ଓଡ଼ିଶା ଓ ତାରକସୀ ଶିଳ୍ପ

ରମେଶ ଚନ୍ଦ୍ର ସାହୁ

ଭାରତ ଭଳି ଗୋଟିଏ ଅର୍ଥନୈତିକ ବିକାଶଶୀଳ ରାଷ୍ଟ୍ରରେ ହାରାହାରି ପ୍ରାୟ ୮୦ପ୍ରତିଶତ ଲୋକ ସାଧାରଣ ସୁଖ ସୁବିଧାରୁ ବଞ୍ଚତ୍ତ ହୋଇ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନଯାପନ କରନ୍ତି। ଓଡ଼ିଶାରେ ଏ ଅବସ୍ଥା ଆହୁରି ଦୟନୀୟ। ଏଠାରେ ମୁଣ୍ଡପିଛା ବ୍ୟୟର ହାର ଜାତୀୟ ହାରଠାରୁ ବହୁ ନିମ୍ନରେ। କେରଳ ଭଳି ଗୋଟିଏ ରାଜ୍ୟରେ ଦୈନିକ ମଜୁରିର ପରିମାଣ ୪୮୧ ଟଙ୍କା ଥିବାବେଳେ ଓଡ଼ିଶାରେ ଏହା ହେଉଛି ମାତ୍ର ୨୨୫ ଟଙ୍କା। ତେଣୁ ଦୈନିକ ମୁଣ୍ଡପିଛା ବ୍ୟୟ କମ୍‌ ହେବା ସ୍ବାଭାବିକ। ଓଡ଼ିଶାରେ ଏ ଶ୍ରେଣୀୟ ଲୋକଙ୍କ ପାଇଁ ଉପାର୍ଜନର ସୁଯୋଗ ଢେର୍‌ କମ୍‌। ଏଥିରୁ ରକ୍ଷାପାଇବା ପାଇଁ ଯେଉଁଠାରେ କୃଷିକାର୍ଯ୍ୟର ସୁଯୋଗ ଓ ସମ୍ଭାବନା ଊଣା ସେଠାରେ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଓ କୁଟୀରଶିଳ୍ପ ଅନୁଷ୍ଠାନମାନ ସ୍ଥାପନ କରାଗଲେ ନିଯୁକ୍ତିର ସୁଯୋଗ ବ୍ୟାପକ ହୋଇପାରନ୍ତା। ଏ କ୍ଷେତ୍ରରେ ତାରକସୀ ଶିଳ୍ପର ଉପଯୋଗିତା ଢେର୍‌ ଅଧିକ। ଏଇ ଶିଳ୍ପଟି ଏବେ ଦୁର୍ବଳ ହୋଇ ଆସୁଥିବାବେଳେ ଏହାକୁ ଜୀବନ୍ୟାସ ଦେଇ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରାଗଲେ ଏ କ୍ଷେତ୍ରରେ କାମ କରୁଥିବା ହଜାର ହଜାର ଶିଳ୍ପୀ କେବଳ ଉପକୃତ ହେବେ ନାହିଁ, ବରଂ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖଯୋଗ୍ୟ ଉନ୍ନତି ଘଟିବ।
କେବଳ କଟକ ସହରକୁ ଏକ ନମୁନା ସ୍ବରୂପ ଗ୍ରହଣ କରାଯାଇପାରେ। କଟକ ସହର ଏବଂ ଏହାର ଆଖପାଖରେ ପ୍ରାୟ ପାଞ୍ଚହଜାର କାରିଗର ଏଇ କ୍ଷେତ୍ରରେ ନିଯୁକ୍ତ ଅଛନ୍ତି, ସେମାନେ ବର୍ଷସାରା କାର୍ଯ୍ୟ ପାଆନ୍ତି ନାହିଁ। ବିବାହ ଋତୁ ଏବଂ ଦଶହରାରେ ମେଢ଼ସଜ୍ଜା ବ୍ୟତୀତ ଅନ୍ୟ ପ୍ରାୟ ସାତମାସ ସେମାନେ ବେକାର ରହନ୍ତି। ବର୍ଷସାରା ସେମାନଙ୍କୁ କିପରି କାମ ଯୋଗାଇ ଦେଇହେବ, ସେ ସମ୍ପର୍କରେ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ। ୨୦୦୮ରେ ଏ ସମ୍ପର୍କିତ ଗୋଟିଏ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ କଟକ ସହରକୁ ରୌପ୍ୟ ତାରକସୀ ଶିଳ୍ପର ଗୋଟିଏ କେନ୍ଦ୍ର ଭାବରେ ଗଠନ କରିବାକୁ କୁହାଯାଇଥିଲା। ପ୍ରସ୍ତାବଟି କାର୍ଯ୍ୟକାରୀ ହେଲେ ଏଥିପାଇଁ ଅନୂ୍ୟନ ତିନି ଏକର ଜମି ଆବଶ୍ୟକ ହେବ। ଏହି ଜମି ଉପରେ ଆବଶ୍ୟକୀୟ କୋଠାବାଡ଼ି ନିର୍ମାଣ କରାଯିବ। ଏଥିରେ କେତେଗୁଡ଼ିଏ ବିଭାଗ ରହିବ। ଯଥା- ନକ୍‌ସା ଅଙ୍କନ, ଦକ୍ଷତା ଅଭିବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ, ପ୍ରସ୍ତୁତ ଦ୍ରବ୍ୟର ‘ମାନ’ ନିର୍ଦ୍ଧାରଣ ନିମନ୍ତେ ଲାବରେଟୋରି ବା ପରୀକ୍ଷାଗାର ସ୍ଥାପନ, ଆବଶ୍ୟକୀୟ କଞ୍ଚାମାଲ ସଂରକ୍ଷଣ ଓ ତିଆରି ସାମଗ୍ରୀର ପ୍ରଦର୍ଶନୀ ଗୃହ ତଥା ବିକ୍ରୟ କେନ୍ଦ୍ର। ହିସାବ କରାଯାଇଥିଲା ଯେ ଜମି ଅଧିଗ୍ରହଣ ଓ କୋଠାବାଡ଼ି ନିର୍ମାଣ ବ୍ୟତୀତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ନିମନ୍ତେ ୧୬୩.୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଇଟି କାର୍ଯ୍ୟକାରୀ ହୋଇଥିଲେ କେବଳ ୫ ହଜାର କାରିଗର ପରିବାର ଉପକୃତ ହୋଇ ନ ଥାନ୍ତେ, ବରଂ ରାଜ୍ୟର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ଏହା ସହାୟକ ହୋଇଥାଆନ୍ତା। କଟକ ଯେ ଗୋଟିଏ ସିଲ୍‌ଭର ସିଟି ବା ରୌପ୍ୟ ନଗରୀ ଏଇ ନାମକରଣ ସାର୍ଥକ ହୋଇଥାଆନ୍ତା।
ଉତ୍କଳ ଗୌରବ ମଧୁସୂଦନ ଦାସ କଟକରେ ଗୋଟିଏ ତାରକସୀ ଶିଳ୍ପକେନ୍ଦ୍ର ସ୍ଥାପନ କରିଥିଲେ। ସେଥିରେ ସେ ଶତାଧିକ କାରିଗରଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ପରିବାରକୁ ରୋଜଗାରକ୍ଷମ କରିପାରିଥିଲେ। ସେତେବେଳେ ଯଥେଷ୍ଟ ପରିମାଣରେ ତାରକସୀ କାମ ପ୍ରସ୍ତୁତ କରାଯାଉଥିଲା ଏବଂ ସେଗୁଡ଼ିକ ଦେଶ ବିଦେଶରେ ଢେର୍‌ ଆଦୃତି ଲାଭ କରିଥିଲା। ଓଡ଼ିଶାର ଜନଜାତିର ମହିଳାମାନଙ୍କ ନିକଟରେ ରୁପାର ତାରକସୀ କାମର ଯେତିକି ଆଦର ବିଦେଶରେ ମଧ୍ୟ ତା’ର ଆଦର ସେଇ ଅନୁସାରେ କମ୍‌ ନୁହେଁ। ଏଠାରେ ଉତ୍ପାଦିତ ଅଳଙ୍କାରଗୁଡ଼ିକ ମଧ୍ୟରେ ସ୍ତ୍ରୀଲୋକମାନଙ୍କର ପାଉଁଜି, ଚୁଡ଼ି, ବଟଫଳ, ହାର, ପିଜୁଳି ଫୁଲ ଓ ଗୋଲାପ ଫୁଲ ଆକୃତିର କାନଫୁଲ, ପଦକ ଓ ବାଲା ଇତ୍ୟାଦି ପ୍ରଧାନ। ଏଗୁଡ଼ିକ ପ୍ରଚୁର ପରିମାଣରେ ସେତେବେଳେ ବିକ୍ରି ହେଉଥିଲା। ଏତଦ୍‌ବ୍ୟତୀତ ପୁରୀର ଶ୍ରୀମନ୍ଦିର, ବିଶ୍ୱବିଖ୍ୟାତ ତାଜମହଲ, କୁତବ୍‌ମିନାର, ସାଞ୍ଚତ୍ ସ୍ତୂପ, କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରଭୃତିର ପ୍ରତିକୃତିଗୁଡ଼ିକ ଖୁବ୍‌ ଆଦରଣୀୟ ଥିଲା। ଏବେ ମଧ୍ୟ ଏଗୁଡ଼ିକର ଆଦର ହ୍ରାସ ପାଇନାହିଁ। ଏତଦ୍‌ବ୍ୟତୀତ ଖେଳନା ଆକୃତିର ପାଣି ଜାହାଜ, ଉଡ଼ାଜାହାଜ, ରଥୋପବିଷ୍ଟ ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କର ପ୍ରତିକୃତି, ‘ଆଇଫେଲ୍‌ ଟାୱାର’, ମୋନାଲିସା ଇତ୍ୟାଦିର ପ୍ରତିକୃତି ଦକ୍ଷ କାରିଗରମାନଙ୍କ ହାତରେ ବେଶ୍‌ ଜୀବନ୍ତ ହୋଇଥାଏ। ଅନ୍ତର୍ଜାତୀୟ ବଜାରରେ ସୌଖୀନ ଲୋକମାନଙ୍କ ନିକଟରେ ଏହାର ଢେର୍‌ ଚାହିଦା ଅଛି। ମଧୁସୂଦନ ଦାସ ତାଙ୍କ ଉତ୍ପାଦିତ ସାମଗ୍ରୀଗୁଡ଼ିକ ନିମନ୍ତେ ବିଦେଶରେ ପ୍ରଶସ୍ତ ବଜାର ସୃଷ୍ଟି କରିଥିଲେ। ମାତ୍ର ଦୁଃଖର କଥା ସଂପ୍ରତି ଏଭଳି ସୁବିଧା ସୁଯୋଗର ଅଭାବରୁ ଶିଳ୍ପୀ ପରିବାର ଦୁଃଖ ଦୈନ୍ୟ ମଧ୍ୟରେ କାଳାତିପାତ କରୁଛନ୍ତି।
ସରକାର ଏ କ୍ଷେତ୍ରରେ ଆନ୍ତରିକତା ପ୍ରଦର୍ଶନ କରି ଏଇ ଶିଳ୍ପର ପୃଷ୍ଠପୋଷକତା କଲେ ଏହାର ଯଥେଷ୍ଟ ଉନ୍ନତି ହୋଇପାରନ୍ତା। ପୁରୀ, ଭୁବନେଶ୍ୱର ଭଳି ପର୍ଯ୍ୟଟନସ୍ଥଳୀରେ ଏହାର ବିଜ୍ଞାପନ ଫଳକ ଲଗାଗଲେ ଆଗ୍ରହୀ କ୍ରେତାମାନେ ଏ ଦିଗରେ ଆକର୍ଷିତ ହୁଅନ୍ତେ। ରାଜ୍ୟର ବିଭିନ୍ନ ସହର ବା ନଗରଗୁଡ଼ିକରେ ଥିବା ହସ୍ତଶିଳ୍ପ ବିକ୍ରୟ କେନ୍ଦ୍ରରେ ତାରକସୀ ସାମଗ୍ରୀଗୁଡ଼ିକ ବିକ୍ରି ପାଇଁ ଗଚ୍ଛିତ ରଖାଗଲେ ବିକ୍ରିବଟା ସୁଗମ ହୁଅନ୍ତା।
ବିକ୍ରିବଟାରେ ଆଉ ଗୋଟିଏ ଉତ୍ତମ ମାଧ୍ୟମ ହେଉଛି ଆଜିକାଲିର ‘ସୋସିଆଲ ଇଲେକ୍‌ଟ୍ରୋନିକ୍‌ ମିଡିଆ’ ଏବଂ ଇଣ୍ଟରନେଟ୍‌। ଏହା ମାଧ୍ୟମରେ ଉତ୍ପନ୍ନ ସାମଗ୍ରୀଗୁଡ଼ିକର ଚିତ୍ରିତ କ୍ୟାଟ୍‌ଲଗ୍‌ ଓ ମୂଲ୍ୟସୂଚୀ ପୃଥିବୀର ଯେ କୌଣସି ଆଗ୍ରହୀ ବ୍ୟକ୍ତିଙ୍କ ନିକଟକୁ ପଠାଇହେବ। ପୃଥିବୀର ବିଭିନ୍ନ ସଂସ୍ଥା ଯଥା- ଆମାଜନ, ୱାଲମାର୍ଟ, ଫ୍ଲିପ୍‌କାର୍ଟ, ମାଇନ୍ତ୍ରା, ଲାଇମ ରୋଡ, ସ୍ନାପ୍‌ଡିଲ୍‌ ଏବଂ ଓ.ଏଲ୍‌.ଏକ୍ସ. ପ୍ରଭୃତିଙ୍କ ମାଧ୍ୟମରେ ବ୍ୟାପକ ପ୍ରଚାର କରାଯାଇ ପାରିବ। ଏ କ୍ଷେତ୍ରରେ ସରକାରଙ୍କ ସାହାଯ୍ୟ ଓ ସହଯୋଗ ଏକାନ୍ତ ଜରୁରୀ। ଆଉ ଗୋଟିଏ କଥା, ପ୍ରତ୍ୟେକ କାରିଗର, ଉଦ୍ୟୋଗୀ ତଥା ବିତରକଙ୍କ ନାମ ଓ ମୋବାଇଲ ନମ୍ବର ସହ ଠିକଣା ରାଜ୍ୟର ହସ୍ତଶିଳ୍ପ ଓ କୁଟୀରଶିଳ୍ପ ବିଭାଗର ଅଫିସରଙ୍କ ଦ୍ୱାରା ପଦାର୍ଥଗୁଡ଼ିକର ଚିତ୍ର ଓ ମୂଲ୍ୟଥିବା ତାଲିକା ପ୍ରସ୍ତୁତ କରାଯାଇ ବିଭାଗୀୟ ୱେବ୍‌ସାଇଟ୍‌ରେ ରଖାଯିବା ଉଚିତ। ଏହାଦ୍ୱାରା କ୍ରୟ ଅର୍ଡର ସିଧାସଳଖ ସେଇ କାରିଗର, ଉଦ୍ୟୋଗୀ ଓ ବିତରକଙ୍କ ନିକଟରେ ପହଞ୍ଚତ୍ପାରିବ ଏବଂ ତତ୍‌ସହିତ ଜିନିଷର ବିକ୍ରୟ ମୂଲ୍ୟ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ସିଧାସଳଖ ଜମା ହୋଇପାରିବ। ଏ ବ୍ୟବସ୍ଥା ଅନୁସାରେ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ।
ଗତ ୫ ବର୍ଷ ମଧ୍ୟରେ ଭାରତ ସରକାର ଦେଶର ଯୁବପିଢ଼ିଙ୍କ ନିମନ୍ତେ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଶ୍ରମ ସୁବିଧା ପୋର୍ଟାଲ’, ‘ଷ୍ଟାର୍ଟ ଅପ୍‌ ଇଣ୍ଡିଆ’, ‘ମେକ୍‌ ଇନ୍‌ ଇଣ୍ଡିଆ’ ଓ ‘ସ୍କିଲ୍‌ ଇଣ୍ଡିଆ’ ଭଳି କେତେକ ଯୋଜନା ପ୍ରଣୟନ କରିଛନ୍ତି। ଉଦ୍ଦେଶ୍ୟ ହେଉଛି ଏହାଦ୍ୱାରା କାରିଗର ଓ ଉଦ୍ୟୋଗୀ ଉଭୟେ ଉପକୃତ ହେବେ। କୋଭିଡ୍‌-୧୯ ଭଳି ମହାମାରୀ ସଙ୍କଟ କାଳରେ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏଇ ପରିପ୍ରେକ୍ଷୀରେ ସରକାର କେତେଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି। Export Credit Linked Guarantee Scheme (ECLGS) ଯୋଜନା ମାଧ୍ୟମରେ ସରକାର ତିନିଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରିଛନ୍ତି। ଏଇ ପାଣ୍ଠିରୁ ଜରୁରିକାଳୀନ ଭିତ୍ତିରେ ସରକାର ଶତପ୍ରତିଶତ ଋଣ ବିନା ସମ୍ପତ୍ତି ବନ୍ଧକରେ ଯୋଗାଇ ଦେବେ। ଏହା ‘ଆତ୍ମନିର୍ଭର ଭାରତ’ ଯୋଜନାର ଏକ ଅଂଶବିଶେଷ। ଆହୁରି ମଧ୍ୟ ଏହି ଯୋଜନା ଅନୁଯାୟୀ ତାରକସୀ ଶିଳ୍ପ ନିମିତ୍ତ ଆବଶ୍ୟକ ହେଉଥିବା କଞ୍ଚାମାଲ ‘ରୁପା’ର ମୂଲ୍ୟ ଅଧିକ ହୋଇଥିବାରୁ କାରିଗର ତଥା ଉଦ୍ୟୋଗୀମାନଙ୍କୁ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବା ଉଚିତ। ସରକାରଙ୍କ ଅନୁମୋଦନ କ୍ରମେ କମର୍ସିଆଲ ବ୍ୟାଙ୍କ୍‌ଗୁଡ଼ିକ କାରିଗର ଏବଂ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରିପାରିବେ।
ସାଧାରଣତଃ ଦେଖାଯାଇଥାଏ ଯେ, ବେଳେବେଳେ ଯୋଜନା ଓ ତା’ର କାର୍ଯ୍ୟକାରିତା ମଧ୍ୟରେ ଆକାଶ ପାତାଳ ତଫାତ୍‌ ରହିଯାଇଥାଏ। ତେଣୁ ଏଇ ଯୋଜନାକୁ ସରକାର ଗୁରୁତ୍ୱର ସହିତ ନେଇ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବିକ୍ରିବଟା ଦିଗରେ ଯଥେଷ୍ଟ ଧ୍ୟାନ ଦେବା ଉଚିତ। ତତ୍‌ସହିତ ଏଇ ଶିଳ୍ପର ପ୍ରଚାର ପ୍ରସାର କିଭଳି ଦେଶ ଭିତରେ ଓ ବାହାରେ ହୋଇପାରିବ, ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ।
ପୂର୍ବତନ ନିର୍ଦ୍ଦେଶକ
ହସ୍ତଶିଳ୍ପ ଓ କୁଟୀରଶିଳ୍ପ, ଓଡ଼ିଶା
ମେ।-୯୦୯୦୯୬୧୪୫୯
rameshsahu1945@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri