂ ପରସ୍ପରର ପରିପୂରକ। ସରକାର ଏମ୍‌ଏସ୍‌ପି ଦେଇ ଚାଷୀଙ୍କଠାରୁ ଖାଦ୍ୟଶସ୍ୟ ସଂଗ୍ରହ କରୁଥିବାରୁ ତାକୁ ପ୍ରତିମାସରେ ଦେଶର ଗରିବ ଲୋକଙ୍କ ମଧ୍ୟରେ ରିହାତି ଦରରେ ବାଣ୍ଟି ପାରୁଛନ୍ତି। ବର୍ତ୍ତମାନ ଏମ୍‌ଏସ୍‌ପିରେ ସଂଗୃହୀତ ଦେଶର ନବେ ଭାଗ ଖାଦ୍ୟଶସ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ବଣ୍ଟା ଯାଉଛି। ଯଦି ସରକାରୀ ସଂଗ୍ରହ ବ୍ୟବସ୍ଥାଟି ବନ୍ଦ ହୁଏ, ତା’ହେଲେ ସରକାର ଲୋକଙ୍କୁ ଦେବା ପାଇଁ ସେସବୁ ଆଣିବେ ବା କେଉଁଠୁ ? ଏ କ୍ଷେତ୍ରରେ ସରକାରଙ୍କ ପାଖରେ ଦୁଇଟି ବିକଳ୍ପ ରହିବ। ଘରୋଇ କମ୍ପାନୀଙ୍କଠାରୁ ଚଢ଼ାଦରରେ ଖାଦ୍ୟଶସ୍ୟ ସଂଗ୍ରହ କରିବେ ଅଥବା ଲୋକଙ୍କୁ ଖାଦ୍ୟଶସ୍ୟ ବଦଳରେ ପ୍ରଥମେ ସବ୍‌ସିଡିର ନଗଦ ହସ୍ତାନ୍ତର କରି ଶେଷରେ ତାକୁ ବନ୍ଦ କରିଦେବେ। ଉଭୟ ପରିସ୍ଥିତିରେ ଘରୋଇ କମ୍ପାନୀ ହିଁ ଲାଭାନ୍ବିତ ହେବେ।
ଏମ୍‌ଏସ୍‌ପି ପାଇଁ ଆଇନ କଲେ ସରକାରଙ୍କ ଖର୍ଚ୍ଚଭାର ବଢ଼ିବାର ଯୁକ୍ତି ଦିଆଯାଉଛି। କୃଷି କ୍ଷେତ୍ରରେ ସରକାରୀ ଖର୍ଚ୍ଚକୁ ବିରୋଧ କରୁଥିବା ଲୋକେ ଦେଶର କତିପୟ କର୍ପୋରେଟଙ୍କ ପାଇଁ ପ୍ରତିବର୍ଷ ବଜେଟ୍‌ରେ କର ଟିକସ ବାବଦରେ ଦିଆଯାଉଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ଛାଡ଼ ନେଇ ପାଟି ଖୋଲୁନାହାନ୍ତି। ଅସଲ କଥା ହେଉଛି, ବିନା ସରକାରୀ ସହାୟତାରେ କୃଷି ତିଷ୍ଠିବା ଆଦୌ ସମ୍ଭବ ନୁହେଁ। ଭାରତର କୃଷି, କୃଷକ ଏବଂ ଖାଦ୍ୟ ସୁରକ୍ଷା ପାଇଁ ଏମ୍‌ଏସ୍‌ପି ଅତ୍ୟନ୍ତ ଜରୁରୀ। ସରକାର ସେଥିପାଇଁ ଆଇନ କରିବା ସହିତ ଚାଷୀଙ୍କ ସବୁ ଫସଲର ଦର ଓ ତା’ର ସଂଗ୍ରହକୁ ନିଶ୍ଚିତ କରିବା ଆବଶ୍ୟକ।
ମୋ :୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

କୃଷିରେ ଯାନ୍ତ୍ରିକୀକରଣ

କଟରେ କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣର ସଂସଦୀୟ ସ୍ଥାୟୀ କମିଟିି ଭାରତର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ କୃଷିକାର୍ଯ୍ୟରେ ଯାନ୍ତ୍ରିକୀକରଣର ବୃଦ୍ଧି ଉପରେ ଗୁରୁତ୍ୱାରୋପ...

ହେ ଈଶ୍ୱର! ତୁମେ କେଉଁ ଧର୍ମର

ସଂସାରରେ ଯଦି କେବେ ବି ଈଶ୍ୱରଙ୍କର ଆବିର୍ଭାବ ଘଟନ୍ତା, ତେବେ ବହୁଳ ଭାବେ ତାଙ୍କୁ ଯେଉଁ ପ୍ରମୁଖ ପ୍ରଶ୍ନଟି ପଚରାଯାଆନ୍ତା, ତାହା ବୋଧହୁଏ ହୁଅନ୍ତା ଏଇ...

ଆଧିପତ୍ୟ ଯୁଗ ଶେଷ

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରୁ ଅନେକେ ଏହି ତୃତୀୟ ଶାସନ ପାଳିରେ ମନ୍ଥରତା ଏବଂ ଲକ୍ଷ୍ୟହୀନତାକୁ ଅନୁଭବ କରୁଛନ୍ତି। ଫେବୃଆରୀରେ ସଂସଦର ନୂତନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଲେଖକ ଓ ଭଲ ମଣିଷ

ଲେଖକର ସଂଜ୍ଞା ଆଦୌ ଜଟିଳ ନୁହେଁ, ଅତି ସରଳ। ଯେ ଲେଖନ୍ତି ସେ ଲେଖକ ନିଶ୍ଚୟ। ଲେଖିବା କଥା ଉଠିଲେ ସାହିତ୍ୟ ଲେଖିବା କଥାକୁ ଆଗେ...

ସମାଜର ଆଧାରସ୍ତମ୍ଭ

ଜନ୍‌ ଡିୟୁଙ୍କ ଉଦ୍ଧୃତି ‘ଶିକ୍ଷା ଜୀବନ ପାଇଁ ପ୍ରସ୍ତୁତି ନୁହେଁ; ଶିକ୍ଷା ହେଉଛି ଜୀବନ’। ଏହା ଶିକ୍ଷାର ପ୍ରକୃତ ମୂଲ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଏକ...

ରହସ୍ୟମୟ ଘଟଣା

ଉତ୍ତରାଖଣ୍ଡର ଏକ ଶାନ୍ତ ପାହାଡ଼ିଆ ଅଞ୍ଚଳରେ ଥିବା ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ଘରୁ ୫୦ କୋଟି ଟଙ୍କା ଚୋରିହେବା ଘଟଣା ଉପରେ ଗଣମାଧ୍ୟମ ଗୁଜବ...

ଏଇ ଭାରତରେ

ଉତ୍ତରପ୍ରଦେଶ ସମ୍ବଲ ଜିଲାର ଜୀବନରେଖା ହେଉଛି ସୋତ୍‌ ନଦୀ। ଏହା ଜବରଦଖଲ ଯୋଗୁ ବହୁ ଦଶନ୍ଧି ହେଲା ଏଥିରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ହେଲେ ସମ୍ବଲର...

ଭାଗବତର ଆହ୍ବାନ

ଗୋ ଶ୍ରୀମଦ୍‌ ଭାଗବତର ସ୍ଥାନ ଓ ଆହ୍ବାନ ବିଚାର୍ଯ୍ୟ। ଭାରତୀୟ ପ୍ରଜ୍ଞାମାନସ ବେଦରୂପୀ କଳ୍ପବୃକ୍ଷର ପରିପକ୍ୱ ସୁମିଷ୍ଟ ଫଳ ‘ଭାଗବତ’ ମୁକ୍ତିମାର୍ଗର ସୋପାନ। ଭଗବାନଙ୍କ ସାକ୍ଷାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri