ଆଗ ମୋବାଇଲ

ଦ୍ୱିତୀ ଚନ୍ଦ୍ର ସାହୁ
ଅନେକ ଦିନ ପରେ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲୁ। ବନ୍ଧୁ ପତ୍ନୀ ନିଜର ଏକ ବର୍ଷର ଛୁଆକୁ ଖେଳାଉଥିଲେ ମୋବାଇଲ ସାଥିରେ। ଅନ୍‌ଲାଇନରେ କାର୍ଟୁନ ଦେଖୁଥିଲା କଅଁଳ ବୟସର ଛୁଆ। ହଠାତ୍‌ କଲ୍‌ ଆସିଗଲା। କଥା ହେବାକୁ ତା’ ମାଆ ଫୋନ ନେବା କ୍ଷଣି ସେ ଜୋରରେ କାନ୍ଦିବାକୁ ଲାଗିଲା। ମାଆ ଯଥାଶୀଘ୍ର କଥା ସାରି ପୁଣି ତା’ ସାମ୍ନାରେ ମୋବାଇଲ ରଖିବା କ୍ଷଣି ସେ ଚୁପ୍‌ ହୋଇ ସେଥିରେ ବୁଡି ରହିଲା। ଏହାପରେ ଛୁଆର ମାଆ କହିଲେ- କ’ଣ କରିବି, ମୋବାଇଲ ନ ଦେଖିଲେ ଏମିତି କାନ୍ଦିବ। ଘରର କୌଣସି କାମ କରେଇ ଦେବନି। ସେଥିପାଇଁ ମୋବାଇଲ ଦେଇଦେଲେ ଚୁପ୍‌ଚାପ୍‌ ସେମିତି ଦେଖୁଥିବ। ଏ ସଂପର୍କରେ କିଛି ପ୍ରତିକ୍ରିୟା ଦେବାକୁ ଉଚିତ ଲାଗିଲା ନାହିଁ। ସ୍ବାଭାବିକ ଭାବେ କଥାବାର୍ତ୍ତା ହୋଇ ଫେରିଲୁ। ହଠାତ୍‌ ମନେପଡିଲା ଆଉ ଏକ ପିଲାର କଥା। ପିଲାଟି ଦିନରୁ ଠିକ୍‌ ଏମିତି ମୋବାଇଲ ନିଶାରେ ମସଗୁଲ ଥିଲା। ମାତ୍ର ଦଶବର୍ଷରେ ତା’ ଆଖିରେ ଚଷମା ଲାଗିଲା। ତା’ର ଚିତ୍ର ଓ ଚରିତ୍ର ବଦଳିଗଲା। ପ୍ରାପ୍ତବୟସ୍କ ହେବା ପରେ ଯାହା ସବୁ ଜାଣିବା କଥା ତା’ର ଢେର ପୂର୍ବରୁ ମୋବାଇଲ ସହାୟତାରେ ସେସବୁ ଜ୍ଞାନ ହାସଲ କରିଦେଇଥିଲା। ତା’ର ପରିଣାମସ୍ବରୂପ ଶ୍ରେଣୀରେ ଝିଅମାନଙ୍କ ପ୍ରତି ତା’ର ଉଚ୍ଚାରଣ ଓ ଆଚରଣ ବଦଳିଗଲା। ତା’ର ଅସ୍ବାଭାବିକ ଓ ଉତ୍ସୃଙ୍ଖଳିତ ଆଚରଣ ପାଇଁ ବାରମ୍ବାର ବିଦ୍ୟାଳୟରୁ ବାପାମାଆଙ୍କ ନିକଟକୁ ଅଭିଯୋଗମାନ ଆସିବାକୁ ଲାଗିଲା। ଏମିତି କିଛି କାର୍ଯ୍ୟ ଯୋଗୁ ଶେଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଟିକୁ ଅନ୍ୟତ୍ର ନେଇ ପଢାଇବାକୁ ଅନୁରୋଧ କଲେ। ଏସବୁ ଆମ ସମାଜର ଏବକାର ଚିତ୍ର।
ଏବେ ସବୁଘରେ ମାଆମାନେ ଛୋଟ ଛୁଆକୁ ମୋବାଇଲ ଦେଖାଇ ତା’ର କାନ୍ଦ ବନ୍ଦ କରାଇବା ସହ ଦୈନନ୍ଦିନ କାର୍ଯ୍ୟ ତୁଲାଇ ଖୁସି ଅନୁଭବ କରୁଛନ୍ତି। ଅଥଚ ଛୁଆର ଭବିଷ୍ୟତ ପ୍ରତି ଚିନ୍ତା ନାହିଁ। ସ୍କୁଲପଢୁଆ ପିଲାମାନେ ନିଜ ମାଆବାପାଙ୍କୁ ବିଭିନ୍ନ ମୋବାଇଲ ଆପ୍‌ର ଉପଯୋଗକୁ ଗୁରୁ ଭଳି ବୁଝାଇପାରୁଛନ୍ତି। ନିଜ ପିଲାଙ୍କ ଏମିତିଆ ଜ୍ଞାନଗରିମାକୁ ନେଇ ବଡମାନଙ୍କ ମନ କୁଣ୍ଢେମୋଟ। ପିଲାଠାରୁ ବୁଢା, ଶିକ୍ଷିତ ଅଶିକ୍ଷିତ ସମସ୍ତେ ମୋବାଇଲରେ ଫେସ୍‌ବୁକ, ହ୍ବାଟ୍‌ସଆପ୍‌, ହାଇକ୍‌, ଟିକ୍‌ଟକ୍‌ ଭଳି ଗଣମାଧ୍ୟମକୁ ବହୁଳ ବ୍ୟବହାର କରୁଛନ୍ତି। ଟିକ୍‌ଟକ୍‌ର ପ୍ରେମରେ ତ ଏବେ ଆବାଳବୃଦ୍ଧବନିତା। ସେଲ୍‌ଫିଟିଏ ନେଇ ସାମାଜିକ ଗଣମାଧ୍ୟମରେ ଛାଡିଲା ପରେ ଯାଇ ଯେ କୌଣସି କାମ କରାଯାଉଛି। ସମସ୍ତେ କୁତୁକୁତୁ ନିଜେ ପୋଷ୍ଟ କରିଥିବା ଚିତ୍ର ଓ ତଥ୍ୟକୁ ଅନ୍ୟମାନେ କେତେ ପସନ୍ଦ କରୁଛନ୍ତି ଜାଣିବାକୁ। ସେଥିପାଇଁ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ତୁହାକୁ ତୁହା ମୋବାଇଲ ଦେଖୁଛନ୍ତି। ତା’ର ଜବାବ ବି ଦେଉଛନ୍ତି। ଯାହା ସବୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନ କରିବା କଥା ସେସବୁ ଆଜିକାଲି କରାଯାଉଛି। ଜଣେ ପଠାଇଥିବା ତଥ୍ୟର ସତ୍ୟତା ସ୍ଥାନକାଳପାତ୍ର ଆଧାରରେ ନ ପରଖି ତୁରନ୍ତ ତାକୁ ଅନ୍ୟ ବନ୍ଧୁମାନଙ୍କୁ ପଠାଇବାର ତାତ୍କାଳିକ ପ୍ରବଣତାରେ ମାତି ଉଠୁଛନ୍ତି। ଏଥିନେଇ ବିଭିନ୍ନ ସମୟରେ ବ୍ୟକ୍ତିଗତ ସ୍ତରରେ ଓ ବୃହତ୍ତର ସମାଜର ପ୍ରଭୂତ କ୍ଷତି ଘଟୁଛି। ଅଥଚ ସେଥିରୁ କିଛି କେହି ଶିଖିବାକୁ ଚେଷ୍ଟା କରୁନାହାନ୍ତି। ସାମାଜିକ ଗଣମାଧ୍ୟମର ବିଭୋରପଣରେ ଶୃଙ୍ଖଳିତ ବ୍ୟକ୍ତିଗତ ପାରିବାରିକ ଜୀବନ ବିପନ୍ନ ହୋଇପଡିଛି। ସ୍ବାମୀ, ସ୍ତ୍ରୀ, ଛୁଆ ଏକାଠି ଘରେ ଥିବେ, କିନ୍ତୁ ଯେ ଯା’ ମୋବାଇଲରେ ବ୍ୟସ୍ତ ଥିବେ। ଏଇ ନିଶାରେ ଶୋଇବାକୁ ବି ଭୁଲିଯାଆନ୍ତି ଅନେକେ। ମଧ୍ୟରାତ୍ର ଯାଏ ମୋବାଇଲରେ ସକ୍ରିୟ ଥିବେ। ପୁଣି ରାତିରେ ନିଦ ଭାଙ୍ଗିବା କ୍ଷଣି ପାଖରେ ଥିବା ମୋବାଇଲକୁ ଅଣ୍ଡାଳି ଆଉ ଟିକେ ପରଖିବେ। ସକାଳୁ ଉଠିବା କ୍ଷଣି ପ୍ରଥମେ ମୋବାଇଲରେ ମୁହଁ ପଖାଳିବା ନିଶ୍ଚିତ। ବୟସ୍କମାନେ ମୋବାଇଲ, ଟିଭି ଜରିଆରେ ନିଜ ମନପସନ୍ଦର ସିରିଏଲ, ସିନେମା, ଖବର, ଖେଳ ଦେଖି ଅନ୍ୟ ପାଇଁ ବୋଝ ହେବାକୁ ଚାହୁଁ ନାହାନ୍ତି। ନିଜ ସାମାଜିକ ପୃଷ୍ଠାରେ ନିମଗ୍ନ ରହି ପାରିବାରିକ ତାଡନା ଓ ଅସହ୍ୟ ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି ଅନେକେ।
ଡିଜିଟାଲ ଯୁଗରେ ମୋବାଇଲ ଆମ ଜୀବନକୁ ସହଜ ଓ ସରଳ କରିଛି। ଆଙ୍ଗୁଠି ଟିପରେ ଦୁନିଆକୁ ଆୟତ୍ତ କରାଯାଇପାରୁଛି ଓ ବହୁ କାର୍ଯ୍ୟକୁ ଅନାୟାସରେ କରାଯାଉଛି। କିନ୍ତୁ ଏହାର ପ୍ରଭାବରେ ବହୁ ଧନପ୍ରାଣ ହାନି ଘଟିିବାରେ ଲାଗିଛି। ଏହାକୁ ରୋକିବାକୁ କଡା ଆଇନ କରାଯାଉଛି। ଅଥଚ ନିଜେ ସଚେତନ ନ ହେଲା ଯାଏ ଆଇନ ଆମକୁ ସେମିତି କିଛି ଫାଇଦା ଦେଇପାରିବନି।
ଏମିତି ଚିନ୍ତାରୁ ମୁକ୍ତ ହୋଇ ଦୂର ସ୍ଥାନକୁ ଯାତ୍ରା ପାଇଁ ସପରିବାର ବାହାରିଲା ବେଳକୁ ହଠାତ୍‌ ଚତୁର୍ଥ ଶ୍ରେଣୀରେ ପଢୁଥିବା ପୁଅ ତା’ର ମାଆକୁ କହୁଛି- ମାମା! ମୋବାଇଲ ଫୁଲ୍‌ ଚାର୍ଜ କରି ଧରିଛୁ ତ! କାହିଁକି ନା ଗାଡିରେ ବସି ମୁଁ ଟିକ୍‌ଟକ୍‌ ଗୋଟେ କରି ଛାଡିବି। ଉତ୍ତରରେ ମାଆ କହୁଛି- ଯୁଆଡେ ଗଲେ ବି ମୋର ଆଗ ମୋବାଇଲ। ତୁ ତୋ ବାବାଙ୍କ ମୋବାଇଲ ନେଇ ଯାହା କରୁଛୁ କର, ମୋର ଦେବାର ନାହିଁ। ଏହାର କିଛି ପ୍ରତିକ୍ରିୟା ଦେବାକୁ ଉଦ୍ୟମ କଲା ବେଳକୁ ଅଫିସରୁ ଗୋଟେ ମେସେଜ ଆସିଲା। ବ୍ୟାଗ୍‌ଟିକୁ ଥୋଇ ଦେଉ ଦେଉ ପାଟିରୁ ବାହାରିଗଲା- ଜଷ୍ଟ ଏ ମିନିଟ୍‌! ଯିବା ତ! କିନ୍ତୁ ମୋବାଇଲରେ ଆଗ ଏ କାମଟା ସାରିଦିଏ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ, ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?