କରୋନା କେବେ କମିବ

ଡ. ରମେଶ ଚନ୍ଦ୍ର ପରିଡ଼ା

ବିଗତ ବର୍ଷ (୨୦୧୯) ଶେଷଭାଗକୁ ଚାଇନାର ଉହାନ ନଗରୀରେ ଆରମ୍ଭ ହେଲା ବର୍ତ୍ତମାନ ବିଶ୍ୱର ୨୧୩ଟି ଦେଶକୁ ଗ୍ରାସ କରିଥିବା କୋଭିଡ୍‌-୧୯ ବା ନୂତନ କରୋନା ସଂକ୍ରମଣ। ସେତେବେଳେ ଆଶା କରାଯାଉଥିଲା ଯେ ସମ୍ଭବତଃ ବାଦୁଡ଼ିଠାରୁ ମଣିଷକୁ ସଂକ୍ରମଣ କରିଥିବା ଏ ଭୂତାଣୁଜନିତ ରୋଗର ପ୍ରକୋପ ବାର୍ଡଫ୍ଲୁ ବା ସ୍ବାଇନ୍‌ ଫ୍ଲୁ ଭଳି ଶୀତଋତୁର ଅବସାନ ସଙ୍ଗେ ସଙ୍ଗେ ଅନ୍ତ ଘଟିବ। ଅନ୍ୟ ପକ୍ଷରେ ଭାରତ, ଉପସାଗରୀୟ ଦେଶସମୂହ ଏବଂ ଆଫ୍ରିକା ଭଳି ଗ୍ରୀଷ୍ମପ୍ରଧାନ ଦେଶଗୁଡ଼ିକ ତାହାଦ୍ୱାରା ବିଶେଷ ପ୍ରଭାବିତ ହେବ ନାହିଁ। ତେବେ ଏସବୁ ପୂର୍ବାନୁମାନ ଅସାର ବୋଲି ପ୍ରମାଣିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଚାଇନାରେ ଏହାର ପ୍ରକୋପ କିଛି ମାତ୍ରାରେ ନିୟନ୍ତ୍ରଣାଧୀନ ଥିବାର କୁହାଯାଉଥିଲାବେଳେ କେବଳ ଜନବହୁଳ ହୋଇ ନ ଥିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କମ୍‌ ହେଉଥିବା କେତୋଟି କ୍ଷୁଦ୍ର କ୍ଷୁଦ୍ର ପୂର୍ବ ଆଫ୍ରିକୀୟ ଦେଶକୁ ବାଦ୍‌ ଦେଲେ ନ୍ୟୁଜିଲାଣ୍ଡ ହେଉଛି ଏକମାତ୍ର ଦେଶ, ଯାହା ଏଥିରୁ ମୁକ୍ତ ହୋଇଥିବାର ଘୋଷଣା କରିଛି। ଅନ୍ୟ ସବୁଠାରେ ଏହାର ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ତା’ହେଲେ ଏହା କେବେ କମିବ?
ପ୍ରାଥମିକ ପୂର୍ବାନୁମାନ ଅନୁସାରେ ଗ୍ରୀଷ୍ମଋତୁର ଆଗମନ ପରେ କରୋନାର ଅବସାନ ପରିବର୍ତ୍ତେ ତା’ର ପ୍ରକୋପ ବଢ଼ିବାରେ ଲାଗିବାରୁ ଏହାକୁ ନେଇ ଆରମ୍ଭ ହେଲାଣି ନାନା କଳ୍ପନାଜଳ୍ପନା ଏବଂ ବିଭିନ୍ନ ଉପାୟରେ ତାହାର ଗଣନା। ତନ୍ମଧ୍ୟରୁ ଏକ ବେସରକାରୀ ବିଦେଶୀ ସଂସ୍ଥା ଦ୍ୱାରା ଅନୁଷ୍ଠିତ ପ୍ରଥମଟିର ଫଳାଫଳ ପ୍ରକାଶ ପାଇଥିଲା ମାର୍ଚ୍ଚ (୨୦୨୦) ମାସର ଶେଷ ଭାଗକୁ। ଜୁଲାଇ ଶେଷସୁଦ୍ଧା ଆମ ଦେଶରେ ୩୦୦ରୁ ୫୦୦ ନିୟୁତ ଲୋକ ଏଥିରେ ସାଧାରଣ ଭାବେ ସଂକ୍ରମିତ ଏବଂ ୩୦ରୁ ୫୦ ନିୟୁତ ଗୁରୁତର ହେଲାବେଳେ ମୃତ୍ୟୁହାର ୩ ଶତାଂଶରୁ କିଛି ଅଧିକ ହେବ ବୋଲି ଏଥିରେ ସୂଚିତ କରାଯାଇଥିଲା। ପୁନଶ୍ଚ ମେ ମାସ ପ୍ରଥମ ଭାଗରେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି କ୍ରମେ ତାହା ହ୍ରାସ ପାଇବାକୁ ଲାଗିବ ବୋଲି କୁହାଯାଇଥିଲା। ଏ ସଂସ୍ଥା ବିଶ୍ୱର ଅନ୍ୟାନ୍ୟ ଦେଶ ପାଇଁ ମଧ୍ୟ ଅନୁରୂପ ଆକଳନ କରିଥିଲା।
ଏହାପରେ ଏପ୍ରିଲ ମାସରେ ଆସିଲା ଆମ ସରକାରଙ୍କ ପ୍ରୋତ୍ସାହନରେ ଏକ ସ୍ବଦେଶୀ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ଅଧ୍ୟୟନର ପୂର୍ବାନୁମାନ। ମେ ମାସର ୩ ତାରିଖ ସୁଦ୍ଧା ଏ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ (ଦିନକୁ ୧୫୦୦ ଯୋଗ ହୋଇ) ପହଞ୍ଚିବ ଏବଂ ୧୬ ତାରିଖ ପରେ ଆଉ ନୂତନ ସଂକ୍ରମଣ ହେବ ନାହିଁ ବୋଲି ଏଥିରେ କୁହାଗଲା। ତେବେ ତାହା ମଧ୍ୟ ଭୁଲ ପ୍ରମାଣିତ ହୋଇଛି। ସେଥିପାଇଁ ବର୍ତ୍ତମାନ ଏ ସମୟସୀମାକୁ ଘୁଞ୍ଚାଇ ଦିଆଗଲାଣି। ଅବଶ୍ୟ ଏହିସବୁ ଆକଳନ ପଦ୍ଧତି ପ୍ରୟୋଗସିଦ୍ଧ ନ ଥିଲା, ବରଂ ଆନୁମାନିକ ଥିଲା। ସଂଗୃହୀତ ସୀମିତ ତଥ୍ୟକୁ କମ୍ପ୍ୟୁଟର ଦ୍ୱାରା ଅଧ୍ୟୟନ କରାଯାଇ ତାହାର ଫଳାଫଳ ନିର୍ଦ୍ଧାରଣ କରାଯାଇଥିଲା।
ନିକଟରେ (୭ା୬ା୨୦୨୦) ଆମ ଦେଶ କରୋନାମୁକ୍ତ ହେବାକୁ ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଲାଗିଯାଇପାରେ ବୋଲି ‘ଏପିଡେମିଲୋଜି ଇଣ୍ଟର୍‌ନ୍ୟାଶ୍‌ନାଲ ଜର୍ନାଲ’ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଇଛନ୍ତି ଆମ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟର ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅନିଲ୍‌ କୁମାର ଏବଂ ଡାକ୍ତର ରୂପାଲି ରାୟ। ସେମାନେ ‘ବେଲି ମଡେଲ୍‌’ ନାମକ ଏକ ଅଧିକ ନିର୍ଭରଯୋଗ୍ୟ ଗାଣିତିକ ମଡେଲ ସାହାଯ୍ୟରେ ଅଧ୍ୟୟନ କରି ଏ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏଥି ଅନୁଯାୟୀ କୌଣସି ମହାମାରୀର ଅନ୍ତ ଘଟେ ଯେତେବେଳେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ମୋଟ ଆରୋଗ୍ୟ ଏବଂ ମୃତ ସଂଖ୍ୟା ସହିତ ସମାନ କିମ୍ବା କମ୍‌ ହୋଇଯାଏ। ଏହି ବିଶେଷଜ୍ଞଦ୍ୱୟ ମେ ୧୯ ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ଏମାନଙ୍କ ସଂଖ୍ୟା ବିଚାରକୁ ନେଇ ଏ ଗଣନା କରିଥିଲେ। ସେତେବେଳେ ଏଠାରେ ସମୁଦାୟ ମୃତ ଓ ଆରୋଗ୍ୟଙ୍କ ସଂଖ୍ୟା ଥିଲା ସଂକ୍ରମିତଙ୍କ ୫୦ ଶତାଂଶରୁ ଅଧିକ। ତେଣୁ ସେପ୍ଟେମ୍ବର ଶେଷ ବେଳକୁ ତାହା ୧୦୦ ଶତାଂଶ ପାର ହୋଇଯିବ ବୋଲି ସେମାନେ ମନେକରନ୍ତି। ବିଶ୍ୱର ଅନ୍ୟାନ୍ୟ ବହୁ ଦେଶରେ ତାହା ଅଳ୍ପବହୁତ ସେହିପରି ଘଟିବ ବୋଲି ଆଶା କରାଯାଉଛି।
ଇତିମଧ୍ୟରେ ଦୁନିଆ କରୋନାମୁକ୍ତ ହେବାକୁ ଅତି କମ୍‌ରେ ଆହୁରି ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିପାରେ ବୋଲି ମତ ଦେଲେଣି ଦୁଇଜଣ ବିଶିଷ୍ଟ ସ୍ବାସ୍ଥ୍ୟ ବିଶେଷଜ୍ଞ ହାର୍ଭାର୍ଡ ଗ୍ଲୋବାଲ୍‌ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସର ଆଶିଷ ଝା ଏବଂ ସ୍ବିଡେନ୍‌ସ୍ଥିତ ୟୁରୋପୀୟାନ୍‌ ସେଣ୍ଟର ଫର୍‌ ଡିଜିଜ୍‌ ପ୍ରିଭେନ୍‌ସନ୍‌ ଏଣ୍ଡ୍‌ କଣ୍ଟ୍ରୋଲ୍‌ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଜୋହାନ୍‌ ଗିଏସେକ୍‌। ପ୍ରଫେସର ଝା କହନ୍ତି ଯେ, ଏଭଳି ମହାମାରୀ ପ୍ରାୟ ପ୍ରତି ଶହେ ବର୍ଷରେ ଥରେ ଆସିଥାଏ। ତେବେ ବର୍ତ୍ତମାନର ନୂତନ କରୋନା ବା କୋଭିଡ୍‌-୧୯ ସମ୍ଭବତଃ ମାନବଜାତିର ଇତିହାସରେ ସବୁଠୁ ଭୟଙ୍କର। କାରଣ ଅନ୍ୟଗୁଡ଼ିକ ତୁଳନାରେ ଏହା ଅଧିକ ଦ୍ରୁତ ସଂକ୍ରମଣକାରୀ। ଏଣୁ ଏହାର ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଭରଯୋଗ୍ୟ ଔଷଧ ଓ ପ୍ରତିଷେଧକ ଟିକା ନ ବାହାରିଲା ପର୍ଯ୍ୟନ୍ତ ପୃଥିବୀକୁ ଏଥିରୁ ମୁକ୍ତ କରିବା ବୋଧହୁଏ ସମ୍ଭବ ନୁହେଁ। ବସନ୍ତ ବା ପୋଲିଓକୁ ଦୂରକରିବା ପାଇଁ ଆମକୁ ଅନେକବର୍ଷ ଲାଗି ଯାଇଥିବା କଥା ସେ ଉଦାହରଣ ଦିଅନ୍ତି। ଅନ୍ୟପକ୍ଷରେ ପ୍ରଫେସର ଗିଏସେକ୍‌ ଦର୍ଶାଇଛନ୍ତି ଯେ, ଏ ଭୂତାଣୁ ବହୁକାଳରୁ ବାଦୁଡ଼ି ଦେହରେ ଥିଲା। ତା’ ‘ଜିନୋମ୍‌’ରେ ସାମାନ୍ୟ ପରିବର୍ତ୍ତନ ହେତୁ ତାହା ନୂତନ ରୂପ ନେଇ ମଣିଷକୁ ସଂକ୍ରମଣ କରିପାରିଲା। ପୁନଶ୍ଚ ଏବେ ମଧ୍ୟ ଏଥିରେ ସେ ପ୍ରକାର ପରିବର୍ତ୍ତନମାନ ଆସିବାରେ ଲାଗିଛି, ଅର୍ଥାତ୍‌ ଏହାର ଜିନୀୟ ଧ୍ରୁବୀକରଣ ଅବ୍ୟାହତ ରହିଛି। ଫଳରେ ଇତିମଧ୍ୟରେ ପ୍ରାୟ ୨୦୦ ନୂତନ ଜିନୀଆବର୍ତ୍ତଜ (ମ୍ୟୁଟାଣ୍ଟ)ମାନ ସୃଷ୍ଟି ହୋଇ ସାରିଲାଣି। ସେଗୁଡ଼ିକ ମଧ୍ୟରୁ କେତେକ ହୁଏତ ବ୍ୟାଧି ସୃଷ୍ଟିକାରୀ ହୋଇପାରନ୍ତି। ଏଣୁ ତାଙ୍କର ପ୍ରତିରୋଧ ଲାଗି ଫଳପ୍ରଦ ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥାର ଉଦ୍‌ଭାବନ ଓ ପରୀକ୍ଷା ସମୟସାପେକ୍ଷ। ଏପରିସ୍ଥଳେ ୨୦୨୧ ମସିହା ପୂର୍ବରୁ ଏଥିରୁ ସଂପୂର୍ଣ୍ଣ ମୁକ୍ତ ହେବା ମନେହେଉନାହିଁ ବୋଲି ଉକ୍ତ ଗବେଷକଦ୍ୱୟଙ୍କ ମତ।
କରୋନା କେବେ କମିବ ତାହାକୁ ନେଇ ସବୁଠାରୁ ଦୁଃସମ୍ବାଦଟିଏ ଆସିଛି ବିଶ୍ୱ ସ୍ବାସ୍ଥ୍ୟସଂସ୍ଥାଠାରୁ। ଏହାର ଆପତ୍‌କାଳୀନ ବିଶେଷଜ୍ଞ ମାଇକ୍‌ ରାଇଆନ୍‌ ନିକଟରେ ଖବର ସରବରାହ ସଂସ୍ଥା ‘ରଏଟର’କୁ ଦେଇଥିବା ଏକ ସୂଚନାରେ ବିଶ୍ୱବାସୀଙ୍କୁ ସତର୍କବାଣୀ ଶୁଣାଇଛନ୍ତି ଯେ, ଏହା ହୁଏତ କଦାପି କମି ନ ପାରେ। କାରଣ ବର୍ଷ ବର୍ଷ ଧରି ସବୁପ୍ରକାର ଉଦ୍ୟମ ସତ୍ତ୍ୱେ ଏଡ୍‌ସ ରୋଗକାରୀ ଏଚ୍‌ଆଇଭି ଭୂତାଣୁକୁ ବିଲୋପ କରିବା ସମ୍ଭବ ହୋଇପାରି ନାହିଁ। ଅତଏବ ଏ କ୍ଷେତ୍ରରେ ଯେ ସେପରି ନ ଘଟିବ ସେ କଥା କିଏ କହିବ? ତଥାପି ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାରୁ ମୁକ୍ତି ପାଇଁ ଚାଲିଥିବା ପ୍ରଚେଷ୍ଟାରୁ ସୁଫଳ ମିଳିବାର ଅନେକ ସଂକେତ ମିଳୁଛି। ଉଦାହରଣସ୍ବରୂପ, ଏବେସୁଦ୍ଧା ଏ ରୋଗର ନିରାକରଣ କରିବାର ସମ୍ଭାବନା ଥିବା ୧୦୦ରୁ ଅଧିକ ଟିକା ବିକଶିତ ହେବା ସଙ୍ଗେ ସଙ୍ଗେ ତାହାର ପରୀକ୍ଷା ମଧ୍ୟ ଆରମ୍ଭ ହୋଇଗଲାଣି। ସେହିପରି ବିଭିନ୍ନ ବିଜ୍ଞାନାଗାରରେ ଏହାର ଚିକିତ୍ସା ଲାଗି ସମ୍ଭାବ୍ୟ ଔଷଧମାନ ପ୍ରସ୍ତୁତ ହେଲାଣି। ଏସବୁ କରୋନାର ମୁକାବିଲା ଲାଗି ସମର୍ଥ ହେବ ବୋଲି ମନରେ ଆଶା ସଂଚାର ହେଉଛି ସତ, ତେବେ ତାହା କେବେ ବ୍ୟବହାର କ୍ଷେତ୍ରକୁ ଓହ୍ଲାଇବା ସମ୍ଭବ ହେବ ସେକଥା କହିହେଉ ନାହିଁ। କାରଣ ଗୋଟିଏ ଗୋଟିଏ ରୋଗର ଟିକା ବା ଔଷଧକୁ ନିଶ୍ଚିତ କରିବାକୁ ହେଲେ ବର୍ଷ ବର୍ଷ ସମୟ ଲାଗିଯିବାର ଦୃଷ୍ଟାନ୍ତ ରହିଛି। ଏ କ୍ଷେତ୍ରରେ ମଧ୍ୟ ତାହା ଯେ ନ ଘଟିବ ସେ କଥା କିଏ କହିବ। ଅତଏବ କରୋନା କେବେ କମିବ ଠିକ୍‌ ଭାବେ ତାହାର ଅନୁମାନ କରିବା ଏବେ ସମ୍ଭବପର ନୁହେଁ। ପୁନଶ୍ଚ ଇତିମଧ୍ୟରେ ଏହାର ପୁନରାବିର୍ଭାବ କଥା ମଧ୍ୟ କୁହାଗଲାଣି। ମହାମାରୀ ପ୍ଲେଗ୍‌ ତ ପୁଣି ୨ ହଜାର ବର୍ଷ ଧରି ମଝିରେ ମଝିରେ ଦେଖାଦେଉଛି!
ଏପରିସ୍ଥଳେ ଆମକୁ କରୋନା ସହିତ ବଞ୍ଚିବା ଶିକ୍ଷା କରିବାକୁ ପଡ଼ିବ ବୋଲି କୁହାଗଲାଣି, ଯେପରି ଆମେ ବଞ୍ଚିଛୁ ଏଡ୍‌ସ, ସାର୍ସ, ମେରସ ଅଥବା ଅନ୍ୟ କେତେକ ସଂକ୍ରାମକ ରୋଗ ସହିତ। ନିକଟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ସୂଚିତ କରାଯାଇଛି ଯେ ଦେଶର ଅର୍ଥନୈତିକ ସୁରକ୍ଷା ଦୃଷ୍ଟିରୁ ଏବଂ କର୍ମଜୀବୀମାନଙ୍କୁ ଅର୍ଜନକ୍ଷମ କରିବାକୁ ହେଲେ ଅନିର୍ଦ୍ଦିଷ୍ଟକାଳ ଧରି ତାଲା ବନ୍ଦ ସମ୍ଭବପର ନୁହେଁ। ଏଣୁ ଧୀରେ ଧୀରେ ଆମକୁ ସାଧାରଣ ଜୀବନକୁ ଫେରିବାକୁ ପଡ଼ିବ। ଏହାଦ୍ୱାରା କରୋନା ସଂକ୍ରମଣର ସମ୍ଭାବନା ବୃଦ୍ଧି ପାଇବ। ଏଣୁ ଯଥାସମ୍ଭବ ତାହାକୁ ଏଡ଼ାଇ କିପରି ବଞ୍ଚିବାକୁ ହେବ ସେ ଦିଗରେ ସଚେତନ ହେବା ଏବଂ ସାମାଜିକ ଦୂରତା ରକ୍ଷା, ପରିଚ୍ଛନ୍ନତା, ମାସ୍କ ପରିଧାନ ଆଦି ସାବଧାନତା ଅବଲମ୍ବନ କରିବା ସମ୍ଭବତଃ ବର୍ତ୍ତମାନ ଲାଗି ଆମ ପାଖରେ ଏକମାତ୍ର ବିକଳ୍ପରୂପେ ରହିଛି।
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର,
ଭୁବନେଶ୍ୱର, ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାସାଗରଙ୍କ ବିଚାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଊନବିଂଶ ଶତାବ୍ଦୀରେ ଦେଶର ସାମାଜିକ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିଥିବା ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଥିଲେ। ମହାଦେବ...

ଏଇ ଭାରତରେ

ଦାରିଦ୍ର୍ୟର ସ୍ପଷ୍ଟ ଚିତ୍ର ଯେ କୌଣସି ଛକ ରାସ୍ତାରେ ଦେଖିବାକୁ ମିଳେ। ଛୋଟ ପିଲାମାନେ ଭିକ୍ଷା ବୃତ୍ତିରେ ନିୟୋଜିତ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଅନେକେ ସେମାନଙ୍କୁ...

କୁକୁଡ଼ା ବି ଖୁସିରେ ଗାଆନ୍ତି

ମାନେକା ଗାନ୍ଧୀ ସମ୍ପୂର୍ଣ୍ଣ ଲକ୍‌ଡାଉନରେ ପ୍ରାୟ ଦୁଇମାସ ହେବ ମୁଁ ପୂରା ଏକୁଟିଆ ରହିଥିଲି। ଏହି ସମୟରେ କୁଆଟିଏ ଥିଲା ମୋର ବନ୍ଧୁ। ଏହି ବନ୍ଧୁତ୍ୱର...

ଓଡ଼ିଶାରେ ଅନ୍‌ଲାଇନ ଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର   ଓଡି଼ଶାରେ ପ୍ରସ୍ତାବିତ ଅନ୍‌ଲାଇନ ଶିକ୍ଷା ଏକ ଉଦ୍ୟମ ନୁହେଁ ବରଂ ଶିକ୍ଷା ପାଇଁ ଏକ କ୍ଷମା ପ୍ରାର୍ଥନା। କରୋନାରୂପକ...

ଏଇ ଭାରତରେ

ଆଗାମୀ ପିଢ଼ି ଲାଗି ଯଦି କିଛି ସର୍ବଶ୍ରେଷ୍ଠ ଉପହାର ଥାଏ, ତେବେ ତାହା ହେଉଛି ପାଣି-ଏହା ଉପଲବ୍ଧି କରିଛନ୍ତି ଗୁଜରାଟର ଡେଥାଲି ଗାଁ। ଏହି ମରୁଡ଼ି...

ଧାର୍ମିକ ଭିନ୍ନତା ମଧ୍ୟରେ ଏକତା

ବୈକୁଣ୍ଠନାଥ ମିଶ୍ର ମୃତ୍ୟୁ ଏକ ରହସ୍ୟମୟ ଚିନ୍ତନ। କେବଳ ମୃତ୍ୟୁ ନୁହେଁ, ମୃତ୍ୟୁ ପରବର୍ତ୍ତୀ କାଳରେ ଆତ୍ମାର ଗତି, ସ୍ଥିତି ମଧ୍ୟ ଅନୁରୂପ ଭାବେ ରହସ୍ୟମୟ।...

ଜୈନ ଦର୍ଶନ ଓ କର୍ମବାଦ

ଡ. ଭାଗ୍ୟଲିପି ମଲ୍ଲ ବସନ୍ତର ମହୋତ୍ସବ। ଚତୁର୍ଦ୍ଦିଗରେ ବର୍ଣ୍ଣିଳ ସମାବେଶ। ପ୍ରକୃତିର ଅଙ୍ଗେ ଅଙ୍ଗେ ନବ ଉନ୍ମାଦନାର ଶିହରଣ। ଏହିଭଳି ଏକ କମନୀୟ ସକାଳରେ ପୃଥିବୀ...

ଓଡ଼ିଆ ଜାତିର ଜୀବନ ବେଦ

ଡ. ପ୍ରଫୁଲ୍ଲ କୁମାର ସାହୁ ଗ୍ରନ୍ଥସ୍ରଷ୍ଟାଙ୍କ ଜୟନ୍ତୀ ପାଳନ ହେବାର ବିଧି ବିଶ୍ୱବ୍ୟାପୀ ପ୍ରଚଳିତ। ମାତ୍ର ଓଡ଼ିଆ ଭାଗବତକୁ ଛାଡ଼ିଦେଲେ ପୃଥିବୀରେ ପ୍ରାୟ ଏମିତି କୌଣସି...

Advertisement
Archives

Model This Week