ସୁଖ, ଶାନ୍ତି ପାଇବାର ପଥ

ଡ. ଭାରତ ଭୂଷଣ ରଥ

ସାଧାରଣତଃ ଦୁଇଟି ପ୍ରମୁଖ ତତ୍ତ୍ୱକୁ ନେଇ ପ୍ରାଣୀ ବଞ୍ଚତ୍ରହେ। ଗୋଟିଏ ହେଉଛି ଆତ୍ମା ଅନ୍ୟଟି ଶରୀର। ଆତ୍ମାର ଅବସ୍ଥିତି ପାଇଁ ଶରୀର ଆବଶ୍ୟକ। ସମସ୍ତ ପ୍ରାଣୀ ନିଜର ଶରୀର ମାଧ୍ୟମରେ ଆତ୍ମାକୁ ଧାରଣ କରନ୍ତି। ଗର୍ଭସ୍ତ ଭ୍ରୂଣଠାରୁ ଆରମ୍ଭକରି ମୃତ୍ୟୁ ପର୍ଯ୍ୟନ୍ତ ଆତ୍ମା ଶରୀରରେ ଅବସ୍ଥାନ କରେ। ଆତ୍ମା ହେଉଛି ପରମାତ୍ମାଙ୍କର ଅଂଶବିଶେଷ। ଆତ୍ମା ପରମାତ୍ମାଙ୍କ ପ୍ରତି ସମର୍ପିତ ହେଲେ ଜୀବନ ସରସ, ସୁନ୍ଦର ଏବଂ ସାର୍ଥକ ହେବ। ଶ୍ରୀମଦ୍ଭଗବଦ୍‌ ଗୀତା କୁହେ- ପରମାତ୍ମା ଏକ ଜ୍ୟୋତିସ୍ବରୂପ। ସେହି ଜ୍ୟୋତି ସ୍ବରୂପ ପରମାତ୍ମା ସୂର୍ଯ୍ୟ ଏବଂ ଅଗ୍ନି ପ୍ରଭୃତି ସମସ୍ତ ଜ୍ୟୋତିଙ୍କଠାରୁ ସର୍ବଶ୍ରେଷ୍ଠ ଜ୍ୟୋତି। ସେ ଅନ୍ଧକାରରୁ ଦୂରରେ। ତାଙ୍କୁ ଜ୍ଞାନଦ୍ୱାରା ଜାଣିହେବ। ତେବେ ବଡ଼କଥା ହେଲା ସେହି ଜ୍ୟୋତି ସମସ୍ତଙ୍କର ହୃଦୟରେ ବିରାଜମାନ। ଏଠାରେ ପ୍ରଶ୍ନ ଉଠେ ପ୍ରାଣୀ ସେହି ଜ୍ୟୋତିଙ୍କୁ ଜାଣିବ କେମିତି ? ଏଥିପାଇଁ ‘ଯୋଗ’ ଏକ ବିଜ୍ଞାନସିଦ୍ଧ ଉପାୟ। ଶାରୀରିକ ବ୍ୟାୟାମ ସହିତ ଆତ୍ମଦର୍ଶନର ଉପାୟ ହେଉଛି ଯୋଗ। ଏହା ପ୍ରାୟତଃ ଦୁଇଟି ଭାଗରେ ବିଭକ୍ତ। ଗୋଟିଏ ଆସନ ଏବଂ ଅନ୍ୟଟି ପ୍ରାଣାୟାମ। ଆସନ ଅଭ୍ୟାସ ଦ୍ୱାରା ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ କ୍ରିୟାଶୀଳ ରହେ। ପ୍ରାଣାୟାମ ଦ୍ୱାରା ନାଡ଼ିଶୁଦ୍ଧି ରହି ପ୍ରଶାନ୍ତତା ଅନୁଭୂତି ହୁଏ। ଆସନ ଏବଂ ପ୍ରାଣାୟାମ ଅଭ୍ୟାସ ବଳରେ ଦିବ୍ୟତ୍ୱ ପ୍ରାପ୍ତ ହୁଏ। ପ୍ରାଣାୟାମ ଆତ୍ମଦର୍ଶନ କରେଇଥାଏ। ଭାରତର ମୁନିଋଷି ତଥା ସିଦ୍ଧସାଧକଗଣ ଯୋଗକୁ ଆଧାରକରି ଦିବ୍ୟଜ୍ଞାନ ତଥା ବିଜ୍ଞାନର ରହସ୍ୟକୁ ପ୍ରାପ୍ତ ହୋଇଥିଲେ।
ସୃଷ୍ଟି ଆରମ୍ଭରୁ ଯୋଗ ରହିଅଛି। ଯାହାକୁ ମହର୍ଷି ପତଞ୍ଜଳି ଉଦ୍ଭାବନ କରି ତାଙ୍କ ଯୋଗଶାସ୍ତ୍ରରେ ଏହାର ଗୂଢ଼ତତ୍ତ୍ୱକୁ ଲିପିବଦ୍ଧ କରିଥିଲେ। ପତଞ୍ଜଳି ଯୋଗସୂତ୍ରର ଗୁରୁତ୍ୱପୂର୍ଣ୍ଣ ସୂତ୍ରଟି ହେଲା ଯୋଗଃ ଚିତ୍ତବୃତ୍ତି ନିରୋଧଃ। ଅର୍ଥାତ୍‌ ଯୋଗ ହେଉଛି ଚିତ୍ତର ପ୍ରବୃତ୍ତିକୁ ନିୟନ୍ତ୍ରିତ କରିବାର ସୂତ୍ର। ଚିତ୍ତ ଅର୍ଥାତ୍‌ ମନ। ତେଣୁ ମନକୁ ନିୟନ୍ତ୍ରଣ କରିବା ହିଁ ଯୋଗ। ଆମ ଶରୀର ଏକାଦଶ ଇନ୍ଦ୍ରିୟଙ୍କୁ ନେଇ ପରିଚାଳିତ। ସେଗୁଡିକ ହେଉଛନ୍ତି ପାଞ୍ଚଟି ଜ୍ଞାନେନ୍ଦ୍ରିୟ, ପାଞ୍ଚଟି କର୍ମେନ୍ଦ୍ରିୟ ଏବଂ ମନ। ଜ୍ଞାନେନ୍ଦ୍ରିୟ ପ୍ରତ୍ୟେକଟି ବିଷୟକୁ ଜାଣିପାରନ୍ତି। ସେହି ପଞ୍ଚ ଜ୍ଞାନେନ୍ଦ୍ରିୟ ହେଉଛନ୍ତି – ଚକ୍ଷୁ, କର୍ଣ୍ଣ, ନାସିକା, ଚର୍ମ ଏବଂ ଜିହ୍ବା। ସେହିପରି କର୍ମେନ୍ଦ୍ରିୟମାନେ ଜ୍ଞାନେନ୍ଦ୍ରିୟର ଜ୍ଞାନକୁ ଆଧାର କରି କର୍ମ କରନ୍ତି। ସେହି ପାଞ୍ଚ କର୍ମେନ୍ଦ୍ରିୟ ହେଲେ ବାକ୍‌ (କଥାବାର୍ତ୍ତା), ପାଣି (ହାତ), ପାଦ (ପାଦ), ପାୟୁ(ମଳଦ୍ୱାର) ଏବଂ ଉପସ୍ଥ(ଜନନେନ୍ଦ୍ରିୟ)। ଅନ୍ତିମ ଏବଂ ପ୍ରମୁଖ ତତ୍ତ୍ୱଟି ହେଲା ମନ। ମନ ଉପରୋକ୍ତ ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟର ପରିଚାଳକ। ଯଦିଓ ପ୍ରତ୍ୟେକ ଇନ୍ଦ୍ରିୟ ସ୍ବତନ୍ତ୍ର କିନ୍ତୁ ଏମାନେ ମନର ପ୍ରଭାବରେ କାର୍ଯ୍ୟ କରନ୍ତି।
ଶରୀରରେ ସୂକ୍ଷ୍ମ ରୂପରେ ରହିଥାଏ ଆତ୍ମା। ସେ ସମସ୍ତ ଇନ୍ଦ୍ରିୟଠାରୁ ଊର୍ଦ୍ଧ୍ୱରେ। ଇନ୍ଦ୍ରିୟଗୁଡ଼ିକ ଶରୀରର ଅଂଶବିଶେଷ। କିନ୍ତୁ କେବଳ ଆତ୍ମା ହେଉଛନ୍ତି ପରମାତ୍ମାଙ୍କର ଅଂଶବିଶେଷ। ତେଣୁ ମୃତ୍ୟୁ ସମୟରେ ଏହି ସମସ୍ତ ଇନ୍ଦ୍ରିୟ ନଷ୍ଟ ହୋଇଯାନ୍ତି କିନ୍ତୁ ଆତ୍ମା; ଯାହାଙ୍କୁ ଆମେ ନିଃଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଅନୁଭବ କରୁ ସେ ମୃତ୍ୟୁ ମାତ୍ରେ ଶରୀର ଛାଡି ଚାଲିଯାନ୍ତି। ପ୍ରାଣୀ ଯଦି ମନକୁ ସ୍ଥିର କରିଦେଲା ତେବେ ସେ ଆତ୍ମତତ୍ତ୍ୱକୁ ଜାଣିବାରେ ଅସୁବିଧା ହେବନାହିଁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ସଂସାରରେ ମାନବ କେବଳ ଗୋଟିଏ ମାତ୍ର ଜୀବ ଯିଏ ନିଜର ଆତ୍ମାକୁ ଜାଣିବାରେ ସଫଳ। ତେବେ ଏ କ୍ଷେତ୍ରରେ ଯୋଗ ମାନବପାଇଁ ଏକ ଅମୃତ ତତ୍ତ୍ୱ। ଯୋଗର ସରଳ ନିୟମକୁ ପାଳନ କରି ନିତ୍ୟ ଯୋଗାଭ୍ୟାସ କଲେ ଆତ୍ମୋପଲବ୍ଧି ହୋଇଥାଏ, ଏହା ପ୍ରମାଣିତ। ବର୍ତ୍ତମାନର ସମାଜ ବିଭିନ୍ନ ପ୍ରକାରର କଳୁଷିତ ବାତାବରଣ ଦେଇ ଗତିକରୁଛି। ଖାଦ୍ୟ,ବସ୍ତ୍ର ତଥା ପରିବେଶରେ ସାମଞ୍ଜସ୍ୟ ନାହିଁ। ଦୈନନ୍ଦିନ ଜୀବନ ରାସ୍ତାରେ ଅନେକ ବାଧାବିଘ୍ନ ତଥା ମନସ୍ତାପ ଭିତରେ ମାନବ ଗତିକରୁଛି। ସମସ୍ତେ ଅନେକ ରୋଗ ଏବଂ ବ୍ୟାଧିକୁ ଶରୀରରେ ଧାରଣ କରିଛନ୍ତି। ତେଣୁ ଏଭଳି ସମୟରେ ଯୋଗ ହିଁ ସମାଜର ଏକମାତ୍ର ସୁରକ୍ଷା ଅସ୍ତ୍ର। ଯୋଗର ଏକ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ହେଲା ଅନୁଶାସନ। ଅର୍ଥାତ୍‌ ଯୋଗ କରୁଥିବା ମାନବର ମନ ସ୍ବତଃ ଏକ ଦିବ୍ୟ ବଳୟରେ ଆବଦ୍ଧ ହୋଇ ଅନୁଶାସିତ ହୋଇଯିବ। ତେଣୁ ପତଞ୍ଜଳି ଯୋଗସୂତ୍ରର ଅନ୍ୟ ଏକ ପ୍ରମୁଖ ସୂତ୍ର ହେଲା ଅଥ ଯୋଗାନୁଶାସନମ୍‌। ନିତ୍ୟ ନୂ୍ୟନାତିନୂ୍ୟନ ଅଧଘଣ୍ଟାଏ ଅନୁଶାସନ ପୂର୍ବକ ଯୋଗାଭ୍ୟାସ ତଥା ପ୍ରାଣାୟାମ କଲେ ଡାଇବେଟିସ, ବ୍ଳଡପ୍ରେସର, ହାର୍ଟଆଟାକ୍‌ ଇତ୍ୟାଦି ମରଣାତ୍ମକ ରୋଗରୁ ମାନବ ମୁକ୍ତି ପାଇ ଏକ ସୁସ୍ଥ ଏବଂ ଚିନ୍ତାମୁକ୍ତ ଜୀବନ ଜିଇପାରିବ ବୋଲି ସାଧୁସନ୍ଥ, ଡାକ୍ତର, ବୈଜ୍ଞାନିକ, ସମାଜସେବକ ତଥା ଅନୁଭବୀ ଯୋଗାଭ୍ୟାସୀଙ୍କ ଅଭିମତ।
ବାସ୍ତବରେ ସୁସ୍ଥ ଶରୀର ପ୍ରତ୍ୟେକ ପ୍ରାଣୀର ଜୀବନସୂତ୍ର। ଶରୀର ଯେତେବେଳ ପର୍ଯ୍ୟନ୍ତ ସୁସ୍ଥ ଥାଏ ସେତେବେଳ ପର୍ଯ୍ୟନ୍ତ କାର୍ଯ୍ୟକୁ ଠିକ୍‌ ଭାବରେ କରିପାରିଥାଏ। ଆମେ ଅନୁଭବ କରୁଛେ ଏକ ସୁସ୍ଥ ଶରୀର ହିଁ ସୁସ୍ଥ ସମାଜର ବାହକ ହୋଇଥାଏ। ତେଣୁ ମାନବ ତା’ର ଶରୀରତତ୍ତ୍ୱକୁ ଠିକ୍‌ ଭାବରେ ଜାଣି ତା’ର ସୁରକ୍ଷା କରିବା ଆବଶ୍ୟକ। କରୋନା ସଂକ୍ରମଣରେ ଆମ ଦେଶରେ ଦୁଇଟି ବିଦ୍ୟା ବିଶ୍ୱପ୍ରସିଦ୍ଧ ହୋଇପାରିଛି। ଗୋଟିଏ ହେଲା ଆୟୁର୍ବେଦ ଏବଂ ଅନ୍ୟଟି ଯୋଗଶାସ୍ତ୍ର। ପ୍ରାଚୀନ ଭାରତର ଚାଲିଚଳଣ ଏବଂ ଖାଦ୍ୟପଦାର୍ଥ ଆୟୁର୍ବେଦ ଶାସ୍ତ୍ର ଆଧାରିତ ଥିଲା। ଏହି ଆୟୁର୍ବେଦ ଶରୀରବିଦ୍ୟାକୁ ଧାରଣ କରେ। ଅପରପକ୍ଷରେ ଯୋଗଶାସ୍ତ୍ର ଶରୀରତତ୍ତ୍ୱ ଏବଂ ଆତ୍ମତତ୍ତ୍ୱ ଉଭୟର ମାର୍ଗଦର୍ଶକ। ତେଣୁ କରୋନାରେ ଯେତେବେଳେ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ପରିଲକ୍ଷିତ ହେଲା ଡାକ୍ତରମାନେ ଘରେ ରହି ପ୍ରାଣାୟାମ କରିବା ପାଇଁ ଉପଦେଶ ଦେଲେ। ପ୍ରତ୍ୟହ ନୂ୍ୟନାତିନୂ୍ୟନ ସୂର୍ଯ୍ୟନମସ୍କାର, ତ୍ରିକୋଣ ଆସନ, ବଜ୍ରାସନ, ପାଦପଶ୍ଚିମୋତ୍ତାସନ, ସର୍ବାଙ୍ଗାସନ ତଥା ଅନୁଲୋମ-ବିଲୋମ, କପାଳଭାତି ଏବଂ ଅଗ୍ନିସାରକୁ ଅଭ୍ୟାସ କରିବାଦ୍ୱାରା ମାନବଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଚିରସ୍ଥାୟୀ ହୋଇରହିବ।
ଉପନିର୍ଦ୍ଦେଶକ, ଦୂରଶିକ୍ଷା ନିର୍ଦ୍ଦେଶାଳୟ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତିରୁପତି, ଆନ୍ଧ୍ରପ୍ରଦେଶ
ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri