ହଜିଲାଣି ବିକାଶ ଦୃଷ୍ଟିଭଙ୍ଗୀ

ଆକାର ପଟେଲ
ସରକାରଙ୍କ ଗୁଜରାଟ ମଡେଲ ନିର୍ଦ୍ଦିଷ୍ଟ କଥନିକା (ନ୍ୟାରେଟିଭ୍‌) ଉପରେ ଆଧାରିତ ଥିଲା। ନରେନ୍ଦ୍ର ମୋଦିଙ୍କ ଅଧୀନରେ ଯେପରି ଭାବେ ରାଜ୍ୟ ସରକାର ପରିଚାଳିତ ହେଉଥିଲା ଭାରତରେ ଅନ୍ୟ କେଉଁଠି ସେପରି ହେଉ ନ ଥିଲା। ସରକାରକୁ ପୂର୍ବାପେକ୍ଷା ଅଧିକ ଦକ୍ଷ ଓ ଦୁର୍ନୀତିମୁକ୍ତ କରାଯାଇଥିଲା। ଏହାର ଫଳାଫଳ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଦୃଶ୍ୟମାନ ହେଲା। ତେଣୁ ନରେନ୍ଦ୍ର ମୋଦି ବିଶ୍ୱ ତଥା ଭାରତର ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଲେ। ତେବେ ମୋଦିଙ୍କ ମୁଖ୍ୟମନ୍ତ୍ରିତ୍ୱ ଅମଳରେ ଗୁଜରାଟରେ ଅର୍ଥନୈତିକ ଅଭିବୃଦ୍ଧି କିପରି ଥିଲା, ସେ ନେଇ ଭିନ୍ନମତ ରହିଛି। କିନ୍ତୁ ଅର୍ଥନୀତିକୁ ଆଗକୁ ନେବା ପାଇଁ ତାଙ୍କର ଯେ ଏକ ପ୍ରତିବଦ୍ଧତା ରହିଥିଲା, ଏଥିରେ ଦ୍ୱିମତ ନାହିଁ।
ସେ ସମୟରେ ମୁଁ ଯେତେବେଳେ ମୋଦିଙ୍କୁ ଭେଟିଥିଲି ସେ ମୋତେ କହିଥିଲେ ଯେ ସେ ଚାହାନ୍ତି, ଗୁଜରାଟ ବାର୍ଷିକ ୧୫% ହାରରେ ଅଭିବୃଦ୍ଧି କରୁ, ଯାହାଫଳରେ ଭାରତ ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି କରିପାରିବ। ସେ ତାହା ଥଟାମଜାରେ କହି ନ ଥିଲେ ଏବଂ ସେ ଏଥିପାଇଁ ଦୃଢ଼ପ୍ରତିଜ୍ଞ ଥିଲେ। ସେ ସମୟରେ ରାଜ୍ୟ ଶାସନ ଓ ନ୍ୟାୟ ବ୍ୟବସ୍ଥାରେ ଯେ ତ୍ରୁଟିବିଚ୍ୟୁତି ରହିଥିଲା ଏଥିରେ ବି ଦ୍ୱିମତ ନାହିଁ। ୨୦୦୨ ହିଂସାକାଣ୍ଡକୁ କେବେହେଲେ ଅଣଦେଖା କରାଯାଇ ନ ପାରେ ଏବଂ ମୋଦି ହେଉଛନ୍ତି ଭାରତ ଇତିହାସରେ ଏକମାତ୍ର ନେତା ଯିଏ ଏକ ମହାଦଙ୍ଗା ପୂର୍ବରୁ ଶାସନ କ୍ଷମତାରେ ଥିଲେ ଏବଂ ତା’ ପରେ ବି କ୍ଷମତାରେ ରହିଲେ। ଏସବୁ ସତ୍ତ୍ୱେ ସେ ଚାହିଁଥିଲେ ସମସ୍ତ ପାଞ୍ଚକୋଟି ଗୁଜରାଟୀଙ୍କ ପାଇଁ ଏକ ଶକ୍ତିଶାଳୀ ଅର୍ଥନେତିକ ଅଭିବୃଦ୍ଧି। ମୋର ମନେହୁଏ ମୋଦି ଏବେ ସେ ବିକାଶ ଦୃଷ୍ଟିଭଙ୍ଗୀ ହଜାଇସାରିଲେଣି।
ମୁଁ ଆଶା କରୁଛି ଯେ ମୋର ଅନୁମାନ ଭୁଲ୍‌ ହୋଇଥାଉ କିନ୍ତୁ ତାହା ଏବେ କେଉଁଠି ହେଲେ ଦେଖିବାକୁ ବା ପଢ଼ିବାକୁ ମିଳୁନାହିଁ। ବର୍ତ୍ତମାନ ସରକାର ଯାହା ଉପରେ ଗୁରୁତ୍ୱ ଦେଉଛନ୍ତି, ସେଥିପାଇଁ କେହି ଦାବି କରି ନ ଥିଲେ ଏବଂ ତାହାଦ୍ୱାରା ଦେଶର କୌଣସି ଲାଭ ହେବ ନାହିଁ। ମୁଁ ଏନ୍‌ଡିଏ ସରକାର ଦେଶରେ ଲାଗୁ କରିବାକୁ ଜିଦି ଧରି ବସିଥିବା ତିନୋଟି ଆଇନ କଥା ହିଁ କହୁଛି- ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)।
ୟୁରୋପୀୟ ପାର୍ଲାମେଣ୍ଟରେ ସିଏଏ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିବା ନେଇ ଆମ ବହିର୍ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏକ ଅନୁକ୍ତ ସତ୍ୟ ହେଉଛି ଯେ ପ୍ରଥମ ଥର ପାଇଁ ଭାରତର ଆଭ୍ୟନ୍ତରୀଣ ନୀତିକୁ ବାହାର ଦେଶରେ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ସମୀକ୍ଷା କରି ନିନ୍ଦା କରାଯାଇଛି। କିନ୍ତୁ ନିନ୍ଦାରୁ ଦେଶକୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ କିଛି କରାଯାଇ ନାହିଁ। ଏହା ଚିନ୍ତାଜନକ କାରଣ ଆମ ଦେଶକୁ ବାହାର ଦେଶଗୁଡ଼ିକ ଯଦି ଭଲ ଦୃଷ୍ଟିରେ ଦେଖିବେ ତେବେ ଭାରତକୁ ଅଧିକ ପୁଞ୍ଜି ଆସିପାରିବ। ଯଦି ଗୋଟିଏ ଦେଶର ନାଗରିକମାନେ ପରସ୍ପର ସହ ଯୁଦ୍ଧରତ ରହିବେ ଏବଂ ଅନ୍ୟମାନେ ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ, ତେବେ ସେ ଦେଶର କେବେ ବି ଆର୍ଥିକ ଉନ୍ନତି ହୋଇପାରିବ ନାହିଁ।
ଶନିବାର ପାର୍ଲାମେଣ୍ଟରେ ଉପସ୍ଥାପିତ ବଜେଟରେ ଆମ ଅର୍ଥନୀତିରେ କିଛି ସମସ୍ୟା ଅଛି ବୋଲି ସ୍ବୀକାର କରାଯାଇ ନାହିଁ। ଯେଉଁମାନେ ଉକ୍ତ ସମସ୍ୟାଗୁଡ଼ିକ ଦୂର କରିବା ପାଇଁ କିଛି ପଦକ୍ଷେପ ନିଆଯାଉ ବୋଲି ଚାହୁଁଥିଲେ, ସେମାନେ ହତାଶ ହୋଇଛନ୍ତି। ସମସ୍ୟା ଅଛି ବୋଲି ସ୍ବୀକାର କରିଥିଲେ ହିଁ ସରକାର ତା’ର ନିରାକରଣ ପାଇଁ ପଦକ୍ଷେପ ଘୋଷଣା କରିଥାନ୍ତେ। ଗତ ଦଶନ୍ଧି ଭିତରେ ଭାରତ ସବୁଠୁ ନିମ୍ନ ହାରରେ ଅଭିବୃଦ୍ଧି କରୁଛି। ଯଦି ସେହିପରି ଚାଲେ ତେବେ ସରକାର ନିର୍ବାଚନ ବେଳେ ଯେଉଁ ନିଯୁକ୍ତି ଓ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ ହୋଇପାରିବ ନାହିଁ।
ଏହା ସ୍ପଷ୍ଟ ହୋଇଯାଇଛି ଯେ, ମୋଦି ଭାଜପାର ଆଦର୍ଶଗତ କାର୍ଯ୍ୟସୂଚୀକୁ ହିଁ ଆଗେଇ ନେବାକୁ ଚାହୁଁଛନ୍ତି ଏବଂ ସେଥି ମଧ୍ୟରୁ ଅଧିକାଂଶ କ୍ଷେତ୍ରରେ ସଫଳତା ପାଇସାରିଲେଣି। ଯେଉଁ ତିନୋଟି ପ୍ରସଙ୍ଗକୁ ନେଇ ଭାଜପା ଗଠିତ ହୋଇଥିଲା ସେଗୁଡ଼ିକ ହେଉଛି ଅଯୋଧ୍ୟା, କଶ୍ମୀର ଓ ସିଭିଲ କୋଡ୍‌। ସେଥିମଧ୍ୟରୁ ଅଯୋଧ୍ୟାକୁ ତ ସୁପ୍ରିମ୍‌କୋର୍ଟ ଉପହାର ସ୍ବରୂପ ଦେଇଦେଲେ ଏବଂ କଶ୍ମୀର ପ୍ରସଙ୍ଗରେ କୋର୍ଟ ତରଫରୁ କୌଣସି ପ୍ରତିରୋଧ ଆସିଲା ନାହିଁ। ତିନି ତଲାକକୁ ଅପରାଧ ଘୋଷଣା କରାଗଲା। ତା’ପରେ ବହୁବିବାହଟା ଉଠେଇ ଦେଲେ ଭାଜପାର ପୂର୍ଣ୍ଣ ବିଜୟ ଘଟିବ। ଏସବୁ ପରେ ମୋଦି ସରକାର ସଂଖ୍ୟାଗୁରୁବାଦକୁ ଚଳେଇ ରଖିବା ଆଉ କି ଦରକାର? ସବୁ ଲକ୍ଷ୍ୟ ପୂରଣ କରିବା ପରେ ସିଏଏ, ଏନ୍‌ଆର୍‌ସି ଭଳି ନୂଆ ଆଭିମୁଖ୍ୟ ଗ୍ରହଣ କରିବାର କି ଆବଶ୍ୟକତା ଥିଲା? ମୋଦି ସରକାର ଏବେ ତାଙ୍କ ଆଦର୍ଶଗତ କାର୍ଯ୍ୟସୂଚୀକୁ ଛାଡ଼ି ଦେଶର ଅର୍ଥନୀତି କିପରି ସୁଧୁରିବ ତାହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ, ଯାହାର ସୂଚନା ଶନିବାରର ବଜେଟରେ ଦେଖିବାକୁ ମିଳିନାହିଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri