ଆଜିର ଅର୍ଥନୀତି/ ବୋଲକରା ଆର୍‌ବିଆଇ

ଦୀର୍ଘକାଳ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ମଧ୍ୟରେ ଟଣାଓଟରା ଚାଲିଥିଲା, ଯେଉଁଥିରେ ଦୁଇଜଣ ଆର୍‌ବିଆଇ ଗଭର୍ନରଙ୍କୁ ଆକସ୍ମିକଭାବେ ପଦତ୍ୟାଗ କରିବାକୁ ପଡ଼ିଥିଲା। କିନ୍ତୁ ଶେଷରେ ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ନିଜ ସୁବିଧା ଅନୁସାରେ ଚଳାଇବା ପାଇଁ ବାଟ ବାହାର କରିନେଇଛନ୍ତି। ରିଜର୍ଭ ବ୍ୟାଙ୍କ ତା’ର ୧.୭୬ ଲକ୍ଷ କୋଟି ଟଙ୍କାର ଉଦ୍‌ବୃତ୍ତ ପାଣ୍ଠି କେନ୍ଦ୍ର ସରକାରଙ୍କୁ ଦେବା ଲାଗି ରାଜି ହୋଇଯାଇଛି। ଏହି ବିପୁଳ ରାଶି ମଧ୍ୟରେ ଅଛି ୨୦୧୮-୧୯ ପାଇଁ ୧.୨୩ ଲକ୍ଷ କୋଟି ଟଙ୍କାର ଉଦ୍‌ବୃତ୍ତ (ଡିଭିଡେଣ୍ଡ) ଏବଂ ୫୨,୬୩୭ କୋଟି ଟଙ୍କାର ଅତିରିକ୍ତ ଜରୁରିକାଳୀନ ବ୍ୟବସ୍ଥା ପାଣ୍ଠି, ଯାହା ପୂର୍ବତନ ଆର୍‌ବିଆଇ ଗଭର୍ନର ବିମଲ ଜଲାନ୍‌ଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟି ଦ୍ୱାରା ଚିହ୍ନଟ ହୋଇଥିଲା ଏବଂ ଆର୍‌ବିଆଇ ବୋର୍ଡ ଦ୍ୱାରା ଗୃହୀତ ହୋଇଥିଲା। ଗତ କିଛିବର୍ଷ ଧରି କେନ୍ଦ୍ର ସରକାର ଓ ଆର୍‌ବିଆଇ ମଧ୍ୟରେ ଲାଗି ରହିଥିବା ଟଣାଓଟରାର ଏହାଦ୍ୱାରା ଏକପ୍ରକାର ପରିସମାପ୍ତି ଘଟିଛି। ଇତିମଧ୍ୟରେ ଆର୍‌ବିଆଇ ୨୮,୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତିକାଳୀନ ଡିଭିଡେଣ୍ଡ ପ୍ରଦାନ କରିସାରିଛି ଏବଂ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୯୦,୦୦୦ କୋଟି ଟଙ୍କା ଆର୍‌ବିଆଇଠାରୁ ପାଇବାକୁ ବଜେଟରେ ଘୋଷଣା କରି ସାରିଛନ୍ତି। ଏଣୁ ବାକି ୫୮,୦୦୦ କୋଟି ଟଙ୍କା ହେଉଛି ସରକାରଙ୍କର ଅପ୍ରତ୍ୟାଶିତ ଆୟ। ବର୍ତ୍ତମାନର ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କର କେନ୍ଦ୍ର ସରକାରଙ୍କ ପ୍ରତି ସଦାକୃତଜ୍ଞ ଭାବ ଦୃଷ୍ଟିକୋଣରୁ ଏତେବଡ଼ ପରିମାଣ ପ୍ରଦାନ କରିବାର ନିଷ୍ପତ୍ତି ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ।
ଆର୍‌ବିଆଇ ଗଭର୍ନର ଦାସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତଥା ନର୍ଥ ବ୍ଲକ୍‌ରେ ଥିବା ତାଙ୍କର ପୂର୍ବତନ ବସ୍‌ମାନଙ୍କୁ ଗଭର୍ନର ପଦରେ ନିଯୁକ୍ତି ପରଠାରୁ ସଦା ଖୁସି କରିବା ପାଇଁ ଚେଷ୍ଟା କରିଆସିଛନ୍ତି। ଗତ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ଆର୍‌ବିଆଇ ରେପୋ ରେଟ୍‌ରେ ମୋଟ ୧୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି ଏବଂ ଆଗକୁ ଆହୁରି ହ୍ରାସ କରିବା ପାଇଁ ସଙ୍କେତ ଦେଇଛି। ସଦ୍ୟତମ ନିଷ୍ପତ୍ତିରୁ ଜଣାପଡ଼ୁଛି ଯେ ସରକାରଙ୍କ ଆଗରେ ସେ ନଇଁବେ ବୋଲି ଆଶା କରାଯାଉଥିବା ବେଳେ ସେ ଗୁରୁଣ୍ଡିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତାଙ୍କର ଏପରି ଖୋସାମଦିଆ ଗୁଣ ନିଶ୍ଚିତ ଭାବେ କେନ୍ଦ୍ରୀୟ ବ୍ୟାଙ୍କର ଭାବମୂର୍ତ୍ତିରେ ଆଞ୍ଚ ଆଣିବ। ଆଶ୍ଚର୍ଯ୍ୟର କଥା ହେଉଛି ସରକାର ଆର୍‌ବିଆଇଠାରୁ ବଜେଟରେ ମାତ୍ର ୯୦,୦୦୦ କୋଟି ଟଙ୍କା ପାଇବାକୁ ଆଶା ରଖିଥିବା ବେଳେ ଏବଂ ଅଧିକ ଟଙ୍କା ପାଇଁ କୌଣସି ଚାପ ପକାଇ ନ ଥିବାବେଳେ ବ୍ୟାଙ୍କ ଏକକାଳୀନ ଏତେ ଟଙ୍କା ଦେବା ପାଇଁ କାହିଁକି ଘୋଷଣା କଲା। ଜଲାନ୍‌ କମିଟିର ପ୍ରସ୍ତାବ ଅନୁଯାୟୀ ଉପଲବ୍ଧ ଇକ୍ୱିଟିକୁ ୫.୫ ପ୍ରତିଶତକୁ କମାଇବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏକକାଳୀନ ଏତେ ଟଙ୍କା ଦେବା ପାଇଁ ଘୋଷଣା ନ କରି ପର୍ଯ୍ୟାୟକ୍ରମେ ଦେଇଥିଲେ ବରଂ ଭଲ ହୋଇଥାନ୍ତା। ଆର୍‌ବିଆଇ ଏତେ ଟଙ୍କା କିପରି ସଞ୍ଚୟ କଲା ତାହା ମଧ୍ୟ ସ୍ପଷ୍ଟ ନୁହେଁ। ୨୦୧୮-୧୯ ଆର୍ଥିକ ବର୍ଷରେ ୧.୨୩ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ସଞ୍ଚୟ ସର୍ବୋଚ୍ଚ ଏବଂ ଏହା ପୂର୍ବବର୍ଷ ଡିଭିଡେଣ୍ଡର ଦୁଇଗୁଣରୁ ଅଧିକ। ଗୋଟିଏ ବର୍ଷରେ ଏତେ ଟଙ୍କା ସଞ୍ଚୟ କିପରି ସମ୍ଭବ ହେଲା ତାହା ଅନୁସନ୍ଧାନସାପେକ୍ଷ। ଭାରତ ସରକାର ହେଉଛନ୍ତି ଆର୍‌ବିଆଇର ସାର୍ବଭୌମ ମାଲିକ। ତେଣୁ ବ୍ୟାଙ୍କର ସଞ୍ଚିତ ଧନରାଶିର କିପରି ବିନିଯୋଗ କରାଯିବ ସେ ସମ୍ପର୍କରେ ସରକାର ନିଷ୍ପତ୍ତି ନେଇପାରିବେ। ତଥାପି ସରକାର ସେପରି କରିବା ଦୁର୍ଭାଗ୍ୟଜନକ ହୋଇଥିବା ବେଳେ ବ୍ୟାଙ୍କ ଉକ୍ତ ବିପୁଳ ଧନରାଶି ସରକାରଙ୍କୁ ଉପହାର ଦେବା ଅଧିକ ଚିନ୍ତାଜନକ। ଏହି ଧନରାଶି ହେଉଛି ଆର୍‌ବିଆଇ ଦ୍ୱାରା ପିଢ଼ି ପରେ ପିଢ଼ି ଅନେକ ବର୍ଷ ଭିତରେ ସଞ୍ଚିତ ଇକ୍ୱିଟି। ଏଣୁ ଗୋଟିଏ ବର୍ଷରେ ନିଜର ଆବଶ୍ୟକତା ପୂରଣ ପାଇଁ କୌଣସି ସରକାର ଏହି ସଞ୍ଚିତ ଧନର ଏକାଂଶ ମଧ୍ୟ ନେଇ ଖର୍ଚ୍ଚ କରିବା ନୀତି ଦୃଷ୍ଟିରୁ ଠିକ୍‌ ନୁହେଁ। ଦେଶର ଦୁର୍ଦ୍ଦିନରେ ଏହି ଧନ ଖର୍ଚ୍ଚ କରିବା ପାଇଁ ଉଦ୍ଦିଷ୍ଟ, ଯାହା ଜଲାନ୍‌ କମିଟି ସୂଚିତ କରିଛି।
ଆର୍‌ବିଆଇ କୃତଜ୍ଞତାବଶତଃ ଉକ୍ତ ବିପୁଳ ଧନରାଶି ସରକାରଙ୍କୁ ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ସରକାର ଏହି ଟଙ୍କାକୁ କିପରି ଖର୍ଚ୍ଚ କରିବେ ସେ ନେଇ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ସରକାର ଏହି ଅର୍ଥକୁ ନିଜର ବିତ୍ତୀୟ ନିଅଣ୍ଟ ଚାପକୁ ପ୍ରଶମନ କରିବା ପାଇଁ ବିନିଯୋଗ କରିପାରନ୍ତି। ସରକାରଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ କରଜନିତ ରାଜସ୍ବ ହ୍ରାସ ଘଟିଥିବାରୁ ଏହି ଅପ୍ରତ୍ୟାଶିତ ଆୟ ତଜ୍ଜନିତ ଅଭାବ ପୂରଣ କରିବାରେ ସାହାଯ୍ୟ କରିବ। ଜିଏସ୍‌ଟି ଆଦାୟ ଆହୁରି ହ୍ରାସ ପାଇପାରେ। ଅର୍ଥନୀତିକୁ ଚଳତ୍‌ଶୀଳ କରିବା ପାଇଁ ଏହି ଅପ୍ରତ୍ୟାଶିତ ଆୟକୁ ବିନିଯୋଗ କରିବା ପରିବର୍ତ୍ତେ ଏହାକୁ ରାଜସ୍ବ ହ୍ରାସର ଭରଣା ପାଇଁ ବ୍ୟବହାର କରାଯାଇପାରେ। ଆମେ ଆଶା କରୁଛୁ ଏହି ବିପୁଳ ଦାନରାଶିକୁ ସରକାର ଅତ୍ୟନ୍ତ ଦୂରଦର୍ଶିତାର ସହିତ ବିବେକାନୁମୋଦିତ ଭାବରେ ଖର୍ଚ୍ଚ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri