ଆମ ବୈଷୟିକ ଶିକ୍ଷା

ହରିହର ତ୍ରିପାଠୀ

ବୈଷୟିକ ଶିକ୍ଷା ଏବେ ସଙ୍କଟରେ। ଧୀରେ ଧୀରେ ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ କମୁଛି। ସେଥିନିମନ୍ତେ ଗତ କିଛିବର୍ଷ ହେଲା ରାଜ୍ୟର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ହଜାର ହଜାର ସିଟ୍‌ ଫାଙ୍କା ପଡ଼ୁଛି । ଏହା ଭିତରେ ଏକ ନୂଆ ଖବର ଆସିଛି ଯେ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଅଫ୍‌ ଟେକ୍‌ନିକାଲ ଏଜୁକେଶନ (ଏଆଇସିଟିଇ) ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ଶିକ୍ଷାବର୍ଷରେ ସାରା ଦେଶରେ ୧୩୦୧ଟି ବୈଷୟିକ କଲେଜକୁ ବନ୍ଦ କରାଯାଇଛି। ଇଞ୍ଜିନିୟରିଂ ସମେତ ଏମ୍‌ବିଏ, ଏମ୍‌ସିଏ ଆଦି ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଥିବା ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଥର ନାମଲେଖା ହେବ ନାହିଁ । ଏଥିସହ ୨୨୨୯ଟି ପାଠ୍ୟକ୍ରମ ବନ୍ଦ ହୋଇଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ୩୮ଟି ପାଠ୍ୟକ୍ରମ ରହିଛି।
ଖୋର୍ଦ୍ଧା ଜିଲାର ବିଭିନ୍ନ କଲେଜରେ ୩୨ଟି ପାଠ୍ୟକ୍ରମ ବନ୍ଦ ହୋଇଥିବା ବେଳେ ରାୟଗଡ଼ାରେ ଥିବା ଏକ ଶିକ୍ଷାନୁଷ୍ଠାନର ୫ଟି ଓ ଢେଙ୍କାନାଳରେ ଥିବା ଏକ କଲେଜର ଗୋଟିଏ ପାଠ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି । ସେହିପରି ବିଭିନ୍ନ ପାଠ୍ୟକ୍ରମରେ ୧ ଲକ୍ଷ ୨୧ ହଜାର ୧୯୧ ସିଟ୍‌ ହ୍ରାସ କରାଯାଇଛି ।
ଏଆଇସିଟିଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ ଶିକ୍ଷାବର୍ଷରେ ୧୦ ହଜାର ୯୯୨ ବୈଷୟିକ ଶିକ୍ଷାନୁଷ୍ଠାନର ୩୨ ଲକ୍ଷ ୯ ହଜାର ୭୦୩ ସିଟ୍‌ରେ ନାମଲେଖା ଲାଗି ଅନୁମତି ମିଳିଥିଲା।
୨୦୨୦-୨୧ ଶିକ୍ଷାବର୍ଷରେ ୯ ହଜାର ୬୯୧ ଶିକ୍ଷାନୁଷ୍ଠାନର ୩୦ ଲକ୍ଷ ୮୮ ହଜାର ୫୧୨ ସିଟ୍‌ରେ ନାମଲେଖା ପାଇଁ ଅନୁମତି ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ,୧୭୯ ଶିକ୍ଷାନୁଷ୍ଠାନ ନିଜ ଆଡ଼ୁ ବନ୍ଦ କରିବାକୁ ଆବେଦନ କରିଥିଲେ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୪ ହଜାର ୫୫୩ ସିଟ୍‌ ଥିଲା।
ପିଲା ହେଉ ନ ଥିବାରୁ ୭୬୨ଟି ଶିକ୍ଷାନୁଷ୍ଠାନର ୬୯ ହଜାର ୯୬୫ସିଟ୍‌ ହ୍ରାସ କରାଯାଇଛି। ବିଗତ କିଛି ବର୍ଷ ହେଲା ଇଞ୍ଜିନିୟରିଂ ଓ ଅନ୍ୟ ବୈଷୟିକ ଶିକ୍ଷାରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଆସୁଛି। ପିଲାମାନେ ବୈଷୟିକ ଶିକ୍ଷା ସମାପ୍ତି ପରେ ଉପଯୁକ୍ତ ନିଯୁକ୍ତି ପାଉ ନ ଥିବା ଏହାର ପ୍ରମୁଖ କାରଣ ପାଇବେ ବୋଲି କୁହାଯାଉଛି। ଯେଉଁମାନେ ବି ନିଯୁକ୍ତି ପାଉଛନ୍ତି ସେମାନେ ପାଉଥିବା ଦରମା ସାଧାରଣ ଶିକ୍ଷା ସମାପ୍ତ କରି କାର୍ଯ୍ୟକରୁଥିବା ପିଲାମାନଙ୍କ ଦରମା ତୁଳନାରେ କମ୍‌ ହେଉଥିବା ଦେଖିବାକୁ ମିଳିଛି। ଏହାକୁ ଲକ୍ଷ୍ୟକରି ଅଭିଭାବକମାନେ ଆଉ ବୈଷୟିକ ଶିକ୍ଷାରେ ଟଙ୍କା ଖର୍ଚ୍ଚ କରିବାକୁ ଉଚିତ ମଣୁ ନାହାନ୍ତି। ଏହା ବ୍ୟତୀତ ପିଲାମାନେ ମଧ୍ୟ ଟେକ୍‌ନିକାଲ ଶିକ୍ଷା ବଦଳରେ ଜେନେରାଲ ଶିକ୍ଷା ଆଡ଼କୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି ।
ଏସବୁକୁ ଆଖିଆଗରେ ରଖି ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟ ସେମାନଙ୍କର ସିଟ୍‌ସଂଖ୍ୟା ହ୍ରାସ କରିବାକୁ ଆବେଦନ କରିଆସୁଛନ୍ତି। ଏଆଇସିଟିଇ ସୂତ୍ରରୁ ଜଣାପଡ଼ିଛି, ୧୩୪ଟି ଶିକ୍ଷାନୁଷ୍ଠାନ ଅନୁମୋଦନ ଲାଗି ପୁନଃ ଆବେଦନ କରିନାହାନ୍ତି; ଯେଉଁଥିପାଇଁ ଏହି ଶିକ୍ଷାନୁଷ୍ଠାନରେ ଥିବା ୪୦ ହଜାର ୫୭୮ ସିଟ୍‌କୁ କମାଇ ଦିଆଯାଇଛି।
ଏହାବ୍ୟତୀତ ଲଗାତର ଭାବେ ୫ ବର୍ଷ ଧରି ଅନୁମୋଦିତ ସିଟ୍‌ର ୩୦ ପ୍ରତିଶତରୁ କମ୍‌ ଛାତ୍ରୀଛାତ୍ର ନାମ ଲେଖାଇବା ହେତୁ ଏଆଇସିଟିଇ ପକ୍ଷରୁ ୪୪ ଶିକ୍ଷାନୁଷ୍ଠାନରେ ୮୮୩୧ ସିଟ୍‌ ହ୍ରାସ କରାଯାଇଛି ।
ପିଲା ହେଉ ନ ଥିବାରୁ ଗୋଟିଏ ପଟେ କଲେଜ ବନ୍ଦ ହେଉଥିବା ବେଳେ ଅନ୍ୟପଟେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ୧୬୪ଟି ଶିକ୍ଷାନୁଷ୍ଠାନରେ ୩୯ ହଜାର ୬୫୬ ସିଟ୍‌ ଖୋଲିବାକୁ ଅନୁମତି ମିଳିଛି। ଦେଶର ୧୩୧୧ଟି ଶିକ୍ଷାନୁଷ୍ଠାନ ନୂଆ ପାଠ୍ୟକ୍ରମ ଖୋଲିବା ଲାଗି ଆବେଦନ କରିଥିଲେ । ଏଆଇସିଟିଇ ପକ୍ଷରୁ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ୧ ଲକ୍ଷ ୨ ହଜାର ୩୯୭ଟି ସିଟ୍‌କୁ ଅନୁମତି ଦିଆଯାଇଛି। ଏଆଇସିଟିଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ଆର୍କିଟେକ୍‌ଚର ଓ ଫାର୍ମାସୀ ପାଠ୍ୟକ୍ରମ ଲାଗି ଏଆଇସିଟିଇର ଅନୁମତି ଦରକାର ନାହିଁ।
ଆର୍କିଟେକ୍‌ ପାଠ୍ୟକ୍ରମ ଖୋଲିବାକୁ ଚାହୁଁଥିବା କଲେଜଗୁଡ଼ିକ ‘କାଉନ୍‌ସିଲ୍‌ ଅଫ୍‌ ଆର୍କିଟେକଚର’ ଓ ଫାର୍ମାସୀ କଲେଜ ଲାଗି ‘ଫାର୍ମାସୀ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ’ର ଅନୁମୋଦନ ନିହାତି ଆବଶ୍ୟକ । ସମ୍ପୃକ୍ତ ପାଠ୍ୟକ୍ରମ ଲାଗି ଏଣିକି ଉକ୍ତ ଦୁଇଟି କାଉନ୍‌ସିଲ୍‌ର ଅନୁମତି ଦରକାର । କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏଥର ଆବେଦନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ତଥାପି ମେ’ ମାସରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍‌ ଶେଷ ସୁଦ୍ଧା ଶେଷ ହୋଇଥିଲା।
ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାପ୍ରଦାନ ନିମନ୍ତେ କେବଳ ଅନୁଷ୍ଠାନ ଖୋଲିଦେଲେ ଶିକ୍ଷିତ ମାନବସମ୍ବଳ ସୃଷ୍ଟି ହୋଇଯିବେ ସିନା, ମାତ୍ର ସେମାନଙ୍କୁ ଯଦି ନିଯୁକ୍ତି ଦିଆଯାଇ ନ ପାରିଲା ତେବେ ସେମାନେ ସରକାରଙ୍କ ଲାଗି ବୋଝ ପାଲଟିଯିବେ। ଓଡ଼ିଶା ବର୍ତ୍ତମାନ ସେମିତି ସ୍ଥିତିକୁ ସାମ୍ନା କରିବାକୁ ଯାଉଛି । ରାଜ୍ୟରେ ବର୍ତ୍ତମାନ ଲକ୍ଷାଧିକ ଇଞ୍ଜିନିୟର ବେକାର । ଏମାନଙ୍କ ନିକଟରେ କାମ ନାହିଁ । ବିଭିନ୍ନ ବିଭାଗରେ ଡିପ୍ଲୋମା ଓ ଡିଗ୍ରୀ ଇଞ୍ଜିନିୟରିଂ ପାସ୍‌ କରି ଘରେ ବସି ରହିଛନ୍ତି ହଜାର ହଜାର ଛାତ୍ରୀଛାତ୍ର ।
ବୈଷୟିକ ଶିକ୍ଷାରେ ଡିଗ୍ରୀ ହାସଲ କରିବା ପରେ ମଧ୍ୟ ଏମାନଙ୍କ ଭିତରୁ ଅନେକ କିରାଣି ଚାକିରି ନିମନ୍ତେ ଆବେଦନ କରୁଛନ୍ତି, ଛୋଟମୋଟ ସଂସ୍ଥାରେ ସୁପରଭାଇଜର ରହୁଛନ୍ତି, ଏମିତି କି ଅନେକ ଶିକ୍ଷିତ ବେକାର ଯୁବକ ଚତୁର୍ଥଶ୍ରେଣୀ ପଦବୀ ଲାଗି ମଧ୍ୟ ଆବେଦନ କରୁଛନ୍ତି। ଆଗରୁ ଅଶିକ୍ଷିତ ଲୋକେ ଦାଦନ ଖଟିବାକୁ ରାଜ୍ୟ ଛାଡ଼ୁଥିଲେ ଏବେ ବହୁସଂଖ୍ୟାରେ ଶିକ୍ଷିତ ଯୁବତୀଯୁବକ ରାଜ୍ୟ ଛାଡୁଛନ୍ତି। ଅଭିଯୋଗ ଆସୁଛି ଯେ, ଆମର ପିଲାମାନେ ଶିକ୍ଷା ସମାପ୍ତି ପରେ ନିଯୁକ୍ତିଯୋଗ୍ୟ ହୋଇପାରୁନାହାନ୍ତି। ଗୋଟିଏ ପଟେ ସରକାର ଆତ୍ମନିର୍ଭର ଭାରତ କଥା କହୁଥିଲା ବେଳେ ବୈଷୟିକ ଶିକ୍ଷାରେ ଦେଖାଦେଇଥିବା ଏ ସଙ୍କଟ ଭିନ୍ନ ଚିତ୍ର ଉପସ୍ଥାପନ କରୁଛି। ଏହା ସ୍ପଷ୍ଟ କରୁଛି ଆମର ଯୋଜନା ଓ କାର୍ଯ୍ୟାନ୍ବୟନ ଭିତରେ ନିଶ୍ଚିତ କେଉଁଠି ଫାଙ୍କ ରହିଛି।
ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା
ମୋ:୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri