କର୍ପୋରେଟ୍‌ଙ୍କ ଝୁଲାରେ ଦେଶ ସମ୍ପତ୍ତି

ଭାଲଚନ୍ଦ୍ର ଷଡ଼ଙ୍ଗୀ
କେନ୍ଦ୍ରର ଏନ୍‌ଡିଏ ସରକାର ନିଜର ଦ୍ୱିତୀୟ ପାଳିରେ ଦେଶର ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଏକ ବଡ଼ ଧରଣର ଘରୋଇକରଣ ଅଭିଯାନ ଆରମ୍ଭ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ବଜେଟୀୟ ନିଅଣ୍ଟକୁ ଭରିବା ନାଁରେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟତ୍ତ କମ୍ପାନୀକୁ ବିକ୍ରି କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଦେଶର ୫ଟି ଲାଭଜନକ ରାଷ୍ଟ୍ରାୟତ୍ତ ସଂସ୍ଥାକୁ ସମ୍ପୂର୍ଣ୍ଣ ବିକ୍ରି କରିବାକୁ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ ଲିମିଟେଡ୍‌, ଶିପିଂ କର୍ପୋରେଶନ ଅଫ୍‌ ଇଣ୍ଡିଆ, କନ୍‌କୋର କର୍ପୋରେଶନ, ଟିଏଚ୍‌ଡିସି ଇଣ୍ଡିଆ ଏବଂ ଉତ୍ତରପୂର୍ବ ବିଦ୍ୟୁତ୍‌ ସଂସ୍ଥା ବା ନିପ୍‌କୋ। ଏହା ବ୍ୟତୀତ ସରକାର ଦେଶର ବିମାନ ଚଳାଚଳ, ଇଲେକ୍ଟ୍ରୋନିକ୍ସ, ବନ୍ଦର, ରେଳବାଇ, ପ୍ରତିରକ୍ଷା ଉପତ୍ାଦନ ପରି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ୨୮ଟି ରାଷ୍ଟ୍ରାୟତ୍ତ ସଂସ୍ଥାର ତାଲିକା ପ୍ରସ୍ତୁତ କରି ସେଥିରେ ଥିବା ନିଜର ଅଂଶଧନକୁ ବିକ୍ରି କରି ୫୧%ରୁ ତଳକୁ ନେଇ ଆସିବାକୁ ଘୋଷଣା କରିଛନ୍ତି। ଅର୍ଥନୀତିର ଭାଷାରେ ଏସବୁ ସଂସ୍ଥା ସମ୍ପୂର୍ଣ୍ଣ ରୂପେ ବିକ୍ରି ହେଉ ନ ଥିଲେ ମଧ୍ୟ ସେସବୁରେ ସରକାରଙ୍କ ଅଂଶଧନ ୫୦%ରୁ କମ୍‌ ହେବାକୁ ଯାଉଥିବାରୁ ନିୟମ ଅନୁଯାୟୀ ଉପରୋକ୍ତ ସଂସ୍ଥାମାନଙ୍କର ପରିଚାଳନା ଓ ନିଷ୍ପତ୍ତି ନେବାର ଅଧିକାର ଆଉ ସରକାରଙ୍କର ରହିବନି। ଏଣିକି ସେସବୁର ପରିଚାଳନା ଏବଂ ନୀତିଗତ ନିଷ୍ପତ୍ତି ନେବାର କ୍ଷମତା ସଂଖ୍ୟାଗରିଷ୍ଠ ଅଂଶଧନର ମାଲିକ ରୂପେ ପରିଚିତ ଘରୋଇ କମ୍ପାନୀ ହାତକୁ ଚାଲିଯିବ।
ଏଥିରେ କେହି ଦ୍ୱିମତ ହେବେନି ଯେ ସ୍ବାଧୀନତୋତ୍ତର ଭାରତ ଅର୍ଥନୀତିର ବିକାଶ ପାଇଁ ଭିତ୍ତିଭୂମିର ବିକାଶ କରିବା ଉଦ୍ଦେଶ୍ୟରେ ଜନଗଣଙ୍କ କଷ୍ଟଲବ୍ଧ ଅର୍ଥରେ ଏହି ଶିଳ୍ପ ଓ ସଂସ୍ଥାଗୁଡ଼ିକ ଦିନେ ତିଆରି ହୋଇଥିଲା। ତାହା ଏଯାଏ ନିରବଚ୍ଛିନ୍ନ ଭାବେ ଦେଶବାସୀଙ୍କୁ ସେବା ଯୋଗାଇବା ସହ ଲାଭ ଏବଂ କର ଟିକସ ବାବଦରେ ସରକାରୀ ରାଜକୋଷକୁ ବିପୁଳ ରାଜସ୍ବ ଯୋଗାଇ ଆସିଛନ୍ତି। ଏପରି କି ଏସବୁ ସଂସ୍ଥାମାନଙ୍କରୁ ସରକାର ବିପୁଳ ପରିମାଣରେ ପୁଞ୍ଜି ନେଇ ଦେଶର ବିକାଶମୂଳକ କାମରେ ବିନିଯୋଗ କରି ଆସିଛନ୍ତି। ଅତଏବ ଦେଶର ଅର୍ଥନୀତିରେ ରାଷ୍ଟ୍ରାୟତ୍ତ ସଂସ୍ଥାର ଯେଉଁ ଗୁରୁତ୍ୱ ରହିଛି ତାହା ବାରମ୍ବାର ପ୍ରମାଣିତ ହୋଇଛି।
ସ୍ବାଧୀନତାର ପରବର୍ତ୍ତୀ ଅବସ୍ଥାରେ ଗୃହୀତ ହୋଇଥିବା ଆମର ପ୍ରଥମ ଶିଳ୍ପନୀତିରେ ଦେଶରେ ରାଷ୍ଟ୍ରାୟତ୍ତ ଶିଳ୍ପ ଗଢ଼ିବା ଉପରେ ଜୋର ଦିଆଯାଇଥିଲା। ଦେଶର ଭିତ୍ତିଭୂମି ଯୋଗାଉଥିବା ଭାରି ଶିଳ୍ପମାନଙ୍କରେ ବିପୁଳ ପୁଞ୍ଜିନିବେଶ ଦରକାର ପଡ଼ୁଥିବାରୁ ତଥା ତତ୍‌କ୍ଷଣାତ୍‌ ମୁନାଫାର ସମ୍ଭାବନା ନ ଥିବାରୁ ଦେଶୀ ବିଦେଶୀ ବୃହତ୍‌ ପୁଞ୍ଜିପତିମାନେ ସେତେବେଳେ ଏନେଇ ଆଗ୍ରହ ଦେଖାଇ ନ ଥିଲେ। ତେବେ ଏସବୁ ଶିଳ୍ପ ପାଇଁ ତତ୍କାଳୀନ ସରକାରଙ୍କ ଗୁରୁତ୍ୱ ଯୋଗୁ ଦ୍ୱିତୀୟ ପଞ୍ଚବାର୍ଷିକୀ ଯୋଜନା କାଳରେ ଏହାର ବ୍ୟାପକ ଭାବେ ପ୍ରୟୋଗ ହେବା ସହ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଇସ୍ପାତ, ବିଦ୍ୟୁତ୍‌, ତୈଳ ବିଶୋଧନାଗାର, ଯନ୍ତ୍ର ତିଆରି କାରଖାନା, ମେଶିନ୍‌ ଟୁଲ୍‌ସ ଆଦିର କାରଖାନା ସବୁ ଗଢ଼ି ଉଠିଥିଲା। ପରେ ୧୯୬୯ ମସିହାରେ ବ୍ୟାଙ୍କ୍‌ ଶିଳ୍ପର ଏବଂ ୧୯୭୩ ମସିହାରେ ସାଧାରଣ ବୀମା ଏବଂ କୋଇଲା ଶିଳ୍ପର ଜାତୀୟକରଣ ମଧ୍ୟ ଦେଇ ଏହି ପ୍ରକ୍ରିୟା ଆହୁରି ଜୋରଦାର ହୋଇଥିଲା। ଏହା ପରଠାରୁ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଥିବା ବ୍ୟାଙ୍କ୍‌ ଓ ବୀମା ଶିଳ୍ପ ଦେଶର ଅର୍ଥନୈତିକ ସାର୍ବଭୌମତ୍ୱରେ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରି ଆସିଛି। ଆଜି ଆର୍ଥିକ ସଙ୍କଟ ଆଳରେ ଏସବୁକୁ ଦେଶୀ ବିଦେଶୀ ବୃହତ୍‌ କର୍ପୋରେଟ୍‌ମାନଙ୍କ ହାତକୁ ଟେକି ଦେବାର ପରିଣତି ହେବ ଦେଶର ଅର୍ଥନୈତିକ ସାର୍ବଭୌମତ୍ୱକୁ ଜାଣିଶୁଣି ଦୁର୍ବଳ କରିବା।
ସରକାର ସମ୍ପୂର୍ଣ୍ଣ ଭାବେ ବିକ୍ରି କରିଦେବାକୁ ଘୋଷଣା କରିଥିବା ରାଷ୍ଟ୍ରାୟତ୍ତ କମ୍ପାନୀମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ ଲିମିଟେଡ୍‌ ବା ବିପିସିଏଲ୍‌, ଯାହା କି ଦେଶର ଆଠଟି ମହାରତ୍ନ କମ୍ପାନୀ ମଧ୍ୟରୁ ଅନ୍ୟତମ। ଗତ ୧୬ ବର୍ଷ ଧରି ଏହି କମ୍ପାନୀ ଫରଚ୍ୟୁନ୍‌ ପତ୍ରିକା ଦ୍ୱାରା କରାଯାଇଥିବା ସର୍ଭେରେ ବିଶ୍ୱର ୫୦୦ଟି ବଡ଼ କମ୍ପାନୀ ମଧ୍ୟରେ ପ୍ରତିବର୍ଷ ସ୍ଥାନ ପାଇ ଆସିଛି। ଏହା ଆମ ଦେଶର ଷଷ୍ଠ ବଡ଼ କମ୍ପାନୀ, ଯେଉଁଥିରେ ସରକାରଙ୍କ ୫୩.୨୯% ଅଂଶଧନ ରହିଛି। ଦେଶର ମୋଟ ତୈଳ ବ୍ୟବସାୟର ଏକ ଚତୁର୍ଥାଂଶ ଏହି କମ୍ପାନୀ ସମ୍ଭାଳୁଛି। ବିପିସିଏଲ୍‌ ବିକ୍ରି ହେଲେ ଦେଶରେ ଜାଳେଣି ବାଣିଜ୍ୟର ଚିତ୍ରଟି ସମ୍ପୂର୍ଣ୍ଣ ରୂପେ ବଦଳିଯିବ। ଅନ୍ୟତମ ବଡ଼ ତୈଳ କମ୍ପାନୀ ରିଲାଏନ୍ସ ଏହାର ଅଂଶଧନ କିଣିବାକୁ ଲକ୍ଷ୍ୟ ରଖିଥିବାରୁ ଘରୋଇକରଣ ପରେ ଦେଶର ପେଟ୍ରୋଲିୟମ୍‌ କାରବାରରେ ରିଲାଏନ୍ସର ଏକାଧିପତ୍ୟ ସ୍ଥାପନ ହେବ।
ତେବେ କେବଳ ବିପିସିଏଲ୍‌ ନୁହେଁ, ଆଗାମୀ ଦିନରେ ସରକାରଙ୍କ ଅଧୀନରେ ଥିବା ସବୁ ରାଷ୍ଟ୍ରାୟତ୍ତ ଶିଳ୍ପ ଓ ପରିସେବାକୁ କର୍ପୋରେଟ୍‌ମାନଙ୍କୁ ବିକ୍ରିକରି ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାର ଘରୋଇକରଣର ଏଭଳି ଏକ ରୋଡମ୍ୟାପ୍‌ ତିଆରି କରିଛନ୍ତି, ଯାହା ଫଳରେ ଆଗାମୀ ତିନିବର୍ଷ ମଧ୍ୟରେ ଦେଶର ସମସ୍ତ ସରକାରୀ ଉଦ୍ୟୋଗର ଅଂଶଧନ ୪୯ ପ୍ରତିଶତରୁ ତଳକୁ ଆସିଯିବ। ଇତି ମଧ୍ୟରେ ଦେଶର ରାଷ୍ଟ୍ରାୟତ୍ତ ସଂସ୍ଥା ବିଶେଷ କରି ରାଷ୍ଟ୍ରାୟତ୍ତ ଶିଳ୍ପ, ବ୍ୟାଙ୍କ୍‌, ବୀମା ଏବଂ କେନ୍ଦ୍ରୀୟ ସରକାରୀ ପରିସେବା ବିଶେଷତଃ ରେଳ, ପ୍ରତିରକ୍ଷା ସରଞ୍ଜାମ ଉପତ୍ାଦନ ବ୍ୟବସ୍ଥା, ଡାକ ବ୍ୟବସ୍ଥା, ବିଏସ୍‌ଏନ୍‌ଏଲ୍‌ ଇତ୍ୟାଦି କ୍ଷେତ୍ରରେ ଘରୋଇକରଣ ପ୍ରକ୍ରିୟା ଜୋରଦାର ଆରମ୍ଭ ହୋଇଛି। କିଛିଦିନ ପୂର୍ବରୁ ସରକାର ଦେଶର ଛଅଟି ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ ଟେକି ଦେଇଥିବା ବେଳେ ଆହୁରି ୨୦-୨୫ଟି ବିମାନବନ୍ଦରକୁ ବିକ୍ରି କରିବାକୁ ଘୋଷଣା କରାଯାଇଛି। ଏହାର ଲାଭ ପ୍ରଧାନମନ୍ତ୍ରୀଙ୍କ ନିକଟତମ ଶିଳ୍ପପତି ଆଦାନୀଙ୍କୁ ମିଳିଛି। ଭାରତୀୟ ରେଳକୁ ପର୍ଯ୍ୟାୟକ୍ରମେ ଘରୋଇକରଣ କରିବାର ପ୍ରକ୍ରିୟା ଜାରି ରହିଛି।
ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି। ଗତ ତିନିବର୍ଷ ମଧ୍ୟରେ ବ୍ୟାଙ୍କ୍‌ ସମ୍ମିଶ୍ରଣ ପର୍ବ ଆରମ୍ଭ ହୋଇଛି। ନିକଟରେ ଦଶଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ର ମିଶ୍ରଣ କରି ତାକୁ ଚାରୋଟି ବ୍ୟାଙ୍କ୍‌ରେ ପରିଣତ କରାଯାଇଛି। ଏହି ସମ୍ମିଶ୍ରଣ ଫଳରେ ଦେଶର ହଜାର ହଜାର ବ୍ୟାଙ୍କ୍‌ ଶାଖା ବନ୍ଦ ହୋଇ ଲୋକେ ପୂର୍ବରୁ ପାଇ ଆସୁଥିବା ସରକାରୀ ବ୍ୟାଙ୍କ୍‌ସେବାରୁ ବଞ୍ଚିତ ହେବା ସହ ଏଥିରେ କାର୍ଯ୍ୟରତ ଲକ୍ଷ ଲକ୍ଷ କର୍ମଚାରୀ ବେକାର ହେବେ। ଗ୍ରାମାଞ୍ଚଳରେ ରହିଥିବା ଏସବୁ ଶାଖାଗୁଡ଼ିକ ବନ୍ଦ ହୋଇଯିବା ଫଳରେ ସୁଦୂର ଗ୍ରାମାଞ୍ଚଳରେ ଗରିବ ଲୋକେ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ସରକାରଙ୍କ ଘରୋଇକରଣ ନୀତିର ସବୁଠାରୁ ବଡ଼ ଶିକାର ହୋଇଛି ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌। ଏହାର ଦେଶବ୍ୟାପୀ ଯେଉଁ ବିଶାଳ ଟେଲିକମ୍‌ ଭିତ୍ତିଭୂମି ରହିଛି ତାହା ଜନସାଧାରଣଙ୍କ ଅର୍ଥରେ ନିର୍ମିତ ଏବଂ ଦେଶର ନିରାପତ୍ତା ସ୍ବାର୍ଥରେ ଏହା ସରକାରଙ୍କ ହାତରେ ରହିବା ଜରୁରୀ। କିନ୍ତୁ ଗତ ପାଞ୍ଚବର୍ଷ ମଧ୍ୟରେ ମୋଦି ସରକାର ଘରୋଇ ଟେଲିକମ୍‌ କମ୍ପାନୀ ବିଶେଷକରି ରିଲାଏନ୍ସ ଜିଓର ସ୍ବାର୍ଥରେ ଏହାକୁ ଦୁର୍ବଳ କରିବା ସହିତ ଶେଷରେ ସେମାନଙ୍କ ହାତରେ ଟେକିଦେବାକୁ ଉଦ୍ୟମ କରୁଛନ୍ତି।
ଦେଶର ପ୍ରତିରକ୍ଷା କ୍ଷେତ୍ର ବି ସରକାରଙ୍କ ଉପରୋକ୍ତ ଘରୋଇକରଣ ନୀତିରୁ ବାଦ୍‌ ପଡ଼ିନି। ଦେଶର ବିଭିନ୍ନ ସ୍ଥାନରେ ରହିଥିବା ପ୍ରତିରକ୍ଷା ଉପତ୍ାଦନ ବିଭାଗର ଗୋଳାବାରୁଦ କାରଖାନାଗୁଡ଼ିକୁ ଘରୋଇକରଣ କରିବାକୁ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ନିକଟରେ ସେସବୁରେ କାର୍ଯ୍ୟରତ ହଜାର ହଜାର ଶ୍ରମିକ ଓ କର୍ମଚାରୀ ଧର୍ମଘଟ କରିଛନ୍ତି। ଏହା ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ପ୍ରତିରକ୍ଷା ବିଭାଗର ୧୭.୫ ଲକ୍ଷ ଏକର ଜମିକୁ ବିବେକପୂର୍ଣ୍ଣ ଉପଯୋଗ କରିବା ନାଁରେ ସରକାର ବିକ୍ରି କରିଦେବାକୁ ଚିନ୍ତା କରୁଛନ୍ତି। ଏହି ଅର୍ଥକୁ ପ୍ରତିରକ୍ଷା ବିଭାଗର ବିଭିନ୍ନ ଜରୁରୀ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯିବ ବୋଲି ସଫେଇ ଦିଆଯାଉଛି।
ଲାଭଜନକ ରାଷ୍ଟ୍ରାୟତ୍ତ ଶିଳ୍ପ ଓ ପରିସେବାର ବିକ୍ରି ପଛରେ ସରକାରଙ୍କ ଯୁକ୍ତି ହେଲା, ବଜେଟ୍‌ରେ ରାଜସ୍ବ ନିଅଣ୍ଟର ଭରଣା। କେନ୍ଦ୍ର ସରକାର ନିଜର ରାଷ୍ଟ୍ରାୟତ୍ତ ସଂସ୍ଥାମାନଙ୍କ ଏଭଳି ଘରୋଇକରଣ ଜରିଆରେ ଚଳିତବର୍ଷ ମୋଟ ୧.୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଦେଶକୁ ପାଞ୍ଚ ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରିବାକୁ ଘୋଷଣା କରୁଥିବା ମୋଦି ସରକାର ଏଭଳି ଲାଭଜନକ ଶିଳ୍ପସଂସ୍ଥାକୁ ବିକ୍ରି କରିବାକୁ ଏତେ ବ୍ୟାକୁଳ କାହିଁକି? ସରକାରଙ୍କ ଭୁଲ୍‌ ଆର୍ଥିକ ନୀତି ଲାଗି ଦେଶରେ ଆର୍ଥିକ ମାନ୍ଦାବସ୍ଥା ତୀବ୍ର ହେବାରେ ଲାଗିଥିବା ବେଳେ ଟିକସ ସଂଗ୍ରହର ହାର ବି ହ୍ରାସ ପାଇବାରେ ଲାଗିଛି। ଅନ୍ୟପଟେ ମାନ୍ଦାବସ୍ଥାର ମୁକାବିଲା ନାଁରେ ଦେଶୀ ବିଦେଶୀ କମ୍ପାନୀଗୁଡ଼ିକୁ ଯେଉଁ ୧.୪୮ ଲକ୍ଷ କୋଟି ଟଙ୍କାର କର ଓ ଟିକସ ଛାଡ଼ କରିଛନ୍ତି ତାହା ମାନ୍ଦାବସ୍ଥାକୁ ତ ଦୂର କରିପାରିଲାନି ବରଂ ଟିକସ ଲବ୍ଧ ଆୟ ହ୍ରାସ ପାଇବା ଫଳରେ ସରକାରଙ୍କ ରାଜସ୍ବ ନିଅଣ୍ଟ ବଢ଼ାଇଦେଲା। କିନ୍ତୁ ନିଜକୁ ରାଷ୍ଟ୍ରବାଦୀ ବୋଲି ଦାବି କରୁଥିବା ଭାଜପା ସରକାର ଦେଶୀ ବିଦେଶୀ ଶିଳ୍ପପତିଙ୍କୁ ହିଁ ଦେଶର ରାଷ୍ଟ୍ରାୟତ୍ତ ସମ୍ପତ୍ତିକୁ ବିକ୍ରି କରିବାକୁ ଉଦ୍ୟମ କରୁଛି।
ମୋ- ୯୪୩୭୧୬୬୩୯୧, bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri