କଶ୍ମୀର ଓ ବିଜୁବାବୁ

ଇଂ. ମାୟାଧର ସ୍ବାଇଁ
କେନ୍ଦ୍ର ସରକାର ଅଗଷ୍ଟ ପ୍ରଥମ ସପ୍ତାହରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଠାଇଦେଇ ଜମ୍ମୁ-କଶ୍ମୀରକୁ ଦୁଇଟି ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କଲେ। ଅନୁଚ୍ଛେଦ ୩୭୦ ବଳରେ ଜମ୍ମୁ-କଶ୍ମୀର ପାଇଁ ଅନ୍ୟ ରାଜ୍ୟଠାରୁ କେତେକ ଅଲଗା ନିୟମ ଥିଲା, ଯେପରି ଏହାର ଅଲଗା ପତାକା ଓ ସମ୍ବିଧାନ। ଏହି ଅନୁଚ୍ଛେଦରେ ଥିବା ଧାରା ୩୫(କ) ଅନୁଯାୟୀ ଅନ୍ୟ ରାଜ୍ୟର ଅଧିବାସୀମାନେ ଜମ୍ମୁ-କଶ୍ମୀରରେ ଜମି ଓ ଅନ୍ୟ ସ୍ଥାବର ସମ୍ପତ୍ତି କ୍ରୟ କରିପାରୁ ନ ଥିଲେ। ଏପରିକି ସେଠାକାର ଲୋକମାନେ ଭାରତୀୟ ନାଗରିକ ହେବା ସହିତ ଜମ୍ମୁ ଓ କଶ୍ମୀରର ନାଗରିକ ଭାବେ ଗଣା ଯାଉଥିଲେ। ଏହି ରାଜ୍ୟର ଜଣେ ମହିଳା ଅନ୍ୟ ରାଜ୍ୟର ଲୋକଙ୍କୁ ବିବାହ କଲେ, ତାହାର ପୈତୃକ ସମ୍ପତ୍ତି ସମେତ ଅନ୍ୟ କେତେକ ଅଧିକାର ହରାଉଥିଲା। ଅନୁଚ୍ଛେଦ ୩୭୦ ହଟିବା ପରେ ଅଧିକାଂଶ ଭାରତୀୟ ଖୁସି ପ୍ରକଟ କରୁଥିବା ବେଳେ କେତେକେ ଏହାର ବିରୋଧ କରୁଛନ୍ତି। ଏହା ହେଉଛି ବର୍ତ୍ତମାନ ଦେଶର ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ। କିନ୍ତୁ ଏଠାରେ ଏହି ବିବାଦ ଉପରେ ଆଲୋଚନା ନ କରି ଭାରତ ସହ ଜମ୍ମୁ ଓ କଶ୍ମୀରର ମିଶ୍ରଣରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରାଯାଇଛି। ପ୍ରଥମେ କଶ୍ମୀର ଭାରତରେ ମିଶିବାର ଘଟଣାକ୍ରମକୁ ଦେଖାଯାଉ।
ଇଂରେଜମାନେ ଭାରତରୁ ଯିବା ପୂର୍ବରୁ ଏହାକୁ ଦୁଇଟି ଦେଶ ଭାରତ ଓ ପାକିସ୍ତାନ ଭାବେ ବିଭକ୍ତ କରିଦେଲେ। ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ଗଠିତ ହେଲା ଓ ୧୫ ତାରିଖରେ ଭାରତ ସ୍ବାଧୀନତା ଲାଭ କଲା। କିନ୍ତୁ ଇଂରେଜମାନେ ରାଜାମାନଙ୍କ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକୁ ଭାରତ କିମ୍ବା ପାକିସ୍ତାନରେ ନ ମିଶାଇ ଏହାକୁ ସେମାନଙ୍କ ଉପରେ ଛାଡ଼ିଦେଲେ। ସେମାନେ ନିଜ ଇଚ୍ଛାନୁସାରେ ଭାରତ କିମ୍ବା ପାକିସ୍ତାନରେ ଯୋଗ ଦେଇପାରିବେ କିମ୍ବା ନିଜେ ସ୍ବାଧୀନ ହୋଇ ରହିପାରିବେ। ସ୍ବାଧୀନତା ପାଇବା ପରେ ଭାରତର ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରଚେଷ୍ଟାରେ ୫୬୫ଟି ଗଡ଼ଜାତ ରାଜ୍ୟ ଭାରତରେ ମିଶିଲେ।
ସେତେବେଳେ କଶ୍ମୀରର ଶାସକ ଥିଲେ ମହାରାଜା ହରି ସିଂହ। ସେ ଭାରତ କିମ୍ବା ପାକିସ୍ତାନରେ ନ ମିଶି ସ୍ବାଧୀନ ରହିବାକୁ ଇଚ୍ଛା କରିଥିଲେ। ସେ ନିଜ ଦେଶକୁ ପ୍ରାଚ୍ୟର ସୁଇଜରଲାଣ୍ଡ କରିବା ପାଇଁ ଚାହିଁଥିଲେ ଏବଂ ସୁଇଜରଲାଣ୍ଡ ଭଳି କଶ୍ମୀରକୁ ପୃଥିବୀର ଅନ୍ୟତମ ପର୍ଯ୍ୟଟନସ୍ଥଳୀ କରିବାର ସ୍ବପ୍ନ ଦେଖିଥିଲେ। କୌଣସି ଦେଶ ସହ ନ ମିଶିବାର କାରଣ ଭାବେ କୁହାଗଲା ଯେ ଭାରତରେ ମିଶିଲେ ଏହାର ସଂଖ୍ୟାବହୁଳ ମୁସ୍‌ଲିମ ନାଗରିକମାନେ ଅସନ୍ତୁଷ୍ଟ ହେବେ ଏବଂ ପାକିସ୍ତାନରେ ମିଶିଲେ ଅଳ୍ପସଂଖ୍ୟକ ହିନ୍ଦୁ ଓ ଶିଖ୍‌ମାନେ ହଇରାଣ ହେବେ। କିନ୍ତୁ ୧୯୪୭ ମସିହା ଅକ୍ଟୋବରରେ ସବୁକିଛି ଓଲଟପାଲଟ ହୋଇଗଲା। ପାକିସ୍ତାନର ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶର କେତେଜଣ ପାଶ୍ଚୁନ ଜନଜାତି କଶ୍ମୀର ଆକ୍ରମଣ କଲେ। ଏହା ପଛରେ ପାକିସ୍ତାନ ସରକାରଙ୍କ ପ୍ରଚ୍ଛନ୍ନ ହାତ ଥିଲା। ଏପରିକି ପାକିସ୍ତାନର ଅନେକ ସୈନ୍ୟ ଛଦ୍ମବେଶରେ ଏହି ଆକ୍ରମଣରେ ସାମିଲ ହୋଇଥିଲେ ଏବଂ ବରିଷ୍ଠ ପାକିସ୍ତାନୀ ସେନା ଅଧିକାରୀ ଆକବର ଖାଁ ଏହାର ନେତୃତ୍ୱ ନେଇଥିଲେ। ଅକ୍ଟୋବର ଶେଷ ବେଳକୁ ପ୍ରାୟ ପାଞ୍ଚ ହଜାର ଆକ୍ରମଣକାରୀ କଶ୍ମୀରରେ ପ୍ରବେଶ କରିଥିଲେ। ସେମାନେ ତିନି ଦିନ ମଧ୍ୟରେ ମୁଜାଫରବାଦ, ଡୋମେଇ, ଗାରଭି ଓ ଚିନାରି ଅଧିକାର କରି ଉରି ଆଡ଼କୁ ଅଗ୍ରସର ହେଲେ। ସେମାନେ ଅନେକ ଗାଁରେ ନିଆଁ ଲଗାଇ ଲୁଟପାଟ କରିଥିଲେ। ଉରିଠାରେ ସେମାନଙ୍କୁ କଶ୍ମୀର ସେନାର ବ୍ରିଗେଡିୟର ରାଜିନ୍ଦର ସିଂହ ତିନିଶହ ସୈନିକଙ୍କ ସହ ପ୍ରତିରୋଧ କଲେ। ଏଥିରେ ବ୍ରିଗେଡିୟରଙ୍କ ସମେତ ଅଧିକାଂଶ ସୈନ୍ୟ ନିହତ ହେଲେ। କିନ୍ତୁ ସେମାନଙ୍କର ଏହି ସାହସିକ ଲଢ଼େଇ ଯୋଗୁ ମହାରାଜା ହରି ସିଂହଙ୍କୁ ଶ୍ରୀନଗରରୁ ଖସିଯିବା ପାଇଁ ଏବଂ ଭାରତ ସହ ମିଶ୍ରଣ ଚୁକ୍ତି କରିବା ପାଇଁ ସମୟ ମିଳିଗଲା।
୧୯୪୭ ଅକ୍ଟୋବର ୨୪ ତାରିଖରେ ମହାରାଜା ହରି ସିଂହ ସାହାଯ୍ୟ ପାଇଁ ଭାରତ ସରକାରଙ୍କୁ ଜରୁରୀ ଅନୁରୋଧ କଲେ। ତା’ ପରଦିନ ଭାରତ ସରକାରଙ୍କ ସ୍ବରାଷ୍ଟ୍ର ସଚିବ ଭି.ପି. ମେନନ୍‌ ଶ୍ରୀନଗର ଯାଇ ମହାରାଜାଙ୍କୁ ସ୍ଥଳପଥରେ ଜମ୍ମୁ ପଠାଇଦେଲେ। ସେତେବେଳକୁ ରାଜପ୍ରାସାଦକୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ସୈନ୍ୟ ମଧ୍ୟ ନ ଥିଲେ। ଅକ୍ଟୋବର ୨୬ ତାରିଖରେ ଭାରତ ସରକାରଙ୍କର ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀନଗରକୁ ଦୁଇ କମ୍ପାନୀ ସୈନ୍ୟ ପଠାଇବା ପାଇଁ ନିଷ୍ପତ୍ତି ନେଲା। ମାତ୍ର ବଡଲାଟ ମାଉଣ୍ଟ ବେଟେନ ଗୋଟିଏ ନିରପେକ୍ଷ ଦେଶକୁ ସେନା ପଠାଇବା ସପକ୍ଷରେ ନ ଥିଲେ। ଏଣୁ ମେନନ୍‌ ଜମ୍ମୁ ଯାଇ ମହାରାଜାଙ୍କୁ ପ୍ରସ୍ତାବ ଦେଲେ ଯେ ଭାରତ ସେନାର ସାହାଯ୍ୟ ପାଇବାକୁ ହେଲେ ଭାରତରେ କଶ୍ମୀରର ମିଶ୍ରଣ କରିବାକୁ ପଡ଼ିବ। ମହାରାଜା ଏଥିରେ ରାଜିହୋଇ ମିଶ୍ରଣ ଚୁକ୍ତିରେ ୧୯୪୭ ଅକ୍ଟୋବର ୨୬ ତାରିଖରେ ଦସ୍ତଖତ କଲେ। ମାତ୍ର ଏଥିରେ କଶ୍ମୀରକୁ କେତେକ ସ୍ବତନ୍ତ୍ର ସୁବିଧା ଦେବା ପାଇଁ ପ୍ରସ୍ତାବ ଦେଲେ। ଏହି ପ୍ରସ୍ତାବକୁ ଅସ୍ଥାୟୀ ଉଲ୍ଲେଖ କରାଯାଇ ଭାରତ ସରକାର ଅକ୍ଟୋବର ୨୭ ତାରିଖରେ ଏହାକୁ ଗ୍ରହଣ କରିନେଲେ। ଏହି ଅସ୍ଥାୟୀ ପ୍ରସ୍ତାବ ୭୨ ବର୍ଷ ପରେ ବର୍ତ୍ତମାନ ହଟିଯାଇଛି।
ଭାରତ ସରକାର ପାକିସ୍ତାନୀ ଆକ୍ରମଣକାରୀଙ୍କଠାରୁ କଶ୍ମୀରକୁ ରକ୍ଷାକରିବା ପାଇଁ ୧୯୪୭ ଅକ୍ଟୋବର ୨୭ ତାରିଖରେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଦଓ୍ବୋନ ରଣଜିତ ରାୟଙ୍କ ନେତୃତ୍ୱରେ ପ୍ରଥମ ଦଫାରେ ପ୍ରଥମ ଶିଖ୍‌ ରେଜିମେଣ୍ଟର ୧୭ ଜଣ ସୈନିକଙ୍କୁ ପଠାଇଲେ। ଅଧିକାଂଶ ସ୍ଥଳପଥ ଆକ୍ରମଣକାରୀଙ୍କ ଦ୍ୱାରା ଅବରୋଧ ହୋଇଥିବାରୁ ଏବଂ ସମୟ ଅଭାବରୁ ଆକାଶପଥରେ ସୈନ୍ୟମାନଙ୍କୁ ନେବା ଏକମାତ୍ର ବିକଳ୍ପ ଥିଲା। ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅନୁରୋଧରେ ବିଜୁବାବୁ ଡାକୋଟା ବିମାନରେ ସୈନ୍ୟମାନଙ୍କୁ ନେଇ ଶ୍ରୀନଗର ବିମାନଘାଟିରେ ଅବତରଣ କରାଇଥିଲେ। ବିଜୁବାବୁ ଜଣେ ଦୁଃସାହସିକ ପାଇଲଟ ଭାବେ ଜଣା ଥିଲେ ଏବଂ ଏହି କାର୍ଯ୍ୟ ସେ ହିଁ କେବଳ କରିପାରିବେ ବୋଲି ନେହେରୁ ମନେ କରିଥିଲେ। ସେତେବେଳକୁ ଆକ୍ରମଣକାରୀମାନେ ଶ୍ରୀନଗର ବିମାନବନ୍ଦରକୁ ଅଧିକାର କରିଥିଲେ ନା ନାହିଁ, ତାହାର ଖବର ଜଣା ନ ଥିଲା। ଆକ୍ରମଣକାରୀଙ୍କ ଦୃଷ୍ଟି ଆଢୁଆଳରେ ରହିବା ପାଇଁ ବିଜୁବାବୁ ବିପଜ୍ଜନକ ଭାବେ ବିମାନକୁ ଅତି କମ୍‌ ଉଚ୍ଚତାରେ ଉଡ଼ାଇ ନେଇଥିଲେ। ବିଜୁବାବୁ ସେହିଦିନ ଅନେକଥର ଦିଲ୍ଲୀରୁ ଶ୍ରୀନଗରକୁ ବିମାନ ଚଳାଇ ସୈନ୍ୟମାନଙ୍କୁ ସେଠାକୁ ନେଇଥିଲେ। ଫଳସ୍ବରୂପ ଭାରତୀୟ ସୈନ୍ୟମାନେ ଆକ୍ରମଣକାରୀଙ୍କୁ ଶ୍ରୀନଗର ଦଖଲ କରିବାକୁ ଦେଇ ନ ଥିଲେ ଏବଂ ସେଠାରୁ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ବିଜୁବାବୁଙ୍କ ଯୋଗୁ କଶ୍ମୀର ରକ୍ଷା ପାଇ ଭାରତରେ ମିଶିଲା। ନେହେରୁଙ୍କ ସମେତ ଅନେକ ନେତା ବିଜୁବାବୁଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ। କିନ୍ତୁ ଦୁଃଖର କଥା ଯେ, କଶ୍ମୀର ଯୁଦ୍ଧ ଇତିହାସ ଲେଖିବା ବେଳେ କେହି ବିଜୁବାବୁଙ୍କ ମହାର୍ଘ ଅବଦାନ ସମ୍ବନ୍ଧରେ ଉଲ୍ଲେଖ କରିନାହାନ୍ତି।
ଏବେ ଅନୁଚ୍ଛେଦ ୩୭୦ ହଟିଯିବା ପରେ କଶ୍ମୀର ସର୍ବତ୍ର ଆଲୋଚନାର ବିଷୟ ହୋଇଛି ଏବଂ ଲୋକେ ବିଜୁବାବୁଙ୍କୁ ମନେ ପକାଉଛନ୍ତି। ଏପରିକି ଲୋକ ସଭାରେ ମଧ୍ୟ ତାଙ୍କର ଏହି ସାହସିକ କାର୍ଯ୍ୟର ଆଲୋଚନା ହୋଇଛି। ପ୍ରକୃତ ଅର୍ଥରେ ତାଙ୍କୁ ଭାରତର ଗୋଟିଏ ଅମୂଲ୍ୟ ରତ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ।
୭୦, ଲକ୍ଷ୍ମୀବିହାର, ଫେଜ-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri