କୁପୋଷଣରୁ ମୁକ୍ତି ଯଥେଷ୍ଟ ନୁହେଁ

ଶୈଳେନ୍ଦ୍ର ଦିବେଦୀ

ପାଠକେ, କୁପୋଷଣ ଏବଂ କ୍ଷୁଧା ବାବଦରେ ଆଲୋଚନା କଲାବେଳେ ଉପକ୍ରମର ଆବଶ୍ୟକତା ନାହିଁ, କାରଣ ଉତ୍ତର-ଆଧୁନିକ କାଳରେ ଉଭୟ ଆମ ସଭିଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ହୋଇ ରହିଛନ୍ତି। ତେବେ ନିକଟରେ ଏକ ଅଧ୍ୟୟନ ଇଙ୍ଗିତ କରିଛି ଯେ ଭୋକିଲା, ବିଶେଷକରି କୁପୋଷଣର ଶିକାର ପାଲଟିଥିବା ଶିଶୁଙ୍କ ପାଖରେ ଖାଦ୍ୟ ପହଞ୍ଚିଗଲେ ବି ତାହା କୁପୋଷଣ ଜନିତ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇ ନ ଥାଏ। ଅଧ୍ୟୟନରୁ ଜଣାପଡ଼ିଛି ଅସ୍ଥିକଙ୍କାଳସାର ଦିଶୁଥିବା ଶିଶୁଟିଏ ହୁଏତ ମୁଠାଏ ଭାତ ନ ହେଲେ ଦି’ଖଣ୍ଡ ରୁଟି ପାଇ ବଞ୍ଚିଯାଇପାରେ, ତେବେ ବୈଜ୍ଞାନିକମାନେ କହୁଛନ୍ତି, ଯଦିବି ପିଲାଟିକୁ ଖାଦ୍ୟ ନିରାପତ୍ତା ମିଳିଯାଏ ତଥାପି ଦୀର୍ଘ କୁପୋଷଣରୁ ତା’ର ସ୍ବାସ୍ଥ୍ୟ ଆଗକୁ ସ୍ବାଭାବିକ ହେବନାହିଁ। ନିକଟରେ ଗାଜାଷ୍ଟ୍ରିପରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଡେନିସ ନାମକ ଜଣେ ନର୍ସ ଗାଜାର ଦକ୍ଷିଣରେ ଅବସ୍ଥିତ ଏକ ସହରରେ କାମ କରୁଥିବା ବେଳେ କିଛି ନୂଆକଥା ଦେଖିବା ପରି ତାଙ୍କର ମନେହେଲା। ଏହା ଇସ୍ରାଏଲ-ହମାସ ଯୁଦ୍ଧ ପୂର୍ବର କଥା। ତାଙ୍କ ତଥ୍ୟ ଅନୁସାରେ ମେ ୧୮, ୨୦୨୪ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରୁ ୨୮ ଜଣ ଥିଲେ ଶିଶୁ, ଯେଉଁମାନଙ୍କ ମୃତ୍ୟୁ ଖାଦ୍ୟାଭାବ/କୁପୋଷଣ ଯୋଗୁ ଘଟିଥିଲା।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ମୁତାବକ ଦକ୍ଷିଣ ଗାଜାରେ ୫ ବର୍ଷ ତଳେ ୯ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥିବା ବେଳେ ଉତ୍ତର ଗାଜାରେ ସ୍ଥିତି ଆହୁରି ଖରାପ, ଯେଉଁଠି ଏକ ଚତୁର୍ଥାଂଶ ଶିଶୁ ଅପପୁଷ୍ଟିର ଶିକାର ଏବଂ ସେମାନଙ୍କ ମଧ୍ୟରୁ ୪ ପ୍ରତିଶତଙ୍କ ଅବସ୍ଥା ଅତ୍ୟନ୍ତ ସ୍ପର୍ଶକାତର। କୁହାଯାଉଛି, କେବଳ ଗାଜାର ଶିଶୁ ନୁହନ୍ତି, ଆଫଗାନିସ୍ତାନ, ସୁଦାନ, ନାଇଜେରିଆ, ୟେମେନ, ହାଇତି, ପାକିସ୍ତାନ, କଙ୍ଗୋ ସାଧାରଣତନ୍ତ୍ର ଏବଂ ଅନ୍ୟତ୍ର ସାମରିକ ସଂଘର୍ଷ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଉତ୍କଟ ଦାରିଦ୍ର୍ୟ ଯୋଗୁ ସମାନ ସ୍ଥିତିରେ ଶିଶୁମାନେ ଅଛନ୍ତି। ବିଶେଷଜ୍ଞଙ୍କ ମତ, ଏମିତି ଅଧିକାଂଶ ଅଞ୍ଚଳରେ ଶିଶୁମାନେ ‘ୱେଷ୍ଟିଙ୍ଗ’ ଭୋଗୁଛନ୍ତି (ବୟସ ତୁଳନାରେ ଉଚ୍ଚତା ନ ବଢ଼ିବା/ଓଜନ ନ ବଢ଼ିବା) ସେତିକି ନୁହେଁ, ସେମାନେ ଅକାଳ ମୃତ୍ୟୁକୁ ବି ସାମ୍ନା କରୁଛନ୍ତି। ଗତ ବର୍ଷ ୩୬.୪ ନିୟୁତ ଶିଶୁ ପୃଥିବୀରେ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯.୮ ନିୟୁତ ଭୟଙ୍କର ପୁଷ୍ଟିହୀନତାରେ ଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପରିସଂଖ୍ୟାନ ମୁତାବକ ୨୦୨୨ରେ ସାରା ପୃଥିବୀରେ ୧୪୯ ନିୟୁତ ଶିଶୁ ‘ଷ୍ଟଣ୍ଡିଙ୍ଗ’ ଭୋଗୁଥିଲେ (ବୟସ ତୁଳନାରେ କମ୍‌ ଉଚ୍ଚତା) ଏବଂ ୪୫ ନିୟୁତ ସେମାନଙ୍କ ଉଚ୍ଚତା ତୁଳନାରେ ପିନ୍‌ପିନ୍‌ ପତଳା ଥିଲେ। ୧୩ ନିୟୁତ ଥିଲେ ଅତ୍ୟନ୍ତ ଦୁର୍ବଳ। କୁହାଯାଉଛି, ୫ ବର୍ଷ ତଳେ ନିମ୍ନ ଏବଂ ମଧ୍ୟମ ଆୟକାରୀ ଅର୍ଥନୀତିଗୁଡ଼ିକରେ ଅଧା ଶିଶୁଙ୍କ ମୃତ୍ୟୁ ଘଟୁଛି କେବଳ କୁପୋଷଣ କାରଣରୁ। ତେବେ ଦୁର୍ଭାଗ୍ୟ ହେଉଛି, କୁପୋଷଣର ଶିକାର ହୋଇଥିବା ପିଲାମାନଙ୍କୁ ଯେଉଁ ସ୍ବାସ୍ଥ୍ୟ ସେବା ମିଳୁଛି ସେମାନେ ମଧ୍ୟ ପୁଷ୍ଟିହୀନତାର ଅଭିଶାପରୁ ମୁକୁଳି ପାରୁନାହାନ୍ତି। ବିଶେଷଜ୍ଞମାନେ କୁହନ୍ତି, ସାରା ଜୀବନ ସେମାନଙ୍କୁ ନାନା ରୋଗ ଏବଂ ଯନ୍ତ୍ରଣା ଗୋଡ଼ଉଛି। ବେଶ୍‌ କିଛି ଶିଶୁ ଭଲ ହେବା ଆଗରୁ ଆଖି ବୁଜୁଛନ୍ତି। ଚିକିତ୍ସାର ବର୍ଷେ ନପୂରୁଣୁ ଅନେକେ ଖୁବ୍‌ ମାନ୍ଦା ପାଲଟି ଯାଇଛନ୍ତି। କିଛି କରିବା ପାଇଁ ସେମାନଙ୍କର ସ୍ପୃହା ନାହିଁ। ବୟସ୍କ ହେଲେ ସେମାନଙ୍କର ଉପଯୁକ୍ତ ବୌଦ୍ଧିକ ବିକାଶ ହେବ ଏମିତି ସମ୍ଭାବନା ସମ୍ପୂର୍ଣ୍ଣ କ୍ଷୀଣ ହୋଇଆସୁଛି। ଯେଉଁ ଶରୀର ଦୀର୍ଘ କୁପୋଷଣ ଯୋଗୁ ସର୍ବନିମ୍ନ ଖାଦ୍ୟରୁ ବଞ୍ଚିତ ହୋଇ ରହିଛି ସେ କେବଳ ଖାଦ୍ୟ ପାଇବା ମାତ୍ରେ ଅଗ୍ରାଧିକାର ଦେବ ହୃତ୍‌ପିଣ୍ଡ ଏବଂ ଫୁସ୍‌ଫୁସ୍‌କୁ – ବଞ୍ଚି ରହିବା ପାଇଁ। କାରଣ ତା’ର ଖାଦ୍ୟ ଦେହ ଓ ମନର ଅନ୍ୟାନ୍ୟ ବିଭବ ଉପରେ ନିଜ ଦେହ ଗୁରୁତ୍ୱ ଦେବନାହିଁ। ଅର୍ଥାତ ନ୍ୟୁରନ ଏବଂ ମସ୍ତିଷ୍କର ବିକାଶ ଉପରେ ଗୁରୁତ୍ୱ ରହିବନାହିଁ। ଏହି ପ୍ରକ୍ରିୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଦେହର ପ୍ରତିରକ୍ଷା ବ୍ୟବସ୍ଥା, ଯାହା ଦୀର୍ଘ ବର୍ଷ କୁପୋଷଣକୁ ସାମ୍ନା କରିଥିବା ଶିଶୁମାନଙ୍କୁ ଅଧିକ କ୍ଷତିଗ୍ରସ୍ତ କରିବ। ଦେହର ପ୍ରତିରକ୍ଷା ଶକ୍ତି ଯେହେତୁ ସେମାନଙ୍କୁ ସହାୟକ ହେବନାହିଁ, ସେମାନେ ନାନା ସଂକ୍ରମଣର ଶିକାର ହେବା ସହିତ ଅଳ୍ପାୟୁ ହେବେ। ଏମିତି ଶିଶୁ ରକ୍ତହୀନତା କିମ୍ବା ଏଚଆଇଭିର ଶିକାର ହେବାର ସମ୍ଭାବନା ଅଧିକ। କାରଣ କୁପୋଷଣର ସମାଧାନ ଏତେ ସହଜ ନୁହେଁ। ପୃଥିବୀରେ ଏବେ ମାତ୍ର ୩ ପ୍ରତିଶତ ଶିଶୁ (ଅତ୍ୟଧିକ ରୁଗ୍‌ଣ) ଚିକିତ୍ସା ସୁଯୋଗ ପାଉଛନ୍ତି, କିନ୍ତୁ ଏବେ ବି ପ୍ରତି ୫ ଜଣରେ ଜଣେ ଶିଶୁ ଡାକ୍ତରଖାନା ଛାଡ଼ିବା ଆଗରୁ ଆଖି ବୁଜୁଛନ୍ତି। ଆଉ ଯେଉଁମାନେ ଘରକୁ ଫେରୁଛନ୍ତି ସେମାନେ ମଧ୍ୟ ମୃତ୍ୟୁର ଛାଇରୁ ଏକାବେଳକେ ମୁକୁଳି ନାହାନ୍ତି। ୨୦୧୮ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଏମିତି ଶିଶୁଙ୍କ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ସେଇ ବର୍ଷ ଆଖି ବୁଜନ୍ତି। ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କେନିଆରେ ୧୭୦୪ ଜଣ ଶିଶୁ ଚିକିତ୍ସା ଉପରାନ୍ତ ଡାକ୍ତରଖାନା ଛାଡ଼ିବା ପରେ ସେମାନଙ୍କ ମଧ୍ୟରୁ ଅନ୍ତତଃ ୧୭୭ ଜଣ ବର୍ଷକ ଭିତରେ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୁପୋଷଣରୁ ଡାକ୍ତରୀ ଆରୋଗ୍ୟ ବାଦ ବି ଥରେ ପୁଷ୍ଟିହୀନତା ଉତ୍ପନ୍ନ କରିଥିବା କ୍ଷତି ଭିତରେ ଭିତରେ ବେଶ୍‌ ବର୍ଷ ରହେ, ଯାହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ କ୍ଷତି ପହଞ୍ଚଇବାରେ ଲାଗେ।
ପାଠକେ, ଏବେ ଗବେଷକମାନେ କହୁଛନ୍ତି, କୁପୋଷଣର ଶିକାର ଶିଶୁମାନଙ୍କ ପାଇଁ ନୂଆ ପଦ୍ଧତିରେ ଚିକିତ୍ସାର ବ୍ୟବସ୍ଥା ହେଉଛି। ପରୀକ୍ଷାମୂଳକ ଭାବେ ଏକ ସ୍ବତନ୍ତ୍ର ଖାଦ୍ୟ ଏମିତି ଶିଶୁ ମାନଙ୍କୁ ଦିଆଯାଉଛି ଯାହା ସେମାନଙ୍କ ଓଜନ ଶୀଘ୍ର ବଢ଼େଇବାରେ ସହାୟକ ହେବ (ନେଚର ମାଇକ୍ରୋ ବାୟୋଲୋଜି, ମାର୍ଚ୍ଚ ୧୯, ୨୦୨୪)। ବିଶେଷଜ୍ଞମାନଙ୍କ ଭୟ, କେବଳ କୁପୋଷଣରୁ ଶିଶୁଟିକୁ ମୁକ୍ତିଦେବା ସମସ୍ୟାର ସମାଧାନ ନୁହେଁ, କାରଣ ଯଦି ତା’ର ଉପଯୁକ୍ତ ଚିକିତ୍ସା ନ ହୁଏ, ତେବେ ବଡ଼ ହେଲେ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ମଧୁମେହ ଏବଂ ଆହୁରି ଅନେକ ରୋଗ ତାକୁ ମାଡ଼ିବସିବ। ସେମାନେ ଗୁଣାତ୍ମକ ଜୀବନ ବଞ୍ଚିବେ – ଏହା ଆଦୌ ସମ୍ଭବ ହେବନାହିଁ। ଆଉ ପାଠଶାଠ! ସେସବୁ ଆଶା କରିବା ବୃଥା। ୨୦୨୩ ତଥ୍ୟ ଅନୁସାରେ ଭାରତରେ ୪୩ ଲକ୍ଷ ଶିଶୁ କୁପୋଷଣର ଶିକାର (ମୋଟ ଶିଶୁଙ୍କ ୭.୭ ପ୍ରତିଶତ), ଯେଉଁଥିରୁ ୧୪ ଲକ୍ଷ ଅତ୍ୟଧିକ ଅପପୁଷ୍ଟି ଭୋଗୁଛନ୍ତି (ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ , ଭାରତ ସରକାର)। ଅନ୍ୟ ଏକ ତଥ୍ୟ ଅନୁସାରେ ଓଡ଼ିଶାରେ ୮ ପ୍ରତିଶତ ଶିଶୁ (ସିଭିୟରଲି ଆଫେକଟେଡ଼ ମାଲନରିସ୍‌ଡ) , ଆପଣ କହିପାରନ୍ତି ଅତ୍ୟଧିକ ଅପପୁଷ୍ଟି। ଆଉ ୫ ବର୍ଷ ବୟସ ଭିତରେ ଆମ ରାଜ୍ୟରେ ଷ୍ଟଣ୍ଟିଙ୍ଗ ୩୧ ପ୍ରତିଶତ ହୋଇଥିବା ବେଳେ ୱେଷ୍ଟିଙ୍ଗ ଭୋଗୁଛନ୍ତି ୧୮.୧ ପ୍ରତିଶତ ଶିଶୁ। ଆପଣ ଚିନ୍ତା କରିପାରନ୍ତି!
ମୋ-୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri