କକ୍‌ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି

ଡ. ଚିନ୍ତାମଣି ପଣ୍ଡା

ସେଦିନ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍‌ଖା ଜରିକୁ ଖୋଲି ଏକାଠି ଫେଣ୍ଟିବା ପରେ ସେବନ କଲେ। ଘଟଣାଟି ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଆବେଗ ସମ୍ବରଣ କରି ନ ପାରି ତାଙ୍କୁ ଏହାର କାରଣ ପଚାରନ୍ତେ ମୋ କୌତୂହଳକୁ ହାଲ୍‌କା କରି ସେ ବ୍ୟଙ୍ଗାତ୍ମକ ଉତ୍ତରଟିଏ ରଖିଲେ ଆଜ୍ଞା, ଏ ଯୁଗ ପରା କକ୍‌ଟେଲିଙ୍ଗର। ଆପଣ ଦେଖୁନାହାନ୍ତି କି, ଏବେ କିପରି ମଦ୍ୟପାନ ବେଳେ ବିଭିନ୍ନ କମ୍ପାନୀର ଉତ୍ପାଦକୁ ଫେଣ୍ଟାଫେଣ୍ଟି କରି ପାନ କରାଯାଉଛି। ଆଗରୁ ମୁଁ ବିଭିନ୍ନ ପ୍ରକାରର ସାରକୁ ମିଶାଇ ଫସଲରେ ପ୍ରୟୋଗ କରିବାର ଦେଖିଥିଲି। କିନ୍ତୁ ବିଭିନ୍ନ କମ୍ପାନୀର ଗୁଟ୍‌ଖାରେ ଏମିତି କି ପ୍ରଭେଦ ଅଛି ଯେ ତାକୁ ଲୋକେ ମିଶାଇ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ନା ଏଇଟା ଏ ଯୁଗର ଗୋଟେ ଫେଶନ।
ମୋ ଭାବନାରେ ଯବନିକା ଟାଣି ସେ ବୁଝାଇବା ଢଙ୍ଗରେ ବଖାଣିଲେ ଯେ, ଭିନ୍ନ ଭିନ୍ନ ପ୍ରକାରର ପାନୀୟକୁ ଭିନ୍ନ ଭିନ୍ନ ଅନୁପାତରେ ମିଶାଇଲେ ଆପଣଙ୍କ ପସନ୍ଦ ମୁତାବକ ସ୍ବାଦ ଓ ଆମୋଦ ପାଇପାରିବେ, ଯାହା ଗୋଟିଏ ପ୍ରକାରରୁ ମିଳିବା ଅସମ୍ଭବ, ଯେମିତି ପ୍ରଜାପତିଟିଏ ଭିନ୍ନ ଭିନ୍ନ ଫୁଲରୁ ମହୁ ସଂଗ୍ରହ କରିଥାଏ। ସେ ମୃଦୁପାନୀୟ ହେଉ କିମ୍ବା କଡ଼ା ପାନୀୟ ସବୁ କ୍ଷେତ୍ରରେ ଏ ନିୟମ ଲାଗୁ। କାରଣ ବିବାହ, ବ୍ରତ ପରି ସାମାଜିକ ଅନୁଷ୍ଠାନରେ ପିଲାଠୁ ବୁଢ଼ା ସଭିଏଁ ପାନୀୟ ଷ୍ଟଲ୍‌ ପାଖରେ ବିଭିନ୍ନ ପାନୀୟକୁ ଫେଣ୍ଟିକରି ଆକଣ୍ଠ ପାନ କରୁଥିବାର ଦୃଶ୍ୟ ଆଜିକାଲି ଅତି ମାମୁଲି କଥା। ଯେମିତି ବିଭିନ୍ନ ପ୍ରକାରର ଅନ୍ନବ୍ୟଞ୍ଜନ ଓ ବିଭିନ୍ନ କିସମର ଆମିଷକୁ ନିଜ ଇଚ୍ଛାନୁସାରେ ମିଶାଇ ଖାଇବାରେ ଆପଣ ଅପାର ଆନନ୍ଦ ଅନୁଭବ କରନ୍ତି। ଅତଏବ ଏହା ଦୋକ୍‌ତା କି ଗୁଟ୍‌ଖା ସେବନରେ ପ୍ରତିଫଳିତ ହେଲେ କ୍ଷତି କ’ଣ? ବିଭିନ୍ନ ପ୍ରକାର ଫଳକୁ ମିଶାଇ ସାଲାଡ କଲାପରି ଆମେ ବିଭିନ୍ନ ପ୍ରକାର ପରିବାକୁ ମିଶେଇ ଯେଉଁ ନବରତ୍ନ ଘାଣ୍ଟ ତରକାରି କରୁ ତାହା ତ ଆମର ପରମ୍ପରାଗତ। କିନ୍ତୁ ଏ ପ୍ରକାରର ଅଦ୍‌ଭୁତ ମାନସିକତା ଯେ ଆମର ପରିକଳ୍ପନାର ବାହାରେ। ଛୋଟବେଳେ ଦେଖିଛି ଭିକାରିଟିଏ ବାରଦ୍ୱାର ବୁଲି ସଂଗ୍ରହ କରିଥିବା ଚାଉଳକୁ ଏକତ୍ର କଲାପରେ କିମ୍ବା ସେବାୟତଟିଏ ପର୍ବପର୍ବାଣିମାନଙ୍କରେ ଖାଉନ୍ଦମାନଙ୍କ ଘରୁ ସଂଗ୍ରହ କରିଥିବା ପିଠାପଣାର କିଛି ଜାତି ନ ଥାଏ ଏବଂ ଏହି ବିଚିତ୍ର ମିଶ୍ରଣକୁ ଆମେ ପଞ୍ଚୁକୁଳିଆ ଆଖ୍ୟା ଦେଇଥାଉ। ଏବେ ଇଂଲିଶ୍‌ ଭାଷାରେ ତାକୁ କକ୍‌ଟେଲିଙ୍ଗ ବୋଲି କହି ଆମେ ଆମ ଚଳଣିରେ ଏକ ପ୍ରକାରର ସାମିଲ କରିଦେଲୁଣି।
ଯେମିତି ଆମକୁ କିଏ କୁକୁର କହିଲେ ରାଗିଯାଉ ସିନା କିନ୍ତୁ ଓ୍ବାଚ୍‌ ଡଗ୍‌ କି ସ୍ଲମ୍‌ ଡଗ୍‌ କହିଲେ ଖୁସି ହେଉ। ସେଥିପାଇଁ ଆମର କଥିତ ଭାଷାକୁ ମଧ୍ୟ ଶୁଦ୍ଧ ଉଚ୍ଚାରଣ କରିବାକୁ ଆମେ କୁଣ୍ଠିତ। ଅଣଓଡ଼ିଆଙ୍କ ପରି ବଙ୍କେଇ ତେଢ଼େଇ ହିନ୍ଦୀ, ଇଂଲିଶ ମିଶାଇ କହିଲେ ଲୋକେ ଆମକୁ ଶିକ୍ଷିତ ଓ ଆଧୁନିକ ବୋଲି କହିବେ। କିନ୍ତୁ ଆମର ଏହି ପ୍ରଶସ୍ତ ମାନସିକତାର ପ୍ରଭାବ ଯେ ସୁଦୂରପ୍ରସାରି ତାହା କିଏ ଭାବୁଛି। ଅନ୍ୟ ଭାଷାର ଅନୁକରଣରେ ନୂତନ ଶବ୍ଦପୁଞ୍ଜମାନ ସୃଷ୍ଟିକରି ଆମେ ଆମ ଅଭିଧାନକୁ ପୁଷ୍ଟ କରି ଚାଲିଥିବା ବେଳେ ସେପଟେ ଆମର ଭାଷା ଯେ ତା’ର ମୌଳିକତାକୁ ବୁଡ଼େଇବାକୁ ବସିଲାଣି। ଆଜି ଆପଣ ଗୀତଟିଏ ଶୁଣିବାକୁ ଚାହିଁବେ ତ ଇଂରାଜୀ ଛନ୍ଦରେ ଓଡ଼ିଆ ଗୀତ କି ହିନ୍ଦୀ ତାଳରେ ବା ତେଲୁଗୁ ସ୍ବରରେ ସମ୍ବଲପୁରୀ ଗୀତର ବିକୃତ କଣ୍ଠସ୍ବର ଆପଣଙ୍କୁ ଶ୍ରୁତିକଟୁ ମନେହେବ। ଦେଶୀୟ ସଙ୍ଗୀତର ମୌଳିକତା ତଥା ମଧୁର ମୂର୍ଚ୍ଛନାକୁ ପଛରେ ପକାଇ ଆମେ ଯେଉଁ ଅପମିଶ୍ରଣ ସଂସ୍କୃତି ଆଡ଼କୁ ଧାଉଁଛେ, ତାହାର ପରିଣାମ କ’ଣ ହେବ? କହିବା ବାହୁଲ୍ୟ ଯେ, ନାମ ସଂକୀର୍ତ୍ତନ ମଧ୍ୟ ଏଥିରୁ ବାଦ୍‌ ପଡୁନାହିଁ। ବଜାରରେ ଲୋକପ୍ରିୟ ଚଳଚ୍ଚିତ୍ର ଗୀତର ଧୁନ୍‌ରେ ଆମେ ହରିନାମ ମହାମନ୍ତ୍ରକୁ ଗାଉଛୁ। ତାହା ପୁଣି ଭଗବାନଙ୍କ ସମ୍ମୁଖରେ। କଳାକ୍ଷେତ୍ର ମଧ୍ୟ ଏ ପ୍ରକାର ଅପମିଶ୍ରଣରୁ ବାଦ୍‌ ପଡ଼ିନାହିଁ। ଓଡ଼ିଶୀ ନୃତ୍ୟରେ ହିପ୍‌ହପ୍‌ ନୃତ୍ୟକୁ କେତେବେଳେ ପଞ୍ଚ୍‌ କଲୁଣି ତ ପୁଣି କେତେବେଳେ ଲୋକନୃତ୍ୟରେ କାବେରା। ଅନେକ ଗୀତରୁ ପଦୁଟିଏ ଲେଖାଏ ମିଶାଇ ଯେଉଁ ଅଦ୍ଭୁତ ନୃତ୍ୟସଙ୍ଗୀତର ପରିବେଷଣ କରୁଛୁ, ତାହା ଆଜିର ଦର୍ଶକମାନଙ୍କର ଉପଭୋଗ୍ୟ ହୋଇପାରୁଛି ଏବଂ ମାହୋଲକୁ ମସ୍‌ଗୁଲ ରଖୁଛି। ଭିନ୍ନ ଭାଷାଭାଷୀ ନାଟକର ସମ୍ମିଶ୍ରଣ, ଯାତ୍ରା ପରିବେଷଣରେ ଫ୍ୟୁଜନ୍‌, ନୃତ୍ୟ ସଙ୍ଗୀତରେ ବିଚିତ୍ରା ଏସବୁ ଏ ଯୁଗର ସୃଷ୍ଟି। କାରଣ ଏ ପ୍ରଣାଳୀଟି ସହଜସାଧ୍ୟ। ବିଭିନ୍ନ ସ୍ରଷ୍ଟାଙ୍କ ରଚନାକୁ କାଟିଯୋଡ଼ି ଯେଉଁ ନୂତନ ରୂପ ଦିଆଯାଉଛି, ତାହା କିମ୍ଭୂତକିମାକାର ହେଲେ ମଧ୍ୟ ସ୍ବତନ୍ତ୍ର, ଅନନ୍ୟ ଆମ ମତରେ।
ଆଧ୍ୟାତ୍ମିକ ପରିବେଶରେ ମଧ୍ୟ ଏ ଯୁଗର ଆକବରମାନେ ଦିନ୍‌-ଇ-ଲାହୀର ଅନୁସରଣରେ ନୂତନ ଧର୍ମୀୟ ପରମ୍ପରା ସୃଷ୍ଟି କରିସାରିଲେଣି। କ ଧର୍ମର ରଥଯାତ୍ରାକୁ ଖ ଧର୍ମାବଲମ୍ବୀମାନେ ଏକ ଭିନ୍ନ ରୂପ ଦେଇ ପାଳନ କଲାବେଳକୁ ଖ ଧର୍ମର ମହମବତି ଯାତ୍ରାକୁ କ ଧର୍ମୀମାନେ ଅନୁକରଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ମନ୍ଦିରରେ ଜାନୁୟାରୀ ପହିଲାକୁ ନବବର୍ଷ ଭାବେ ପାଳନ କରିବାର ପ୍ରଚେଷ୍ଟା କିଛି କମ୍‌ କଥା ନୁହେଁ। ଆଜି ଆମେ ପାରମ୍ପରିକ ରଜ ପୋଡ଼ପିଠାକୁ କଣ୍ଟା ଚାମଚରେ ପିଜା ପରି କାଟି ଖାଇବାକୁ ପସନ୍ଦ କରୁଛେ। ହୋଲିରେ ପରସ୍ପର ସହିତ ରଙ୍ଗ ଖେଳିବା ବାହାନାରେ ଏକତ୍ରିତ ହୋଇ କେକ୍‌ କାଟୁଛେ ଆଉ ତାକୁ ନିଜ ନିଜ ଭିତରେ ବୋଳାବୋଳି ହେଉଛେ। ଦୀପାବଳିରେ ଦୀପ ପରିବର୍ତ୍ତେ ମହମବତି ଜାଳୁଛେ। ଧୋତି ପରିବର୍ତ୍ତେ ପ୍ୟାଣ୍ଟ ଶାର୍ଟ ପିନ୍ଧି ପୂଜା କରୁଛେ। ସକାଳୁ ନମସ୍କାର କିମ୍ବା ପ୍ରଣାମ ନ କରି ଗୁଡ୍‌ମର୍ନିଂ କହି ଅଭିବାଦନ କରୁଛେ, ଯାହାକି ଆମ ଉଗ୍ର ଆଧୁନିକତାର ପରିଚୟକୁ ଜାହିର କରୁଛି। କିନ୍ତୁ ଅନ୍ୟପକ୍ଷରେ ଆମ ସ୍ବତନ୍ତ୍ରତା ଓ ମୌଳିକତାକୁ ପ୍ରତି ମୁହୂର୍ତ୍ତରେ ତିଳ ତିଳ କରି ଯେ ହରାଇ ଚାଲିଛେ, ସେଥିପ୍ରତି ଆମର ନିଘା ନାହିଁ। ଏପରି ଅପମିଶ୍ରଣ କରି କରି ଚାଲିଲେ ଦିନେ ଆମେ ଏକ ସ୍ବତନ୍ତ୍ର ସଭ୍ୟତା କିମ୍ବା ସଂସ୍କୃତିର ଦାୟାଦ ଥିଲେ ବୋଲି କେବଳ ଇତିହାସ ହିଁ ପ୍ରମାଣ ଦେବ।
କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର,
ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

୨୦୧୫ରେ ମୁମ୍ବାଇର ଦାଦାରାଓ ବିଲ୍‌ହୋରେଙ୍କ ଦୁଇପୁଅ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିରେ ବଡ଼ପୁଅର ମୃତ୍ୟୁ ହୋଇଥିଲା ଏବଂ ସାନ ବଞ୍ଚତ୍ୟାଇଥିଲେ। ବର୍ଷା ଯୋଗୁ ଖାଲଖମାରେ ପାଣି…

ବିଜ୍ଞାନର ଅନିୟନ୍ତ୍ରିତ ପ୍ରୟୋଗ

ମଣିଷର ବିକାଶ ଯାତ୍ରା ଦ୍ରୁତଗତିରେ ବଢ଼ିଚାଲିଛି। ବିକାଶ ଯାତ୍ରାରେ ନିଜକୁ ସାମିଲ କରି ମଣିଷର ଅହଂକାର ନିଶ୍ଚିତରୂପେ ଧୀରେ ଧୀରେ ଉଗ୍ର ହେବା ସ୍ବାଭାବିକ। ବିଜ୍ଞାନକୁ ଅସ୍ତ୍ର…

ଇଣ୍ଡୋ-ପ୍ୟାସିଫିକ୍‌ ଓ ଭାରତ

ଭାରତ ମହାସାଗରରୁ ପଶ୍ଚିମ ପ୍ରଶାନ୍ତମହାସାଗର (ପ୍ୟାସିଫିକ୍‌) ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡୋ-ପ୍ୟାସିଫିକ୍‌ ଅଞ୍ଚଳ ସମୁଦ୍ରପଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ଅର୍ଥନୀତି ଓ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରମୁଖ ପ୍ରସଙ୍ଗ…

ଭକ୍ତିଭାବରେ ଅନେକ କୃଷ୍ଣ

ଭାରତରେ କେବଳ ଜଣେ କୃଷ୍ଣ ନାହାନ୍ତି, ଅନେକ କୃଷ୍ଣ ଅଛନ୍ତି। ପ୍ରତ୍ୟେକ ଅଞ୍ଚଳ, ଭାଷା, ସାମାଜିକ ବର୍ଗ ଓ ଐତିହାସିକ ସମୟର ଦୃଷ୍ଟିକୋଣ କୃଷ୍ଣଙ୍କ ସ୍ବରୂପ ଓ…

ଏଇ ଭାରତରେ

ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌ ଗଁାରେ ଥିବା କେ. ଖେଲ୍‌. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ ହେଉଥିବା ପନିପରିବା ଚିନ୍ତାରୁ ପୂରା ମୁକ୍ତ…

ଶିକ୍ଷା ବିନା ବିକାଶ ଅସମ୍ଭବ

ଶିକ୍ଷା ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ସେଥିପାଇଁ ଯେଉଁ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼ ସେହି ରାଷ୍ଟ୍ର ସେତେ ବିକଶିତ। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ…

ହ୍ବାଟ୍ସଆପ୍‌ ଗ୍ରୁପ୍‌ର ବିଷାକ୍ତ ଚିତ୍ର

ସକାଳୁ ସକାଳୁ ମୁଁ ରହିଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଗୋଟିଏ ମେସେଜ ଆସିଲା, ଯାହାର ଆରମ୍ଭରେ ଲେଖାଥିଲା- ”ଦୟାକରି ଏହି ବାର୍ତ୍ତାଟି ପଢ଼ନ୍ତୁ ଏବଂ ଏହାକୁ ଆପଣଙ୍କ ବନ୍ଧୁ,…

ସିଜିମାଳିରୁ ସିଆଙ୍ଗ

ଅକ୍ଟୋବର ୨୩ରେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ୍‌ କପୁର କହିଥିଲେ, ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା ଓ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?