ସମ୍ପାଦକୀୟ/ ପିମ୍ପୁଡ଼ି ଦଳିଦେଲୁ

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ୧୬ ଜୁନ୍‌ରେ ହୋଇଥିବା ବିଶ୍ୱକପ୍‌ କ୍ରିକେଟ୍‌ର ଏକ ମ୍ୟାଚରେ ପାକିସ୍ତାନକୁ ଭାରତ ୮୯ ରନ୍‌ରେ ପରାସ୍ତ କରିଛି। ବିଶ୍ୱକପ୍‌ ଆରମ୍ଭ ହେବା ଦିନରୁ ଅଦ୍ୟାବଧି ଦୁଇ ଟିମ୍‌ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନଠାରୁ କେବେ ହାରି ନ ଥିବାର ରେକର୍ଡ ଭାରତ ରଖିଆସିଛି। ଏହା ନିଶ୍ଚିତ ଭାବେ ଭାରତୀୟଙ୍କ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଉତ୍କୃଷ୍ଟ ଖେଳକୁ ସବୁଆଡ଼ୁ ଶୁଭେଚ୍ଛା ମିଳିବା ସ୍ବାଭାବିକ। କିନ୍ତୁ ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଟିମ୍‌ ଇଣ୍ଡିଆର ବିଜୟକୁ ପାକିସ୍ତାନ ଉପରେ ଆଉ ଏକ ‘ଷ୍ଟ୍ରାଇକ୍‌’ ବା ମାଡ଼ ହେଲା ବୋଲି ଅଭିହିତ କରି ଟୁଇଟରରେ ଉଲ୍ଲେଖ କରିବା ପରେ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି। କ୍ରିକେଟ୍‌ରେ ଭାରତର ବିଜୟକୁ ଶାହ ପାକିସ୍ତାନ ବିପକ୍ଷରେ ଅତି ଆକ୍ରମଣାତ୍ମକ ଢଙ୍ଗରେ ବର୍ଣ୍ଣନା କରିବାକୁ ଯାଇ ଏଭଳି ମତ ରଖିବାକୁ ଅନେକେ ଗ୍ରହଣ କରିପାରିନାହାନ୍ତି। ହର୍ସନ ସିଂ ନାମକ ଜଣେ ବ୍ୟକ୍ତି ଟୁଇଟରରେ କହିଛନ୍ତି, ‘ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଭାରତର ବିଜୟ ନେଇ ଯେଭଳି ଆକ୍ରମଣଶୀଳ ବିବୃତି ରଖିଛନ୍ତି, ତାହାଦ୍ୱାରା ତାଙ୍କର ରାଷ୍ଟ୍ର ନେତୃତ୍ୱରେ ଅଭାବ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରୀଡ଼ାକୁ ବୁଝିବାରେ ଅକ୍ଷମ ଥିବା ଜଣାପଡ଼ୁଛି’। ସେହିପରି ବୈଭବ ଚାଓ୍ବଲା ଲେଖିଛନ୍ତି, ‘କ୍ରିକେଟ୍‌ର ଷ୍ଟ୍ରାଇକ୍‌କୁ ଅନ୍ୟ କୌଣସି ଷ୍ଟ୍ରାଇକ୍‌ ସହ ତୁଳନା କରାଯିବା ଉଚିତ ନୁହେଁ। ଏଠାରେ ଆପଣଙ୍କ ଯୁଦ୍ଧପ୍ରିୟ ଅବାନ୍ତର କଥା ଶୁଣିବାକୁ ଆମେ ପସନ୍ଦ କରୁନାହୁଁ। ଖେଳକୁ ଅନ୍ୟ ସବୁଥିରୁ ପୃଥକ୍‌ ରଖାଯାଉ’। ଶାହଙ୍କ ବିରୋଧରେ ଏଭଳି ଏକାଧିକ ସମାଲୋଚନାମୂଳକ ମନ୍ତବ୍ୟ ପ୍ରକାଶ ପାଇବାରେ ଲାଗିଛି। ଅନ୍ୟପଟେ ବିହାରର ମୁଜାଫରପୁରରେ ଏନ୍‌ସେଫାଲାଇଟିସ୍‌ ବା ମସ୍ତିଷ୍କ ଜ୍ୱରରେ ୧୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ଗଲାଣି। କ୍ରିକେଟ୍‌ରେ ଜିତିବା ନେଇ କେନ୍ଦ୍ରମନ୍ତ୍ରୀମାନେ ଯେଭଳି ଉତ୍ସାହିତ ହୋଇ ମନ୍ତବ୍ୟ ଦେଇଛନ୍ତିି, ଏନ୍‌ସେଫାଲାଇଟିସ୍‌ ଦ୍ୱାରା ମୃତ୍ୟୁମୁଖରେ ପଡ଼ୁଥିବା ପିଲାଙ୍କ କଥା ଉଠାଉ ନାହାନ୍ତି। ଏହା ନିଶ୍ଚିତ ଚିନ୍ତାର ବିଷୟ।
ସ୍କୁଲ ଅବସ୍ଥାରୁ ପିଲାମାନେ ଖେଳରେ ଭାଗ ନେଲାବେଳେ ଶିକ୍ଷୟିତ୍ରୀଶିକ୍ଷକ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବାକୁ ଯାଇ କହିଥାଆନ୍ତି- ‘ଜିତିବା ହାରିବା କିଛି ନୁହେଁ, ଅଂଶଗ୍ରହଣ କରିବା ହେଉଛି ବଡ଼ କଥା’। ଏଥିରୁ ବୁଝିବାକୁ ହେବ ଯେ ଖେଳୁଆଡ଼ ମନୋବୃତ୍ତିକୁ ଗୁରୁତ୍ୱ ଦିଆଯାଇଥାଏ। ଖେଳ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱ ବୃଦ୍ଧିରେ ସହାୟକ ହୋଇଥାଏ। ହେଲେ ଆଜିର ପରିସ୍ଥିତିରେ ଗୋଟିଏ ଦେଶର ଟିମ୍‌ ଅନ୍ୟ ରାଷ୍ଟ୍ରର ଟିମ୍‌ ଉପରେ ବିଜୟଲାଭ କଲେ ଅନେକେ ଏହାକୁ ରାଜନୈତିକ ଢଙ୍ଗରେ ଚିତ୍ରଣ କରୁଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଭାରତର ବିରାଟକାୟ ଜନସଂଖ୍ୟା ମଧ୍ୟରୁ ଅନ୍ତର୍ଜାତୀୟ କ୍ରୀଡ଼ାରେ ଏହି ଦେଶର ନାମଗନ୍ଧ ଶୁଣିବାକୁ ମିଳେ ନାହିଁ। ଗୋଟିଏ ପଟେ କ୍ରିକେଟ୍‌କୁ ନେଇ ମନ୍ତ୍ରିବୃନ୍ଦ ଗୌରବାନ୍ବିତ ହେଉଥିବା ବେଳେ ହକି ଏବଂ ଅନ୍ୟ ଖେଳ ପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ। ୧୫ ଜୁନ୍‌ରେ ଭୁବନେଶ୍ୱରଠାରେ ଶେଷ ହୋଇଥିବା ପୁରୁଷ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଥିବା କଥା ସମ୍ଭବତଃ ଅଧିକାଂଶ ଭାରତୀୟ ଜାଣି ନ ଥିବେ। ତା’ର ଏକମାତ୍ର କାରଣ ଭାବେ କୁହାଯାଇପାରେ ଯେ, ହକି ପଛରେ କୌଣସି ରାଜନୀତି ଏପର୍ଯ୍ୟନ୍ତ ଯୋଡ଼ି ହୋଇ ନାହିଁ। ହେଲେ କ୍ରିକେଟ ଭାରତବାସୀଙ୍କ ପାଇଁ ଅତ୍ୟଧିକ ମହତ୍ତ୍ୱ ରଖିଥାଏ। ଏହି ଖେଳରେ ଭାରତ-ପାକିସ୍ତାନ ଭେଟ ହେଲେ ସମସ୍ତଙ୍କ ଆଶା ଅଭିଳାଷ ଗୋଟିଏ ମ୍ୟାଚରେ କେନ୍ଦ୍ରିତ ହୋଇଯାଏ। ବେଟିଂଠାରୁ ଆରମ୍ଭ କରି ବିଜ୍ଞାପନରେ ଦର ପର୍ଯ୍ୟନ୍ତ ସବୁକିଛି ଆକାଶଛୁଆଁ ହୋଇଯାଏ। ଯେପରିକି ଭାରତ ମ୍ୟାଚ ଜିତିଲେ କୂଟନୈତିକ ଓ ସାମରିକ ସ୍ତରରେ ପାକିସ୍ତାନକୁ ମାତ୍‌ ଦେଲା ବୋଲି ଧରାଯିବ, ହାରିଲେ ଅସଂଖ୍ୟ ଭାରତୀୟଙ୍କ କ୍ରୋଧ ଟିମ୍‌ ଇଣ୍ଡିଆ ଉପରେ ପଡ଼ିଥାଏ।
ଏବେ ଶାହଙ୍କ ଟୁଇଟରକୁ ବିଶ୍ଳେଷଣ କଲେ ସେଥିରେ ଅନ୍ତର୍ନିହିତ ଭାବକୁ ବୁଝିହେଉଛି। ପାକିସ୍ତାନର ବାଲାକୋଟ୍‌ ଉପରେ ସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିବା ବିଷୟ ଗତ କିଛିମାସ ଧରି ଭାରତୀୟଙ୍କ ମନରେ ବସା ବାନ୍ଧି ରହିଛି। ବର୍ତ୍ତମାନ କ୍ରିକେଟ୍‌ରେ ପାକିସ୍ତାନ ଉପରେ ଭାରତର ବିଜୟ ଆଉ ଏକ ଷ୍ଟ୍ରାଇକ୍‌ ହେଲା ବୋଲି ଶାହ ଯାହା କହିଛନ୍ତି, ସେଥିରେ ତାଙ୍କ ବିବୃତିି ମାଧ୍ୟମରେ କିଛି ଅବାଞ୍ଛିତ ବ୍ୟକ୍ତିଙ୍କ ଦେଶପ୍ରେମ ଜାଗ୍ରତ ହୋଇଥାଇପାରେ। କିନ୍ତୁ ଜଣେ ଦାୟିତ୍ୱସମ୍ପନ୍ନ ରାଜନେତାଙ୍କଠାରୁ ଏଭଳି ଆଶା କରାଯାଇ ନ ଥାଏ। ଭାରତରେ ସାଧାରଣ ନିର୍ବାଚନ ଥିବାରୁ ଭାରତୀୟ ଜନତା ପାର୍ଟି (ଭାଜପା) ବାଲାକୋଟ ଷ୍ଟ୍ରାଇକ୍‌କୁ ଆୟୁଧ କରି ଭୋଟ ଜିତିଥିବା କୁହାଯାଇଥିଲା। ନିର୍ବାଚନ ସରି ସରକାର ଗଢ଼ାଯିବା ପରେ ଶାହଙ୍କ ଏଭଳି ତୁଳନା କେଉଁ ଉଦ୍ଦେଶ୍ୟ ଚରିତାର୍ଥ କରିବ ତାହା ବୁଝିବା କଷ୍ଟକର ନୁହେଁ। ଏଠାରେ ସ୍ତମ୍ଭକାର ମନଦୀପ୍‌ ସିଂ ବାଜଓ୍ବାଙ୍କ ଟୁଇଟ୍‌କୁ ଲକ୍ଷ୍ୟ କରାଯାଇପାରେ। ସେ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗଠାରେ ୫ ସିଆର୍‌ପିଏଫ୍‌ ଯବାନ ଶହୀଦ ଏବଂ ଭାରତୀୟ ବାୟୁସେନାର ଏଏନ୍‌-୩୨ ଏୟାରକ୍ରାଫ୍ଟ ଧ୍ୱଂସ ପାଇ ୧୩ ଜଣଙ୍କ ପ୍ରାଣହାନି ଘଟିବା ଉପରେ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କିଛି କହି ନ ଥିଲେ। ଏଥିରୁ ସରକାର କେଉଁ ଘଟଣାକୁ ଅଗ୍ରାଧିକାର ଦେଉଛନ୍ତି, ତାହା ଉପରେ ମନଦୀପ୍‌ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍‌-୩୨ ଏୟାରକ୍ରାଫ୍ଟରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ଓଡ଼ିଆ ଯୁବକ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବଳିଆପଲ୍ଲୀ ଗ୍ରାମର ସୁନୀତ୍‌ ମହାନ୍ତି ଥିଲେ।
ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘବର୍ଷ ଧରି ଅପଡ଼ ରହିଆସିଛି। ଦୁଇ ଦେଶ ଏକାଧିକ ଯୁଦ୍ଧ ଲଢ଼ି ପ୍ରତିଶୋଧପରାୟଣ ହୋଇଛନ୍ତି। ହେଲେ କ୍ରୀଡ଼ା କ୍ଷେତ୍ରକୁ ଏଭଳି ଚିନ୍ତାଧାରା ଦ୍ୱାରା କଳୁଷିତ କରାଯିବା ଉନ୍ନତ ମସ୍ତିଷ୍କର ପରିଚୟ ଦେଉ ନାହିଁ। ଏହାବ୍ୟତୀତ ପ୍ରତ୍ୟେକ ଭାରତୀୟଙ୍କୁ ମନେରଖିବାକୁ ହେବ ଯେ ମଣିଷ ପିମ୍ପୁଡ଼ିକୁ ଦଳିଦେବା ଯାହା, ଭାରତ ଦ୍ୱାରା ପାକିସ୍ତାନକୁ ପରାଜିତ କରିବା ସମାନ ଗୁରୁତ୍ୱ ରଖିଥାଏ। ଆମ ଦେଶବାସୀଙ୍କ ସାଧାରଣ ମାନସିକତା ହେଉଛି ଦୁର୍ବଳକୁ ପିଟି ପକାଇବା। ଯେତେବେଳେ ଅମିତ ଶାହ କିମ୍ବା ତାଙ୍କର ବନ୍ଧୁମାନେ ଭାରତର ପ୍ରକୃତ ଶତ୍ରୁ ଚାଇନା ବିରୋଧରେ ଏଭଳି ମନ୍ତବ୍ୟ ପ୍ରକାଶ କରିପାରିବେ, ସେତେବେଳେ ଜାଣିବା ଯେ ମୁସଲମାନ ବିରୋଧୀ ଭୋଟ ନୁହେଁ, ଶକ୍ତିଶାଳୀ ଭାରତ ସୃଷ୍ଟି କରିବା ଦିଗରେ ଏମାନେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri