କରୋନା ବିରୋଧରେ ଯୁଦ୍ଧ-ଆମେ ଜିତିବୁ

ରଣେନ୍ଦ୍ର ପ୍ରତାପ ସ୍ବାଇଁ

କରୋନାକୁ ରୋକିବା ପାଇଁ ଆସନ୍ତା ତିନି ସପ୍ତାହ ଭାରତ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଶ୍ୱ ଏହି ଭୂତାଣୁ ସଂକ୍ରମଣ ଯୋଗୁ ଚଳିତ ଶତାବ୍ଦୀରେ ପ୍ରଥମ ଥର ପାଇଁ ସ୍ବସ୍ଥ୍ୟଜନିତ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଚାଇନାର ଉହାନରୁ ଉପତ୍ନ୍ନ ହୋଇଥିବା ଏହି ଭୂତାଣୁ ଏବେ ବିଶ୍ୱର ପ୍ରତ୍ୟେକ ଦେଶକୁ ନିଜ କବ୍‌ଜାକୁ ନେଇଛି। ପ୍ରାରମ୍ଭରେ ସମସ୍ତ ଦେଶ ଭାବୁଥିଲେ ଏହା ଚାଇନାର ସମସ୍ୟା, ତା’ର ପ୍ରଭାବ ସେମାନଙ୍କ ଦେଶ ଉପରେ ପଡିବ ନାହିଁ। କିନ୍ତୁ ଦିନ କେଇଟାରେ କରୋନା ସମଗ୍ର ବିଶ୍ୱକୁ କବଳିତ କରିଛି, ଯାହା ପ୍ରତ୍ୟେକ ଦେଶ ଅନୁଭବ କଲେଣି। ଏହା କେବଳ ଦେଶଗୁଡ଼ିକରେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ନାହିଁ, ପ୍ରତ୍ୟେକ ଦେଶ ପାଇଁ ଆର୍ଥତ୍କ ସମସ୍ୟାର ବୋଝ ହୋଇ ଉଭା ହୋଇଛି।

କୋଭିଡ-୧୯ ବା କରୋନା ଭୂତାଣୁ ଜନିତ ରୋଗ ମାନବ ସମାଜର ସ୍ଥିତି ପାଇଁ ଏକ ଆହ୍ବାନ। ଆଗରୁ ଦେଖାଦେଇଥିବା ସମସ୍ତ ଭୂତାଣୁ ଜନିତ ରୋଗଠାରୁ ଏହା ଅଧିକ ସଂକ୍ରମିତ । ବିଜ୍ଞାନର ବିବିଧ ଅଗ୍ରଗତି ସତ୍ତ୍ୱେ ବୈଜ୍ଞାନିକମାନେ ଏହି ରୋଗର ଚିକିତ୍ସା ପାଇଁ କୌଣସି ଔଷଧ ବାହାର କରିନାହାନ୍ତି କିମ୍ବା କୌଣସି ପ୍ରତିଷେଧକ ଟିକା ଉଦ୍ଭାବନ ହୋଇନାହିଁ। ତେଣୁ ଜୀବନ ବଞ୍ଚାଇବାକୁ ହେଲେ ନିଜକୁ ସଂକ୍ରମଣ ଠାରୁ ଦୂରେଇ ରହିବାକୁ ହେବ। କୋଭିଡ୍‌-୧୯ ରୋଗର ମୃତ୍ୟୁହାର ଅନ୍ୟ ଭୂତାଣୁଜନିତ ରୋଗ ଯେପରି ସାର୍ସ ଓ ଇବୋଲା ମୃତହାରଠାରୁ ବହୁତ କମ୍‌। କରୋନାରେ ମୃତ୍ୟୁହାର ମାତ୍ର ୪.୬୩ ପ୍ରତିଶତ, ଯାହା ଦେଶରୁ ଦେଶ ଭିନ୍ନ ଅଟେ। କିନ୍ତୁ ଭାରତରେ ଏହା ୧ ପ୍ରତିଶତରୁ କମ୍‌ ।
ଏହାର ସଂକ୍ରମଣ ହାର ଅତି ଘାତକ। କରୋନା ଭୂତାଣୁ ଅଳ୍ପ ସମୟ ମଧ୍ୟରେ ବହୁ ଲୋକଙ୍କୁ ସଂକ୍ରମିତ କରିଥାଏ। ଏହାର ସଂକ୍ରମଣ ଗୁଣତର ଶ୍ରେଣୀରେ ବଢ଼ିଥାଏ। ସୁନାମିର ଢେଉ ଯେପରି କ୍ଷୟକ୍ଷତି କରିଥାଏ, କରୋନା ସଂକ୍ରମଣ ସ୍ବାସ୍ଥ୍ୟବିଭାଗର ଭିତ୍ତିଭୂମିକୁ ଦୋହାଲାଇ ଦେଇଛି।
ଲୋକେ ପ୍ରଶ୍ନ କରୁଛନ୍ତି, ଭାରତରେ ସଂପୂର୍ଣ୍ଣ ତାଲା ବନ୍ଦ ଆବଶ୍ୟକ ଥିଲା କି? ମୁଁ କହିବି ହଁ। ଯଦି ବା ଭାରତ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ସୋପାନରେ, ଏଠାରେ ପ୍ରମାଣ ଅଛି ଯେ ସଂକ୍ରମଣ ଗୋଟିଏ କମ୍ୟୁନିଟିରୁ ଅନ୍ୟ କମ୍ୟୁନିଟିକୁ ବ୍ୟାପୁଛି। ଯେହେତୁ ଆମେ ସନ୍ଦିଗ୍ଧ କରୋନା ରୋଗୀଙ୍କ ରକ୍ତ ନମୁନା କମ୍‌ ପରୀକ୍ଷା କରୁଛେ, ସେଥିପାଇଁ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା କମ୍‌ ଥିଲା ପରି ଲାଗୁଛି। ଯେଉଁଠି ଦକ୍ଷିଣ କୋରିଆରେ ୧୦ଲକ୍ଷ ସନ୍ଦିଗ୍ଧ କରୋନା ରୋଗୀଙ୍କ ମଧ୍ୟରୁ ୪୦ହଜାର ଲୋକଙ୍କର କରୋନା ଭୂତାଣୁ ପରୀକ୍ଷା କରାଯାଉଛି, ସେଭଳି ସ୍ଥଳେ ଭାରତରେ ୧୦ଲକ୍ଷ ସନ୍ଦିଗ୍ଧ କରୋନା ରୋଗୀଙ୍କ ମଧ୍ୟରୁ ମାତ୍ର ୪ଜଣଙ୍କର ପରୀକ୍ଷା କରାଯାଉଛି। ଯେଉଁଥିପାଇଁ ଭାରତରେ ବହୁ କମ୍‌ କରୋନା ରୋଗୀ ଚିହ୍ନଟ ହୋଇପାରିଛନ୍ତି, ଯାହା ଚିନ୍ତାଜନକ ।

ଲୋକେ ଭାବିବା ଉଚିତ୍‌ ନୁହେଁ କି ୩ ସପ୍ତାହ ତାଲାବନ୍ଦ ବା ସଙ୍ଗରୋଧ ରହିଲେ କରୋନା ରୋଗ ଚାଲିଯିବ। ତାଲାବନ୍ଦର ମୂଳ ଉଦ୍ଦେଶ୍ୟ ହେଉଛି ସଂକ୍ରମଣକୁ ଶିଥିଳ କରିବା। ଏହାଦ୍ୱାରା ଆମର ଥିବା ସୀମିତ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ କରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଇପାରିବା। କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୦ପ୍ରତିଶତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିପାରେ। ଆଉ କିଛି ରୋଗୀ ଘରେ ରହି ସାଧାରଣ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇପାରନ୍ତି ଏବଂ ଅଧିକାଂଶ ରୋଗୀ କରୋନା ସଂକ୍ରମିତ ଜାଣି ପାରିବେ ନାହିଁ ଯେ, ସେମାନେ ସଂକ୍ରମିତ ହୋଇଛନ୍ତି ବୋଲି। କିନ୍ତୁ କୁହାଯାଉଛି, ୨୦ପ୍ରତିଶତ କରୋନା ରୋଗୀଙ୍କ ମଧ୍ୟରୁ ୧୪ ପ୍ରତିଶତଙ୍କର ଆଇସିୟୁ ଆବଶ୍ୟକ ପଡିପାରେ ଏବଂ ୬ ପ୍ରତିଶତଙ୍କ ପାଇଁ ଆଇସିୟୁ ସହିତ ଭେଣ୍ଟିଲେଟରର ଆବଶ୍ୟକତା ରହିଛି। ଇଟାଲିରେ ବିଶ୍ୱର ସବୁଠାରୁ ଭଲ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଥାଇ ମଧ୍ୟ ସେଠାକାର ଡାକ୍ତର ଚିନ୍ତାକରୁଛନ୍ତି କେଉଁ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତିକରି ଭେଣ୍ଟିଲେଟରରେ ରଖିବେ। କାରଣ ହେଉଛି ଆଇସିୟୁ ଶଯ୍ୟା ସଂଖ୍ୟା କମ୍‌। ସମସ୍ତେ ଜାଣନ୍ତି ଉହାନରେ ଲୋକେ କିପରି ଡାକ୍ତରଖାନାରେ ବେଡ୍‌ ପାଇ ନ ଥିଲେ। ଡାକ୍ତରଖାନାରେ ଭର୍ତ୍ତି ପାଇଁ ଅପେକ୍ଷା କରି ବହୁ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା। ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଇଟାଲି ଦ୍ୱିତୀୟ ଏବଂ ଥାଇଲାଣ୍ଡ ୬ଷ୍ଠ ସ୍ଥାନରେ ଥିବାବେଳେ ଭାରତ ୧୪୨ତମ ସ୍ଥାନରେ ଅଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ଦେଶରେ ସମୁଦାୟ ପାଖାପାଖି ୧ଲକ୍ଷ ଆଇସିୟୁ ବେଡ୍‌ ଅଛି, ସେଥିମଧ୍ୟରୁ ୪୦ ହଜାର ଆଇସିୟୁରେ ଭେଣ୍ଟିଲେଟରର ସୁବିଧା ଅଛି। ଦେଶରେ ଥିବା ସମସ୍ତ ଆଇସିୟୁ ବେଡ୍‌ ମଧ୍ୟରୁ ୭୦% ବେଡ୍‌ରେ ରୋଗୀ ରହି ଚିକିତ୍ସିତ ହେଉଛନ୍ତି। ଆଉ ମାତ୍ର ୩୦ହଜାର ଆଇସିୟୁ ବେଡ୍‌ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରହିଛି। ସେଥିମଧ୍ୟରୁ ୨୦ହଜାର ଆଇସିୟୁରେ ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି। ଏପରି ସ୍ଥିତିରେ ପହଞ୍ଚିବା ପାଇଁ ଚାହିଁବା ନାହିଁ ଯେଉଁଥିରେ ଡାକ୍ତର ବାଛିବେ ଯେ କେଉଁ କରୋନା ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରିବେ ଏବଂ କେଉଁ କରୋନା ରୋଗୀଙ୍କୁ ମରିବା ପାଇଁ ଛାଡିଦେବେ। କରୋନା ସଂକ୍ରମଣ ରୋକିବା ଏବଂ କରୋନା ଭୂତାଣୁ ବୃଦ୍ଧି ଚକ୍ରକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି, ଯାହା ଯୁକ୍ତିଯୁକ୍ତ ।

ପରିସ୍ଥିତିର ଗମ୍ଭୀରତାକୁ ଦେଖି ଓଡ଼ିଶା ସରକାର ଆଗୁଆ ସମସ୍ତ ୩୦ଟି ଜିଲାରେ ତାଲାବନ୍ଦର ନିଷ୍ପତ୍ତି ନେଇସାରିଛନ୍ତି। ଏହାଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିବ ଏବଂ ସ୍ବାସ୍ଥ୍ୟ ବିଭାଗ ନିଜର ସୀମିତ ଭିତ୍ତିଭୂମିରେ କରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବ। ଦୁଃଖର ସହିତ କହିବାକୁ ପଡୁଛି ଯେ, ରାତାରାତି ଭେଣ୍ଟିଲେଟର ସୁବିଧା ଥିବା ଆଇସିୟୁ ତିଆରି କରାଯାଇପାରିବ ନାହିଁ। ଏହା ହେଉଛି ଏକ ସ୍ବତନ୍ତ୍ର କାର୍ଯ୍ୟ। ଦେଶରେ ଗୋଟିଏ ଦୁଇଟି ସଂସ୍ଥା ଏହି କାର୍ଯ୍ୟ କରିଥାନ୍ତି। କରୋନା ପାଇଁ ବିଦେଶରୁ ଆଇସିୟୁ ଯନ୍ତ୍ରାଂଶ ଆଣିହେଉନାହିଁ, କାରଣ ପ୍ରତ୍ୟେକ ଦେଶରେ ଏହାର ଆବଶ୍ୟକତା ରହିଛି ଏବଂ ସେମାନେ ରପ୍ତାନି ବନ୍ଦ କରିଛନ୍ତି। ଘରୋଇ ସଂସ୍ଥା ଏମ୍‌ ଆଣ୍ଡ ଏମ୍‌ ଏବଂ ଡିଆରଡିଓ ସ୍ଥାନୀୟ ଜ୍ଞାନକୌଶଳ ବ୍ୟବହାର କରି କମ୍‌ ସମୟରେ ଅଧିକ ସଂଖ୍ୟକ ଆଇସିୟୁ ଏବଂ ଭେଣ୍ଟିଲେଟର ସରଞ୍ଜାମ ନିର୍ମାଣ କରିବାକୁ ଚେଷ୍ଟା କରୁଛନ୍ତି। ଏହି ତିନିସପ୍ତାହ ଆମ୍ଭମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କରୋନା ସଂକ୍ରମଣକୁ ରୋକିବା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ କରୋନା ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ରଖିବା ଆବଶ୍ୟକ।

କରୋନା କେବଳ ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିନାହିଁ ଏହା ମଧ୍ୟ ଦେଶରେ ଆର୍ଥିକ ଦୁଃସ୍ଥିତି ଆଣିଛି। ଗତ ତିନି ଦଶନ୍ଧି ମଧ୍ୟରେ ବିଭିନ୍ନ ଆର୍ଥିକ ସଂକଟ ଯଥା ୧୯୮୭ ମସିହାର କଳା ସୋମବାର, ୧୯୯୦ ଦଶକର ଡଟ୍‌କମ୍‌ ବବ୍‌ଲୁର ବିସ୍ଫୋରଣ, ୨୦୦୧ର ଆର୍ଥିକ ମାନ୍ଦାବସ୍ଥା, ୨୦୦୮ର ବିଶ୍ୱ ଆର୍ଥିକ ସଙ୍କଟ ଏବଂ ହର୍ଷଦ ମେହେଟାଙ୍କ ଦୁର୍ନୀତି। ଏସବୁ ମନୁଷ୍ୟକୃତ ଥିଲା, ଯେଉଁଥିରେ ବ୍ୟବସ୍ଥାରେ ବିଭ୍ରାଟ କରାଯାଇ କୃତ୍ରିମ ଆର୍ଥିକ ସଙ୍କଟ ସୃଷ୍ଟି କରାଯାଇଥିଲା। ଏଥିରେ ପ୍ରକୃତ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇ ନ ଥିଲା। କିନ୍ତୁ ବର୍ତ୍ତମାନ ଆର୍ଥିକ ସଂକଟ ମନୁଷ୍ୟକୃତ ନୁହେଁ। କରୋନା ଭୂତାଣୁ ଯୋଗୁ ଅର୍ଥନୀତି ଚୂର୍ଣ୍ଣିଭୂତ ହୋଇ ବନ୍ଦ ହେବାକୁ ଯାଉଛି। ବିଶ୍ୱର ଛୋଟବଡ ବ୍ୟବସାୟୀଙ୍କ ବ୍ୟାପାର ପ୍ରାୟ ବନ୍ଦ କହିଲେ ଚଳେ। ଦେଶର ଅର୍ଥନୀତି ସହିତ କରୋନା ସମାନ୍ତରାଳ ଭାବେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର କ୍ଷତି ଘଟାଇବାକୁ ଯାଉଛି। ଆଗରୁ ନୋଟ୍‌ ବନ୍ଦୀ ଏବଂ ଜିଏସ୍‌ଟି ପ୍ରଚଳନ ଦ୍ୱାରା ଏମ୍‌ଏସ୍‌ଏମ୍‌ଇର ବ୍ୟାପକ କ୍ଷତି ହୋଇଛି । ଯଦି କେନ୍ଦ୍ର ସରକାର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସହାୟତା ପ୍ରଦାନ ନ କରନ୍ତି, ଏହାର ମେରୁଦଣ୍ଡ ଭାଙ୍ଗିଯିବ। ସେହିପରି ଦେଶର ସମୁଦାୟ ଶ୍ରମବଳର ଅଧା ହେଉଛନ୍ତି ଦିନମଜୁରିଆ, ଯେଉଁମାନେ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟକରି ଜୀବିକା ନିର୍ବାହ କରିଥାନ୍ତି। ସଂପୂର୍ଣ୍ଣ ତାଲା ବନ୍ଦ ପରେ ସେମାନେ ନିଜର ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହୋଇପଡିଛି। ଏପରି ସ୍ଥିତିରେ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ସହାୟତାର ହାତ ବଢ଼ାଇବା ଉଚିତ୍‌, ନଚେତ୍‌ ଅନାବଶ୍ୟକ ସାମାଜିକ ସମସ୍ୟା ଦେଶରେ ଉପୁଜିବ। ଦେଶର ୫୦ ପ୍ରତିଶତ ପରିବାରର ପୋଷଣ ପାଇଁ ଭତ୍ତାର ଆବଶ୍ୟକତା ରହିଛି, ଯାହାଦ୍ୱାରା ସେମାନେ ଦିମୁଠା ଖାଇପାରିବେ। ସେଥିପାଇଁ ସରକାର ସ୍ବତନ୍ତ୍ର ସହାୟତା ଘୋଷଣା କରନ୍ତୁ। ଅଶୋଧିତ ତୈଳ ମୂଲ୍ୟ ବିଶ୍ୱ ବଜାରରେ ସର୍ବନିମ୍ନ ସ୍ତରରେ ଥିବାବେଳେ କେନ୍ଦ୍ର ସରକାର ୩ ଲକ୍ଷ କୋଟି ଟଙ୍କାର ପାଣ୍ଠି ଗଠନ ପାଇଁ ଉପଭୋକ୍ତାଙ୍କଠାରୁ ଲିଟର ପିଛା ଅତିରିକ୍ତ ୩ଟଙ୍କା ଟିକସ ଆଦାୟ କରୁଛନ୍ତି। ଏହି ଅର୍ଥକୁ ଦେଶର ଆର୍ଥିକ ଦୁରବସ୍ଥା ସୁଧାରିବାକୁ ବିନିଯୋଗ କରାଯିବା ଉଚିତ୍‌।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ବଳରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଘୋଷଣା ପୂର୍ବରୁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସମସ୍ତ ଜିଲାରେ ସମ୍ପୂର୍ଣ୍ଣ ତାଲାବନ୍ଦ କରିଛି। ଗ୍ରାମ ପଞ୍ଚାୟତସ୍ତରରେ ପୃଥକୀକରଣ ବ୍ୟବସ୍ଥା ପାଇଁ ୫ଲକ୍ଷ ଟଙ୍କା ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ଏବଂ ଅନ୍ୟ ଅଧିକାରୀମାନେ କରୋନାର ମୁକାବିଲା ପାଇଁ କାର୍ଯ୍ୟରତ ଅଛନ୍ତି। ବ୍ୟବହାର ହେଉ ନ ଥିବା ବିଭିନ୍ନ କୋଠାବାଡ଼ିକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ସରକାର କାର୍ଯ୍ୟ କରୁଛନ୍ତି।

ଏହି ସମୟରେ ଖାଦ୍ୟ ଓ ଯୋଗାଣ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖାଦ୍ୟ ଯୋଗାଣକୁ ବଳବତ୍ତର ରଖିବା ପାଇଁ ବିଭାଗ କାର୍ଯ୍ୟରତ। ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଅଧୀନରେ ଥିବା ସମସ୍ତ ଖାଉଟିଙ୍କୁ ୩ମାସର ଅଗ୍ରିମ ରାଶନ ପ୍ରଦାନ କରାଯାଉଛି। ରାଶନ ଦୋକାନରେ ଭିଡ଼ କମାଇବା ପାଇଁ ଖାଉଟିମାନଙ୍କ ଘରେ ରାଶନ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଖାଦ୍ୟପଦାର୍ଥ, ଜାଳେଣି, ଔଷଧ ଏବଂ ସ୍ବାସ୍ଥ୍ୟ ସୁରକ୍ଷା ସାମଗ୍ରୀର କଳାବଜାର ଏବଂ ବେନିୟମ, ମହଜୁଦ୍‌ ଉପରେ ଯୋଗାଣ ବିଭାଗ ତୀକ୍ଷ୍ଣ ଦୃଷ୍ଟି ରଖିଛି। କରୋନା ପ୍ରଭାବର ଉପଶମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପବଦ୍ଧ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟରେ ଥିବା ସମସ୍ତ ଘରୋଇ ହସ୍‌ପିଟାଲ ନିଜର ସୁବିଧା ନ ଦେଖି କରୋନା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବା ଉଚିତ୍‌।

କରୋନା ଏପରି ସମସ୍ୟା ସୃଷ୍ଟି କରିଚାଲିଛି ଯେ, ସରକାର ଏକା ଚାହିଁଲେ ସମସ୍ୟାର ସମାଧାନ ହେବ ନାହିଁ। ଏହି ସମସ୍ୟାର ମୁକାବିଲା କରିବା ସକାଶେ ପ୍ରତ୍ୟେକ ବ୍ୟକ୍ତି ସହାୟତାର ହାତ ବଢ଼ାଇବା ଉଚିତ। ଜାତୀୟ ଜନଗଣନା ରେଜିଷ୍ଟର (ଏନ୍‌ପିଆର୍‌) ପାଇଁ ରଖାଯାଇଥିବା ଅର୍ଥକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବା ଆବଶ୍ୟକ। କରୋନାକୁ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନକରିବା ସହିତ ଅନ୍ୟମାନଙ୍କୁ ମୁକ୍ତ ହସ୍ତରେ ଦାନ ପାଇଁ ନିବେଦନ କରିଛନ୍ତି। ଏପରି ସ୍ଥିତିରେ ସମସ୍ତେ ସଜାଗ ରହିବା ସହିତ ସରକାରଙ୍କ ମାର୍ଗଦର୍ଶିକା ମାନିବା ଦରକାର। କରୋନା ସଂକ୍ରମଣକୁ ରୋକିବା ପାଇଁ ଘରେ ରୁହନ୍ତୁ, କୌଣସି ଗୁଜବ ଶୁଣନ୍ତୁ ନାହିଁ। ନିବାରଣ ହିଁ ଆରୋଗ୍ୟ। ପ୍ରତ୍ୟେକ ମଣିଷ ଏହି ଭୟଙ୍କର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉପାୟ ବାହାର କରିବା ଉଚତ। ଆମ୍ଭେ ସ୍ବତଃପ୍ରବୃତ୍ତ ଭାବେ ସଙ୍ଗରୋଧରେ ରହିବା। ତାଲାବନ୍ଦକୁ ସରକାରଙ୍କ ଶାସ୍ତିମୂଳକ ପଦକ୍ଷେପ ନ ଭାବି ଏହାକୁ ପାଳନ କରି ନିଜ ପରିବାର ସହିତ ସମୟ ବିତାନ୍ତୁ। ଶେଷରେ ଆମ ମୁଖ୍ୟମନ୍ତ୍ରୀଙ୍କ ‘ମୋ ଜୀବନ’ ଶପଥ ନେଇ ନିଜ ସହିତ ମାନବ ସମାଜର ସୁରକ୍ଷା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମୁଁ ଦେଶର ଜଣେ ସାଧାରଣ ନାଗରିକ ଭାବେ ଆପଣମାନଙ୍କୁ ଅନୁରୋଧ କରୁଛି।
ସୂର୍ଯ୍ୟଭବନ, ଆଠଗଡ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?