ଈର୍ଷାର ଅସୁର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
କ୍ରୋଧ ମଣିଷର ସବୁଠୁ ବଡ ଶତ୍ରୁ ବୋଲି ଯେଉଁମାନେ ବିଚାରନ୍ତି, ସେମାନଙ୍କ ସମ୍ପର୍କରେ ଗୋଟିଏ କଥା କୁହାଯାଇପାରେ ଯେ ସେମାନେ ଜୀବନରେ କେବେ କାହାକୁ ଈର୍ଷା କରିନାହାନ୍ତି କିମ୍ବା କାହା ଈର୍ଷାର ଶିକାର ହୋଇନାହାନ୍ତି। ପ୍ରକୃତରେ କ୍ରୋଧଠୁ ଅଧିକ ଭୟଙ୍କର, ଆହୁରି ମାରାତ୍ମକ ଅବିଗୁଣ ଯଦି କିଛି ଥାଏ, ତେବେ ତାହା ହେଉଛି ଈର୍ଷା। କ୍ରୋଧର ତାଡନାକୁ ଦେଖିହୁଏ। ତାହାର ପୀଡ଼ାକୁ ଅନୁଭବ କରିହୁଏ ଏବଂ ସତର୍କତାର ସହ କ୍ରୋଧୀଙ୍କଠାରୁ ନିରାପଦ ଦୂରତ୍ୱରେ ରହି ହୁଏ। ମାତ୍ର ଈର୍ଷା ମଣିଷକୁ ଏଭଳି କିଛି ସୁଯୋଗ ଦିଏନା। କ୍ରୋଧ ମଣିଷର ଜ୍ଞାନ, ବୁଦ୍ଧି ଓ ବିବେକ ହରଣ କରିନିଏ ବୋଲି କୁହାଯାଏ। କିନ୍ତୁ ଥରେ କ୍ରୋଧ ପ୍ରଶମିତ ହୋଇଗଲେ ଏ ସବୁ ଦିବ୍ୟଗୁଣଗୁଡିକ ପୁଣି ମଣିଷ ପାଖକୁ ଫେରିଆସେ। ଅନୁତାପର ଅଗ୍ନିରେ ଜଳି ମଣିଷ ପୁଣି ଶୁଦ୍ଧ ସୁବର୍ଣ୍ଣ ପରି ଉଜ୍ଜ୍ୱଳ ହୋଇଉଠେ। ମାତ୍ର ଅନ୍ୟପକ୍ଷରେ କାହାର ଈର୍ଷା ଦେଖିହୁଏନା। ଦେଖାଇ ହୁଏନା କି ସହଜରେ ପ୍ରଶମିତ କରାଯାଇ ପାରେନା। କୌଣସି ସୂଚନା ନ ଦେଇ ଏହା ମଣିଷକୁ ଏମିତି ଆକ୍ରାନ୍ତ କରେ ଯେ ଅତ୍ୟନ୍ତ ରହସ୍ୟମୟ ଭାବେ ମଣିଷର ମଣିଷତ୍ୱ ଅପହୃତ ହୋଇଯାଏ ଓ ସେ ପାଲଟିଯାଏ ଅସୁରଠୁ ଆହୁରି ଉଦଣ୍ଡ, ଆହୁରି ଇତର।
ଦୁଇ ବନ୍ଧୁ ଥିଲେ ଏକଦା ଅତି ଅନ୍ତରଙ୍ଗ। ଜଣେ କାଶିଲେ ଅନ୍ୟ ଜଣଙ୍କ ଛାତିରେ କଷ୍ଟ ହେଉଥିବା ଭଳି ଥିଲା ଦୁହିଙ୍କର ସମ୍ପର୍କ। ଦୁଇ ବନ୍ଧୁଙ୍କ ଘନିଷ୍ଠତା ପରିବ୍ୟାପ୍ତ ହେଉଥିଲା ଦୁହିଙ୍କ ପିଲା ପରିବାର ପର୍ଯ୍ୟନ୍ତ। ଦୁହିଙ୍କ ଅନାବିଳ ସମ୍ପର୍କର ଚର୍ଚ୍ଚା ହେଉଥିଲା ସେ ଅଞ୍ଚଳସାରା। ଅଥଚ ବର୍ତ୍ତମାନ ସେମାନଙ୍କ ଶତ୍ରୁତାର ଚର୍ଚ୍ଚା ହେଉଛି ଚାରିଆଡେ। ଘନିଷ୍ଠ ବନ୍ଧୁଦ୍ୱୟଙ୍କୁ ଘୋର ଶତ୍ରୁ ରୂପରେ ଛିଡା କରାଇଥିଲା କେବଳ ଈର୍ଷା। ଦୁଇବନ୍ଧୁ ବ୍ୟବସାୟରେ ଥିଲେ। ମାତ୍ର ଜଣଙ୍କ ଦୁର୍ଭାଗ୍ୟକୁ ବ୍ୟବସାୟ କ୍ଷତିରେ ଚାଲି ଚାଲି ବୁଡିବାକୁ ବସିଥିଲା ବେଳେ ଅନ୍ୟ ଜଣଙ୍କୁ ପ୍ରାପ୍ତ ହୋଇଥିଲା ଭାଗ୍ୟଲକ୍ଷ୍ମୀଙ୍କ ବରଦାନ। ସଫଳ ବ୍ୟବସାୟରୁ ଆର୍ଥିକ ସ୍ବଚ୍ଛଳତା ଓ ପରେ ପରେ ସାମାଜିକ ପ୍ରତିଷ୍ଠା ଜଣକୁ ଏତେ ଉଚ୍ଚ କରିଦେଲା ଯେ ଅନ୍ୟ ଜଣେ ତାଙ୍କ ତୁଳନାରେ ନିଜକୁ ବାମନ ମନେକଲେ ଓ ନିଜକୁ ଏକ ପ୍ରତିକୂଳ ରାସ୍ତାରେ ଦୂରେଇ ନେଇ ପାଲଟିଗଲେ ଭୟଙ୍କର ଶତ୍ରୁ।
ଈର୍ଷାର ଆସୁରିକ ପ୍ରଭାବରେ ବନ୍ଧୁତା ଯେତେବେଳେ ବଳି ପଡିଯାଏ, ସେତେବେଳେ କେବଳ ବୟସ୍କମାନେ ନୁହନ୍ତି, କୋମଳ କିଶୋର କିଶୋରୀମାନେ ମଧ୍ୟ ନିଜେ ନିଜ ମଧ୍ୟରୁ ହଜିଯାଆନ୍ତି। ସେମାନଙ୍କ ଭିତରେ ସଚରାଚର ବିଦ୍ୟମାନ ଥିବା ସରଳ ନିଷ୍ପାପ ଆତ୍ମାକୁ ନିକାଲିଦେଇ ରକ୍ତମୁଖା ରାକ୍ଷସଟିଏ ସବାର ହୋଇଉଠେ ଓ ନ କରିବା କାମ କରିବା ପାଇଁ ପ୍ରେରିତ କରେ। ଈର୍ଷାର ଏମିତି ଏକ ବୀଭତ୍ସ ରୂପ ପ୍ରତ୍ୟକ୍ଷ କରିବାକୁ ପଡିଥିଲା କେଇବର୍ଷ ତଳେ, ଆମେରିକାର ଏକ ସମ୍ଭ୍ରାନ୍ତ ନଗରୀରେ। ଚଉଦ ବର୍ଷର ସ୍କୁଲ ଛାତ୍ରଟିଏ ତା’ର ଜଣେ ସହପାଠିନୀ ଓ ଛଅଜଣ ସହପାଠୀ, ଏମିତି ସାତ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲା। ହତ୍ୟାର କାରଣ ଥିଲା ବଡ ଅଦ୍ଭୁତ। ହତ୍ୟାକାରୀ ବାଳକଟି ତା’ର ସହପାଠିନୀର ପ୍ରେମାସ୍ପଦ ହେବାକୁ ଚେଷ୍ଟାକରି ବିଫଳ ହୋଇଥିଲା। ତା’ ଆଖି ଆଗରେ ବାଳିକାଟି ଅନ୍ୟ ବାଳକମାନଙ୍କ ସହ ସମ୍ପର୍କ ଯୋଡୁଥିଲା ବେଳେ ଈର୍ଷାରେ ଜଳିଯାଉଥିଲା ତା’ ହୃଦୟ। ସୁତରାଂ ସେଇ ବାଳିକାଟି ସହ ତା’ର ବାଳକ ବନ୍ଧୁମାନଙ୍କୁ ନିର୍ମମ ଭାବରେ ହତ୍ୟା କରି ଏ ଜ୍ୱଳନରୁ ମୁକ୍ତି ପାଇଥିଲା ସେ।
ସତରେ କାହାର ଜୀବନ ନେଇ, କାହାକୁ କ୍ଷତି ପହଞ୍ଚାଇ ଈର୍ଷାର ନିଆଁକୁ କ’ଣ ପ୍ରଶମିତ କରାଯାଇପାରେ? ହୃଦୟର ଜ୍ୱଳନରୁ ମୁକ୍ତି ମିଳିପାରେ? ଏ ପ୍ରସଙ୍ଗରେ ଆମ ରାଜ୍ୟର ଏକ ଲୋମଟାଙ୍କୁରା ଦୃଷ୍ଟାନ୍ତ କାହାରି ବିସ୍ମୃତିରେ ହଜିଯାଇ ନ ଥିବ ନିଶ୍ଚୟ। ପଶ୍ଚିମ ଓଡିଶାର ସେଇ ପାର୍ଶଲ ବୋମା ହତ୍ୟାକାଣ୍ଡର ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟପଟ କେତେ ଭୟଙ୍କର ନ ଥିଲା ସତେ! ଗୋଟିଏ ବେସରକାରୀ କଲେଜର ଅଧ୍ୟକ୍ଷ ହେବାରେ କି ଗୌରବ ଥାଏ ଯେ ଏ ପଦଟି ସରକାରୀ ନିର୍ଦ୍ଦେଶନାମା ବଳରେ ଜଣେ ସହକର୍ମୀ ଅଧ୍ୟାପିକାଙ୍କ ହାତକୁ ଚାଲିଯିବାରୁ ଈର୍ଷାରେ ରକ୍ତମୁଖା ହୋଇ ପଡିଥିଲେ ପୂର୍ବତନ ଅଧ୍ୟକ୍ଷ। ହାତରୁ ଅଧ୍ୟକ୍ଷ ପଦ ଚାଲିଯିବା ସହ ଆଖିରୁ ନିଦ ବି ଚାଲିଯାଇଥିଲା ତାଙ୍କର। ହୃଦୟରେ ହାହାକାର ସୃଷ୍ଟି ହୋଇଥିଲା। ଈର୍ଷାର ଭୟଙ୍କର ଜ୍ୱଳନରେ ମାନବୀୟ ବିବେକ ଜଳିପୋଡି ପାଉଁଶ ହୋଇ ଯାଇଥିଲା। ବୃତ୍ତିରେ ଶିକ୍ଷକ ହୋଇଥିଲେ ହେଁ ଈର୍ଷା ତାଙ୍କୁ ଅସଭ୍ୟ ଅଶିକ୍ଷିତଙ୍କଠାରୁ ଆହୁରି ଇତର ପର୍ଯ୍ୟାୟକୁ ନେଇଗଲା। ଅଧ୍ୟକ୍ଷା ମାଆଙ୍କୁ କ୍ଷତି ପହଞ୍ଚାଇବା ପାଇଁ ସେ ତାଙ୍କ ପୁଅ ବାହାଘରକୁ ମୃତ୍ୟୁ ଉପହାର ପାର୍ଶଲ କରି ପଠାଇଥିଲେ। ପରିଣାମ ହେଲା ଅତ୍ୟନ୍ତ ପ୍ରତ୍ୟାଶିତ। ଈର୍ଷାସମ୍ଭୂତ ହୃଦୟର ସେଇ ତୀବ୍ର ଜ୍ୱଳନ ପ୍ରଶମିତ ହେଲା କି ନାହିଁ ସେ ଜାଣିଥିବେ, ମାତ୍ର ଅକାଳରେ ଦୁଇ ଦୁଇଟି ଜୀବନ ଦୀପ ଲିଭିଗଲା। ସୀମନ୍ତରୁ ସଦ୍ୟ ସିନ୍ଦୂର ପୋଛାଗଲା, ଦୁଇ ଦୁଇଟି ପରିବାରର ସୁଖଶାନ୍ତି ଉଜୁଡିଗଲା ଓ ବହୁଦିନର ଲୁଚକାଳି ଖେଳ ପରେ ଜଗତଯାକର ଘୃଣା ସହ କାରାକକ୍ଷରେ ଜୀବନ ବିତିଲା।
ଜଣେ ହୋମିଓପ୍ୟାଥି ଡାକ୍ତରଙ୍କ ପାଖରେ ସବୁବେଳେ ରୋଗୀଙ୍କର ଭିଡ ଦେଖି ନିଜ କ୍ଲିନିକରେ କୁଆ ଉଡୁଥିବା ଅନ୍ୟ ଜଣେ ଡାକ୍ତରଙ୍କ ପ୍ରତିକ୍ରିୟା ଥିଲା ଏମିତି, ମୁଁ ଯଦି ତାଙ୍କ ଭଳି ରୋଗୀମାନଙ୍କୁ ଔଷଧରେ ଷ୍ଟେରଏଡ ଦେଉଥାନ୍ତି ମୋ କ୍ଲିନିକରେ ବି ରୋଗୀମାନେ ଧାଡି ବାନ୍ଧି ଅପେକ୍ଷା କରୁଥାନ୍ତେ। କିନ୍ତୁ ପ୍ରକୃତ ସତ୍ୟ ଥିଲା ଏହା ଯେ ପ୍ରଥମ ଡାକ୍ତରଙ୍କ ଔଷଧରେ ଷ୍ଟେରଏଡ ମିଶୁଥିଲା କି ନାହିଁ ତାହା ପରୀକ୍ଷା ସାପେକ୍ଷ ଥିଲାବେଳେ ଦ୍ୱିତୀୟ ଡାକ୍ତରଙ୍କ ଭାବନାରେ ଷ୍ଟେରଏଡଠାରୁ ଆହୁରି ବିଷାକ୍ତ ଈର୍ଷା ଭରି ରହିଥିଲା। ଏ କଥା ବିନା ପରୀକ୍ଷାରେ କୁହାଯାଇପାରିଥାନ୍ତା।
ପ୍ରକୃତରେ ଈର୍ଷା ଏକ ଅସୁର। ଅତ୍ୟନ୍ତ ଅଭିନବ ଏହାର ଆସୁରିକ ଆଚରଣ। ନିଜର ବାମନପଣକୁ ନେଇ ଏହା ଦୁଃଖ କରେନା, ମାତ୍ର ଡେଙ୍ଗା ଲୋକଟିଏ ଦେଖିଲେ ଏହାର ହୃଦୟ ହାହାକାର କରିଉଠେ। ନିଜେ ହସିପାରେନା ବୋଲି ମନ କଷ୍ଟ କରେନା। ମାତ୍ର ଅନ୍ୟ କାହାର ମନଖୋଲା ହସ ଦେଖିଲେ ଗୋପନରେ ଗୁମୁରି ଗୁମୁରି କାନ୍ଦେ। ନିଜ ପୁଅ ପରୀକ୍ଷାରେ ଫେଲ ହୋଇଗଲେ ଦୁଃଖ କରେନା, କିନ୍ତୁ ପଡିଶା ଘରର ପୁଅ ପାସ କରିଗଲେ ଦୁଃଖର ସୀମା ନ ଥାଏ।
ଉପସଂହାରରେ ରୋଚକ କାହାଣୀଟିଏ। ନିଜ ନିଜର କୁତ୍ସିତ ଚେହେରାକୁ ନେଇ ଅସନ୍ତୁଷ୍ଟ ରହୁଥିବା ଦଶ ଜଣ ଯୁବକ ସୁନ୍ଦର ରୂପ ପାଇଁ ଥରେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ। ଏମିତି ଅସୁନ୍ଦର ରୂପ ନେଇ ହୀନ ଜୀବନ ଜିଇଁବା ଅପେକ୍ଷା ଆହାରନିଦ୍ରା ବର୍ଜିତ ତପସ୍ୟାରେ ମଗ୍ନ ରହି ମରିଯିବା ଶ୍ରେୟସ୍କର ବୋଲି ମନେ କଲେ। ଆରମ୍ଭ ହେଲା ସମୂହ ସାଧନା। ବହୁକାଳ ତପସ୍ୟା କଲା ପରେ ଶେଷରେ ଈଶ୍ୱର ଶୁଣିଲେ ଓ ସେମାନଙ୍କ ଆଗରେ ଆବିର୍ଭୂତ ହୋଇ ବର ଯାଚିଲେ। ଜଣ ଜଣ କରି ପ୍ରତ୍ୟେକଙ୍କୁ ସେମାନଙ୍କ କାମନା ସମ୍ପର୍କରେ ପୁଚ୍ଛାକଲେ ଈଶ୍ୱର। ସାତଜଣଙ୍କର ଥିଲା ସମାନ ପ୍ରାର୍ଥନା ସୁନ୍ଦର ରୂପ। ଆଶ୍ଚର୍ଯ୍ୟ ହେଲେ ବରଦାତା ଭଗବାନ। ଏ ସଂସାରରେ ବହୁ ପ୍ରକାର ଅପ୍ରାପ୍ତିର ବୋଝ ମୁଣ୍ଡାଇ ମଣିଷ ବଞ୍ଚୁଥିବାବେଳେ କେବଳ ସୁନ୍ଦର ରୂପଟିଏ ପାଇବାକୁ ସମସ୍ତଙ୍କର ଏ କୁଚ୍ଛ୍ର ସାଧନା। ଚକିତ ଈଶ୍ୱର ଜଣକ ପରେ ଜଣକୁ ତଥାସ୍ତୁ କହି ଚାଲିଥାନ୍ତି ଓ ଜଣକ ପରେ ଜଣେ ସୁଦର୍ଶନ ଯୁବକରେ ପରିଣତ ହେଉଥାନ୍ତି।
ଈଶ୍ୱର ଆଶାବାଦୀ ହୋଇଉଠିଲେ। ବାକି ତିନି ଜଣଙ୍କର କାମନା ନିଶ୍ଚୟ ଭିନ୍ନ କିଛି ହୋଇଥିବ। ଧନ, ଜ୍ଞାନ, ସମ୍ମାନ ବା ସେମିତି ଆଉ କିଛି। ମାତ୍ର ହାୟ, ଅଷ୍ଟମ ଓ ନବମ ଯୁବକ ମଧ୍ୟ ପେସ୍‌ କଲେ ସେଇ ଏକା ମାଗୁଣିର ପ୍ରାର୍ଥନା, ମୋତେ ସୁନ୍ଦର କରିଦିଅ ପ୍ରଭୁ। ଈଶ୍ୱର ଦୁଃଖରେ ହସିଲେ। ଶେଷ ଯୁବକଟି ଏମାନଙ୍କର ସୁନ୍ଦର ରୂପ ଦେଖି ସହିପାରିଲା ନାହିଁ। ତା’ର ପାଳି ପଡିଲା ମାତ୍ରେ ସେ କହିଲା ମୋ ନିଜ ପାଇଁ କିଛି ଲୋଡା ନାହିଁ ପ୍ରଭୁ। ଏବେ ଏବେ ସୁନ୍ଦର ରୂପର ଅଧିକାରୀ ହୋଇଥିବା ଏ ନଅଜଣ ଯାକ ତାଙ୍କ ପୂର୍ବ ରୂପକୁ ଫେରି ଆସନ୍ତୁ- ଏହା ହିଁ ମୋର କାମନା। ତଥାସ୍ତୁ କହି ଉଭେଇଯିବାକୁ ଈଶ୍ୱରଙ୍କୁ ତର ସହିଲା ନାହିଁ।
ଦ୍ରୁତଗତିରେ ବଦଳି ଚାଲିଛି ସମୟ। ତା’ଠୁ ଆହୁରି ଦ୍ରୁତଗତିରେ ବଦଳିଚାଲିଛି ମଣିଷର ଚରିତ୍ର। ଜଣଙ୍କ ଉପଲବ୍ଧିଠୁ ଅନ୍ୟ ଜଣଙ୍କ ଉପଲବ୍ଧି ଭିତରେ ଦଶମିନିଟର ବ୍ୟବଧାନକୁ ମଧ୍ୟ ମଣିଷ ଆଉ ବରଦାସ୍ତ କରିପାରୁ ନାହିଁ। ଅନ୍ୟର ସୁଖରେ ସୁଖୀ ହେବାର ସେଇ ସଂସ୍କାରସିଦ୍ଧ ବାଣୀ କେଉଁଦିନରୁ ତା’ର ରଙ୍ଗ ହରାଇ ବସିଲାଣି। ଏବେ ନିଜର ଶହେ ଦୁଃଖ ସହି ହେଉଛି ସିନା, ଅନ୍ୟର ସୁଖ ଦେଖି ଦାରୁଣ ଦୁଃଖରେ ଫାଟି ପଡୁଛି ହୃଦୟ। ଏପରିସ୍ଥଳେ ମଣିଷଙ୍କ ମେଳରେ ଅସୁର ନ ରହି କେଉଁ ଖୁସିରେ ଈଶ୍ୱର ରହନ୍ତେ ଯେ!
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ଫୋନ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ବୋର୍‌ଓ୍ବେଲ୍‌ରେ ମୃତ୍ୟୁ

ତାମିଲନାଡୁର ତିରୁଚିରାପଲ୍ଲୀରେ ୨ ବର୍ଷର ବାଳକ ସୁଜିତ ଓ୍ବିଲ୍‌ସନ ୮୮ ଫୁଟ ଖୋଳା ଯାଇଥିବା ଏକ ବୋର୍‌ଓ୍ବେଲ୍‌ରେ ୨୫ ଅକ୍ଟୋବରରେ ପଡ଼ିଯାଇଥିଲେ। ଏଭଳି ଦୁର୍ଘଟଣା ଭାରତବର୍ଷର...

ସମ୍ପାଦକୀୟ/ଉପହାର ଲୋଭ

ସମ୍ପାଦକୀୟ/ଉପହାର ଲୋଭ ଉପହାର ଦିଆଯାଏ କାହିଁକି? ସେହି ମର୍ମରେ ଅଧିକ ଭାବିଲେ ପିଲାଙ୍କୁ ଚକୋଲେଟ କିମ୍ବା ବଡ଼ଙ୍କୁ ଉପଢ଼ୌକନ ବା ଉପହାର ଦେବାର ଏକମାତ୍ର କାରଣ...

ଏଇ ଭାରତରେ

ବିବାହ ସମସ୍ତଙ୍କ ଜୀବନର ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଏହାକୁ କିଏ କିଭଳି ପାଳନ କରିବେ ତାହା ସେମାନଙ୍କର ରୁଚି। କେହି ଏହାକୁ ଧୁମ୍‌ଧାମରେ ପାଳନ କରନ୍ତି...

ଏଇ ଭାରତରେ

ଭାରତ ଏକ କୃଷିପ୍ରଧାନ ଦେଶ। ଦେଶର ଅଧିକାଂଶ ଅଞ୍ଚଳର ଚାଷଜମି ମୌସୁମୀବାୟୁ ଜନିତ ବର୍ଷାଜଳ ଉପରେ ନିର୍ଭର କରେ। ଏହାଦ୍ୱାରା ଭଲ ଫସଲ ହେବ ବୋଲି...

ଏଇ ଭାରତରେ

କରୋନାର ମୁକାବିଲା କରିବାରେ ଉତ୍ତରାଖଣ୍ଡର ଯୁବକ ଗଣେଶ ଭଟ୍ଟଙ୍କ ଯୋଗଦାନ ପ୍ରଶଂସନୀୟ। ତେହରି ଜିଲା ଦେବପ୍ରୟାଗରେ ରହୁଥିବା ଗଶେଶ ଲକ୍‌ଡାଉନ ସମୟରେ କାର୍‌କୁ ଆମ୍ବୁଲାନ୍ସ ଭାବେ...

ହିନ୍ଦୀ ଓ ହିନ୍ଦୁତ୍ୱ

ଗତ କିଛି ମାସର ବିରତି ପରେ ଏବେ ସମ୍ଭବତଃ କେନ୍ଦ୍ର ସରକାରଙ୍କ ‘ନୂତନ ଭାରତ’ରେ ପୁରୁଣା କଥା ଓ କାର୍ଯ୍ୟକଳାପର ଆବିର୍ଭାବ ହେବା ଭଳି ମନେ...

ଏଇ ଭାରତରେ

ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ, ଯାହା ପ୍ରମାଣ କରିଛନ୍ତି ଜଣେ ନିର୍ମାଣ ଶ୍ରମିକ। ପ୍ରସିଦ୍ଧ ତାମିଲ ଲେଖକଙ୍କ ପୁସ୍ତକ ଓ ଗଳ୍ପ...

ସ୍ପୋକନ ଇଂଲିଶ ଶିକ୍ଷା : ଏକ ପ୍ରବଞ୍ଚନା

ଡ. ସୁବାସ ଚନ୍ଦ୍ର ପାତ୍ର ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା ପାଇଁ ଉଦ୍ୟମ, ଗଣମାଧ୍ୟମରେ କୋଳାହଳ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ଏହା ଏକ ଆତ୍ମରକ୍ଷାମୂଳକ...

Play 250+ Trending Games
Archives

Model This Week

Why Dharitri