କାହାର ମଙ୍ଗଳ

ତଥାଗତ ସତପଥୀ

ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିବାରୁ ବିଭିନ୍ନ ସର୍ଭେ ସଂସ୍ଥା ଆର୍ଥିକ ବ୍ୟାପାର ସହ ଜଡ଼ିତ ବିଷୟ ଉପରେ ଅନୁଶୀଳନ କରିବାରେ ଲାଗିଛନ୍ତି। ଏବେ ଏକ ବିଚିତ୍ର କୌତୂହଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସରକାରୀ ସଂସ୍ଥା ଦ୍ୱାରା ପ୍ରସ୍ତୁତ କେତେକ ସର୍ଭେ ରିପୋର୍ଟକୁ ଖୋଦ୍‌ କେନ୍ଦ୍ର ସରକାର ନାକଚ କରିବାକୁ ବାଧ୍ୟ ହେଉଛନ୍ତି। ଉଦାହରଣ ସ୍ବରୂପ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳର ଉପଭୋକ୍ତା କରୁଥିବା ଖର୍ଚ୍ଚ ୧୦ ପ୍ରତିଶତ ହ୍ରାସ ପାଇଛି। ଏହା ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ଏବଂ ସର୍ବାଧିକ। ବିବ୍ରତ କଲା ଭଳି ଏହି ପ୍ରକାରର ଖବରକୁ ସିଧାସଳଖ ବିରୋଧ କରିବାର ବ୍ୟବସ୍ଥା ସରକାରଙ୍କ ପାଖରେ ନାହିଁ। ଯେତେବେଳେ ଗଣମାଧ୍ୟମରେ ଏହି ତଥ୍ୟ ପ୍ରକାଶ ପାଇଲା, ତତ୍‌କ୍ଷଣାତ୍‌ ସରକାର ଏହି ତଥ୍ୟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ନାକଚ କରିବାର ଘୋଷଣା ୧୫ ନଭେମ୍ବରରେ କରିଦେଲେ। ତା’ ପରେ ଏବେ କହିଛନ୍ତି ଯେ, ଖୁବ୍‌ଶୀଘ୍ର ସେହି ଏନ୍‌ଏସ୍‌ଓ ତରଫରୁ ସଦ୍ୟ ଡାଟା ପ୍ରକାଶ ପାଇବ। ଅର୍ଥାତ୍‌ ବିଳମ୍ବରେ ସରକାରଙ୍କ ଚେତା ପଶିବା ପରେ ଅର୍ଥନୈତିକ ପରିସ୍ଥିତିକୁ ସଜାଡ଼ିବାର ଚେଷ୍ଟା ନ କରି ଡାଟା ବା ତଥ୍ୟକୁ ବିଭ୍ରାନ୍ତ କରିବା ହୋଇପଡ଼ିଛି ମୁଖ୍ୟ ଉଦ୍ଦେଶ୍ୟ।
ବିଶେଷଜ୍ଞଙ୍କ ମତରେ ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ହେବା ପରେ ଅର୍ଥନୀତିରେ ଧିମାବସ୍ଥା ଦେଖାଦେଇଛି। ବିମୁଦ୍ରୀକରଣ ପରେ ଅନ୍‌ଲାଇନ କାରବାରକୁ ଗୁରୁତ୍ୱ ଦିଆଯାଇଥିଲା। ସେବେଠାରୁ ଏହି କାରବାର ବଢ଼ୁଥିଲେ ମଧ୍ୟ ଲୋକେ ନଗଦକୁ ଅଗ୍ରାଧିକାର ଦେଉଥିବା ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ତଥ୍ୟ ମୁତାବକ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ବିମୁଦ୍ରୀକରଣ ପରେ ବ୍ୟବସ୍ଥାରେ ନଗଦ ପରିମାଣ ୧୭ ପ୍ରତିଶତ ବଢ଼ି ୨୧.୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଇତିମଧ୍ୟରେ ଏହି ସଂଖ୍ୟା ନିଶ୍ଚିତ ଭାବେ ଆହୁରି ବଢ଼ିଯାଇଥିବ। ବିମୁଦ୍ରୀକରଣ ପୂର୍ବରୁ ନୋଟ୍‌ ପରିମାଣ ଥିଲା ୧୭.୯୭ ଲକ୍ଷ କୋଟି ଟଙ୍କା। ଏଥିରୁ ବୁଝିବାକୁ ହେବ ଯେ, ଲୋକେ ନଗଦ କାରବାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ବିମୁଦ୍ରୀକରଣ ବେଳେ କୁହାଯାଉଥିଲା ଯେ, ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ବଡ଼ ନୋଟ୍‌କୁ ରଦ୍ଦ କରିଦିଆଗଲେ ଲୋକଙ୍କ ପାଖରେ କଳାଧନ ହ୍ରାସ ପାଇବ। କିନ୍ତୁ ୨୦୦୦ ଟଙ୍କିଆ ବଜାରକୁ ଆସିବା ପରେ କଳାଧନ ଚିତ୍ରକୁ ସମ୍ପୂର୍ଣ୍ଣ ଭିନ୍ନ କରିଦେଉଛି। ନଗଦ ଟଙ୍କା ଲୁକ୍କାୟିତ ରଖିବା ଏକ କଷ୍ଟକର କାର୍ଯ୍ୟ ବୋଲି ଆମେ ଭାବୁ। ୧୦୦୦ ଟଙ୍କିଆ ଥିଲା ପୂର୍ବର ସର୍ବବୃହତ୍‌ କାଗଜ ଟଙ୍କା। ସେହି ଟଙ୍କାରେ କୋଟିଏ ଟଙ୍କା ରଖିବା ପାଇଁ ଯେତିକି ସ୍ଥାନ ବ୍ୟବହୃତ ହେଉଥିଲା, ଏବେ କଳାଧନ ଅର୍ଜନକାରୀମାନେ ସେତିକି ସ୍ଥାନରେ ଦୁଇ କୋଟି ଟଙ୍କା ରଖିପାରୁଥିବେ। ଏଭଳି ସ୍ଥଳେ ଯେଉଁମାନେ ଟିକସ ଫାଙ୍କି ଅର୍ଥ ସାଇତି ରଖିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ୨୦୦୦ ଟଙ୍କିଆ ବରଦାନ ସାବ୍ୟସ୍ତ ହୋଇଛି। ଜନସାଧାରଣ ଏହା ମଧ୍ୟ ଲକ୍ଷ୍ୟ କରିପାରୁଥିବେ ଯେ ପୂର୍ବାପେକ୍ଷା ୨୦୦୦ ଟଙ୍କିଆ ନୋଟ୍‌ର ସର୍କୁଲେଶନ ବା ମୁଦ୍ରା ସଞ୍ଚାଳନ କମିବାରେ ଲାଗିଛି। ବ୍ୟାଙ୍କରେ ୨୦୦୦ ଟଙ୍କିଆ ମାଗିଲେ ଉତ୍ତର ମିଳୁଛି, ସେହି ନୋଟ୍‌ ଆଉ ବ୍ୟାଙ୍କକୁ ଫେରୁନାହିଁ। ଏଥିରୁ ଦୁଇଟି କଥା ବୁଝିହେବ। ପ୍ରଥମଟି ହେଲା ଯାହା ଜନସାଧାରଣଙ୍କ ପାଖକୁ ଯାଉଛି, କଳାଧନ ଭାବେ ଠୁଳ ହୋଇ ରହିଯାଉଛି। ଅନ୍ୟପଟେ ଯଦି ଜନସାଧାରଣ ରଖୁନାହାନ୍ତି ବୋଲି ଚିନ୍ତା କରାଯାଏ, ତେବେ ବ୍ୟାଙ୍କକୁୁ ଯାହା ଯାଉଛି ତାହାକୁ ବଜାରକୁ ଛାଡ଼ିବା ପାଇଁ ସରକାର ଅନିଚ୍ଛୁକ। ଉଭୟ ଭାରତୀୟ ଅର୍ଥନୀତି ପାଇଁ ମାରାତ୍ମକ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) କହିଛି ଯେ, ଭାରତରେ ଏଟିଏମ୍‌ଗୁଡ଼ିକର ଉଚ୍ଚ ପରିଚାଳନା ଖର୍ଚ୍ଚ ଯୋଗୁ ନୂଆ ଏଟିଏମ୍‌ ଖୋଲିବାରେ ବାଧା ଉପୁଜୁଛି। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ତୁଳନା କଲେ ଭାରତରେ ୧ ଲକ୍ଷ ଲୋକଙ୍କ ପାଇଁ ଏଟିଏମ୍‌ କମ୍‌ ରହିଛି। ବର୍ତ୍ତମାନର ସ୍ଥିତି ଦେଖିଲେ ଆଗକୁ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ ହେଲେ ଶାଖା ଓ ଏଟିଏମ୍‌ ସଂଖ୍ୟା ଆହୁରି କମିଯିବ। ଅର୍ଥନୈତିକ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ଲାଗି ଏହାର ଭିତ୍ତିଭୂମିକୁ ବଢ଼ାଇବା ନିତାନ୍ତ ଆବଶ୍ୟକ। ଅନ୍ୟପକ୍ଷରେ ଭାରତରେ ସବୁ ଶିକ୍ଷିତ ଲୋକ ଅନ୍‌ଲାଇନ୍‌ କାରବାର କରୁନାହାନ୍ତି। ସେଭଳିସ୍ଥଳେ ଗାଁ ଗହଳିରେ ବାସ କରୁଥିବା ବ୍ୟକ୍ତି ପାଇଁ ଏକ ନୂତନ ବ୍ୟବସ୍ଥା ସୁରକ୍ଷିତ ମନେହେଉ ନାହିଁ। ଏବର ଅର୍ଥନୈତିକ ସ୍ଥିତିରେ ଲୋକେ ବଜାରରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପସନ୍ଦ କରୁନାହାନ୍ତି। ମାନ୍ଦାବସ୍ଥାକୁ ସମ୍ମୁଖୀନ ହେବା ସକାଶେ ନିଜ ପାଖରେ ନଗଦ ଅର୍ଥ ସାଇତି ରଖିବାକୁ ଚେଷ୍ଟା କଲେଣି। କାରଣ ସେମାନେ ବୁଝିଲେଣି ଅସୁବିଧା ବେଳେ ନଗଦ ଅର୍ଥ କାମରେ ଆସିବ। ଏଠାରେ ଉଲ୍ଲେଖ କରାଯାଇପାରେ, ଯେତେବେଳେ ବିଗତ ଦିନରେ ବିମୁଦ୍ରୀକରଣ ସମର୍ଥକ ପାଲଟି ଯେଉଁମାନେ ବିଭିନ୍ନ ଉଚ୍ଚକୋଟୀର ଅର୍ଥନୈତିକ ମନ୍ତବ୍ୟ ଶୁଣାଉଥିଲେ, ସେମାନେ ଏବେ ଜନସାଧାରଣ ସହୁଥିବା କଷ୍ଟ ସମ୍ପର୍କରେ ଦେଶକୁ ବୁଝାଇବା ଉଚିତ।
ସବୁକିଛି ଅନ୍‌ଲାଇନ୍‌ କରିବା ଲାଗି ଦେଶବ୍ୟାପୀ ଯେଉଁ ଉଦ୍ୟମ କରାଯାଉଛି, ତାହା ଦ୍ୱାରା କାହାର କାର୍ଯ୍ୟ ତ୍ୱରାନ୍ବିତ ହେଉଥାଇପାରେ, ସାଧାରଣ ନାଗରିକର କ୍ଷତି ଘଟୁଥିବା ପରିଲକ୍ଷିତ ହେଉଛି। ଓଡ଼ିଶାରେ ମଣ୍ଡିରେ ଧାନ ବିକ୍ରିକୁ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ପଶ୍ଚିମ ଓଡିଶାରେ ଏବେ ଚାଷୀମାନେ ରାଜ୍ୟସ୍ତରୀୟ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ମିଳୁଥିବା ଟୋକନ୍‌ ଯୋଗୁ ହଇରାଣ ହେଉଥିବା ଅଭିଯୋଗ କରୁଛନ୍ତି। ଧାନକୁ ମଣ୍ଡିରେ ଦିନ ଦିନ ଧରି ରଖିଥିଲେ ମଧ୍ୟ ତାହାକୁ ବିକ୍ରି କରିପାରୁ ନାହାନ୍ତି। ତେଣୁ ଟୋକନ୍‌ ବ୍ୟବସ୍ଥା ଉଚ୍ଛେଦ କରିବା ଲାଗି ଚାଷୀମାନେ ଦାବି କରୁଛନ୍ତି। ଦେଖିବାକୁ ଗଲେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମଣ୍ଡି ସୁପରିଚାଳନାରେ ଥିବା ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଇ କାର୍ଯ୍ୟକୁ ସୁରୁଖୁରୁରେ କିଭଳି କରାଯାଇପାରିବ ସେଥିଲାଗି ଚେଷ୍ଟା ହେବା ଦରକାର। ଅନ୍‌ଲାଇନ୍‌ରେ ସ୍ବଚ୍ଛତା ଅଣାଯାଇ ବ୍ୟବସ୍ଥିତ କରାଯିବା ଲାଗି ସବୁ ପ୍ରକାର ପ୍ରୟାସ କରାଯାଉଛି ବୋଲି କେବଳ କହିଚାଲିଲେ ଚାଷୀକୁଳ ବୁଡ଼ିଯିବ। ଏଠାରେ ସନ୍ଦେହ ଉପୁଜୁଛି ଯେ, ଏଭଳି ଜୋରଜବରଦସ୍ତ ଅନ୍‌ଲାଇନ୍‌ ବ୍ୟବସ୍ଥା ଗିଳେଇବାର ଉଦ୍ୟମ କାହାର ମଙ୍ଗଳ ପାଇଁ ଉଦ୍ଦିଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

୨୦୧୫ରେ ମୁମ୍ବାଇର ଦାଦାରାଓ ବିଲ୍‌ହୋରେଙ୍କ ଦୁଇପୁଅ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିରେ ବଡ଼ପୁଅର ମୃତ୍ୟୁ ହୋଇଥିଲା ଏବଂ ସାନ ବଞ୍ଚତ୍ୟାଇଥିଲେ। ବର୍ଷା ଯୋଗୁ ଖାଲଖମାରେ ପାଣି…

ବିଜ୍ଞାନର ଅନିୟନ୍ତ୍ରିତ ପ୍ରୟୋଗ

ମଣିଷର ବିକାଶ ଯାତ୍ରା ଦ୍ରୁତଗତିରେ ବଢ଼ିଚାଲିଛି। ବିକାଶ ଯାତ୍ରାରେ ନିଜକୁ ସାମିଲ କରି ମଣିଷର ଅହଂକାର ନିଶ୍ଚିତରୂପେ ଧୀରେ ଧୀରେ ଉଗ୍ର ହେବା ସ୍ବାଭାବିକ। ବିଜ୍ଞାନକୁ ଅସ୍ତ୍ର…

ଇଣ୍ଡୋ-ପ୍ୟାସିଫିକ୍‌ ଓ ଭାରତ

ଭାରତ ମହାସାଗରରୁ ପଶ୍ଚିମ ପ୍ରଶାନ୍ତମହାସାଗର (ପ୍ୟାସିଫିକ୍‌) ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡୋ-ପ୍ୟାସିଫିକ୍‌ ଅଞ୍ଚଳ ସମୁଦ୍ରପଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ଅର୍ଥନୀତି ଓ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରମୁଖ ପ୍ରସଙ୍ଗ…

ଭକ୍ତିଭାବରେ ଅନେକ କୃଷ୍ଣ

ଭାରତରେ କେବଳ ଜଣେ କୃଷ୍ଣ ନାହାନ୍ତି, ଅନେକ କୃଷ୍ଣ ଅଛନ୍ତି। ପ୍ରତ୍ୟେକ ଅଞ୍ଚଳ, ଭାଷା, ସାମାଜିକ ବର୍ଗ ଓ ଐତିହାସିକ ସମୟର ଦୃଷ୍ଟିକୋଣ କୃଷ୍ଣଙ୍କ ସ୍ବରୂପ ଓ…

ଏଇ ଭାରତରେ

ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌ ଗଁାରେ ଥିବା କେ. ଖେଲ୍‌. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ ହେଉଥିବା ପନିପରିବା ଚିନ୍ତାରୁ ପୂରା ମୁକ୍ତ…

ଶିକ୍ଷା ବିନା ବିକାଶ ଅସମ୍ଭବ

ଶିକ୍ଷା ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ସେଥିପାଇଁ ଯେଉଁ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼ ସେହି ରାଷ୍ଟ୍ର ସେତେ ବିକଶିତ। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ…

ହ୍ବାଟ୍ସଆପ୍‌ ଗ୍ରୁପ୍‌ର ବିଷାକ୍ତ ଚିତ୍ର

ସକାଳୁ ସକାଳୁ ମୁଁ ରହିଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଗୋଟିଏ ମେସେଜ ଆସିଲା, ଯାହାର ଆରମ୍ଭରେ ଲେଖାଥିଲା- ”ଦୟାକରି ଏହି ବାର୍ତ୍ତାଟି ପଢ଼ନ୍ତୁ ଏବଂ ଏହାକୁ ଆପଣଙ୍କ ବନ୍ଧୁ,…

ସିଜିମାଳିରୁ ସିଆଙ୍ଗ

ଅକ୍ଟୋବର ୨୩ରେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ୍‌ କପୁର କହିଥିଲେ, ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା ଓ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?