ନମସ୍କାର ଓ ଆଶୀର୍ବାଦ

ଅଲେଖ ଚନ୍ଦ୍ର ମିଶ୍ର
ନମଃ, ନମସ୍ତେ, ନମସ୍କାର, ଜୁହାର, ଓଳଗି, ଦଣ୍ଡବତ, ପ୍ରଣାମ, ଅଭିନନ୍ଦନ, ଅଭିବାଦନ ଏ ସମସ୍ତ ପ୍ରାୟ ସମାର୍ଥକ ଶବ୍ଦ। ଏଗୁଡ଼ିକ ଏପରି ସମ୍ବେଦନଶୀଳ ଯେ, ଏହାର ଉଚ୍ଚାରଣକର୍ତ୍ତା ଏବଂ ଗ୍ରହୀତା ଉଭୟଙ୍କୁ ଆପ୍ୟାୟିତ କରେ। ଏଥିରେ ସାନବଡ଼, ଉଚ୍ଚନୀଚର ଭେଦଭାବ ରହିବା ଉଚିତ ନୁହେଁ। କାରଣ ସବୁ ମଣିଷଙ୍କ ଭିତରେ ସମାନ ଆତ୍ମା ବିଦ୍ୟମାନ- ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ। ବରଂ ଏହା କର୍ତ୍ତାଙ୍କର ବିନମ୍ରତାର ନିଦର୍ଶନ ଏବଂ ଗ୍ରହୀତାଙ୍କର ଶୁଭେଚ୍ଛାର ବାର୍ତ୍ତାବହ। ସମ୍ମାନ ପ୍ରଦାନ, ଭକ୍ତି ନିବେଦନ, ଆନୁଗତ୍ୟ ପ୍ରକାଶ, ସ୍ବାଗତ ସମ୍ବର୍ଦ୍ଧନା, ସାକ୍ଷାତ୍‌ ସମ୍ଭାଷଣ, କୃତଜ୍ଞତା ଜ୍ଞାପନ, ଖୁସି ପ୍ରକଟ ଇତ୍ୟାଦି ପାଇଁ ସଚରାଚର ବ୍ୟବହୃତ ଏହା ଏକ ଲୋକପ୍ରିୟ ମାଧ୍ୟମ। ସ୍ଥଳବିଶେଷରେ ଏହାର ପ୍ରକାର ଭେଦ ଭିନ୍ନ ଭିନ୍ନ ହେଲେ ବି (ଯଥା: ନାକରେ ନାକ ଘଷି, କାନ୍ଧରେ କାନ୍ଧ ମିଳେଇ, କରମର୍ଦ୍ଦନ କରି ଇତ୍ୟାଦି) ଆମ ସଂସ୍କୃତିରେ ଏହାର ରୂପରେଖ ନିମ୍ନୋକ୍ତ ଢଙ୍ଗରେ ହୋଇଥାଏ। ଯଥା: ଆପାଦମସ୍ତକ ଭୂଲୁଣ୍ଠିତ, ଦଣ୍ଡବତ, ସାଷ୍ଟାଙ୍ଗ, ଭୂମିଷ୍ଠ, ଆଣ୍ଠୁ ମାଡି, ମୁଣ୍ଡ ମାଡି, ବେକ ନଇଁ, ପାଦ ସ୍ପର୍ଶକରି, ପାଦରୁ ଧୂଳି ନେଇ, ଦଣ୍ଡାୟମାନ ଅଥବା ଚାଲୁ ଚାଲୁ ଗୋଟିଏ ବା ଦୁଇଟି ହାତ ଟେକି, ଶିର ଅଳ୍ପୋନ୍ନତ କରି, ସାଲ୍ୟୁଟ (ସଲାମ) କରି, ଜୋତା ଓହ୍ଲେଇ, ଟୋପି ବା ପଗଡି କାଢି, ପାଦୋଦକ ପାଇ ଇତ୍ୟାଦି। ଦେଶକାଳପାତ୍ର ଭେଦରେ ନମସ୍କାର ଉପରୋକ୍ତ ପ୍ରକ୍ରିୟାରେ ସମ୍ପାଦିତ ହୋଇଥାଏ। ଏହାର ମୂଳମନ୍ତ୍ର ହେଲା ଏଥିପାଇଁ ଇଚ୍ଛା ଓ ଆଗ୍ରହ ଥିବା ଉଚିତ। ନଚେତ୍‌ ଏହା ‘ମାଗି ଓଳଗି, ଯାଚି କଲ୍ୟାଣ’ ଭଳି ହାସ୍ୟାସ୍ପଦ ହୋଇଯାଏ।
ସାଧାରଣତଃ ନମସ୍କାର ଉଦ୍ଦେଶ୍ୟରହିତ ଏବଂ ପ୍ରତ୍ୟାଶାବର୍ଜିତ ହେବା ବିଧେୟ। ପୁନଶ୍ଚ ନମସ୍କାର କରିବା ବେଳେ ମନ ନିର୍ମଳ ରହିବା ଉଚିତ। ଏ କ୍ଷେତ୍ରରେ ରାମାୟଣବର୍ଣ୍ଣିତ ଅନ୍ଧମୁନି ଉପାଖ୍ୟାନ ପ୍ରଣିଧାନଯୋଗ୍ୟ। ତାଙ୍କର ଅନ୍ଧତ୍ୱର କାରଣ ଥିଲା ପୂର୍ବଜନ୍ମରେ ତାଙ୍କ ଗୃହରେ ଅତିଥି ହୋଇଥିବା ଜଣେ ଋଷିଙ୍କୁ ସସ୍ତ୍ରୀକ ନମସ୍କାର କଲାବେଳେ ତାଙ୍କର ଗୋଦର ଗୋଡକୁ ଦେଖି ଉଭୟେ ଘୃଣାରେ ଚକ୍ଷୁ ବନ୍ଦ କରିଦେଇଥିଲେ। ଏହା ଦେଖି ଅତିଥି ଋଷି ତାଙ୍କୁ କହିଥିଲେ ‘ତଥାସ୍ତୁ’। ସେହିପରି ବିଗିରି ନିଜର ଗୁରୁ ଅଗସ୍ତିଙ୍କୁ ମୁଣ୍ଡ ମାଡି ନମସ୍କାର କଲାବେଳେ ତା’ ମନରୁ ଅହଂକାର ଦୂର ହୋଇ ନ ଥିଲା (ମେରୁପର୍ବତ ସହିତ ପ୍ରତିଯୋଗିତା ଯୋଗୁ)। ତେଣୁ ମହର୍ଷି ତାକୁ ସେ ଫେରିବା ପର୍ଯ୍ୟନ୍ତ ସେମିତି ପଡି ରହିବାକୁ କହିଥିଲେ ଏବଂ ଆଉ ଫେରିଲେନି। ଦେବସଭାରେ ଶିବ ଶ୍ୱଶୁର ଦକ୍ଷଙ୍କୁ ନମସ୍କାର କରି ନ ଥିବା ହିଁ ଦକ୍ଷଯଜ୍ଞ ଭଙ୍ଗ ଓ ଶିବ ସତୀଙ୍କୁ ହରାଇବାର ମୂଳ କାରଣ ଥିଲା।
ନମସ୍କାର ଯେପରି ଭିନ୍ନ ଭିନ୍ନ ତା’ର ପ୍ରତିକ୍ରିୟା ବା ଆଶୀର୍ବାଦ ସେହିପରି ନାନା ପ୍ରକାରର। ବୁଢ଼ାବୁଢ଼ୀଙ୍କୁ ନମସ୍କାର କଲେ ସେମାନଙ୍କର ଅନ୍ତର ଭିତରୁ ଯେଉଁ ନିଷ୍କାମ ଶବ୍ଦଗୁଡିକ ସ୍ଫୁରିତ ହୁଏ ତାହା ହେଲା ‘ବୁଢାଟିଏ/ବୁଢୀଟିଏ ହେଇଥାଆ, ପାଚିଲା ବାଳରେ ସିନ୍ଦୂର ନାଉଥା, ତୋ ପାଦ ଅଗରେ କଣ୍ଟା ନ ବାଜୁ, ମୋ ଆୟୁଷ ତତେ ଲାଗିଯାଉ, ଦୀର୍ଘାୟୁ, ନିରାମୟ ହୋଇଥା, କୋଟି ପରମାୟୁ ହେଉ, ତୋର ସବୁ ରୋଗବୈରାଗ ମତେ ଝାଡିଝୁଡି ଦେ, ତୋର ସବୁ ବାଧାବିଘ୍ନ ଆଡ ହୋଇଯାଉ, ତୋର ରାସ୍ତାରେ କଣ୍ଟା ନ ରହୁ’ ଇତ୍ୟାଦି। ବୟସ୍କ କିମ୍ବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନମସ୍କାର କଲେ ସେମାନେ ସାଧାରଣତଃ କହିଥାନ୍ତି, ହେଲା, ହେଲା ବାପା/ମା’ (କହି ଦୁଇ ହାତରେ ଉଠେଇ ନେବା), ତୁମକୁ କିଏ ଅକଲ୍ୟାଣ କରୁଛିରେ ବାବୁ/ମା, ସବୁ ମଙ୍ଗଳ ହେଉ, ଭଲରେ ରୁହ, ସୁଖ ଆନନ୍ଦରେ ଦିନ କାଟୁଥା ଇତ୍ୟାଦି। ଶିକ୍ଷକ, ଗୁରୁ ଅଥବା ଗୁରୁଜନଙ୍କୁ ନମସ୍କାର କଲେ ସେମାନେ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରନ୍ତି, ‘ସିଦ୍ଧିରସ୍ତୁ, ବିଜୟୀ ଭବ, ସର୍ବତ୍ର କୃତକାର୍ଯ୍ୟ ହୁଅ’ ଇତ୍ୟାଦି।
ବ୍ରାହ୍ମଣ, ପୁରୋହିତ ଓ ପଣ୍ଡିତଙ୍କୁ ନମସ୍କାର କଲେ ତାଙ୍କ ମୁହଁରୁ ସ୍ବତଃ ନିଃସୃତ ହୋଇଥାଏ ‘ମନୋବାଞ୍ଛା ପୂର୍ଣ୍ଣମସ୍ତୁ, ଦୀର୍ଘାୟୁ ଭବ, ଆୟୁଷ୍ମାନ୍‌ ଭବ, କୁଶଳମସ୍ତୁ, ସର୍ବାରିଷ୍ଟ ଶାନ୍ତିର୍ଭବତୁ, ମନୋଭୀଷ୍ଟ ସିଦ୍ଧିର୍ଭବତୁ’ ଇତ୍ୟାଦି। କିନ୍ତୁ ମାତାପିତାଙ୍କୁ ନମସ୍କାର କଲେ ଏ ସମସ୍ତ ଏକ ସ୍ଥାନରେ ପ୍ରାପ୍ତ ହୁଏ। ମୁନିଋଷିଙ୍କୁ ନମସ୍କାର କଲେ ତତ୍‌କ୍ଷଣାତ୍‌ ଫଳ ପ୍ରାପ୍ତି ହୁଏ ଏବଂ ସମସ୍ତ ସଙ୍କଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି। ଦେବଦେବୀଙ୍କୁ ନମସ୍କାର କଲେ ସେମାନେ କିଛି କୁହନ୍ତିନି ସିନା କିନ୍ତୁ ସେମାନଙ୍କର ସନ୍ତୁଷ୍ଟି ପ୍ରକାରାନ୍ତରେ ସୂଚେଇ ଦିଅନ୍ତି- ଯେପରି ତାଙ୍କ ମସ୍ତକରୁ ଫୁଲଖସିବା, ଅନ୍ତଃକରଣରେ ସକାରାତ୍ମକ ସଂକେତ ଅନୁଭବ କରିବା, ସ୍ବପ୍ନରେ ଆବିର୍ଭୂତ ହେବା, ଗୁହାରିଆ ବା ଅଧିଆ ପଡିଥିଲେ ସ୍ବପ୍ନାଦେଶ ହେବା, ଅଚିରେ କାମନା ଫଳବତୀ ହେବା ଇତ୍ୟାଦି।
ଶାସ୍ତ୍ରାନୁସାରେ ସୂର୍ଯ୍ୟଦେବତାଙ୍କୁ ନମସ୍କାର କଲେ ଯେଉଁ ଫଳପ୍ରାପ୍ତି ହୁଏ ତାହା ନିମ୍ନୋକ୍ତ ପ୍ରକାରର-
”ଆଦିତସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେ ଦିନେ।
ନ ବ୍ୟାଧିର୍ନ ଶୋକସ୍ତେଷାଂ ଦାରିଦ୍ର୍ୟଂ ନୋପଜାୟତେ।ା“
ଏହା ଏକ ଅନୁଭୂତିର କଥା ଯେ ସାମାନ୍ୟ ନମସ୍କାରଟିଏ ବେଳେ ବେଳେ ଦୀର୍ଘଦିନର ତିକ୍ତ ସମ୍ପର୍କକୁ ମଧୁର କରିଦିଏ ଏବଂ ମନୋମାଳିନ୍ୟ ଦୂର ହୋଇଯାଏ। ଅତଏବ ନମସ୍କାର ପାଇଁ ଆଦୌ କୁଣ୍ଠା ରହିବା ଉଚିତ ନୁହେଁ। ପ୍ରତିପକ୍ଷରୁ ପ୍ରତିଦାନ ଥାଉ ବା ନ ଥାଉ। କିନ୍ତୁ କ୍ଷୋଭର କଥା କାଳକ୍ରମେ ନମସ୍କାରର ରୂପରେଖ ବଦଳିବାରେ ଲାଗିଛି ଏବଂ ତା’ ସହିତ ବଦଳିଯାଉଛି ଆଶୀର୍ବାଦର ସଂଜ୍ଞା। ଏବେ ନମସ୍କର୍ତ୍ତାଙ୍କର ପ୍ରତିଦାନସ୍ବରୂପ ଶୁଷ୍କ ପ୍ରତିନମସ୍କାରଟିଏ ହିଁ ଆଶୀର୍ବାଦର ସ୍ଥାନ ନେଉଛି। ନମସ୍କାରର ଶୁଦ୍ଧତା ସହିତ ଆଶୀର୍ବଚନର ଆନ୍ତରିକତା ବିଲୟର ଦ୍ୱାରଦେଶରେ ଉପନୀତ।
ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର, ୟୁନିଟ୍‌-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?