ସମ୍ପାଦକୀୟ/ଲାଞ୍ଚୁଆ ଭୋଟର

ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ପ୍ରକାର ମାଗଣା ଦ୍ରବ୍ୟ ଯାଚିବା ସହ ସିଧାସଳଖ ଅର୍ଥ ହସ୍ତାନ୍ତର ଯୋଜନା କରିଥିବାରୁ ଏବେ ସେସବୁକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ନେଇ କେନ୍ଦ୍ର ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଓଡ଼ିଶା ଏବଂ ଝାଡ଼ଖଣ୍ଡ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ, କରଦାତାଙ୍କଠାରୁ ଆଦାୟ ଅର୍ଥରେ ନିର୍ବାଚନର କିଛି ମାସ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଓଡ଼ିଶା ସରକାର ‘କାଳିଆ’, ତେଲେଙ୍ଗାନା ସରକାର ‘ରଇତୁ ବନ୍ଧୁ’ ଭଳି କୃଷକଙ୍କୁ ତତ୍‌କ୍ଷଣାତ୍‌ ଅର୍ଥ ମିଳିଯିବାର ବ୍ୟବସ୍ଥା କରିଥିଲେ। ପେଣ୍ଟାପତି ପୁଲ୍ଲା ରାଓ (୨୦୧୯ ଲୋକ ସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ଇଲ୍ଲୁରରୁ ନିର୍ବାଚନ ଲଢ଼ିଥିଲେ) ନାମକ ଆନ୍ଧ୍ରପ୍ରଦେଶର ଜଣେ ରାଜନେତାଙ୍କ ଆବେଦନକୁ ବିଚାରକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ କେନ୍ଦ୍ର ଓ ଉପରଲିଖିତ ୫ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ଖଣ୍ଡପୀଠ ଏହି ମର୍ମରେ ନିର୍ବାଚନ କମିଶନଙ୍କଠାରୁ ଜବାବ ମାଗିଛନ୍ତି।
ଶାସନରେ ଥିବା ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଅର୍ଥାତ୍‌ ସର୍ବନିମ୍ନ ୬ ମାସ ଆଗରୁ ଯୋଜନା ଘୋଷଣା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିବା ଦିଗରେ ବିଚାର କରିବା ଲାଗି ଆବେଦନକାରୀ ପେଣ୍ଟାପତି ଶୀର୍ଷ ଅଦାଲତଙ୍କ ନିକଟରେ ଆପତ୍ତି ଉଠାଇଥିଲେ। ଏହିସବୁ ସୁବିଧା ଭୋଟରଙ୍କୁ ସିଧାସଳଖ ଲାଞ୍ଚ ଦେବା ଭଳି ହୋଇଥିଲା ବୋଲି ଆବେଦନକାରୀ କହିଥିଲେ। ଅବଶ୍ୟ ତାହା ଜନସାଧାରଣଙ୍କୁ ସ୍ପଷ୍ଟ ଦିଶିଯାଉଛି। ଓଡ଼ିଆରେ ଢଗ ଅଛି- ‘ଚୋର ଗଲା ପରେ ବୁଦ୍ଧି ଦିଶେ’; ଅର୍ଥାତ୍‌ ସାଧାରଣ ନିର୍ବାଚନ ପରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ ସରକାର ଗଠନ ହୋଇସାରିଛି। ଶାସନ କ୍ଷମତାରେ ଥିବା ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଲୋଭନୀୟ ଜିନିଷ ସହ ଅର୍ଥ ଦେଇ ଯାହା ଫାଇଦା ନେବା କଥା ନେଇଯାଇଛନ୍ତି। ଏଭଳି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ୫ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା କେବଳ ଧର୍ମକୁ ଆଖିଠାର ସଦୃଶ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ସୁବ୍ରମଣ୍ୟମ୍‌ ବନାମ ତାମିଲନାଡୁ ସରକାର ରାୟରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ ଯେ, ଭୋଟକୁ ଆଖିଆଗରେ ରଖି ଯେଉଁ ସରକାରଗୁଡ଼ିକ ମାଗଣା ଯୋଜନା ଘୋଷଣା କରୁଛନ୍ତି, ସେ ଦିଗରେ ନିୟମାବଳୀ ସ୍ଥିର କରାଯିବା ଉଚିତ। ହେଲେ ସେ ସଂକ୍ରାନ୍ତ ଅଗ୍ରଗତି ବିଷୟରେ ସର୍ବୋଚ୍ଚ ଅଦାଲତ ସମୀକ୍ଷା ନ କରି ଏବେ ପୁନଶ୍ଚ ନିର୍ବାଚନ କମିଶନଙ୍କଠାରୁ ଜବାବ ତଲବ କରିବା ଅଦାଲତି ବ୍ୟବସ୍ଥା କେତେ ହାସ୍ୟାସ୍ପଦ ସ୍ତରରେ ପହଞ୍ଚିଲାଣି ବୁଝାପଡ଼ୁଛି। ଏଥିରୁ ଖିଅ ଟାଣି କୁହାଯାଇପାରେ ଯେ, ବ୍ୟବସ୍ଥାର ପ୍ରତ୍ୟେକ ଅଙ୍ଗ ଜନମତକୁ ମୋଡ଼ିମକଚି ଦେବାକୁ ଚେଷ୍ଟା କରିଚାଲିଛନ୍ତି। ନିଜ ସ୍ବାର୍ଥସାଧନ ଲକ୍ଷ୍ୟରେ ଦୌଡ଼ୁଥିବା ଗଣତନ୍ତ୍ରର ମୂଲ୍ୟବାନ ଅଙ୍ଗ ଯେତେବେଳେ ଦାୟିତ୍ୱ ଭୁଲି କେବଳ ଲୋକଦେଖାଣିଆ ରାୟ ବା ମତ ଦେବେ, ସେତେବେଳେ ସମଗ୍ର ସାମାଜିକ ବ୍ୟବସ୍ଥା ବିଗିଡ଼ିଯିବା ସ୍ବାଭାବିକ। ଗଣତନ୍ତ୍ରର ମୂଳ ସଂଜ୍ଞା- ଲୋକଙ୍କର, ଲୋକଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ। କିନ୍ତୁ ଭୋଟରଙ୍କୁ ଲାଞ୍ଚ ଯାଚି ଯେଉଁ ରାଜନୈତିକ ଦଳଗୁଡ଼ିକ କ୍ଷମତା ଅର୍ଜନ କରିପାରିଛନ୍ତି, ପରବର୍ତ୍ତୀ ସମୟରେ ସେମାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଯେତେ ନୋଟିସ ଆସିଲେ ମଧ୍ୟ ତାହା କୌଣସି ଲକ୍ଷ୍ୟ ସାଧନ କରିପାରିବ ନାହିଁ। ଅପରପକ୍ଷରେ ଯେଉଁସବୁ ଭୋଟର ସେହି ଲାଞ୍ଚ ନେଇ ଭୋଟ ଦେଇଛନ୍ତି, ତାହା ଲୋକଙ୍କ ଦାରିଦ୍ର୍ୟ ମନୋଭାବର ପରିଚୟ ଦେଉଛି। ଯେପର୍ଯ୍ୟନ୍ତ ଭାରତର ଭୋଟର ଘୁସ୍‌ ନେବା ପାଇଁ ନିଜର ଆଗ୍ରହ ପ୍ରକାଶ ସହିିତ ଘୁସ୍‌ ଦେଉଥିବା ରାଜନୈତିକ ବ୍ୟକ୍ତି ବା ଦଳକୁ ସମର୍ଥନ ଜଣାଇବେ, ସେ ପର୍ଯ୍ୟନ୍ତ ଏ ଦେଶରେ ଦୁର୍ନୀତି ଦୂର ସମ୍ଭବପର ହେବ ନାହିଁ। ୨୦୧୯ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ବାରି ହେଲା ଯେ ଭାରତର ସାଧାରଣ ଭୋଟର ଅତ୍ୟନ୍ତ ଲାଞ୍ଚୁଆ। ଭବିଷ୍ୟତରେ ମଧ୍ୟ ଲାଞ୍ଚ ମାଧ୍ୟମରେ କାର୍ଯ୍ୟ କରାଯାଇପାରିବ। ଏଭଳିସ୍ଥଳେ କେବଳ ରାଜନେତାଙ୍କୁ ଦୋଷ ଦେବା ଉଚିତ ହେବ ନାହିଁ। କାରଣ ଭୋଟର ତ ଲାଞ୍ଚୁଆ! ଯିଏ ଯେଉଁଠି ପାଇଲା, ସିଏ ସେଠାରେ ସୁବିଧା ଟାଣିନେବାକୁ ଚେଷ୍ଟା କଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri