ଆଜିର ପ୍ରାଥମିକତା ଭୂତଳ ବିଦ୍ୟୁତ୍‌ ସେବା

ସବ୍ୟସାଚୀ ଅମିତାଭ

ସାମୁଦ୍ରିକ ବାତ୍ୟା ଫନୀ ପରବର୍ତ୍ତୀ ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟ ସରକାର ଏହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକପ୍ରକାର ଫେଲ୍‌ ମାରିଛନ୍ତି। ବାରମ୍ବାର ସାମୁଦ୍ରିକ ଝଡ଼ର ଶିକାର ହେଉଥିଲେ ବି ବାତ୍ୟା ମୁକାବିଲା ପାଇଁ ଆମ ରାଜ୍ୟରେ କୌଣସି ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ନାହିଁ। ବାତ୍ୟା କାରଣରୁ ଯେପରି ଭାବେ ପୂରା ଉପକୂୂଳ ଓଡ଼ିଶାରେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥାଟି ଭୁଶୁଡି ପଡ଼ିଲା ତାହା ଅନେକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି ତିଆରି କରିବା ପାଇଁ ଯେଭଳି ଢଙ୍ଗରେ ସରକାରୀ ଉଦ୍ୟମ ହେବା କଥା ତାହା ଏ ଯାଏ ଦେଖିବାକୁ ମିଳିନି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ମଧ୍ୟ ଓଡ଼ିଶା ପରି ଏକ ବାତ୍ୟାପ୍ରବଣ ରାଜ୍ୟ। କିନ୍ତୁ ସେଠାରେ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ବ୍ୟବସ୍ଥିତ ଭୂତଳ ବିଦ୍ୟୁତ୍‌ ଭିତ୍ତିଭୂମି ତିଆରି କରାଯାଇସାରିଛି। ଆନ୍ଧ୍ରପ୍ରଦେଶ ବୋଧହୁଏ ଦେଶର ପ୍ରଥମ ରାଜ୍ୟ, ଯେଉଁଠି ଭୂତଳ କେବୁଲ୍‌ ଜରିଆରେ ବିଦ୍ୟୁତ୍‌୍‌ସେବା ଉପଲବ୍ଧ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟ ବା ପୋଲ୍‌ ଜରିଆରେ ବିଦ୍ୟୁତ୍‌ ସେବା ତୁଳନାରେ ଭୂତଳ କେବୁଲ୍‌ ବ୍ୟବସ୍ଥା ବାତ୍ୟା ଓ ବନ୍ୟା ସମୟରେ ଯେ କେତେ ଫଳପ୍ରଦ, ତାହା ସମସ୍ତେ ଜାଣନ୍ତି। ବାତ୍ୟା ହୁଡ୍‌ହୁଡ୍‌ କାରଣରୁ ଆନ୍ଧ୍ରପ୍ରଦେଶରେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା ପୂରା ଛାରଖାର ହୋଇଯାଇଥିଲା ଏବଂ ଏହା ଡିସ୍‌କମ୍‌ ଓ ଏପି ଟ୍ରାନ୍ସକୋ ପରି ସଂସ୍ଥାର ଭତ୍ତିଭୂମିକୁ ଦୋହଲାଇ ଦେଇଥିଲା। ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ କାଳବିଳମ୍ବ ନ କରି ସେଠାକାର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ରାଜ୍ୟର ଉପକୂଳ ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍‌ କେବୁଲ୍‌ର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଶ୍ରୀକାକୁଲମ୍‌, ବିଜୟନଗରମ୍‌, ବିଶାଖାପାଟଣା, ଇଷ୍ଟ ଗୋଦାବରୀ ଓ ୱେଷ୍ଟ ଗୋଦାବରୀ ଜିଲାରେ ଏହି ଭୂତଳ ବିଦ୍ୟୁତ୍‌ ଭିତ୍ତିଭୂମି ଢାଞ୍ଚା ତିଆରିର ଲକ୍ଷ୍ୟ ରଖାଯାଇଥିଲା। ବିଭିନ୍ନ ଅନ୍ତର୍ଜାତୀୟ ବ୍ୟାଙ୍କ ସହ ବୈଠକ ପରେ ତିନୋଟି ବ୍ୟାଙ୍କ୍‌ ଏହି ପୂରା ଯୋଜନା ପାଇଁ ଆର୍ଥିକ ସହଯୋଗ ଯୋଗାଇଦେଇଥିଲେ।
ତଥ୍ୟ ଅନୁସାରେ, ପାଖାପାଖି ୪୮ ହଜାର ପୋଲ୍‌କୁ ଗୋଟିଏ ମାସ ମଧ୍ୟରେ ଭୂତଳ କେବୁଲକୁ ପରିବର୍ତ୍ତିତ କରାଯାଇଥିଲା। ନର୍ଥ କୋଷ୍ଟାଲ୍‌ ଆନ୍ଧ୍ରର ୩ଟି ଜିଲାର ୨୮.୮ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ଭୂତଳ କେବୁଲ୍‌ ଜରିଆରେ ବିଦ୍ୟୁତ୍‌ ସେବା ଯୋଗାଇଦେଇଥିଲା ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍‌ ବିଭାଗ, ଯାହା ଏହି ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ସଫଳତା ଥିଲା। ପରବର୍ତ୍ତୀ ସମୟରେ ଆନ୍ଧ୍ର ଟ୍ରାନ୍ସକୋ ତରଫରୁ ବିଦ୍ୟୁତ୍‌ ଟ୍ରାନ୍ସମିସନ୍‌ ଓ ଡିଷ୍ଟ୍ରିବ୍ୟୁଶନ୍‌ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯାଇ ଉପଭୋକ୍ତାଙ୍କୁ ମିଳୁଥିବା ସେବାରେ ସୁଧାର ଅଣାଯାଇଥିଲା। ଆନ୍ଧ୍ର ବ୍ୟତୀତ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଥିବା ସମସ୍ତ ପ୍ରମୁଖ ସହରରେ ମଧ୍ୟ ଇତିମଧ୍ୟରେ ଭୂତଳ କେବୁଲ୍‌ ସହାୟତାରେ ବିଦ୍ୟୁତ୍‌ ସେବା ମିଳିପାରିଛି। ଗୁଜରାଟ ସରକାରଙ୍କ ବିଦ୍ୟୁତ୍‌୍‌ ଆବଣ୍ଟନ କମ୍ପାନୀ ପଶ୍ଚିମ ଗୁଜରାଟ ଭିଜ୍‌ କମ୍ପାନୀ ଲିମିଟେଡ୍‌ ଯାହା ସୌରାଷ୍ଟ୍ର ଓ କଚ୍ଛ ପ୍ରାନ୍ତରରେ ବିଦ୍ୟୁତ୍‌୍‌ ସେବା ଯୋଗାଇଥାଏ, ତାହା ୪୮୦ କିଲୋମିଟର ବିଶିଷ୍ଟ ହାଇଟେନସନ୍‌ ବିଦ୍ୟୁତ୍‌ ତାରକୁ ଅଣ୍ଡରଗ୍ରାଉଣ୍ଡ କେବୁଲ୍‌ ନେଟ୍‌ୱର୍କରେ ରୂପାନ୍ତରିତ କରିସାରିଛି। ଏହି ପ୍ରକଳ୍ପରେ ରାଜକୋଟ୍‌, ଜାମନଗର, ଜୁନାଗଡ, ଭାବନଗର, ପୋରବନ୍ଦର, ଭୁଜ୍‌ ଓ କଚ୍ଛ ପରି ସହର ଭୂତଳ କେବୁଲ୍‌ ଜରିଆରେ ଏବେ ବିଦ୍ୟୁତ୍‌ସେବା ପାଇପାରୁଛି। କିଛି ପ୍ରମୁଖ ତୀର୍ଥସ୍ଥାନ ଯଥା- ଦ୍ୱାରିକା, ସୋମନାଥ ଆଦି ସ୍ଥାନରେ ବି ଭୂତଳ ବିଦ୍ୟୁତ୍‌ ସେବା ଉପଲବ୍ଧ ହୋଇଛି।
ଆମେ ଯଦି ଆମ ରାଜ୍ୟ ଓଡ଼ିଶା କଥା ବିଚାରକୁ ନେବା, ତେବେ ଏଠାରେ ଯେ ଏହି ଭୂତଳ ବିଦ୍ୟୁତ୍‌ କେବୁଲ୍‌ ପାଇଁ ସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇନି, ତାହା କହିବା ଭୁଲ୍‌ ହେବ। ଉପଭୋକ୍ତାଙ୍କୁ ନିରନ୍ତର ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇଦେବା ପାଇଁ କିଛି ବର୍ଷ ତଳେ ଭୁବନେଶ୍ୱର, କଟକ, ପୁରୀ ଭୌଗୋଳିକ ଅଞ୍ଚଳରେ ଭୂତଳ ବିଦ୍ୟୁତ୍‌୍‌ କେବୁଲ୍‌ ବିଛାଇବା ଯୋଜନା ପ୍ରସ୍ତୁତ ହୋଇଥିଲା। ଷ୍ଟେଟ୍‌ କ୍ୟାପିଟାଲ୍‌ ରିଜିଅନ୍‌ ଇମ୍ପ୍ରୁଭମେଣ୍ଟ ଇନ୍‌ ପାୱାର୍‌ ସିଷ୍ଟମ୍‌ ସ୍କିମ୍‌ରେ ଏହି ଯୋଜନା ହାତକୁ ନିଆଯାଇଥିଲା। ହେଲେ ପରିଚାଳନାଗତ ସମସ୍ୟା ତଥା ବିଭିନ୍ନ କାରଣରୁ ଏହି ପ୍ରକଳ୍ପ କାମ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଷ୍ଟେଟ୍‌ କ୍ୟାପିଟାଲ୍‌ ରିଜିଅନ୍‌ ଇମ୍ପ୍ରୁଭମେଣ୍ଟ ଇନ୍‌ ପାୱାର୍‌ ସିଷ୍ଟମ୍‌ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି, ଏହି ପ୍ରକଳ୍ପର ୮୦ ଭାଗ କାମ ସରିଛି। ପୂରା କାମ ସରିବା ପରେ ହିଁ ବର୍ତ୍ତମାନ ଉପଲବ୍ଧ ଥିବା ରାଡିଆଲ୍‌ ସଂଯୋଗ ବ୍ୟବସ୍ଥାକୁ ରିଙ୍ଗ୍‌ ସଂଯୋଗ ବ୍ୟବସ୍ଥାରେ ପରିବର୍ତ୍ତନ କରିହେବ। ଏହାପରେ ହିଁ ସ୍ମାର୍ଟ ଗ୍ରୀଡ୍‌ ବ୍ୟବସ୍ଥା ଜରିଆରେ ବିଦ୍ୟୁତ୍‌୍‌ ପରିବହନକୁ ନିୟନ୍ତ୍ରିତ କରାଯାଇ ଉପଭୋକ୍ତଙ୍କୁ କେବୁଲ୍‌ ଜରିଆରେ ସେବା ଯୋଗାଇହେବ।
୨୦୧୩ ମସିହାରେ ଫାଇଲିନ୍‌ ବାତ୍ୟାର ତାଣ୍ଡବ ପରେ ହିଁ ଏହି ଭୂତଳ ବିଦ୍ୟୁତ୍‌୍‌ କେବୁଲ୍‌ ପ୍ରକଳ୍ପ ବାବଦରେ ଚିନ୍ତା କରାଯାଇଥିଲା। ଫାଇଲିନ୍‌ କାରଣରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲା ବ୍ୟାପକ ଭାବେ ପ୍ରଭାବିତ ହେବା ସହ ସେଠାରେ ବିଦ୍ୟୁତ୍‌ ବ୍ୟବସ୍ଥା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୫-୧୬ରେ ଏକ ୫ ବର୍ଷିଆ ଅବଧିକୁ ଆଖି ଆଗରେ ରଖି ଏହି ଭୂତଳ କେବୁଲ୍‌ କାମ ହାତକୁ ନିଆଯାଇଥିଲା। ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଥିଲା ୧୫୦୦ କୋଟି। ପ୍ରାରମ୍ଭିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର ମଧ୍ୟ କରାଯାଇଥିଲା।
ଭୂତଳ କେବୁଲ୍‌ ଯୋଜନାକୁ ଦୁଇଟି ପର୍ଯ୍ୟାୟରେ କରିବା ପାଇଁ ପ୍ରଥମେ ଲକ୍ଷ୍ୟ ରଖାଯାଇଥିଲା। ଭୁବନେଶ୍ୱର ଦେଇ ୩୫୦ କିଲୋମିଟର ପରିସରରେ ଥିବା ୩୩ କେଭି ଓ ୧୧ କେଭି ବିଦ୍ୟୁତ୍‌ ତାରକୁ ଭୂତଳ କେବୁଲରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ଥିଲା। କିନ୍ତୁ ଭୁବନେଶ୍ୱରରେ ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟକାରୀ ହେବା ପରେ ଏହି ଭୂତଳ କେବୁଲ୍‌ ସ୍କିମ୍‌ରେ ଏକାଧିକ ବାର ପରିବର୍ତ୍ତନ କରାଗଲା, ଯାହା ଫଳରେ ଅଗଷ୍ଟ ୨୦୧୮ରେ ପ୍ରଥମ ପର୍ଯ୍ୟାୟ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ଏହା ବିଳମ୍ବିତ ହୋଇଥିଲା। ଏହାପରେ ହକି ବିଶ୍ୱ କପ୍‌ ଓ ପରେ ପରେ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ କାମ ଆଉ ଆଗେଇପାରିନି। ଏହି ଭୂତଳ କେବୁଲ୍‌ ବିଦ୍ୟୁତ୍‌ସେବା ପରିଚାଳନା ପାଇଁ ସ୍ମାର୍ଟ ଗ୍ରୀଡ୍‌ ଆବଶ୍ୟକ ଥିବା ବେଳେ ଏହା ମଧ୍ୟ ଏଯାଏ କାର୍ଯ୍ୟକ୍ଷମ ହୋଇପାରିନି।
ଭୂତଳ ବିଦ୍ୟୁତ୍‌୍‌ କେବୁଲ୍‌ ସେବାର ସବୁଠାରୁ ବଡ଼ ଉପଲବ୍ଧି ହେଉଛି, କୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ବି ଉପଭୋକ୍ତାଙ୍କୁ ନିରନ୍ତର ବିଦ୍ୟୁତ୍‌ ସେବା ମିଳିପାରିବ। ନିରନ୍ତର ବିଦ୍ୟୁତ୍‌ ସେବା ଜାରି ରହିଲେ, ଜରୁରିକାଳୀନ ସ୍ଥିତି ବେଳେ ଜଳଯୋଗାଣ ପରି ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ। ବାତ୍ୟା, ବନ୍ୟା ସ୍ଥିତିରେ ଯେ ପର୍ଯ୍ୟନ୍ତ ପାୱାର ଗ୍ରୀଡ୍‌ରେ ବିଦ୍ୟୁତ୍‌ ସେବା ସଚଳ ରହିବ ସେ ଯାଏ ଉପଭୋକ୍ତାଙ୍କୁ କେବୁଲ୍‌ ଜରିଆରେ ନିରନ୍ତର ବିଦ୍ୟୁତ୍‌ ସେବା ମିଳିପାରିବ। ୧୯୯୯ ମହାବାତ୍ୟାରୁ ଶିକ୍ଷା ପାଇଥିବା ଓଡ଼ିଶାର ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ ବନ୍ଦର ଅଞ୍ଚଳରେ ଭୂତଳ ବିଦ୍ୟୁତ୍‌୍‌ କେବୁଲ୍‌ ବ୍ୟବସ୍ଥା କରିସାରିଛନ୍ତି। ବିଦ୍ୟୁତ୍‌ ଲାଇନକୁ ଭୂତଳ ବ୍ୟବସ୍ଥାରେ ରୂପାନ୍ତରିତ କରାଗଲେ, ନିରନ୍ତର ବିଦ୍ୟୁତ୍‌୍‌ ସେବା ମିଳିବା ସହ ଟେକ୍ନିକାଲ୍‌ ଲସ୍‌ କମିବ ଓ ଭୋଲ୍‌ଟେଜରେ ସ୍ଥିରତା ରହିବ। ଏଲ୍‌ଟି ଲାଇନରେ ହେଉଥିବା ବିଦ୍ୟୁତ୍‌ କ୍ଷତିକୁ ରୋକାଯାଇପାରିବ। ହୁକିଂ ଜରିଆରେ ବିଦ୍ୟୁତ୍‌ ଚୋରିର ଆଶଙ୍କା ରହିବନି।
ଫନୀ ତାଣ୍ଡବରେ କେବଳ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ବିଦ୍ୟୁତ୍‌ ଖଣ୍ଟ ଉପୁଡିଛି ବା ଭାଙ୍ଗିଛି। ଯଦି ଆନ୍ଧ୍ର ସରକାରଙ୍କ ପରି ଓଡ଼ିଶା ସରକାର ଭୂତଳ କେବୁଲ୍‌ ବ୍ୟବସ୍ଥାକୁ ଗମ୍ଭୀରତାର ସହ ନେଇ ପ୍ରାଥମିକତା ଦେଇଥାନ୍ତେ, ତେବେ ରାଜଧାନୀର ୫ ଲକ୍ଷରୁ ଅଧିକ ଉପଭୋକ୍ତା ୧୦ ଦିନ ଧରି ଯନ୍ତ୍ରଣା ଓ ଦୁର୍ଦ୍ଦଶା ଭୋଗି ନ ଥାନ୍ତେ। ଖୋଦ୍‌ ରାଜଧାନୀରେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଥିବା ଭୂତଳ କେବୁଲ୍‌ ପ୍ରକଳ୍ପଟି କେବେ ସରିବ, ତାହାର ଉତ୍ତର କାହା ପାଖରେ ନାହିଁ।
ଭୁବନେଶ୍ୱର, ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri