ସୋସିଆଲ ମିଡିଆ : ଭଲ ଭିତରେ ଭେଲ

ଶୁଭସ୍ମିତା ନାୟକ

ବିଶ୍ୱବାସୀଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଏହାଦ୍ୱାରା ନିଜ ଅଜାଣତରେ ନିଜର କ୍ଷତି ହିଁ ହେଉଛି। ଲାପ୍‌ଟପ୍‌, ଟ୍ୟାବ୍‌, ମୋବାଇଲରେ ନୂଆ ନୂଆ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ଅନେକେ। ବିଶେଷକରି ପାଠପଢୁଆ ପିଲାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ପ୍ରବଣତା ଅଧିକ। ବିଭିନ୍ନ ସୋସିଆଲ ମିଡ଼ିଆ ଏକ ଅଦୃଶ୍ୟ ଦୁନିଆ। ଏଥିସହ ସଂଯୁକ୍ତ ଏମିତି ବହୁସଂଖ୍ୟକ ଲୋକ ଅଛନ୍ତି, ଯେଉଁମାନେ ବାସ୍ତବରେ ସଂସାରରେ ବି ନାହାନ୍ତି। ଅର୍ଥାତ୍‌ ଏମାନେ ଏକଦମ୍‌ ନକଲି। ଆଜିକାଲି ଅଧିକାଂଶ ପିଲା ନିଜର ମୋବାଇଲ୍‌ରେ ସବୁବେଳେ ଅନ୍‌ଲାଇନ୍‌ରେ ରହି ସାଙ୍ଗ ସହ ଅଯଥା ଚାଟିଂରେ ସମୟ ନଷ୍ଟ କରୁଛନ୍ତି। ଦିନର ପ୍ରାୟ ଅଧାଅଧି ସମୟ କଟିଯାଉଛି ସୋସିଆଲ ମିଡ଼ିଆରେ। ବୃତ୍ତିଗତ ଶିକ୍ଷାରେ ପାଠପଢୁଥିବା ପିଲାମାନେ ସୋସିଆଲ ମିଡ଼ିଆର ଭରପୂର ଫାଇଦା ନେବା କଥା। ହେଲେ ଅଧିକାଂଶ ପିଲା ଏହି ସାଇଟ୍‌ରେ ପାଠ ଓ କ୍ୟାରିୟର କଥା ଆଦାନ ପ୍ରଦାନ କରିବା ବଦଳରେ ଅନ୍ୟ ଖରାପ କଥାରେ ବ୍ୟସ୍ତ ରହୁଛନ୍ତି। ଏଥିପ୍ରତି ସଜାଗ ନ ହେଲେ ଏହା ପିଲାଙ୍କ ସୁନେଲି ଭବିଷ୍ୟତ ପ୍ରତି କ୍ଷତି ପହଞ୍ଚାଇବାର ଭୟ ରହିଛି। ଏହା ବିବିଧ ଭଲ ଭିତରେ ମଣିଷ ନିଜ ପାଇଁ ସୃଷ୍ଟି କରୁଛି ବହୁ ଭେଲ।
ଅଧିକାଂଶ ସୋସିଆଲ ନେଟୱର୍କିଂ ସାଇଟ୍‌ ଏକ ଅବାସ୍ତବ ଦୁନିଆରେ ବଞ୍ଚିବା ଶିଖାଇ ଥାଏ। ନିଜ ଜୀବନର ଅପ୍ରାସଙ୍ଗିକ ବିଷୟଗୁଡ଼ିକୁ ନେଇ ଭାବିବାକୁ ଏକ ପ୍ରକାର ବାଧ୍ୟ କରିଥାଏ। ସବୁବେଳେ ନିଜକୁ ଏକ ଅଦୃଶ୍ୟ ବା ଅବାସ୍ତବ ଦୁନିଆରେ ଆବଦ୍ଧକରି ରଖିବା ଫଳରେ ନାନା ମାନସିକ ଓ ଶାରୀରିକ ସମସ୍ୟା ଦେଖାଦିଏ। ବାରମ୍ବାର ମୋବାଇଲ ଦେଖିବା, ସୋସିଆଲ ନେଟୱର୍କିଂ ସାଇଟ୍‌ର ନୋଟିଫିକେଶନ୍‌ ଚେକ୍‌ କରିବା, ଷ୍ଟାଟସ୍‌ ଅପଡେଟ୍‌ ଆଦି ଫଳରେ ମାନସିକ ଅସ୍ଥିରତା ବୃଦ୍ଧିପାଇବା, ମେଦବୃଦ୍ଧି ସହିତ ହାର୍ଟବିଟ୍‌ କମ୍‌ ହେବା ଓ ନିଦ୍ରାହୀନତା ସମସ୍ୟା ସୃଷ୍ଟି କରିଥାଏ। ବେକମୂଳ ଦରଜ, ଅଣ୍ଟା ବିନ୍ଧା, ଆଖି ପୋଡ଼ାଜଳା, ଜଏଣ୍ଟ ପେନ୍‌, ଟେନିସ୍‌ ଏଲ୍‌ବୋ ଭଳି ସମସ୍ୟା ଉପୁଜିଥାଏ।
ବିଭିନ୍ନ ସୋସିଆଲ ସାଇଟ୍‌ରେ ଲାଇକ୍‌, କମେଣ୍ଟ ଓ ଲମ୍ବି ଚାଲିଥିବା ବନ୍ଧୁ ତାଲିକା ହିଁ ସମାଜର ପରିଭାଷା ପାଲଟିଛି। ସହରାଞ୍ଚଳରେ ସାଇପଡ଼ିଶାଙ୍କ ସହ କଥା ହେବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ। ଏପରିକି ନିଜ ପରିବାରର ଅନ୍ୟ ସଦସ୍ୟଙ୍କ ସହ କଥା ହେବାକୁ ଯେମିତି ସମୟ ନାହିଁ। କାରଣ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଆଦିରେ ବ୍ୟସ୍ତ ରହୁଛୁ ଆମେ। ନୂଆ ନୂଆ ବିଜ୍ଞାନ ବା ଟେକ୍ନୋଲୋଜିର ବହୁଳ ବ୍ୟବହାର ଆମକୁ ଅନ୍ତର୍ମୁଖୀ ହେବାକୁ ବାଧ୍ୟ କରୁଛି। ଧୀରେ ଧୀରେ ସମାଜଠାରୁ ଆମେ ଦୂରେଇ ଯାଉଛେ। ମନୋବିଜ୍ଞାନୀଙ୍କ ମତରେ, ସୋସିଆଲ୍‌ ମିଡ଼ିଆରେ ଅଧିକ ସମୟ ବିତାଇବା ଦ୍ୱାରା ସମ୍ପର୍କ ଉପରେ ଏହାର କୁପ୍ରଭାବ ପଡୁଛି।
କଲେଜପଢ଼ୁଆ ପିଲାଙ୍କ ଲାଗି ସୋସିଆଲ ନେଟ୍‌ୱର୍କ ପାଲଟିଛି ନିଶା। ଆଧୁନିକ ପିଢ଼ି ନିଜ ଆଖପାଖରେ ଥିବା ସମପିଢ଼ିଙ୍କ ସହ ବନ୍ଧୁତା ରଖିବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ଦୂରଦୂରାନ୍ତର ଅଜଣା ପିଲା ସହ ବନ୍ଧୁତା କରୁଛନ୍ତି। ଏହି ଅଜଣା ଅର୍ବାଚୀନ ବନ୍ଧୁଙ୍କ ସହ ଫଟୋ, ଭିଡିଓ ତଥା ଜୀବନର ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଶେୟାର କରିବା ସହ ପସନ୍ଦ, ନାପସନ୍ଦ ଓ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ସେମାନେ ବିନା ଦ୍ୱିଧାରେ ପରସ୍ପର ମଧ୍ୟରେ ବାଣ୍ଟୁଛନ୍ତି, ଫଳରେ ସେମାନେ ଅନାୟାସରେ ଠକାମିରେ ପଡୁଛନ୍ତି।
ଅନେକ ଝିଅ ସୋସିଆଲ ମିଡ଼ିଆରେ ବନ୍ଧୁତା କରି ନିଜର ଭିଡ଼ିଓ ଓ ଫଟୋଗ୍ରାଫ୍‌ ଦିଆନିଆ କରିବା ପରେ ଜାଣୁଛନ୍ତି ଯେ, ସେମାନେ ଯାହା ସହିତ ବନ୍ଧୁତା କରିଥିଲେ, ତାହା ଏକ ଫେକ୍‌ ଆଇଡି ବା ସେମିତି କେହି ଲୋକ ହିଁ ନାହାନ୍ତି। ହେଲେ ଶେୟାର କରିଥିବା ନିଜର ବ୍ୟକ୍ତିଗତ ଫଟୋ ବା ଭିଡ଼ିଓ ଏଡିଟ୍‌ ହୋଇ ବିଭିନ୍ନ ସୋସିଆଲ ସାଇଟ୍‌ରେ ନଗ୍ନଚିତ୍ର ଭାବେ ପ୍ରଦର୍ଶିତ ହୋଇଛି। ଏମିତି ଘଟଣା ବାରମ୍ବାର ଘଟୁଛି, ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ।
କେହି କେହି ସୋସିଆଲ୍‌ ମିଡ଼ିଆରେ ଅପଡେଟ୍‌ ରହିବାକୁ ଯାଇ ନିଜ ଜୀବନର ସତ ଖୁସିଠାରୁ ଦୂରେଇ ଯାଉଛନ୍ତି। ଆମ ଭିତରୁ ଅଧିକାଂଶ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ କିମ୍ବା ବିଭିନ୍ନ ଉତ୍ସବ ଓ ପୂଜାପର୍ବରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିବା ନିଶାରେ ଏତେ ନିମଗ୍ନ ରହୁଛନ୍ତି ଯେ, ସେହି ପରିବେଶର ପ୍ରକୃତ ଖୁସି ଉପଭୋଗ କରିପାରୁ ନାହାନ୍ତି। ନିଜର ଷ୍ଟାଟସ୍‌ ଅପଡେ୍‌ଟ କରିବାକୁ ଯାଇ ଅନେକେ ନିଜର ଖୁସିକୁ ଅଧାରେ ଛାଡ଼ି ଆସୁଛନ୍ତି।
ସୋସିଆଲ ସାଇଟ୍‌ରେ ବ୍ୟକ୍ତିଗତ ଜୀବନ ଓ କଥାକୁ ସର୍ବସାଧାରଣ ଆଗରେ ଉପସ୍ଥାପନ କରିବା ଦ୍ୱାରା ବେଳେବେଳେ ବିବାଦ ଉପୁଜିବା ଦେଖାଦିଏ। ପୁଣି ଯୁବପିଢ଼ି ସୋସିଆଲ ମିଡ଼ିଆରେ ଯୋଡ଼ି ହେବାକୁ ଷ୍ଟାଟସ୍‌ ସିମ୍ବଲ୍‌ ବୋଲି ଭାବୁଛନ୍ତି। ସେମାନଙ୍କ ମତରେ, ଏସବୁରେ ନଥିବା ଲୋକ ପୁରୁଣାକାଳିଆ ବା ଆଉଟ୍‌ ଡେଟେଡ୍‌। ଯୁବପିଢ଼ି ସୋସିଆଲ ମିଡ଼ିଆରେ ଅଧିକ ସମୟ ବିତାଇବା ଦ୍ୱାରା ଚିଡ଼ିଚିଡ଼ା ସ୍ବଭାବର ହୋଇଯାଉଛନ୍ତି। କ୍ରୋଧୀ ପାଲଟିଯାଉଛନ୍ତି। ଫଳରେ ପ୍ରକୃତ ବନ୍ଧୁମାନଙ୍କ ସହ ସମ୍ପର୍କ ବିଗିଡ଼ି ଯାଉଛି।
ସାଇବର୍‌ ନିଶା କାରଣରୁ ଯୁବଗୋଷ୍ଠୀଙ୍କ ମନରେ ଅପରାଧ ଭାବନା ଜାଗିଉଠୁଛି। ଉଗ୍ରବାଦ, ଆତଙ୍କବାଦର ପ୍ରଚାରରେ ମଧ୍ୟ ମୁଖ୍ୟ ମାଧ୍ୟମ ସାଜିଛି ସୋସିଆଲ୍‌ ମିଡ଼ିଆ। ଅପରାଧପ୍ରବଣ ଲୋକ ଏହାକୁ ମାଧ୍ୟମ କରି ବିଭିନ୍ନ ଅପରାଧମୂଳକ କାର୍ଯ୍ୟ ସହଜରେ କରିପାରୁଛି। ଠିକ୍‌ ସେମିତି କିଛି ନକାରାତ୍ମକ ଲୋକଙ୍କ ପାଇଁ ନଗ୍ନ ଫଟୋ, ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ।
ଫେସ୍‌ବୁକ୍‌, ଟୁଇଟର୍‌ ଭଳି ସାମାଜିକ ଗଣମାଧ୍ୟମରେ ପ୍ରାୟତଃ ଭ୍ରମାତ୍ମକ ତଥ୍ୟ ପ୍ରକାଶ ପାଇଥାଏ। ଏକ ଆକଳନରୁ ଜଣାପଡ଼େ ଯେ, ସତ୍ୟ ବା ଠିକ୍‌ ତଥ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ମାତ୍ର ଶତକଡ଼ା ୧୮ ଭାଗ। ପୁଣି ମିଥ୍ୟା ବା ଭୁଲ ତଥ୍ୟ ଦେବାରେ ମହିଳାଙ୍କଠାରୁ ପୁରୁଷ ଆଗୁଆ। ୪୩ ଭାଗ ପୁରୁଷ ଭୁଲ ତଥ୍ୟ ପ୍ରଦାନ କରୁଥିବା ଜଣାଯାଏ। ଅନ୍ୟମାନଙ୍କୁ ପ୍ରଭାବିତ କରିବା ତଥା ନିଜ ଆଡକୁ ଅଧିକ ଆକର୍ଷିତ କରିବା ପାଇଁ ବ୍ୟବହାରକାରୀ ଏପରି କରନ୍ତି ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି।
ଅପବ୍ୟବହାରରୁ ବର୍ତ୍ତିବା ପାଇଁ ଦରକାର କେବଳ ନିଜ ଉପରେ ନିୟନ୍ତ୍ରଣ। କିପରି ଓ କେତେ ସମୟ ବ୍ୟବହାର କଲେ ତାହା ମନ ଓ ସ୍ବାସ୍ଥ୍ୟ ପ୍ରତି ଠିକ୍‌ ରହିବ, ତାହା ନିର୍ଭର କରେ ନିଜର ମାନସିକତା ଉପରେ। ଯେ କୌଣସି ଜିନିଷର ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଛି। ତେବେ ଏହାକୁ କେଉଁ ଭାବରେ ବ୍ୟବହାର କରିବେ, ତାହା ନିଜର ଦାୟିତ୍ୱ ହେବା ଉଚିତ। ସୋସିଆଲ ମିଡ଼ିଆର ଅପବ୍ୟବହାର ବହୁ ଅସୁବିଧାରେ ପକାଇପାରେ। ତେଣୁ ଭାବିଚିନ୍ତି ଏହାର ଉପଯୋଗ କରିବା ଉଚିତ।
– ଗବେଷଣା ଛାତ୍ରୀ, ଓଡ଼ିଆ ବିଭାଗ,
ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର,
ମୋ-୯୫୫୬୧୫୮୧୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri