ଅନ୍ଧାର ଜଗତର ଆଲୋକ

ଉପେନ୍ଦ୍ର ବିଶ୍ୱାଳ

ଆଚ୍ଛନ୍ନ ଅନ୍ଧକାରରେ ଆକ୍ତାମାକ୍ତା ଦୁନିଆ। ଚାରିଆଡେ ଅରାଜକତା, ଆସୁରିକତାର ଭିଡ଼। ହତ୍ୟା, ଲୁଣ୍ଠନ, ଶୋଷଣ, କ୍ରୋଧ, ଲୋଭ, ଈର୍ଷା, ଅସୂୟା, ନିର୍ଯାତନା ଆଦି ଗ୍ରାସ କରିଚାଲିଛି ଆଜି; ଯେଉଁଥିପାଇଁ କି ଏ ସମାଜ ସଙ୍କଟଗ୍ରସ୍ତ। ଅନ୍ୟାୟ, ଅନାଚାରର ଅନ୍ଧକାରରେ ଆଉଟୁ ପାଉଟୁ ହେଉଛି ମଣିଷ। ଚାରିପାଶେ କୁଢ଼ କୁଢ଼ ମଇଳା, ଆବର୍ଜନା। ମାଛି ସମ ମଇଳାମନସ୍କ ମଣିଷମାନେ ହାଉଯାଉ ଏଠି। ଏପରିସ୍ଥଳେ ବ୍ୟତିକ୍ରମ ଦୁନିଆଟେ ଆଖିରେ ପଡିଗଲେ, ଆନନ୍ଦରେ ନାଚି ଉଠେ ମନ। ଗାଢ଼ ଅନ୍ଧାରରେ ହଜିଲା ରତ୍ନଟିଏ ପାଇଗଲେ ଯେମିତି କୋଟି ଧନ ପାଇଗଲା ପରି ଲାଗେ, ଠିକ୍‌ ସେମିତି କଳୁଷ କାଳିମାଭରା ଦୁନିଆରେ ଉନ୍ନତ ଚେତନାର ଭିନ୍ନ ଏକ ଦୁନିଆଟିଏ ଦେଖିଦେଲେ ମନରେ ଅଫୁରନ୍ତ ଆନନ୍ଦ ଖେଳିଯାଏ। ଏମିତି ଏକ ଦୁର୍ଲଭ ଦୁନିଆଟିଏ ହେଉଛି, ହରିୟାଣାର ଭୋଜଖେଡ଼ା ଗଁା। ପାନୀପଥ ଜିଲାର ଉଚାନା ବ୍ଲକସ୍ଥ ଏହି ଗାଁ, ସମସ୍ତଙ୍କ ପାଇଁ ଆଦର୍ଶର ଆଧାର ଆଜି। ନାହିଁ ସେଠି ତିକ୍ତତା ଅବା ମନୋମାଳିନ୍ୟ। ସଭିଙ୍କ ଭିତରେ ବୋହୁଥାଏ ସଦିଚ୍ଛାର ସ୍ରୋତସ୍ବିନୀ। ଫଳତଃ ଗତ ପଚାଶ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି, ଗାଆଁରେ କୌଣସି ପ୍ରକାର ବିବାଦ ଥିବାର ନଜିର ନାହିଁ ବୋଲି ଥାନାର ରେକର୍ଡ କୁହେ। ଏହାଠୁ ବଳି ଆହୁରି ଅଧିକ ଆନନ୍ଦର ବିଷୟ ଏହି ଯେ ତତୋଧିକ ଗରିମାଯୁକ୍ତ ଅନେକ ଗାଆଁ ଆମର ଏଇଠି ଅଛି, ଯାହା କି ଚର୍ଚ୍ଚାର ପରିଧିକୁ ଆସିପାରୁ ନାହିଁ ଏଯାଏ। ଏ ଅକିଞ୍ଚନ ସେଦିନ ଅତ୍ୟନ୍ତ ଅଭିଭୂତ ହୋଇଥିଲା; ଯେଉଁଦିନ ଏପରି ମହକିତ ଦୁନିଆକୁ ନିଜ ଆଖିରେ ଦେଖିବାର ସୁଯୋଗ ପାଇଲା। ଗଞ୍ଜାମ ଜିଲାର ସାନ ଖେମୁଣ୍ଡି ବ୍ଲକର ଖେମୁଣ୍ଡି ଖୋଲ, ଶ୍ରୀରାମ ନଗର, କୃଷ୍ଣପୁର, ମାଧବ ନଗର, ଶବର ପଲ୍ଲୀ, କାଳି ବୁରେଇ, ପାଳୁଖୋଳା, ବେଲଗଡ଼, ଖପରା ବାଡ଼, ରାମପଲ୍ଲୀ, ସୀତା ପଲ୍ଲୀ, ଦେଉଳ ସାହି, ବଡ଼ ପଦା, ବାଳିଆ ପଦା, ଝୁଲାସାହି, କଣ୍ଟା ବାଉଁଶ, ବାଆବାଡ଼, ଝୁଲଣ, ଅଶୋକ ନଗର, ନୂଆଗାଁ, ସୁବର୍ଣ୍ଣଗଡ଼, ନୂଆସାହି, ଗୋହରିଆ ଖୋଳ, ଲକ୍ଷ୍ମୀପୁର, ଗାଦଲ କୁମ୍ଫା ଆଦି ୩୫ରୁ ଊର୍ଦ୍ଧ୍ୱ ଛୋଟ ଛୋଟ ଗାଆଁ ଅଛି, ଯେଉଁଠି କି ଦିବ୍ୟତ୍ୱର ଦୁର୍ଲଭ ଅନୁଭବ ହୁଏ। ମୂଲ୍ୟବୋଧର ମହରଗ ଦୁନିଆର ମହକଭରା ଏ ମଣିଷମାନଙ୍କୁ ଦେଖିଦେଲେ, ସତରେ ଆତ୍ମହରା ହୋଇଯାଏ ପ୍ରାଣ। ନା ଅଛି ଶୋଷଣ ଓ ଶଠତାର ସମାବେଶ ନା ପ୍ରବଞ୍ଚନାର ପଦଚିହ୍ନ ଅବା କପଟତାର କଳୁଷ। ଭବ୍ୟ ଭାବନାରେ ବନ୍ଧା ଶୁଦ୍ଧ ମନର ମଣିଷ ଏମାନେ। ଯେମିତି ଶାନ୍ତ, ସେମିତି ସୁଧାର। ଯେମିତି ସୁସଂହତ, ସେମିତି ସଂସ୍କୃତି ପ୍ରାଣ ଓ ପରମ୍ପରା ପ୍ରତି ପ୍ରତିଶ୍ରୁତି ବଦ୍ଧ। କିନ୍ତୁ ନୁହନ୍ତି କେବେ କୁସଂସ୍କାରରେ କୁପୋଷିତ। ମନୋରମ ପ୍ରାକୃତିକ ପରିବେଶଭରା ଉଷ୍ଣ ପ୍ରସ୍ରବଣ, ତପ୍ତପାଣିର ଠିକ୍‌ ପୂର୍ବରୁ ପ୍ରକୃତିର ସ୍ନିଗ୍ଧ କୋଳରେ ଅବସ୍ଥିତ ଏହି ଶବର ଗାଆଁଗୁଡିକ। ପାର୍ଶ୍ୱରେ ପ୍ରବାହିତ ପ୍ରସ୍ରବଣ ପରି ଏଠି ବି ପରସ୍ପର ମଧ୍ୟରେ ପ୍ରବାହିତ ସୌହାର୍ଦ୍ଦ୍ୟ ଭାବ ଓ ସଦିଚ୍ଛାର ସ୍ବଚ୍ଛ ସଲୀଳ ସ୍ରୋତ। ନା ଅଛି କାର୍ପଣ୍ୟ ଭାବ କରୁଣା ଟିକେ ପାଇଁ ଅବା ଦ୍ବିଧାବୋଧ ଦୟା, ସହାନୁଭୂତି ଅବା ସମ୍ବେଦନଶୀଳତା ପାଇଁ। ନିଜ ନିଜ ମଧ୍ୟେ ନାହିଁ କଳହ କିମ୍ବା ମନାନ୍ତର ଅବା ଛନ୍ଦ-ମନ୍ଦ କି ମାଲି-ମକଦ୍ଦମା; ଯାହାକି ସ୍ବୀକାର କରନ୍ତି ଉକ୍ତ ଅଞ୍ଚଳର ଥାନା ଇନଚାର୍ଜ ଇନ୍ସପେକ୍ଟର ଅଜୟ କୁମାର ବାରିକ। ଉପରୋକ୍ତ ପଲ୍ଲୀପୁଞ୍ଜ ଭିତରୁ ଶ୍ରୀରାମ ନଗର, ମାଧବ ନଗର, ଶବର ପଲ୍ଲୀ, କୃଷ୍ଣପୁର, କାଳି ବୁରେଇ ଆଦି ପାଞ୍ଚୋଟି ପଡ଼ା ଏମିତି ଅଛି; ଯାହା କି ନିଶା ରାକ୍ଷସ ଦ୍ୱାରା କବଳିତ ନୁହେଁ।
ଶବର ସମ୍ପ୍ରଦାୟର ପାଞ୍ଚଟି ପଲ୍ଲୀର ସରଳ ଏହି ମଣିଷମାନେ ମଦଠୁ ମାଇଲ ମାଇଲ ଦୂରରେ। ଯେଉଁଠି, ଆଜିର ଦିନରେ ରାଜ୍ୟରେ ବୋହୁଛି ମଦର ବନ୍ୟା। କଲେଜ ପଢୁଆ କିଶୋର ଓ ତରୁଣଙ୍କର ତ ମଦ ପାଲଟି ଗଲାଣି ଏକ ନିୟମିତ ପାନୀୟ। ସବୁଠୁ ବିସ୍ମୟ ହେଉଛି ଓଡ଼ିଶା ପରି ଏକ ସଂସ୍କୃତି ମନସ୍କା ମାଟିର ଯେଉଁମାନଙ୍କୁ ଲକ୍ଷ୍ମୀପ୍ରତିମା ବୋଲି ମନେକରାଯାଏ, ସେଇମାନେ (ବିଶେଷକରି କଲେଜ ପଢୁଆ) ନିଶା ପାଲରେ ବି ପଡିଗଲେଣି। ବନବାସୀ ବସ୍ତିଗୁଡିକରେ ଏଠି ଦାରିଦ୍ର୍ୟ ଅଛି, କିନ୍ତୁ ଦୁଃଖ ନାହିଁ କି ନିରାଶାନାହିଁ। ନାହିଁ ବଡ଼ ଘର, କୋଠା-ବାଡ଼ି କି ଗାଡି-ଘୋଡ଼ା, କିନ୍ତୁ ସୁଖ ଅଛି, ଶାନ୍ତି ଅଛି, ସନ୍ତୋଷ ବି ଅଛି। ଏମାନଙ୍କ ଜୀବନ ଶୈଳୀକୁ ଅନୁଧ୍ୟାନ କଲେ ଉପଲବ୍ଧି ହୁଏ, ଉଚ୍ଚ ଡିଗ୍ରୀ, ସାହେବୀ ଢଙ୍ଗ ବା ଆମ ସୌଖୀନ ଜୀବନରେ ନ ଥାଏ ସୁଖ ବା ଆନନ୍ଦ। ତାହା ତ ଥାଏ ଆମ ମିଠା ଆଚରଣରେ। ସଙ୍ଘର୍ଷ ନୁହଁ, ସହଯୋଗ ଓ ସମନ୍ବୟରେ ହିଁ ନିହିତ ଜୀବନର ନିର୍ଯାସ। ବେଇମାନୀ ନୁହଁ, ବିଶ୍ୱାସର ବଡ଼ଦାଣ୍ଡରେ, ସରଳ ଓ ସାବଲୀଳ ଢଙ୍ଗରେ ଚାଲେ ଜୀବନ ରଥ। ଆମେ ଶ୍ରୀଜଗନ୍ନାଥଙ୍କ ଚିତ୍ର/ଦାରୁ ପ୍ରତିମାକୁ ପୂଜା କରୁ। ସେମାନେ କିନ୍ତୁ ଜଗନ୍ନାଥଙ୍କ ଦିବ୍ୟ ଚେତନାର ପୂଜାରୀ। ଜଗନ୍ନାଥ ତତ୍ତ୍ୱ ପାଲଟିଛି ତାଙ୍କ ଆଚାର ସଂହିତା। ସତେ ଯେମିତି ପରିବାରର ମୁଖିଆ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ସତ୍ୟ, ଧର୍ମ, ଶାନ୍ତି, ପ୍ରେମ, ଅହିଂସା- ଯାହା କି ଦିବ୍ୟତ୍ୱର ଉତ୍କର୍ଷ ଉପଲବ୍ଧି ଓ ସର୍ବ କଲ୍ୟାଣର କଥା କୁହେ, ଏହି ପଞ୍ଚ ମାନବୀୟ ମୂଲ୍ୟବୋଧ ମନ୍ତ୍ରରେ ଏମାନେ ଅଭିମନ୍ତ୍ରିତ। ଏପରିସ୍ଥଳେ କେମିତି ବା ଆସନ୍ତା ଆବିଳତା ଅବା ଅନୀତି, ଅନାଚାରର ଅଳିଆ ? ଅନ୍ୟଠି ଭକ୍ତିକୁ ନେଇ ଯେଉଁଠି ଭଣ୍ଡାମି, ଭାବକୁ ନେଇ ବେଉସା, ଧର୍ମକୁ ନେଇ ଧୋକାବାଜି ଚାଲେ, ଏଠି କିନ୍ତୁ ଶୁଦ୍ଧତା ଓ ସାତ୍ତ୍ୱିକତାର ସଂଚରଣ। ଏମାନଙ୍କ ଶ୍ରଦ୍ଧାରେ ସିକ୍ତ ଶ୍ରୀଜଗନ୍ନାଥ। ସାମାଜିକ ସଂହତି, ସାମାଜିକ ସମରସତା ସମେତ ‘ସ୍ବଚ୍ଛ ଭାରତ’ର ସ୍ବର୍ଣ୍ଣିମ ଭାବଧାରା ଦେଖିବାକୁ ମିଳେ ଏହି ପଲ୍ଲୀ ପୁଞ୍ଜରେ। ପାରିପାଶର୍‌ବିକ ସ୍ବଚ୍ଛତା ଯେମିତି, ମନର ସ୍ବଚ୍ଛତା ବି ସେମିତି। ପଲ୍ଲୀର ପ୍ରବେଶ ପଥରୁ ହିଁ ବାରି ହୁଏ ଭିନ୍ନତା। ପ୍ରତିଟି ଘର ସାମ୍ନାରେ ରଙ୍ଗିନ ମୁରୁଜର ସୁନ୍ଦର ଚିତ୍ର ଉପରେ ଶୋଭା ପାଉଥାଏ ଜଳଭର୍ତ୍ତି ପୂର୍ଣ୍ଣକୁମ୍ଭ। ଆଉ ପ୍ରତିଟି ଦ୍ୱାର କାନ୍ଥରେ ଓଁ ଓ ସ୍ବସ୍ତିକର ଚିହ୍ନ। ଯେହେତୁ ଆଧ୍ୟାତ୍ମିକତା ହେଉଛି ଆତ୍ମିକ ଉନ୍ନତିର ମୂଳାଧାର, ଏଣୁ ପ୍ରତି ଗାଆଁରେ ରହିଛି ଭାଗବତ ଟୁଙ୍ଗୀ। ଯେଉଁଠି ନିତ୍ୟ ପୂଜାପାଉଥାନ୍ତି ଶ୍ରୀ ଶ୍ରୀ ଜଗନ୍ନାଥ। ଅହରହ ଜଳୁଥାଏ ଅଖଣ୍ଡ ଦୀପ। ଶ୍ରୀ ଜୀଉଙ୍କ ସହିତ ପୂଜାପାଉଥାନ୍ତି ଶ୍ରୀମଦ୍‌ ଗୀତା, ଭାଗବତ, ପୁରାଣ ଆଦି ପବିତ୍ର ଶାସ୍ତ୍ର ମାନ; ଯାହା କି ପାଠ କରାଯାଇଥାଏ ପ୍ରତିଟି ସାରେ। ସମବେତ ମହିଳା, ପୁରୁଷ ସମସ୍ତେ ଶୁଣୁ ଥାଆନ୍ତି ଖୁବ୍‌ ତଲ୍ଲୀନ ହୋଇ। ସତ୍‌ଜ୍ଞାନର ପବିତ୍ର ଜଳରେ ମନକୁ ନିତି ପ୍ରତିଦିନ ସ୍ନାନ କରୁଥିବାରୁ ତାହା କଳୁଷିତ ଓ ଆବର୍ଜନାମୁକ୍ତ ରହେ। ନକାରାତ୍ମକ ଭାବନା ତାଙ୍କଠି ଗ୍ରାସ କରିପାରେନା। ସକାରାତ୍ମକ ଭାବନାରେ ଭିଜୁଥିବା ଯୋଗୁ ଆଚରଣରେ ଶିଷ୍ଟତା, ଶାଳୀନତା, ଶାନ୍ତ ସ୍ବଭାବ ପରିଲକ୍ଷିତ ହୁଏ। ଏହା ନ ହୋଇଥିଲେ ଜୀବନର ଏମିତି ମାଧୁର୍ଯ୍ୟ କେବେ ଆସ୍ବାଦନ କରି ପାରି ନ ଥାନ୍ତେ।
ପ୍ରତି ମାସର ସଂକ୍ରାନ୍ତିରେ ଆଠ ଦଶଟି ପ୍ରତିବେଶୀ ଗାଆଁଗୁଡିକୁ ନେଇ ଗ୍ରାମ ଏକତ୍ରୀକରଣ ଅବସରରେ ସମସ୍ତେ ସାମିଲ ହୁଅନ୍ତି ସାମୂହିକ ପଂକ୍ତି ଭୋଜନରେ। ଭୋଜନ ପୂର୍ବରୁ କେହି ଜଣେ ଛୋଟ ପିଲା ସୁନ୍ଦର କଣ୍ଠରେ ମନ୍ତ୍ରପାଠ କରିଥାଏ-ଓଁ ସହନାବବତୁ, ସହନୌଭୁନକ୍ତୁ, ସହବୀର୍ଯ୍ୟଂ କରବାବହୈ, ତେଜସ୍ବୀ ନାବଧୀତମସ୍ତୁ ମାବିଦିଷାବହୈ, ଯାହାକୁ କି ସମସ୍ତେ ଦୋହରାଇଥାନ୍ତି। ସତେ ଯେମିତି ସମସ୍ତେ ସଂକଳ୍ପ ନେଉଛନ୍ତି – ଆମେ ଏକାଠି ବସିବା, ଏକାଠି ଖାଇବା, ଆମ ମଧ୍ୟେ ବିଦ୍ୱେଷ ଭାବ ନ ରହୁ, ଆମେ ସଂଗଠିତ ହେବା ଇତ୍ୟାଦି ଇତ୍ୟାଦି। ଶବର ସମାଜ ଦ୍ୱାରା ପୂଜିତ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ସଭକ୍ତି ସେଦିନ ପ୍ରଣିପାତ କଲାବେଳେ ମନେହେଲା ସତେ ଯେମିତି ପ୍ରଭୁ କହୁଛନ୍ତି ”ଆରେ, ଏଇଠି ରହିବାକୁ ମୋତେ ଭଲ ଲାଗୁଛି। ଏମାନଙ୍କ ଭାବ, ଭକ୍ତି, ଆବେଗରେ ଏତେ ଆସକ୍ତ ଯେ ଏମାନଙ୍କୁ ଆଡେଇ ଯାଇପାରୁନି। ମୁଁ ତ ସେଇମାନଙ୍କୁ ଖୋଜିବୁଲେ, ଯେଉଁମାନେ ଅନ୍ୟମାନଙ୍କ ପ୍ରତି ସହାନୁଭୂତିଶୀଳ। ସେଇମାନଙ୍କ ଗହଣରେ ମୋତେ ରହିବାକୁ ଇଚ୍ଛା ହୁଏ, ଯେଉଁମାନେ ଅନ୍ୟକୁ ସେବା ଓ ସାହାଯ୍ୟ ପାଇଁ ସଦା ତତ୍ପର। ତେଣୁ ମୁଁ ଏଇଠି ବାନ୍ଧି ରହିଛି।“ ମନେହୁଏ, ୟୁରୋପ ବା ଆମେରିକା ଦୁନିଆରୁ ଆମଦାନୀ ହେଉଥିବା ଆଧୁନିକତାର ଅଳନ୍ଧୁ ଏମାନଙ୍କୁ କବଳିତ କରି ପାରିନାହିଁ ଅଦ୍ୟାବଧି; ଯେଉଁଥିପାଇଁ କି ଅମୃତ ପଥର ଅଭିଯାତ୍ରୀ ଏମାନେ। ତଥାପି ଏମାନଙ୍କ ସରଳପଣ, ନିରୀହତାର ସୁଯୋଗ ନେଇ ଏମାନଙ୍କୁ ଫାନ୍ଦରେ ପକାଇବାକୁ ବେଳେ ବେଳେ ଉଦ୍ୟମ ହେଉଥିବାର ଅଭିଯୋଗ ହୁଏ। ପଡୋଶୀ ଜିଲାର କେତେକ ମାଓବାଦୀ, ପାଞ୍ଚ-ଛଅ ବର୍ଷ ତଳେ କାରସାଦି କରୁଥିଲେ ମାଓ ସଙ୍ଗଠନରେ ସାମିଲ କରେଇବାକୁ। ଜଣେ ଦୁଇଜଣଙ୍କୁ ବି କମ୍ରେଡମାନେ କୁଆଡେ ଜାଲରେ ଧରିଥିଲେ। ମାତ୍ର ସାମୂହିକ ପ୍ରୟାସ ଓ ସତର୍କ ପଣିଆ ଯୋଗୁ କମ୍ରେଡମାନେ ସଫଳ ହୋଇ ପାରି ନ ଥିଲେ। ଏହିପରି ବାହ୍ୟ ଭୂତାଣୁଠାରୁ ଏମାନଙ୍କୁ ମୁକ୍ତ ରଖିପାରିଲେ, ଆହୁରି ଉଦ୍ଭାସିତ ହୋଇ ପାରନ୍ତା ଏହି ପଲ୍ଲୀଗୁଡିକ। ଏହିପରି ପ୍ରତିଟି ପଡ଼ା ବା ପଲ୍ଲୀଗୁଡିକ ଯଦି ପରିଣତ ହୋଇ ପାରନ୍ତା ଏକ ଏକ ଶ୍ରୀ କ୍ଷେତ୍ରରେ, ତେବେ ଆମ ପୃଥିବୀଟା ସତରେ କେତେ ସୁନ୍ଦର ନ ହୁଅନ୍ତା ।
ଗୋଡିଶୂଳ, ସଜନାଗଡ଼, ବାଲେଶ୍ବର,
ମୋ-୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଅର୍ଥନୀତି/ସ୍ପଷ୍ଟ କର

କେନ୍ଦ୍ର ବଜେଟ ଉପସ୍ଥାପନ ବେଳେ ସାଧାରଣ ଲୋକମାନେ ବ୍ୟକ୍ତିଗତ ଆୟକରରେ କ’ଣ ପରିବର୍ତ୍ତନ ଘଟୁଛି, ତାହା ଜାଣିବା ପାଇଁ ସବୁବେଳେ ଉତ୍ସୁକତା ପ୍ରକାଶ କରିଥାନ୍ତି। ଏଥିପାଇଁ...

ଏଇ ଭାରତରେ

ପରିବେଶ ପାଇଁ ପକ୍ଷୀଙ୍କ ଆବଶ୍ୟକତାକୁ ଖୁବ୍‌ ଭଲ ଭାବେ ବୁଝିଛନ୍ତି ମଧ୍ୟପ୍ରଦେଶର କୃଷକ ନାରାୟଣ ସିଂ। ସେଥିପାଇଁ ସେ ୧୨ ବର୍ଷ ବୟସରୁ ତାଙ୍କ ଗାଁରେ...

ରାଜ୍ୟ ବଜେଟ: ସମ୍ବଳ ବାଧକ

ଡ. ସନ୍ତୋଷ କୁମାର ମହାପାତ୍ର ଫେବୃୟାରୀ ୨୨ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥତ୍କବର୍ଷ ପାଇଁ କାଗଜବିହୀନ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟକୁ ନେଇ...

ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ...

କ୍ଷୁଧାମୁକ୍ତ ବିଶ୍ୱ ପ୍ରୟାସ

ଗ୍ଲୋରିଆ ଅବ୍ରାହମ୍‌ ପରାଲ୍ଟା ଏକ ଅନୁକୂଳ, ନିଷ୍ପକ୍ଷ ତଥା ଅଧିକ ସ୍ଥାୟୀ କୃଷି ବାଣିଜ୍ୟ ବ୍ୟବସ୍ଥାକୁ ଫେରିବା ପାଇଁ ଆମକୁ ଉତ୍ତମ ବୈଶ୍ୱିକ ନୀତିନିୟମ ତଥା...

କେନ୍ଦ୍ର ଉତ୍ତରଦାୟୀ

୨୦୧୭ରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବଡ଼ ଧୁମଧାମରେ ଲାଗୁ କରାଯାଇଥିଲା। କିନ୍ତୁ ତାହା ଏବେ ଅସଫଳ ହୋଇଛି। ସ୍ବାଧୀନ ଭାରତରେ ଟିକସ କ୍ଷେତ୍ରରେ ସଂସ୍କାର...

ନୂଆ ଆଭିମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ଦ୍ୱିତୀୟ ପାଳିରେ ଜନସାଧାରଣଙ୍କ ଉଚ୍ଚ ପ୍ରତ୍ୟାଶା ପ୍ରତି ସଚେତନ ଅଛନ୍ତି। ଦେଶର ଦୁର୍ଗତି...

ସମ୍ପାଦକୀୟ/ଠକ ମାଷ୍ଟର

ଓଡ଼ିଶାରେ ସ୍କୁଲ ଶିକ୍ଷା ଅତି ଦୟନୀୟ ଥିବା ଦୃଷ୍ଟାନ୍ତ ନିକଟରେ ଦେଖିବାକୁ ମିଳିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏକକ ପରୀକ୍ଷା କରାଯିବା ବିଷୟ...

Advertisement
Archives

Model This Week