ସମ୍ପାଦକୀୟ/ ସେଠି ଯାହା, ଏଠି ତାହା

ଦିଲ୍ଲୀର ଅନାଜ ମଣ୍ଡିରେ ୮ ଡିସେମ୍ବର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶର୍ଟ ସର୍କିଟ ଯୋଗୁ ଏଭଳି ଦୁର୍ଘଟଣା ଘଟିଛି। ଉଲ୍ଲେଖ କରାଯାଇପାରେ ଯେ, ଜୁନ୍‌ ୧୯୯୭ରେ ଦିଲ୍ଲୀର ଗ୍ରୀନ୍‌ ପାର୍କ ଅଞ୍ଚଳରେ ଥିବା ଉପହାର ସିନେମା ହଲ୍‌ରେ ନିଆଁ ଲାଗିବାରୁ ୫୭ ଜଣଙ୍କ ପ୍ରାଣହାନି ଘଟିଥିଲା। ଉପହାର ପରେ ଏହା ହେଉଛି ଦିଲ୍ଲୀରେ ଦ୍ୱିତୀୟ ବୃହତ୍‌ ଦୁର୍ଘଟଣା। ଏବେ ଜଣାପଡ଼ିଛି ଯେ, ଅନାଜ ମଣ୍ଡିରେ ଏକାଧିକ ବେଆଇନ କାରଖାନା ଚାଲୁଥିଲା। ବିଶେଷକରି ଚମଡ଼ା ଓ ପ୍ଲାଷ୍ଟିକ୍‌ ତିଆରି ଦ୍ରବ୍ୟ ଗଚ୍ଛିତ ଥିବାରୁ ନିଆଁ ଲାଗିବାରୁ ତାହାକୁ ଆୟତ୍ତ କରିବା ସମ୍ଭବ ହୋଇ ନ ଥିଲା। କେବଳ ସେତିକି ନୁହେଁ, ଉକ୍ତ କୋଠାଗୁଡ଼ିକ ଏଭଳି ଲଗାଲଗି ହୋଇ ରହିଛି ଯେ ତା’ ଭିତରକୁ ଅଗ୍ନିଶମ ବାହିନୀର ଗାଡ଼ି ପଶିବା କଷ୍ଟକର ହୋଇପଡ଼ିଥିଲା। ସେହିସବୁ କାରଖାନା ଭିତରେ ଶ୍ରମିକମାନଙ୍କ ରହଣିର ବ୍ୟବସ୍ଥା ଥିଲା। ସେଥିରେ ଲୋକେ ଖୁନ୍ଦାଖୁନ୍ଦି ହୋଇ ରହୁଥିଲେ। ସକାଳେ ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗିବା ପରେ ଉଠୁଥିବା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଅନେକଙ୍କ ପ୍ରାଣ ଚାଲିଯାଇଥିଲା। ସମ୍ପୃକ୍ତ କୋଠାରେ ଅଗ୍ନି ନିର୍ବାପକ ଯନ୍ତ୍ରାଂଶ ଖଞ୍ଜାଯାଇ ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିଯାଇଥିଲା। ଏହା କେବଳ ଦିଲ୍ଲୀରେ ସୀମିତ ରହିନାହିଁ। ପୂର୍ବରୁ ବମ୍ବେ, କୋଲକାତା, ଗୁଜରାଟର ସୁରଟଠାରୁ ଆରମ୍ଭ କରି ଭୁବନେଶ୍ୱରର ବଡ଼ ଘରୋଇ ଡାକ୍ତରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବାରୁ ଅତୀତରେ ବହୁ ଲୋକଙ୍କ ଜୀବନ ଯାଇଛି। ସର୍ବଦା ଦେଖାଯାଉଛି ନିଆଁ ଲାଗି ଲୋକଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ପ୍ରଶାସନଠାରୁ ଅଗ୍ନିଶମ ବିଭାଗ ପର୍ଯ୍ୟନ୍ତ ତତ୍ପର ହୋଇଉଠନ୍ତି। ଖୋଳତାଡ଼ କରାଯିବା ପରେ ଜଣାପଡ଼େ ଯେ ସମ୍ପୃକ୍ତ ବିଲଡିଂ, ମଲ୍‌ ବା ଡାକ୍ତରଖାନାଗୁଡ଼ିକରେ ଅଗ୍ନିରୁ ରକ୍ଷା ପାଇବା ପାଇଁ ସୁରକ୍ଷା ବ୍ୟବସ୍ଥା ନ ଥିଲା। ଏଭଳି କ୍ଷେତ୍ରରେ ବିଭାଗୀୟ କର୍ତ୍ତୃପକ୍ଷ ତତ୍‌କ୍ଷଣାତ୍‌ ବିଲଡିଂ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଦେଇଥାଆନ୍ତି କିମ୍ବା ସ୍ଥଳବିଶେଷରେ ତାହାକୁ ସିଲ୍‌ କରିଦିଅନ୍ତି। ପରେ ଯେଉଁ କଥାକୁ ସେଇ କଥା ଦେଖିବାକୁ ମିଳେ। ଏହା ହୋଇଯାଇଛି ଭାରତୀୟ ବ୍ୟବସ୍ଥାର ଗତାନୁଗତିକ ପ୍ରତିକ୍ରିୟା। ବେଆଇନ ନିର୍ମାଣକୁ ଉଚ୍ଛେଦ କିମ୍ବା ଭାଙ୍ଗିବା ପରିବର୍ତ୍ତେ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଯଥା ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ସବୁବେଳେ ବେଆଇନ ଭାବେ ଗଢ଼ି ଉଠିଥିବା ବସ୍ତିକୁ ଆଇନଗତ କରାଇବା ପାଇଁ ବ୍ୟସ୍ତ। ଏଥିରେ ରାଜନେତାଙ୍କ ବେଶ୍‌ ସମ୍ପୃକ୍ତି ଥିବା ସହିତ ସରକାରୀ କର୍ମଚାରୀଙ୍କ ସକ୍ରିୟ ସହଯୋଗ ମିଳିବାର ଦେଖାଯାଉଛି। ଏହି ସହଯୋଗ କାହିଁପାଇଁ ମିଳୁଛି ତାହା ବୁଝିବା କାହାରି ସକାଶେ କଷ୍ଟକର ନୁହେଁ। ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ କୌଣସି ସମୟରେ ବେଆଇନ ବସ୍ତି ବା ବେଆଇନ ନିର୍ମିତ କୋଠାକୁ ଆଇନସମ୍ମତ କରାଇବାର ପ୍ରକ୍ରିୟା ଚାଲୁଥିବା ବେଳେ କେହି ଜଣେ ସରକାରୀ କର୍ମଚାରୀ ଲିଖିତ ବିରୋଧ କରିବାର ଉଦାହରଣ ନ ଥିବ। ଭୁବନେଶ୍ୱରରେ ନିର୍ମିତ ହୋଇଥିବା ଅନେକ ମଲ୍‌ରେ ଦୁର୍ଘଟଣା ଘଟିବାର ସବୁ ଆଶଙ୍କା ରହିଛି। ଦୃଷ୍ଟାନ୍ତ ଭାବେ ଏସ୍‌ପ୍ଲାନେଡ୍‌ ମଲ୍‌ର ପ୍ରସ୍ଥାନ ପଥକୁ ଦେଖିଲେ ସ୍ପଷ୍ଟ ବୁଝାପଡ଼େ, ଯେକୌଣସି ମୁହୂର୍ତ୍ତରେ ବିପଦ ଆସନ୍ନ ହୋଇପାରେ। ଏଥିରେ ବିଡିଏ, ବିଏମ୍‌ସି, ଅଗ୍ନିଶମ ବିଭାଗ ଏବଂ ପୋଲିସ ସହିତ ଗଣମାଧ୍ୟମର ସମର୍ଥନ ଥିବା ହେତୁ ଦୁଷ୍ଟ ପ୍ରକୃତିର ଲୋକ ମନଇଚ୍ଛା କାର୍ଯ୍ୟ କରିପାରୁଛନ୍ତି। ଯାହା ଆମେ ଓଡ଼ିଶାରେ ଦେଖୁଛେ, ତାହା ଆମେ ଦିଲ୍ଲୀରେ ମଧ୍ୟ ହୃଦ୍‌ବୋଧ କରିପାରୁଛେ। ଏଠି ଯାହା, ସେଠି ତାହା।
ସହର ଜୀବନ ଅନେକଙ୍କୁ ଆକୃଷ୍ଟ କରୁଥିବାରୁ ଭାରତର ସହରାଞ୍ଚଳକୁ ଲୋକେ ଛୁଟୁଛନ୍ତି। ସ୍ଥାନାଭାବ ଯୋଗୁ ଅନେକେ ବେଆଇନ ହେଉ ବା ଅନଧିକାର ଭାବେ ଜାଗା ମାଡ଼ିବସି ଘର ତୋଳି ରହିଯାଉଛନ୍ତି। ସେମାନଙ୍କ ଏଭଳି ସାହସକୁ ବଳ ଦେଉଛନ୍ତି ରାଜନୈତିକ ଦଳ ବା ରାଜନେତା। ଏବେ ଦିଲ୍ଲୀରେ ଥିବା ୧,୭୧୩ ଅସିଦ୍ଧ କଲୋନୀକୁ କେନ୍ଦ୍ର ସରକାର ସିଦ୍ଧ ଘୋଷଣା କରିବା ହେଉଛି ଏହାର ସଦ୍ୟ ଦୃଷ୍ଟାନ୍ତ। ଦିଲ୍ଲୀ ସହରର ଭବିଷ୍ୟତ ସୁରକ୍ଷିତ ରଖିବା ପରିବର୍ତ୍ତେ ସେହି ବେଆଇନ କଲୋନୀଗୁଡ଼ିକୁ ଆଇନଗତ କରାଇ ଭୋଟ ପାଇବା ପାଇଁ ଭାଜପାର ନିଷ୍ପତ୍ତି ନିଶ୍ଚିତ ନିନ୍ଦନୀୟ। ଆହୁରି ଅନେକ ଲୋକ ଏଭଳି କାର୍ଯ୍ୟରେ ଯୋଡ଼ି ହୋଇ ସହରକୁ ବିପଦମୁହଁକୁ ଠେଲିଦେବେ। କାରଣ ଦିଲ୍ଲୀ ସ୍ଥିତି ଦେଖିଲେ, ବେଆଇନ ଭାବେ ଗଢ଼ି ଉଠିଥିବା କଲୋନୀ କିମ୍ବା ବସ୍ତି ଅଞ୍ଚଳର ଲୋକଙ୍କ ବେଆଇନ କାର୍ଯ୍ୟକୁ ଏଭଳି ସମର୍ଥନ ମିଳିବା ଦ୍ୱାରା ଏହାର ସଂଖ୍ୟା ଅଧିକ ବଢ଼ିବ ପଛେ କମିବ ନାହିଁ। କାରଣ ଭୋଟ୍‌ ରାଜନୀତି ଏପରି ବସତି ସ୍ଥାପନକୁ ଆଇନସିଦ୍ଧ ବୋଲି ଷ୍ଟାମ୍ପ ଦେଇଦେଲା। ପରବର୍ତ୍ତୀ ସମୟରେ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଯେତେବେଳେ ବେଆଇନ ଘର ନିର୍ମାଣ ଉପରେ ପ୍ରଶ୍ନ କରାଯିବ ସେତେବେଳେ ଦିଲ୍ଲୀ ଉଦାହରଣ ଦିଆଯିବା କାହାରିକୁ ଆଶ୍ଚର୍ଯ୍ୟ କରି ନ ପାରେ। ଅଧିକ ବେଆଇନ ନିର୍ମାଣ ବଢ଼ିଚାଲିଲେ ଏହା ସମ୍ପୃକ୍ତ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିବ। ଅନାଜ ମଣ୍ଡି ଅଗ୍ନିକାଣ୍ଡ ସତର୍କଘଣ୍ଟି ଭାବେ ବୁଝାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri