କବି ହେବା ନୋହିଲା

ବୈକୁଣ୍ଠନାଥ ମିଶ୍ର
କାହିଁକି କେଜାଣି କବିତା ଲେଖିବା ପାଇଁ ମନରେ ପ୍ରବଳ ଉତ୍କଣ୍ଠା ଜାଗ୍ରତ ହେଲା। ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ବିଦ୍ୟାଳୟର ବାର୍ଷିକ ପତ୍ରିକାରେ ମୋର ଏକ କବିତା ପ୍ରକାଶ ପାଇଥିଲା। ମହାବିଦ୍ୟାଳୟରେ ମଧ୍ୟ ଅନୁରୂପ ଭାବେ ଗୋଟିଏ/ଦୁଇଟି କବିତା ବାର୍ଷିକ ପତ୍ରିକାରେ ପ୍ରକାଶିତ ହୋଇ ସହପାଠୀ ଓ ଆତ୍ମୀୟଙ୍କଠାରୁ ମିଳିଥିଲା ଅନେକ ପ୍ରଶଂସା, ଯାହା କବିତା ଲିଖନ ପାଇଁ ମୋତେ ଅନୁପ୍ରେରିତ କରିଥିଲା। ଆଗ୍ରହ ବଢିଲା ଓ ସମୟର ଗତି ସହ ତାଳଦେଇ ବଢିଚାଲିଲା କବିତା ଲେଖାର ଝୁଙ୍କ୍‌। ଅନେକ କବିତା ଲେଖି ତା’ର ପାଣ୍ଡୁଲିପିକୁ ସାଇତି ରଖିଛି। ଦିନେ ଭାବିଲି କୌଣସି କବିତା ପାଠୋତ୍ସବରେ ଅଂଶଗ୍ରହଣ କରି ସ୍ବରଚିତ କବିତା ପାଠ କଲେ ମୋତେ ସମସ୍ତେ କବି ବୋଲି ଜାଣିବେ ଓ ମୋର କବିତା ଲେଖାର ଶ୍ରମ ସାର୍ଥକ ହେବ।
କିଛିଦିନ ପରେ ମୋତେ ସେ ସୁଯୋଗ ମିଳିଲା। ଆମ ଗ୍ରାମଠାରୁ ୧୦/୧୫ କିଲୋମିଟର ଦୂରରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବିବର ରାଧାନାଥଙ୍କୁ ଅନୁସରଣ କରି ଲେଖିଥିବା ମୋ କବିତାଟି ପଢ଼ିଲି, ଯାହାର ପ୍ରଥମ ପଦଟି ଥିଲା ଏହିପରି- ପରାଚୀ ଭୂଖଣ୍ଡେ ଆର୍ଯ୍ୟ ବାସସ୍ଥଳୀ, ଶୋଭା ସୁଷମାରେ ସ୍ବର୍ଗଠାରୁ ବଳି।… କବିତାଟି ପାଠ କରି ମୁଁ ନିଶ୍ଚିତ ଥିଲି ଯେ, ସଭାପତିଙ୍କ ଦ୍ୱାରା ମୋ କବିତାଟି ଉଚ୍ଚ ପ୍ରଶଂସିତ ହେବ ଓ ଶ୍ରୋତାଙ୍କର କରତାଳିରେ ସଭାସ୍ଥଳୀ ମୁଖରିତ ହେବ। କିନ୍ତୁ ସେପରି କିଛି ହେଲାନାହିଁ। ସଭା ସାଙ୍ଗ ହେବା ପରେ ସଭାପତିଙ୍କୁ ମୋ କବିତା ସମ୍ବନ୍ଧରେ ଜାଣିବାକୁ ଚାହିଁବାରୁ ସେ କହିଲେ, ଦେଖନ୍ତୁ ଆପଣଙ୍କର ଇଏ ଛାନ୍ଦ କବିତା। ଏସବୁ କବିତାର ଯୁଗ ଆଉ ନାହିଁ। ଏପରି କବିତା ଲେଖି ଆପଣ କ’ଣ ଭାବୁଛନ୍ତି ଆପଣ କବି ହୋଇଯିବେ? ଆଧୁନିକ, ରୋମାଣ୍ଟିକ, ଉଦ୍ଭଟ, ପ୍ରତୀକଧର୍ମୀ କିମ୍ବା ଦୁର୍ବୋଧ୍ୟ କବିତା ପରି ଯୁଗୋପଯୋଗୀ କବିତା ଲେଖନ୍ତୁ।
ତା’ପରେ ପ୍ରେମିକ କବି ମାୟାଧର ମାନସିଂହଙ୍କ ଅନୁସରଣରେ ଏକ ପ୍ରେମ କବିତା ଲେଖିଲି, ଯାହାର କିଛି ଅଂଶ ଏହିପରି- ତୁମେ ତ ମୋର ଘୁମନ୍ତ ନିଶି ଅଳସୀ ଶୀତ ଚନ୍ଦ୍ରିକା, ତୁମେ ତ ମୋର ଚପଳକାନ୍ତା ହୃଦ ପଞ୍ଜୁରୀ ଶାରିକା।… ଉତ୍ସୁକତାର ସହ ଆଉ ଏକ କବିତା ଆସରକୁ ଚାହିଁ ବସିଲି। ସେଦିନ ଉପଗତ ହେଲା। କିନ୍ତୁ ଏଥର ମଧ୍ୟ ମୋର ଆଶା ନିରାଶାରେ ପରିଣତ ହେଲା, ଯେତେବେଳେ ଜାଣିଲି ପଠିତ କବିତାଗୁଡ଼ିକ ମଧ୍ୟରେ ମୋ କବିତା ସର୍ବ ନିମ୍ନରେ ଅଛି। ସଭା ସାଙ୍ଗ ହେଲା ପରେ ମୁଁ ଅତି ସନ୍ତର୍ପଣରେ ଏକାନ୍ତରେ ସଭାର ଅଧ୍ୟକ୍ଷ ତଥା ଚୟନକର୍ତ୍ତାଙ୍କୁ ମୋ କବିତା ସମ୍ବନ୍ଧରେ ପଚାରିଲି। ସଂଯୋଗକୁ ପୂର୍ବର ସଭାପତି ମଧ୍ୟ ଆଜିର ସାହିତ୍ୟ ସଭାରେ ଅଧ୍ୟକ୍ଷତା କରୁଥାନ୍ତି। ସେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନ ଦେଇ କହିଲେ, ଏହା କ୍ଳିଷ୍ଟ କବିତା, ପାଠକ ମନକୁ ଛୁଇଁପାରିବ ନାହିଁ। ସାମ୍ପ୍ରତିକ ଯୁଗ ପାଇଁ ଏସବୁ ଅଚଳ କବିତା ଓ ଏଥିରେ ଆଧୁନିକତାର ଝଲକ ନାହିଁ। ଏ କବିତା ଲେଖି ଆପଣ କିପରି ଆସ୍ପର୍ଦ୍ଧା କରୁଛନ୍ତି ଯେ ଆପଣ ପାଠକୀୟ ଆଦୃତି ସାଉଁଟି ପାରିବେ ବୋଲି? ଆପଣ ଯଦି ନିହାତି ଲେଖିବାକୁ ଚାହଁୁଛନ୍ତି- ତେବେ ଗଦ୍ୟ କବିତା ଲେଖନ୍ତୁ- ଯାହା ଦୁର୍ବୋଧ୍ୟ, ପ୍ରତୀକଧର୍ମୀ ଓ ଉଦ୍ଭଟ ହୋଇଥିବ ଏବଂ ଆଧୁନିକତାର ବାସ୍ନା ବି ବହନ କରୁଥିବ। ନଚେତ୍‌ ଏପରି ଲେଖିବା ବନ୍ଦ କରନ୍ତୁ।
କବିତା ରଚନାର ବିଧିବିଧାନ ସମ୍ବନ୍ଧରେ ଯେହେତୁ ମୁଁ ଅଜ୍ଞ, ତେଣୁ ନୀରବ ରହିଲି ଓ ଆଉ ଏକ ଆସରକୁ ଅପେକ୍ଷା କଲି। ମନେ ମନେ ସ୍ଥିର କଲି ଏଥର ଏମିତି କବିତାଟିଏ ଲେଖିବି, ଯାହା ଚୟନକର୍ତ୍ତା ତଥା ଆୟୋଜକଙ୍କ ପାଇଁ ବିରକ୍ତିକର ହେବ। ଅଳ୍ପଦିନ ଅନ୍ତରେ ସେ ସୁଯୋଗ ଆସିଲା। କବିତା ରଚନାରେ ସଫଳତା ପ୍ରାପ୍ତିକୁ ଗୌଣ କରି ଚୟନକର୍ତ୍ତାଙ୍କ ମନରେ ବିରକ୍ତିଭାବ ସୃଷ୍ଟି କରିବାର ପ୍ରୟାସ ନେଇ ଲେଖିଲି-
ଯାଉଥିଲି ରାସ୍ତାରେ ଭେଟିଲି ମୁଁ କୁକୁର,
ବସିଲି ତା’ ପିଠିରେ ଧରିଲି ତା’ କାନକୁ।
ଉଡି ଉଡି ନେଇଗଲା ମହାଶୂନ୍ୟ ମଧ୍ୟକୁ,
ଫିଙ୍ଗି ଦେଲା ମତେ ନେଇ ଅତଳ ସମୁଦ୍ରେ।
ନ ପାଇଲି କୂଳ ଆଉ କିନାରା-
ପାଲଟିଲି ପଥହରା ପଥିକ-
ନିର୍ବାକ୍‌-ନିସ୍ପନ୍ଦ-ଚତୁଃପାର୍ଶ୍ୱ ଅନ୍ଧକାରମୟ।
ଏଥରକ କବିତା ପାଠୋତ୍ସବରେ ପହଞ୍ଚି ଆୟୋଜକଙ୍କ ହାତକୁ କବିତାଟି ବଢାଇଦେଇ ଚୁପ୍‌ ହୋଇ ନିଜ ଆସନରେ ବସିରହିଲି। ଖୁବ୍‌ଶୀଘ୍ର ମୋ ପାଳି ପଡିଲା। ମନରେ ଉତ୍ତେଜନା, ଦେହରେ ଶିହରଣ ଓ ହୃଦୟରେ ଅବିଶ୍ୱାସର ଏକ ପୁଞ୍ଜୀଭୂତ ସମାହାରରେ କବିତା ପଠନ ପାଇଁ ଆଗେଇଗଲି। ନ ଥିଲା ମନରେ ସରସତା କିମ୍ବା ପୂର୍ବର ଆବେଗ। ମନେମନେ ନିଜକୁ ଧିକ୍କାରିଲି, କାହିଁକି ଏ କବିତା ଲେଖିଲି ବୋଲି। ଭରା ସଭାରେ ମୋତେ ହିଁ ତ ଏହା ପଢ଼ିବାକୁ ହେବ। ସାହସ ସଞ୍ଚୟ କରି କବିତାଟି ପଢିଲି। ଲକ୍ଷ୍ୟ କଲି ସଭାସ୍ଥଳୀ କରତାଳିରେ ଉଛୁଳି ପଡୁଛି। ମୁଁ ଭାବିଲି ମୁଁ ଯାହା ଲେଖିଛି ତାକୁ ମୁଁ ଠିକ୍‌ ଭାବେ ବୁଝିନାହିଁ; ହେଲେ ଏ ସୁଧୀ ଶ୍ରୋତୃମଣ୍ଡଳୀ କ’ଣ ବୁଝିଲେ ଯେ ପୁଲକିତ ହୋଇ କରତାଳି ବର୍ଷଣ କରୁଛନ୍ତି? ମୁଁ ଲକ୍ଷ୍ୟ କଲି ମୁଁ ଏକା ଉଦାସ ଓ ଆଉ ସମସ୍ତେ ଉତ୍‌ଫୁଲ୍ଲ। ସଭାକାର୍ଯ୍ୟର ଅନ୍ତିମ ପର୍ଯ୍ୟାୟରେ ସଭାପତିଙ୍କ ଅଭିଭାଷଣ ଥିଲା ମୋ କବିତାର ଉଚ୍ଛ୍ବସିତ ପ୍ରଶଂସାରେ ଶତମୁଖ। ସେ କହିଲେ ଶ୍ରୀଯୁକ୍ତ ମିଶ୍ରଙ୍କର କବିତାଟି ପ୍ରତୀକଧର୍ମୀ, ସମୟୋପଯୋଗୀ ଓ ସମାଜ ପାଇଁ ଏକ ସୁନ୍ଦର ଚେତାବନୀ। ଝିଅଟି ନିଃସଙ୍ଗଭାବେ ନିଛାଟିଆ ରାସ୍ତାରେ ଗମନ କରୁଛି। ଶ୍ୱାନ ପରି ଅନୁଧାବନ କରୁଥିବା ତା’ର ପ୍ରେମିକ ତାକୁ ବାଇକ୍‌ରେ ଲିଫ୍ଟ ଦେଉଛି। ପଛ ସିଟ୍‌ରେ ବସି ଝିଅଟି ପ୍ରେମିକର କାନ୍ଧକୁ ଧରିଛି। ଗାଡିର ବେଗ କ୍ରମଶଃ ପ୍ରଖରତର ହେଉଛି। ହଠାତ୍‌ ବାଇକଟି ରାସ୍ତାର ଗୋଟିଏ କଡକୁ ମାଡିଯାଇ ଏକ ଗଛରେ ଧକ୍କା ହୁଏ। ଝିଅଟି ଖଣ୍ଡେ ଦୂରକୁ ଛିଟିକି ପଡି ଚେତାଶୂନ୍ୟ ହୋଇଯାଏ। ସଚେତ ହୋଇ ନିଜକୁ ଆବିଷ୍କାର କରେ ମେଡିକାଲ ବେଡରେ। ନା ଅଛି ପ୍ରେମିକ- ନା କେହି ଆତ୍ମୀୟ ପରିଜନ। ଚାରିଆଡେ କେବଳ ଶୂନ୍ୟତା ଆଉ ଶୂନ୍ୟତା।
ଏବେ ବୁଝିଗଲି ମୋ ରଚିତ ଅନାବନା କବିତାର ମାହାତ୍ମ୍ୟ। ନା ଅଛି ଶବ୍ଦ ସଂଯୋଜନାର କଳାକୌଶଳ- ନା ଆଭିଧାନିକ ଉପଯୁକ୍ତ ଶବ୍ଦ ଚୟନ। ଯାହା ସାଧାରଣରେ ଦୁର୍ବୋଧ୍ୟ, ଯାହାର ନିର୍ଯାସ ସ୍ବୟଂ କବିକୁ ମଧ୍ୟ ଅସ୍ପଷ୍ଟ, ତାହା ଏତେ ମର୍ମସ୍ପର୍ଶୀ ହୋଇପାରେ ବୋଲି ଏବେ ମୋର ହୃଦ୍‌ବୋଧ ହେଲା। ଏହା ନିଚ୍ଛକ ସତ୍ୟର ଅବତାରଣା ମାତ୍ର! ଭାଜିଗଲା ମୋ କବିତା ଲେଖା ସ୍ବପ୍ନ। ଭଞ୍ଜଙ୍କ ଦୁର୍ବୋଧ୍ୟ କବିତା ସିନା ପଣ୍ଡିତ, ବାରାଙ୍ଗନା ଓ ପଥଚାରୀଠାରୁ ଆରମ୍ଭ କରି ଚଷା ଓ ଯୋଷା ପର୍ଯ୍ୟନ୍ତ ସମସ୍ତେ ଗାଉଥିଲେ ହେଲେ ମୋ ଅଳଙ୍କାରଶୂନ୍ୟ ଛାନ୍ଦହୀନ କବିତାକୁ କିଏ ବା କାହିଁକି ଗାଇବ?
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri